Unknown

 

 

 

 

 

 

 

 

 

 

 

ପତ୍ରରେ ଆଳାପ

ଚିତ୍ତରଞ୍ଜନ ଦାସ

 

–ଆମର ଏହି ଉତ୍ସର୍ଗୀକୃତ ପରିବାରଟିରେ ଆମେ ସମସ୍ତେ ମିଶି ସେହି ଗୋଟିଏ କାର୍ଯ୍ୟ ହିଁ କରୁଛୁ । ପ୍ରସ୍ତୁତ ହେଉଛୁ ଓ ପ୍ରସ୍ତୁତ କରୁଛୁ । ତଥାପି, ଆମ ଭିତରେ ଜଣେ ଜଣେ ପୂରା ବାରି ହୋଇପଡ଼ନ୍ତି । ଭାରି ଟାଣନ୍ତି ଓ ବଳ ଦିଅନ୍ତି । ଶ୍ରୀଯୁକ୍ତ ବିମଳ ପ୍ରସନ୍ନ ଦାସ ହେଉଛନ୍ତି ସେହିଭଳି ଜଣେ ବ୍ୟକ୍ତି । ଏବଂ, ବ୍ୟକ୍ତିଗତ ଭାବରେ ମଧ୍ୟ ତାଙ୍କର ପୂରା ଘରଟା ସହିତ ତ ମୁଁ କୋଉକାଳରୁ ଯୋଡ଼ା ହୋଇ ରହିଛି ।

 

ପତ୍ରଗୁଚ୍ଛର ଏହି କିଞ୍ଚିତ୍ ଆଳାପକୁ ମୁଁ ବିମଳ ବାବୁଙ୍କ ହାତରେ ଅର୍ପଣ କରୁଛି । –

 

☆☆☆

 

ମୁଖବନ୍ଧ

 

ବେଶ୍ କିଛିଦିନ ତଳେ ଥରେ ଏକାଠି ବସି ‘ସୁହୃତ୍ ପ୍ରକାଶନୀ’ର ପରବର୍ତ୍ତୀ ପୁସ୍ତକ ପ୍ରକାଶନ ବିଷୟରେ ବିଚାର ଆଲୋଚନା କରୁଥାଉ, ଜଣେ ଭାଇ ଅଭିନବ ପ୍ରସ୍ତାବଟିଏ ଦେଲେ । ସେ କହିଲେ—ଆମ ଭିତରେ ଏବଂ ବାହାରେ ମଧ୍ୟ ଅନେକଙ୍କ ସହିତ ଚିତ୍ତଭାଇ ପତ୍ର ମାଧ୍ୟମରେ ଅନେକ ଅନ୍ତରଙ୍ଗ ଆଳାପ ଆଲୋଚନା କରିଛନ୍ତି ଏବଂ ତାଙ୍କର ଲେଖାଗୁଡ଼ିକ ପରି ଏହି ପତ୍ରାଳାପଗୁଡ଼ିକ ମଧ୍ୟ ସମସ୍ୟା ସମାଧାନ କରିବାର ଛଳରେ ମଣିଷର ଗଣ୍ଠି ଖୋଲିବାରେ, ନିଜ ଭିତରକୁ ପ୍ରବେଶ କରିବାରେ ତଥା ପାହାଚ ଉଠିବାରେ ଏକ ଏକ ଉତ୍‌ପ୍ରେରକ ହୋଇ କାମ କରିଛି । ପତ୍ରଗୁଡ଼ିକ ସିନା ଲେଖାଯାଇଛି ଏକାନ୍ତ ବ୍ୟକ୍ତିଗତ ଅନ୍ତରଙ୍ଗତାରେ ମାତ୍ର ବିଷୟ ବସ୍ତୁଗୁଡ଼ିକ କେବଳ ବ୍ୟକ୍ତି ଗତ ବାଡ଼ଟି ମଧ୍ୟରେ ଜମା ଆବଦ୍ଧ ନରହି ତାଙ୍କ ଅନୁରୂପ ସର୍ବକଲ୍ୟାଣକାରୀ ହୋଇପାରିଛି । ତେଣୁ ଆମେ ସେହିସବୁ ପତ୍ରମାନଙ୍କୁ ‘ପ୍ରାପ୍ତି’ ମାନଙ୍କଠାରୁ ସଂଗ୍ରହ କରି ସେସବୁକୁ ପୁସ୍ତାକାରରେ ଛାପିବା ଲାଗି ଉଦ୍ୟମଟିଏ କଲେ କିପରି ହୁଅନ୍ତା ? ପ୍ରସ୍ତାବଟି ସମସ୍ତଙ୍କ ମନକୁ ପାଇଲା, ଆଉ ମୋ ପରି ଯେଉଁମାନେ କେବେ ମଧ୍ୟ ତାଙ୍କ ଠାରୁ ପତ୍ରଟିଏ ପାଇ ନାହାନ୍ତି ସେମାନେ ଅଧିକ ଖୁସୀରେ ଉତ୍ସାହିତ ହେଲେ ଏବଂ ପତ୍ରଗୁଡ଼ିକର ସଂଗ୍ରହ ଦାୟିତ୍ଵ ଆଶିଷ ଭାଇ (ଶ୍ରୀଯୁକ୍ତ ଆଶିଷ ପାଠୀ)ଙ୍କ ଉପରେ ନ୍ୟସ୍ତ କରାଗଲା । ତାଙ୍କ ସ୍ଵଭାବ ଅନୁସାରେ ସବୁକାମ ପରି ଏ କାମଟିରେ ମଧ୍ୟ ପୂରାପୂରି ମଜ୍ଜିଗଲେ ସେ । ସବୁ ପ୍ରକାର କୌଶଳ ଅବଲମ୍ବନ କରି ବର୍ଷ ପରେ ବର୍ଷ ଲାଗି ରହି ଚିତ୍ତଭାଇଙ୍କ ଦ୍ୱାରା ପ୍ରେରିତ ପତ୍ରଗୁଡ଼ିକ ମଧ୍ୟରୁ ସେ ଅନେକ କିଛି ସଂଗ୍ରହ କରି ପାରିଲେ । ଚିତ୍ତଭାଇକୁ ବିପୁଳ ଜୀବନ ଆୟତନ ପରି ତାଙ୍କ ସହ ପତ୍ରାଳାପ କରିଥିବା ବନ୍ଧୁ ପରିଜନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ଭିନ୍ନ ଭିନ୍ନ ପ୍ରକାରର ମନୁଷ୍ୟ ସ୍ୱଭାବ ପରି ପତ୍ର ଗୁଡ଼ିକର ଆଲୋଚ୍ୟ ବିଷୟବସ୍ତୁ ମଧ୍ୟ ଅନେକ ଅନେକ ପ୍ରକାରର । ମଣିଷର ମନ ପରି ବିଚିତ୍ର ତାର ଗଣ୍ଠିସବୁ, ବିଚିତ୍ର ତାର ସମସ୍ୟାସବୁ ।

 

ଜୀବନର ଅନ୍ୟତମ ବାଟ ଚାଲିବା । ନାନାକାରଣରୁ ବେଳେ ବେଳେ ମନୁଷ୍ୟ ଏଇ ଚଲାବାଟରେ ଗୋଟିଏ ଥାନରେ ଅଟକି ରହିଯାଏ ଏବଂ ଏଇ ଅଟକି ଯିବାରୁ ହିଁ ନାନା ସମସ୍ୟା ଭିନ୍ନ ଭିନ୍ନ ନକାରାତ୍ମକ ରୂପ ନେଇ ତା’ ସମ୍ମୁଖରେ ଉପସ୍ଥିତ ହୋଇଯାଏ । ସମସ୍ୟାଗୁଡ଼ିକର ମୁକାବିଲା କରିବାକୁ, ସମସ୍ୟାର ଜାଲରୁ ମୁକୁଳିବାକୁ ମଣିଷ ଅନ୍ତରଙ୍ଗ ବନ୍ଧୁଟିଏ ଖୋଜେ । ତାହା ସହ ଆଳାପ ବିଳାପ କରିବାକୁ ଲୋଡ଼େ । ଯେତେବେଳେ ଏଇ ଅନ୍ତରଙ୍ଗ ବନ୍ଧୁଟି ତା’ର ଦୂରରେ ଥାଏ ସେ ମଧ୍ୟ ପତ୍ର ମାଧ୍ୟମରେ ତା’ ସହ ନିଜର ଆଳାପ ଜାରି ରଖିଥାଏ, ଆଉ ସେଇ ପତ୍ରାଳାପରୁ ସେ କେତେ ନା କେତେ ବଳ ସଂଗ୍ରହ କରିଥାଏ ନିଜ ଅଟକି ରହିଥିବା ଥାନରୁ ଆଗକୁ ଚାଲିବା ଲାଗି । ଯେଉଁ ଅନ୍ତରଙ୍ଗ ବନ୍ଧୁ ଜଣକ ତାକୁ ଏଇ ବଳ ଦେଇ ପାରୁଥାନ୍ତି ତା’ ଚଲାବାଟରେ ବାଧାଗୁଡ଼ିକୁ ନିଜର ସ୍ନେହମୟ ଆନ୍ତରିକ ସ୍ପର୍ଶ ଦେଇ ଦୂର କରି ଦେଉଥାନ୍ତି ସେ ହୋଇଯାଆନ୍ତି ତାର ଅତି ଆପଣାର ସାଥି, ଦୋସର, ପଥପ୍ରଦର୍ଶକ । ବାର ବରଷର ଚିନ୍ମୟ ପାଖରୁ ଆରମ୍ଭ କରି ବାଆସ୍ତରି ବର୍ଷର ମହେନ୍ଦ୍ର ଭାଇଙ୍କ ପର୍ଯ୍ୟନ୍ତ ସମସ୍ତେ ଅକୁଣ୍ଠିତ ଚିତ୍ତରେ ଖୋଲି ଦେଇଛନ୍ତି ନିଜ ହୃଦୟର ଦୁଆରଟିକୁ ସେଇ ଜଣେ ମଣିଷ ପାଖରେ, ଆଉ ମାଆଟିଏ ପରି ଆଦରରେ ସେ ଆଉଁଷି ଦେଇଛନ୍ତି ସଭିଁଙ୍କର ବଥା ଜାଗାକୁ, ଆଙ୍ଗୁଳି ଧରି ଦେଖାଇ ଦେଇଛନ୍ତି ଗଣ୍ଡିଟିକୁ ଆଉ ଗଣ୍ଡିଗୁଡ଼ିକ ଖୋଲିବାର କୌଶଳଟିକୁ । ସେ ଗଣ୍ଠି, ସେ ବ୍ୟଥା, ସେ ଅଟକିଯିବା କେବଳ ଅଜୟ, ଅନନ୍ତ, ଅରବିନ୍ଦ ବା ଚିନ୍ମୟ, ମହେନ୍ଦ୍ର ଭାଇ, ଗୀତାଅପା କି ସ୍ଵର୍ଣ୍ଣଲତା ମହାକୁଡ଼ଙ୍କର ନୁହେଁ, ପତ୍ରର ଉତ୍ତର ପଢ଼ିବାବେଳେ ଲାଗେ ‘ଆରେ ଏତ ମୋରି କଥା !’, ଆଉ ଖୋଲି ଯାଉଥାଏ ନିଜର କେତେ ନା କେତେ ମୁଦା ଦୁଆର ।

 

ଏହିପରି ଅମୂଲ୍ୟ ରତ୍ନଗୁଡ଼ିକୁ ସମସ୍ତଙ୍କ ମଧ୍ୟରେ ବିତରଣ କରିବାର ଆମର ଲୋଭ ଏବଂ ଆଶିଷଭାଇଙ୍କର ପରିଶ୍ରମ ଆଗରେ ପତ୍ରପ୍ରେରକ ମଧ୍ୟ ‘ପତ୍ରାଳାପ’ ଗୁଡ଼ିକୁ ପୁସ୍ତକ ଆକାରରେ ପ୍ରକାଶ କରିବାର ପ୍ରସ୍ତାବରେ ରାଜି ହେଲେ ଆଉ ପରମ ସରାଗରେ ନିଜେ ସେଗୁଡ଼ିକୁ ବାଛି ଦେଇ ପୁଣି ଥରେ ନିଜ ହାତରେ ଲେଖି ଗୁଚ୍ଛଟିଏ ତିଆରି କରି ଦେଇ ନାମକରଣ ମଧ୍ୟ କଲେ ‘ପତ୍ରର ଆଳାପ’ । ନାନାପ୍ରକାର ଅସୁବିଧା ସୁବିଧା ମଧ୍ୟରେ ପ୍ରକାଶନର ସମୟ କିଛିଦିନ ବିଳମ୍ବ ହୋଇ ଯାଇଥିଲେ ମଧ୍ୟ ଏବେ ‘ପତ୍ରରେ ଆଳାପ’ ଆମ ସମସ୍ତଙ୍କ ସହ ଆଳାପ କରିବାକୁ ଆତ୍ମପ୍ରକାଶ କରୁଛି । ଏଥିରେ ଗୁନ୍ଥା ଯାଇଥିବା ପତ୍ରଗୁଡ଼ିକ ନିର୍ଦ୍ଦିଷ୍ଟ କେତେକ ପ୍ରସଙ୍ଗକୁ ଭିତ୍ତିକରି ଲିଖିତ ଏବଂ ‘ପ୍ରାପ୍ତି’ଙ୍କ ନାମ ଅନୁସାରି ଅକ୍ଷରକ୍ରମ ଅନୁସାରେ ସଜା ହୋଇଛି । ପତ୍ରପ୍ରେରକଙ୍କୁ ପ୍ରେରିତ ଅଗାଧ ପତ୍ର ସାଗର ମଧ୍ୟରୁ ସାଉଣ୍ଟା ଯାଇପାରିଥିବା ଯତ୍‍କିଞ୍ଚିତ୍ ମଣି, ମୁକ୍ତା ମଧ୍ୟରୁ ଏଗୁଡ଼ିକ ଆହୁରି କିଞ୍ଚିତ୍ ମାତ୍ର । ଏହି ସଂକଳନଟି ଏକ ପ୍ରବାହର ଆଦ୍ୟସ୍ରୋତ ମାତ୍ର । ପାଠକଙ୍କ ସରାଗ ଅନୁସାରେ ବାକିଗୁଡ଼ିକ ମଧ୍ୟ ପ୍ରକାଶିତ ହେବାର ଯୋଜନା ରହିଛି ।

 

‘ପତ୍ରରେ ଆଳାପ’ ପୁସ୍ତକାକାରରେ ପ୍ରକାଶିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସଂଗ୍ରାହକ ଆଶିଷଭାଇ । ପୁସ୍ତକ ପ୍ରକାଶନ ଅବସରରେ ଆମର ସେଇ ପ୍ରିୟ ସୁହୃତ୍ ଜଣକୁ ଯେତେ ଅଧିକ କୃତଜ୍ଞତା ଜଣାଇଲେ ମଧ୍ୟ ତାଙ୍କ ପରିଶ୍ରମ, ନିଷ୍ଠା ନିକଟରେ ତାହା ଯଥେଷ୍ଟ ହେବନାହିଁ । ପତ୍ରଗୁଡ଼ିକୁ ପ୍ରକାଶ କରିବାର ଅନୁମତି ଦେଇ ସେଗୁଡ଼ିକୁ ନିଜ ହାତରେ ସଜାଡ଼ି ଦେଇଥିବାରୁ ଆମର ପ୍ରିୟ ଚିତ୍ତଭାଇଙ୍କ ନିକଟରେ ଆମେ ‘ସୁହୃଦ୍ ଗୋଷ୍ଠୀ ତରଫରୁ ବିନମ୍ର ପ୍ରଣାମ ଜଣାଉଛୁ । ପତ୍ରାଳାପଗୁଡ଼ିକୁ ଏକାନ୍ତ ବ୍ୟକ୍ତିଗତ ସମ୍ପତ୍ତି କରି ସାଇତି ରଖିବାର ଲୋଭକୁ, ଥରକରେ ବା କୁଣ୍ଠିତ ହୋଇ ବହୁ ଅନେକ ଥରରେ ହେଉପଛେ, ଶେଷରେ ପରିତ୍ୟାଗ କରି ଯେଉଁ ବନ୍ଧୁମାନେ ଏହାକୁ ସାର୍ବଜନୀକରଣ କରିବାରେ ସଦୟ ସହଯୋଗ କରିଛନ୍ତି ସେମାନଙ୍କ ନିକଟରେ ଆମେ ସମସ୍ତେ ଋଣୀ । ଶେଷରେ କାର୍ଯ୍ୟଟିର ସମ୍ପାଦନାରେ ଆମ ତରଫରୁ ମୁଖ୍ୟ ସଂଯୋଜକର ଦାୟିତ୍ୱ ତୁଲାଇଥିବା ‘ରମାଭାଇ' (ରାଉରକେଲାରେ କାର୍ଯ୍ୟ କରୁଥିବା ରମାକାନ୍ତ ସ୍ୱାଇଁ)କୁ ଏବଂ ଅକ୍ଷର ସଜାଇବାରେ ଅଶୋକ ଭାଇଙ୍କୁ ଆମେ 'ସୁହୃଦ୍‍ ଗୋଷ୍ଠୀ’ର ଅନ୍ୟ ସମସ୍ତେ ଆମର ଆନ୍ତରିକ ଧନ୍ୟବାଦ ଜଣାଉଛୁ ।

 

ପରିଶେଷରେ ‘ପତ୍ରରେ ଆଳାପ’ ଆମ ସମସ୍ତଙ୍କର ଅନ୍ତରଙ୍ଗ ଆଳାପରେ ପରିଣତ ହେଉ ।

 

କୁମୁଦିନୀ ଗୁରୁ

☆☆☆

 

ସୂଚୀପତ୍ର

 

୧.

ଅଜୟଚନ୍ଦ୍ର ସାମଲ

୨.

ଅନନ୍ତ କୁମାର ଗିରି

୩.

ଅରବିନ୍ଦ ଦାଶ

୪.

ଅଶୋକ କୁମାର ସାହୁ

୫.

ଆଶିଷ ପାଠୀ

୬.

କୁମୁଦଚନ୍ଦ୍ର ସେନାପତି

୭.

ଗଙ୍ଗାଧର ଦାସ

୮.

ଗୀତାଞ୍ଜଳି ଦାସ

୯.

ଚନ୍ଦନ କୁମାର ସିଂହ

୧୦.

ଜ୍ୟୋସ୍ନାରାଣୀ ମିଶ୍ର

୧୧.

ଦିବାକର ଲେଙ୍କା

୧୨.

ଧୀରେନ୍ଦ୍ର ବଳ

୧୩.

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

୧୪.

ମଧୁସୂଦନ ମହାପାତ୍ର

୧୫.

ମନୋରଞ୍ଜନ ସାହୁ

୧୬.

ମହେନ୍ଦ୍ରନାଥ ମହାନ୍ତି

୧୭.

ମାଳତୀ ଜେନା

୧୮.

ମୀନାକ୍ଷି ମିଶ୍ର

୧୯.

ରାମନାରାୟଣ

୨୦.

ଲମ୍ବୋଦର ଦେ

୨୧.

ଲକ୍ଷ୍ମୀଧର ପାଳ

୨୨.

ସୁରେନ୍ଦ୍ର

୨୩.

ସ୍ଵର୍ଣ୍ଣଲତା ମହାକୁଡ଼

୨୪.

କ୍ଷିତି ଭୂଷଣ ପ୍ରଧାନ

୨୫.

ପରିଶିଷ୍ଟ

୨୬.

ପୃଷ୍ଠବନ୍ଧୀୟ – ରବୀନ୍ଦ୍ରନାଥ ପାଢ଼ୀ

☆☆☆

 

ଶ୍ରୀଯୁକ୍ତ ଅଜୟ ଚନ୍ଦ୍ର ସାମଲ

 

(ଶ୍ରୀମାନ୍ ଅଜୟଙ୍କ ସହିତ ତାଙ୍କର ସ୍କୁଲରେ ପଢ଼ୁଥିବା ସମୟରୁ ମୋ’ର ପରିଚୟ । ପ୍ରଥମେ ସେ ଶ୍ରୀଅରବିନ୍ଦ ଶ୍ରୀକ୍ଷେତ୍ର, ଡାଳିଯୋଡ଼ାର କର୍ମୀମେଳରେ ଯୋଗ ଦେଇଥିଲେ । ତା'ପରେ ନିଜ ଗାଆଁ ନାଉପାଳରେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍ଥାପିତ ହେବାପରେ ସେଠାକୁ ଚାଲି ଆସିଲେ । ବର୍ତ୍ତମାନ ସେଇଠି ନିଜ ଘରେ ଅଛନ୍ତି ।)

 

ଭୁବନେଶ୍ୱର, ୮।୭।୯୧

 

...ପିଲାଙ୍କ ବିଷୟରେ ତୁମେ ଉଠାଇଥିବା ପ୍ରଶ୍ନଟି ବିଷୟରେ ପ୍ରଥମେ କହୁଛି । ସବୁ ପିଲାଙ୍କର ବିକାଶାନୁକୂଳ (ଏପରିକି ବିଶ୍ଳେଷଣାତ୍ମକ) ବୃତ୍ତିଗୁଡ଼ିକୁ ଖୋଲିବା କୌଣସି ସାଧାରଣ ସୂତ୍ର ଦ୍ଵାରା ହୁଏ ନାହିଁ । ସେଥିଲାଗି ବ୍ୟକ୍ତିଗତ ଭାବରେ ପ୍ରତ୍ୟେକ ପିଲାର କ୍ଷେତ୍ରରେ ସ୍ୱତନ୍ତ୍ର ଭାବରେ ଅଗ୍ରସର ହେବାକୁ ପଡ଼ିଥାଏ । ଦୂରତାଗୁଡ଼ିକ ଚାଲିଗଲେ ଅନେକ ଅସମ୍ଭବ ସମ୍ଭବ ହୋଇଯାଏ । ଏବଂ, ଦୂରତା ଦୂର ହେବା ହେଉଛି ମୂଳତଃ ଏକ ଆଧ୍ୟାତ୍ମିକ ପ୍ରଶ୍ନ । ଆପଣାର ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ତାହାର ସମାଧାନ କରିବାକୁ ହୋଇଥାଏ । କେବଳ ନିଜ ଭିତରର କବାଟକିଳା ଘରେ ତାହାର ସମାଧାନ ହୋଇଯାଇଛି ବୋଲି ଅନୁମାନ କଲେ ହୁଏ ନାହିଁ । କାରଣ, ବାସ୍ତବ ଯାତ୍ରାରେ, ଭିତର ଆଡ଼କୁ କବାଟ ଖୋଲିଲେ ବାହାର ଆଡ଼କୁ ବାଟ ଖୋଲିଯାଏ । ନିଜ ଭିତରକୁ ରାସ୍ତା ମିଳିଲେ ଅନ୍ୟ ଭିତରକୁ ରାସ୍ତା ମିଳିଯାଏ । ଶିକ୍ଷାର କ୍ଷେତ୍ରରେ ମଧ୍ୟ ଠିକ୍ ସେହିକଥା, ଦୂରତାକୁ ଜୟ କରିବାର କଥା ।

 

ଆଗାମୀ ଛାତ୍ର-ଶ୍ରମଶିବିର ଅକ୍ଟୋବର ୨୦ରୁ ୨୪ ପର୍ଯ୍ୟନ୍ତ ଦହମୁଣ୍ଡା ଶିକ୍ଷାକେନ୍ଦ୍ରରେ ହେଉଛି । ତୁମ ସେଠାରେ ବର୍ତ୍ତମାନ ଚଳୁଥିବା ବିଧାନ ଅନୁସାରେ ବୋଧହୁଏ ପିଲାମାନେ ଏହି ଶିବିର ଲାଗି ଯାଇ ପାରିବେ ନାହିଁ । କାରଣ, ଶିକ୍ଷକଙ୍କୁ ଭିତରୁ କେହି ସାଙ୍ଗରେ ବାହାରିଲେ ସିନା କିଛି ସମ୍ଭବ ହୁଅନ୍ତା । ମୁଁ କେବଳ ଭାବୁଛି:ଆଶ୍ରମରେ ପିଲାଏ ଆସିବା ପରେ ଆଶ୍ରମର ଶୃଙ୍ଖଳାରେ ମାଆ ଅନେକ ପରିବର୍ତ୍ତନ କରାଇଥିଲେ । ଅନ୍ତତଃ ସେହି ଘଟଣାଟିକୁ ଦୃଷ୍ଟାନ୍ତ କରି ଶ୍ରୀକ୍ଷେତ୍ରର ଶିକ୍ଷାକେନ୍ଦ୍ର ଶ୍ରୀକ୍ଷେତ୍ରର ସାଧନାକେନ୍ଦ୍ର ଅପେକ୍ଷା କିନ୍ତୁ ଅଲଗା ବିଧାନରେ ଚଳି ପାରନ୍ତା ନାହିଁ କାହିଁକି ? ବାହାରର ହାଉଆ ବାଜିଲେ ସାଧନା ଭିତରେ ଦୋଷ ପଶିଯିବ ବୋଲି ଯେଉଁ ସ୍ପର୍ଶକାତରତା, ତଦ୍ଦ୍ୱାରା ଭିତରର ପୁଷ୍ପକଳିଟିକୁ ବହୁତ ଦୁଃଖ ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ହୁଏ ବୋଲି ଉପଲବ୍ଧି କରିବାକୁ କ'ଣ ଗୋଟାଏ ବର୍ଷ ଲାଗେ ?

 

ଭୁବନେଶ୍ୱର, ୨୬।୭।୯୩

 

...ପୂର୍ଣ୍ଣାଙ୍ଗ ଶିକ୍ଷାକୁ ପୁନର୍ବାର ଏକ ଶ୍ରଦ୍ଧାପୂର୍ଣ୍ଣ ଅଥଚ ସାହସଯୁକ୍ତ ସିଧା କରି ଦେଖିବା ନିମନ୍ତେ ଗୋଟାଏ ଉପଯୁକ୍ତ forum ନିତାନ୍ତ ଦରକାର । New Life Education Trust ଏହି forum ହୋଇ ପାରିବ ନାହିଁ । ଆନୁଷ୍ଠାନିକ କର୍ତ୍ତବ୍ୟଗୁଡ଼ିକୁ ତୁଲାଉ ତୁଲାଉ ତା’ର ବେଳ ପଳାଇବ । ତେଣୁ, ଉପଯୁକ୍ତ forum ହେଉଛି ବନ୍ଧୁମାନଙ୍କର ଏକ forum;– ଦଶ ପନ୍ଦର ଜଣ ଅନ୍ତରଙ୍ଗ ନିଷ୍କପଟ ବନ୍ଧୁ ଏହାକୁ ଅବଶ୍ୟ ସକ୍ରିୟ କରି ରଖି ପାରନ୍ତେ ଏବଂ ସବୁ ପ୍ରତିବନ୍ଧକ ସତ୍ତ୍ୱେ ତଥାପି ବହୁତ କିଛି କରିଯାଇ ପାରନ୍ତେ । ଅର୍ଥାତ୍, ନିଜେ ସଂପୃକ୍ତ ରହିଥିବା ଶିକ୍ଷାକେନ୍ଦ୍ରଗୁଡ଼ିକରେ ବହୁତ କିଛି କରି ଦେଖାଇ ଦେଇ ପାରନ୍ତେ । ସମସ୍ତେ ନିଜ ନିଜ ବାଟରେ ଯାଉଥାନ୍ତେ, ତଥାପି ଏକାଠି ଯାଉଥିବା ପରି ଲାଗୁଥାନ୍ତା । ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନଙ୍କରେ ପ୍ରକୃତ ଆଗ୍ରହ ଏବଂ ଆନ୍ତରିକତାଯୁକ୍ତ ଏକାଧିକ ବ୍ୟକ୍ତି ଅଛନ୍ତି । ମାତ୍ର ଗୋଷ୍ଠୀଟି ନାହିଁ । ତୁମେ ବିଚାର କରିବ ଓ ଆପଣାର ବିଚାର ଦେବ ।

...ତୁମର ଉତ୍ସାହରେ ସେଠାରେ ଏକ ନୂତନ ପ୍ରକାରର ପାଠଚକ୍ରର ବିକାଶ ହେଉ । ...ଯେଉଁମାନେ କି ଭଗବତ୍‍ସ୍ପର୍ଶ ପାଇ ତାକୁ ସତେଅବା ଚୋରାଇ ଆଣିଥିବା ଧନ ପରି ନିଜ ଭିତରେ ଲୁଚାଇ ରଖୁବେ ନାହିଁ,–ମାତ୍ର ତାହାକୁ ଆଲୋକ ପରି ନିଜ ଜୀବନରେ ଅତ୍ୟନ୍ତ ସ୍ଵାଭାବିକ ଭାବରେ ବହନ କରିପାରିବେ ଓ ଆହୁରି ସ୍ୱାଭାବିକ ଭାବରେ ତାହାକୁ ବିତରଣ କରିଦେଇ ପାରୁଥିବେ–ବନ୍ଧୁ ହୋଇ ପାରୁଥିବେ ଓ ସଂସାରଟାକୁ ବନ୍ଧୁ ପରି ଅନୁଭବ କରି ପାରୁଥିବେ ଓ ସର୍ବୋପରି ନିର୍ଭୀକ ହେବେ, ସେହିପରି କେତେ ଜଣ ସବୁଠାରୁ ଆଗ ଦରକାର ।

।। ଇତି ।।

 

ଭୁବନେଶ୍ୱର, ୨୪।୮।୯୫

 

…ମନରେ କୌଣସି କୁଣ୍ଠା ନରଖି ତୁମେ ପୂର୍ବ ବିଦ୍ୟାଳୟଟିରେ ତୁମର ଅନୁଭୂତିଗୁଡ଼ିକୁ ଲେଖି ପଠାଇଛ, ସେଥିଲାଗି ଅନେକ ଧନ୍ୟବାଦ ଦେଉଛି । ଆମେ ଯେଉଁ ନୂତନ ଶିକ୍ଷାର ଧାରାଟିକୁ ଗ୍ରହଣ କରିଛୁ, ସେଥିଲାଗି ଯଥାର୍ଥରେ ଯୋଗ୍ୟ ହେବା ସକାଶେ ଆମ ପାଇଁ ସେ ବହୁତ ବାଟ ବାକି ରହିଛି, ତୁମର ଅନୁଭୂତିଗୁଡ଼ିକରୁ ତାହାର ପ୍ରମାଣ ମିଳୁଛି । ଆମେ ସେ ବିଷୟରେ ସଚେତନ ରହିବା ।

 

ତୁମେ ବର୍ତ୍ତମାନ ଯେଉଁ ଅନୁଷ୍ଠାନଟିରେ ଶିକ୍ଷକ-ପରିବାରରେ ଆସି ଯୋଗ ଦେଇଛି, ତା’ ପଛରେ ଗତ ଆଠ ନଅ ବର୍ଷର ଇତିହାସ ରହିଛି । ବହୁ କଷ୍ଟ ସହନ ମଧ୍ୟ ଦେଇ ପାହାଚ ପାହାଚ ଆଗେଇବାକୁ ହୋଇଛି । ଏବେ ମଧ୍ୟ ବାଟ ଚାଲିବା ସରି ନାହିଁ । ତୁମେ ସେହି ପରିବାର ଭିତରେ ଜଣେ ହୋଇଯିବ । ଦାବି କମ୍ କରିବ, ଅଧିକ ଦେବ । ଅନ୍ୟ ସମସ୍ତେ ବି ସେଠାରେ ସେହିକଥା କରିଛନ୍ତି । ତେଣୁ, କେଉଁଠି କୌଣସି ଅଭାବ । ବା ଦୋଷ ଦେଖିଲେ ବ୍ୟତିବ୍ୟସ୍ତ ହୋଇ ପଡ଼ିବ ନାହିଁ ।

 

ପୂର୍ବ ବିଦ୍ୟାଳୟର ଅନୁଭୂତିଗୁଡ଼ିକୁ ଏଠା ଅପାଭାଇମାନଙ୍କ ନିକଟରେ ଆଉ ବେଶୀ । ବର୍ଣ୍ଣନା କରିବ ନାହିଁ । ତଦ୍ଦ୍ୱାରା ହୁଏତ ଲାଭ ତୁଳନାରେ ଅଧିକ କ୍ଷତି ହୋଇପାରେ । ଅଧିକାଂଶ ସମୟ ଭିତରେ ବାହାରେ ଶାନ୍ତ ରହିବ, ଖୁସୀ ରହିବ । ନିଜର କାମଗୁଡ଼ିକୁ । ଅନ୍ତତଃ ଗୋଟିଏ ବର୍ଷ ପାଇଁ ଖୁସୀ ହୋଇ କରିଯିବ । ଅଭିଯୋଗ କରିବ ନାହିଁ । ସେଠା ଲାଇବ୍ରେରୀରେ ବଡ଼ମାନଙ୍କ ପାଇଁ ମଧ୍ୟ ଅନେକ ବହି ଥିବ। ସେଗୁଡ଼ିକୁ ପଢ଼ିବା ଲାଗି ଚେଷ୍ଟା କରିବ ।

 

ତୁମ ଦାୟିତ୍ୱରେ ଥିବା ପିଲାମାନଙ୍କୁ ଖୁସୀରେ ରଖିବ । ସେମାନଙ୍କର ଗୁଣଗୁଡ଼ିକୁ ଅଧିକ ଦେଖିବ । ଗୁଣଗୁଡ଼ିକ ବିଷୟରେ ହିଁ ଉତ୍ସାହ ଦେବ । ତେବେ ତଥାକଥିତ ଦୋଷଗୁଡ଼ିକ କୁଆଡ଼େ ଅପସରି ଯିବେ । ସେହି ପିଲାଙ୍କର ଯାହା କିଛି ଅସୁବିଧା କିମ୍ବା ସମସ୍ୟା, ସେଗୁଡ଼ିକୁ ସମସ୍ତେ ଏକାଠି ବସିଥିବାବେଳେ ଆଲୋଚନା କରିବ । ସେଠାରେ ପ୍ରତ୍ୟହ ରାତିରେ ଶୋଇବାକୁ ଯିବା ଆଗରୁ ଅପାଭାଇମାନେ ଏକାଠି ବସତି ଓ ସ୍କୁଲର ଦୁଃଖସୁଖ ପକାନ୍ତି ।

☆☆☆

 

ଡକ୍ଟର ଅନନ୍ତ କୁମାର ଗିରି

 

(ଶ୍ରୀମାନ୍ ଗିରି ସମାଜଶାସ୍ତ୍ରର କ୍ଷେତ୍ରରେ ଜଣେ ଶ୍ରଦ୍ଧାଶୀଳ ଆଲୋଚକ ଏବଂ ଗବେଷକ । ଆପଣା ଧୀଷଣାରେ ଏକାବେଳକେ ସ୍ୱତନ୍ତ୍ର । ତାଙ୍କ ସହିତ ପରିଚୟ ୧୯୮୦ ମସିହାରୁ-)

 

କଟକ, ୯।୧୧।୮୪

 

ସ୍ନେହାସ୍ପଦେଷୁ,

 

ତୁମର ଚିଠି ଓ ବହି ପାଇଲି । କିଏ ଦେଇଗଲେ ଜାଣି ପାରିଲି ନାହିଁ । ସେତେବେଳେ ମୁଁ ଘରେ ନଥିଲି । ଉଷା ଥିଲା । ଉଷା ଦିଲ୍ଲୀରେ ପହଞ୍ଚିବାବେଳେ ତୁମେ ଷ୍ଟେସନ ଆସିଥିଲା, ସେଥିଲାଗି କୃତଜ୍ଞତା ଜଣାଉଛି ।

 

...ଏଥର ଜନ୍ମଦିନ ଗତ ମାସ ୨୩ ତାରିଖରେ ଗଲା । ଦୀପାବଳୀର ଠିକ୍ ପୂର୍ବଦିନ । ସେଦିନ ତୁମ କଥା ଖୁବ ମନେ ପଡ଼ୁଥିଲା । ଏବର୍ଷ ସେଦିନଟା ଅହେତୁକ ଭାବରେ ଭାରି ଖୁସୀ ଲାଗିଲା । କାହିଁକି କେଜାଣି? ଜୀବନରେ ଯାହାସବୁ କରିବାର କଳ୍ପନା ଓ ବାସନା ରହିଛି, ସେସବୁ କରିବା ଲାଗି ମୋତେ ଅବଶ୍ୟ ସମୟ ଦିଆଯିବ ବୋଲି ଯେପରି ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଭିତରୁ ତଥା ବାହାରୁ ମିଳି ଯାଉଥିଲା ।

 

କଟକ, ୧।୮।୮୫

 

...ପରୀକ୍ଷା ଫଳ ପାଇଁ ସାବାସ୍ ଜଣାଉଛି । ଫଳ କହିଲେ ଆମେ ଯେଉଁମାନେ କାଗଜରେ ମିଳିଥିବା ନମ୍ବରକୁ ନବୁଝି ନିଜ ଜୀବନରେ ଲବ୍ଧ ହୋଇଥିବା କେତେକ ନୂତନ ଆହ୍ୱାନ, ଉପଲବ୍ଧି ଓ ତଜ୍ଜନିତ ଆନନ୍ଦକୁ ବୁଝୁ, ସେମାନଙ୍କୁ ଲାଗି ଆହୁରି କେତେ ବାଟ ଯିବାକୁ ଅଛି, ନିଜ ଜୀବନରେ କେତେ ସଂପ୍ରସାରଣ ଘଟାଇବାକୁ ରହିଛି... ।

 

କଟକ,୨୩।୯।୮୫

 

...You do not write anything about your studies, your new insights as you delve into the new books you go through, and the liew discoveries you make as you integrate the bits of knowledge you thus gather. This ought to be a major feature in the letters you write to me,....

 

This year my birthday happens to be on the 10th of this month. You know my birthdays are just days of recapitulation and inspiration for me. I celebrate them all by myself. I think that is the best way….

 

Cuttack, 21.3.86

 

......It is great news that you have got chances to go out and pursue your studies.... when opportunities open up. They do give us a chance to rightly prove our potentialities, I do not have a doubt that you will be able to do it, possibilities are always ther ! The opportunities that come do give us a spur to grow up to new occasions and prove our worth…

 

କଟକ, ୧୨।୧୦।୮୬

 

...ନୂଆ ଜାଗାରେ ଏକ ବୃହତ୍ତର ପରିପ୍ରେକ୍ଷୀରେ ହଠାତ୍ ସମସ୍ତଙ୍କୁ ଛାଡ଼ି ଆସିଲା ପରି ଲାଗିବ । ବ୍ୟକ୍ତିଗତ ଅନ୍ତଃଜୀବନରେ ଉପରକୁ ପାହାଚଟିଏ ଉଠିବା ସମୟରେ ମଧ୍ୟ । ଠିକ୍ ସେହିପରି ସମସ୍ତଙ୍କୁ ହଠାତ୍ ପଛରେ ପକାଇ ଆସିଥିବା ପରି ମନେ ହୋଇଥାଏ । ଏ ଅବସ୍ଥା ଅବଶ୍ୟ ବଦଳିଯିବ । ନିଜର ଆଖୁଗୁଡ଼ାକୁ ଭିତର ତଥା ବାହାର ଉଭୟଆଡ଼କୁ ଅଧିକ ପ୍ରସାରିତ କରି ପାରିଲେ ତୁମେ ଭିତରେ କେନ୍ଦ୍ରଟି ସହିତ ସଂଯୁକ୍ତ ହୋଇ ରହି ପାରିବ, ତେଣେ ବିଶ୍ଵରେ ଯଥାର୍ଥ ଅନୁରାଗ ସହିତ ବିଚରଣ ମଧ୍ୟ କରିପାରିବ । ତୁମକୁ ତୁମ dimensionର ବନ୍ଧୁ ଅବଶ୍ୟ ମିଳିଯିବେ । ନୂଆ ଡୋର ବାନ୍ଧିବାକୁ ହେଲେ ଅସଲ ମଣିଷକୁ ପୁରୁଣା ଡୋରଗୁଡ଼ିକୁ ମୋଟେ କାଟିବାକୁ ପଡ଼େ ନାହିଁ ।

 

...ତୁମର field study କଥା । ଯଦି ଏହି ଆଳରେ ଭାରତକୁ ଆସିବାର ଅଭିଳାଷ ରହିଥାଏ, ତେବେ ଓଡ଼ିଶାର କୌଣସି themeକୁ ତୁମେ ବିଷୟରୂପେ ଅବଶ୍ୟ ଗ୍ରହଣ କରି ପାରିବ । ମଧ୍ୟଯୁଗୀୟ ଓଡ଼ିଶା ବିଷୟରେ ତୁମେ ଯେଉଁ ବିଷୟଟି କଥା ଲେଖୁଛି, ତାହା ବେଶ୍ ବିଷୟଟିଏ ହୋଇପାରେ । ମୁଁ ଭାବୁଛି, ଉନବିଂଶ ଶତାବ୍ଦୀ ଓଡ଼ିଶାର ଅଧ୍ୟୟନ ଅଧିକ challenging ହେବ । Socio-historical props that Inspired ମହିମା ଧର୍ମ and its impacts–ଏଥିରେ ଭୀମ ଭୋଇ ବି ରହିବେ । ଆଉ ଗୋଟିଏ ଅତ୍ୟନ୍ତ provoking ବିଷୟ ହେଲା Orissa and the 19th century Indian Renaissance–ସେହି ପର୍ଯ୍ୟାୟରେ ବଙ୍ଗଳାରେ ଏତେ କଥା ଘଟିଲା, ମାତ୍ର ଓଡ଼ିଶାରେ କ୍ଷେତ୍ର ଭାରି ସ୍ଥାନୀୟ ହୋଇ ରହିଲା । ତୁମେ ଏହିସବୁ theme ବିଷୟରେ ଚିନ୍ତା କରିବ । କେରଳର ସ୍ଵାମୀ ନାରାୟଣ ଗୁରୁ ଏବଂ ସମାଜ-ଉଦବେଳନରେ ତାଙ୍କର ଭୂମିକା–ଏଇଟି । ମଧ୍ୟ ଗୋଟିଏ ବିଷୟ ହୋଇପାରେ ।

 

ଭୁବନେଶ୍ୱର, ୨୧।୪।୮୮

 

...ବୈବାହିକ ଜୀବନରେ ଭୁଲ ବୁଝାମଣା ହୁଏ । ତାହାରି ଭିତରୁ ସମସ୍ତେ ବୁଝାମଣା ଭିତରକୁ ଆସନ୍ତି । ସେହି ଦୃଷ୍ଟିରୁ ଆମ ସମାଜରେ ସ୍ତ୍ରୀ ଅପେକ୍ଷା ସ୍ଵାମୀର କର୍ତ୍ତବ୍ୟ ଅଧିକ ।

 

ବେଳେ ବେଳେ ସେଠି ଭାରି rootless ହେଲାପରି ଲାଗିବ । ତାହା ଅତ୍ୟନ୍ତ ସ୍ଵାଭାବିକ । ସେହି ଅନୁଭବରୁ escape କରିଯିବାକୁ ମୋଟେ ଚେଷ୍ଟା କରିବ ନାହିଁ । ବରଂ ତାହାର ସମାଧାନ ନିମନ୍ତେ କିଛି constructive ବାଟ ବାହାର କରିବ । ମୁଁ ଭାବୁଛି, ମଝିରେ ମଝିରେ ଓଡ଼ିଆରେ କିଛି ଲେଖିବ ଓ ଓଡ଼ିଶାର କୌଣସି ପତ୍ରିକା ବା ସମ୍ବାଦପତ୍ରକୁ ପଠାଇ ଦେଉଥିବ । ତେବେ rootednesରେ ଅନୁଭବ ଅବିଚ୍ଛିନ୍ନ ରହିଥିବ ।

 

ଭୁବନେଶ୍ୱର, ୬।୮।୮୮

 

...It is so good to see that you are doing so satisfactorily in your proposed studies. Anything done in sincerity and love will surely have results; what is more, if we study with a real sense of commitment, we shall also go on becoming as we study. It is a great thing to be moulded in your outlooks, convictions and commitments as you study. Thus to study can also help us to be…

 

ଭୁବନେଶ୍ୱର, ୨୩।୧୦।୮୯

 

...ଏକାଠି ସଂସାର କଲେ ପରସ୍ପର ସହିତ ଅନେକ ସମୟରେ ଧକ୍କା ହେବ । ମାତ୍ର ଯାବତୀୟ Quarrel ମୁଖ୍ୟତଃ ଓ ମୂଳତଃ Lovers' quarrel ହୋଇ ରହିବା ଉଚିତ । ମୁଁ ଯାହାକୁ ସତକୁ ସତ ଭଲପାଏ ତା’ର ତଥାକଥିତ lapsesଙ୍କୁ ମଧ୍ୟ ମୋର ଅତ୍ୟନ୍ତ ସହାନୁଭୂତି ସହିତ ଦେଖି ପାରିବା ଉଚିତ । To love is to be on the side of, –ନୀତିବାଦୀମାନେ ନିଜର ଲୋକମାନଙ୍କୁ ସେହିମାନଙ୍କର ମାନଦଣ୍ଡ ଅନୁସାରେ ନିର୍ଦ୍ଦୋଷ ଓ ନିଃ-ମଳ ଭାବରେ ଦେଖିବାକୁ ଇଚ୍ଛା କରୁଥାନ୍ତି । ଏହାଦ୍ଵାରା ଏକ ପ୍ରକାର ବର୍ଣ୍ଣାଢ଼୍ୟ self-righteousness ଅଧିକ ବର୍ଣ୍ଣାଢ଼୍ୟ ଦିଶିବାର ମଉକା ପାଏ ସତ, ମାତ୍ର love ଘରେ ଭାରି ଆଘାତ ପହଞ୍ଚେ । ତୁମେ ଉଭୟେ ଏ କଥା ବିଚାର କରିବ । ସମ୍ଭବ ହେଲେ ଏକାଠି ବିଚାର କରିବ । ଆମେ ସମସ୍ତେ ପରସ୍ପରଠାରୁ ଭିନ୍ନ– ତେଣୁ ବିବିଧ ମାତ୍ର, ସେଥିରୁ ବିବାଦ ଉପୁଜିବ କାହିଁକି ? ତେଣୁ, ବିବାଦ ହେଉ ପଛକେ, ବିଭ୍ରାତି ନଆସୁ । ଝିଅ ତୁମ ଦୁହିଁଙ୍କ ମଧ୍ୟରେ ଅସଲ ଡୋରଟି ହୋଇ ରହିଥାଉ ।

 

ଭୁବନେଶ୍ୱର, ୧୩।୧୧।୯୫

 

...ସବୁ କଥା ଭଲରେ ଭଲରେ ହୋଇଗଲା, ଏହି ଖବରରେ ମୋ’ର ଆନନ୍ଦ ତୁମର ଆନନ୍ଦଠାରୁ ବଳି ପଡ଼ିଲାଭଳି ଲାଗିଲା । ଏଥର ତୁମେ ଆହୁରି ମୁକ୍ତ ହୋଇ ଲେଖି ପାରିବ,– ଅର୍ଥାତ ଆହୁରି ମୁକ୍ତ ହୋଇ ଦେଖି ପାରିବ, ଆହୁରି ମୁକ୍ତ ହୋଇ ନିଜ ଭିତରକୁ ପ୍ରବେଶ କରି ପାରିବ । ଏବଂ, ତା'ପରେ ଯାହାକିଛି ତୁମ ଲେଖା ଦ୍ଵାରା ଅଭିବ୍ୟକ୍ତ ହେବ, ତାହା ଠିକ୍ ତୁମକୁ ହିଁ ଅଭିବ୍ୟକ୍ତ କରିବ । ତାହା ହିଁ ଜଣେ ଲେଖକ ଓ ଗବେଷକ ପାଇଁ ସବୁଠାରୁ ବଡ଼ ଆନନ୍ଦ !

 

ଭୁବନେଶ୍ୱର, ୯।୭।୯୯

 

ତୁମର ଚିଠି ପାଇଲି । ଏହି ଚିଠି ଦୁଇଜଣଙ୍କ ପାଇଁ ଏକାଠି ଲେଖୁଛି । ତେଣୁ ଦୁହେଁ ପଢ଼ିବ । ଏକାଠି ବସି ପଢ଼ିଲେ ତ ସବୁଠାରୁ ଭଲ ।

 

ବେଳେ ବେଳେ ଜଣକୁ ଏତେ ବର୍ଜନୀୟ ଓ ଘୃଣ୍ୟ ମନେ ହୁଏ ଯେ, ସେହି ବ୍ୟକ୍ତିଟା ଠାରୁ ଅଧିକ ଖରାପ ମଣିଷ ପୃଥିବୀରେ ଆଉ କେହି କଦାପି ନଥିବେ ବୋଲି ସତେ ଅବା ସଫା ଦେଖାଯାଏ । ବର୍ତ୍ତମାନ ତୁମେ ପରସ୍ପରକୁ ସେହି ଚକ୍ଷୁରେ ଦେଖୁଥିବ । ଯାହାସବୁ ଘଟୁଛି, ତାହା ଏକ consequence, ପରିଣାମ । ଏଗୁଡ଼ିକର କାରଣ ଥିବ । ମାତ୍ର, କାରଣ ଜାଣିବାକୁ ହେଲେ ଆମକୁ ଅଧିକ ଶାନ୍ତ ଆଉ ଏକ ଅବସ୍ଥାକୁ ଆସିବାକୁ ପଡ଼ିଥାଏ । ତୁମେ ଦୁହେଁ କ’ଣ ସତରେ କାରଣ ଜାଣିବାକୁ ଚାହୁଁଛି ?

 

ଅପର ଜଣକ କ'ଣସବୁ କରୁଛି, ବର୍ତ୍ତମାନ କେବଳ ତାହା ହିଁ ଦେଖା ଯାଉଥିବ;– ଏପରି ପ୍ରଣାଳୀରେ ଭାବିଲେ କାହାକୁ ଦୋଷ ଦେବା ଭାରି ସହଜ । ମାତ୍ର, ଦୁହେଁ ନିଜ ନିଜକୁ ଏହି ସବୁ ପରିଣାମ ପାଇଁ ଦାୟୀ କରି ଅଲଗା ପ୍ରକାରେ ଚିନ୍ତା କରିବାକୁ ଆରମ୍ଭ କଲେ, ହୁଏତ ଅଲଗା ପ୍ରକାରେ ସବୁ ଦେଖାଯିବ । ମାତ୍ର, ତୁମେ କେହି ସେ କଥା କରି ପାରିବ କି ?

 

ତୁମେ ଦୁହେଁ ବୟସ୍କ, ଶିକ୍ଷାପ୍ରାପ୍ତ । ପିଲା ଦୁହେଁ ପିଲା । ସେମାନଙ୍କ ବିରୁଦ୍ଧରେ ବାପା ମାଆ ଏକାଠି ଯେତେବେଳେ ଯୁଦ୍ଧ ଘୋଷଣା କରନ୍ତି, ସେତେବେଳେ ସେମାନେ ଏହିପରି ହୋଇଥାନ୍ତି । ସଂସାର କହିଲେ ବର୍ତ୍ତମାନ ତୁମ ଦୁହିଁଙ୍କ ସହିତ ସେମାନଙ୍କୁ ମଧ୍ୟ ବୁଝାଇବ । ତୁମ ଦୁହିଁଙ୍କର ମାରପିଟ ଓ ଯାହା ଯେତେବେଳେ ମନ ତାହା କରିବାର ଅଧିକାର ରହିଛି । ମାତ୍ର, ତାହାର ଆଘାତ ପିଲାମାନଙ୍କୁ ଦେବାର କୌଣସି justification ନାହିଁ । ତୁମେ ଦୁହେଁ ମନ କଲେ ଅଲଗା ମଧ୍ୟ ହୋଇପାର, ପୋଲିସ୍ ଡାକିପାର, ନିଜକୁ କେବଳ ଏକା ଏକା ପ୍ରତିଷ୍ଠିତ କରିପାର । ମାତ୍ର, ପିଲାଙ୍କୁ ଏପରି ଏକ ଅନୁଭବ ଦଣ୍ଡ ଦେଇ ସେମାନଙ୍କୁ ବଡ଼ କ୍ରୂର ଭାବରେ କ୍ଷତବିକ୍ଷତ କରିବା କୌଣସି ସ୍ଥିତିରେ ମଧ୍ୟ କ୍ଷମଣୀୟ ନୁହେଁ । ତେଣୁ, ଅନ୍ତତଃ କିଞ୍ଚତ୍ pragmatic ହୋଇ ପ୍ରକୃତିସ୍ଥ ହୁଅ । ପିଲାମାନଙ୍କ ପାଇଁ ପରସ୍ପରକୁ ଲୋଡ଼, –ସେମାନେ ତୁମ ଲାଗି ଡୋର ପରି ହୋଇ ରହନ୍ତୁ । ଆଉ ଘରେ ଏସବୁ କେବେ ହେଲେ ଘଟିବ ନାହିଁ ବୋଲି ଦୁହେଁ ପରସ୍ପର ପାଖରେ ଶପଥ କର । ଆଉ କାହା ଭିତରେ ରାକ୍ଷସ ବା ପାଷଣ୍ଡଟାଏ ପ୍ରତ୍ୟକ୍ଷ କରିବା ଅପେକ୍ଷା ନିଜକୁ ହସିଦେବା ବହୁତ ବହୁତ କଷ୍ଟ । ଭଗବାନ ଆମକୁ ତାହାର ଯୋଗ୍ୟ କରନ୍ତୁ । ଏହି ପାହାଚଟିକୁ ଉଠାଇ ନିଅନ୍ତୁ ।

 

ଦୁଇ ପକ୍ଷ ମୋ’ର ପ୍ରିୟ, ଅତ୍ୟନ୍ତ ପ୍ରିୟ । ତେଣୁ ମୁଁ ଆଉ ଅଧିକ ନିରପେକ୍ଷ କୌଣସି ରାୟ ଦେଇ ପାରିବି ନାହିଁ । କେବଳ, ଗୋଡ଼ ଧରି କହିବି, ଆଉ ଏସବୁର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ଜଣେ ଆଉ ଜଣକୁ ସାହାଯ୍ୟ କର । ନିଶ୍ଚୟ ପାରିବ ।

 

ଘରଯାକ ମୋ’ର ଅନେକ ସ୍ନେହ ଓ ଶୁଭେଚ୍ଛା ଜାଣିବ । ଇତି ।

☆☆☆

 

ଶ୍ରୀ ଅରବିନ୍ଦ ଦାଶ

 

(ଅରବିନ୍ଦ ଭାଇ ସେହି ମୂଳରୁ ହିଁ ପାରଳାଖେମୁଣ୍ଡି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ପୂର୍ଣ୍ଣ କ୍ରିୟାଶୀଳ ଭାବରେ ସଂପୃକ୍ତ । ବହୁବାର ତାହାର ଅଧକ୍ଷ ହିସାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।)

 

ଭୁବନେଶ୍ୱର, ୭।୧।୯୩

 

...ମୁଁ ଭାବେ, ଶ୍ରୀଅରବିନ୍ଦ ଓ ମାଆଙ୍କ ବିଷୟରେ ଅନ୍ୟମାନେ ବ୍ୟକ୍ତ କରିଥିବା ମତ ଅପେକ୍ଷା ସେମାନଙ୍କର ନିଜ ଲିଖିତ କଥାଗୁଡ଼ିକୁ ଆମର ଆଗ ପଢ଼ିବା ଉଚିତ । ଏକାଠି ପଢ଼ିଲେ ତ ଆହୁରି ଅଧିକ ଉପକାର ମିଳିବ ।

 

ଶ୍ରମଶିବିର ସମୟରେ ପରସ୍ପରର ଏତେ ନିକଟବର୍ତ୍ତୀ ହୋଇ ରହିବା ଦ୍ଵାରା ଅନେକ ଗଣ୍ଠି ଫିଟିଯାଏ । ଅନ୍ୟମାନଙ୍କୁ ମଧ୍ୟ ନିଜ ଭିତରେ ଦେଖି ହୁଏ, ଅର୍ଥାତ ସ୍ଥାନ ଦେଇ ହୁଏ । ତୁମେ ଥରେ ସାହସ କରି ଆସ, ଦେଖିବ କେତେ କ'ଣ ସମ୍ଭବ ହୋଇଯିବ ।

 

ଭୁବନେଶ୍ୱର, ୧୭।୩।୯୩

 

ପ୍ରିୟ ଅରବିନ୍ଦ,

 

ପାରଳାଖେମୁଣ୍ଡିରୁ ସମସ୍ତଙ୍କର ଚିଠି ଆସୁଛି, କେବଳ ତୁମ ଚିଠିକୁ ଛାଡ଼ି । ମୋ’ ପାଖକୁ ଚିଠି ଦେବାରେ ତୁମ ମନରେ ତଥାପି ସଂକୋଚ ରହିଛି ବୋଲି ତୁମେ ତୁମ ଗତ ଚିଠିରେ ଲେଖିଥିଲ । ସେହି ସଂକୋଚ ଭାଙ୍ଗିବା ଯାଏ ମୋତେ ଅପେକ୍ଷା କରିବାକୁ ପଡ଼ିବ ଏବଂ କାହା ଭିତରେ ସଂକୋଚ ଜନ୍ମାଇବା ଭଳି ମୋ’ ଆଚରଣରେ ଆଦୌ କିଛି ନାହିଁ ବୋଲି ତୁମ ମନରେ ବିଶ୍ୱାସ ମଧ୍ୟ ଜନ୍ମାଇବାକୁ ପଡ଼ିବ ।

 

ଭୁବନେଶ୍ୱର, ୯।୪।୯୩

 

ଆମେ ଅନ୍ୟମାନଙ୍କ ଭିତରେ ମଧ୍ୟ ଭଗବାନଙ୍କୁ ଦେଖିବା । ତେବେ, ଏହି ବୃହତ୍ ସଂସାର ମଧ୍ୟରେ ନିଜ ପାଇଁ ଗୋଟିଏ ଅଲଗା ଗୁମ୍ଫା ତିଆରି କରି ଅଲଗା ବାଟ ଚାଲିବାକୁ ଆମକୁ ଆଉ ମୋଟେ ଭଲ ଲାଗିବ ନାହିଁ । ତୁମେ ଥରେ ଶ୍ରମଶିବିରକୁ ଆସ, ଦେଖିବ, ନିଜ ଭିତରେ ସବୁ ସମାଧାନ ଓ ସବୁ ବଳ ମିଳିଯିବ । ତୁମେ ଆଗ ସବୁ ମାୟା ଛାଡ଼ି ବାହାରି ଆସ, ସୁହୃତ୍‌ମାନେ ତୁମ କଥା ବୁଝିବେ । ଅବଶ୍ୟ ବୁଝିବେ ।

 

ଭୁବନେଶ୍ୱର, ୧୩।୮।୯୩

 

ଦୂରରୁ ଓ ବାହାରୁ କେତେଦିନ ପର୍ଯ୍ୟନ୍ତ ଶ୍ରମଶିବିରର ପ୍ରଶଂସା କରୁଥିବ ? ଚିନିର ପ୍ରଶଂସା କରିବା ଅପେକ୍ଷା ଥରେ ଚିନି ଖାଇବାକୁ ନିଜେ ମଧ୍ୟ ଆସିବା ଉଚିତ ।

 

ଭୁବନେଶ୍ୱର, ୯।୧୦।୯୪

 

ଅଷ୍ଟମର–ଗୋଟିଏ ଚିଠି ଦେଇଛି । ସେଥିରେ ଲେଖା ଅଛି– “ଟିଉସନରେ ଦେଇଥିବା କାମକୁ ଯଦି ପରଦିନ କରିବାକୁ କହିଥିବେ, ତେବେ ମୁଁ କରି ପାରେ ନାହିଁ । ଫଳରେ ମୁଁ ମାଡ଼ ଖାଏ । ମାଡ଼ କମ୍ ନୁହେଁ । ମାଡ଼ ଜୋରରେ ମାରନ୍ତି । ତାହାକୁ ବର୍ଣ୍ଣନା କରି ହେବ ନାହିଁ । ...ମୁଁ ଟିଉସନ୍ ପଢ଼ିବାଠାରୁ ମାଡ଼ ବୃଷ୍ଟି ପଡ଼ୁଛି । ଏହାର ସମାଧାନ କିପରି କରିବା । ଶୀଘ୍ର ଚିଠିର ଉତ୍ତର ଦେବେ ।” ମୁଁ ଚିଠିରେ ଉତ୍ତର ଏ ପର୍ଯ୍ୟନ୍ତ ଦେଇ ନାହିଁ । ତୁମେ–ସହିତ, ତା’ ବାପାଙ୍କ ସହିତ କଥା ହେବ । ଅପା ଭାଇଙ୍କ ସହିତ ମଧ୍ୟ କଥା ପକାଇବ । ଶିକ୍ଷା ବିଷୟରେ ଆମର ପ୍ରାୟ ସବୁଯାକ ତପସ୍ୟା ଏହି ଟିଉସନ ନାମକ ଦୌରାତ୍ମ୍ୟ ଦ୍ୱାରା ପଣ୍ଡ ହୋଇ ଯାଉ ନାହିଁ ତ ? ଏବଂ, ଆମକୁ ଶିକ୍ଷାକେନ୍ଦ୍ରର ସ୍ତରରେ ହିଁ ଏହାର ସମାଧାନ ବାହାର କରିବାକୁ ହେବ ।

 

ଭୁବନେଶ୍ୱର, ୮।୪।୯୬

 

ଆମ ପିଲାଏ ବଡ଼ ହେଲେ ପୃଥିବୀ ଭିତରକୁ ଯିବେ । ସେମାନେ ପୁଣି ପୃଥିବୀକୁ ବଦଳାଇବେ ବୋଲି ଆମେ ଅନେକ ସମୟରେ ଆଶା ମଧ୍ୟ ରଖୁଛୁ । ତୁମେ ଯାହାକୁ ବଦଳାଇବ, ତାକୁ ଭଲ କରି ଜାଣିଥିବା ଏକାନ୍ତ ଆବଶ୍ୟକ । ଜାଣିଥିଲେ ସିନା ଟାଣ ହେବେ । ଯେଉଁମାନେ ପୃଥିବୀକୁ ଡରନ୍ତି ସେହିମାନେ ପୃଥିବୀ ଭିତରକୁ ଯିବା ମାତ୍ରକେ ହିଁ ଦେହରେ ପଙ୍କ ଲାଗିଯିବ ବୋଲି କହନ୍ତି । ପିଲାଙ୍କୁ ନିଜର ସହଯାତ୍ରୀ ବୋଲି ଭାବୁଥିବା ଜଣେ ଅପା ବା ଭାଇ କଦାପି ଏପରି କହିବେ ନାହିଁ । ବାହାର ପ୍ରତିଯୋଗିତାକୁ ସେମାନେ ଯାଆନ୍ତୁ, ଗୌରବ ଅର୍ଜନ କରନ୍ତୁ, ବାହାରର ବୃହତ୍ତରର ଜୀବନକୁ ନିଜ ଜୀବନର ସବୁଠାରୁ ବଡ଼ challenge ବୋଲି ଚିହ୍ନନ୍ତୁ । ଏହାଦ୍ୱାରା ଅହଂକାର କମିବ, ଆଦୌ ବଢ଼ିବ ନାହିଁ । ପ୍ରତିଯୋଗିତାରେ ଅନ୍ୟମାନଙ୍କୁ ପରାସ୍ତ କରିବାର କୌଣସି ଲାଳସା ନ ରଖ ଖୁସୀ ହୋଇ ପିଲାଏ କିପରି ଯାବତୀୟ ପ୍ରତିଯୋଗିତାରେ ପ୍ରବେଶ କରି ପାରିବେ, ସେହିମାନଙ୍କର ଭାଷାରେ ସେମାନଙ୍କୁ ସେ କଥା ବୁଝାଇ ଦିଆଯାଉ ।

 

ଅପାଭାଇ, ଖାଲି ବଡ଼ ପିଲାଙ୍କୁ ନୁହେଁ, ସାନମାନଙ୍କୁ ମଧ୍ୟ ନିଜର ସହବାଟୋଇ ଏବଂ ବନ୍ଧୁ ପରି ଦେଖିବେ । ବୟସ ଅଳପ ହୋଇଥିଲେ ମଧ୍ୟ ତାଙ୍କ ଓ ଆମକୁ ଏକ ଅଧ୍ୟାତ୍ମସୂତ୍ର ହିଁ ଏକତ୍ର ବାନ୍ଧି ରଖୁଛି । ସେହି ସୂତ୍ରଟିକୁ ଲମ୍ବାଇ ରଖୁ ପାରୁଥିଲେ ଆମେ ସେମାନେ ବଡ଼ ହୋଇଗଲେ ବୋଲି ଆଦୌ ଦ୍ଵନ୍ଦ୍ଵରେ ପଡ଼ିବା ନାହିଁ । ଏହି କଥାଟିକୁ ଅପାଭାଇଙ୍କ ମେଳରେ ପକାଇବ ଏବଂ କ’ଣ ସବୁ ଆଲୋଚନା ହେଲା ମୋତେ କହିବ ।

 

ଭୁବନେଶ୍ୱର, ୯।୯।୯୭

 

...ପୃଥିବୀରେ ଜଣେ ସାଥୀ ମିଳିଲେ ନିଜର ବହୁ ଆଳସ୍ୟା ଦୂର ହୋଇଯାଏ । ତୁମ ଭିତରେ କେଉଁଠି ବାବାଜୀଟିଏ ଲୁଚି ରହି ନାହିଁତ ? ବାବାଜୀ ହେଲେ ହିଁ ଭଗବାନ ସବୁ କରି ଦେବେ ବୋଲି କହିବାକୁ ମନ ହେବ ଏବଂ ଆଳସ୍ୟ ଗ୍ରାସ କରିବ । ମାତ୍ର, ଯନ୍ତ୍ର ହୋଇ ଏହି ପୃଥିବୀରେ ତାଙ୍କର କାର୍ଯ୍ୟ କରିବା ଲାଗି ସତରେ ଏକ ନିଷ୍ପତି ଗ୍ରହଣ କରିଥିଲେ ବାଟ ବି ଅଲଗା ହୋଇଯିବ, ସକ୍ରିୟତା ବଢ଼ିବ ।

 

ଭୁବନେଶ୍ୱର, ୨୦।୧୦।୯୭

 

—ରେ ମୁଁ ମାସକ ତଳେ କ'ଣ କହିଥିଲି, ମୋର ମନେ ନାହିଁ । ମାତ୍ର ଯାହା କହିଥିଲି, ତାହା କେବଳ ମୋ’ ଦୃଷ୍ଟି ଅନୁସାରେ କେତେକ କଥା ହୋଇଥିବ । ଏବଂ ସମସ୍ତଙ୍କର ମତ ସହିତ ତାହା କାହିଁକି ମିଳିବ ଓ ତେଣୁ ସମସ୍ତଙ୍କୁ କାହିଁକି ଭଲ ଲାଗିବ? କିନ୍ତୁ, କ'ଣ ଭଲ ନ ଲାଗିଲା, ତାହା ନିଷ୍କପଟ ଭାବରେ କହିଲେ ସିନା ଆଲୋଚନା ଆହୁରି ଆଗକୁ ଯିବ ଓ ତଦ୍ଦ୍ୱାରା ଆମେ ସମସ୍ତେ ଉପକୃତ ହେବା ? ତୁମେ ଯାହାଙ୍କଠାରୁ ଶୁଣି ଲେଖିଛି, ସିଏ ମୋ’ର କେଉଁ କଥାରେ ସନ୍ତୁଷ୍ଟ ହେଲେ ନାହିଁ, ତାହା ଅବଶ୍ୟ କହିଥିବେ । ତେଣୁ ମୋ’ ପାଖକୁ ତାହା ଲେଖିବ ।

 

ବମ୍ୱେ, ୧୭।୧୦।୯୦

 

...ନିଜ ଭିତରକୁ କେମିତି ପଶିବ ବୋଲି ଭାବିଲାବେଳକୁ ମଣିଷ ଅନେକ ସମୟରେ ନିଜ ଭିତରକୁ ପ୍ରବେଶ କରି ସାରିଥାଏ । ମୁଣ୍ଡ ଭିତରେ ସନ୍ଦେହ ଲାଗି ରହିଥାଏ ସିନା, ମାତ୍ର ହୃଦୟଟା ପ୍ରବେଶ କରି ସାରିଥାଏ । ହୃଦୟରୁ ସ୍ପର୍ଶ ପାଇଛୁ ବୋଲି ଆମେ ସମସ୍ତେ ଏହି କାମକୁ ଆଦରିଛୁ ଓ ପରସ୍ପରକୁ ଭେଟିଛୁ । ତେଣୁ, ଭିତରକୁ ପଶିବା ଲାଗି ଆମେ ଭାବିଚିନ୍ତି ଆଦୌ କୌଣସି ଚେଷ୍ଟା କରିବା ନାହିଁ । ସ୍ଥିର ରହିବା, ବାହାରେ ଓ ଭିତରେ ଖୁସୀ ରହିଥିବା, ଯଥାସମ୍ଭବ ଅଧିକ ମଣିଷଙ୍କ ସହିତ ଆନନ୍ଦର ଖିଅଟିକୁ ଯୋଡ଼ୁଥିବା । ତେବେ, ବାହାରେ ଯେତେ କର୍ମବ୍ୟସ୍ତ ଥିଲେ ମଧ୍ୟ ଆମର ସବୁ ଖିଅଭିତରୁ ଲାଗିଥିବା ପରି ଅନୁଭବ ହେଉଥିବ । ତା’ ସହିତ ଅଧ୍ୟୟନ ଚାଲିଥିବ । ଆମେ ନିଜକୁ ଅଧିକରୁ ଅଧିକ ସ୍ୱତଃପ୍ରେରିତ ଭାବରେ ନିଜକୁ ଦେଇ ଦେବା ଲାଗି ସମ୍ମତ ହୋଇ ରହିଥିବା ।

 

ରୁପ୍ରା, ୨୧।୩।୯୧

 

...ନଦୀକୁ ଯଦି ସଂପୂର୍ଣ୍ଣ ସମତଳ ଭୂମି ଦେଇ ଅତିକ୍ରମ କରିବାକୁ ପଡ଼ୁଥିନ୍ତା, ତେବେ ସେ କଦାପି ନଦୀ ହୋଇ ପାରୁ ନଥାନ୍ତା । ଜୀବନର ନଦୀରେ ଠିକ୍ ସେହିପରି up ଓ down ଲାଗି ରହିଥିବ । କେବଳ down ବେଳେ ନିରାଶ ହୋଇ ନପଡ଼ିଲେ ହେଲା । ତୁମେ ଆମର ପ୍ରତ୍ୟେକ ଦଶ ଦିନିଆ ଶିବିରକୁ ଆସ, ଦେଖିବ, ସବୁ ନୈରାଶ୍ୟ କଟିଯିବ, କୌଣସି ସଂଶୟ ତୁମକୁ ଛନ୍ଦି ପକାଇବ ନାହିଁ । ବରଂ ସତେ ଆଗକୁ ଯିବାର ବଳ ଯୋଗାଇଦେବ ।

 

ଭୁବନେଶ୍ୱର, ୮।୧।୯୨

 

ଯାହା ପାଖରେ ମୋ’ର ଯାହା କହିବା କଥା, ତାହାକୁ ତାହାରି ପାଖରେ କହି ଦେଇ ପାରିଲେ ସହଜରେ ସବୁ କଥା ତୁଟିଯାଏ, ଗଣ୍ଠିମାନେ ଫିଟି ଯାଆନ୍ତି । ଆମମାନଙ୍କର ସକଳ ଅପୂର୍ଣ୍ଣତା ସଙ୍ଗେ ସତେ ଅବା ସ୍ଵୟଂ ଭଗବାନ ମଝିରେ ବସି ସବୁ ସମାଧାନ କରିଦିଅନ୍ତି ।

 

ଭୁବନେଶ୍ୱର, ୧୦।୨।୯୨

 

...ନିଜ ଭିତରକୁ ପ୍ରବେଶ କରି ନିଜକୁ ଜାଣିବାକୁ ଚେଷ୍ଟା କରିବା ବହୁତ ଭଲ କଥା । ମାତ୍ର ଏହା ଅନେକ ସମୟରେ ଭାରି ଏକପାଖିଆ ହୋଇଯାଏ । ନିଜକୁ ଅନ୍ୟମାନଙ୍କ ଭିତରେ ଦେଖିବା ହୁଏତ ସମ୍ଭବ ହୁଏ, ମାତ୍ର ଅନ୍ୟମାନଙ୍କୁ ନିଜ ଭିତରେ ଦେଖିବା ସମ୍ଭବ ହୁଏ ନାହିଁ ବୋଲି The Life Divine ରେ ଆମେ ଏବେ ପଢ଼ୁଥିଲୁ । ଅର୍ଥାତ୍, ଅନ୍ୟମାନଙ୍କ ଭିତରେ ନିଜର ସବୁକିଛିକୁ ବିସ୍ତାର କରି ଦେଇ ହୁଏ, ମାତ୍ର ନିଜ ଭିତରେ ଅନ୍ୟମାନଙ୍କ ଲାଗି ଥାନଟିଏ କରି ହୁଏ ନାହିଁ ।

☆☆☆

 

ଶ୍ରୀଯୁକ୍ତ ଅଶୋକ କୁମାର ସାହୁ

 

(କୋହ୍ଲ ଗାଆଁ ଶ୍ରମଶିବିରରେ ଶ୍ରୀ ଅଶୋକ ସାହୁଙ୍କ ସହିତ ପରିଚୟ । ବହୁ ପ୍ରକାରେ କାର୍ଯ୍ୟବ୍ୟସ୍ତ, କିନ୍ତୁ ସବାବଡ଼ ଆଗ୍ରହଟି ଅତ୍ୟନ୍ତ କୋଳାହଳ ଶୂନ୍ୟଭାବରେ ଆମ ବହୁତଙ୍କ ଆଡ଼କୁ ସଂପ୍ରସାରିତ ହୋଇ ଆସିଛି । ତେଣୁ ସିଏ ଭାରି ଟାଣି ନିଅନ୍ତି । ବହୁ ଆତ୍ମୀୟତାରେ ଟାଣି ନିଅନ୍ତି । ଅସ୍ଥିରମାନଙ୍କୁ ଉଶ୍ୱାସ କରି ଦେଇପାରନ୍ତି ।)

 

ଭୁବନେଶ୍ୱର, ୧୪।୧୦।୯୨

 

...ଆପଣଙ୍କର ପତ୍ର ପାଇଲି । ଅତ୍ୟନ୍ତ ଆନନ୍ଦିତ ହେଲି । ଆଶ୍ଚର୍ଯ୍ୟ ମୋଟେ ହୋଇ ନାହିଁ । କାରଣ, ଆମେ ଯଦି ନିଜ ଜୀବନକୁ ସତକୁ ସତ ଭଗବାନଙ୍କ କାର୍ଯ୍ୟରେ ଅର୍ପିତ କରିଥିବା, ତେବେ ନିଜ ନିଜର ଲମ୍ବାପଥକୁ ବୁଲି ବୁଲି ନିଶ୍ଚୟ ପରସ୍ପରକୁ ଭେଟିବା । ତିହିଡ଼ିରେ ଆପଣମାନଙ୍କ କ୍ଷେତ୍ରରେ ତାହା ହିଁ ହୋଇଛି । ଇଏ ତ ଆରମ୍ଭ ହେଲା । ଏଥର ଏକାଠି କିପରି ଆମ ଜୀବନର ଶେଷ ଚରଣ ଯାଏ ଆମେ ଏହି ବାଟରେ ଅଗ୍ରସର ହେବା ଓ ଅଧିକରୁ ଅଧିକ ପରିମାଣରେ ଭଗବାନଙ୍କର କାମରେ ଲାଗିବା, ତାହା ହିଁ ଚିନ୍ତା କରିବା ।

 

ଆପଣମାନେ ଠିକ୍ ଆରମ୍ଭଟିକୁ କରିଛନ୍ତି । ଆମେ ଯାହାଙ୍କ ଦ୍ଵାରା ଆକୃଷ୍ଟ ହୋଇଛି ବୋଲି ଅନୁଭବ କରିଛୁ, ତାଙ୍କର ଗ୍ରନ୍ଥଗୁଡ଼ିକୁ ଆପଣାର ଜୀବନଗ୍ରନ୍ଥ ବୋଲି ଗ୍ରହଣ କରିବା ଓ ତାହାର ନିର୍ଦ୍ଦେଶନା ଅନୁସାରେ ବାଟ ଚାଲିବା । ବାଟ ଚାଲିବାରେ ପରସ୍ପରକୁ ପ୍ରେରଣାଦେବା । ...ନିଜେ ନିଜର ବାଟଟିକୁ ଚାଲୁଥିବା, ଅଥଚ ଆମେ ସମସ୍ତେ ଏକାଠି ବାଟ । ଚାଲୁଛୁ ବୋଲି ସର୍ବଦା ଅନୁଭବ କରୁଥିବା ।

 

ଠିକ୍ ଏହିପରି ଗୋଟିଏ ଜିଦ୍ ନେଇ ଆମେ ଗତ ଆଠବର୍ଷ ହେଲା ଶ୍ରମଶିବିର ଗୁଡ଼ିକର ମାଧ୍ୟମରେ ଏକାଠି ହୋଇଛୁ । ପରସ୍ପରଠାରୁ ପ୍ରେରଣା ଓ ବଳ ନେଇ ନିଜ ନିଜକୁ ଜ୍ଞାନ, ଶ୍ରଦ୍ଧା ଓ କର୍ମରେ ଅଧିକରୁ ଅଧିକ ଯୋଗ୍ୟ କରିବା ଲାଗି ଉଦ୍ୟମ କରୁଛୁ । ଏହାଦ୍ୱାରା ପରସ୍ପରକୁ ଅନ୍ତର୍ଗତ ସୁହୃତ୍ ବୋଲି ଅନୁଭବ କରୁଛୁ । ଆପଣମାନେ ବି ଏହି ବୃତ୍ତଟି ଭିତରକୁ ଆସନ୍ତୁ । ଦେଖିବେ, ତା’ ପରେ ଆମେ ପରସ୍ପରକୁ କିପରି ଶକ୍ତିଶାଳୀ ଭାବରେ ଟାଣିବାକୁ ଆରମ୍ଭ କରିବା ଓ ସମସ୍ତ କ୍ରମେ ତାଙ୍କରି କର୍ମଧାରା ଭିତରେ ଅନ୍ତରଙ୍ଗ ଓ ନିଷ୍କପଟ ଭାବରେ ପଶି ଯାଇ ପାରିବା ।

 

ଶ୍ରୀଅରବିନ୍ଦ ଓ ମାଆଙ୍କ ଧାରାଟି ଭିତରେ ଥରେ ପଶିଗଲେ ସେମାନଙ୍କର ଗ୍ରନ୍ଥରେ ମଧ୍ୟ ପ୍ରବେଶ କରିବା ଆଦୌ କଷ୍ଟକର ହେବ ନାହିଁ ।

☆☆☆

 

ଶ୍ରୀଯୁକ୍ତ ଆଶିଷ ପାଠୀ

 

(ଶ୍ରୀ ଆଶିଷ ଭାଇ ଶିକ୍ଷକ । ପ୍ରଥମେ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦାୟିତ୍ୱରେ ଥିଲେ । ପରିଚୟ ସେହିକାଳରୁ ଏବଂ କ୍ରମେ ଅଧିକ ଟାଣ ହେବାରେ ଲାଗିଛି, ସମଗ୍ରତର ହେଉଛି-।)

 

ଭୁବନେଶ୍ୱର, ୯।୯।୭୬

 

...ପୁରୁଣା ସହିତ ଲଢ଼ି ଶକ୍ତିକ୍ଷୟ କରିବା ଅପେକ୍ଷା ଆମେ ନୂଆଙ୍କ ଭିତରେ ରହିବା, ନୂଆ ନୂଆ ପରିଚୟରେ ଯାହାକୁ ଚିହ୍ନିବା କଥା ଚିହ୍ନିବା, ଏବଂ ନୂଆ ହୋଇ ହୋଇ ଯାଉଥିବା । ଯେଉଁମାନେ ପୁରୁଣା ହୋଇ ରହିବାକୁ ହିଁ ଜିଦ୍ ଧରି ବସିଛନ୍ତି, ସେମାନେ ସେଇଠି ରହିଥାନ୍ତୁ । ନୂଆ ଦେଉଳ ଗଢ଼ି ସେହି ପୁରୁଣା ଦିଆଁ ଅର୍ଥାତ୍ ଆପଣା । ଭିତରେ ଥିବା ସେହି ରୁଗ୍‍ଣ ଆଖି ଓ ରୁଗ୍‍ଣ ଅଭିମାନ ଗୁଡ଼କାର ପୂଜା କରିବାରେ ଲାଗିଥାନ୍ତୁ । ଆମେ ରୁଷିବା ନାହିଁ । ଆମେ ପିଲାଙ୍କ ସହିତ ବଢ଼ୁଛୁ । ତେଣୁ ତାହା ହିଁ ଆମକୁ ତରୁଣ କରି ରଖିବାରେ ଯଥେଷ୍ଟ ହେବା ଉଚିତ । ଆମେ ସେହି କ୍ଷେତ୍ରରେ ଆପଣାକୁ ଅଧିକରୁ ଅଧିକ ଉପଯୁକ୍ତ କରି ଗଢ଼ିବାରେ ହିଁ ଆମର ସର୍ବପ୍ରଧାନ ଆଗ୍ରହଟି ରଖୁଥିବା ।

 

...ଆଗକୁ ଯାଉଥିବା ସଂଗେ ସଂଗେ କାର୍ଯ୍ୟ ବି ବହୁଗୁଣିତ ହୋଇଯାଉଛି । ଏବଂ, ଆମେ କାର୍ଯ୍ୟଟିକୁ ନିଜେ ବାଛି ନେଇଥିବାରୁ, ଆନନ୍ଦ ବି କାହିଁକି ବହୁଗୁଣିତ ନ ହେବ ?

 

ଭୁବନେଶ୍ୱର, ୨୧।୨।୭୭

 

...ଭେଟିଲାବେଳେ ଅନେକ କଥା ମନକୁ ଆସେ, କିନ୍ତୁ ପ୍ରକାଶ କରି ହୁଏ ନାହିଁ—ଆପଣ ଲେଖିଛନ୍ତି । ଆମେ ପରସ୍ପର ପାଖରେ ଆପଣାକୁ ଖୋଲି ଦେଇ ପାରିଲେ । ତାହାରି ଜରିଆରେ ଆପଣା ଆପଣାର ବୃହତ୍ତରର ପରିଚୟ ପାଇ ପାରିବା । ପରସ୍ପର ପାଖରେ ଆପଣାକୁ ଯଥାର୍ଥ ଭାବରେ ପରିଚିତ ଓ ଉନ୍ମୁକ୍ତ କରାଇ ପାରିଲେ ଯାଇ ଆମେ ଭଗବାନଙ୍କ ଲାଗି ଉନ୍ମୁକ୍ତ ହୋଇପାରିବା । ଏବଂ ଉତ୍ତରୋତ୍ତର ଭାବରେ ଏହି ଉନ୍ମୋଚନର ପ୍ରକ୍ରିୟାଟି ଲାଗି ନରହିଥିଲେ ଆମେ ଭାରି ସହଳ ବୁଢ଼ା ହୋଇଯିବା । ବୁଢ଼ା ହୋଇଗଲେ ଆଉ ଯାବତୀୟ ଧନ୍ଦା ଆମ ଦ୍ଵାରା ହେବ ସିନା, ମାତ୍ର ଶିକ୍ଷକ ହେବା ସମ୍ଭବ ହେବ ନାହିଁ ।

 

ଭୁବନେଶ୍ୱର, ୮।୩।୭୭

 

...ମୋତେ ଉପଦେଶ ଦେଇ ଆସେ ନାହିଁ । କିନ୍ତୁ ଉତ୍ସାହ ଦେଇ ଆସେ, ମୁଁ ପଡ଼ି ଯାଇଥିଲେ ମଧ୍ୟ ଅନ୍ୟକୁ ଚାଲିବା ପାଇଁ ଉତ୍ସାହ ଦେଇ ଆସେ । ମୁଁ ଗୋଟିଏ ଗୋଟିଏ ଚାଲୁଥିଲେ ବି ଅନ୍ୟକୁ ଦଉଡ଼ିବା ଲାଗି ଉତ୍ସାହ ଦେଇ ଆସେ ।

 

ଭୁବନେଶ୍ୱର, ୧୨।୧୦।୭୭

 

...ସବୁଠାରେ ଅର୍ଥାତ୍ ସାଧାରଣ ସ୍କୁଲମାନଙ୍କରେ ଶିକ୍ଷକମାନେ ଯେପରି କାର୍ଯ୍ୟ କରୁଛନ୍ତି, ଆମେମାନେ ହୁଏତ ପ୍ରାୟ ସେହିପରି କାର୍ଯ୍ୟ କରୁଛୁ । ଯେଉଁମାନେ ସ୍କୁଲ ଆରମ୍ଭ କରିଛନ୍ତି, କାର୍ଯ୍ୟଟି ଯେପରି ସେହିମାନଙ୍କର ହୋଇ ରହିଛି । ଆମେ ସେମାନଙ୍କ ଦ୍ଵାରା । ଶିକ୍ଷକ ରୂପେ ନିଯୁକ୍ତ ହୋଇଛୁ । ଯଦି ଶିକ୍ଷକ ହିସାବରେ ହିଁ ଶିକ୍ଷାଲାଗି ଆମ ସମସ୍ତଙ୍କର ଉତ୍ସାହ ଥାନ୍ତା, ତେବେ ଆମରି ଦ୍ଵାରା ହିଁ ବିଦ୍ୟାଳୟ ହସୁଥାନ୍ତା ।, ଆମରି ଆତ୍ମବିଶ୍ୱାସ ଏବଂ ଭବିଷ୍ୟ ଦୃଷ୍ଟି ଦ୍ଵାରା ବିଦ୍ୟାଳୟ ଜୀବନ ଛଳ ଛଳ ହୋଇ ରହିଥାନ୍ତା । ଆମର ସବୁଠାରୁ ବଡ଼ ଅଭାବ ଆମର ଉତ୍ସାହ । ଶିକ୍ଷକ ରୂପେ ଦ୍ଵିତୀୟ ଜନ୍ମ ଲାଭ କଲେ ଯାଇ ଆମର ଏହି ଉତ୍ସାହ ଏକ ସ୍ଵାଭାବିକ ସମ୍ପଦ ହୋଇ ରହିବ ।

 

କେଡ଼େ ସ୍ଵାଭାବିକ ହୁଅନ୍ତା, ଆମର ବୈଧାନିକ ବୈଠକଗୁଡ଼ିକରେ ମଧ୍ୟ ଆମେ ଏହି ଉତ୍ସାହର କଥା ପକାନ୍ତେ । ପରସ୍ପରକୁ ଉତ୍ସାହ ଦିଅନ୍ତେ । ପରସ୍ପର ସହଚାରିତା ଦ୍ଵାରା ବଳ ଓ ବିଶ୍ଵାସ ସଂଗ୍ରହ କରିପାରନ୍ତେ।

 

...ଶିବିରର କାର୍ଯ୍ୟକ୍ରମ ପାଇ ସାରିବେଣି । ପ୍ରତ୍ୟେକ ଭାଷଣ ପରେ ଯେପରି କିଞ୍ଚିତ୍ ଆଲୋଚନା ହେବ, ସେଥିଲାଗି ପ୍ରସ୍ତୁତ ହୋଇ ଆସିବେ । ତେବେ ଯାଇ ଜଣାପଡ଼ିବ। ଯେ ଆମ ଭିତରେ ଜୀବନ ରହିଛି, ଅଭୀପ୍ସା ବି ରହିଛି । ଆମେ ଯେ ଆରୋହୀ, ପଥର ଅନ୍ୱେଷଣ କରୁଛୁ, ତାହାରି ପ୍ରମାଣ ମିଳିବ।

 

କଟକ, ୧୦।୨।୭୯

 

...ଆପଣଙ୍କର ଯେଉଁ ଛାତ୍ରଟି ମୋ’ର ଠିକଣା ମାଗିଲା, ତାକୁ ଆପଣ ମୋ’ଠିକଣା ଦେଇଦେବେ । ତାକୁ କହିବେ ନିର୍ଭୟ ହୋଇ ମନ ଖୋଲା କରି ମୋ' ପାଖକୁ ଚିଠି ଲେଖିବ । ତା’ କଥା, ତା’ର ଘର କଥା ମୋତେ ସେ ଜଣାଇବ । ଚିଠିରେ ତା’ ଘର ଠିକଣା ଦେଇଥିବ, ଯେପରିକି ମୁଁ ତା’ ପାଖକୁ ଚିଠି ଦେଇ ପାରିବି । ମୁଁ କର୍ମରତ ସବୁବେଳେ ଥାଏ, ମାତ୍ର ବ୍ୟସ୍ତ କେତେବେଳେ ହେଲ ନଥାଏ । ତେଣୁ ମୋ’ ପାଖରେ ସବୁବେଳେ ସମୟ ଥାଏ ।

 

ମୋ’ର ସର୍ବପ୍ରଥମ ଛପା ବହି ହେଉଚି କବିତା ବହି । ନାମ ‘ଦୁଇ ଅଧ୍ୟାୟ’ । ବର୍ତ୍ତମାନ କୋଉଠି ହେଲେ ମିଳୁ ନାହିଁ। କବିତା ଲେଖା ସେତେବେଳେ ଖୁବ୍ ହେଉଥିଲା । ପରେ ଆଉ କେବେ କବିତା ଲେଖୁ ନାହିଁ । କବିତାର ଯାବତୀୟ ଉପାଦାନକୁ ଗଦ୍ୟରେ ବି କେତେ ଦୂର ପ୍ରକାଶ କରାଯାଇ ପାରିବ, ମୁଁ ଏଯାବତ୍ ସମ୍ଭବତଃ ସେହି ପ୍ରୟୋଗଟିକୁ କରି ଆସିଛି । ନିଜର ସମଗ୍ର ଜୀବନଟିକୁ ଫୁଲ ପରି ଫୁଟି ଉଠି ପାରୁଥିବାର ଅନୁଭବ କଲେ ତା'ପରେ ମଣିଷ ଗଦ୍ୟ ଲେଖିଲେ ଯାଇ ତା’ ଭିତରେ ତଥାପି କବିତାର ଆସ୍ୱାଦନକୁ ଭରିଦେବା ସମ୍ଭବ ହୁଏ ।

 

ସମ୍ବାଦ ସଂଗ୍ରହ କରି ଜଣେ ମଣିଷ ସମ୍ବନ୍ଧରେ ଯାହା ଜାଣିହୁଏ, ସେଗୁଡ଼ାକ ପ୍ରଧାନତଃ ବାହ୍ୟ । ଭିତରଟାକୁ ଜାଣିବାର ରୀତି ଅନ୍ୟ ପ୍ରକାରର । ସେଥିଲାଗି ସମ୍ବାଦ ସଂଗ୍ରହ କରିବା ଅତ୍ୟାବଶ୍ୟକ ହୁଏ ନାହିଁ । ଅନ୍ତରର ମଣିଷଟା ଆଉ ଜଣଙ୍କର ଅନ୍ତରକୁ,ଲୋଡ଼ିଲେ ଯାଇ ଅସଲ କଥାଗୁଡ଼ାକୁ ଜାଣି ହୁଏ । ସେଥିଲାଗି, ଅନେକଙ୍କର ବାହାରୁ ଅନେକ ବିଷୟ ଜାଣି ବି ସେମାନଙ୍କ ବିଷୟରେ ପ୍ରାୟ କିଛି ଜାଣି ହୁଏ ନାହିଁ । ପୁଣି, ବାହାରୁ ପ୍ରାୟ କିଛି ଜାଣିବାକୁ ଚେଷ୍ଟା ନ କରି ମଧ୍ୟ ଜଣେ ଜଣେ ମଣିଷଙ୍କର ଅନ୍ତଃପ୍ରବେଶ କରିବା ଭଳି ମନେ ହୁଏ । ଏହି କ୍ଷେତ୍ରରେ ରୀତି ସବୁବେଳେ ଠିକ୍ ଏହିପରି ।

 

କଟକ, ୭।୪।୧୯୭୯

 

...ନିଜକୁ ଯର୍ଥାର୍ଥରେ ଆପଣାର କରି ପାରିଲେ ଅନ୍ୟ ସମସ୍ତଙ୍କୁ ମଧ୍ୟ ଅପେକ୍ଷାକୃତ ଅଧିକ ସହଜରେ ଆପଣାର କରି ହୁଏ, ଏହା ଆଧ୍ୟାତ୍ମିକ ଏବଂ ମନସ୍ତାତ୍ତ୍ୱିକ ଉଭୟ ଦୃଷ୍ଟିରୁ ସତ । ...ଏହି କଥାଟିକୁ ଆପଣ ଯେପରି ବୁଝିବେ, ସେଥିପାଇଁ ଆପଣଙ୍କୁ ମୁଁ ଆଉ ଗୋଟିଏ ପ୍ରଶ୍ନ ପଚାରି ରଖୁଛି, “ନିଜକୁ ଘୃଣା କରୁଥିବା ପର୍ଯ୍ୟନ୍ତ, ନିଜକୁ ଭୟ କରୁଥିବା ପର୍ଯ୍ୟନ୍ତ ଏବଂ ନାନାକାରଣରୁ ନିଜ ଭିତରେ ଦ୍ଵିଖଣ୍ଡିତ ବା ଅନେକ ଖଣ୍ଡ ହୋଇ ରହିଥିବା ପର୍ଯ୍ୟନ୍ତ ଆମେ କେବେ ହେଲେ ଅନ୍ୟମାନଙ୍କୁ ଆପଣାର କରି ପାରିବା କି?

 

କଟକ, ୩।୭।୭୯

 

...କୌଣସି ବହି ଉପରେ ସମୀକ୍ଷା ଲେଖିବା ସହଜ ନୁହେଁ । ସମ୍ୟକଲୋଚନ ଦେଇ ଦେଖିବାକୁ ହେଲେ ଦୂରତା ଦେଇ ଦେଖିବାକୁ ପଡ଼ିବ । ଆପଣ ତ ମମତାରେ ଏପରି ଭାବରେ ଆଗରୁ ଜୁଡ଼ୁବୁଡ଼ୁ ହୋଇ ସାରିଲେଣି, ତେଣୁ ଚିତ୍ତଭାଇଙ୍କର କୌଣସି ବହିର ସମୀକ୍ଷା କରିବା ଆପଣଙ୍କ ପକ୍ଷରେ ମୋଟେ ସହଜ ହେବ ନାହିଁ । ଗୁଡ଼ାଏ ପ୍ରଶଂସା କରିବା ତ ସମୀକ୍ଷା ନୁହେଁ—ତେଣୁ ଦୃଷ୍ଟିକୁ ଆହୁରି ସ୍ଥିର କରିବାକୁ ପଡ଼ିବ । କିନ୍ତୁ ଆପଣ ଯେତେବେଳେ ପ୍ରକୃତ ଅନୁରାଗ ସହିତ ଏହି ସମୀକ୍ଷା ଲେଖିବେ, ତାହା ମୋ’ଲାଗି କୋଟିନିଧ ପରି ହୋଇ ରହିବ ।

 

କଟକ, ୧୦।୭।୭୯

 

...ମୋ ବିଚାରରେ ଭଲ ପାଇବା ଅର୍ଥ ସମାସ୍କନ୍ଧ କରି ସ୍ଵୀକାର କରିବା । ଆପଣ ଜଣକୁ ଭଲ ପାଉଥିଲେ କିମ୍ବା ତାକୁ ବାହା ହେବାକୁ ମନସ୍ଥ କରିଥିଲେ, ସେ କଥା ମୁଁ ଜାଣି ନାହିଁ । ଯିଏ ହଁ କରିଥିଲା, ସିଏ ବି ଭଲ ପାଇବାର ଅର୍ଥ ସେତେବେଳେ କ'ଣ ବୁଝିଥିଲା ଓ ବର୍ତ୍ତମାନ କ’ଣ ବୁଝୁଛି, ସେ କଥା ମଧ୍ୟ ମୁଁ ଜାଣି ନାହିଁ । ବାପାମାଆଙ୍କୁ କଥାରେ ଯିଏ ମତ ବଦଳାଇ ଦିଏ, ଭଲ ପାଇବାର ଅର୍ଥକୁ ବି ବଦଳାଇ ଦିଏ, ସିଏ ହୁଏତ ପ୍ରଥମେ ମଧ୍ୟ ଭଲ ପାଇବାକୁ କଥାଟିର ସମ୍ପୂର୍ଣ୍ଣ ଅର୍ଥରେ ଗ୍ରହଣ କରି ନଥିଲା ବୋଲି ଆଶଙ୍କା କରାଯାଇ ପାରିବ । ଆପଣ ଯାହାକୁ ଭଲ ପାଇବେ, ତା’ର ମତକୁ ମଧ୍ୟ ଆପଣ ସମ୍ମାନ ଦେଖାଇବେ । ତେଣୁ ତା’ର ମତ ଆପଣଙ୍କର ରୁଚି ଅନୁସାରେ ନ ହେଲା ବୋଲି ଏବେ ଆପଣ ବି କାହିଁକି ଏତେ କ୍ଷୁବ୍ଧ ହୋଇ ପଡ଼ିବେ ? ଜଣେ ଯଦି ମୋତେ କୌଣସି କାରଣରୁ ପ୍ରତ୍ୟାଖ୍ୟାନ କଲା, ତେବେ ତା’ର ପ୍ରତ୍ୟାଖ୍ୟାନକୁ ବି ମୋର ଯଥାର୍ଥ ଭାବରେ ସମ୍ମାନ ଦେଇ ପାରିବା ଉଚିତ । ଜୀବନରେ ଭଲ ପାଇବା କହିଲେ କାହାକୁ ଜଣକୁ ଗୋଟାସୁଦ୍ଧା ଭଲ ପାଇବା ବ୍ୟତୀତ ଅନେକ ଅଧିକ କିଛିକୁ ବୁଝାଏ । ଏପରି ବାଡ଼ ଦେଇ ପାଚେରୀ ବୁଲାଇ ବସିବା ଦ୍ୱାରା ଅନେକ ସମୟରେ ଜୀବନଟା ଏକ କାରାଗାର ପରି ହୋଇ ରହେ, ଏକ ଦ୍ୱୀପ ପରି ସବୁଟିଠାରୁ ବିଚ୍ଛିନ୍ନ ହୋଇ ରହେ । ତଦ୍ଦ୍ଵାରା ସଂସାରଟା ଭାରି ଜାକଜମକ ଦେଖାଯାଏ ସତ, କିନ୍ତୁ ମଣିଷ ଯଥାର୍ଥରେ ଯାହା ଚାହୁଁଥାଏ, ତାହା ମିଳେ ନାହିଁ । ତେଣୁ, ଯାହା ହେଉ ପଛକେ, ଆପଣ ଏତେ ବେଶୀ ଭାଙ୍ଗି ପଡ଼ନ୍ତୁ ନାହିଁ । ଆମେ ରାସ୍ତାକୁ ଭଲ ପାଇବା, ବାଟ ଚାଲିବାକୁ ଭଲ ପାଇବା; କିନ୍ତୁ ମାଇଲ୍‍ଖୁଣ୍ଟ ଗୁଡ଼ାକୁ ଆବୋରି ପଡ଼ି ରହିବା କାହିଁକି ? ମୋ’ କଥାଗୁଡ଼ାକୁ ଭୁଲ ବୁଝିବେ ନାହିଁ-

 

ଯଦି ଚିଠିଟା ଯାକ ଖାଲି ସମ୍ବାଦ ପରିବେଷଣରେ ଭର୍ତ୍ତି ହୋଇ ରହିବ ତେବେ ଚିଠି ଦ୍ୱାରା ହୃଦୟ ଯୋଡ଼ି ହେବ ନାହିଁ । ବୈଜ୍ଞାନିକ କୌଣସି ଫୁଲ ବିଷୟରେ ଦଶ ଶଗଡ଼ ସମ୍ବାଦ ସଂଗ୍ରହ କରି ରଖନ୍ତି ସିନା, ମାତ୍ର ଫୁଲର ଅସଲ ମର୍ମଟିକୁ ଚିହ୍ନି ପାରନ୍ତି ନାହିଁ ବା ଫୁଲକୁ ନିଜ ଭିତରେ ଅନୁଭବ ବି କରି ପାରନ୍ତି ନାହିଁ । ଆଉ ଜଣେ ମଣିଷକୁ ବୁଝିବାକୁ ହେଲେ ଆହୁରି ନୀରବ ହୋଇ, ଆହୁରି ଖୁସୀ ହୋଇ ପାଖରେ ଆସି ବସିବାକୁ ହୁଏ । ସମ୍ମାନ ଦେଖାଇବାରେ, ବଡ଼ ବୋଲି ଭାବିବାରେ ଆମର ଯଦି ସବୁଯାକ ଉଦ୍ୟମ ଖର୍ଚ୍ଚ ହେବ, ତେବେ ବୁଝିବା ଲାଗି ସମୟ ମିଳିବ ଆଉ କେତେବେଳେ ? ମୋତେ ଯେଉଁମାନେ ସମ୍ମାନ ଦେଖାନ୍ତି, ମୁଁ କାହିଁକି ସେମାନଙ୍କୁ ଭାରି ଡରେ । ମୁଁ ଯଦି ଆପଣାକୁ କେବେ ହେଲେ ଛୋଟ ବୋଲି ମନେ ନକଲି, ମୋ’ର କେଉଁ ଅପରାଧରୁ ମୋତେ ଆପଣ ନିଜଠାରୁ ଏତେ ବଡ଼ ବୋଲି କହିବେ, ମୋତେ ପୁଣି ମହାସାଗର ବୋଲି କହିବେ ? କୌଣସି ସାନ ପିଲାକୁ ବି ମୁଁ ନିଜଠାରୁ ନ୍ୟୁନ ବୋଲି ମନେ କରେ ନାହିଁ, ତାକୁ ସାଙ୍ଗ ବୋଲି ମନେ କରେ, ସମାସ୍କନ୍ଧ ବୋଲି ମନେ କରେ । ତା’ର ସବୁ ଦୁଃଖ, ସବୁ ଅପୂର୍ଣ୍ଣତାକୁ ନିଜେ ଆଦରି ନେଇ ତାକୁ ସଂପୂର୍ଣ୍ଣ ଐଶ୍ୱର୍ଯ୍ୟବନ୍ତ ଦେଖୁବାକୁ ସବୁବେଳେ ଇଚ୍ଛା କରୁଥାଏ । ଯେଉଁମାନେ ବଡ଼ଙ୍କୁ ସମ୍ମାନ ଦେଖାନ୍ତି, ସେମାନେ ତଥାକଥିତ ସାନମାନଙ୍କୁ ଅନେକ ସମୟରେ ହେୟ ଆଖିରେ ଦେଖନ୍ତି । ଟେକା ପଥର ପରି ଦେଖନ୍ତି,—ମୋ’ର ଏପରି ତିକ୍ତ ଅଭିଜ୍ଞତା ଅନେକ ଅଛି । ଆପଣଙ୍କୁ ମୁଁ ମୋ’ର ଅତି ଅନ୍ତରଙ୍ଗ ଜଣେ ସାନଭାଇ ପରି ଗ୍ରହଣ କରି ନେଇଛି ଏବଂ ସେଇଥିଲାଗି ହିଁ ଖୁବ୍ ସାହସରେ ଏସବୁ ଲେଖି ପାରୁଛି ।

 

...ଆପଣ ସେମାନଙ୍କର (ନିଜ ଛାତ୍ରମାନଙ୍କର) ଭୋକ ବଢ଼ାନ୍ତୁ, —ପଢ଼ିବାର ଭୋକ, ଚିହ୍ନିବାର ଭୋକ, ପର୍ବତ ଆରୋହଣ କରିବାର ଭୋକ, ହୃଦୟ ଆବିଷ୍କାର କରିବାର ଭୋକ ।

 

ମିତ୍ର ନିକେତନ, କେରଳ, ୨୪।୭।୭୯

 

…ନିଜକୁ କୋଉଠି ବା କାହାଲାଗି ଅଜାଡ଼ି ଦେବାକୁ ଇଚ୍ଛା କରୁଥିଲେ ପ୍ରତିଦାନର କୌଣସି ଇଚ୍ଛା ରଖିବା ଏକ ବାଧା ପରି କାମ କରେ । ଏକ ପ୍ରତିଦାନ ଇଚ୍ଛା କରୁଥିଲେ ଭଲ ପାଇବା କଦାପି ଆପଣାକୁ ଅଜାଡ଼ି ଦେଇ ପାରେ ନାହିଁ । ଆମେ ଯେତେବେଳେ ଦୁଇଟା ଯାକ କରିବାକୁ ଇଚ୍ଛା କରୁ, ସେତେବେଳେ ଭାରି କଷ୍ଟ ପାଇବାକୁ ହୁଏ । ନିଜ ବିରୁଦ୍ଧରେ ବିଦ୍ରୋହ କଲା ପରି ମନେ ହୁଏ ।

 

ମୁଁ ତ କେବଳ ଆପଣଙ୍କୁ ଜାଣିଛି । ଆଉ ପକ୍ଷଟି ବିଷୟରେ କିଛି ଜାଣି ନାହିଁ । କିନ୍ତୁ କେବଳ ଏତିକି ଜାଣିଛି ଯେ, ଆମର ଏହି ଚଳନ୍ତି ସମାଜରେ ବିଫଳମନୋରଥ ହେବାର କ୍ଷେତ୍ରରେ ପୁଅ ଅପେକ୍ଷା ଝିଅକୁ ହିଁ ଅଧିକ ସନ୍ତାପରେ ଦଗ୍ଧ ହେବାକୁ ପଡ଼େ । ମାତ୍ର, ନିଜର ଦହନଗୁଡ଼ାକୁ ଜଗତର ଏକମାତ୍ର ଦହନ ବୋଲି ଧରି ନେଇ ସେଇଗୁଡ଼ାକୁ ପର୍ବତ ପରି ଜମା କରି ତାହାରି ଉପରେ ଏଡ଼େ ଉଞ୍ଚ ହୋଇ ବସିଥିବା ପର୍ଯ୍ୟନ୍ତ ସେ କଥା । ମୋଟେ ଜାଣି ହୁଏ ନାହିଁ । ଏକାକୀ ରହିବା ଓ କାହାର ସାଥୀ ହୋଇ ରହିବା, ଏହାର ମଧ୍ୟ ଏକ ଅନ୍ୟ ଅର୍ଥ ଅଛି । ଏକାକୀ ହୋଇ ରହିଥିବା ବେଳେ ଯିଏ ସମସ୍ତଙ୍କ ମେଳରେ ରହିଥିବା ପରି ଅନୁଭବ କରେ ଏବଂ ସମସ୍ତଙ୍କ ମେଳରେ ଥିବା ସମୟରେ ତଥାପି ଆତ୍ମସ୍ଥ ଅର୍ଥାତ ଏକାକୀ ହୋଇ ରହିପାରେ, ସିଏ ଆମ ସଂସାରରେ ଅନେକ କାମରେ ଲାଗେ । ସିଏ ଅନେକ ମଣିଷଙ୍କର ଅନେକ ଉପକାରରେ ଆସେ ।

 

...ଶ୍ରୀଅରବିନ୍ଦଙ୍କର ‘ଦୁର୍ଗାସ୍ତୋତ୍ର’ରେ ଅସୁର ପରି ଶକ୍ତି ଲାଗି ପ୍ରାର୍ଥନା କରାଯାଇଛି । ନିଜକୁ ଏପରି ଏକ ମାର୍ଗରେ ପକାଇ ପାରିଲେ ଦେଖିବେ, ଆପଣଙ୍କ ପାଖକୁ ପାଠ ପଢ଼ି ଆସୁଥିବା ପିଲାଏ ମଧ୍ୟ ଆପଣଙ୍କ ଦ୍ଵାରା କିପରି ହଜାର ହଜାର ଗୁଣ ଅଧିକ ପରିମାଣରେ ଉପକୃତ ହୋଇ ପାରିବେ । ପିଲାଏ ଭଲ ପଢ଼ୁ ନାହାନ୍ତି, ଏଥିଲାଗି କାହାର କେତେ ଦୋଷ ତାହା ନିମାପି ଅମେ ଯଦି ନିଜ ଜୀବନରେ ବିଦ୍ୟା ଲାଗି ଗୋଟାଏ ଗୋଟାଏ ଅସୁର ପରି ଲାଗିଯାଇ ପାରିବା, ତେବେ ଅଦ୍ଭୁତ ଫଳ ମିଳିବ ।

 

କଟକ, ୩୧।୮।୭୯

 

...ନୂଆକୁ ଗ୍ରହଣ କରିବା ଲାଗି ପୁରୁଣାକୁ ଭୁଲି ଯିବାକୁ ପଡ଼େ ନାହିଁ । ଭବିଷ୍ୟତକୁ ଗ୍ରହଣ କରିବା ଲାଗି ଅତୀତକୁ କିମ୍ବା ବର୍ତ୍ତମାନକୁ ବି ଭୁଲି ଯିବାକୁ ପଡ଼େ ନାହିଁ । ସୁଖ ପାଇବି ଓ ସୁଖକୁ ଭଲ କରି ଅନୁଭବ କରିବି ବୋଲି ଦୁଃଖକୁ ମଧ୍ୟ ଭୁଲି ଯିବାକୁ ପଡ଼େ ନାହିଁ । ଆପଣାର ଦୁଃଖକୁ ସୁଖ ଭିତରକୁ ସଂପ୍ରସାରିତ କରି ଦେବାକୁ ହୁଏ । ଅତୀତକୁ ଭବିଷ୍ୟତ ମଧ୍ୟକୁ ସଂପ୍ରସାରିତ କରି ଦେବାକୁ ହୁଏ । ପୁରାତନକୁ ନୂତନ ଭିତରକୁ ସଂପ୍ରସାରିତ କରି ଦେବାକୁ ହୁଏ । ଏହି ସଂପ୍ରସାରଣ ହିଁ ଜୀବନର ସବୁଠାରୁ ବଡ଼ ଧର୍ମ । ସତତ ସଂପ୍ରସାରଣ ହିଁ ଉପଲବ୍ଧି, ତାହା ହିଁ ସୁଖ ।

 

କଟକ, ୨୯।୧୨।୭୯

 

...ଆମେ ସମସ୍ତେ ଅର୍ଥାତ୍‍ ପ୍ରତ୍ୟେକେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତେ, ଅଧିକରୁ ଅଧିକ ସ୍ନେହ ଓ ସହାନୁଭୂତି ଦେଇ ପାରନ୍ତେ । ଶିକ୍ଷା, ସାହିତ୍ୟ, ସମାଜ ସବୁଠାରେ ଏହା ହିଁ ଅନ୍ତତଃ ଅନେକ ବ୍ୟକ୍ତିଙ୍କର ଜୀବନର ସର୍ବପ୍ରଧାନ ଉଦ୍ୟମ ହୋଇ ରହନ୍ତା । ତାହା ହିଁ ତ କେଡ଼େ ବଡ଼ ଆନ୍ଦୋଳନଟାଏ ହୁଅନ୍ତା । ତାହାଦ୍ଵାରା ଅନେକ କୃତ୍ରିମତା ଲୁପ୍ତ ହୋଇଯାଆନ୍ତା, ଅନେକ ବିଦ୍ୱେଷ ବି ଚାଲି ଯାଆନ୍ତା । ଆମେ ଯେଉଁମାନେ ନୂତନ ଜୀବନର ଆଭାସ ପାଇଲେଣି, ଅନ୍ତତଃ ଆମର ଜୀବନରୁ ତାହା ଆରମ୍ଭ ହୋଇ ପାରନ୍ତା ।

 

କଟକ, ୧୦।୩।୮୦

 

...ଆପଣ ଲେଖନ୍ତୁ । ପୂର୍ଣ୍ଣ ଉତ୍ସାହରେ ଲେଖନ୍ତୁ । ଲେଖିବା ମଧ୍ୟ ଭଲ ପାଇବାର ଏକ ଅନ୍ୟ ନାମ । ଯିଏ ଭଲ ପାଏ, ସିଏ କଣ କୌଣସି ସର୍ତ୍ତ ରଖି ଭଲପାଏ ? ପ୍ରକାଶକମାନେ ଯାହାର ଲେଖା ଛାପିବେ, କେବଳ ସେହିମାନେ ଲେଖୁଥିଲେ କୌଣସି ସାହିତ୍ୟ ଅଗ୍ରଗତି କରନ୍ତା ନାହିଁ । ଯିଏ ଭଲପାଏ, ତାକୁ ଭଲ ପାଇବାର ଅଧିକରୁ ଅଧିକ ଯୋଗ୍ୟ ହେବାକୁ ପଡ଼େ । ଲେଖିବା ବେଳେ ମଧ୍ୟ ଠିକ୍ ସେଇଆ । ଆମେ ନିଜକୁ ଆମର । ଲେଖିବା ପାଇଁ ଅଧିକରୁ ଅଧିକ ଯୋଗ୍ୟ କରୁଥିବା । ଅଧିକରୁ ଅଧିକ ଅଧ୍ୟୟନ କରୁଥିବା, ଅଧିକରୁ ଅଧିକ ଶ୍ରଦ୍ଧା ଅର୍ଥାତ୍‍ ପୂର୍ଣ୍ଣତା ଏବଂ ଗଭୀରତା ସହିତ ସଂସାରକୁ, ମଣିଷକୁ ଓ ଜୀବନକୁ ଦେଖି ଶିଖୁଥିବା । ଏବଂ ଲେଖୁଥିବା । ଲେଖିବା ମଧ୍ୟ ଦେଇ ନିଜକୁ ଅବଲୋକନ କରି ଶିଖୁଥିବା ।

 

...ଲେଖିବା ବିଷୟରେ ନାନା ଯୁକ୍ତିରେ ଆଗ ମନକୁ ସନ୍ତୁଷ୍ଟ କରି ତା'ପରେ ଲେଖିବାକୁ ମନ କଲେ ମଣିଷ ହୁଏତ କିଛି ଲେଖି ପାରେ ନାହିଁ । ଯିଏ ଲେଖିବାର କଥା ଲେଖିଯାଏ । ଲେଖିବା ବିଷୟରେ କେଉଁଠି କ’ଣ ଅନିଚ୍ଛା ରହିଥିଲେ ତାହା ହିଁ ନାନାପ୍ରକାର କୁଣ୍ଠା ଓ ନାନାପ୍ରକାର ଯୁକ୍ତି ହୋଇ ଗୋଡ଼ ଗୁଡ଼ାକରେ ପଥର ବାନ୍ଧି ରଖିଥାଏ । ଏ ବିଷୟରେ ଆପଣାଙ୍କୁ ବୁଝାଇ କହିଲେ ତାହାଦ୍ୱାରା କିଛି ହେବ ନାହିଁ । ନିଜେ ବୁଝିଲେ ଯାଇ ଅସଲ ବୁଝିବା ହୁଏ । ତା’ ନହେଲେ ଆମେ ଯେଉଁଠି ସେଇଠି ଅଟକି ରହିଥାଉ ଓ ଅଟକିବା ସପକ୍ଷରେ ନାନାପ୍ରକାର ଯୁକ୍ତିକୁ ଖିଅ ପରି ସଜାଡ଼ି ରଖିଥାଉ । ବାଟ ଚାଲିବାକୁ ଆରମ୍ଭ କଲେ ବାଟ ମିଳିଯାଏ । ବାଟଗୁଡ଼ାକର ଯଥାର୍ଥତାକୁ ନେଇ ଆଲୋଚନା କରୁଥିଲେ ହୁଏତ କେବେ ହେଲେ ଚାଲିବାର ସୁଯୋଗ ଆସି ପହଞ୍ଚେ ନାହିଁ ।

 

କଟକ, ୫।୫।୮୦

 

...କ'ଣ ଲେଖିବି? —ଏହି ପ୍ରଶ୍ନ କରୁଥିବା ପର୍ଯ୍ୟନ୍ତ ମଣିଷ କିଛି ଲେଖି ପାରେନାହିଁ । ଏପରି ଏକ ସମୟ ଜୀବନରେ ଆସେ, ଯେତେବେଳେ କି ଆପଣାର କଥା ସମସ୍ତଙ୍କ ଆଗରେ କହିବାକୁ ହିଁ ପଡ଼େ । ତାହା ନିଜ ଜୀବନସାଧନାର ଏକ ଅପରିହାର୍ଯ୍ୟ ଅଙ୍ଗ । କଳ୍ପନା କରନ୍ତୁ, ଶ୍ରୀଅରବିନ୍ଦ ଏକଦା ଏକୁଟିଆ ଏକ ପତ୍ରିକା ମାସକୁ ମାସ ବାହାର କରୁଥିଲେ ଓ ସେଥିଲାଗି ୬୪ ପୃଷ୍ଠା ନିଜେ ଲେଖୁଥିଲେ । ତାହା ହିଁ ଲେଖିବାର ଓ ସମସ୍ତଙ୍କ ଆଗରେ ନିଜର କଥାଟିକୁ ଅବଶ୍ୟ କହିବାର ଏକମାତ୍ର ମ୍ୟାଜିକ୍ ।

 

କଟକ, ୧୧।୭।୮୦

 

...ଦୁଃଖ ଓ ବିପଦ ଜୀବନର ଏକ ଅଙ୍ଗ । ସେତିକିବେଳେ ସ୍ଥିର, ଶାନ୍ତ ହୋଇ ରହିବାର ଆହୁରି ଅଧିକ ଆବଶ୍ୟକତା ରହିବ । ବିଚଳିତ ହେଲେ ମୋଟେ ଚଳିବା ନାହିଁ । ପୁଣି, ଆମେ ଯେଉଁମାନେ ଏହି ପୁରୁଣାଗୁଡ଼ାକୁ ଭାଙ୍ଗି କିଛି ନୂଆ କରି, ସୁନ୍ଦର କରି ଓ ମଣିଷ ଲାଖି କରି ଗଢ଼ିବାକୁ ବାହାରିଛୁ, ଆମର ବିଚଳିତ ହେବା ଲାଗି କୌଣସି । ଅଧିକାର ହିଁ ନାହିଁ ।

 

କଟକ, ୬।୯।୮୦

 

ଜଗତରେ ନିଜର କର୍ମକ୍ଷେତ୍ର ବାଛିବାପୂର୍ବରୁ ଆଗ ନିଜକୁ ବୁଝିବା ଉଚିତ । ଠିକ୍ ଜଣେ ଅନ୍ତରଙ୍ଗ ବନ୍ଧୁ ପରି ନିଜକୁ ବୁଝିବା ଉଚିତ । ତାହା ସାଧାରଣତଃ ସହଜ ହୋଇ ନଥାଏ । ନିଜ ପାଖରେ ମଧ୍ୟ ଆମେ ଅନେକ ସମୟରେ ଲୁଚି ଲୁଚି ବୁଲୁଥାଉ । ନିଜକୁ ବନ୍ଧୁ କରିବା ତ ଆହୁରି ଦୂରର କଥା ।

 

ତେଣୁ, ବର୍ତ୍ତମାନ ଆପଣ ଭବିଷ୍ୟତ ଲାଗି କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିବା ଆଗରୁ ନୀରବରେ କିଛି ଦିନ ରହନ୍ତୁ । ନିଜକୁ ବୁଝନ୍ତୁ, ବନ୍ଧୁ ପରି ବୁଝନ୍ତୁ । ଆପଣ ପ୍ରକୃତରେ ଠିକ୍ କ'ଣ କରିବାକୁ ଚାହାନ୍ତି,—ଶାନ୍ତ ଭାବରେ ସୌହାର୍ଦ୍ଦପୂର୍ଣ୍ଣ ଭାବରେ ନିଜକୁ ଏହି ପ୍ରଶ୍ନଟିକୁ ପଚାରି ଉତ୍ତର ପାଆନ୍ତୁ । ତା'ପରେ ଦେଖିବେ, ଭିତରୁ ସ୍ୱତଃପ୍ରେରିତ ଭାବରେ । ଏକ ଖୁସୀ ଆସିବ ଓ ସେହି ଖୁସୀରେ ଆପଣ କେତେ କ’ଣ କରି ଯାଇ ପାରିବେ । କାହାକୁ ଖୁସୀ କରିବାକୁ ବା ଅନ୍ୟମାନଙ୍କୁ ଭଲ ଦେଖାଯିବା ପରି ଆଦୌ କିଛି କରନ୍ତୁ ନାହିଁ । ସେଥିରେ ଦୁଃଖ ପାଇବେ ।

 

କିନ୍ତୁ, ସାନ ସ୍କୁଲଟିରେ କିଞ୍ଚିତ୍ ଶିକ୍ଷକତା କରି ଆପଣଙ୍କର ସମୟ ସରୁ, ମୁଁ ଏ କଥା ମଧ୍ୟ ପସନ୍ଦ କରିବି ନାହିଁ । ତେଣୁ, ନିୟମିତ ଅଧ୍ୟୟନ କରନ୍ତୁ। ଆଗକୁ ଅନାନ୍ତୁ, ସମ୍ମୁଖକୁ ଦେଖୁ ବାଟ ଚାଲନ୍ତୁ । ତେବେ ନିଜ ଭିତରେ ଥିବା ରତ୍ନଗୁଡ଼ିକର ସନ୍ଧାନ ପାଇବେ । ତେଣୁ, ସ୍ଥିର ହୋଇ ଯାଆନ୍ତୁ ।

 

କଟକ,୨୦।୯।୮୦

 

...ଶିକ୍ଷକ ହୁଅନ୍ତୁ ବା ସନ୍ଥ ହୁଅନ୍ତୁ ତାହାରି ମାଧ୍ୟମରେ ଜଣେ ମଣିଷ ଭଳି ମଣିଷ, –ଅନୁରାଗୀ, ସାହସୀ, ସମର୍ପିତ ଓ ଅଟଳ, –ହେବାଆଗରୁ ଗୋଟିଏ ମୂଳଦୁଆ ରହିଥିବା ଉଚିତ, ଯାହା ଉପରେ କି ଆମେ ଠିଆ ହୋଇ ପାରିବା । ସେହି ମୂଳଦୁଆ ସମ୍ଭବ ହେବ, ଯେତେବେଳେ ଆମେ ନିଜକୁ ନିଜର ବନ୍ଧୁ କରି ନେଇ ପାରିବା । ଏହା ମୋଟେ ସହଜ ନୁହେଁ । ମଣିଷ ନିଜ ସହିତ ପ୍ରକୃତ ବନ୍ଧୁତା ବାନ୍ଧି ପାରେନାହିଁ ବୋଲି ବାହାରେ ଆଉ କେତେ ଥାନରେ ବନ୍ଧୁ ହୋଇ ରହି ତା’ର କ୍ଷତିପୂରଣ କରିବା ଲାଗି ବିକଳ ହୋଇ ଧାଇଁଥାଏ । ଆମ ଭିତରେ ଆମର ସବୁଠାରୁ ବଡ଼ ବଇରି ହୋଇ ରହିଥିବା ଏହି ଉପାଦାନଟି ବିଷ–ଆଗେ ଆମେ ସତର୍କ ରହିଥିବା ।

 

ମୋ’ର ଇଚ୍ଛା, ବର୍ତ୍ତମାନ ଏହି ବର୍ଷର ଆଉ ତିନୋଟି ମାସ ଆପଣ ନିଜକୁ ସ୍ଥିର କର, ନିର୍ଦ୍ଦିଷ୍ଟ କରନ୍ତୁ । ତା'ପରେ ସ୍ଵକୀୟ ବାଟ ବଳେ ଦିଶିଯିବ । ଏଥିଲାଗି ଭିତରେ ଅନେକ ନୀରବତା ଦରକାର । ବାହାରେ ସଭିଁଙ୍କ ସହିତ ଥିବେ, କିନ୍ତୁ ଭିତରଟା ନୀରବ ରହିଥିବ । ଭକ୍ତ ତା’ ଭଗବାନଙ୍କୁ ପାଇଲେ ଯେମିତି ନୀରବ ଅଥଚ ହସ ହସ ହୋଇ ରହିଥାଏ, ଠିକ୍ ସେହିପରି ନିଜ ସମୟଟାକୁ କାର୍ଯ୍ୟକ୍ରମ ଭିତରେ ରଖନ୍ତୁ । ଦୈନନ୍ଦିନ ଏତିକି ସମୟ ପଢ଼ିବି, ଲେଖିବି, ଆପଣା ପାଖରେ ଖୁସୀ ହୋଇ ବସିବି, ଏସବୁ ଠିକ୍ ହୋଇ ରହୁ । ସଂସାରରେ ଅନ୍ୟମାନଙ୍କୁ ବେଳେ ବେଳେ ନାଁ କରି ବି ଶିଖନ୍ତୁ । ଏବଂ, ବିଦ୍ୟାଳୟରେ ପିଲାଙ୍କୁ ପ୍ରତି ଯାହା କର୍ତ୍ତବ୍ୟ, ସେଥିରେ କୌଣସି ତ୍ରୁଟି କରନ୍ତୁ ନାହିଁ । ମାତ୍ର, ଆଦୌ କୌଣସି କୋଳାହଳ ନ କରି ଏସବୁ କରନ୍ତୁ । ଦେଖିବେ, ନିଜର ପୂର୍ଣ୍ଣତର ଦର୍ଶନ ମିଳିଯିବ ।

 

କଟକ, ୨୧।୧୧।୮୦

 

...ଲେଖା ଉପରେ ମତାମତ କ’ଣ ଦେଇଥାନ୍ତି ? ଆହୁରି ପଢ଼ିବାକୁ ହେବ, ଆହୁରି ଅନୁଭବ କରିବାକୁ ହେବ, –ଆପଣାକୁ ଆହୁରି ଅନ୍ତରଙ୍ଗ ଭାବରେ ସମସ୍ତଙ୍କ ଲାଗି ଅଭିବ୍ୟକ୍ତ କରି ପାରିବାକୁ ହେବ । ତା’ସହିତ, ଆପଣ ଯେତେବେଳେ ଯାହା କିଛି ଲେଖିବେ, ତାହାକୁ ମୁଁ ଅଜସ୍ର ଶ୍ରଦ୍ଧାର ସହିତ ପଢ଼ିବି, ଆନନ୍ଦ ଅନୁଭବ କରିବି,–ଏହାକୁ କ'ଣ ଆପଣ ମତାମତ କହିଥାନ୍ତେ ? ଏବଂ, ମୋ’ର ଅତି ଘନିଷ୍ଠ ବ୍ୟକ୍ତିମାନଙ୍କୁ ମୁଁ ଏତିକି ଠାରୁ ଆଉ ଅଧିକ କିଛି କହି ପାରେ ନାହିଁ ।

 

‘ପଞ୍ଚତନ୍ତ୍ର’ରୁ ଆହୁରି କିଛି ଗପ ଲେଖିଲେଣି ବୋଲି ଆଶା କରୁଛି । ଆମ ସାହିତ୍ୟରେ ପିଲାଏ ଖୁସୀ ହୋଇ ପଢ଼ିବା ଭଳି ବେଶୀ ସାମଗ୍ରୀ ନାହିଁ । ସମସ୍ତେ ବଡ଼ଙ୍କପରି ପିଲାଙ୍କ ପାଇଁ ଲେଖନ୍ତି । ପିଲାଙ୍କ ପରି ପିଲାଙ୍କୁ ଖୁସୀ ଦେଇପାରିବା ଏକ ଅସାମାନ୍ୟ କଥା । ଆପଣଙ୍କର ଦୃଷ୍ଟିରେ ଏ ପର୍ଯ୍ୟନ୍ତ କୋମଳତା ରହିଛି । ଆପଣ ଅନେକ ପରିମାଣରେ ପାରିବେ ।

 

କଟକ, ୮।୧୨।୮୦

 

ଆପଣ ଲେଖନ୍ତୁ, ଆହୁରି ଲେଖନ୍ତୁ । ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତୁ । ପୂର୍ଣ୍ଣ ମନ ଏବଂ ପୂର୍ଣ୍ଣ ଖୁସୀରେ ଲେଖନ୍ତୁ । ଆପଣଙ୍କ ଭିତରେ ଆପଣ ଯାହାକୁ ସର୍ବୋତ୍ତମ ବୋଲି ଅନୁଭବ କରୁଛନ୍ତି, ସମସ୍ତଙ୍କ ଲାଗି ତାହାକୁ ହିଁ ବିତରଣ କରିଦେବାକୁ ଇଚ୍ଛା କରନ୍ତୁ । ଶୁଣିବା ଲୋକ, ପଢ଼ିବା ଲୋକ ଏବଂ ଆତ୍ମୀୟ ପରି ଅନୁଭବ କରିବା ଲୋକ ବଳେ ମିଳିଯିବେ । ଲେଖନ୍ତୁ ଏବଂ ଲେଖିବା ପାଇଁ ଯାହା କିଛି ଆବଶ୍ୟକ, ତାହା ପଢ଼ନ୍ତୁ । ଦେଖିବେ, ଜୀବନରେ ଆପଣଙ୍କୁ କେଡ଼େ ବଡ଼ ବାଟଟାଏ ମିଳିଯିବ ।

 

ଆଦର୍ଶ ଓ ବାପମାଆ ଦୁଇଟିକୁ ଆପଣ ଦୁଇଟି ଭିନ୍ନ ଆୟତନ ବୋଲି ଦେଖୁଥିବା ପର୍ଯ୍ୟନ୍ତ ଆପଣଙ୍କ ଭିତରେ ଦୁହିଁଙ୍କୁ ନେଇ ସଂଘାତ ଲାଗି ରହିଥିବ । ନିଜର ଆୟତନକୁ ବଢ଼ାଇ ଏପରି ଏକ ବୃତ୍ତ ବୁଲାନ୍ତୁ, ଯାହା ଭିତରେ କି ଦୁଇଟି ଯାକ ଏକତ୍ର ହୋଇ ରହି ପାରିବ । ତେବେ ସଂଘାତ ଦୂର ହୋଇଯିବ ଏବଂ ଗୋଟାଏ ସମାଧାନ ମିଳିଯିବ ।

☆☆☆

 

ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସେନାପତି

 

(ଭାଇ କୁମୁଦର ଘର କଳାହାଣ୍ଡି ଜିଲ୍ଲାର ରୁପ୍ରା ଗାଆଁରେ । ସ୍ଥାନୀୟ ହାଇସ୍କୁଲରେ ଶିକ୍ଷକ । ଆଉ କିଛି ବନ୍ଧୁଙ୍କର ମେଳରେ ସେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ନିଜକୁ ଅନ୍ତରଙ୍ଗ ଏକାଧିକ ପ୍ରକାରେ ସଂପୃକ୍ତ କରି ରଖୁଛନ୍ତି ।)

 

ଭୁବନେଶ୍ୱର,୮।୪।୯୪

 

...ବାହାରେ ଆମକୁ ବେଳେ ବେଳେ ନୂଆ ନୂଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ; ସବୁକିଛି ସତେ ଅବା କିଛି ସମୟ ପାଇଁ ଚହଲି ଗଲା ପରି, ହାତଛଡ଼ା ହୋଇ ଗଲାପରି ଲାଗୁଥିବ-। ମାତ୍ର ସେଥିଲାଗି ଆମେ ଆମ ଭିତରେ ମଧ୍ୟ କାହିଁକି ସାହସ ହରାଇ ବସିଲା ପରି ଅନୁଭବ କରିବା ? ଶୀଘ୍ର ହେଉ ଅଥବା ବିଳମ୍ବରେ ହେଉ, ଆମ ଜୀବନରେ ଯେଉଁ ଦିବା ସ୍ପର୍ଶର କୁହୁକ ଲାଗିଛି, ତାହା ହିଁ ଏହି ସଂସାରଟାକୁ ମଧ୍ୟ ଆମ ପଟକୁ ନେଇ ଆସିବ । ତୁମେ କେବେ ଏକୁଟିଆ ସ୍ଵର୍ଗକୁ ଯିବ ଓ ଏକୁଟିଆ ସବୁ ଉପଲବ୍ଧିର ଆନନ୍ଦକୁ ଉପଭୋଗ କରିବ ବୋଲି ଭାବୁଥିଲ କି-? ତାହା ଗୋଟା ସୁଦ୍ଧା ମିଛ କଥା । ସତ କଥା ହେଉଛି, ଆମ ସହିତ ସମସ୍ତେ ଥିବେ ଏବଂ ଆମେ ମଧ୍ୟ ଆମର କେନ୍ଦ୍ରର ନିର୍ଦ୍ଦେଶରେ ବାଟ ଚାଲୁଥିବା । ସମସ୍ତଙ୍କୁ ନିଜର କରି ନେଉଥିବା-। ଏହି କଥାଟି ସମ୍ଭବ ହେବାଲାଗି ବିଳମ୍ବ ହୋଇପାରେ। କିନ୍ତୁ ତାହା ଅବଶ୍ୟ ହେବ ।

 

ଯେତେବେଳେ ଆମେ ଅଧିକ କିଛି କରି ନପାରୁଥିବା, ସେତେବେଳେ ନିଜ ଭିତରେ ନିଜ ବନ୍ଧୁଟି ପରି ଅଧିକରୁ ଅଧିକ ଗଭୀରକୁ ଯିବାରେ ଲାଗିଥିବା । ନିଜକୁ ଅଧିକରୁ ଅଧିକ ଯୋଗ୍ୟ କରୁଥିବା ଅଧିକରୁ ଅଧିକ ପ୍ରଗାଢ଼, ଭାବରେ ଅଧ୍ୟୟନ କରୁଥିବା ଏବଂ ପୂର୍ଣ୍ଣ ନୀରବତା ସହିତ ଅପେକ୍ଷା କରିଥିବା । ଅନ୍ୟ ମୁହୂର୍ତ୍ତଟି ଅବଶ୍ୟ ଆସିବ ।

 

ଭୁବନେଶ୍ୱର, ୨୭।୯।୯୪

 

...ସବୁଠାରୁ ବଡ଼ ଖବର ହେଉଛି, ଆଗାମୀ ଜୁଲାଇଠାରୁ ତୁମ ଗାଆଁରେ ଏକପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆରମ୍ଭ କରିବାର ନିଷ୍ପତ୍ତି । ତୁମ ସମସ୍ତଙ୍କୁ ମୋ’ର ଅଭିନନ୍ଦନ କହି ପଠାଉଛି । ଏହିଭଳି ଏକ ନିଷ୍ପତି ଲାଗି ଆମେ ସମସ୍ତେ ଗତ କେତେ ବର୍ଷ ହେଲା ଅପେକ୍ଷା କରି ରହିଥିଲୁ । ତୁମେମାନେ ମଧ୍ୟ ଅପେକ୍ଷା କରିଥିଲେ । ଏହି ଶିକ୍ଷାକେନ୍ଦ୍ରଟି ମୂଳରୁ ଏକ ଭିନ୍ନ ପ୍ରକାରର ଶିକ୍ଷାକେନ୍ଦ୍ର ହେବ । ଯେଉଁଠାରେ ଛନ୍ଦକପଟ ରହିବ ନାହିଁ, —ଈର୍ଷା ବା ପଛ ଚର୍ଚ୍ଚା ରହିବ ନାହିଁ, କେବଳ ଉଦ୍ୟମ ରହିବ ଓ ଖୁସୀ ରହିବ । ଆମେ ସମସ୍ତେ ତୁମମାନଙ୍କର ପଛେ ପଛେ ଥିବୁ ।

 

ଭୁବନେଶ୍ୱର, ୨୭।୭।୯୫

 

...ଏଣିକି ଯାହାକିଛି ନିଷ୍ପତ୍ତି ନେବ, ସମସ୍ତେ ମିଶି ନେବ । ଏକତ୍ର ଅଧ୍ୟୟନ ମଧ୍ୟ ଚାଲିଥିଲେ କେହି କାହାରିକୁ ଛାଡ଼ିଯିବାର ପ୍ରଶ୍ନ ହିଁ ରହିବ ନାହିଁ । ମୁଁ ଯେତେ ଦୂର ଅନୁଭବ କରୁଛି, ରୁପ୍ରାରେ ବହୁ ଦିନରୁ ତୁମେମାନେ ପ୍ରସ୍ତୁତ ହୋଇ ଆସିଛ, ତେଣୁ ସେଠାରେ ବିଶେଷ କିଛି ଅସୁବିଧା ହେବ ନାହିଁ ।

 

ଭୁବନେଶ୍ୱର, ୨୭।୯।୯୫

 

...ଯାହା ବହୁ ଦିନରୁ ଆକାଙ୍‍କ୍ଷିତ ହୋଇ ରହିଥିଲା, ତାହାର ଶୁଭାରମ୍ଭ ହେଲା । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା । ଗୋଟାଏ କଣ ବିଶେଷ ଘଟଣା ଘଟିଲା ବାଗିର୍ ମୋତେ ଲାଗୁଛି । ସେପ୍ଟେମ୍ବର ୧୩କୁ ସମସ୍ତେ ଆସିଲେ, ସ୍ଥାନୀୟ ସମସ୍ତେ ନୂଆ ଶିକ୍ଷା କେନ୍ଦ୍ରଟି ପଶ୍ଚାତରେ ରହିଥିବା ସ୍ୱପ୍ନଟି ବିଷୟରେ ସମସ୍ତଙ୍କ ଠାରୁ ବିଭିନ୍ନ କଥା ଶୁଣିଲେ, ତାହା ତୁମମାନଙ୍କ ଲାଗି ଅବଶ୍ୟ ଏକ ଅନୁକୂଳ ହାୱା ସୃଷ୍ଟି କରିବ । ଅଧ୍ୟୟନ–କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା ବୋଲି ମଧ୍ୟ ଜାଣିଲି । ବାଧା ଆସିବ, ମାତ୍ର ବାଧା ବୋଲି ଲାଗିବ ନାହିଁ । ପର୍ବତଟାଏ ଡେଇଁବା ସମୟରେ ଯେଉଁଭଳି ଲାଗେ, ସମସ୍ତଙ୍କର ମେଳରେ ଉଦ୍ୟମଟି ଚାଲୁ ରହିଥିବାବେଳେ ପ୍ରତ୍ୟେକ ଦିନ ହିଁ ସେହିପରି ଲାଗିବ । ଆମର ଶିକ୍ଷାକେନ୍ଦ୍ରଟିକୁ ମାଧ୍ୟମ କରି ଆମେ ସମସ୍ତେ ଅଗ୍ରସର ହୋଇ ଯାଉଥିବା, ସାନ ବଡ଼ ପ୍ରତ୍ୟେକ କାର୍ଯ୍ୟ ଆମକୁ ଅଧିକରୁ ଅଧିକ ଶୁଦ୍ଧ ଓ ଶ୍ରଦ୍ଧାଶୀଳ କରି ଦେଉଥିବ,—ଏଣିକି ସେଠାରେ ତାହା ହିଁ ହେବ । ଆମେ ସମସ୍ତେ ଶୁଣିବୁ ଓ ଖୁସୀ ହେବୁ ଏବଂ, ନିଜ ନିଜ କ୍ଷେତ୍ରରେ ଉତ୍ସାହ ପାଇବୁ ।

 

ଭୁବନେଶ୍ୱର,୨୧।୧୧।୯୫

 

ପ୍ରିୟ କୁମୁଦ,

 

ତୁମର ଚିଠି ପାଇଛି । ଇତିମଧ୍ୟରେ ଶରତ ମଧ୍ୟ ମୋର ଚିଠି ପାଇ ସାରିଥିବ । ଏଣିକି ଯେତେବେଳେ ସେଠାକାର ଜଣେ ମନେ ପଡ଼ିଲେ, ସେତେବେଳେ ସେଠା ଗୋଷ୍ଠୀର ସମସ୍ତେ ମନେ ପଡ଼ିଯିବେ । ଯେତେବେଳେ ତୁମ ଭିତରୁ କାହାକୁ ଜଣକ ପାଖକୁ ଚିଠି ଲେଖା ହେଉଥିବ, ସେତେବେଳେ ଏକାବେଳକେ ସମସ୍ତଙ୍କ ପାଖକୁ ଚିଠି ଲେଖା ହେଉଥିବା ପରି ଲାଗୁଥିବ। ଏପରି ଆରେ ଅନୁଭବ ହେଉ ନଥିଲା । ଏବେ ହେଉଛି । ଏହା ଏକ ଅତ୍ୟନ୍ତ ଶୁଭ ସଂକେତ।

 

ଏକାଠି ହୋଇ ଆଗକୁ ସତତ ଯାଇ ପାରିବାର ଗୋଟିଏ ଚମତ୍କାର ଉପାୟ ରହିଛି । ଆମେ କେହି କାହାର ଭୁଲ ବା ଅଭାବଗୁଡ଼ାକୁ ଆଗ ଦେଖୁବା ନାହିଁ । ଭଲଗୁଡ଼ିକୁ ସାମର୍ଥ୍ୟ ଓ ବିଶେଷ ଗୁଣଗୁଡ଼ିକୁ ଯଥାସମ୍ଭବ ସବୁବେଳେ ଦେଖିବା । ଏବଂ, ନିଜର କୌଣସି ଗଲତି ଯେତେବେଳେ ନିଜ ଆଖିରେ ପଡ଼ିଗଲା, ସେତେବେଳେ ନିଷ୍କପଟ ଭାବରେ ସମସ୍ତଙ୍କ ଆଗରେ ଫିଟାଇ କହିଦେବା । କେବେହେଲେ ଲୁଚାଇ ରଖିବାକୁ ଚେଷ୍ଟା କରିବା ନାହିଁ । ସେପରି ଚେଷ୍ଟା କଲେ ଭୁଲ ବୁଝାମଣା ବଢ଼ିବ ଓ ଭୁଲ ବୁଝାମଣା ବଢ଼ିଲେ ଦୂରତା ମଧ୍ୟ ବଢ଼ୁଥିବ । ମିଛରେ ବହୁ ସମସ୍ୟାର ସୃଷ୍ଟି ହେବ । ଏବଂ, ସବୁଠାରୁ ବଡ଼ କଥା ହେଉଛି, ପ୍ରତ୍ୟେକଙ୍କ ଭିତରେ ବହୁ ପ୍ରକାରର ଅପୂର୍ଣ୍ଣତା ରହିଥିଲେ ମଧ୍ୟ ତଥାପି ଆମେ ପରସ୍ପରକୁ ଆଗକୁ ଆଗକୁ ଯିବାରେ ହିଁ ସାହାଯ୍ୟ କରୁଥିବା । ଉତ୍ସାହ ଦେଉଥିବା । ଏହାରି ଦ୍ଵାରା ଶକ୍ତି ବଢ଼ିବ । ଶକ୍ତି ବଢ଼ୁଥିବା ପର୍ଯ୍ୟନ୍ତ ଭଗବାନ ଆମ ସାଥିରେ ରହିଥିବା ବାଗିର୍‍ ଲାଗୁଥିବ । ସେତେବେଳେ ଯାଏ ସବୁ କେବଳ ଭଲ ହିଁ ହେଉଥିବ । ଫସଲ ମଧ୍ୟ ଭଲ ଫଳିବ । ଆଗକୁ ଆଗକୁ ବାଟ ଦିଶି ଯାଉଥିବ ।

 

ଭୁବନେଶ୍ୱର, ୨୮।୧।୮୯

 

...ତୁମେମାନେ ଜମି ପାଇ ଯାଇଛି ଜାଣି ଖୁସୀ ହେଲି । ଆଗ ଆସ୍ଥାନଟିଏ ଦୃଢ଼ ଭାବରେ ତିଆରି ହେଉ । ଦୃଢ଼ ମୂଳଦୁଆଟିଏ ପଡ଼ୁ । ବାହାରେ ଭିତରେ ଦୁଇ ଜାଗାରେ ପଡ଼ୁ ଓ ତାହାର ଅସଲ ପ୍ରମାଣ ପରସ୍ପର ଭିତରେ ରହିଥିବା ଆତ୍ମୀୟତାରୁ ହିଁ ସୃଷ୍ଟ ଭାବରେ ମିଳୁ । ତେବେ ବିକ୍ରୟଭଣ୍ଡାର, ପାଠଚକ୍ର ଘର ଓ ଶିକ୍ଷାକେନ୍ଦ୍ର ସବୁକିଛି ହେବ । ସମୟ ଅନୁସାରେ ସବୁ ହୋଇଯିବ-। ଖୁସୀରେ ଖୁସୀରେ ହେବ ଏବଂ ଭିତରୁ ସାହସ ଓ ଶକ୍ତିର କଦାପି ଅଭାବ ହେବ ନାହିଁ ।

 

ଭୁବନେଶ୍ୱର, ୭।୯।୮୯

 

...ଯୁବକମାନେ ଯଦି ତୁମ କଥା ବୁଝିଲେ, ତେବେ ତୁମେ ନିଶ୍ଚୟ ସଫଳ ହେଲ ବୋଲି କହିବାକୁ ହେବ। ଆଉ ଅନ୍ୟ ଅନ୍ୟ କଥା ପାଇଁ ଚିନ୍ତା କରିବ ନାହିଁ । ସମସ୍ତେ ଠିକ୍ ଆମରି ଆଖିରେ ସଂସାରକୁ ଦେଖନ୍ତୁ ଓ ଆମରି ପରି ବିଚାରନ୍ତୁ, ଏପରି ଭାବିବାରେ ମଧ୍ୟ ଅହଂକାର ରହିଥାଏ ଏବଂ ଅହଂକାର ଅଗ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରେ । ଯଦି ଆମ ନିଜର ବାଟଟି ଆମ ଆଗରେ ସଫା ହୋଇ ଦିଶୁଛି, ତେବେ ତାହାରି ଆହ୍ଵାନ ମାନି ଆଗେଇ ଯିବା ହିଁ ଆମର ସର୍ବ ପ୍ରଥମ ଧର୍ମ । ସେତିକି କରି ପାରୁଥିବା ପର୍ଯ୍ୟନ୍ତ ଭଗବାନଙ୍କର ସହାୟତା ଆମ ଲାଗି ଅବଶ୍ୟ ରହିବ । ଏବଂ, ପରସ୍ପରକୁ ମଧ୍ୟ ଆମେ ଏହି ବାଟ ଚାଲିବାରେ ଯଥୋଚିତ ଭାବରେ ସାହାଯ୍ୟ କରି ପାରିବା ।

 

ରୁପ୍ରାରେ ଅଧ୍ୟୟନ ଲାଗି ଏତେ ଆଗ୍ରହ ସୃଷ୍ଟି ହେଲାଣି, ରୁପ୍ରାଠାରୁ ଏତେ ଦୂରରେ ଥାଇ ମଧ୍ୟ ତୁମେମାନେ ସତକୁ ସତ କେତେ ପାଖରେ ଥିବା ପରି ଅନୁଭବ ହେଉଛି । ଭିତରର ଗଣ୍ଡିଗୁଡ଼ିକୁ ଗୋଟି ଗୋଟି ହୋଇ ଖୋଲି ଯାଉଥିବ, ପରସ୍ପରକୁ ଅଧିକରୁ ଅଧିକ ଆପଣାର ମନେ ହେଉଥିବ, ପ୍ରତ୍ୟେକ ମଣିଷ ଭିତରେ ତା’ର ସର୍ବୋତ୍ତମ ମୂର୍ତ୍ତିଟି ଆଖିକୁ ଜଳ ଜଳ ଦିଶି ଯାଉଥିବ,–ଏଇ ସବୁଥିରୁ ଜାଣିବ ଯେ, ଅଧ୍ୟୟନ ଉଚିତ ମାର୍ଗରେ ଚାଲୁଛି । ଅଧ୍ୟୟନ ପରେ ତୁମେମାନେ ଆଲୋଚନା ମଧ୍ୟ କରୁଛି, ତାହା ଆହୁରି ଅଧିକ ଉପାଦେୟ । ଏହି ଆଲୋଚନାରେ ଆମେ କେହି କାହାରିକୁ ଦାବି ଦେବା ନାହିଁ, ଏହା ହିଁ ଆମର ସବା ଆଗ ଲକ୍ଷ୍ୟ ହୋଇ ରହିଥିବା ଉଚିତ । ଏହା ଆମ ସମସ୍ତଙ୍କୁ ଉଜ୍ଜ୍ୱଳତର କରି ନେଉଥବ ।

 

ଭୁବନେଶ୍ୱର, ୨୫।୧।୯୦

 

...କୌଣସି ଜାଗା କହିଲେ ମୁଁ ସେଠାକାର ସମ୍ବନ୍ଧ ଯୋଡ଼ି ହୋଇ ଯାଇଥିବା ବନ୍ଧୁମାନଙ୍କୁ ସବା ଆଗ ବୁଝେ । ତେଣୁ ରୁପ୍ରା କହିଲେ ମଧ୍ୟ ସବାଆଗ ତୁମମାନଙ୍କୁ ଦେଖେ ।

 

ଜମି ମିଳିଗଲା, ତୁମର ସେଠାରେ ଉତ୍ସାହୀ ଗୋଷ୍ଠୀଟିଏ ମଧ୍ୟ ଜୁଟିଗଲେ, ଏହାକୁ ତୁମେ ମୂଳତଃ ଏକ challenge ପରି ଗ୍ରହଣ କରିବ । ସୁବିଧା ଦେଇ ଭଗବାନ ପରୀକ୍ଷା କରନ୍ତି । ସୁବିଧା କେତେକ ମଣିଷଙ୍କୁ ନିଷ୍କ୍ରିୟ କରିଦିଏ । ଅସଲ ମଣିଷ ସୁବିଧାଗୁଡ଼ିକୁ ଏକ ଆହ୍ୱାନ ପରି ଗ୍ରହଣ କରେ । ତୁମେ ମଧ୍ୟ ତାହା ହିଁ କରିବ । ତୁମର ଅସଲ ତପସ୍ୟାର ଖୁଣ୍ଟ ଏହିଠାରୁ ପଡ଼ିବ । ତେଣୁ, ଏଥର ଅଧିକ ନୀରବ ରହିବାକୁ ପଡ଼ିବ, ଠିକ୍ ଯନ୍ତ୍ରଟିଏ ପରି । ଅଧିକ ସହିଷ୍ଣୁ ହେବ; ଖାଲି ଶତ୍ରୁମାନଙ୍କୁ ନୁହେଁ, ବନ୍ଧୁମାନଙ୍କୁ ମଧ୍ୟ ସହିବ ।

 

ସେଠାରେ ହାଇସ୍କୁଲର ତୁମର ସତୀର୍ଥମାନଙ୍କୁ ମଧ୍ୟ ସାଂଗରେ ଆଣିବାକୁ ଚେଷ୍ଟା କରିବ । ଆମ ସାଧନା ପବିତ୍ର ମଠଟିଏ କରି ଅଲଗା ହୋଇ ରହିବାର ସାଧନା ନୁହେଁ, ଆମର ସାଧନା ହେଉଚି ଯଥାସମ୍ଭବ ସମସ୍ତଙ୍କୁ ସଂଗରେ ନେଇ ତାହାରି ମାଧ୍ୟମରେ ଜଗତକୁ ବଦଳାଇବାର ସାଧନା ।

 

ଏଥର ତୁମର ପ୍ରତ୍ୟେକ ଚିଠିରେ ତୁମ କାମର ହିସାବ ମଧ୍ୟ ମିଳିଯିବ । ଗୋଟିଏ ଚିଠିରେ କୂଅ ଖୋଳା ହେଲା ବୋଲି ଲେଖା ହୋଇଥିବ ତ ଆର ଚିଠିରେ ଘର ତିଆରି ଆରମ୍ଭ ହେଲା ବୋଲି ଉଲ୍ଲେଖ ଥିବ । ତେବେ ତୁମକୁ ନେଇ ଆମେ ସମସ୍ତେ ସ୍ଵପ୍ନ ଦେଖୁଥିବୁ ଓ ଆନନ୍ଦିତ ହେଉଥିବୁ । ତୁମର କାର୍ଯ୍ୟ ଆମ ସମସ୍ତଙ୍କୁ ଉତ୍ସାହ ହେଉଥିବ । କୂଅ ଖୋଳା ସଂଗେ ସଂଗେ ଅଳ୍ପ ଆୟତନରେ ହେଲେ ମଧ୍ୟ ବାଡ଼ଟିଏ ବସିଯିବା ଉଚିତ । କଞ୍ଚା ବାଡ଼ଟିଏ । ତେବେ ତୁମ ଘରେ ଗୋଟିଏ ହାଣ୍ଡିରେ ରହିଥିବା ଗୋଲାପକୁ ତୁମେ ଏଠାରେ ଅନେକ ଗଛରେ ପରିଣତ କରିପାରିବ ଓ ତାହା ସମସ୍ତଙ୍କୁ ଆନନ୍ଦ ଦେଉଥିବ । ତାହା ଆଗାମୀକାର୍ଯ୍ୟ ଗୁଡ଼ିକର ପ୍ରତୀକ ହୋଇ ରହିବ ।

ଭୁବନେଶ୍ୱର, ୧୦।୨।୯୦

 

...ଗାଆଁର ପିଲାମାନଙ୍କୁ ଏକାଠି ବସାଇ ସେମାନଙ୍କ ପାଠରେ ସାହାଯ୍ୟ କରିବାର ଦାୟିତ୍ୱ ତୁମେମାନେ ନେଇଛ, ଏହା ଖୁବ୍ ଭଲ ହେଲା । ଏହାଦ୍ଵାରା ପରବର୍ତ୍ତୀ କାର୍ଯ୍ୟଗୁଡ଼ିକ ଲାଗି ଅନୁକୁଳ ଭୂମିଟିଏ ତିଆରି ହୋଇଯିବ ।

 

ଆଜି ବନ୍ଧପଡ଼ା–ଠାରୁ ଚିଠି ପାଇଲି । –ରୁପ୍ରା ଆସିଥିଲେ ଏବଂ ତାଙ୍କ ସହିତ ତୁମର ଓ–ର ବଚସା ହେଲା ବୋଲି ଶୁଣିଲି । ଆମେ ଏସବୁ କରିବା ନାହିଁ । ସବୁ ପ୍ରକାରର କଟୁ ମନ୍ତବ୍ୟ ସହ୍ୟ କରିବା । ତେବେ ଯାଇ ସମସ୍ତଙ୍କୁ ସୁହୃତ ଭାବରେ ଆମ ଆଡ଼କୁ ଜୟ କରି ଆଣିବା । ଆମ ସହିତ ସମସ୍ତେ ଯେ ଏକମତ ହେବେ, ସେପରି ଭାବିବା ମଧ୍ୟ ଏକ ଅହଂକାର ପରି ହେବ । ତେଣୁ ଆମେ ବିନୟ ଅବଲମ୍ବନ କରିବା । ନିଜର କର୍ମଧାରାରେ କୌଣସି ସାଲିସ୍ କରିବା ନାହିଁ, ମାତ୍ର ଅନ୍ୟମାନଙ୍କ ପ୍ରତି ସହିଷ୍ଣୁ ହେବା ।

 

ଭୁବନେଶ୍ୱର, ୧୭।୮।୯୦

 

...ରୁପ୍ରାରେ ତୁମମାନଙ୍କୁ ମାଧ୍ୟମ କରି ସ୍ଵପ୍ନଟିଏ ମୁକୁଳିତ ହୋଇ ଉଠୁଛି, ଆମ ସମସ୍ତଙ୍କ ପକ୍ଷରେ ଏହା ଅତ୍ୟନ୍ତ ଗୌରବର ବିଷୟ । ତୁମମାନଙ୍କର କାର୍ଯ୍ୟ ତୁମମାନଙ୍କୁ ବୁଢ଼ା ହେବାରୁ ବଂଚାଇ ରଖୁ । ବୁଢ଼ା ହେଲେ ହିଁ ଯାବତୀୟ ବିଭେଦ ଓ ଉପଦ୍ରବର ସୃଷ୍ଟି ହୁଏ । ମୁଁ ତ ଇତିମଧ୍ୟରେ କହି ସାରିଲିଣି । ମୁଁ ମଧ୍ୟ ସେଠାରେ ତୁମମାନଙ୍କ ସହିତ ସର୍ବଦା ରହିଛି, ଅନେକ ସମୟରେ ସେହିଭଳି ଅନୁଭବ ହେଉଛି । ମୁଁ କେତେ ଲୋଭୀ, ସେ କଥା ଅନୁଭବ କରିବ ।

 

ଭୁବନେଶ୍ୱର, ୨।୯।୯୦

 

.....ଓଡ଼ିଶା ମାତୃକର୍ମୀ–ସଂଗଠନରେ ତେର ଜିଲ୍ଲାରୁ ଯେଉଁ ତେରଜଣ ବ୍ୟକ୍ତି ସଂଗଠନର ଦାୟିତ୍ୱରେ ଅଛନ୍ତି, ସେମାନଙ୍କୁ ଏକତ୍ର ଏକ ଅଧ୍ୟୟନ-ଶିବିରରେ ରୁଣ୍ଡ କରାଇବା କଥା ମୁଁ ପ୍ରାୟ ବର୍ଷକ ତଳେ ବାବାଜୀ ମହାରାଜଙ୍କୁ ଲେଖିଥିଲି । ସେ ପ୍ରଭାବଟିକୁ ଉତ୍ତମ ବୋଲି କହି ତାହା ଅବଶ୍ୟ ହେବା ଉଚିତ ବୋଲି ଉତ୍ତର ଦେଲେ । ତେର ଜଣଙ୍କର ତାଲିକା ଯୋଗାଡ଼ କରିବାରେ ମୋତେ ଏତେ ଦିନ ଲାଗିଗଲା । ....ଭାବୁଛି, ବହୁଦିନୁଁ କଳ୍ପନାରେ ରହିଥିବା ସେହି ଶିବିର ରୁପ୍ରାରେ ହେଉ । ତୁମେ ବ୍ୟବସ୍ଥା କର ଓ ଏଇ ଦିନୁଁ ତେର ଜଣଙ୍କ ପାଖକୁ ପତ୍ର ଲେଖା ଆରମ୍ଭ କରିଦିଅ ।

☆☆☆

 

ଶ୍ରୀଯୁକ୍ତ ଗଙ୍ଗାଧର ଦାସ

 

(ଶ୍ରୀ ଗଙ୍ଗାଭାଇ ସୈନ୍ୟବାହିନୀରେ ଥିଲେ ଏବଂ ତେଣୁ ଫେରି ପୂର୍ଣ୍ଣାଙ୍ଗ ଶିକ୍ଷାରେ ଜଡ଼ିତ ହୋଇପଡ଼ିଲେ । ପାରଳାଖେମୁଣ୍ଡି ଶିକ୍ଷାକେନ୍ଦ୍ରରେ ବିଏ ଏକାଧାରରେ ଶିକ୍ଷକ ଓ ପରିଚାଳକ-। ସମ୍ଭବତଃ ସେହି କାରଣରୁ ଏକ ଭିନ୍ନ ଧାତୁର ଶିକ୍ଷକ ତଥା ଭିନ୍ନ ଧାରାର ପରିଚାଳକ-। ଭିତରେ ଜିଜ୍ଞାସୁଟିଏ, ସୈନିକଟିଏ; ଏବଂ ଉପରେ ଭାରି ଥିର ସହକର୍ମୀଟିଏ ।)

 

ଭୁବନେଶ୍ୱର, ୩୦।୯।୯୪

 

ଇଂରାଜୀ ପଢ଼ିଲେ ଇଂରାଜୀ ଭଲ ହେବ ଓ ଭଲ ପଢ଼ାଇ ହେବ । ଆପଣଙ୍କ ପାଠାଗାରରେ ମଧ୍ୟ କିଛି ଇଂରାଜୀ ପୁସ୍ତକ ଅଛି । ଆପଣ ସେଗୁଡ଼ିକୁ ଅବଶ୍ୟ ପଢ଼ି ପାରିବେ । ମାତ୍ର, ଭିତରେ ଡର ରହିଥିଲେ ତାହା ସର୍ବଦା ପ୍ରତିବନ୍ଧକ ପରି କାର୍ଯ୍ୟ କରୁଥିବ । ଭିତରେ ଡର ଥିଲେ ଆପଣ ନିଜେ ପଢ଼ାଉଥିବା ପିଲାମାନଙ୍କୁ ମଧ୍ୟ ପାଠଆଡ଼କୁ ଉଚିତ ଭାବରେ ଉତ୍ସାହିତ କରି ପାରିବେ ନାହିଁ । ଏକ ସ୍ଵାଭାବିକ ଖୁସୀ ପାଇଁ ସମ୍ମତ ହେଉଥିବା ସଂଗେ ସଂଗେ ଡରମାନେ ଛାଡ଼ି ପଳାଇବେ ।

 

ଭୁବନେଶ୍ୱର, ୧।୧୦।୯୫

 

....ଏଥର ଶ୍ରମ ଶିବିରକୁ କୌଣସି ସ୍ୱତନ୍ତ୍ର ବହି ବାହାରିବ ନାହିଁ । ମାତ୍ର, ‘ସୁହୃତ୍’ ପତ୍ରିକାଟି ବାହାରିବ । ସେଇଟିକୁ ଆମେ ସମସ୍ତେ ଲେଖା ଦେଇ କିଞ୍ଚତ୍ ବଡ଼ କରି ବାହାର କରିବା-। ପ୍ରଧାନତଃ ପୂର୍ଣ୍ଣାଙ୍ଗ ଶିକ୍ଷା ନେଇ ଆମ ବ୍ୟକ୍ତିଗତ ଓ ସାମୂହିକ ଅନୁଭୂତିକୁ ଭିଭି କରି ଆମେ ଲେଖାଗୁଡ଼ିକୁ ଲେଖିବା । ...କାଲି କଟକ meetରେ ମୋ’ର ଯେତିକି ଅନୁଭବ ହେଲା, ଅସଲ ସମସ୍ୟାଗୁଡ଼ିକୁ ଆମେ ନାନାକାରଣରୁ ବ୍ୟକ୍ତ କରି ପାରୁନାହୁଁ ବୋଲି ଅଧା ଅଧା ବୁଝିଥିବା ଦର୍ଶନ ଓ ଉଚ୍ଚ କଥାଗୁଡ଼ାକୁ କହି ନିଜକୁ ଲୁଚାଇ ରଖୁଛୁ ।

 

‘ସୁହୃତ୍’ ପତ୍ରିକା ଅନ୍ତତଃ ସେହି ଅଭାବଟିକୁ କିଞ୍ଚିତ୍ ପରିମାଣରେ ପୂରଣ କରୁ ।

 

ଭୁବନେଶ୍ୱର, ୯।୪।୯୬

 

...ନିରପେକ୍ଷ ହେବାକୁ ଆଦୌ ଚେଷ୍ଟା କରିବେ ନାହିଁ । ତେବେ କ୍ରମେ ଜଣେ ପୁରାତନପନ୍ଥୀ ବାବାଜୀରେ ପରିଣତ ହୋଇଯିବେ । ଦୁଇ ପଟକୁ ଅନୁରାଗ ବିସ୍ତୃତ ହୋଇ ରହିଥିବ । ଆପଣ ଦୁଇ ପଟ ସହିତ ଅଧିକରୁ ଅଧିକ କ୍ଷୋଭ ଶୂନ୍ୟ ଭାବରେ ବାନ୍ଧି ହୋଇ ରହିଥିବେ ।

 

ଭୁବନେଶ୍ୱର, ୮।୭।୯୬

 

ମୁଁ କାହା ଉପରେ ରାଗେ ନାହିଁ । ମୋ’ର ମତଟାକୁ କେବଳ ଦୃଢ଼ ଭାବରେ କହି ଦେଇଥାଏ । ମତଟି ମଧୁର ନଲାଗିଲେ ସମସ୍ତେ କହନ୍ତି ମୁଁ ରାଗିଲି ବୋଲି । ଯଦି ମତ ସହିତ ମତ ନମିଳିଲା, ତେବେ ସେହି ଅନ୍ୟ ମତ ବ୍ୟକ୍ତ କରାଯାଉଥାନ୍ତା, ବିତର୍କ ହେଉଥାନ୍ତା । ତାହା ସମସ୍ତଙ୍କର ଅଗ୍ରଗତିରେ ସାହାଯ୍ୟ କରି ପାରୁଥାନ୍ତା । ବିତର୍କ ଅଭାବରୁ ଆମର ତଥା ଆମ କାର୍ଯ୍ୟର ଅଗ୍ରଗତି କିପରି ନାନାଭାବେ ବାଧାପ୍ରାପ୍ତ ହେଉଛି, ତାହା । ଆପଣ ଲକ୍ଷ୍ୟ କରି ଆସୁଥିବେ ।

☆☆☆

 

କୁମାରୀ ଗୀତାଞ୍ଜଳି ଦାସ

 

(ଗୀତା ଅପା ଆମ ପାରଳାଖେମୁଣ୍ଡି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରାୟ ମୂଳରୁ ହିଁ ଅଛନ୍ତି । ବେଳେ ବେଳେ ସେହି ଶିକ୍ଷାକୁଟୁମ୍ବଟିରେ ଅଧ୍ୟକ୍ଷ ମଧ୍ୟ ହୋଇଛନ୍ତି । ସିଏ ଯେ ଏଠା ଛାଡ଼ି ଆଉ ମୋଟେ କୁଆଡ଼େ ଯିବେ ନାହିଁ, ତାଙ୍କର କଥା ଶୁଣିବା ମାତ୍ରକେ ସେ କଥା ସୃଷ୍ଟ ଜାଣି ହୋଇଯାଏ । ଭିତରେ ବହୁତ ଭରସା ଆସେ ।)

 

ଭୁବନେଶ୍ୱର, ୨୪।୧।୯୫

 

...ତୁମେ ପିଲାମାନଙ୍କୁ ପଢ଼ାଇବାର ରୀତିରେ ସର୍ବଦା ନୂଆ କଥାସବୁ ଭାବୁଛି ଓ ନୂଆ ପ୍ରୟୋଗମାନ କରୁଛି, ଏହା ଜାଣି ମୋତେ କେତେ ନା କେତେ ଖୁସୀ ଲାଗୁଛି । ଶିକ୍ଷକ ଆହୁରି ଆହୁରି ଆଗକୁ ଦେଖି ପାରୁଥିଲେ ପିଲାମାନେ ମଧ୍ୟ କ୍ରମେ ଅନ୍ୟ ପ୍ରକାରେ ଚିନ୍ତା କରିବେ ଓ ଅଗ୍ରସର ହୋଇପାରିବେ । ବ୍ୟାଧି ପରି ଗୁଣଗୁଡ଼ିକର ମଧ୍ୟ ସଂକ୍ରମଣ ହୋଇଥାଏ ।

 

ଭୁବନେଶ୍ୱର,୩୦।୪।୯୫

 

...ଯେଉଁ ଭାଇମାନେ ନର୍ସରୀ କ୍ଲାସ୍‌ର ପିଲାମାନଙ୍କୁ ସମ୍ଭାଳି ପାରିବେ ନାହିଁ ବୋଲି ନିଜେ ସନ୍ଦେହ କରୁଥାନ୍ତି, ସାଧାରଣତଃ ସେହିମାନେ କେବଳ ଭଉଣୀମାନଙ୍କୁ ହିଁ ପୂରା ଦାୟିତ୍ୱ ଦେବାକୁ ଚାହାନ୍ତି । ପାଶ୍ଚାତ୍ୟ ସମାଜରେ କାହିଁକି ଝିଅମାନେ ହିଁ ତଳ କ୍ଲାସରେ ପଢ଼ାନ୍ତି, ତା’ର ଅନ୍ୟ କାରଣ ଅଛି । ଆମ ଶିକ୍ଷାତତ୍ତ୍ଵ ତ ଅଧିକାଂଶ ସମୟରେ ପାଶ୍ଚାତ୍ୟ ଅନୁଭବ ଉପରେ ଆଧାରିତ ବହି ଅନୁସାରେ ଗଢ଼ା ହୋଇଥାଏ ।

 

ନିଜକୁ ପିଲାମାନଙ୍କୁ ଲାଗି ଅଧିକରୁ ଅଧିକ ପୂର୍ଣ୍ଣ ଭାବରେ ତିଆରି କରିଥିବ, ପିଲାମାନେ ତୁମ ମନ ଅନୁସାରେ କ’ଣ କଲେ ବା ନ କଲେ, ତା’ ଉପରେ ନଜର ରଖିବ ନାହିଁ । ସାମାଜିକ ପାଠରେ ପିଲାଏ ଯଦି ପ୍ରଶ୍ନ ପଚାରୁଛନ୍ତି, ତେବେ ତାହା ହିଁ ତୁମର ସର୍ବଶ୍ରେଷ୍ଠ ସଫଳତା-। ସବୁ ଶ୍ରେଣୀରେ, ନବମ ସମେତ, ଏହିପରି ପ୍ରଶ୍ନ ହିଁ ଆପେ ଆପେ ଉତ୍‌ଥାପିତ ହେଉଥିବା ଉଚିତ-

 

ଭୁବନେଶ୍ୱର, ୯।୯।୯୫

 

....ସେଠାରେ ଯାହା କିଛି ଭଲ ବା ମନ୍ଦ, ସମସ୍ତେ ଏକାଠି ବସି ଆଲୋଚନା କରିବ ଓ କିଛି ନିଷ୍ପତ୍ତି ନେବ । ଶିକ୍ଷାକେନ୍ଦ୍ରରେ ଆମକୁ ପିଲାମାନେ ହିଁ ସବାଆଗ ଦେଖା ଯାଉଥବେ ଏବଂ ତାଙ୍କରି ହିତରେ ଯାବତୀୟ ନିଷ୍ପତ୍ତି ନିଆ ହେବ । ଅନେକ ସମୟରେ ବୟସ୍କମାନେ ତାହା କରି ପାରନ୍ତି ନାହିଁ ।

 

ଭୁବନେଶ୍ୱର, ୧୬।୧।୯୬

 

.....ଶିକ୍ଷକ-ବୈଠକର କାର୍ଯ୍ୟକ୍ରମ ଟ୍ରଷ୍ଟର କାର୍ଯ୍ୟକାରୀ ସମିତି ସ୍ଥିର କରିବ । କାର୍ଯ୍ୟକାରୀ ସମିତିରେ ଆମ ଅପା ଭାଇମାନେ ଯଥେଷ୍ଟ ସଂଖ୍ୟାରେ ରହିଛନ୍ତି । କେଉଁସବୁ ବିଷୟରେ ଆଲୋଚନା ହେବା ସବୁଠାରୁ ଅଧିକ ଆବଶ୍ୟକ, ସେମାନେ ସେହି ଅନୁସାରେ କାର୍ଯ୍ୟକ୍ରମ ତିଆରି କରୁଥାନ୍ତେ । ଆବଶ୍ୟକ ମନେ କଲେ ଶିକ୍ଷାକେନ୍ଦ୍ରମାନଙ୍କୁ ମଧ୍ୟ ଏ ବିଷୟରେ ପ୍ରସ୍ତାବ ପଠାଇବାକୁ କହୁଥାନ୍ତେ । ତେବେ, ଯାହା କାର୍ଯ୍ୟକ୍ରମ ହୁଅନ୍ତା, ତାହା ଆମର ମନୋମତ ହୋଇପାରନ୍ତା । କୌଣସି ଉତ୍ତମ ସଂଗଠନରେ ଆଦୌ କିଛି ହେଲେ । ଉପରୁ ଲଦାଯିବା ଉଚିତ ନୁହେଁ । ବିଶେଷତଃ, ଯେଉଁଠି ଶିକ୍ଷକମାନଙ୍କ ଉପରେ କିଛି ବାହାରୁ ଆଣି ଲଦି ଦିଆଯାଉଥିବ, ସେଠାରେ ଛାତ୍ରମାନଙ୍କ ଉପରେ ମଧ୍ୟ ନିଜର କଥାଗୁଡ଼ିକୁ ଲଦିଦେବା ସକାଶେ ଶିକ୍ଷକମାନଙ୍କ ଭିତରେ ସର୍ବଦା ପ୍ରବୃତ୍ତି ରହିଥିବ ।

 

ଆଦର୍ଶ ମଣିଷ କହିଲେ ତୁମେ କ’ଣ ସବୁ ବୁଝୁଛ ? ପ୍ରତ୍ୟେକ ମଣିଷ ତା’ ଆଦର୍ଶର ବିସ୍ତାର, ଗଭୀରତା ଓ ଉଚ୍ଚତାକୁ ଠିକ୍ କରିବ ଓ ସେହି ଅନୁସାରେ ପ୍ରସ୍ତୁତ ହେବ । ଆମେ ଶିକ୍ଷକ ବା ବଡ଼ ହିସାବରେ ଆମ ପିଲାମାନଙ୍କୁ ଏଥିଲାଗି ଆବଶ୍ୟକ ପରିବେଶ, ପୁଞ୍ଜି ଏବଂ ଉତ୍ସାହ ଯୋଗାଇ ଦେବାକୁ ଚେଷ୍ଟା କରୁଥିବା । ସେମାନଙ୍କ ଠାରୁ କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚ ଅନୁସାରେ ଆଦୌ କିଛି ଦାବି କରିବା ନାହିଁ । ସେମାନେ ଯେପରି । ଆମ ଦ୍ୱାରା ଉଦ୍‌ବୁଦ୍ଧ ହୋଇ ଆମ ଛାଞ୍ଚରେ ପଡ଼ି ନଯାନ୍ତି, ସେଥିଲାଗି ସାବଧାନ ରହିଥିବା । ଏ, ନିଜ ବାଟରେ ଯିବା ପାଇଁ ପ୍ରତ୍ୟେକ ମନୁଷ୍ୟର ଯେଉଁ ଖୁସୀ ଓ ବଳ ସର୍ବଦା । ଦରକାର, ଆମେ ସେମାନଙ୍କ ଭିତରେ ଯେପରି ସେହି ଖୁସୀ ଓ ବଳ ରହିବ, ସେଥିଲାଗି ଧାନ ଦେବା ଓ ପୂର୍ଣ୍ଣ ସହାନୁଭୂତି ସହିତ ସେମାନଙ୍କର ବିଚାର କରିବା । ପୁନଶ୍ଚ, ଆମ ଭିତରେ ଯଦି ନାନାବିଧ ଦୃନ୍ଦ, ଅନିଶ୍ଚୟତା ଓ ଅସନ୍ତୋଷ ଆମକୁ ନିରନ୍ତର ସନ୍ତପ୍ତ କରି ରଖିଥିବ, ତେବେ ଆମେ ଏହି କାର୍ଯ୍ୟରେ ବେଶୀ ସଫଳ ହେବା ନାହିଁ । ଅସଲ କଥାଟିଏ ହେଉଛି, ନିଜ ଭିତରେ ଦ୍ଵନ୍ଦ୍ଵ ଓ ସନ୍ତାପ ସହିତ ଯୁଦ୍ଧ କରୁଥିବା ବ୍ୟକ୍ତିମାନେ ହିଁ ପିଲାମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଛାଞ୍ଚ ଓ ଆଦର୍ଶକୁ ନେଇ ଲଦି ଦେବାର ଚେଷ୍ଟା କରନ୍ତି ।

 

ଭୁବନେଶ୍ୱର, ୪।୮।୯୬

 

...ପାଠଚକ୍ର ଓ ଶିକ୍ଷାକେନ୍ଦ୍ର ପରସ୍ପରର ପ୍ରତିଦ୍ୱନ୍ଦୀ ନୁହନ୍ତି । ସେମାନେ ପରସ୍ପରର ପରିପୂରକ । ଆମେ କେଉଁଟାକୁ ହେଲେ ଉଚିତ ସାମର୍ଥ୍ୟ ସହିତ କରିପାରୁନୁ ବୋଲି । ଆମକୁ ଦୁହେଁ ଅଲଗା ଲାଗୁଛନ୍ତି ଏବଂ ଆମେ ସଂପୃକ୍ତ ମଣିଷମାନେ ମଧ୍ୟ ପ୍ରାୟ ଦୁଇ ଭାଗରେ ବିଭକ୍ତ ହୋଇ ରହିଛନ୍ତି । ଆମ ନିଜର ସତତ ଅଭିବୃଦ୍ଧି ହେଉ ନାହିଁ ବୋଲି ଏପରି ହେଉଛି । ମଣିଷର ଆଖି ଯେତିକି, ତା’ର ପ୍ରଭୁ ମଧ୍ୟ ସେତିକି ।

 

ଭୁବନେଶ୍ୱର, ୧୯।୯।୯୬

 

ସାଧୁଶବ୍ଦ ଲଗାଇ କହିଲେ କ’ଣ ଭାଷା ଉନ୍ନତ ହୋଇଯାଏ ? ସରଳ ଶବ୍ଦରେ କ’ଣ ଉନ୍ନତ ଭାବକୁ ପ୍ରକାଶ କରି ହୁଏ ନାହିଁ ? ଜଣେ ଯାହା କହୁଛି, ଯଦି ସିଏ ତାକୁ । ଗଭୀର ଭାବରେ ଅଙ୍ଗେ ନିଭାଇଥିବ ଓ ଆତ୍ମସ୍ଥ କରିଥିବ, ତେବେ ଭାଷା ସେତିକି ସରଳ ହେବ । ବରଂ, ନିଜେ ଭଲ କରି ନବୁଝିଥିଲେ ତାହାକୁ କହିବାକୁ ଯାଇ ସାଧୁଶବ୍ଦଗୁଡ଼ିକୁ । ଆଣି ଯୋଡ଼ିବାକୁ ଇଚ୍ଛା ହେବ ।

 

ନିଜକୁ ସାବଲୀଳ ଓ ସହଜ ଭାବରେ ପ୍ରକାଶ କରିବା ହିଁ ଆମ ଜୀବନର ଲକ୍ଷ୍ୟ ହେଉ-। କିଏ କ’ଣ କହିଲା, ସେଥିରେ ଚହଲିଯିବା ଉଚିତ ନୁହେଁ ।

☆☆☆

 

ଶ୍ରୀ ଚନ୍ଦନ କୁମାର ସିଂହ

 

(ଶ୍ରୀମାନ୍ ଚନ୍ଦନ ସହିତ ଭେଟ ଗୋଟିଏ ଶ୍ରମ-ଶିବିରରେ । ମଝିରେ ଏହି ପନ୍ଦରବର୍ଷ ଭିତରେ ସତେଅବା ଏକ କୌଟୁମ୍ବିକତାର ଡୋର ତାକୁ ଆମ ସହିତ କେତେ ନିକଟରେ ଆଣି ପହଞ୍ଚାଇ ଦେଇଛି । ଏହି ଗୁଚ୍ଛର ଦ୍ୱିତୀୟ ଚିଠି ଶ୍ରୀମତୀ ବିଳାସିନୀ ସିଂହଙ୍କୁ ଲେଖା ହୋଇଥିଲା । ସିଏ ହେଉଛନ୍ତି ଚନ୍ଦନର ମାଆ)

 

ଜୁନାଗଡ଼, ୨।୩।୮୮

 

...ରବୀନ୍ଦ୍ର-ସଂଗୀତ ଭୁଲି ହୁଏନାହିଁ । ଜଣକୁ ଥରେ ଭଲ ପାଇଲେ ଯେମିତି ମୋଟେ ଭୁଲି ହୁଏନାହିଁ, ଏ କଥା ଠିକ୍ ସେମିତି । ଗୀତ ଗାଇ ନପାରୁଥିଲେ ମଧ୍ୟ ତଥାପି ଭୁଲି ହୁଏନାହିଁ । ଗୀତ ଗାଇବା ବିଷୟରେ ମଧ୍ୟ, କିଏ ଯେ କେତେବେଳେ ଗୀତ ଗାଇବାକୁ ଆରମ୍ଭ କରିବ, ସେକଥା ଆଦୌ କହି ହେବନାହିଁ । ମୁଁ ମୋ’ ଜୀବନର ୧୮।୧୯ ବର୍ଷ ପର୍ଯ୍ୟନ୍ତ କେବେ ଗୀତ ଗାଇନଥିଲି । ତା'ପରେ ହଠାତ୍ କେଉଁଠାରେ କ’ଣ ଖୋଲିଗଲା କେଜାଣି, ଗୀତ ଗାଇ ପାରିଲି । କୌଣସି ଓସ୍ତାତଙ୍କ ଠାରୁ ତାଲିମ ପାଇ ନୁହେଁ, ମନକୁ ମନ, କେବଳ ଭିତରୁ ଏକ ସ୍ୱାଭାବିକ ଖୁସୀର ପ୍ରେରଣା ପାଇ ଗୀତ ଗାଇ ପାରିଲି । ତେଣୁ, କୃତଜ୍ଞ ଭାବରେ ମୁହୂର୍ତ୍ତଗୁଡ଼ିକ ଲାଗି ଅପେକ୍ଷା କରିବାକୁ ପଡ଼େ । ତେବେ ମୁହୂର୍ତ୍ତଗୁଡ଼ିକ ଆସି ପହଞ୍ଚିଯାଏ ।

 

ଭୁବନେଶ୍ୱର, ୨୬।୩।୮୯

 

...ଅଧିକ ପଢ଼ିବା ପାଇଁ ଓ ଜାଣିବା ପାଇଁ ବୟସ କଦାପି ବାଧା ଦେବନାହିଁ । ତେଣୁ ଆପଣ ଆଜି ଚାହିଁଲେ ଆଜି ତାହା କରିପାରିବେ । ଘରର କାମକୁ ଅଧିକ ସରଳ। କରି ନିଶ୍ଚୟ କିଛି ସମୟ ବାହାର କରିପାରିବେ । ଚନ୍ଦନ ଓ ଆପଣଙ୍କର ଅନ୍ୟ ପୁଅଝିଅମାନେ ଆପଣଙ୍କୁ ବହି ଆଣି ଯୋଗାଇଦେବେ । ଆପଣଙ୍କର କର୍ମଭାର ଲାଘବ କରିବା ଲାଗି ସେମାନେ ମଧ୍ୟ ଘର କାମରେ କିଛି କିଛି ଭାଗ ନେବେ ।

☆☆☆

 

କୁମାରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର

 

(ଭଉଣୀ ଜ୍ୟୋସ୍ନା ନିଜର ସର୍ବବିଧ ଆସ୍ପୃହାରେ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ବାରି ହୋଇପଡ଼ନ୍ତି । ସତେଅବା ଆଉ କେଉଁଠି କେଉଁ ଐକାନ୍ତିକଟିଏ ସହିତ ନିଜକୁ ଗଅଁଠାଇ ରଖିଥାନ୍ତି, ଯାହାକି ତାଙ୍କୁ ବାରମ୍ବାର ଏହି ପୃଥିବୀଟି ଆଡ଼କୁ ମଧ୍ୟ ଟାଣି ଆଣିବାରେ ଲାଗିଥାଏ । ଯାବତୀୟ ଅର୍ଥରେ ଏକ ଅଧାତ୍ମସଂବେଦନା ମଧ୍ୟରେ ସତତ କ୍ରିୟାଶୀଳ ଏକ ଜୀବନ । ବର୍ତ୍ତମାନ ବ୍ରହ୍ମପୁରରେ ଏକ ଅଭିନବ ପାଠଶାଳା ତାଙ୍କର କର୍ମକ୍ଷେତ୍ର ।)

 

ଭୁବନେଶ୍ୱର, ୨୬।୬।୯୧

 

...ମୋ’ ଭିତରେ କେଉଁଠି କ’ଣ ବିକର୍ଷଣଶକ୍ତି ରହିଛି, ଯେଉଁ କାରଣରୁ କି କିଏ ମୋତେ ସବୁ କହି ପକାଇବ ବୋଲି ଇଚ୍ଛା କରି ମଧ୍ୟ କହି ପାରେନାହିଁ । ସେହି ବିଷୟରେ ଚିନ୍ତା କରୁଛି । ମାତ୍ର, ସବୁଠାରୁ ଭଲ କଥା ହେବ, ଏହି ପୁରୁଣା ଚିତ୍ରକଳ୍ପଗୁଡ଼ାକୁ ଛାଡ଼ି ନିର୍ମଳ ନିଷ୍ପଳ ମନରେ ପରସ୍ପରକୁ ଆଗକୁ ଯିବାରେ ସାହାଯ୍ୟ କଲେ ।

 

ଭୁବନେଶ୍ୱର, ୨୨।୧।୯୨

 

...ଭେଡ଼େନରେ ଆମେ ଏକାଠି ଏତେ ଦିନ ରହିଲେ, ତଥାପି ତୁମର ଯାହାସବୁ କହିବାର ଥିଲା, ତୁମେ ତାହା କହି ପାରିଲ ନାହିଁ । ସେହି କାମ ଭିତରେ ତୁମେ କେତେବେଳେ ଆଗକୁ ମାଡ଼ି ଆସିଥାନ୍ତ ଓ ଦେଖିଥାନ୍ତ, ମୁଁ ସ୍ନେହମମତା ପାଖରେ ଅତ୍ୟନ୍ତ ସ୍ୱାଭାବିକ ଭାବରେ କେତେ ବାଧ୍ୟ । ଏତିକି ବ୍ୟତୀତ ମୋ’ର ଆଉ ଅଛି ବା କ'ଣ ? ସେତିକି ଅଛି ବୋଲି ସବୁ ଅଛି ।

 

...ଏହି ଚିଠିରେ ତୁମେ ଯେତିକି ଧାଡ଼ୀ କବିତା ଲେଖି ପଠାଇଛି, ସେସବୁ ଖାଲି କବିତା ହିସାବରେ ମଧ୍ୟ କେଡ଼େ ଚମତ୍କାର ହୋଇଛି । ମୁଁ ଯଦି ଏମିତି ଲେଖି ପାରୁଥାନ୍ତି, ତେବେ ସବୁ ଛାଡ଼ି କବିତା ଲେଖନ୍ତି, କବିତା ଲେଖି ଭଗବାନଙ୍କୁ ପାଆନ୍ତି । ଦୁନିଆଯାକର ସବୁ ମଣିଷଙ୍କୁ ଆପଣାର କରି ପାଆନ୍ତି । ସତକୁ ସତ ସବୁ ପାଆନ୍ତି । ତୁମେ କାହିଁକି ସେଦିଗରେ ଅଧିକ ସମୟ ଦେବନାହିଁ ? କିଏ ତୁମକୁ ବାନ୍ଧିକରି ରଖୁଛି ଓ ଆଗକୁ ଯିବାକୁ ଦେଉନାହିଁ ? ...ତୁମର ଧାଡ଼ୀଗୁଡ଼ିକ ପଢ଼ିବା ସମୟରେ ରବୀନ୍ଦ୍ରନାଥ ମନେ ପଡ଼ି ଯାଉଥିଲେ, ହିନ୍ଦୀ ସାହିତ୍ୟର ମହାଦେବୀ ବର୍ମା ମନେ ପଡ଼ି ଯାଉଥିଲେ । ଭୂତଙ୍କ ସହିତ ନାଆଁ ଲେଖାଇଲଣି ଯେତେବେଳେ, ଅସୁରପରି ଶକ୍ତିରେ କାହିଁକି ନିଜର ଆଗକୁ ଓ ନିଜର ଗଭୀରକୁ ମାଡ଼ି ଯାଇପାରୁନ ? ଯଦି ପାଖରେ ଥାଆନ୍ତି, ତେବେ ପୂରା ଗାଳି ଦେଉଥାନ୍ତି; ତୁମମାନଙ୍କୁ ରନ୍ଧା ଚର୍ବ୍ୟ ଚୋଷ୍ୟ ଖାଉଥାନ୍ତି ଓ ଗାଳି ଦେଉଥାନ୍ତି ।

 

ଭୁବନେଶ୍ୱର, ୨।୧।୯୧

 

...ସଂସାରଟା ସତକୁ ସତ ବିଚିତ୍ର । ଆମେ ପରିପୂର୍ଣ୍ଣ ଆନ୍ତରିକତା ସତ୍ତ୍ୱେ ତଥାପି ବାଡ଼ ଏପାଖରେ ରହିଥାଉ । ସେପାଖରେ ସମସ୍ତ ପ୍ରକାର creativity, ନୂଆ ଆଖି ସହିତ ଜନ୍ମ ହେବାର ଏବଂ ନୂଆ ଅନୁରାଗ ସହିତ ଆପଣାକୁ ଭଗବାନଙ୍କ ପାଇଁ ଦେଇ ପାରିବାର ସକଳ ସମ୍ଭାବନା ଆମକୁ କେଡ଼େ ଆଦରର ମାଆଟି ପରି ଡାକୁଥାଏ । ହୁଏତ ଭିତରେ ସବୁ ପ୍ରସ୍ତୁତ ଥାଏ, ତଥାପି ଆମେ ବାଡ଼ଟିକୁ ଡେଇଁ ପାରୁନାହିଁ । କାହିଁକି ଡେଇଁ ପାରୁନାହିଁ ବୋଲି ଆମ ଭିତରର ପଣ୍ଡିତ ଶାସ୍ତ୍ରର ପ୍ରମାଣ ଦେଖାଇ ଆମକୁ ପ୍ରବୋଧନା ଦେଇ ଅଟକାଇ ରଖୁଥାଏ । ସେହି ପଣ୍ଡିତଟା ମଧ୍ୟ ଆମ ଭିତରେ ଥିବା କେଉଁ ମୂଳଭୂତ ଅନିଚ୍ଛାର ପାଟମନ୍ତ୍ରୀ ହୋଇ କାମ କରୁଥାଏ । ଏହିପରି ଭାବରେ ଉଚ୍ଛୁର ହୋଇଯାଏ । ତା’ପରେ ଆମେ ଆମର ସକଳ ପ୍ରଜ୍ଞା ସହିତ ମାୟାବାଦୀ ହେଉ, ସଂଶୟବାଦୀ ହୋଇ ରହିଯାଉ ।

 

ଓଡ଼ିଶାରେ କେଡ଼େ ଉତ୍ସାହରେ ଆମେ ଗୋଷ୍ଠୀଟିଏ ତିଆରି କଲୁ । ଏବଂ, ମାତ୍ର ଏହି ଅଳ୍ପ କେତେଟା ବର୍ଷରେ ଆମେ ତଥାପି ବାଡ଼ ଏପାଖରେ ହିଁ ରହିଯିବାକୁ ନିଷ୍ପତ୍ତି ଗ୍ରହଣ କରି ପକାଇଲୁ କି ?

 

...ନାନୀ ତ ତପସ୍ୟାରତା ଥିବେ । ଆମ ତପସ୍ୟା ଟିକିଏ ଭିନ୍ନ ପ୍ରକାରର । ଆମ ତପସ୍ୟା ହେଉଛି to be conscious of the whole world at the same time, –ତାହା ହିଁ ରମ୍ୟରଚନାର ମଧ୍ୟ ସବୁଠାରୁ ବଡ଼ challenge, –ନାନୀଙ୍କୁ କହିବ । ସାହିତ୍ୟିକ ପରମ୍ପରାର ସେହି ପୁରୁଣା ଅରମ୍ୟତାଗୁଡ଼ିକ ମଧ୍ୟରେ ରମ୍ୟରଚନାକୁ କଦାପି । ଅନ୍ତର୍ଭୁକ୍ତ କରି ଦେଖି ହେବନାହିଁ । ହେଲେ ବେରସିକତା ହେବ ।

 

ଭୁବନେଶ୍ୱର, ୧୮।୨।୯୨

 

...ପୃଥିବୀ ଆଦୌ ଦାରୁଣ ନୁହେଁ । ମଣିଷ ଭିତରେ କୋଉଠି ଗୋଟିଏ ପୃଥିବୀହିଂସୁକ ରହିଥାଏ, ତାହାହିଁ ମଣିଷକୁ ଘର ଭିତରେ କିଛି ହୋଇ ରହି ତଥାପି ପୃଥିବୀକୁ ଦାରୁଣ ବୋଲି କହିବାକୁ ପ୍ରରୋଚନା ଦେଉଥାଏ । ତୁମେ କ’ଣ ସେହିପରି ଏକ ଜାଲରେ ପଡ଼ି ଯାଇଛ କି? ଏବଂ, ଏ ଜାଲଟାକୁ ହୁଏତ ତୁମେ ନିଜେ ତିଆରି କରିଛି । ଅତ୍ୟନ୍ତ ମୋହମୁକ୍ତ ଅଥଚ ସହାନୁଭୂତିଶୀଳ ଭାବରେ ଚିନ୍ତା କରିବ । ତା'ପରେ ଜାଣିବ ଯେ, କୌଣସି କାରଣରୁ ଦାରୁଣ ହୋଇ ରହିବାକୁ ମନସ୍ଥ କରିଥିବା ବ୍ୟକ୍ତିମାନେ ପୃଥିବୀକୁ ଦାରୁଣ ବୋଲି କହନ୍ତି ଓ ସେଥିରୁ କିଛି ପୁଲକ ମଧ୍ୟ ଅନୁଭବ କରନ୍ତି ।

 

ମନୁଷ୍ୟର ସର୍ବପ୍ରଥମ କର୍ତ୍ତବ୍ୟ ନିଜକୁ ତିଆରି କରିବା । ଯିଏ ନିଜକୁ ଯେତେଯାଏ ତିଆରି କରିବାକୁ ଇଚ୍ଛା କରିଥିବ, ଭଗବାନ ତା’ଭିତରୁ ସେତିକି ଶକ୍ତିର ସଂଚାର ଅବଶ୍ୟ କରାଇବେ । ଏକଥା କେବେ ଚିନ୍ତା କରିଛ ? ତେବେ ଖେଦଗୁଡ଼ାକୁ ପ୍ରଗଳ୍‍ଭତାରେ ପରିଣତ କରି ସମୟ ଗଡ଼ାଇ ଦେବାକୁ ସମୟ ମିଳୁଛି କିପରି ?

 

—ର ଅସୁସ୍ଥତା କାହିଁକି ହେଲା ? ନିଜର ଉପସ୍ଥିତ ଅସଲ କାର୍ଯ୍ୟଟିକୁ ଛାଡ଼ି ଯଦି ସେ ଏଣେ ଆସି ନଥାନ୍ତା, ତେବେ ହୁଏତ ସୁସ୍ଥ ରହିଥାନ୍ତା । ଆପେ ତୀର୍ଥକାକ ପରି କେତେ ନିଜ ଜୀବନକୁ ଖୁମ୍ପି ଖୁମ୍ପି ହଇରାଣ କରୁଥିବା ? କେଉଁଦିନ ଭରା ଭଣ୍ଡାରରେ ଭଗବାନଙ୍କର ସଂସାର ଲାଗି ନିଜକୁ ନିବେଦିତ କରିଦେବାକୁ ସମ୍ମତ ହେବା ?

 

ବ୍ରହ୍ମପୁରରେ (ତୁମେ) ନାନୀ ଦୁହେଁ ଏକୁଟିଆ ଶୁଣିବେ ଓ ଚିତ୍ତଭାଇ ସେଥିଲାଗି ‘ଶିକ୍ଷା' ବହି ପଢ଼ିବେ,–ତୁମେ ଏହିପରି କିଛି ଭାବି ଏପରି ଏକ ପ୍ରସ୍ତାବ ଦେଇଛି କି ? ଆଉ କେଉଁମାନଙ୍କର ଏଥିରେ ଆଗ୍ରହ ଅଛି, କାହାକୁ ପଚାରି ବୁଝିଛ ? ଯେଉଁମାନେ ଚତୁର ହେବାକୁ ହିଁ ଚଳନ୍ତି ଜୀବନର ପରମଧର୍ମ ବୋଲି ମାନି ନେଇଥାନ୍ତି, ସେମାନଙ୍କୁ ଭଗବାନ ମଧ୍ୟ ପାରିବେ ନାହିଁ । ତୁମେ ନିଜେ ସେଠା ବନ୍ଧୁମାନଙ୍କୁ ପଚାରି ବୁଝିବ। ମୋତେ ଦୁଷ୍ଟ ଲୋକଙ୍କୁ ଆଦୌ ଡର ମାଡ଼େ ନାହିଁ । ଚତୁରମାନଙ୍କୁ ଭୟ ଲାଗେ । ଚତୁରମାନେ ହିଁ ପ୍ରୟୋଜନରେ ପଡ଼ି କପଟୀ ହୁଅନ୍ତି । ଯେଉଁଠାରେ ବନ୍ଧୁମାନେ ଡାକିବେ, ସେଠାକୁ ଯିବାରେ ମୁଁ କଦାପି କୁଣ୍ଠିତ ହେବି ନାହିଁ ।

 

ଭୁବନେଶ୍ୱର, ୬।୪।୯୨

 

...ଯାବତୀୟ ଆପଣାପଣ ପଛରେ ସବଳତମ ଅବଲମ୍ବନ ଭାବରେ...ଏକ ସ୍ଵତଃସ୍ପୂର୍ତ୍ତତା ରହିଥାଏ । ଅନେକ ସମୟରେ ମାନସିକ ଅଥବା ନୈତିକ ଗାଣିତିକତାର ବହୁ ଅଡ଼ୁଆରେ ଥାଇ ଆମେ ସେହି ସ୍ଵତଃସ୍ଫୁର୍ତ୍ତତାରୁ ନିଜକୁ ଦୂରରେ ରଖୁଥାଉ । ଗ୍ରହଣଶୀଳତାର କ୍ଷେତ୍ରରେ ଭାରି ପଛରେ ପଡ଼ି ରହିଥାଉ ।

 

ଯେଉଁଠି ଭଲ ପାଇବା, ଆପଣାର ବୋଲି ମନେ କରିବା ରହିଥାଏ, ସେଠାରେ ଏକ ଗଭୀର ବୁଝାମଣା ରହିଥାଏ । ତେଣୁ, ଏତେଟିକିଏ କଥାରେ ଆଦୌ ଆଘାତ ଲାଗେ ନାହିଁ ।... ନିଜ ଭିତରେ ଏତେ ବେଶୀ କିଛି ହୋଇ ରହିବା ଉଚିତ ନୁହେଁ । ଅନ୍ୟମାନଙ୍କ ଭିତରେ ପ୍ରବେଶ କରି ପାରିବା ଉଚିତ । ଏହା ମଧ୍ୟ ଏକ ସାଧନା—ଏଥିଲାଗି ସତକୁ ସତ । ମନ କରିପାରିବା ଉଚିତ। ତେବେ ଯାଇ ଆମେ ଅତି ସାଧାରଣ ସାଂସାରିକ ଭାବପ୍ରବଣତା ଗୁଡ଼ିକର ସ୍ତରରୁ ଯଥାର୍ଥ ଭାବମୟତାର କ୍ଷେତ୍ରକୁ ନିଜକୁ କ୍ରମଶଃ ସଂପ୍ରସାରିତ କରି ଆଣି ପାରିବା । ତଦ୍ଦ୍ୱାରା କେବଳ ଅନ୍ୟମାନଙ୍କର ନୁହେଁ, ନିଜର ମଧ୍ୟ ଏକ ଯଥାର୍ଥତର ପରିଚୟ ପାଇବା ସମ୍ଭବ ହୋଇଯିବ ।

 

ଆପଣା ଭିତରେ ଅନ୍ତର୍ନିହିତ ହୋଇ ରହିଥିବା ଶକ୍ତିକୁ ଉନ୍ମୋଚିତ କରିଆଣି, ତାହାରି ଦ୍ୱାରା ଅଧିକରୁ ଅଧିକ ସାମର୍ଥ୍ୟ ଲାଭ କରି ପୃଥିବୀରେ ଯଥୋଚିତ କୌଣସି କାର୍ଯ୍ୟରେ ଲାଗିବା, –ଆମେ ଏଇଥିରେ ହିଁ ସବୁଠାରୁ ଅଧିକ ଖୁସୀ ଅନୁଭବ କରି ଶିଖିବା । ଏହି ଯାତ୍ରାରେ ହିଁ ପରସ୍ପରକୁ ସାହାଯ୍ୟ କରିବା । ଅନାବଶ୍ୟକ ଭାବରେ ଅତିରିକ୍ତ ଅନ୍ତର୍ମୁଖୀ ହୋଇ ରହିଲେ ଆମ ଦ୍ଵାରା ତାହା ସମ୍ଭବ ହେବ ନାହିଁ । ନିଜେ ଅହେତୁକ ଭାବରେ ଗୁଡ଼ାଏ ଦୁଃଖ ପାଇବା ହିଁ ସାର ହେବ ।

 

ଭୁବନେଶ୍ୱର,୧୯।୧୨।୯୪

 

...ଊର୍ଦ୍ଧ୍ୱକୁ ଅଥବା ଗଭୀରକୁ ଗଲେ ମଣିଷ ଆଉ ମୋଟେ ଏକୁଟିଆ ହୋଇ ରହେନାହିଁ-। ସେଠାରେ ସେ ସଂସାର ଯାକର ଭେଟ ପାଏ ଏବଂ ସମସ୍ତଙ୍କ ସହିତ ଏକାଠି ବାଟ ଚାଲୁଛି ବୋଲି ଅନୁଭବ କରେ । ସାଧନାର dimensions ବଦଳି ଯାଏ । ଏବଂ, ସେହି ଅନୁସାରେ ଲକ୍ଷ୍ୟ ବିଷୟରେ ମଧ୍ୟ ଯେଉଁ ପ୍ରତ୍ୟକ୍ଷାନୁଭବ ହୁଏ, ତଦ୍ଦ୍ୱାରା ନିଜକୁ ଦେଖିବାର ରୀତିଟି ମଧ୍ୟ ବଦଳିଯାଏ । ସାଧାନର ଇତିହାସ ସର୍ବଦା ଏହି କଥା କହି ଆସିଛି ।

☆☆☆

 

ଶ୍ରୀଯୁକ୍ତ ଦିବାକର ଲେଙ୍କା

 

(ଦିବାକର ଭାଇ ସେହି ମୂଳରୁ ହିଁ ପୂର୍ଣ୍ଣାଙ୍ଗ ଶିକ୍ଷାର କ୍ରିୟାଶୀଳତାଟିରେ ସାଥିରେ ଅଛନ୍ତି-। ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ପାଠଖସଡ଼ାକୁ ସାରି ସିଏ ଏହି ପ୍ରବାହଟି ମଧ୍ୟରେ ଆସି ପ୍ରବେଶ କରିଥିଲେ । ଏବେ ବି ଅନ୍ତରଙ୍ଗ ଭାବରେ ଗୁନ୍ଥି ହୋଇ ରହିଛନ୍ତି ।)

 

କଟକ, ୨୭।୩।୮୦

 

...ସରକାର ସ୍କୁଲଗୁଡ଼ିକୁ ସ୍ୱୀକୃତି ଦେଲେ । ଏଣିକି ଆମର ଦାୟିତ୍ୱ ବଢ଼ିଲା । ଏଥର ଆମକୁ ଅନେକ କ୍ଷୁଦ୍ରତା ଛାଡ଼ି, ସମଗ୍ର ଓଡ଼ିଶାକୁ ଏକକ କରି ଧରି ଏହି ସ୍କୁଲ ଓ ତା’ପଛରେ ରହିଥିବା ବିଚାରଗତ ଆନ୍ଦୋଳନଟି ବିଷୟରେ ସଚେତନ ହେବାକୁ ପଡ଼ିବ । ଆମେ ସେଥିରେ ମୋଟେ ପଛାଇ ଯିବାନାହିଁ, ବର୍ତ୍ତମାନ ଏହା ହିଁ ଆମ ସମସ୍ତଙ୍କର ପ୍ରାର୍ଥନା ହେବା ଉଚିତ ।

 

ଏଣିକି ଆମର ପ୍ରତ୍ୟେକ ମୁହୂର୍ତ୍ତ ଆମର ନିରୀକ୍ଷଣ ଭିତରେ ରହିବା ଉଚିତ । ଶ୍ରୀ ଅରବିନ୍ଦ ଆମ ଜୀବନର ପ୍ରତ୍ୟେକ ଦିନ ଏକ ଦୁର୍ଗାପୂଜାରେ ପରିଣତ ହେଉ ବୋଲି ଯାହା ଲେଖୁଛନ୍ତି, ଠିକ୍ ସେହିପରି । ଏଥର ଆଗକୁ କେତେ ଯୋଜନା କରିବାର ରହିଛି। କେତେ ସାହସ କରିବାର ଅଛି ।

 

କଟକ, ୨୦।୫।୮୦

 

ମୋ’ର ବ୍ୟକ୍ତିଗତ ମତ ହେଉଛି, ଶିକ୍ଷକର ତା’ର କାର୍ଯ୍ୟରେ ପୂର୍ଣ୍ଣ ସ୍ଵାଧୀନତା ରହିଥିବା ଉଚିତ । ମାତ୍ର ଜଗତରେ ଅଧିକାଂଶ ଲୋକ ସ୍ୱାଧୀନତା ଦେଇ ଜାଣନ୍ତି ନାହିଁ । ତା’ର ନାନାକାରଣ ରହିଛି । ସେଥିଲାଗି ଆମେ ଆଦୌ ଉତ୍ତେଜିତ ହେବା ନାହିଁ । ଅନ୍ୟମାନେ, ବିଶେଷ କରି କେବେ ସ୍ୱାଧୀନ ଭାବରେ କାର୍ଯ୍ୟ କରି ନଥିବା ଲୋକମାନେ ସ୍ଵାଧୀନତା ଥିବା ଲୋକକୁ ଈର୍ଷା କରନ୍ତି, ତାକୁ ଭୟ କରନ୍ତି । ଆମେ ସେମାନଙ୍କର ଦୁଃଖ ବୁଝିବା ।

 

କଟକ, ୨୩।୨।୮୧

 

...ମଣିଷ ଆଗରେ ଯେତେବେଳେ ଏକ ଉଚ୍ଚତର ଆହ୍ୱାନ ଆସି ପହଞ୍ଚେ, ଅଥଚ ସେ ନାନାକାରଣରୁ ତାହାର ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ନଥାଏ, ପ୍ରାୟ ସେତିକିବେଳେ ତାହାର ଦେହ ଅସୁସ୍ଥ ହୁଏ । ତାକୁ ଯେ ଗୋଟାଏ ପାହାଚ ଉଠିବାକୁ ହେବ, ସେହି ବିଷୟରେ ସତର୍କ କରିଦିଏ । ସେତେବେଳେ ଭାରି ଅସହାୟ ମନେ ହୁଏ । ପ୍ରତି ମୁହୁର୍ତ୍ତରେ ଗୋଡ଼ ଖସି ଯାଉଥିବା ପରି ଲାଗେ, ସଂସାରରେ କେହି ଜଣେ ହେଲେ ସହାନୁଭୂତିଶୀଳ । ବନ୍ଧୁ ଥିବା ପରି ମନେ ହୁଏ ନାହିଁ । ସେତେବେଳେ ସତେଅବା ନିଜ ବିରୁଦ୍ଧରେ ବିଦ୍ରୋହ କଲା ପରି ଜାଣି ଜାଣି ଆହୁରି ତଳକୁ ଖସି ଚାଲିଯିବାକୁ ମନ ହୁଏ ।

 

ତୁମକୁ ଏହି ଅବସ୍ଥାଟିକୁ ଅତିକ୍ରମ କରିବାକୁ ହେବ । ଆଗରେ ଅନେକ କର୍ତ୍ତବ୍ୟ ବଢ଼ି ଉଠୁଥିବା ଗୋଟାଏ ଅନୁଷ୍ଠାନର ଭବିଷ୍ୟତ ଏବଂ ସେହି ଅନୁଷ୍ଠାନକୁ କେନ୍ଦ୍ର କରି ତୁମ ଅଗ୍ରଗତି, କାର୍ଯ୍ୟଦକ୍ଷତା ଏବଂ ଯୋଗ୍ୟତାର ଭବିଷ୍ୟତ ।

 

ତେଣୁ, ବର୍ତ୍ତମାନ ଏକାନ୍ତ ଭାବରେ ନୀରବ ଓ ସ୍ଥିର ହୋଇଯିବାକୁ ପଡ଼ିବ । ନିଜ ଭିତରେ ସତେଅବା ତୁମକୁ ଅଟକାଇ ରଖି ମଜା ଦେଖିବାକୁ ମନ କରୁଥିବା ଦୁଷ୍ଟ ବନ୍ଧୁଟିକୁ, ତୁମେ ଯେ ଠିକ୍ ଭାବରେ ଚିହ୍ନି ସାରିଲଣି, ସେହି ଅନୁସାରେ ବାହାରେ ସର୍ବଦା ପ୍ରଫୁଲ୍ଲ, ଶାର ଏବଂ ସମସ୍ତଙ୍କୁ ଲାଗି ଅଶେଷ ଭାବରେ ସହାନୁଭୂତିଶୀଳ ହୋଇ ରହିବାକୁ ପଡ଼ିବ । ତେବେଯାଇ ଏହି ପାହାଚରୁ ପରବର୍ତ୍ତୀ ପାହାଚକୁ ଉଠିଯାଇ ପାରିବ। ଦେହ ଭଲ ହୋଇଯିବ ।

 

କଟକ,୨୦।୩।୮୧

 

…ସଂସାରରେ ଆମକୁ କେହି କିଛି କହିବେ ନାହିଁ, ଭୁଲ ବୁଝିବେ ନାହିଁ ,ଏପରି ଆଶା କଲେ ଅନେକ ସମୟରେ ଭାରି ନିରାଶ ହେବାକୁ ପଡ଼ିବ । ତେଣୁ, ମୁଁ ନିଜେ କେତେ ଅଧିକ ଯଥାର୍ଥ ଓ ନିର୍ମଳ ଭାବରେ ସମସ୍ତଙ୍କ ସକାଶେ ମୋ’ର ଦ୍ଵାରଟିକୁ ଖୋଲିଦେଇ ପାରୁଛି, ବାଟରେ ଅଳପରେ ଅଟକି ନଯାଇ ମୁଁ କେତେଦୂର ଆଗକୁ, ଆହୁରି ଆଗକୁ ଯାଇପାରୁଛି ଓ ସେହି ଉଦ୍ଦେଶ୍ୟରେ ଯଥାର୍ଥ ଭାବରେ ନିଜର ମୂଳଦୁଆଟିକୁ ଦୃଢ଼ କରି ପାରୁଛି, ଆମର ଏହି କଥା ଉପରେ ହିଁ ସବୁବେଳେ ସର୍ବାଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ବିଶେଷତଃ, ଆମେ ଯେଉଁମାନେ ବର୍ତ୍ତମାନର ସମାଜ ଯେମିତି ଅଛି ସେମିତି ନରହି ବଦଳି ଯାଉ ବୋଲି ଇଚ୍ଛା କରୁଛି ଓ ସେଥିଲାଗି ନିଜକୁ କାମରେ ଲଗାଇବାକୁ ମନ କରୁଛୁ, ଆମର ଏସବୁ ମହାର୍ଘ ଅଭିମାନ ଭିତରେ ପଶିବାର ଆଦୌ କୌଣସି କାରଣ ନାହିଁ ।

 

କଟକ, ୧।୯।୮୧

 

ତୁମର ଚିଠି ପାଇଛି । ଗତ କେତେ ମାସ କାଳ ବାହାରୁ ନାନାପ୍ରକାର ଧକ୍କା ଓ ଆଘାତ ପାଇ ତୁମେ ପ୍ରାୟ ଚୁପ୍ ହୋଇଯାଇଥିଲ, ମୁଁ ସେକଥା ଦୂରରୁ ଥାଇ ମଧ୍ୟ ଲକ୍ଷ୍ୟ କରିଛି । ହୁଏତ ସେହି କାରଣରୁ ତୁମେ ମୋ’ ପାଖକୁ କୌଣସି ଚିଠି ଦେଉନାହିଁ ବୋଲି ଅନୁମାନ ବି କରିଛି । ଏତେଦିନ ପରେ ତୁମର ଚିଠିଟିକୁ ପାଇ ଭାବୁଛି, ତୁମେ ନିଶ୍ଚୟ କ୍ରମଶଃ ଆପଣା ପାଖକୁ ଫେରି ଆସୁଛି, ଆପଣାକୁ ପୂର୍ଣ୍ଣ ସହାନୁଭୂତି ସହିତ ସ୍ୱୀକାର କରିନେବାକୁ ମଧ୍ୟ ଆରମ୍ଭ କରୁଛି । ମୋ’ ପାଖକୁ ତୁମେ ଯାହା ଇଚ୍ଛା ତାହା ଲେଖିପାରିବ । ଆଦୌ କୌଣସି ସଂକୋଚ ରଖିବ ନାହିଁ ।

 

ଆମେ ଯେଉଁମାନେ ଜୀବନରେ ନାନା ସ୍ନେହରୁ ବଞ୍ଚିତ ହୋଇ ସ୍ୱଭାବରେ ସ୍ନେହକାଙ୍ଗାଳ ହୋଇ ରହିଛୁ, ଆମର ଅଧିକ ସହଜରେ ଏହି କଥାଟି ଅତ୍ୟନ୍ତ ଓ ବୋଧଗମ୍ୟ ହୋଇଯିବ ଯେ, ଆମଠାରୁ ଅଧିକ ସ୍ନେହବତ ଓ ତେଣୁ ସ୍ୱଭାବରେ ଅତ୍ୟନ୍ତ ହିଂସ୍ର ଓ ଉଗ୍ର ଲୋକ ଏହି ସଂସାରରେ ଅଛନ୍ତି । ଆମେ ସେମାନଙ୍କୁ ସ୍ନେହ ଦେଇ ଶୀତଳ କରାଇବା, ସହାନୁଭୂତି ଦେଇ ଶାନ୍ତ କରି ଆଣିବା ।

 

କଟକ, ୧୩।୧୦।୮୩

 

ତୁମେମାନେ ସମସ୍ତେ ଗୋଟିଏ team ପରି କାର୍ଯ୍ୟ କରିବ । ପରସ୍ପର ସହିତ ଏକାଠି ବସି ଯାହାକିଛି ନିଷ୍ପତି ଗ୍ରହଣ କରିବ । ଅନ୍ୟର ମତକୁ ସମ୍ମାନ ଓ ସ୍ୱୀକୃତି ଦେବ । ଯେକୌଣସି ଉତ୍ତମ ଶିକ୍ଷାପଦ୍ଧତିରେ ଏହା ହେଉଛି ସର୍ବପ୍ରଥମ ଶୃଙ୍ଖଳା । ସେଠାରେ ତୁମେ ସବାଆଗର ବ୍ୟକ୍ତି ହୋଇ ରହିଥିବାରୁ ଏହି ଦିଗରେ ତୁମର ହିଁ ସବୁଠାରୁ ଅଧିକ ଦାୟିତ୍ୱ ରହିଛି ।

 

ତୁମେ ସମସ୍ତେ ବାଣ୍ଟି ହୋଇ ପିଲାଙ୍କ ଘରକୁ ଯାଉଥିବ । ଯେତେ ଭାଷାର ପିଲା ତୁମ ପାଖକୁ ପଢ଼ିବାକୁ ଆସୁଛନ୍ତି, ସେମାନଙ୍କ ଘରକୁ ଯାଇ ସେମାନଙ୍କ ନିଜ ଭାଷାର ଗୀତ, ଅତି କମ୍‌ରେ ଗୋଟିଏ, ଶିଖି ଆସିବ ଓ ତାହାକୁ ସ୍କୁଲରେ ସବୁ ପିଲାଙ୍କୁ ଶିଖାଇବ । ତୁମ ସ୍କୁଲରେ ଏପରି ହେବା ଉଚିତ ଯେତେ ଅଞ୍ଚଳର ପିଲା ଅଛନ୍ତି ସମସ୍ତଙ୍କ ଅଞ୍ଚଳର ପର୍ବପର୍ବାଣି ତୁମେ ସମସ୍ତେ ପାଳନ କରିବ । କୋଲାବନଗର ସ୍କୁଲର ଗଢ଼ଣ ଯେପରି, ତାହାର ଏହିପରି ଏକ ବୈଶିଷ୍ଟ୍ୟ ଗଠନ କରି ଆଣିବା ତୁମ ସମସ୍ତଙ୍କର ଦାୟିତ୍ଵ ହୋଇ ରହିବ ।

 

କଟକ, ୧୮।୯।୮୫

 

...ଶିକ୍ଷାର ଯଥାର୍ଥ ଗତି ହେଉଛି ତଳୁ ଉପରକୁ । ଉପରୁ ଆଦେଶ ଅଥବା ଉପଦେଶ ଆକାରରେ ଯାହାକିଛି ତଳ ଉପରେ ଲଦି ଦିଆଯାଏ, ଅଧିକାଂଶ ସମୟରେ ତଦ୍ଦ୍ୱାରା କିଛି ସ୍ଥାୟୀ ଫଳ ମିଳେ ନାହିଁ । ଆମର ନୂତନ ଉଦ୍ୟମଟିରେ ଆମକୁ ଏହିପରି ଭାବରେ ଦୃଢ଼ ମୂଳଦୁଆଟିଏ ତଳୁ ଗଢ଼ିବାକୁ ହେବ ।

 

ସେହି ଅଞ୍ଚଳର ସବୁ ଶିକ୍ଷକ ଭାଇଭଉଣୀଙ୍କ ସହିତ ତୁମେ ବ୍ୟକ୍ତିଗତ ସମ୍ପର୍କ ରଖିବ । ସବୁଠାରେ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏବଂ ବ୍ୟକ୍ତିଗତ ବହୁ ପ୍ରତିକୂଳତା ସଙ୍ଗେ ଆମର ଅପା ଭାଇମାନେ ପ୍ରକୃତରେ ବୀର ପରି କାର୍ଯ୍ୟ କରୁଛନ୍ତି । ସେମାନଙ୍କର ବ୍ୟକ୍ତିଗତ ଦୁଃଖ ଅନେକ ରହିଛି । ଯଥେଷ୍ଟ ସହାନୁଭୂତି ସହିତ ସେଗୁଡ଼ିକୁ ଅନ୍ତତଃ ଶୁଣିବା ସକାଶେ ସେମାନଙ୍କ ପାଖରେ କେହି ନାହାନ୍ତି । ପରିଚାଳକମାନେ ପରିଚାଳନା କରୁଛନ୍ତି, ତେଣୁ ପାଖକୁ ଆସି ନିଜର ହୋଇ କଥା ଶୁଣିବାକୁ ବେଳ କାହିଁ ?

 

କଟକ, ୧୯।୭।୮୬

 

...ଆମର ଏହି ପାଠଚକ୍ର ସମ୍ମିଳନୀ ଆମ କର୍ମୀମାନଙ୍କର ହିଁ ସମ୍ମିଳନୀ । ଏହିସବୁ ପାଠଚକ୍ରକୁ ଆମେ ନିଜେ ଗଢ଼ିଛୁ । ନିଜର ଅନ୍ତର ଭିତରୁ ପ୍ରେରଣା ପାଇ ହିଁ ଆମେ ସେଗୁଡ଼ିକୁ ଗଠନ କରିଛୁ । ଏଣିକି ଆଉ ବ୍ୟକ୍ତିଗତ ଏକୁଟିଆ କାମନା ଓ ସାଧନାର ଯୋଗଦ୍ଵାରା କିଛି ସମ୍ଭବ ହେବ ନାହିଁ ବୋଲି ସେହି ଭିତରୁ ନିର୍ଦ୍ଦେଶ ପାଇ ଆମେ ଏକାଠି ହୋଇଛୁ ।

 

ଆମେ ଏକତ୍ର ହୋଇ ବାଟ ଚାଲିବା । ଆମମାନଙ୍କୁ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ତଥାପି ଏକାଠି ବାଟ ଚାଲିବା । ଆମ ସମସ୍ତଙ୍କୁ ସେହି ଗୋଟିଏ ସନତ୍ୱର ଉତ୍ତରାଧିକାରିତ୍ଵରେ ବାନ୍ଧି ରଖୁଥିବବା ଅସଲ ସୂତ୍ରଟିକୁ ନିଜ ଭିତରେ ସର୍ବଦା ଅନୁଭବ କରୁଥିବା ପର୍ଯ୍ୟନ୍ତ ଆମେ କେବେହେଲେ ଅନ୍ୟମାନଙ୍କୁ ପ୍ରତ୍ୟାଖ୍ୟାନ କରି, ଅବଜ୍ଞା ଦେଖାଇ ଆଗକୁ ପଳାଇ ଯିବା ନାହିଁ । ଆମେ ନିଜ ନିଜର ବାଟ ଚାଲିବା ଦ୍ୱାରା ପରସ୍ପରକୁ ମଧ୍ୟ ବଳ ଦେବା । ପ୍ରତ୍ୟେକ ଜଣେ ଜଣେ ଆଉ ସମସ୍ତଙ୍କର ପରିପୂରକ ବୋଲି ଅନୁଭବ କରି ପାରୁଥିବା ।

 

ପୂର୍ଣ୍ଣ-ଯୋଗର ସବୁଠାରୁ ବଡ଼ ଉଦ୍ଦେଶ୍ୟଟି ହେଉଛି ଏକ ନୂତନ ସମ୍ବନ୍ଧର ସ୍ଥାପନ, –ଯେଉଁ ସମ୍ବନ୍ଧ ଦ୍ୱାରା ପରିଚାଳିତ ହେଲେ ଏହି ପୃଥିବୀ ଏକାବେଳକେ ଅନ୍ୟପ୍ରକାରେ ଦେଖାଯିବାକୁ ଆରମ୍ଭ କରିବ । ନିଜ ଜୀବନରେ ସେହି ନୂତନ ସମ୍ବନ୍ଧରେ ଆହ୍ଵାନ ଓ ଆଦେଶଗୁଡ଼ିକୁ ସ୍ୱୀକାର କରିନେବା, –ତାହା ହିଁ ଆମର ଅଭୀପ୍‍ସା ହୋଇ ରହୁ । ଆମେ ପ୍ରକୃତରେ ସମ୍ମତି ଦେଲେ ଆମ ପାଖରେ ଅପେକ୍ଷା କରି ରହିଥିବା ପରମବନ୍ଧୁ ସ୍ଵରୂପ ସେହି ଦିବ୍ୟ ଶକ୍ତି ଆମକୁ ଯଥାର୍ଥ ମାର୍ଗରେ ପରିଚାଳିତ କରି ନେଇଯିବ ।

 

ଆପେ ପ୍ରତ୍ୟେକେ ମାଆ ଓ ଶ୍ରୀଅରବିନ୍ଦଙ୍କର ଲେଖାକୁ ଆମ ଜାଗରଣ ଏବଂ ଉନ୍ମୋଚନର ଦୈନନ୍ଦିନ ଖାଦ୍ୟରୂପେ ଗ୍ରହଣ କରିବା । ଏକାକୀ ପଢ଼ିବା ଅପେକ୍ଷା ଏକତ୍ର ପଢ଼ିବା ଦ୍ଵାରା ଆମକୁ ଅଧିକ ଉତ୍ସାହ ମିଳିବ । ବାଟଗୁଡ଼ିକ ସ୍ପଷ୍ଟତ୍ତର ହୋଇ ଦିଶିଯିବ । ଏବଂ, ବାଟଗୁଡ଼ିକ ଦେଖାଯିବାର ଅର୍ଥ ହେଉଛି, ଅସଲି ସାନ୍ନିଧ୍ୟଟିକୁ ଲାଭ କରିବା । ଆମେ ପରସ୍ପରର ନିକଟରେ ରହି ତାଙ୍କରି ନିକଟରେ ରହିଛି ବୋଲି ପ୍ରମାଣ କରିଦେବା ।

 

କଟକ, ୨୧।୮।୮୬

 

...ଆମେ ସମସ୍ତେ ମାଆ ଓ ଶ୍ରୀ ଅରବିନ୍ଦଙ୍କର ବହି ନିୟମିତ ଭାବରେ ପଢ଼ିବା, ସେଗୁଡ଼ିକ ବିଷୟରେ ପରସ୍ପର ଭିତରେ ଆଲୋଚନା କରିବା ଏବଂ ସେହି ଅନୁସାରେ ନିଜର ଚେତନାକୁ ତଥା ସମ୍ବନ୍ଧଗୁଡ଼ିକୁ ମଧ୍ୟ ବଦଳାଇବାକୁ ଚେଷ୍ଟା କରିବା, ପାଠଚକ୍ରର ସଭ୍ୟ ହିସାବରେ ଆମର ଏହା ହିଁ ସର୍ବପ୍ରଥମ ସଂକଳ୍ପ ହୋଇ ରହିବା ଉଚିତ ।

 

କଟକ, ୨୮।୧୦।୮୬

 

...ମାଆ ଗୋଟିଏ ପ୍ରଶ୍ନର ଉତ୍ତରରେ ଥରେ କହିଛନ୍ତି ଯେ, ଆମେ ଯାହା ଉପରେ ବିଜୟ ହାସଲ କରିବାକୁ ଇଚ୍ଛା କରୁଛୁ, ଆମର ଶକ୍ତି ତାହାଠାରୁ ଅଧିକ ହୋଇଥିବା ଦରକାର । (ସମସ୍ତେ) ଆମ କାର୍ଯ୍ୟରେ ଆମକୁ ଯେ ସମର୍ଥନ ଦେବେ, ଆମର ପ୍ରଶଂସା କରିବେ ଓ ବାହା ବାହା ବୋଲି କହିବେ, ସେ କଥା ଆମେ କଦାପି ଆଶା କରିବା ନାହିଁ । ସେହିପରି ଆଶା କରିବା ଅହଂକାର ହେବ । ବିଶେଷ କରି, ଆମେ ଯଦି ନୂତନ ଧରାରେ ନୂତନ ଉତ୍ସାହରେ କିଛି କରିବାକୁ ବାହାରିଥିବା, ତେବେ ଆମକୁ ସମର୍ଥନ ଅପେକ୍ଷା ସମାଲୋଚନା ଏବଂ ନିନ୍ଦା ହିଁ ଅଧ୍ୟକ ପରିମାଣରେ ଶୁଣିବାକୁ ମିଳିବ । ଆମେ ମୂଳରୁ ହିଁ ସେଥିଲାଗି ପ୍ରସ୍ତୁତ ହୋଇଥିବା । ନଚେତ ବାର ବାର ଆମର ଅଣ୍ଟା ଭାଙ୍ଗି ପଡ଼ୁଥିବ ।

 

ଏ ବିଷୟରେ ବ୍ୟକ୍ତିଗତ ଜୀବନରେ ମୋ’ର ଏକ ପ୍ରଣାଳୀ ରହିଛି । ମୋ’ ବିଷୟରେ ଯିଏ କିଛି କହିବ, ସିଏ ମୋ’ ସାମନାରେ ମୋତେ କହିବ । ଅସଲ ବନ୍ଧୁ ଓ ଅସଲ ସାଧୁ ମଣିଷ ଏହିପରି ହିଁ କରିବ । ମାତ୍ର, ଯଦି କେହି ମୋ’ ପଛରେ କିଛି କହେ ଓ ଏକ ତୃତୀୟ ପକ୍ଷର ମୁହଁରୁ ମୁଁ ତାହା ଶୁଣିବାକୁ ପାଏ, ତେବେ ମୁଁ ଜାଣିବି ଯେ, ଯିଏ ଏପରି କରୁଛି, –ସିଏ ଭୀରୁ ଓ ତା’ ଅଭିପ୍ରାୟ ମନ୍ଦ । ତେଣୁ ମୁଁ ତାହା ବିଷୟରେ ପାଟି ଫିଟାଇବି ନାହିଁ ଓ ନୀରବ ରହିବା ଦ୍ୱାରା ହିଁ ତା’ର ଜବାବ ଦେବି । ତୁମର ତ ମାସିକ ବୈଠକମାନେ ସେଠାରେ ହେଉଛି । ଯାହା ପରସ୍ପର ସମ୍ବନ୍ଧରେ ପଡ଼ିବାର କଥା, ସବୁ ସେହିଠାରେ ହିଁ ପଡ଼ୁ । ଏପରି ଏକ ସାଧାରଣ ନିୟମ ନ ରହିଲେ ଆମର ଅଧିକ ଶକ୍ତି ପରସ୍ପର ବିରୁଦ୍ଧରେ ଆପଣାକୁ ରକ୍ଷା କରିବାରେ ହିଁ ଖର୍ଚ୍ଚ ହୋଇଯିବ ।

 

ମାତ୍ର ନୀରବ ରହି ନିଜର ଅସଲ କାମଗୁଡ଼ିକରେ ମନୋନିବେଶ କରିବା ଲାଗି ଭିତରେ ଅନେକ ଆତ୍ମବିଶ୍ୱାସ ରହିଥିବା ଆବଶ୍ୟକ । ଆମ ଭିତରେ ଅଧିକାଂଶ ସମୟରେ ତାହା ରହୁନାହିଁ ବୋଲି ଆମକୁ ନାନାପ୍ରକାର ସନ୍ତାପ ଭୋଗ କରିବାକୁ ପଡ଼ୁଛି । ତେଣୁ, ଅବିଚଳ ଭାବରେ ଅଗ୍ରସର ହେବାଲାଗି ଦଳ ଦରକାର,–ସାନର ବଳ, ଆନ୍ତରିକତାର ବଳ ଓ ଶ୍ରଦ୍ଧାର ବଳ-। ତେବେ ଦେଖିବ, ପଥ ଅତ୍ୟନ୍ତ ସହଜ ହୋଇଯିବ । ସର୍ବୋପରି, ମୁଁ ଭାବୁଛି, ଆମର ପାଠଚକ୍ରଗୁଡ଼ିକ ଯଦି ଯଥାର୍ଥ ଜିଜ୍ଞାସା ଓ ଗାମ୍ଭୀର୍ଯ୍ୟ ସହିତ ଚାଲିବ, ତେବେ ଆମର ଅନେକ ସନ୍ତାପ ଆପେ ଆପେ ଦୂର ହୋଇଯିବ ।

☆☆☆

 

ଶ୍ରୀଯୁକ୍ତ ଧୀରେନ୍ଦ୍ର ବଳ

 

(ଶ୍ରୀମାନ୍ ଧୀରେନ୍ଦ୍ର ତରୁଣ ମନ ନେଇ ସମଗ୍ରତଃ ଏକ ଆବାସିକ ଶିକ୍ଷାର ପ୍ରୟୋଗ କରି ଆସୁଛନ୍ତି । ନିଜର ଶରୀରକୁ ଅସୁର ପରି ଖଟାଇ ପାରନ୍ତି; ମନ ତଥା ହୃଦୟ ଏପରି ପରସ୍ପରର ସାଙ୍ଗ ହୋଇ ତାଙ୍କୁ ନିମିତ୍ତ ପରି କାମରେ ଲଗାନ୍ତି ଯେ, ପରସ୍ପରର କତି ଛାଡ଼ି ପାରନ୍ତି ନାହିଁ । ତେଣୁ, ନିମିତ୍ତଟିର ପ୍ରାୟ ଏକ ନିରନ୍ତର ପରୀକ୍ଷା ଲାଗି ହିଁ ରହିଥାଏ ।)

 

ଭୁବନେଶ୍ୱର, ୧୦।୨।୯୦

 

...ତୁମେ ଯାହା କରିବ, ସବାଆଗ ଗୋଷ୍ଠୀଟିଏ ଦରକାର । ସେହି ଗୋଷ୍ଠୀ ଭିତରେ ସମ୍ମତ ବ୍ୟକ୍ତିମାନେ ହିଁ ରହିଥିବା ଦରକାର । –କେନ୍ଦ୍ରଟି ସେହି ଗୋଷ୍ଠୀଲାଗି ଆପଣାର ଉତ୍ସାହମୟ ଘରଟିଏ ହୋଇ ରହିବ, ଏହି ସ୍ୱପ୍ନ ମୁଁ ଏବେ ମଧ୍ୟ ଦେଖୁଛି । ତେଣୁ ଯଥେଷ୍ଟ ଅନୁସ୍ପନ୍ଦନ ମିଳିନାହିଁ, କିନ୍ତୁ ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ବେଳେ ବେଳେ ହୋଇଛି, ତଥାପି । ମୋ' ଲୋଭ ଯାଇନାହିଁ । ଏହି ଗୋଷ୍ଠୀ କିଞ୍ଚିତ ଅଂଶରେ ଆମ ଶ୍ରମଶିବିରର ମାଧ୍ୟମରେ ଆମେ ଗଢ଼ି ଆଣିବାକୁ ଚେଷ୍ଟା କରୁଛୁ । ତୁମେ ତ ଥରେ ହେଲେ ଏଥିରେ ଯୋଗ ଦେଇନାହିଁ । –ମାସର ଶିବିରକୁ ଆସ । ତା’ପରେ ତୁମେ ମଧ୍ୟ ନିଶ୍ଚୟ ଆମ ସହିତ ଗୁରାଇତୁରାଇ ହୋଇଯିବ । ତା'ପରେ ଦେଖିବ, ସ୍ନେହ ଓ ସାହସ ବ୍ୟତୀତ ଜୀବନରେ ଅନ୍ୟମାନଙ୍କ ପାଖକୁ ନିକଟବର୍ତ୍ତୀ ହୋଇ ଆସିବାକୁ ତୁମର ଆଉ ଅନ୍ୟ କୌଣସି ଅସ୍ତ୍ର ରହିବ ନାହିଁ ।

 

ମୁଁ ଗେହ୍ଲା ବଡ଼ ଭାଇଟିଏ ପରି ଭାବେ, ସେ ସାଧନା କେନ୍ଦ୍ରରୁ ବଡ଼ ସାନ ମତେ ସବୁବେଳେ ଚିଠି ଦେଉଥାନ୍ତେ । ପରସ୍ପରକୁ ଆଶ୍ରା କରି ଆମେ ଏକ ଅଭିପ୍ରେତ ଭବିଷ୍ୟତ ଭିତରକୁ ବାଟ ଚାଲୁଥାନ୍ତେ । ଶିକ୍ଷା, ସାହିତ୍ୟ, ଆଧ୍ୟାତ୍ମିକତା, –ଏଥିରେ ସବୁ ମିଶିଥାନ୍ତେ । ମୁଁ ସମ୍ଭବତଃ ଅତିରିକ୍ତ ଆଶା କରେ । ତେଣୁ ନିରାଶ ହୁଏ। ଅଥବା, ବାରିକେଡ଼୍ ଗୁଡ଼ାକୁ ଭେଦ କରିବାର କୌଶଳ ମୁଁ ଏପର୍ଯ୍ୟନ୍ତ ଆୟତ୍ତ କରି ପାରିନାହିଁ ।

 

ଭୁବନେଶ୍ୱର, ୨୨।୮।୯୦

 

...ଝଗଡ଼ା ବା ମତଭେଦ ଆମର ହୁଏ, ମାତ୍ର ପିଲାମାନେ ହିଁ ସବୁଠାରୁ ଅଧୁକ କ୍ଷତିଗ୍ରସ୍ତ ହୁଅନ୍ତି । ସେ ପିଲାଏ କେତେ ଶ୍ରମ ଓ ଶ୍ରଦ୍ଧା ଦେଇ ସ୍କୁଲର ନିର୍ମାଣ ଓ ବିକାଶରେ ଅଂଶଗ୍ରହଣ କରିଥିଲେ । ତୁମେମାନେ ସମସ୍ତେ ସେମାନଙ୍କ ପାଖରେ ଋଣୀ । ତୁମକୁ ମଧ୍ୟସେହି ଗଣ ଶୁଝିବାକୁ ହେବ । ସେମାନେ ଯେଉଁ ହାଇସ୍କୁଲରେ ପଢ଼ିବାକୁ ଯାଇଥାନ୍ତୁ ପଛକେ, ତୁମେ ସେମାନଙ୍କ ସହିତ ସମ୍ପର୍କ ରଖିବ, ସେମାନଙ୍କ ପାଠପଢ଼ାରେ ମଧ୍ୟ ଯଥାଶକ୍ତି ସମୟ ଦେଇ ସାହାଯ୍ୟ କରିବାକୁ ହେବ-

 

...ପ୍ରଥମ ପଦକ୍ଷେପଟି ପକାଇବା ସଙ୍ଗେ ସଙ୍ଗେ ଆଗକୁ ଆଗକୁ ବାଟ ସଫା ହୋଇଯିବ । ନିଜର ନିୟତି ନିଜର ଦୃଷ୍ଟିଗୋଚର ହେବ । ଖାଲି ଭିତରର ପାରସ୍ପରିକ ଖିଅଟି ଲାଗିଥିଲେ ହେଲା । ନିଃସଙ୍ଗ ବା ନିଛାଟିଆ କିଛି ଲାଗିବା ଉଚିତ ନୁହେଁ । ଆମଠାରୁ ବିଧାତା ଯେତେବେଳେ ଅଧୁକ କିଛି ପ୍ରତ୍ୟାଶା ରଖିଥାନ୍ତି, ସେତେବେଳେ ନିଜେ ଧକ୍କା ଦେଇ ଆମର ପୁରୁଣା ଭୂମିଟିକୁ ଭାଙ୍ଗି ଦିଅନ୍ତି, ଆମକୁ ପୁଣି ପଥରେ ବାହାର କରିଆଣନ୍ତି । ତେଣୁ, ଅସଲ ସଙ୍ଗୀ ସାଙ୍ଗରେ ଥିବା ପର୍ଯ୍ୟନ୍ତ ନିଃସଙ୍ଗ କାହିଁକି ଲାଗିବ ?

 

ଭୁବନେଶ୍ୱର, ୨୫।୬।୯୩

 

ଏକାଠି ବାଟ ଚାଲୁଥିବା ମଣିଷମାନଙ୍କର ବାରବାର ଏଠି ହେବା ଉଚିତ । ସେହିଭଳି ଅବସର ସୃଷ୍ଟି କରିବା ଲାଗି ଶିବିରଗୁଡ଼ିକ ହୁଏ । ସେଥିରୁ ଅନେକ ନିର୍ଭର ମିଳେ ଆମେ ଯେଉଁଠି ଯିଏ ଯାହାକିଛି କରୁଛି, ତାହା ମର୍ମତଃ ଗୋଟିଏ କାମ ଓ ତେଣୁ ଆମେ ସମସ୍ତେ ଏକତ୍ର ଅଛୁ ବୋଲି ଭରସା ମିଳେ । ଫଳରେ ଭୟ କଟି କଟି ଯାଏ, ଭୟଦ୍ୱାରା ପୋଷା ହେଉଥିବା ଅହଂ ମଧ୍ୟ କଟି କଟି ଯାଏ ।

 

ମୁଁ ଉପରୁ ଥାଇ, ଦୂରରୁ ଥାଇ କାହାକୁ ପ୍ରେରଣା ଦେଇ ପାରେନାହିଁ । ମୁଁ ସାଙ୍ଗ ଚାହେଁ,–ଏକାଠି ବାଟ ଚାଲୁଥିବା ସାଙ୍ଗଟିଏ ଚାହେ । ସାନ ପିଲାଟିଏ ହେଲେ ମଧ୍ୟ ତାକୁ ଆଗ ସାଙ୍ଗ କରିନିଏ ଓ ତା'ପରେ ଯାଇ ପାଠ ବୋଲି ଯାହା ପଢ଼ାଏ । “ନବୋଦ୍ୟମ’ ସକଳ ଉଦ୍ୟମ ଏହିପରି କେତେକ ସାଙ୍ଗମାନଙ୍କର ଉଦ୍ୟମ ବୋଲି ମୁଁ ସର୍ବଦା ଭାବିଥାଏ । ସଂସାରରେ ସାଙ୍ଗ ହେଲେ ଯାଇ ଯଥାର୍ଥ ପ୍ରେରଣା ଦେଇହୁଏ ଓ ପାଇହୁଏ ବୋଲି ମୁଁ ମୋ’ ମଞ୍ଜଭିତରେ ବିଶ୍ୱାସ କରେ-। ତୁମେ ସମ୍ଭବତଃ ସାଙ୍ଗ ହେବାକୁ ଭୟ କର ବୋଲି ପ୍ରତ୍ୟାଶାରୁ ଏତେଟିକିଏ ପୃଥକ୍ ଭଳି ଦେଖିଲେ ବା ଘ୍ରାଣ କଲେ କ୍ଷୋଭ କରିପକାଅ । ମୁଁ ତୁମ କ୍ଷୋଭକୁ ଡରେନାହିଁ । ତୁମେ ଆହୁରି ପରୀକ୍ଷା କରି ଦେଖି ନେଇପାର ।

 

ଭୁବନେଶ୍ୱର, ୨୮।୮।୯୩

 

....ସପ୍ତମ ଶ୍ରେଣୀରୁ ପାସ୍ କରି ପିଲା ଗଲେ ! ଆମ ପାଖରେ ଅଷ୍ଟମ ଶ୍ରେଣୀ ନାହିଁ ବୋଲି ବାହାରକୁ ଗଲେ । ସେମାନେ ଛାଡ଼ିଗଲେ ବୋଲି ଆମେ ଆଦୌ ଭାବିବା ନାହିଁ । ଏହି ବର୍ଷଠାରୁ ହିଁ ପୁରାତନମାନେ ସେଠାରେ ବିଭିନ୍ନ ସମୟରେ ଏକାଠି ହୁଅନ୍ତୁ । ଜୀବନରେ ରତ୍ନ ସଂଗ୍ରହ କରି ଯେଉଁଠାକୁ ଗଲେ ମଧ୍ୟ “ନବୋଦ୍ୟମ’କୁ ଆପଣାର ମୂଳ ଚେର ବୋଲି ଅନୁଭବ କରୁଥାନ୍ତୁ । ......ଯେକୌଣସି ଶିକ୍ଷାୟତନରେ ତାହାର ପୁରାତନ ଛାତ୍ରଛାତ୍ରୀମାନେ ହିଁ ତା’ର ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ସମ୍ବଳ ।

 

ତୁମେ ଯେ ଭୟଙ୍କର ଭାବରେ ବ୍ୟସ୍ତ ରହୁଛି, ଉଦବେଗ ଭିତରେ ରହୁଛ । ତୁମର ଚିଠିରୁ ତାହା ସ୍ପଷ୍ଟ ହୋଇଯାଉଛି । ବାହାରେ ଆମେ ସାଧାରଣ ମଣିଷ ତୁଳନାରେ ହୁଏତ ପାଞ୍ଚଗୁଣ ଅଧୁକ କର୍ମତତ୍ପର ହୋଇ ରହିଥିବା, ମାତ୍ର ଆମ ଭିତରଟା ନିରନ୍ତର ସ୍ଥିର ରହିଥିବ । ରହିଲେ ହିଁ ମଣିଷ ଅସଲ ଡୋରଗୁଡ଼ିକୁ ବାନ୍ଧି ପାରିବ; ଅଧିକ ଦୂରକୁ ସ୍ୱପ୍ନ ମଧ୍ୟ ଦେଖିପାରିବ । ଅନ୍ୟମାନେ ଯେତିକି ଦେଖି ପାରୁଥିବେ, ତୁମେ ସେଠାରେ ତା’ର ଦଶଗୁଣ ଅଧିକ ଗଭୀରକୁ ଓ ଆଗକୁ ଦେଖୁଥିବ । ବେଳେ ବେଳେ ନିୟମ କଲାପରି ସେଗୁଡ଼ିକୁ ଲେଖି ରଖିବ । ତେବେ ନିଜକୁ ଅଧକ ସ୍ପଷ୍ଟ ଭାବରେ ବୁଝି ପାରିବ ଏବଂ ସ୍ୱୀକାର କରି ନେଇ ପାରିବ । ଏବଂ, ନିଜର ଅନ୍ତରଙ୍ଗମାନଙ୍କ ସହିତ ସେଗୁଡ଼ିକୁ share କରିବ । କେତେବେଳେ ଆଲୋଡ଼ିତ କରିଦେବା ଭଳି ବହିଟିଏ ପଢ଼ିଲ, ଭାବନାଟିଏ ଭାବିଲ, ପିଲାଙ୍କୁ ପାଖରେ ଆପଣାକୁ ଦେଉ ଦେଉ ଚିଆଁ ପରି କ'ଣ ଅନୁଭବ କଲ ଓ ତା’ପରେ ଏକାବେଳେ ନିଜର କେତେ ଆଶ୍ ଖୋଲିଗଲା, ଏସବୁକୁ ପରସ୍ପର ଆଗରେ କହିପାରିବା ଭଳି ପରସ୍ପର ଯେତିକି ନିକଟବର୍ତ୍ତୀ ହୋଇ ରହିବା ଦରକାର, ଆମେ କ୍ରମଶଃ ସେତିକି ନିକଟବର୍ତ୍ତୀ ହୋଇ ଆସୁଥିବା । ସେହିପରି ଗୋଟିଏ ଅନୁଭବକୁ ତୁମେ ସାନ ଲେଖାଟିଏ ଲେଖି ରୂପ ଦେବ ଓ ଏଥରର ‘ସୁହୃତ୍' ପାଇଁ ପଠାଇବ ।

 

ଭୁବନେଶ୍ୱର, ୨୭।୪।୯୫

 

...ମୁଁ ଭାବିଥିଲି ତୁମର ସଂସାର ଓ ତୁମର କର୍ମଭୂମି ଗୋଟିଏ । ସଂସାରର ଚାପ ଓ ନିଜେ ଆବୋରିଥିବା କର୍ମଗୁଡ଼ିକର ଚାପ ଯଦି ଆମକୁ ଦୁଇ ଅଲଗା ଅଲଗା ଆଡ଼କୁ ଟାଣିବ, ତେବେ ଦ୍ଵନ୍ଦ୍ଵ ଅବଶ୍ୟ ଆସିବ ।

 

ନୂଆ ପ୍ରକାରର ଶିକ୍ଷା ବା ଯେକୌଣସି ପ୍ରକାରର କାର୍ଯ୍ୟ ଲାଗି ଉତ୍ସର୍ଗୀକୃତ କର୍ମୀ ଆଗରୁ ତିଆରି ହୋଇ ରହିନଥାନ୍ତି । ତେଣୁ, ତଳୁ ତିଆରି ହୋଇ ଗୋଟିଏ ଅନୁରୂପ ଗୋଷ୍ଠୀ ହିସାବରେ ଆଗକୁ ଯିବାକୁ ପଡ଼େ । ବିଦ୍ୟାଳୟ ମୂଳତଃ ଗୋଟିଏ ଗୋଷ୍ଠୀ;–ଅନେକ ମଣିଷ ଆଗ ଆଦର୍ଶଟିଏ ଧରନ୍ତି ଓ ତା’ପରେ ଗୋଷ୍ଠୀଟିଏ ଖୋଜନ୍ତି–ତଦ୍ଦ୍ୱାରା ବହୁତ କିଛି ବିଗିଡ଼ି ଯାଇଥାଏ ।

☆☆☆

 

Unknown

ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ମିଶ୍ର

 

(ଶ୍ରୀ ପ୍ରଫୁଲ ମିଶ୍ର ଦର୍ଶନଶାସ୍ତ୍ରର ଅଧ୍ୟାପକ । ଏକଦା ଭିଡ଼ ଭିତରୁ ବହିଃସ୍ୱୀକୃତିର ହୁଏତ ଏକାଧିକ କୁଣ୍ଠା ସତ୍ତ୍ୱେ ଚିହ୍ନା ହୋଇ ଯାଇଥିଲା । ସେହି ଚିହ୍ନା ତଥାପି କତିକୁ କତିକୁ ନେଇ ଆସିଲା-। ଏବଂ, ଏବେ ତ, ଯେତେ ମାଇଲ୍ ଦୂରରେ ଥିଲେ ମଧ୍ୟ ଚାହିଁଲେ ମଧ୍ୟ କଥାବାର୍ତ୍ତା ହୋଇପାରୁଛି-।)

 

ଭୁବନେଶ୍ୱର, ୧୫।୩।୮୯

 

...‘ରୋହିତର ଡାଏରୀ’ ଏକାବେଳକେ ଗୁଡ଼ାଏ ପୃଷ୍ଠା ପଢ଼ିବେ ନାହିଁ । ଦିନେ ବା ଦୁଇ ଦିନର ପଢ଼ିବା ପରେ ବନ୍ଦ କରିଦେବେ । ତେବେ ବୋଧହୁଏ ଅଧିକ ଭଲ ଲାଗିବ । ଅବଶ୍ୟ ଏକଥା ମଧ୍ୟ ସତ ଯେ, ପ୍ରଥମ ଖଣ୍ଡଟିରେ ପ୍ରତିଦିନ କେତେକ ସ୍ଥଳରେ ବହୁତ ବହୁତ ଲେଖା ହୋଇଛି । କେମିତି କେମିତି ଲାଗୁଥିବ । ସେତେବେଳେ ବୟସଟା ମଧ୍ୟ ସେହିପରି ଥିଲା। ପ୍ରାୟ ସବୁକିଛକୁ ଭାଷାର ବିସ୍ତାର ଦେଇ ବପୁଳ କରି ରଖିବାର ଏକ ଚପଳ ଉତ୍ସାହ ମଧ୍ୟ ରହିଥିଲା । ପରବର୍ତ୍ତୀ ଖଣ୍ଡମାନଙ୍କରେ ପ୍ରତିଦିନ ପରିମାଣ ଅନେକ କମି ଆସିଛି ।

 

ଡାଏରୀଗୁଡ଼ିକ କେବେ ଛାପା ହେବ ବୋଲି ମୁଁ କେବେ କଳ୍ପନା କରିନଥିଲି । ପ୍ରଧାନତଃ ନିଜ ସୁଖରେ ମୁଁ ଡାଏରୀ ଲେଖୁଥିଲି । ଆପଣା ଆରେ ଯଥାସମ୍ଭବ ଅଧିକ ନିବିଡ଼ ଭାବରେ ଧରାଦେଇ ମୁଁ ସେଗୁଡ଼ିକୁ ଲେଖିଥିଲି । ସେଗୁଡ଼ିକ ପାଠକ ଲାଗି ପାଠକୀୟ ହୋଇପାରୁଛି, ତାହା ଆନନ୍ଦର କଥା । ଏପରି ହେଉଛି, କାରଣ ସମ୍ଭବତଃ ଅନ୍ୱେଷକ ପ୍ରତ୍ୟେକ ମନୁଷ୍ୟକୁ ପ୍ରାୟ ସମାନ ପ୍ରକାରର ଅନୁଭୂତି ମଧ୍ୟ ଦେଇ ଯିବାକୁ ପଡ଼ିପାରେ ।

 

ଆପଣ ଯେତେବେଳେ ସେହି ବିବରଣୀ ଗୁଡ଼ିକ ମଧ୍ୟରେ ଗୋଟାସୁଦ୍ଧା ନିମଗ୍ନ ଓ ଜଡ଼ିତ ହୋଇଯାଉଛନ୍ତି, ଏହା ଆଦୌ ପ୍ରାଣିକ ଦୁର୍ବଳତା ନୁହେଁ, ଏହାର କାରଣ ଆତ୍ମୀୟତା । ମଣିଷ ମଣିଷ ମଧ୍ୟରେ ସର୍ବୋତ୍ତମ ସମ୍ବନ୍ଧ ହେଉଛି ଏହି ଆତ୍ମୀୟତାର ସମ୍ବନ୍ଧ । ଏହା ଉଭକ୍ଷ ପକ୍ଷକୁ ଐଶ୍ୱର୍ଯ୍ୟବାନ୍ କରେ ।

 

ଭୁବନେଶ୍ୱର, ୧୮।୯।୮୯

 

...ଭଲ ମଣିଷମାନେ, ସଂସାରର ପ୍ରଧାନତଃ ଶୁଭକାମନା କରୁଥିବା ବ୍ୟକ୍ତିମାନେ ଏକାଠି ହେଲେ ସେମାନଙ୍କର ଶକ୍ତିଦ୍ଵାରା ପୃଥିବୀ ବହୁତ ଉପକୃତ ହୁଏ । ପୃଥିବୀର ଦୁର୍ଭାଗ୍ୟ, ଏପରି ଲୋକେ ସାଧାରଣତଃ ଏକତ୍ର ହୁଅନ୍ତି ନାହିଁ– ତଟସ୍ଥ ରହି ପୃଥିବୀର ଦଶା ଦେଖୁଥାନ୍ତି । ଯେଉଁମାନେ alternative ବାହାର କରି ପାରନ୍ତେ ଓ ସେହି ବିଷୟରେ ଅନ୍ୟମାନଙ୍କୁ ଆପଣାର honesty ବଳରେ convince କରି ପାରନ୍ତେ, –ରେ ସେହିମାନେ ଅଧିକରୁ ଅଧିକ ଏକାଠି ହୁଅନ୍ତୁ । ଦୂରରେ ଥାଇ ପ୍ରଳୟର ସନ୍ଦର୍ଶନରେ ପୃଥିବୀର ଅପୂର୍ଣ୍ଣତା ବିଷୟରେ ପ୍ରମାଣ ପାଇବାକୁ ମୋଟେ ଚେଷ୍ଟା ନକରନ୍ତୁ ।

 

ନିଜେ ପ୍ରକୃତରେ ବନ୍ଧୁଟିଏ ହୋଇଯାଇ ପାରିଲେ ମଣିଷକୁ ସଂସାରରେ ପ୍ରକୃତ ବନ୍ଧୁ ଖୁବ୍ ସହଜରେ ମିଳିଯାଆନ୍ତି । ନିଜ ଅନୁଭବରୁ ମୁଁ ଏକଥା କହୁଛି । ଏହା ଏକ ସଂପୂର୍ଣ୍ଣ epistemological ସମସ୍ୟା, ଏ ବିଷୟରେ ଆମ ସମସ୍ତଙ୍କର ଆହୁରି ଅଧିକ ଗଭୀର ଭାବରେ ଚିନ୍ତନ କରିବା ଉଚିତ । ତେବେ ଆମେ ସମସ୍ତେ ବାଟ ପାଇଯାଆନ୍ତା । ଏହାଦ୍ୱାରା ବିଚରା ପୃଥିବୀଟାର ମଧ୍ୟ ବହୁ ଉପକାର ହୁଅନ୍ତା । ବହୁତ ଅବିଶ୍ୱାସ କଟିଯାଇ ପାରନ୍ତା ।

 

ଆମର ସବୁଯାକ ଶ୍ରମଶିବିରକୁ ଆପଣ ଆସିବେ ବୋଲିରେ କହିଛନ୍ତି, ସେ କଥା ମୋ’ର ମନେ ଅଛି । ଏଥର–ରେ ଆମେ ପୁଣି ମିଶିବା, –ଆପଣାର ଅନ୍ତର୍ଗତ ପଥଗୁଡ଼ିକରେ ପାଦେ ପାଦେ ଆଗେଇ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା । ପରସ୍ପରକୁ ବଳ ଦେବା । ମୁଁ ତ କୋଉଦିହୁଁ କଳ୍ପନା କରି ବସିଲିଣି ଯେ, ଏଣିକି କ୍ରମେ ଚିତ୍ତଭାଇ ଶ୍ରୋତାମଣ୍ଡଳୀରେ ବସିବେ । ଅଧ୍ୟୟନରେ ନେତୃତ୍ୱ ଆମ ଭିତରୁ ଅନ୍ୟମାନେ ନେବେ । ଏହି ତଥାକଥିତ ଅନ୍ୟମାନଙ୍କ ଭିତରେ ମୁଁ ଆପଣଙ୍କ ନାମ ମଧ୍ୟ ମୋ’ ତାଲିକାରେ ଲେଖୁ ରଖୁଛି । ତେଣୁ, ଚରୈବେତି ।

 

ଆମେ କାହାଦ୍ଵାରା ଆକୃଷ୍ଟ ହୋଇ ଶିବିରକୁ ଯିବା ନାହିଁ । ପରସ୍ପର ଦ୍ୱାରା ଆକୃଷ୍ଟ ହୋଇଯିବା । ପରସ୍ପର ସହିତ ବର୍ଷଟାସାରା ବାନ୍ଧି ହୋଇ ରହିଥିବା ବୋଲି ଶିବିରକୁ ଯିବା । ଆମ ସମସ୍ତଙ୍କର ଯେ ଉପନୟନ ହୋଇଯାଉଛି, ଆମ ଶିବିରଗୁଡ଼ିକ ତାହାରି ସନ୍ତକ ହୋଇ ରହିବ । ଆମ ପ୍ରତ୍ୟେକଙ୍କ ଭିତରେ ଯାହା ସର୍ବୋତ୍ତମ, ତାହା ହିଁ ଆମକୁ ପରସ୍ପର ସହିତ ବାନ୍ଧି ରଖିଥିବ । ପରସ୍ପରର ପରିପୂରକ ଭାବରେ ଆମକୁ ସକ୍ରିୟ ଓ ପ୍ରସନ୍ନ କରି ରଖୁଥିବ ।

 

ତେଲଲୁଣର ସଂସାରକୁ ଆଉ ଅନ୍ୟ କେଉଁ ତେଲଲୁଣର ବାହାର ତଥାକଥିତ ସଂସାରଠାରୁ ଅଲଗା କରି ଦେଖିବେ ନାହିଁ । ଆମ ମଣିଷଙ୍କ ମାଧ୍ୟମରେ ହିଁ ଏହିସବୁ ଭିନ୍ନ ଭିନ୍ନ କିସମର ସଂସାର ମଧ୍ୟରେ ସେତୁମାନ ପଡ଼ିଛି । ସେହି ସେତୁଟିକୁ ନିଜର ଚେତନା ଭିତରେ, ଅନୁରାଗ ଓ ନିବେଦନ ସାମର୍ଥ ମଧ୍ୟରେ ଆବିଷ୍କାର କରିବାକୁ ହେବ । ଆମେ ଯାହାକୁ ଆଧ୍ୟାତ୍ମିକ ସଂସାର ବୋଲି କହୁଛି, ତାହା ହିଁ ଆମ ଭିତରେ ଓ ବାହାରେ ରହିଥିବା ଭଗବାନଙ୍କୁ ଲାଗି ତେଲଲୁଣର ସଂସାର । ତେଣୁ ଆମର ମଧ୍ୟ ଅସଲ ସଂସାର । ଆମ ସେତୁଗୁଡ଼ିକ ମାଧ୍ୟମରେ ହିଁ ଆମେ ଆପଣାକୁ କ୍ରମେ ସମଗ୍ରତର, ‘ପୂର୍ଣ୍ଣାତ୍ ପୂର୍ଣ୍ଣତର’ dimension ଦେଇ ଦେଖିବାକୁ ପାଇବା ତଥାକଥିତ ବିଭିନ୍ନ କ୍ଷେତ୍ରରେ ସଂସାରର ବହୁତର ଭାଗରେ ମୋଟେ ବହୁଭାଗ ହୋଇ ରହି ଯିବାନାହିଁ ।

 

ଶ୍ରମଶିବିରରେ କ୍ରମେ ଆପଣଙ୍କୁ ଅଧିକ ଦାୟିତ୍ୱ ନେବାକୁ ହେବ । ମତେ ଆଉ ଏକୁଟିଆ ବ୍ରାହ୍ମଣ ହେବା ହେବାକୁ ମୋଟେ ଭଲ ଲାଗୁନାହିଁ । ଅଧ୍ୟୟନର କାର୍ଯ୍ୟକ୍ରମ ଭିତରକୁ ଆପଣ ଯେତେ ଶୀଘ୍ର ଆସି ପ୍ରବେଶ କରିବେ, ବ୍ରାହ୍ମଣ ହୋଇ ମଝିରେ ବସିବେ ଓ ପୋଥି ପଢ଼ିବେ, ବୁଝାଇବେ, ଆଲୋଚନା ଲାଗି ସ୍ପୁଲିଙ୍ଗଗୁଡ଼ିକୁ ଯୋଗାଇଦେବେ, ସମସ୍ତଙ୍କର ହାତ ଧରି ଅଧ୍ୟୟନ ଭିତରେ ବାଟ ଚାଲୁଥିବା ପରି ଅନୁଭବ କରୁଥିବେ, ମୁଁ ସେତେ ଆଶ୍ଵସ୍ତ ହେବି । …ଜଣକ ମୁହଁକୁ ନଅନାଇ ପରସ୍ପର ମୁହଁକୁ ଆପଣାର ଅନ୍ତରଙ୍ଗତମ ପିପାସା ନେଇ ଅନାଇ ପାରିଲେ ଅନେକ ସମୟରେ ଭଗବାନ ମଧ୍ୟ ଦୃଷ୍ଟ ହୋଇ ଯାଆନ୍ତି ।

 

ଭୁବନେଶ୍ୱର, ୧୯।୧୧।୯୨

 

...ମନୋବୈଜ୍ଞାନିକ କାରଣରୁ ଯେଉଁ ରୋଗ ହୁଏ, ତାହା ମୋଟେ ରୋଗ ନୁହେଁ । କାରଣ, ମଣିଷର ମନଟା ମଣିଷର ନିଜର । ଯାହା ନିଜର, ତାହା ପୁଣି ରୋଗର କାରଣ କାହିଁକି ହେବ ? ଆପଣ ବିଚାର କରିବେ । ବିଚାର କରୁ କରୁ ଥଳ ପାଇଯିବେ । ଅଧିକ କୌଣସି ପ୍ରତିକାରର ଆବଶ୍ୟକତା ନାହିଁ । ଥଳ ପାଇଯିବାଟା ହିଁ ଅସଲ ଓ ସର୍ବୋତ୍ତମ ପ୍ରତିକାର ।

 

ସେଦିନ ଦେଖୁଲି, ଆପଣ ଗଦାଏ ‘ରୋହିତର ଡାଏରୀ’ ସାଙ୍ଗରେ ନେଇ ଗଲେ । ଆପଣମାନଙ୍କର ମୋ ପ୍ରତି ଓ ମୋ’ ମାଧ୍ୟମରେ ମୋ’ ଲେଖା ବହିଗୁଡ଼ିକ ପ୍ରତି ଏତେ ମମତା, ସେଥିଲାଗି ମୁଁ କୃତଜ୍ଞ । ମାତ୍ର ମମତା କଦାପି ଯଥେଷ୍ଟ ନୁହେଁ । ମୁଁ ଯେତିକି ଆନ୍ତରିକତା ସହିତ ନିଜକୁ ମୋ’ ଡାଏରୀ ଗୁଡ଼ିକରେ ଦେଖୁବାକୁ ଚେଷ୍ଟା କରିଛି, ସେହି ଆନ୍ତରିକତା ହିଁ ଆମ ପରସ୍ପରକୁ ଚିହ୍ନିବାରେ ଆମର ଦର୍ପଣ ହୋଇ ରହୁ । ଡାଏରୀର ତ୍ରୟୋଦଶ ଖଣ୍ଡ ପଢ଼ିବେ । ତାହାକୁ ମୁଁ ମୋ’ ଗଭୀରତମ ବ୍ୟାକୁଳତା ଦେଇ ଲେଖୁଛି । ଗୋଟିଏ ବର୍ଷର ଦିନଟିଏ ମଧ୍ୟ ବାଦ୍ ଦେଇ ନାହିଁ । ସବୁ ଖଣ୍ଡଗୁଡ଼ିକ ମଧ୍ୟରେ ମୋ’ଲାଗି ସେହି ଖଟିର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି ।

 

ଭୁବନେଶ୍ୱର, ୨୮।୨।୯୪

 

...ଆତ୍ମୀୟତା ସାକାର ଓ ପ୍ରତ୍ୟକ୍ଷ ହୋଇ ଆସିବା ସଂଗେ ସଂଗେ ଆମେ ପରସ୍ପର ମଧ୍ୟରେ କେତେ କଣ ଦେଖିବା । ଦେଖି ମୋତେ ବିସ୍ମିତ ହେବା ନାହିଁ ଅଥବା । ତାହାକୁ ହିଁ ସବୁକିଛି ବୋଲି ଧରି ନେବା ନାହିଁ । ଏମିତି କ୍ରମେ ଯାଉ ଯାଉ ଆମେ । ବାହାରେ ଯାହା ଦେଖିଲେ, ତାହାକୁ ଆମ ନିଜ ଭିତରେ ମଧ୍ୟ ଦେଖିବା । ଏମିତି ଦେଖୁ ଦେଖୁ ଆମର ଯାବତୀୟ ଦେଖିବା କ୍ରମେ ଅତ୍ୟନ୍ତ ସ୍ୱାଭାବିକ ହୋଇଯିବ ।

 

ଭୁବନେଶ୍ୱର,୨୨। ୧୦।୯୪

 

...ଭିତରକୁ ଯିବାକୁ ଇଚ୍ଛା ହେଲାଣି, ଅର୍ଥାତ ଏଣିକି ବାଟ ମଧ୍ୟ ମିଳି ମିଳି ଯାଉଥିବ । ତେଣୁ ଆଉ ଚିନ୍ତା କରିବାର କୌଣସି କାରଣ ନାହିଁ । ତା'ପରେ ଜୀବନଟା ଉତ୍ସବ ପରି ଲାଗିବ । କାହାଠାରୁ ପଛରେ କିମ୍ବା ଆଗରେ ଅଛନ୍ତି ବୋଲି ମୋଟେ ଅନୁଭବ ହେବ ନାହିଁ ।

 

ଭୁବନେଶ୍ୱର, ୨୮।୭।୯୪

 

ସେଦିନ ହଠାତ୍ ଯାଇ ପହଞ୍ଚିଗଲି, ଘରେ ସମସ୍ତେ ଅବାକ୍ ହୋଇଯାଇଥିବେ । କଥା ନହସରେ ଦୁଇଘଣ୍ଟା ଚାଲିଗଲା, କିଛି ଜାଣି ହେଲା ନାହିଁ । ଏହିପରି ସବୁଟି ଭିତରେ କିଛି ଜାଣି ନହେବାଟା ବୋଧହୁଏ ଅସଲ ମିତ୍ରତା ଓ ଆଧ୍ୟାତ୍ମିକତା । ମୁଁ ଚାରିଜଣଯାକଙ୍କ ପାଖରେ ମୋ’ର ଅନେକ କୃତଜ୍ଞତା ଜଣାଉଛି ।

 

କିଛି ଆଗ୍ରହ ହେଉନାହିଁ ବୋଲି ସେଦିନ ଆପଣ କହିଲେ । ମିଛ କଥା । ଆଗ୍ରହର ସୋପାନ-ପରିବର୍ତ୍ତନ ସମୟରେ ଏହିପରି ସବୁ ପୁରୁଣା ଓ ଝଟା ଲାଗେ । ଏବଂ ତା’ପରେ ପରବର୍ତ୍ତୀ ସୋପାନଟି ଦିଶିଯାଏ । ତେଣୁ ଆପଣ ସେଥିଲାଗି ପ୍ରସ୍ତୁତ ହୋଇ ରହନ୍ତୁ ।

 

ଭୁବନେଶ୍ୱର, ୧୩।୯।୯୪

 

...ଆମେ ପ୍ରତ୍ୟେକ ପ୍ରତ୍ୟେକର କେଡ଼େ ନିକଟବର୍ତ୍ତୀ ହୋଇ ରହିଛି । ସଂସ୍କାରଗୁଡ଼ିକୁ କାଟ ନିର୍ମଳ, ଆତ୍ମନିରୋଧମୁକ୍ତ ଚେତନାଟିଏ ହୋଇ ପାରିଲେ ଅତି ସହଜରେ ଆମେ ପରସ୍ପରମଧ୍ୟକୁ ପ୍ରବେଶ କରିଯାଇ ପାରିବା । ସେହି ଗୋଟିଏ ଚେତନା ହିଁ ଏହି ବିଶ୍ୱରୂପୀ ବିରାଟ ଜୀବନବସ୍ତୁରେ ପରିଣତ ହୋଇଛି ବୋଲି କେଡ଼େ ସ୍ୱାଭାବିକ ଭାବରେ ଅନୁଭବ ହୋଇଆସିବ । ଦୂରତାଗୁଡ଼ିକୁ ଆମେ ନିଜେ ତିଆରି କରିଥାଉ । ତଥାପି, ଗୋଟିଏ ଗୋଷ୍ଠୀରେ ଜଣେ ମଧ୍ୟ ଠିକଣା ଭାବରେ ମୁକ୍ତ ଓ ଅନୁରାଗୀ ମଣିଷ ଥିଲେ ହେଁ ସେ ଦୂରତାଗୁଡ଼ିକୁ ନମାନି ସିଧା ଭିତରେ ପଶିଯାଇ ପାରେ । ଆମେ ପ୍ରତ୍ୟେକ ଏହିପରି ଗୋଟିଏ ଗୋଟିଏ ମଣିଷରେ ପରିଣତ ହେବା ପାଇଁ ଉଦ୍ୟମ କରିବା । ତେବେ ପୃଥିବୀଟା ଆଉ ମୋଟେ ଡରାଇ ପାରିବ ନାହିଁ ।

 

“ମୋ’ର research mind ନୁହେଁ ବେଶୀ ପରିଶ୍ରମ କରି ପାରେନାହିଁ, ଏଗୁଡ଼ିକ ହୁଏତ କୌଣସି କାରଣରୁ ଗ୍ରହଣ କରାଯାଇଥିବା ଗୋଟିଏ ଗୋଟିଏ ମିଛ axiom– ଯେଉଁଗୁଡ଼ିକର ମାୟାକୁ ଡେଇଁଯିବାକୁ ହେବ । ଏସବୁ ସଂସ୍କାର । ସଂସ୍କାର ଦ୍ଵାରା ବାନ୍ଧି ହୋଇ ରହିଥିବା ଗୋଟିଏ ମୁଁ ଅଛି, ଏବଂ beyond all ସଂସ୍କାରର ଗୋଟିଏ ମୁଁ ରହିଛି । ଦ୍ୱିତୀୟଟିକୁ ଛୁଇଁଲେ କେବଳ ଦିଗ୍‍ବଳୟଟିଏ ଦେଖାଯାଏ । ଦିଗବଳୟଟି ଆମଠାରୁ କେତେ ଦୂରରେ ରହିଛି ବୋଲି ଭାବିବାକୁ ମଧ୍ୟ ବେଳ ମିଳେ ନାହିଁ । ଏହି ଦିଗବଳୟ ଆକର୍ଷଣ କରେ । ତା’ ମିତ୍ରଟିକୁ, ଯିଏ ଆମ ଭିତରେ ଥାଏ, ହାତଠାରି ଡାକେ । ସେହି ହାତଟିର ସ୍ପର୍ଶ ଓ ସଂକେତଟିକୁ ଅନୁଭବ କରିବା ହେଉଛି ଆସ୍ପୃହା । ଆହାଟି ଆମକୁ ଡାକୁଥିବ, –ଏବଂ ଆମେ ସେହି ଅନୁସାରେ ବାଟ ଚାଲୁଥିବା । ତାହାହିଁ ଜୀବନ । ଆଗ ଜୀବନ ଠିକ୍ ହେବ, ତା'ପରେ ମୁଁ ଯାଇ ଆସ୍ପୃହା କରିବି, ଏହା ଏକ ଅନିୟମର କଥା । ତେଣୁ, ଆପଣଙ୍କ ଭିତରେ ଦିଗ୍‌ବଳୟଟି ଆଗେ ଆଗେ ଚାଲୁ ଓ ଆପଣ ତା’ପଛରେ ଚାଲନ୍ତୁ ।

 

ଭୁବନେଶ୍ୱର, ୪।୩।୯୫

 

...ଗତ ରବିବାର ଦିନ ଆପଣମାନେ ବସିଲେ, ୨୨।୨୩ ଜଣ ବନ୍ଧୁ ଏକାଠି ବସି ସକ୍ରିୟ ଭାବରେ ଆଲୋଚନା କଲେ, ଏହା ଏକ ଅତ୍ୟନ୍ତ ଆନନ୍ଦଦାୟକ ଖବର । ମଣିଷ ଭିତରେ ଗୋଟିଏ କିଏ ଥାଏ, ଯିଏକି ସତେଅବା ଆଉ କାହାଲାଗି ଅପେକ୍ଷା କରି ରହିଥାଏ । ବେଳ ଆସିଲେ ଭେଟ ପାଇଯାଏ ଓ ତା’ପରେ ଅବିଶ୍ୱସନୀୟ ଭାବରେ କ୍ରିୟାଶୀଳ ଓ ସୃଜନାତ୍ମକ ହୋଇଉଠେ । ଆମେ ପରସ୍ପର ଭିତରେ ଏହି ସଖାଟିକୁ ଜାଗୃତ କରି ଆଣିବାରେ ସହାୟକ ହେବା-

 

ଆମେ ନିଜକୁ ଏକୁଟିଆ ଭାବୁଥାଉ ବୋଲି ଯାବତୀୟ ଅନିଚ୍ଛା ଓ ଦୁର୍ବଳତା ଆମକୁ ମାଡ଼ି ବସିଥାଏ । ଭଗବତ୍ ବିଶ୍ଵାସ ହିଁ ଆମକୁ ଆମେ କେହି ଏକୁଟିଆ ନୋହୁ ବୋଲି ଦୃଢ଼ ପ୍ରତ୍ୟୟଟି ଦେଇଯାଏ । ତେଣିକି, ସମସ୍ତେ ସାଙ୍ଗ ଭଳି ଦିଶନ୍ତି ।

 

ଭୁବନେଶ୍ୱର, ୩୦।୪।୯୫

 

ଆମ ଅଲକ୍ଷ୍ୟରେ ବହୁତ କିଛି ଘଟୁଛି; ଆହୁରି ନିର୍ଭୁଲ ଭାବରେ କହିବାକୁ ଗଲେ, ବହୁତ କିଛି ଘଟୁଛି, ମାତ୍ର ସେଗୁଡ଼ିକୁ ଆମେ ଲକ୍ଷ୍ୟ କରି ପାରୁନାହୁଁ । ଆମେ କେତେଟା ଚିହ୍ନା ସୀମାକୁ ହିଁ ନିଜ ଗ୍ରହଣଦ୍ଵାରଗୁଡ଼ିକର ମାପକାଠି ବୋଲି ଧରିନେଇଛୁ ଏବଂ ସେଥିଲାଗି ନିଜକୁ ଏକ ନିତ୍ୟ–formative ରୂପରେ ମଧ୍ୟ ଦେଖିକୁ ରାଜି ହୋଇପାରୁ ନାହିଁ । ସତେଅବା କେଡ଼େ ଆନନ୍ଦରେ ଚିହ୍ନା ପୁରୁଣା ଘର ଭିତରେ ରହିଛି ଓ ଆମକୁ ଏକାବେଳକେ (କିଏ) କେତେ ପାଦ ଆଗେଇନେବ ବୋଲି ଆଉ କାହାକୁ ଖୋଜିବାରେ ଲାଗିଛୁ ।

 

ଆମେ କେଉଁଠାରେ ଛିଡ଼ା ହୋଇଛୁ, ସେ ବିଷୟରେ ମିଛରେ ଗୁଡ଼ାଏ ସଚେତନ ନରହି ଯାହା କିଛି ଆମରି ସକାଶେ ପ୍ରତିଶ୍ରୁତି ହୋଇ ଶବ୍ଦ ଆକାରରେ ଲେଖା ହୋଇରହିଛି, ତାହାରି ଆଡ଼କୁ ମନକଲେ ପ୍ରତ୍ୟେକ ପନ୍ଦରଦିନିଆ ସମାବେଶ ଆମକୁ ଉପରକୁ ପଡ଼ିଥିବା ଗୋଟିଏ ପାହାଚ ପରି ଲାଗିବ ଓ ଆମେ ପରସ୍ପରର ହାତ ଧରାଧରି ହୋଇ କେଡ଼େ ଅବଲୀଳା ସହିତ ଉଠି ଯାଉଥିବା । ଏହାହିଁ ନିୟତି । ସେହି ନିୟତିଟିକୁ ସ୍ୱୀକାର କରି ତା' ସହିତ ସହଯୋଗ କରିପାରିଲେ ଆମେ ତା’ପରେ ଆଉ କିଏ ଆସିଲେ ଆହୁରି ଭଲ ହୋଇଥାନ୍ତା ବୋଲି କଦାପି ଶୋଚନା କରିବା ନାହିଁ । ସିଏ ଆସିଲେ ଖୁସୀ, ସିଏ ନଆସିଲେ ମଧ୍ୟ ଖୁସୀ । ଘରଟା ସବୁବେଳେ ପୂର୍ଣ୍ଣ ହୋଇ ରହିଥିବ ।

 

ଭୁବନେଶ୍ୱର, ୨୩।୧।୯୬

 

...ପରସ୍ପର ସହିତ ଘନିଷ୍ଟ ହେବାର ଅର୍ଥ ହେଉଛି ପରସ୍ପର ମଧ୍ୟରେ ରହିଥିବା ଅସଲ ସତ୍ୟକୁ ଭେଟିବା । ଅସଲ ସତ୍ୟ, ଅର୍ଥାତ ଯାହାକି ଏକାବେଳକେ ଅନେକ ବିଭିନ୍ନତା ବି ସ୍ୱୀକାର କରିପାରେ । ନିଜ ମତଗୁଡ଼ିକର ଗୁମ୍ଫାରେ କିଛି ହୋଇରହିଥିବା ପର୍ଯ୍ୟନ୍ତ ସତ୍ୟ ଭିତରକୁ କେବଳ ଗୋଟିଏ ଦ୍ଵାର ରହିଛି ବୋଲି ଆମେ ଅତ୍ୟନ୍ତ ଭାବପ୍ରେରିତ ହୋଇ ଭାବୁ । ସେଇଥିଲାଗି ପରମ୍ପରର ନିକଟବର୍ତ୍ତୀ ହେବାରେ ଅସୁବିଧା ହେଉଥାଏ । ସେହି ଅସୁବିଧାଟିକୁ ଯେକୌଣସି ମତେ ଘୋଡ଼ାଇ ରଖିବା ପାଇଁ ବୋଧହୁଏ କାଳେ କାଳେ ସମ୍ପ୍ରଦାୟଗୁଡ଼ିକର ସୃଷ୍ଟି ହୋଇଛି ।

 

ଭୁବନେଶ୍ୱର,୨୦।୬।୯୭

 

...ପିଲାଏ ସାନ ଥିବାବେଳେ ଆନନ୍ଦ ବି ଲାଗେ, ସେମାନେ ବଡ଼ ହେଲେ ମଧ୍ୟ ଆଉ ଏକ ପ୍ରକାରର ଆନନ୍ଦ ମିଳେ । ଏକାଠି ବାଟ ଚାଲିବା ପରି ମନେ ହୁଏ । ନିଜ ଘରେ ମଧ୍ୟ ଏକ ସୁହୃଦଗୋଷ୍ଠୀ ଗଢ଼ି ହୋଇଯାଏ । ସେଥିରୁ ପିତାମାତାଙ୍କର ପକ୍ଷଟି ହିଁ ଅଧିକ ଉପକୃତ ହୁଏ ।

 

ଭୁବନେଶ୍ୱର, ୨୧।୧୦।୯୯

 

...ଆପଣଙ୍କ ଭିତରୁ ଜନ୍ମଲାଭ କରୁଥିବା ଗଳ୍ପକାରକୁ ଅଭିନନ୍ଦନ ଜଣାଉଛି । କୋଉ ବାଟରେ ଯେ ଆମର ଦ୍ୱାରୋଦ୍‌ଘାଟନ ହେବ, ସେ କଥା ଆମ ନିଜକୁ ମଧ୍ୟ ଜଣା ନଥାଏ। ତା'ପରେ ଅପ୍ରତ୍ୟାଶିତ ଭାବରେ କୋଉଠି ଖଡ଼୍ କରି ଶବ୍ଦଟିଏ ହୁଏ ଏବଂ ମନଲାଖି ବନ୍ଧୁଟି ଭିତରୁ ବାହାରି ଆସିଥାଏ । ତେଣୁ, କ୍ଷୁବ୍ଧ ହେବାର ଆଦୌ କୌଣସି କାରଣ ନାହିଁ । ଯିଏ ଭିତରେ ସିଂହାସନରେ ବସିଛି, ମୁକ୍ତିର ପଥଟି ସେଇ ବାହାର କରିବ ।

 

ଭୁବନେଶ୍ୱର, ୨୬।୬।୨୦୦୦

 

.....ଆମଦ୍ଵାରା ପୃଥିବୀରେ କ'ଣସବୁ ହୋଇପାରିବ, ଆମେ ତାହାର କଳନା କରିବାକୁ ଆଦୌ କୌଣସି ଚେଷ୍ଟା କରିବା ନାହିଁ । ନହେଲେ, ଆମକୁ ନେଇ ଆମ ଭିତରେ ସ୍ୱପ୍ନ ଦେଖୁଥିବା ଆମର ଅସଲ ଉପାଦାନଟି ବାଧାପ୍ରାପ୍ତ ହେବ । ତେଣୁ, ଆମ ତରଫରୁ ସମ୍ମତି ହିଁ ଯଥେଷ୍ଟ । ସମ୍ମତମାନଙ୍କର ଗୋଷ୍ଠୀ–ତାହା ହିଁ ସୁହୃଦ୍ ଗୋଷ୍ଠୀ ।

 

ଭୁବନେଶ୍ୱର, ୧୪।୧୦।୯୬

 

....ଆଲୋଚନାର ମାଧ୍ୟମରେ ହିଁ ଅନ୍ତରଙ୍ଗତା ବଢ଼େ । ମନର ଭୂମିଟାକୁ ଖୋଲି ଦେଇ ପାରିଲେ ହୃଦୟ ଯାଏ ମଧ୍ୟ ସାହସ ପାଇଯାଏ ।

 

ରହସ୍ୟକୁ ଜାଣିବା ଲାଗି କୌଣସି ଚେଷ୍ଟା କରନ୍ତୁ ନାହିଁ । ରହସ୍ୟ ବୋଲି ଆଦୌ କିଛି ନାହିଁ । ସବୁ ବାସ୍ତବ, ସବୁ ଘଟଣା । ଏହିପରି ଘଟଣାପରେ ଘଟଣା ଘଟି ଯାଉଥିବ, ଆମେ ପାହାଚ ଉଠିଯାଉଥିବା । ତେଣୁ କେବଳ କୃତଜ୍ଞ ହିଁ ରହିବା । ଆଦୌ କିଛି ବୁଝିବାକୁ ଚେଷ୍ଟା କରିବା ନାହିଁ । ନିଜ ଜୀବନରେ ଯାହା ପ୍ରକୃତରେ ଘଟୁଛି, ତା’ପାଇଁ ଆଉ ଅଧିକା ପ୍ରମାଣ ବା ବ୍ୟାଖ୍ୟାର କି ପ୍ରୟୋଜନ ରହିଛି ? ତାହାକୁ ହିଁ plasticity ବୋଲି କୁହାଯିବ । ଏହି plasticity ଏକ ସମଗ୍ର ଘଟଣା, ସମଗ୍ର ଉନ୍ମୋଚନ । ତା’ପରେ ନିଜର ଦେହ, ପ୍ରାଣ, ମନ ସବୁ ଉଶ୍ୱାସ ଲାଗିବ। ଦେଖୁଥିବା ସଂସାରଟା ମଧ୍ୟ ଉଶ୍ୱାସ ଲାଗିବ । ମଣିଷମାନେ ଭାରି ଉଶ୍ୱାସ ହୋଇ ଦିଶିବେ । ଉଶ୍ୱାସ ହୋଇ ଦିଶିବାର ଏହି ଯେଉଁ ସ୍ତରଟି, ତାହା ହିଁ ସବୁଟି ଓ ସବୁରି ସହିତ ବନ୍ଧୁ ହୋଇଯିବାର ସ୍ତର-ପରମବନ୍ଧୁଙ୍କୁ ପ୍ରତ୍ୟକ୍ଷ ଭାବରେ ସଙ୍ଗୀ କରିପାରିବାର ସ୍ତର ।

 

ଆପଣଙ୍କର କ୍ରିୟାଶୀଳତା ଆହୁରି ବଢ଼ିବ । ଏସବୁ କାହିଁକି ହେଉଛି ବୋଲି ମୋଟେ ପ୍ରଶ୍ନ କରନ୍ତୁ ନାହିଁ । କେବଳ ସମ୍ମତି ଦିଅନ୍ତୁ । ପରିବାରରେ ଜଣେ ସୁସ୍ଥ ରହିଲେ, ସତକୁ ସତ ରାଜି ହୋଇଗଲେ ତାହା ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ଓ ସକ୍ରିୟ ହେବାରେ ସହାୟତା କରିବ ।

☆☆☆

 

ଶ୍ରୀଯୁକ୍ତ ମଧୁସୂଦନ ମହାପାତ୍ର

 

(ଶ୍ରୀଯୁକ୍ତ ମହାପାତ୍ର ବଲାଙ୍ଗିର ଜିଲ୍ଲାର ଏକ ଉଚ୍ଚବିଦ୍ୟାଳୟରେ ଏକଦା ସଂସ୍କୃତ ଶିକ୍ଷକ ଥିଲେ । ତାଙ୍କ ସହିତ ସେହି ସମୟରୁ ପରିଚୟ । ବର୍ତ୍ତମାନ ସିଏ ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀର ସ୍ଥାୟୀ ଅଧିବାସୀ ।)

 

ଭୁବନେଶ୍ୱର,୧୧।୪।୯୩

 

.....ଆପଣଙ୍କୁ ଉଦ୍ଦେଶ୍ୟ କରି ମୁଁ କିଛି ଲେଖୁନଥିଲି। ଏହି ସମସ୍ୟାଟି ଆପଣଙ୍କର ବା ମୋ’ର ନୁହେଁ । ଏହା ସମଗ୍ର ମାନବଜାତିର । ଆମେ ସତେ ଅବା ନିଜ ନିଜର ପଥକୁ ଏକା ଏକା ଚାଲିବାପରି ଭାବୁଛୁ ବୋଲି ଅନ୍ୟପ୍ରକାରେ ଭାବୁଛୁ । ଏକା ଏକା ଚାଲିବା, ଏହା ପୁରାତନ ଯୋଗର କଥା । ତାହାଦ୍ୱାରା ପୃଥିବୀର ନୂତନ ଉତ୍ତୋଳନଟି ସମ୍ଭବ ହେବ ନାହିଁ । ବିବର୍ତ୍ତନର ଧାରାରେ ସାହାଯ୍ୟ କରିବାକୁ ଆମେ ଏକତ୍ର ପ୍ରସ୍ତୁତ ହେବା, ଏକତ୍ର ପ୍ରସ୍ତୁତ ହୋଇ ଏକତ୍ର ହିଁ ବାଟ ଚାଲିବା । ଏହି ଦୃଷ୍ଟିରୁ ଦେଖୁଲେ ବ୍ୟକ୍ତିର କ୍ଷେତ୍ର ଏବଂ କର୍ମକ୍ଷେତ୍ର ମଧ୍ୟରେ ପାର୍ଥକ୍ୟ ରହିବା ଉଚିତ ନୁହେଁ । କାରଣ, ଅସଲ କର୍ମକ୍ଷେତ୍ର ଲାଗି ତ ବ୍ୟକ୍ତିର ଯାବତୀୟ ପ୍ରସ୍ତୁତି ଓ ଯୋଗ୍ୟତା-ଅର୍ଜନ । ବ୍ୟକ୍ତି ତା' ହିସାବ ଅନୁସାରେ ପ୍ରସ୍ତୁତ ହେବ ବୋଲି କ'ଣ କର୍ମର ଆହ୍ୱାନଗୁଡ଼ିକ ଅପେକ୍ଷା କରି ରହିବ ?

 

ବୀରତ୍ୱ ଆଗ ଦେଖାଦେବ, ତା'ପରେ ଆପଣ ପ୍ରମାଣ ପାଇବେ, –ସେପରି ହୁଏନାହିଁ । ବୀରଟିଏ ଭିତରେ ଅପେକ୍ଷା କରି ରହିଥାଏ, ଆମେ ସମ୍ମତ ହେଲେ ନିଜର ପରିଚୟ ଦିଏ । ଶହେ ବର୍ଷର ପ୍ରସ୍ତୁତିକୁ ଗୋଟାଏ ବର୍ଷରେ ଅତିକ୍ରମ କରିଯାଏ । ପୃଥିବୀ ଜନନୀ ପରି ଆହ୍ୱାନ ଦେବାରେ ଲାଗିଥାଏ, ଆମ ଭିତରର ବୀର ସନ୍ତାନଟି ଲାଗି ଅପେକ୍ଷା କରିଥାଏ ।

 

କେହି ପଛରେ ନାହାନ୍ତି, କେହି ଆଗରେ ନାହାନ୍ତି । ସମସ୍ତେ ଯନ୍ତ୍ର ହେବାକୁ ହିଁ ଆସିଛନ୍ତି । ଯନ୍ତ୍ର ହେବାର ଦାୟିତ୍ୱଟିକୁ ମୁଁ କେତେଯାଏ ଟାଳିବି, ତାହା ମୋ’ ଭିତରେ ରହିଥିବା ଅନ୍ୟମନାଟି ଉପରେ ନିର୍ଭର କରେ । ଯନ୍ତ୍ର ଯେତେବେଳେ ଯେଉଁ ସ୍ତରରେ ଥାଉ ପଛକେ, ତାକୁ ଅନୁରୂପ ଭାବରେ ବ୍ୟବହାର କରିବା ଯନ୍ତ୍ରୀର କାର୍ଯ୍ୟ । ଆମେ ଖାଲି ହାଜିରା ଦେବାକୁ ପହଞ୍ଚିଯିବା-। ସେ କାମ ଦେବ ଓ କାମ ମାଧ୍ୟମରେ ଆମକୁ ସମର୍ଥ, ତାହାରି ସମର୍ଥ କରି ନେଉଥିବ-

 

ଭୁବନେଶ୍ୱର,୧୫।୧୨।୯୩

 

ଆପଣଙ୍କର ଚିଠି ପାଇବା ଢେର ଦିନ ହୋଇଗଲାଣି । ଆପଣ ଉତ୍ତର ପାଇଁ ଅପେକ୍ଷା କରିଥିବେ । ଶ୍ରମଶିବିର ମଧ୍ୟ ଅତି ନିକଟ ହୋଇଆସିଲାଣି । ତେଣୁ, ମନଟା ପୂରା ସେଠାକୁ ଚାଲିଗଲାଣି । ପ୍ରତି ଛଅମାସରେ ଥରେ ସେହି ଶିବିରରୁ ମୁଁ ବଳ ସଂଗ୍ରହ କରି ଫେରେ । ସଂସାର ଯେପରି ଯେଉଁଠି ଥାଉ ପଛକେ, ଏଠାରେ ନିଷ୍କପଟ ଭାବରେ ଜୀବନଯାପନ କରିବା ଲାଗି ମୁଁ ସେହି ଶିବିରରୁ ହିଁ ଶକ୍ତିସଂଗ୍ରହ କରିଥାଏ । ନହେଲେ, କପଟ ଭିତରେ ତିଷ୍ଠି ରହିବା ଅତ୍ୟନ୍ତ କଷ୍ଟକର ହେଉଥାନ୍ତା ।

 

ଏବଂ, ଦିନୁଁ ଦିନ ମୋ’ର ଏହି ବିଶ୍ୱାସଟି ଅଧିକ ଦୃଢ଼ ହୋଇଯାଉଛି ଯେ, ନିଷ୍କପଟ ନହେଲେ ଆମେ କଦାପି ଭଗବାନଙ୍କର କୌଣସି କାର୍ଯ୍ୟ କରିବାର ଯୋଗ୍ୟ ହୋଇପାରିବା ନାହିଁ । ଅନେକ ଅଛନ୍ତି, ଯେଉଁମାନେ କି କପଟ ଭିତରେ ରହିବାକୁ ଏକ ପ୍ରୟୋଜନସିଦ୍ଧ ଯୋଗ୍ୟତା ବୋଲି ଧରି ନେଇଥାନ୍ତି ଏବଂ ଆପଣାକୁ ସତେଅବା ଘୋଡ଼ାଇ ରଖିବାକୁ ଭଗବାନଙ୍କର ଯାହା ଇଚ୍ଛା ଥିବ ତାହା ହିଁ ଫଳିବ ବୋଲି କହିବାରେ ଲାଗିଥାନ୍ତି । ଆମକୁ ଭୂମି ନକରି ଭଗବାନ ଆଦୌ କିଛି କରି ପାରିବେ ନାହିଁ ବୋଲି ଆମେ ସେତେବେଳେ ବେଶ୍ କୌଶଳ କରି ଭୁଲିଯାଉ । ଶ୍ରୀଅରବିନ୍ଦ ଓ ମାଆଙ୍କର ଯେତେ କଥା ମୁଁ ଏପର୍ଯ୍ୟନ୍ତ ପଢ଼ିଛି ଓ ସେଗୁଡ଼ିକୁ ଯେତେଦୂର ବୁଝିଛି, ସେଥିରୁ ଏତିକି ଜାଣିଛି ଯେ, ସେମାନେ ଆମର ପ୍ରସ୍ତୁତ ହେବା ଲାଗି ହଜାର ହଜାର ପୃଷ୍ଠା ଲେଖି ଯାଇଛନ୍ତି । ଆମେ ଯେ ପ୍ରସ୍ତୁତ ହେଉ ନାହୁଁ, ମଙ୍ଗଳମୟଙ୍କର ଘରଭିତରେ ବହୁବିଧ ଅମଙ୍ଗଳର ପ୍ରବେଶ ଘଟାଉଛୁ ଓ ଭଗବାନଙ୍କ ଠାରୁ ଦୂରଛଡ଼ା ହୋଇ ରହିଛୁ, ସେହି କଥାର ପ୍ରମାଣ ଆମେ ସର୍ବଦା ହିଁ ଦେବାରେ ଲାଗିଛୁ । ଅହଂଟା ଭିତରେ ଭଗବାନ ଚାପି ହୋଇ ରହିଛନ୍ତି । ଅହଂଟା ହିଁ ଆଉ କିଛି ଦିନ ଯେମିତି ସେମିତି ରହିଯିବ ବୋଲି ଯାଉଣୁ ଆସୁଣୁ ଭଗବାନଙ୍କର ଇଚ୍ଛା ହିଁ କାର୍ଯ୍ୟକାରୀ ହେବ ବୋଲି କହୁଛୁ । ବରଂ, ଆମ ଭିତରେ ଆମେ ନିଜ ନିଜର ପ୍ରସ୍ତୁତ ହେବା ବିଷୟରେ ଅଧିକ ଚର୍ଚ୍ଚା କରୁଥାନ୍ତୁ ଓ ପରସ୍ପରର ଅଗ୍ରଗତିରେ ସାହାଯ୍ୟ କରୁଥାଆନ୍ତୁ । ପରସ୍ପରଠାରୁ ଆମେ ଭାରି ଦୂରବର୍ତ୍ତୀ ହୋଇ ରହିଛୁ । ମାଆଙ୍କ ପାଖରେ ବସିଥିବା ସମୟରେ ମଧ୍ୟ ସେହି ସ୍ଥିତିରେ କୌଣସି ବ୍ୟତିକ୍ରମ ହେଉନାହିଁ ।

 

ଭୁବନେଶ୍ୱର, ୧୭।୨।୯୫

 

....ପ୍ରସ୍ତାବିତ ପୁସ୍ତିକାଟିକୁ ଆପଣ ଲେଖିବେ । ଏଥିପାଇଁ ଆପଣ ପାଞ୍ଚୋଟିଯାକ ଅଧ୍ୟାୟକୁ ଗଭୀର ଭାବରେ ଅଧ୍ୟୟନ କଲେଣି, କାର୍ଯ୍ୟଟି ଆପଣଙ୍କୁ ଭଲ ଲାଗିଲାଣି, ଏହା ହିଁ ସବୁଠାରୁ ବଡ଼ ପ୍ରମାଣପତ୍ର । ମାଆ ଓ ଶ୍ରୀଅରବିନ୍ଦ ଏହିପରି ଯେଉଁଦିନ ଆମକୁ ଭଲ ଲାଗିବେ, ଏକାବେଳକେ ଆମର ଅତି ଆପଣାର ପରି ଲାଗିବେ, ସେଦିନ ଆମକୁ ନିମିତ୍ତ କରି ତାଙ୍କର କେତେ କେତେ କାର୍ଯ୍ୟ ସମ୍ଭବ ହୋଇଯିବ । ଏକଦା ଅସାଧ୍ୟ ଲାଗୁଥିବା କାର୍ଯ୍ୟ କେବଳ ସାଧ ନୁହେଁ, ସହଜ ହିଁ ଲାଗିବ । ଆମେ ଅନେକ ସମୟରେ ନିଜ ପରିମାପର କ୍ଷୁଦ୍ର କ୍ଷୁଦ୍ର ମାଣଦ୍ୱାରା ସେମାନଙ୍କୁ ମାପିବାରେ ଲାଗିଥାଉ ବୋଲି ସେମାନଙ୍କୁ ନିଜଠାରୁ ବହୁଦୂର ପରିବୋଧ ହେଉଥାଏ । ନିଜ ଭିତରେ, ଆମ ଅସଲ କୁସୁମଟିର ଯାବତୀୟ ଆସ୍ପୃହା ଉପରେ ତାଙ୍କୁ ଠାବ କରି ନେଇ ସାରିବା ପରେ କ'ଣ ସବୁ ଯେ ଘଟେ, ସେକଥା ନିଜ ପାଇଁ ବି କଳନା କରି ହୁଏ ନାହିଁ । ଆଉ କାହାରି ସହିତ, –ନିଜ ସହିତ ବି ନୁହେଁ, –ମୋଟେ ଝଗଡ଼ା କରିବାକୁ ପଡ଼େ ନାହିଁ । ଆମେ ରାଜି ହେଲେ ଆମ ଭିତରେ ଅପେକ୍ଷା କରି ରହିଥିବା ସେଇ ଅଗ୍ନି ପରି, ସଖା ପରି, ଆମକୁ ଯାବତୀୟ ଅଗ୍ନିସାନ୍ନିଧ୍ୟର ଯୋଗ୍ୟ କରିନିଅନ୍ତି, –ଏଣିକି ଆପଣ ଏକଥା ସ୍ଵୟଂ ଅଙ୍ଗେ ନିଭାଇବେ । ଆପଣଙ୍କର ଏହି ଖୁସୀରେ ମୋତେ ବି କେଡ଼େ ଖୁସୀ ଲାଗୁଛି ।

 

ପୁସ୍ତିକାଟି ଆପଣଙ୍କ ନାମରେ ବାହାରିବ । ମୋ’ର ଏ ଚିଠି ପାଇବା ପରେ, ‘‘ଆପଣ ଯେଉଁପ୍ରକାର ଲେଖା ଏହାକୁ ନେଇ ଲେଖୁବାକୁ ଚାହୁଛନ୍ତି, ସେଥିପାଇଁ ମୋ’ର ଏତେ ଗଭୀର ଜ୍ଞାନ ଅଛି ବୋଲି କାହିଁ ଲାଗୁନି ବୋଲି ଲେଖିବାକୁ ଆପଣ ଆଉ ଆଦୌ ମନ କରିବେ ନାହିଁ । ବାହାରୁ ଦେଖିବା ପର୍ଯ୍ୟନ୍ତ ଭିତରଟା କେଡ଼େ ଅଳପ ଦିଶୁଥାଏ । ଭିତରୁ ଥାଇ ଦେଖିଲେ ସେସବୁ ଅଳପ ଦେଖିବାର ଧୃଷ୍ଟତା କେଡ଼େ ସହଜରେ ହୁଡ଼ି ହୋଇଯାଏ । ଅଥ, ଚରୈବେତି । ଆପଣ ଭଲ କରି ହୃଦୟଙ୍ଗମ କରିବେଣି ଯେ ମୋ’ର ଆଉ କୌଣସି ସୃଷ୍ଟୀକରଣ ଦେବାର ପ୍ରୟୋଜନ ନାହିଁ । ଏଥର ନିଜ ପାଖରୁ ଆପଣ ସବୁ ପାଇଯିବେ । ଯାହା ବିଷୟରେ ଆପଣ ଲେଖିବେ, ତାହାରି ଆଖିରେ ତାକୁ ଦେଖିବେ, –ଏହା ହିଁ ସବୁଠାରୁ ସିଧା ବାଟ ।

 

ମୋ’ର ସବୁଯାକ ଶୁଭେଚ୍ଛା ଏହି କାର୍ଯ୍ୟଟି ପଛରେ ରହିଲା । ଏଇଟି କେବଳ ଜଣେ ଆପଣଙ୍କର କାର୍ଯ୍ୟ ନୁହେଁ, ଏହା ଆମ ସମସ୍ତଙ୍କର କାମ । ଇତି ।

 

ଭୁବନେଶ୍ୱର, ୨୨।୫।୯୫

 

...ଶ୍ରମଶିବିର ଆଜି ୨୨ ତାରିଖଠାରୁ ଆରମ୍ଭ ହୋଇଯାଇଥିବ; ଅଧ୍ୟୟନ ଏବଂ ଶ୍ରମ ଯଥାରୀତି ଚାଲିବ । ଗତ ଜୁନାଗଡ଼ ଶ୍ରମଶିବିରରୁ ତାହାର ପ୍ରମାଣ ମିଳି ଯାଇଛି । ମୋ’ର ଦେହ ଆଗ ଅପେକ୍ଷା ଅନେକ ଅଧିକ ସୁସ୍ଥ ଅଛି । ମୁଁ ତଥାପି ଶ୍ରମଶିବିରକୁ ଯାଇନାହିଁ । ବନ୍ଧୁମାନେ ସଂପୂର୍ଣ୍ଣ ଭାବରେ ନିର୍ଭରଶୀଳତା ଛାଡ଼ିବା ପରେ ହୁଏତ ମୁଁ ଯିବି । ଉପସ୍ଥିତ ରହିବି ସିନା, –ମାତ୍ର ମୁଁ ଅପରିହାର୍ଯ୍ୟ ବୋଲି ଆଉ କେହି ହେଲେ ବିଚାର କରୁନଥିବେ ।

 

ସମ୍ଭାବନା କେବଳ ଡାଳିଯୋଡ଼ାରେ ନାହିଁ, ସବୁଠାରେ ସବୁରି ଭିତରେ ରହିଛି । ମାତ୍ର ସବୁକିଛି ଆମ ସମସ୍ତଙ୍କର ସମ୍ମତି ଓ ପ୍ରସ୍ତୁତି ନିମନ୍ତେ ଅପେକ୍ଷା କରି ରହିଛି । ଶକ୍ତି ଭିତରୁ ଆସନ୍ତା, ସ୍ୱତଃପ୍ରବୃତ୍ତ ପାରସ୍ପରିକତାରୁ ଆସନ୍ତା । ସେଗୁଡ଼ିକ ମହଜୁଦ ନଥିବାରୁ ଯାହା ଯେତେଯାଏ ହେବାର କଥା, ତାହା ହୋଇ ପାରୁନାହିଁ ।

 

...ସେଦିନ ଆପଣ ଏଠାକୁ ଆସିଥିଲେ, ମୁଁ ଗପରେ, ଖୁସୀରେ ଏତେ ମଜ୍ଜିଗଲି ଯେ, ଆପଣ ଯେଉଁ ପ୍ରଥମ ପାଣ୍ଡୁଲିପିଟି ମୋ’ଠାକୁ ପଠାଇଥିଲେ, ସେଇଟିକୁ ଆପଣଙ୍କୁ ଦେଇ ପାରିଲି ନାହିଁ । ଆପଣଙ୍କର ସେଇଟି ଦରକାର ହେବ ନାହିଁ ତ ? ଆମେ ମନେ ରଖିବା ଯେ, ଉଦ୍ଦିଷ୍ଟ ପୁସ୍ତକଟିରେ ଭାଷା ସରଳ ହେବ, ଏକାନ୍ତ ସହଜବୋଧ୍ୟ ହେବ,ଏକାବେଳକେ ଆପଣଙ୍କର ଲେଖାପରି ଲାଗିବ । ମାତ୍ର, ଭାବ ଶ୍ରୀଅରବିନ୍ଦଙ୍କର ହେବ । ଗୋଟିଏ ହେଲେ ମୌଳିକ ବିଚାର ଅଥବା ମୌଳିକ ଦୃଷ୍ଟାନ୍ତ ବାଦ୍ ଯିବନାହିଁ ।

 

....ମୁଁ ଆଉ କେବେ ଆଶ୍ରମ ଯିବି ବୋଲି ଆପଣ ପଚାରିଛନ୍ତି । ଯେଉଁ ସାନ୍ନିଧ୍ୟ ଲାଗି ଅଧିକାଂଶ ବ୍ୟକ୍ତି ସେଠାକୁ ଯାଆନ୍ତି, ପରମ ଭାଗ୍ୟବଶତଃ ମୁଁ ତାହାକୁ ଏଠାରେ ମଧ୍ୟ ଅବିଚ୍ଛିନ୍ନ ଭାବରେ ପାଏ । ଦୂର ନିକଟ ଜାଣି ପାରେ ନାହିଁ । ତଥାପି ମୁଁ ଭାବେ ଯେ, ଆଶ୍ରମ ସହିତ ଓଡ଼ିଶା କାମର ଏକ ଅଖଣ୍ଡ ଖିଅ ଲାଗିଥିବା ଉଚିତ । ଓଡ଼ିଶାରୁ ଆମେ ଅବଲୀଳା କ୍ରମେ ଆଶ୍ରମକୁ ଯାଇପାରୁଥିବା ଉଚିତ ଓ ଆପଣମାନେ ମଧ୍ୟ ଅବଲୀଳା କ୍ରମେ ଓଡ଼ିଶାକୁ ଆସି ପାରୁଥିବା ଉଚିତ । ଏଠା କାମ, ସେଠା କାମ,–ଉଭୟ ଗୋଟିଏ କାମ । ଉଭୟ ପକ୍ଷର ଦୂରତାବୋଧ କମିଲେ ତାହା ଅଧିକ ସହଜରେ ହୋଇପାରନ୍ତା । ଅଳମତି ବିସ୍ତରେଣ ।

☆☆☆

 

ଶ୍ରୀ ମନୋରଞ୍ଜନ ସାହୁ

 

(ଶ୍ରୀମାନ୍ ସାହୁ ବିଶ୍ୱଭାରତୀ ଓଡ଼ିଆ ବିଭାଗରେ ଅଧ୍ୟୟନ କରି ସ୍ନାତକୋତ୍ତର ପ୍ରମାଣପତ୍ର ହାସଲ କରିଛନ୍ତି । ସେହି ଅଧ୍ୟୟନ ସମୟରୁ ହିଁ ତାଙ୍କ ସହିତ ପରଚୟ ଓ ପତ୍ରାଳାପ । ବର୍ତ୍ତମାନ ସିଏ ନିଜ ଗାଆଁରେ, ଓଡ଼ିଶାରେ । ଏବେ ବି ପତ୍ର ବିନିମୟ ଚାଲିଛି ।)

 

ଭୁବନେଶ୍ୱର, ୧।୯।୯୫

 

...ଗାଆଁ ତୁମ ନିଜର ଗାଆଁ । ସେଇ ଗାଆଁରୁ ଗୋଡ଼ ବଢ଼ାଇ ବଢ଼ାଇ ତୁମେ କେତେ କୁଆଡ଼େ ଯାଇଛ, ଆହୁରି କେତେ କୁଆଡ଼େ ଯିବ । ସେଇ ଗାଆଁକୁ ଦର୍ପଣ କରି ପୃଥିବୀକୁ ଚିହ୍ନିବ, ପୃଥିବୀକୁ ଦର୍ପଣ କରି ବି ତାକୁ ଚିହ୍ନିବ । ମୂଳତଃ ସ୍ନେହ ଓ ପାରମ୍ପରିକତାକୁ ଭିତ୍ତି କରି ଗାଆଁରେ ଗୋଟାଏ ଗୋଷ୍ଠୀ ତୁମକୁ ପ୍ରେରଣା ରୂପେ ଯାବୁଡ଼ି ଧରି ଗଢ଼ି ଉଠୁ । ଦେଖିବ, ସତକୁ ସତ ସବୁବେଳେ ସେ ଗାଆଁ ଭଲ ଲାଗିବ । ତା’ର ହୃଦୟଟି ସହିତ ତୁମର ଖିଅ ଲାଗିଯିବ । ଏବଂ, ହୃଦୟ ସହିତ ଖିଅ ଲାଗିଥିବା ପର୍ଯ୍ୟନ୍ତ କାନ୍ଦିବାକୁ ଆଦୌ ଇଚ୍ଛା ହେବ ନାହିଁ । ତୁମ ସମସ୍ତଙ୍କୁ ଏକତ୍ର ଧରି ରଖିବାକୁ ଗାଆଁର ଲାଇବ୍ରେରୀଟି ହିଁ ସମସ୍ତଙ୍କର ବନ୍ଧୁ ପରି କାର୍ଯ୍ୟ କରୁ । ତାହାରି ମାଧ୍ୟମରେ ସଂପୃକ୍ତ ସମସ୍ତଙ୍କର ଆଖିଗୁଡ଼ିକ କୁଆଡ଼େ ମନ କୁଆଡ଼େ, ଲମ୍ବିଯିବାର ସାହସ ପାଉ ।

 

ଭୁବନେଶ୍ୱର, ୨୫।୯।୯୫

 

...ସତକୁ ସତ ଯଦି ମୋତେ ମାଟି,ବାଲି, ଇଟା କରି ମୂଳଦୁଆଟାଏ ପଡ଼ି ସାରିଲାଣି, ତେବେ ସେହି ଅନୁସାରେ କାରିଗରକୁ ଟାଣ ହେବାକୁ ପଡ଼ିବ । ଅର୍ଥାତ୍ ପ୍ରତ୍ୟେକ ଚିଠିରେ ନିଜ ଭୁଲ୍‍ ପାଇଁ କ୍ଷମା ମାଗିବାକୁ ପଡ଼ିବ ନାହିଁ । ମୂଳଦୁଆଠାରୁ ସମ୍ଭାବ୍ୟ ଅଟ୍ଟାଳିକାଟି ଯେ ଅଧିକ ମୂଲ୍ୟବାନ୍ ଓ ଅଧିକ ପ୍ରଣିଧାନର ଯୋଗ୍ୟ, ସେକଥା ସ୍ୱୀକାର କରିବାକୁ ହେବ । କବଳ ଏକ ପାରମ୍ପରିକ ପୁରୁଣା ସଂସାରରେ ହିଁ ଅଟ୍ଟାଳିକା ମୂଳଦୁଆଟାର ପ୍ରଶଂସା କରୁଥାଏ । ତେଣୁ, ଏଭଳି ଆଉ ନହେଉ ।

 

ସାହିତ୍ୟ ଭିତରେ ଯଦି ସତରେ ପଶିଥାଅ, ଭିତରେ ଯଦି ସୃଜନଶୀଳ ଶିଶୁଟି ହିଁ ତୁମର ସର୍ବପ୍ରଧାନ ସନ୍ତକ ହୋଇ ରହିଥାଏ, ତେବେ ଯାବତୀୟ କର୍ମବ୍ୟସ୍ତତା ସତ୍ତ୍ୱ ତଥାପି ସମୟ ବାହାର କରି, ନିଜେ କିଛି ଲେଖ ଓ ସେହିଗୁଡ଼ିକର ମାଧ୍ୟମରେ ନିଜକୁ ପରୀକ୍ଷା କର । କହିବା ବାହୁଲ୍ୟ, ଏଥିପାଇଁ ଏକ ଅତ୍ୟାବଶ୍ୟକତା ରୂପେ ଅଧିକ ପଢ଼ିବା ଲାଗି, ଅଧିକ ହଜମ କରିବା ଲାଗି ଓ ଅଳପରେ ଆଦୌ ସନ୍ତୋଷ ନହେବା ଲାଗି ଭିତରୁ ଏକ ଉଜ୍ଜ୍ୱଳ ଉତ୍ସାହ ଆସିବ । ଏହି ଚମଆଖିରେ ମଧ୍ୟ ତୁମେ ସେହି ଉଜ୍ଜ୍ୱଳତାକୁ ଦେଖି ପାରିବ ଓ ତାହାକୁ ସାଙ୍ଗ କରି ପାହାଚ ପାହାଚ ଉଠିଯିବ । ତେଣୁ, ତାହାହିଁ ଏଣିକି ହେଉ । ଗାଆଁରୁ ଜନ୍ମ ହୋଇ ଶାନ୍ତିନିକେତନ ଏବଂ ବିଶ୍ୱଭାରତୀର ଆକାଶକୁ ସ୍ପର୍ଶ କରିଥିବା ମନୋରଞ୍ଜନ ଯେଉଁଠାରେ ଥାଉ ପଛକେ, ଯୁଗପତ୍ ଭାବରେ ଉଭୟକୁ ସ୍ପର୍ଶ କରି ରହିଥାଉ ।

 

ଭୁବନେଶ୍ୱର, ୨୩।୧୦।୯୫

 

...ନିଜେ ସତକୁ ସତ ବାଟଟିଏ ଚାଲିବାକୁ ମନ କଲେ ବାଟ ବଳେ ବଳେ ମିଳିଯାଏ । ଆଉ କିଏ ପଥପ୍ରଦର୍ଶକ ହେବ, ତେବେ ଯାଇ ମୁଁ ବାଟ ଚାଲିବି, ଏଇଟା । ଗେହ୍ଲା କଥା ସେହିମାନଙ୍କର କଥା । ସବୁ ଯୁଗରେ ଏହି ଗେହ୍ଲାମାନଙ୍କଠାରୁ ପ୍ରଶ୍ରୟ ପାଇ ଗୁରୁମାନେ ଭାର ସଂସାରରେ ଜୀବନରୂପୀ ଫୁଲ ଫୁଟିବାର ଧାରାଟିକୁ ପ୍ରାୟ ଅବାଗିଆ କରି ଦେଇଛନ୍ତି । ମୁଁ ସଂସାରରେ ସାଙ୍ଗ ଖୋଜି ଖୋଜି ଆସିଛି । ଏଥର ଶାନ୍ତିନିକେତନରେ ପହଞ୍ଚି ତୁମକୁ ଦେଖି ସାଙ୍ଗଟିଏ ପରି ଲାଗିଲା, ତେଣୁ ଫାଶ ପକାଇଦେଲି । ଚାଲ ଏକାଠି ବାଟ ଚାଲିବା । ନିଜେ ନିଜର ସ୍ୱତନ୍ତ୍ର ଜୀବନଧର୍ମଟିକୁ ଆବିଷ୍କାର କରିବା ଓ ବାଟଟିଏ ଚାଲିବା । ଅନ୍ୟମାନେ ଯେତିକି କରୁଛନ୍ତି, ତାହାର ପାଞ୍ଚଗୁଣ ଅଧିକ କରିବା । କୌଣସି କୋଳାହଳ କରିବା ନାହିଁ, ମାତ୍ର ଅନ୍ୟମାନଙ୍କ ଭିତରେ ବାରି ହୋଇପଡ଼ିବା ।

 

...ମୁଁ ବିଶ୍ୱଭାରତୀରେ ଅତିବାହିତ କରିଥିବା ଦିନଗୁଡ଼ିକ ମୋତେ ସେଇଦିନୁ ଭାରି ଡାଆଣା କରି ପକାଇଛି । ମୋ’ର ଲୋଭଗୁଡ଼ାକ ବଢ଼ିବାରେ ଲାଗିଛି ।

 

ଭୁବନେଶ୍ୱର, ୨୩।୧୧।୯୫

 

...ରବୀନ୍ଦ୍ରନାଥ, ଗାନ୍ଧୀ,–ଏମାନେ କେହି କାହାର ବରାଦ ଅନୁସାରେ ଅର୍ଥାତ୍ କାହାକୁ ଭଲ ଓ ଠିକ୍ ଲାଗିବ ବୋଲି ଜୀବନଟିଏ ବଞ୍ଚି ନଥିଲେ । ସେମାନେ ନିଜ ନିଜର ବାଟଟିଏ ଚାଲିଥିଲେ, ସେହି ଅନୁସାରେ ଜୀବନଟିଏ ବଞ୍ଚି ନଥିଲେ । ସେମାନେ ସେମାନେ ନିଜ ନିଜର ବାଟଟିଏ ଚାଲିଥିଲେ, ସେହି ଅନୁସାରେ ଜୀବନଟିଏ ବଞ୍ଚିଥିଲେ । ଆମେ ମଧ୍ୟ ନିଜ ପାଇଁ ବାଟଟିଏ ଚାଲିବା ଓ ଜୀବନ ବଞ୍ଚିବା । ତେବେ ଯାଇ ଅନ୍ୟମାନଙ୍କୁ, ବଡ଼ ସାନ ସମସ୍ତଙ୍କୁ ପୂର୍ଣ୍ଣ ମର୍ଯ୍ୟାଦା ଦେଇ ଚିହ୍ନିବାକୁ ସମର୍ଥ ହେବା । ପୃଥିବୀରେ ବଡ଼ ସାନ ସମସ୍ତେ ବାଟ ଚାଲିଥିବା ଓ ଚାଲୁଥିବା ପରି ଲାଗିବ । ଏବଂ ତାହା ହିଁ ଜୀବନରେ ସବୁଠାରୁ ବଡ଼ ଖୁସୀର କାରଣ ହେବ । କିଏ ଠିକ୍ କିଏ ଭୁଲ ବାଛିବାକୁ ମୋଟେ ଆଗ୍ରହ ହେବ ନାହିଁ ।

 

ଭୁବନେଶ୍ୱର, ୨୮।୧୨।୯୫

 

....ନିଜକୁ ବୁଝିବାକୁ ଚେଷ୍ଟା ନକରିବା, ନିଜ ଭିତରକୁ ଯେତିକିଯାଏ ଅନାଇ ହୁଅନ୍ତା, ସେତିକି ଯାଏ ଅନାଇବାକୁ ଅମଙ୍ଗ ହେଉଥିବା ଓ ସାହସ ନକରିବା, ଏସବୁ ନିତାନ୍ତ ଗେହ୍ଲାମାନଙ୍କର କଥା । ଗାଆଁର ଜୀବନରେ କ'ଣ ଥାଏ କେଜାଣି, ତାହା କେତେଜଣକୁ ଭାରି ଗେହ୍ଲା କରିପକାଏ । ଗ୍ରାମଜୀବନ ବିଷୟରେ ଓଡ଼ିଆରେ ଲେଖା ଯାଇଥିବା ଅଧିକାଂଶ କବିତା ସମ୍ଭବତଃ ସେଇଥିପାଇଁ ଗେହ୍ଲା । ମୁଁ ଭାବେ, ଗ୍ରାମର ଜୀବନରେ ଏପରି ଏକ ବାସ୍ତବ ଅକୁଟିଳ ପ୍ରତ୍ୟକ୍ଷ ପ୍ରେରଣା ମଧ୍ୟ ରହିଛି, ଯାହା ଜଣେ ଯଥାର୍ଥ ଗାଆଁ ଛୁଆକୁ ସାହସୀ କରନ୍ତା, ଦୂରକୁ ଦୂରକୁ ଅନାଇ ଶିଖାନ୍ତା । ନିଜକୁ କେତେ କେତେ କ’ଣ ପାଇଁ ପାହାଚ ଉଠାଇ ନିଅନ୍ତା ।

 

ଏଥର ଗବେଷଣାର ପର୍ଯ୍ୟାୟ । ସମସ୍ତେ ଯେମିତି ଧତଡ଼ି ରିକ୍ସାଖଣେ ଧରି ଗୁରୁମାନଙ୍କଠାରୁ ଚରୁ ବୋହି ଆଣି ଗବେଷଣାର ଫଳଲାଭ କରୁଛନ୍ତି, ସେପରି ଆଦୌ ନୁହେଁ । ବାବୁ ମନୋରଞ୍ଜନ ଯେଉଁପରି ଇଚ୍ଛା କରୁଛନ୍ତି, ସେହିପରି ଗବେଷଣା । ‘ବାବୁ’ ଶବ୍ଦଟିକୁ ଏଠାରେ ବ୍ୟଞ୍ଜନା ପ୍ରୟୋଗରେ 'Hero' ଅର୍ଥରେ ବ୍ୟବହାର କରାଯାଇଛି ।

 

ଭୁବନେଶ୍ୱର,୨୦।୬।୯୬

 

...ବଙ୍କେଇ ଲେଖିଲେ ସାହିତ୍ୟ ହୁଏ ବୋଲି ତୁମକୁ କିଏ କହିଲା ? ବଙ୍କା ହୋଇ ରହିବାକୁ ନିଷ୍ପରି କରିଥିବା ମଣିଷମାନେ ବଙ୍କେଇ ଲେଖନ୍ତି ଓ ବଙ୍କେଇ ଲେଖା ହୋଇଥିବା ସାହିତ୍ୟ ପଢ଼ିବାକୁ ସରାଗ ରଖିଥାନ୍ତି । ଜୀବନର ସହଜ ଓ ସରଳ ସ୍ତରଟିଏ ରହିଛି, ଯାହାର ଅନୁଭବ ହେଲେ ସାହିତ୍ୟ ମଧ୍ୟ ଫୁଲ ପରି ସ୍ପଷ୍ଟ ଏବଂ ସାବଲୀଳ ହୋଇଯାଏ ।

 

ଭୁବନେଶ୍ୱର, ୨୩।୭।୯୬

 

....ଯେଉଁ ଅନ୍ୟମାନଙ୍କ ବିଷୟରେ ଓଡ଼ିଆରେ ପୁସ୍ତକ ଲେଖା ହେଉ ବୋଲି ପ୍ରସ୍ତାବ ଦେଇଛି, ସେକଥା ଅନ୍ୟମାନଙ୍କ ପାଖରେ ଦାବି କରିବା ପୂର୍ବରୁ ନିଜେ କାର୍ଯ୍ୟଗୁଡ଼ିକୁ ବରିନେବା ଉଚିତ । ଗେହ୍ଲାମାନେ ହିଁ ସେପରି ଦାବି କରନ୍ତି । ଏବଂ, ଗାଆଁ ଗେହ୍ଲାମାନେ ତାକୁ ନେଇ ନାଟକୀୟ ଆବେଦନମାନ କରନ୍ତି । ବୀର ବରିନିଏ । ମନୋରଞ୍ଜନ ବାବୁ ସେହିପରି ଜଣେ ବୀର ହୋଇ ବାହାରନ୍ତୁ । ତନ୍ତ୍ରସାଧନାରେ ସାଧକକୁ ‘ବୀର’ ବୋଲି କୁହାଯାଇଛି । ଉଚ୍ଚବାଲିର ଜଳବାୟୁରେ ଏପରି ବୀର ସମ୍ଭବ ହେବେନାହିଁ ବୋଲି ପାଞ୍ଜିରେ କେଉଁଠି ଲେଖା ହୋଇନାହିଁ ।

 

*ଶ୍ରୀମାନ୍‍ ମନୋରଞ୍ଜନଙ୍କ ନିଜ ଗାଆଁର ନାମ ।

 

ଭୁବନେଶ୍ୱର, ୧୬।୮।୯୬

 

...ନିଜ ବିଷୟରେ ତୁମେ କିଛି ଲେଖିନାହିଁ । ନିଜକୁ ଖୋଲି ଦେବାର ବିଦ୍ୟାଟି ମୁଁ ଶାନ୍ତିନିକେତନରୁ ଶିଖିଥିଲି । ତୁମେ ଶବ୍ଦର ପାଚିଆସବୁ ବୁଣି କାହାରି ଭିତରେ କିପରି ଆତ୍ମଗୋପନ କରିବାକୁ ହୁଏ, ସେଠାରୁ ଏହି ଶାଠଟା କିପରି ପଢ଼ିଲ ?

☆☆☆

 

ଶ୍ରୀଯୁକ୍ତ ମହେନ୍ଦ୍ରନାଥ ମହାନ୍ତି

 

(ମାତୃପୁରମର ମହୀଭାଇ ଦୀର୍ଘ ବହୁବର୍ଷ ଧରି ଓଡ଼ିଶାରେ ଶିକ୍ଷାକ୍ଷେତ୍ରୀୟ ନୂଆ ନୂଆ ପ୍ରୟୋଗ ଭିତରେ ନିଜକୁ କ୍ରିୟାଶୀଳ କରି ରଖିଛନ୍ତି । ପ୍ରଥମେ ସେ ମୌଳିକ ଶିକ୍ଷାରେ ଥିଲେ, ଏବେ ପୂର୍ଣ୍ଣାଙ୍ଗ ଶିକ୍ଷାରେ । ତେଣୁ, ତାଙ୍କର ପ୍ରୟୋଗମାନଙ୍କରେ ଏପରି ଅନେକ ସାହସିକତାକୁ ଲକ୍ଷ୍ୟ କରିହୁଏ, ଯାହା ଏକ ସ୍ଵତନ୍ତ୍ର ଶ୍ରଦ୍ଧାର ହିଁ ଦାବୀ କରିଥାଏ ।)

 

ଭୁବନେଶ୍ୱର, ୧୭।୧୨।୯୫

 

...ଆମେ ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ଭିନ୍ନ । ଇଚ୍ଛା ନଥିଲେ ମଧ୍ୟ ସେକଥା ସ୍ଵୀକାର କରିବାକୁ ହିଁ ପଡ଼ିବ । ନହେଲେ କର୍ମକ୍ଷେତ୍ରରେ ଅନେକ ପ୍ରମାଦର ସମ୍ମୁଖୀନ ହେବାକୁ ପଡ଼ିବ । ଆମେ ପରସ୍ପରଠାରୁ ଭିନ୍ନ ବୋଲି ଏହି ଜୀବନ ଏଡ଼େ ସୁନ୍ଦର, ଏହି ପୃଥିବୀ ଏଡ଼େ ଆନନ୍ଦଦାୟକ । ସମସ୍ତେ ଗୋଟାଏ ବାଗର ହୋଇଥିଲେ ଜଣେ ଆଉଜଣକୁ କଦାପି ଏପରି ନିବିଡ଼ ଭାବରେ ଟାଣୁ ନଥାନ୍ତେ । ଭିତରେ ସମସ୍ତଙ୍କର ନିଷ୍ଠା ରହିଛି, ଚୈତ୍ୟ ଉପାଦାନଟିଏ ରହିଛି । ତାହାହିଁ ସାଙ୍ଗ ଖୋଜୁଥାଏ । ମାତ୍ର, ନାନା ଅନ୍ୟସଂସ୍କାର ହେତୁ ଆମେ ନିଜର ମତ ଓ ଦୃଷ୍ଟିକୁ ଅନ୍ୟ ଉପରେ ମଡ଼ାଇ ଦେବାକୁ ଇଚ୍ଛା କରୁଥାଉ ବୋଲି ଆମକୁ ସାଙ୍ଗ ମିଳନ୍ତି ନାହିଁ ।

 

‘ସୁହୃଦଗୋଷ୍ଠୀ’ ଭିତରେ ମୁଁ ଗୋଷ୍ଠୀକୁ ଆଗ ନଦେଖି ଆଗ ସୁହୃତ୍‍ମାନଙ୍କୁ ହିଁ ଦେଖିଛି । ତେଣୁ ମୋତେ କେବେହେଲେ ନିରାଶ ଲାଗିନାହିଁ । ନିଜଆଡ଼ୁ କେବେ କିଛି ଦାବି ଦେଇ ନାହିଁ ବୋଲି ସମସ୍ତଙ୍କର, ସାନ ବଡ଼ ସମସ୍ତଙ୍କର ମେଳ ମୋତେ ଏତେ ଭଲ ଲାଗିଛି । ଆପଣ କୌଣସି ଗୋଟିଏ ଶ୍ରମଶିବିରରେ ମଧ୍ୟ ପୂରା ସମୟ ରହିନାହାନ୍ତି । ସର୍ବଦା ନିଜକୁ ବାହାରୁ ସତେଅବା ପରୀକ୍ଷା ନେବାକୁ ଆସିଥିବା ମଣିଷଟିଏ ପରି ଦେଖିଛନ୍ତି । ଏତିକି ଦେଖିବା ଯଥେଷ୍ଟ ନୁହେଁ । ଅଧିକ ଶ୍ରଦ୍ଧା ସହିତ ମଣିଷର ଅଧୁକ ନିକଟକୁ ଆସିପାରିବା ଉଚିତ ।

 

ମୋ’ ସହିତ ଅଥବା କାହା ସହିତ ଆପଣ ଏକମତ ହେବେ କାହିଁକି ? ମଣିଷ ମଣିଷ ଭିତରେ ସର୍ବଦା ଫରକ ରହିବ, ସାମଞ୍ଜସ୍ୟ ମଧ୍ୟ ରହିବ । ଫରକଟା ସତ୍ତ୍ୱେ ସାମଞ୍ଜସ୍ୟକୁ ଆଗ ଦେଖିଲେ ସଂସାରରେ ସହକର୍ମୀ ଓ ସହଯୋଗୀ ମିଳିବା ଅଧିକ ସହଜ ହୋଇଯାଏ । ମାତ୍ର କୌଣସି ମଣିଷକୁ ଦେଖୁ ଦେଖୁ ତା’ ବେକରେ ନିଜ ଫାଶଟାକୁ ଗଳାଇ ଦେବାର ଆଗ୍ରହ ରହିଥିବା ମଣିଷମାନେ ହୁଏତ ଚିରଦିନ ଏକୁଟିଆ ହୋଇ ରହିଯାଆନ୍ତି ।

 

ସେଠାରେ ଏକ ଭିତ୍ତିଭୂମି ତିଆରି ହୋଇ ରହିଛି । ଅଥଚ ସହକର୍ମୀ ମିଳୁ ନାହାନ୍ତି କାହିଁକି ? ଆପଣ ଏହି ବିଷୟରେ ଟିକିଏ ଅଧିକ ଚିନ୍ତା କରନ୍ତୁ । ପ୍ରତ୍ୟେକ ବ୍ୟକ୍ତିଙ୍କର ମର୍ମରେ ଯଦି ଭଗବାନ ଥାଆନ୍ତି, ତେବେ ମଣିଷଟିକୁ ପାଇବାକୁ ହେଲେ ଏକାବେଳେକେ ସେହି ମର୍ମଯାଏ ଯିବାକୁ ହୁଏ । ନହେଲେ ପାଦେ ପାଦେ ଉତ୍ତେଜିତ ହେବାକୁ ହୁଏ । ଗାନ୍ଧୀ, ଶ୍ରୀଅରବିନ୍ଦ ବା ଅନ୍ୟମାନେ ଗୋଟିଏ ଗୋଟିଏ ପଥ ଚାଲିଛନ୍ତି ଓ ଅନ୍ୟମାନଙ୍କୁସେହି ପରି ପଥଟିଏ ଚାଲିବାପାଇଁ ସଂପୃକ୍ତ ସମସ୍ତଙ୍କୁ ଅନୁପ୍ରାଣିତ କରିଯାଇଛନ୍ତି । ଗାନ୍ଧୀବାଲାଏ ଓ ଅନ୍ୟବାଲାଏ ତାଙ୍କୁ ଗୋଟିଏ ବେତ ପରି ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ନିରାଶ ହେଉଛନ୍ତି ।

 

ପୁଣି କହୁଛି, ଦୂରଛଡ଼ା ହୋଇ ରହିଯିବେ ନାହିଁ । ଚିଠି ଦେବେ । ଇତି ।

 

ଭୁବନେଶ୍ୱର, ୪।୭।୯୬

 

...ଗତ କେତେଦିନ ତଳେ ଆପଣଙ୍କର ପତ୍ର ପାଇଲି । କର୍ମକ୍ଷେତ୍ର, ଆସ୍ପୃହା ଏବଂ ଅନୁରାଗ ଦୃଷ୍ଟିରୁ ଆମେ ଏତେ ନିକଟରେ ରହିଥିଲେ ମଧ୍ୟ ଚିଠିଖଣ୍ଡେ ଦେବାରେ କାହିଁକି ଏତେ ବିଳମ୍ବ ହେବ, ମୁଁ ତାହା ଆଦୌ ବୁଝି ପାରେନାହିଁ । ଆପଣ ଯାହା ଲେଖିଲେ, ତାହାହିଁ ପଠାଇ ଦେଇ ଥାଆନ୍ତେ । ‘ମନକୁ ଆସିଲା ନାହିଁ ବୋଲି ପଠାଇଲି ନାହିଁ’ ର ପୁଣି ଅର୍ଥ କ'ଣ ?

 

କୌଣସି ଶିକ୍ଷାବିଚାର ଲୁପ୍ତ ହୋଇ ଯାଏନାହିଁ । ଯଥାର୍ଥ ଯନ୍ତ୍ରମାନଙ୍କ ନିମନ୍ତେ ଅପେକ୍ଷା କରି ରହିଥାଏ । ଆମେ ଯେଉଁମାନେ ନିଜ ଭିତରର ଅସଲ କେନ୍ଦ୍ରଟିକୁ ଛୁଇଁ ପାରିନଥାଉ, ସେହିମାନେ ହିଁ ଏଇଟା ଗାନ୍ଧୀଙ୍କର ଓ ସେଇଟା ଶ୍ରୀଅରବିନ୍ଦଙ୍କର ବୋଲି କହିଥାଉ । ମୁଁ ସେପରି କେବେହେଲେ ଅନୁଭବ କରିନାହିଁ । ନିଜ କେନ୍ଦ୍ରଟି ସହିତ ଖିଅ ଲାଗିଗଲେ ଶକ୍ତି ସେଇଠାରୁ ଆସିବ, ପୃଥିବୀଯାକର ସବୁ ବିଚାର ସାଙ୍ଗରେ ରହିଥିବା ପରି ଅନୁଭବ ହେବ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାର ସବାବଡ଼ ଅଭାବ ହେଉଛି ଯେ, ଶ୍ରୀଅରବିନ୍ଦ ଓ ମାଆଙ୍କର ଲେଖାଗୁଡ଼ିକ ସହିତ ଆମର ଯଥେଷ୍ଟ ପରିଚୟ ହୋଇନାହିଁ । ନିଜ ଭିତରେ ସତେଅବା କୌଣସି ପୁରୁଣାକୁ ଲୁଚାଇ ରଖିବାକୁ ଇଚ୍ଛା କରୁଥିବାରୁ ହୁଏତ ଆମକୁ ସେମାନଙ୍କର ନିକଟବର୍ତ୍ତୀ ହେବାକୁ ଭୟ ଲାଗୁଛି । ଦ୍ୱିତୀୟ ଅଭାବ ହେଉଛି ଯେ, ଆମେ ପ୍ରାୟ ପ୍ରତ୍ୟେକ ଯଥାସମ୍ଭବ ଏକା ଏକା ଯିବାକୁ ଇଚ୍ଛା କରୁଛୁ । ଏହି ଯୋଗରେ ଏକକ ବିରାଗୀର କୌଣସି । ସ୍ଥାନ ନାହିଁ । ଏକକ-ବିରାଗୀ ଅର୍ଥାତ୍ ଜଣେ ଅହଂକୀରୀ । ତେଣୁ, ଅନ୍ୟମାନଙ୍କ ସହିତ ଆମେ ସାଦୃଶ୍ୟଗୁଡ଼ିକୁ ଦେଖିବା ଆଗରୁ ପାର୍ଥକ୍ୟଗୁଡ଼ିକୁ ଆଗ ଦେଖୁଛୁ । ଭାରି କଷ୍ଟ ପାଉଛୁ । ଆଦରି ନେଇଥିବା କାର୍ଯ୍ୟରେ ନିଜେ ବାଧା ହେଉଛୁ । ତେଣୁ, ସାଙ୍ଗ ହୋଇଯିବାକୁ ପଡ଼ିବ ।

 

ଆଉ କୌଣସି ଅନୁଷ୍ଠାନର ଦାୟିତ୍ୱ ନେବାକୁ ମୋ’ର ବୟସ ଅଛି ନା ? ଯେତେବେଳେ ତାହା ସମ୍ଭବ ଥିଲା, ସେତେବେଳେ ହୋଇ ପାରିଲା ନାହିଁ । ଆପଣ ନିଜେ ଶକ୍ତିମାନ୍ କେନ୍ଦ୍ରଟି ହୁଅନ୍ତୁ । ନିଜ ଶକ୍ତିକୁ ବିତରଣ କରି ଅନ୍ୟମାନଙ୍କୁ ପାଖକୁ ଆଣନ୍ତୁ । ନିଜଠାରୁ ଭିନ୍ନ ମତର ହେଲେ ମଧ୍ୟ ଯଦି ନିଷ୍ଠା ଓ ଆନ୍ତରିକତା ଅଛି, ତେବେ ଜଣେ ବ୍ୟକ୍ତିକୁ ପୂର୍ଣ୍ଣ ବିଶ୍ୱାସରେ ସାଙ୍ଗକୁ ଆଣନ୍ତୁ । ବାଟ ତାଙ୍କରି, ଆମର ନୁହେଁ । ଏବଂ, ସେହି ବାଟ ଏତେ ପ୍ରଶସ୍ତ ଯେ, ସମସ୍ତେ ନିଜ ନିଜ ବାଟରେ ଯାଉଥିବା ପରି ଅନୁଭବ କରୁଥିଲେ ମଧ୍ୟ ତଥାପି ଏକତ୍ର ଗୋଟିଏ ବାଟରେ ଯାଉଥିବା ପରି ଲାଗୁଥିବ । ଯଦି ଆମେ ସମସ୍ତେ ତାଙ୍କରି ଦ୍ଵାରା ନିର୍ବାଚିତ ହୋଇ ପରସ୍ପରକୁ ଭେଟିଛୁ, ତେବେ ପରସ୍ପର ଭିତରେ ଏତେ ଦୂରତା କାହିଁକି ରହିବ ? ଆପଣ ବିଚାର କରିବେ । ଏବଂ, ପତ୍ର ବିନିମୟ କଦାପି ବନ୍ଦ କରିବେ ନାହିଁ ।

 

ଭୁବନେଶ୍ୱର, ୩।୯।୯୬

 

ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ମଣି । ଭଗବାନଙ୍କ ଆଖିରେ ପ୍ରତ୍ୟେକ ମଣିଷ ମଧ୍ୟ ଗୋଟିଏ ଗୋଟିଏ ମଣି । ଆମେ ନିଜ ମାପକାଠିର ସଂସ୍କାରଗୁଡ଼ିକୁ ନେଇ ଦେଖୁ ବୋଲି ଆମେ ତାହା ଅନୁଭବ କରି ପାରୁନାହିଁ । ଅସଲ ଆଖିଟିକୁ ଅର୍ଜନ କରିବା,ତାହା ହିଁ ତ ସବୁ ଯୋଗର ମୂଳ କଥା ।

 

ମୁଁ କେବେ କାହାରିକୁ ଛାଡ଼େ ନାହିଁ । କାରଣ ମଣିଷମାନଙ୍କ ସହିତ ମୋ’ର ସମ୍ପର୍କ ନୈତିକ ନୁହେଁ ବା ଆଦର୍ଶଗତ ନୁହେଁ । ଆପଣ ଯଦି ଭୁଲ ନବୁଝିବେ, ତେବେ ଏହା ଭାଗବତ । ଆପଣ କେବେ ଛାଡ଼ିବାକୁ ମୀମାଂସା କରିଛନ୍ତି ସିନା, ମୁଁ ସବୁବେଳେ ସମସ୍ତଙ୍କୁ ଯାବୁଡ଼ି ଧରିଛି ।

 

ଭୁବନେଶ୍ୱର, ୨୪।୪।୯୭

 

(୧) ନିଜେ ଯୋଗ୍ୟରୁ ଯୋଗ୍ୟତର ହେଲେ ଯାଇ ଆମେ ଏକାଠି ଯେଉଁ ଗୋଷ୍ଠୀ ତିଆରି କରିଥିବା, ସେଇଟି ମଧ୍ୟ ଦୃଢ଼ ଭିତ୍ତି ଉପରେ ଛିଡ଼ା ହୋଇପାରିବ । ତେଣୁ, ପରସ୍ପର ଅଗ୍ରଗତିରେ ସାହାଯ୍ୟ କରିବା ବ୍ୟତୀତ ଅନ୍ୟ ବାଟ ନାହିଁ । ଆଉ ସବୁ ବାଟରେ ସାମୟିକ ଭାବରେ କିଛି ହେଲା ପରି ଦିଶିବ, ତା’ପରେ ସବୁକିଛି ପୁନର୍ବାର ପୁରୁଣା ଗୁଳାକୁ ଚାଲି ଆସିବ ।

 

(୨) ଆପଣ ମୋଟେ ଭାବନ୍ତୁ ନାହିଁ ଯେ, ଆପଣ ଗାନ୍ଧୀ ଓ ଶ୍ରୀଅରବିନ୍ଦଙ୍କର ଶିକ୍ଷାଧାରାରେ ସମନ୍ୱୟ ଆଣିବାକୁ ଇଚ୍ଛା କରୁଛନ୍ତି । ଏପରି ଭାବୁଥିବା ପର୍ଯ୍ୟନ୍ତ ନିଜେ ସ୍ଵାଧୀନ ଓ ସର୍ଜନାତ୍ମକ ହେବାର ବାଟରେ ବାଧା ବି ସୃଷ୍ଟି ହୋଇପାରେ । ଆମେ ନିଜର ଅନୁଭବ ଓ ଅଭିଜ୍ଞତାକୁ ବଢ଼ାଇ ଆଗକୁ ଯାଉଥିବା । ଏବଂ, ସାଧୁତାର ସହିତ ତାହା । ହେଉଥିବା ପର୍ଯ୍ୟନ୍ତ ପୃଥିବୀର ସବୁ ଶିକ୍ଷାବିତ୍ ଆମକୁ ପ୍ରେରଣା ଦେଉଥିବେ । ଆପଣ କାହାର ପରିହାସକୁ ଡରିବେ ନାହିଁ । ପରିହାସକୁ ଗୁରୁତ୍ୱ ଦେଉଥିବାର ଅର୍ଥ ହେଉଛି ନିଜ ବାଟରେ ଆହୁରି ଅଧିକ ଶ୍ରଦ୍ଧା ରହିବାପାଇଁ ଅପେକ୍ଷା ରହିଛି ।

 

(୩) ମିଶନ୍ ଶିକ୍ଷକତା କରିବନାହିଁ । ଶିକ୍ଷକମାନଙ୍କ ଉପରେ ନିର୍ଭର କରିବାକୁ ହିଁ ପଡ଼ିବ । ତେଣୁ ଅତି କମରେ ୫/୬ ଜଣ ଶିକ୍ଷକସାଥୀ ଆପଣଙ୍କୁ ମିଳିବା ଦରକାର, ଯେଉଁମାନେ କି ସମଗ୍ର ଉଦ୍ୟମଟିକୁ ନିଜର କାର୍ଯ୍ୟ ବୋଲି ଗ୍ରହଣ କରିବେ । ଶିକ୍ଷକଗୋଷ୍ଠୀ ପକ୍କା ରହିଲେ ମିଶନର ବେଶୀ ଆବଶ୍ୟକତା ରହିବନାହିଁ । ସର୍ବୋତ୍ତମ ବ୍ୟବସ୍ଥା ସେତିକିବେଳେ ହେବ, ଯେତେବେଳେ ଏକା ଲୋକ ଶିକ୍ଷାକେନ୍ଦ୍ର ଓ ମିଶନ୍ ଦୁଇଟିରେ ରହିବେ ।

 

...ମିଶନ୍ ବିଷୟରେ ଆପଣ ଏତେବେଶୀ ଚିନ୍ତା ନକରି ଶିକ୍ଷକସାଥୀଙ୍କ ବିଷୟରେ ଅଧିକ ଚିନ୍ତା କରନ୍ତୁ । ଯାହା ହେବ, ସେହିମାନଙ୍କ ଦ୍ୱାରା ହେବ ।

 

ଭୁବନେଶ୍ୱର, ୨୩।୬।୯୭

 

...ବାହାର ଆଚରଣରୁ ଜଣକର ବିଚାର କରିବା ଅପେକ୍ଷା ପଛରେ ଥିବା ଅଭିପ୍ରାୟଟିକୁ ବୁଝିବାକୁ ଚେଷ୍ଟା କରୁଥିଲେ ଆମେ ହୁଏତ ଆଦୌ ଏତେବେଶୀ ଭ୍ରମରେ ପଡ଼ନ୍ତେ ନାହିଁ ।

 

...କେଉଁଠାକୁ ଯାଇ ପିଲାଙ୍କୁ ପାଠ ପଢ଼ାଇବାର ଶକ୍ତି ଆଉ ମୋ’ର ନାହିଁ । ଅଧିକନ୍ତୁ, ଏହାଦ୍ୱାରା କୌଣସି ଅନୁଷ୍ଠାନର ସ୍ଥାୟୀ ଆବଦ୍ଧତାଗୁଡ଼ିକୁ ମୁଁ ଯେ ଦୂର କରି ପାରିବି, ସେହି ବିଶ୍ୱାସ ମଧ୍ୟ ମୋ’ର ନାହିଁ । ସ୍ଥାୟୀ ଶିକ୍ଷକମଣ୍ଡଳୀଟିଏ ଥାଆନ୍ତା, ମଝିରେ ମଝିରେ ସେମାନଙ୍କ ସହିତ ବସି ହୁଏତ କିଛି ପ୍ରୟୋଜନରେ ଆସିପାରନ୍ତି । ଭୂମିଟିଏ ତିଆରି ହୋଇ ରହିନଥିଲେ ସ୍ଵର୍ଗରୁ ବିହନ ଆସିଲେ ବି ବିଶେଷ କୌଣସି କାମର ହେବନାହିଁ । ସେଠାରେ ସେହି ସର୍ବମୂଳ ଭିର୍ତ୍ତିଟି କାହିଁକି ତିଆରି ହୋଇ ପାରୁନାହିଁ, ଦୂରରୁ ମୁଁ ସେକଥା କିପରି ଜାଣିପାରିବି? ଏବଂ, ଆପଣଙ୍କର କଥା ମାନି ମୁଁ ମିଶନର ସଭାପତି ହୋଇଗଲେ ସେଠି ଭୂମିଟିଏ ତିଆରି ହୋଇଯିବ କି ? ଆପଣ ଜାଣନ୍ତି, ଏସବୁ ପ୍ରଲୋଭନ ମୋତେ କେବେ ଆକର୍ଷଣ କରେନାହିଁ ।

 

ମୁଁ ଏବେ ଆଉ ଗୋଟିଏ କଥା ଭାବୁଥିଲି । ମିଶନରେ ଯେଉଁ କେତେଜଣ ବ୍ୟକ୍ତି ଅବଶେଷ ରହିଛନ୍ତି ବୋଲି ଆପଣ କହୁଛନ୍ତି, ତାଙ୍କ ମଧ୍ୟରୁ ଶ୍ରୀଯୁକ୍ତ–ବର୍ତ୍ତମାନ ଗୋଟିଏ ଶିକ୍ଷାକେନ୍ଦ୍ରରେ ଦାୟିତ୍ୱରେ ଅଛନ୍ତି । ସେଠାରୁ ଚାଲି ଯାଇଥିବା ତରୁଣ ଶିକ୍ଷକମାନେ ବର୍ତ୍ତମାନ ଆହୁରି ତିନୋଟି ଶିକ୍ଷାକେନ୍ଦ୍ରରେ ଅଛନ୍ତି । ଅଦ୍ଭୁତ ପ୍ରଚେଷ୍ଠା ଓ ନିଷ୍ଠାର ପରିଚୟ ଦେଇଛନ୍ତି । ସେମାନେ ଏକତ୍ର ହୋଇପାରିଲେ ଏହି ସବୁ ଶିକ୍ଷାକେନ୍ଦ୍ରଗୁଡ଼ିକ ନିମନ୍ତେ ପ୍ରଚୁର ଶକ୍ତିର ସଂଚାରଣ ହୋଇପାରନ୍ତା ।

 

...ଆପଣମାନେ ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ଏକାଠି ହୁଅନ୍ତେ, ସେହି ମଧ୍ୟରୁ ମୂଳ କାର୍ଯ୍ୟଧାରାଗୁଡ଼ିକ ବାହାରନ୍ତା ଓ ତାହାରିଦ୍ୱାରା ସମସ୍ତେ ପରିଚାଳିତ ହୁଅନ୍ତେ । ପରସ୍ପରର ଦୋଷକୁ ନ ଉଖାରି ପରସ୍ପରକୁ ଆଗେଇ ନେବାରେ ସଂପୃକ୍ତ ସମସ୍ତଙ୍କର ଶକ୍ତି ନିୟୋଜିତ ହୁଅନ୍ତା-। ମାତ୍ର, ଆମେ ସମସ୍ତେ ଯେତିକି ଶ୍ରଦ୍ଧାସମ୍ପନ୍ନ, ଉନ୍ମଭ ଓ ନିଷପଟ ହୋଇପାରିଲେ ତାହା ହୁଅନ୍ତା, ସେଥିପାଇଁ କି ଉଦ୍ୟମ ହେଉଛି? ସମସ୍ତେ ସେହି ପୁରୁଣା କଣ୍ଟାଗୁଡ଼ାକୁ ନିଜର ଛାତି ଭିତରେ ବିଦ୍ଧ କରି ଛଟପଟ ହେଉଛନ୍ତି । ମୁଁ ଏଗୁଡ଼ାକୁ ମୋଟେ ବୁଝି ପାରେନାହିଁ । ଶ୍ରୀଅରବିନ୍ଦ ଓ ମାଆଙ୍କର ବାଟ ଶକ୍ତିର ବାଟ । ଶକ୍ତିମାନ୍ କେବେ କପଟୀ ହୁଏନାହିଁ । ଓଡ଼ିଶାରେ ସେମାନଙ୍କ ନାମରେ ହେଉଥିବା ଉଦ୍ୟମ ଭିତରେ ବହୁବିଧ କପଟ ରାଜା ପରି ବସିଛି ବୋଲି ବହୁ ଶକ୍ତି ମାଡ଼ ଖାଇ ଯାଉଛି ଓ ମାଆଙ୍କ ଇଚ୍ଛାରେ । ଆଦୌ କିଛି ହେଉନାହିଁ । ମୋ’ର ଅନୁମାନରେ ଆପଣଙ୍କ ମଧ୍ୟରେ ଜ୍ୟେଷ୍ଠ । ଆପଣ କିଛି ପ୍ରୟାସ ଆରମ୍ଭ କରନ୍ତୁ ନା ! ଯାନ୍ତ୍ରିକ ଭାବରେ ନୁହେଁ, ସଂପୂର୍ଣ୍ଣ କପଟଶୂନ୍ୟ ଭାବରେ, ଏକାବେଳେଳେ ଯନ୍ତ୍ରଟିଏ ହୋଇ । ତେବେ ସେହି ଅଞ୍ଚଳରେ ହୁଏତ ଏକ ନୂତନ ନେତୃତ୍ୱ ଜନ୍ମ ଲାଭ ବି କରନ୍ତୁ ଓ ସାରା ଓଡ଼ିଶାର ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗ କ୍ଷେତ୍ରରେ କପଟୀମାନଙ୍କର ଭ୍ରମ ଭଙ୍ଗାଇ ଦିଅନ୍ତା ।

 

......ସବାଆଗ ନିଷ୍କପଟତା, ସବାଆଗ ଯଥାର୍ଥ ଜଣେ ସନ୍ତାନର ଭାବ । ଶିଶୁର ଭାବ । କୌଣସି ପରଚର୍ଚ୍ଚା ନୁହେଁ, ମୁଖାପିନ୍ଧା ବି ନୁହେଁ ।

 

ଏସବୁ ମୁଁ ଅଭିନୟ କରି ଲେଖିନାହିଁ । ମାତୃପୁରମରେ ଆପଣଙ୍କ ସହିତ ଏକାଠି ବସି ମାତୃସ୍ମରଣର ମୁଦ୍ରାରେ ରହିଥିବା ପରି ଏସବୁ ଲେଖିଛି । ତେଣୁ, ଅବିଶ୍ୱାସ କରିବେ ନାହିଁ, ଟାଳି ଦେବେ ନାହିଁ । ଏବଂ, ଉତ୍ତର ଦେବେ । ଇତି ।

 

ଭୁବନେଶ୍ୱର, ୩୧।୮।୯୭

 

...କାଲି ଡାକରେ ଆପଣଙ୍କର ଚିଠି ପାଇଲି । ମୋ’ ଚିଠି ପାଇବା ପ୍ରାୟ ମାସେ ବା ତତୋଽଧିକ ହୋଇଯିବ । ମୁଁ ଭାବିଲି, ଆପଣ ଚିଠି ପାଇବା ମାତ୍ରକେ ଚିଠି ଦେଇଥାନ୍ତେ ଓ ଏହି ମାସକ ଭିତରେ ଏକାଧିକବାର ଚିଠିର ଆଦାନପ୍ରଦାନ ଦ୍ୱାରା ଅନେକ ଅଧିକ ଭଲ ହୋଇଥାନ୍ତା । ନିଜ ନିଜର rigidity କୁ ଅତିକ୍ରମ କରିବାରେ ତାହା ହୁଏତ ସାହାଯ୍ୟ କରିଥାନ୍ତା । ଆପଣ ରହିଗଲେ, ସମୟ ନେଲେ, ଭାବିଲେ ଏବଂ ଆପଣଙ୍କର ମନ ଆପଣଙ୍କୁ ସେହି ବିଳମ୍ବ କରିବାରେ ସାହାଯ୍ୟ କଲା । ମନ ପ୍ରାୟ ସର୍ବଦା ଆମକୁ rigid ହେବାର ଅଧିକ ଅଧିକ ପ୍ରେରଣା ଦିଏ । ନିଜ ଠାରୁ ଉଚ୍ଚତର ଆଉ କିଛିର ଶାସନ ବା ଶୃଙ୍ଖଳା ଭିତରକୁ ଆସିବାଯାଏ ମନ ସେହି ଅଭ୍ୟାସକୁ ମୋଟେ ଛାଡ଼ିପାରେ ନାହିଁ । ଏଣିକି ଆମେ ପରସ୍ପରକୁ ଅଧିକ ଲୋଡ଼ିବା । ଆବଶ୍ୟକ ହେଲେ କୁସ୍ତି କରିବା ପଛକେ, ଚୁପ୍ ହୋଇ ରହିଯିବା ନାହିଁ ।

 

କେବଳ ସଙ୍ଗୀମାନେ ହିଁ ସଂଗଠନ କରିପାରନ୍ତି । ସଙ୍ଗୀମାନଙ୍କୁ ଆବିଷ୍କାର ନକରି ଯିଏ ଗୋଟାକୁ ଗୋଟା ସଂଗଠନ କରି ବୁଲନ୍ତି, ସିଏ ସମୟ ଦେଖୁ ପୃଥିବୀରୁ ସିନା ଖସି ଯାଆନ୍ତି, ମାତ୍ର ସଂଗଠନମାନେ ଲୋକହସା ହୁଅନ୍ତି । ନିଜେ ସଭାପତି ହେବାପାଇଁ ବାରଟା ମଣିଷକୁ ସାଉଁଟି ଆଣି ଗୋଟାଏ ସଂଗଠନ କରିଦେବା ଓ ତା'ପରେ ଅନ୍ୟତ୍ର ଆଉ ଏକ ସଂଗଠନ କରିବା ଲାଗି ଧାଇଁବା, ଏଥିରେ ସ୍ଥାୟୀ ଭାବରେ କିଛି ହୁଏନାହିଁ । ତେଣୁ, ସମୟ ଅନୁସାରେ ସବୁ ଫାଟିଯାଏ । ୧୯୮୪ ମସିହା ପ୍ରଥମ ଶ୍ରମଶିବିରରେ ଆପଣଙ୍କୁ କହିବା ମୁତାବକ ପ୍ରକୃତରେ ‘ମିଶନ୍’ ରୁ ଅନ୍ତତଃ କେତେଜଣ ବନ୍ଧୁଙ୍କ ସହିତ ଭେଟ ହେବ ବୋଲି ମୁଁ ଭାବିଥିଲି । ସେପରି ନଦେଖି ସେଇଦିନୁ ‘ମିଶନ୍’ ବିଷୟରେ ଅନ୍ୟପ୍ରକାରେ ଭାବିବାକୁ ଆରମ୍ଭ କଲି । ତା’ ପରେ, ଗୋଟିଏ ଘର ଭାଙ୍ଗି ଯେପରି ସାତଫାଳ ହେଲାଣି ଓ ଆହୁରି କେତେ ଫାଳ ହେବାର ଆଶଙ୍କା ମଧ୍ୟ ବେଳେ ବେଳେ ଦେଖାଦେଉଛି, ସେଥିରୁ, ଆରମ୍ଭ ବେଳଟା ଯେ କେତେ ଖାମଖିଆଲି ଥିଲା, ତାହା ଜଣାପଡ଼ୁଛି ।

 

ଲକ୍ଷ୍ୟ ଏବଂ ଗୁଳା ଏକା କଥା ନୁହେଁ । ଲକ୍ଷ୍ୟ ଥିବା ମଣିଷ ଅନ୍ୟ ସାଥୀମାନଙ୍କର ଅବଶ୍ୟ ଲକ୍ଷ୍ୟ ରହିଥିବ ବୋଲି ସ୍ଵଭାବତଃ ସ୍ୱୀକାର କରେ । ଗୁଳା ଥିବା ମଣିଷ ପରମ ପ୍ରେମ ସହିତ ଅନ୍ୟ ସମସ୍ତଙ୍କୁ ନିଜ ଗୁଳାକୁ ଟାଣେ ... Rigid ମଣିଷ ହିଁ କପଟ କରନ୍ତି। ନିଜକୁ ୫୦୦% ବୁଝୁଛନ୍ତି ବୋଲି ଭାବିବାର ମୋହରେ ଅନ୍ୟକୁ ୫% ମଧ୍ୟ ବୁଝିବାକୁ ଇଚ୍ଛା କରନ୍ତିନାହିଁ । ଆଧ୍ୟାତ୍ମିକତାରେ rigidity ର କୌଣସି ସ୍ଥାନ ନାହିଁ । ନୈତିକତା ସହିତ rigidity ନଥିଲେ ତାହା ସିଧା ହୋଇ ଛିଡ଼ା ହୋଇ ପାରେନାହିଁ । ଶିକ୍ଷା ଯଦି ପ୍ରକୃତ ଶିକ୍ଷା ହେବ, ତେବେ ସେଥିରେ ପ୍ରଚୁର ଗ୍ରହଣଶୀଳତା ରହିଥିବା ଉଚିତ । ଗ୍ରହଣଶୀଳତାର ଅନ୍ୟ ଏକ ନାମ ପ୍ରେମ । ଗୁଳାରେ ଲାଖି ରହିଥିବା ମଣିଷମାନେ rigid ହେବାମାତ୍ରକେ ଉପଦ୍ରବ ଆରମ୍ଭ କରନ୍ତି, ଆଉ ଗ୍ରହଣଶୀଳ ହୋଇ ପାରନ୍ତିନାହିଁ । Communist ଜୀବନଦୃଷ୍ଟି ଓ ଗାନ୍ଧୀମାର୍ଗ ଏକ ବୃହତ୍ତର ମାନବପ୍ରେମ ଉପରେ ପ୍ରତିଷ୍ଠିତ ରହିଥିଲା।ସେଥିରେ rigidity ପଶିଯାଇ ତାହାର ଆଜିଭଳି ଦଶା ହେଲା । ସ୍ଵାଧୀନ ମଣିଷର ଜୀବନରେ ପ୍ରକୃତରେ ସର୍ବତ୍ର ଅଧ୍ୟକ ଶୃଙ୍ଖଳା । ଗୁଳାରେ ରହିଥିବା ମଣିଷର ଶୃଙ୍ଖଳାଠାରୁ ତାହା ସଂପୂର୍ଣ୍ଣ ଅଲଗା ହେବାକୁ ବାଧ୍ୟ । ପରାଧୀନ ମଣିଷ ଗୁଳାର ବାହାର ହୋଇଯିବାଟାକୁ ହିଁ ସବୁଠାରୁ ବଡ଼ ସଂକଟ ବୋଲି ଭାବେ । ସେଥିପାଇଁ ଅନ୍ୟଜଣେ ମଣିଷକୁ ପୋଲିସ୍ ଆଖିରେ ଦେଖେ । ପରଚର୍ଚ୍ଚା କରିବାକୁ ଭଲ ପାଏ । ସ୍ଵାଧୀନ ମଣିଷ ସବୁ ଓ ସମସ୍ତଙ୍କୁ ବୁଝୁଥିବା ମଣିଷ ସବୁ କ୍ଷମା ଦିଏ । ମଣିଷମାନେ ହୃଦୟର ଦ୍ଵାର ଖୋଲି ଦେଇ ପରସ୍ପର ପ୍ରତି ମୂଳତଃ ଆଦର ଓ ଆତ୍ମୀୟତାର ଭାବ ରଖି ଯାହା କିଛି ଆଲୋଚନା କରିବେ, ତାହାକୁ ଶୁଣିବା ଲାଗି ସ୍ଵୟଂ ଭଗବାନ ମଧ୍ୟ ଲୋଭାସକ୍ତ ହୋଇ ସେଠାରେ ପହଞ୍ଚିଯିବେ । ଭଗବାନଙ୍କର ଧାମରେ ଏକାବେଳକେ ଅନେକ ଗୁଳା । ତେଣୁ, ନିଜ ନିଜର ଗୁଳା ଉପରକୁ ଅନ୍ୟମାନଙ୍କୁ ଟାଣିଦାର ଆଦୌ କୌଣସି ପ୍ରୟୋଜନ ନାହିଁ । ଆପଣମାନେ ପରସ୍ପରର ଦୁଃଖସୁଖ ପକାନ୍ତୁ, ଜ୍ୟେଷ୍ଠ କନିଷ୍ଠ ଭୁଲି ସବୁ ପକାନ୍ତୁ–କୃତ୍ରିମତା ନରଖି ପରସ୍ପରର ପାଖରେ ବସନ୍ତୁ, ପରସ୍ପରର ବାସନା ପାଆନ୍ତୁ । ତେବେ, ବିଶ୍ୱାସ କରନ୍ତୁ, ପରସ୍ପର ଭିତରେ ଦିବ୍ୟ ଜନନୀଙ୍କୁ ଦେଖିବେ, ଏବଂ ଆମ ସଂସାରର ଭାଷାରେ କହିଲେ ପରସ୍ପର ମଧ୍ୟରେ ନିଜକୁ ଦେଖିବେ । ଆମ ସଭିଙ୍କର ହୃଦୟ କାହାର ସ୍ପର୍ଶ ବାଜି ତରଳି ଯାଇଛି ବୋଲି ଆଗେ ପରସ୍ପର ପାଖକୁ ଆସିଛୁ ଓ ଆମକୁ କୌଣସି ସ୍ଥିତି ଆଦୌ ପାଖଛଡ଼ା କରି ପାରୁନାହିଁ, ପାରିବନାହିଁ । ଆହୁରି ଅଧିକ ଆବଶ୍ୟକ କଥା ହେଉଛି, ଆପଣବନ୍ଧୁମାନଙ୍କର ମେଳରେ କିଛି ଅଧ୍ୟୟନ କରିବେ ଓ ସେଥିରୁ ଆଲୋଚନାଟିଏ ହେବ । ତାହା ପ୍ରକୃତରେ କେଡ଼େ ବଡ଼ କଥା ବି ହେବ। ଆପଣ ନିଜକୁ କେଡ଼େ ପରିପୂର୍ଣ୍ଣ ଅନୁଭବ କରିବେ ।

☆☆☆

 

ଶ୍ରୀମତୀ ମାଳତୀ ଜେନା

 

(ଆମ ଅନେକଙ୍କର ଅତିପରିଚିତା ମାଳତୀ ଅପା ପୂର୍ଣ୍ଣାଙ୍ଗ ଶିକ୍ଷାର ସଂପୂର୍ଣ୍ଣତଃ ଏକ ତୃଣମୂଳ କ୍ଷେତ୍ରରେ ରହି ଆସିଛନ୍ତି ଏବଂ ତେଣୁ ଆମ ଅନେକଙ୍କ ଅପେକ୍ଷା ଅଧିକ ଅଙ୍ଗେ ନିଭାଇଛନ୍ତି । ଏବେ ମଧ୍ୟ ନିଭାଉଛନ୍ତି । ଅସଲ ମାଟିଟିରେ ତାଙ୍କ ଗୋଡ଼ଗୁଡ଼ିକ ଏତେ ଅଧିକ ନିର୍ଭର ସହିତ ହୁଏତ ଥଳ ପାଇ ଯାଇଛନ୍ତି ଯେ, ତାଙ୍କ ମଥାଟା ହଜାର ପ୍ରକାରେ ଅନ୍ୟମନସ୍କ କରୁଥିଲେ ମଧ୍ୟ ତଥାପି ଟଳାଇ ପାରୁନାହିଁ ।)

 

ଭୁବନେଶ୍ୱର,୫।୧୨।୮୮

 

ସ୍ନେହର ଭଉଣୀ,

 

ତୁମର ଚିଠିଗୁଡ଼ିକୁ ପାଇବା ପରେ ତୁମସହିତ ଦେଖା ହୋଇ ସାରିଲାଣି, ମୁଁ ନିଜେ ମଧ୍ୟ ଥରେ ସେଠାରେ ଯାଇ ହଠାତ୍ ହାବୁଡ଼ି ଗଲିଣି । ତଥାପି, ତୁମ ଚିଠିଗୁଡ଼ିକର ଉତ୍ତର ଦେବା ଉଚିତ ମନେ କରୁଛି । ଏହାଦ୍ୱାରା ଏକ ନିୟମିତ ପତ୍ରବ୍ୟବହାର ଆରମ୍ଭ ହେବ । ଆମେ ସମସ୍ତେ ଯଦି ପରସ୍ପର ସହିତ ପତ୍ରଦ୍ୱାରା ନିୟମିତ ସମ୍ପର୍କ ରଖିଥାନ୍ତେ, ତେବେ ବେଳେ ବେଳେ କଦାପି ଏପରି ଅସହାୟ ଅନୁଭବ କରୁନଥାନ୍ତେ । ପରସ୍ପର ପରସ୍ପରକୁ ବଳ ଦେଉଥିବା ପରି ଲାଗୁଥାନ୍ତା । ଡୋର କଟାଇଦେବା ଦ୍ୱାରା ହିଁ ମଣିଷ ଏକୁଟିଆ ହୋଇଯାଏ । ତା’ମନକୁ ସେ ଯେତେ ଠିକ୍ ବାଟରେ ଚାଲୁଥିଲେ ମଧ୍ୟ ତଥାପି ବଡ଼ ଏକୁଟିଆ ଅନୁଭବ କରେ ।

 

ତୁମେ ଲେଖିଛ, ତୁମକୁ ଯେଉଁମାନେ ମାଆ ଓ ଶ୍ରୀଅରବିନ୍ଦଙ୍କ ବାଟକୁ ଆକୃଷ୍ଟ ଓ । ଅନୁପ୍ରାଣିତ କରି ଆଣିଥିଲେ, ସେହିମାନେ ହିଁ ଅନୁଚିତ ଓ ବିପରୀତ ଆଚରଣ କରୁଛନ୍ତି ଏବଂ ତେଣୁ ବଡ଼ ଅସହାୟ ଲାଗୁଛି । ଏହା ଏକ ଅତ୍ୟନ୍ତ ଅବିବେକୀ କଥା । ଯଦି ଏପରି ହେଉଥାଏ, ତେବେ ତୁମେ କ’ଣ ଏପର୍ଯ୍ୟନ୍ତ ସେହିମାନଙ୍କର ମାଧ୍ୟମରେ ହିଁ ଶ୍ରୀଅରବିନ୍ଦ ଓ ମାଆଙ୍କୁ ଜାଣୁଛ ? ଏମାନଙ୍କ ସହିତ କ’ଣ ତୁମର କୌଣସି ସିଧା ସମ୍ପର୍କ ସ୍ଥାପିତ ହୋଇ ପାରିନାହିଁ ? ସିଧା ସମ୍ପର୍କ ସ୍ଥାପିତ ହୋଇଥିଲେ ତ ସର୍ବଦା ନିଜ ଭିତରୁ ହିଁ ବଳ ପାଉଥାନ୍ତ, ନିଜ ଚାରି ପାଖରେ ଏକ ସୁସ୍ଥ ଓ ଶକ୍ତିମାନ୍ ପରିବେଶ ସୃଷ୍ଟି କରି ପାରିଥାନ୍ତ । ମୋଟେ ଅସହାୟ ଲାଗନ୍ତା ନାହିଁ । ମୋ’ର ଏହି କଥାଟି ସମ୍ବନ୍ଧରେ ଗଭୀର ଭାବରେ ବିଚାର କରିବ । ସିଧା ସମ୍ପର୍କ ସ୍ଥାପନ କରିଥିବା ବ୍ୟକ୍ତି ସମକ୍ଷରେ ତଥାକଥିତ ସମସ୍ତ ଜଗତ ଆସି ଠିଆ ହୋଇଥିଲେ ମଧ୍ୟ ସିଏ କଦାପି ହତୋତ୍ସାହିତ ହୋଇ ପଡ଼ନ୍ତାନାହିଁ ।

 

ବିଦ୍ରୋହ କରିବାକୁ ଇଚ୍ଛା ହେଉଛି ବୋଲି ଲେଖିଛି । କିନ୍ତୁ ସେହି ବିଦ୍ରୋହ କେବଳ ତୁମ ନିଜକୁ ହିଁ ଦହି ନିଃଶେଷ କରି ଦେଉଛି କାହିଁକି ? ବିଦ୍ରୋହର ଠିକ୍ ନିଆଁ ପରି ଉଜ୍ଜ୍ୱଳ କରି ପାରିବାର ଏକ ଶକ୍ତି ମଧ୍ୟ ରହିଛି । କେବଳ ନିଜେ ଉଜ୍ଜ୍ୱଳ ହେବା ନୁହେଁ, ନିଜର ଚାରିପାଖରେ ଥିବା ଅନ୍ୟମାନଙ୍କୁ ଉଜ୍ଜ୍ୱଳ କରିଦେବାର ଶକ୍ତି ସବୁବେଳେ ରହିଛି । ତୁମେ ସେହି ଉଜ୍ଜ୍ୱଳତାକୁ କେବେ ଅନୁଭବ କରିଛ ?

 

ଯେକୌଣସି ଶିକ୍ଷାକେନ୍ଦ୍ରରେ ପିଲାମାନେ ହିଁ ଆଗ, ଆଉ ସବୁକିଛି ପଛ । ଆଗ ପିଲାମାନଙ୍କୁ ଦେଖି ପାରୁଥିଲେ ଆମେ ଆମ ଭିତରୁ କିଏ ଆଗ କିଏ ପଛ, କିଏ ସତ୍ କିଏ ଅସତ୍, ସେହିକଥା ନେଇ ଯୁଦ୍ଧ କରିବାକୁ ଆଦୌ କୌଣସି ବେଳ ପାଆନ୍ତେ ନାହିଁ । ପିଲାମାନଙ୍କ ଲାଗି ହିଁ ଅଧିକରୁ ଅଧିକ ଯୋଗ୍ୟ ଓ ପ୍ରସ୍ତୁତ ହେବାରେ ଲାଗିଥାଆନ୍ତେ । ଜଣେ ବା ଦୁଇଜଣ ବ୍ୟକ୍ତି ଏହି କଥାଟିକୁ ହିଁ ସାଧନାତୁଲ୍ୟ ଗ୍ରହଣ କରିନେଇ ପାରିଲେ ଆମ ବିଦ୍ୟାଳୟର କେତେ ସମସ୍ୟାର ସମାଧାନ ହୋଇଯାଇ ପାରନ୍ତା ।

 

ଭୁବନେଶ୍ୱର,୧୮।୧।୮୯

 

…ଅଧିକାଂଶ ସମାଧାନ ମଣିଷର ଭିତରେ ରହିଥାଏ । ତେଣୁ, ସଂପୃକ୍ତ ମଣିଷମାନଙ୍କ ଭିତରୁ ଯଦି କେହି ଟିକିଏ ଅଧିକ ଉପରକୁ ଯାଇ ସମସ୍ୟାଗୁଡ଼ିକ ଉପରେ ଅଧିକ ସମଗ୍ର ଭାବରେ ଦୃଷ୍ଟିପାତ କରିପାରିବ, ସେଇ ଅନେକ ସହଜରେ ସମାଧାନ ବାହାର କରି ପାରିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସମାଧାନ ଦିଗରେ ଅଗ୍ରସର କରାଇନେଇ ପାରିବ । ମାତ୍ର, ଆମେ ସମସ୍ତେ ସେହି ଗୋଟିଏ ସ୍ତରରେ ରହି ପରସ୍ପରକୁ ଉଲୁଗୁଣା ଦେଉଥିବା ପର୍ଯ୍ୟନ୍ତ ଅଡ଼ୁଆଗୁଡ଼ାକ ହୁଏତ ଆହୁରି ଅଡ଼ୁଆ ହୋଇଯାଉଥିବ ।

 

ଭୁବନେଶ୍ୱର,୧୭।୨।୮୯

 

...ଯିଏ ସଂସାରରେ ଭଗବାନଙ୍କ ପାଇଁ ସବୁକିଛି କରୁଥାଏ, ସିଏ କେବେ ହେଲେ କିଛି ହରାଏ ନାହିଁ । ଆପଣାର ସାହସ ହରାଇ ବସିବା ତ ଆହୁରି ଦୂରର କଥା । ତେଣୁ, ତୁମେ ଇତିମଧ୍ୟରେ ସାହସ ସମେତ ସବୁକିଛି ହରାଇ ବସିଛ ବୋଲି କହୁଛ କିପରି? ଭଗବାନଙ୍କ ନାମରେ ସଂସାରରେ ଅନେକ ତଥାକଥିତ କାର୍ଯ୍ୟ ହୁଏ, ଭାରି ଉତ୍ସାହ ଓ ଲମ୍ବା ଫର୍ଦ୍ଦରେ ଏସବୁ ଆରମ୍ଭ କରାଯାଏ । ମାତ୍ର, କାଳ କ୍ରମେ ଅସଲ କଥାଗୁଡ଼ାକ ଧରା ପଡ଼ିଯାଏ । ସେତେବେଳେ କିଏ କ'ଣ କରୁଥିଲେ ଜଣାପଡ଼େ । ତଥାପି ଭଗବାନ କ୍ଷମା ଦିଅରି, ମାଗିଲେ ପୁନର୍ବାର ବଳ ଦିଅନ୍ତି । ଭଗବାନ ମନୁଷ୍ୟକୁ କଦାପି ଈର୍ଷା କରନ୍ତି ନାହିଁ ।

 

ଭୁବନେଶ୍ୱର,୧୬।୬।୮୯

 

...ନିଜକୁ ଯେ ଦୁଃଖୀ ବୋଲି ଭାବେ, ସିଏ ସତେଅବା ଆଖିବୁଜି ଦେଇଥାଏ । ସଂସାରରେ ଆମଠାରୁ କେତେ କେତେ ଅଧୁକ ଦୁଃଖୀ ରହିଛନ୍ତି । ନାନାପ୍ରକାରର ଦୁଃଖୀ, ନାନାସ୍ତରର ଦୁଃଖୀ । ତଥାପି ଆମେ ଯଦି ନିଜକୁ ଦୁଃଖୀ ବୋଲି ଭାବିବା, ତେବେ ତାହା ଆମର ଅହଂକାର ନୁହେଁ ତ ଆଉ କଣ ? ନିଜକୁ ଦୁଃଖୀ ବୋଲି ଭାବୁଥିବା ମଣିଷଙ୍କ ଦ୍ଵାରା ସଂସାରରେ କି ଦୁଃଖର ଆଉ ଲାଘବ ହୋଇପାରିବ ?

 

ଭୁବନେଶ୍ୱର, ୧୦।୫।୯୦

 

ମୁଁ ଆଗରୁ କହିଛି, ସଂସାରରେ ଯିଏ ନୂଆ କିଛି ହେବାକୁ ଚାହେ ଓ ତେଣୁ ସଂସାରର ପୁରୁଣା ନିୟମଗୁଡ଼ିକୁ ଭାଙ୍ଗିବାକୁ ଇଚ୍ଛା କରେ, ତାକୁ ସାଧାରଣଙ୍କ ଠାରୁ ଅଧିକ ସାହସୀ ହେବାକୁ ପଡ଼ିବ ଓ ଅଧିକ ବିଶ୍ୱାସ ରଖିବାକୁ ପଡ଼ିବ । ଏହା ଆମ ଯୋଗ୍ୟତାର ପରୀକ୍ଷା ।

 

ଭୁବନେଶ୍ୱର, ୬।୧୦।୮୦

 

ମଣିଷ ଯେତିକି, ସେ କେବଳ ସେତିକି ପରିମାଣରେ ପୃଥିବୀରେ ଭଗବାନଙ୍କର କାମ କରିପାରିବ । ସେ ନିଜର ଅପୂର୍ଣ୍ଣତା ଓ ବିଫଳତାରୁ ମଧ୍ୟ ଶିକ୍ଷାଲାଭ କରିପାରିବ । ତେଣୁ, ନିରାଶ ହେବାର କୌଣସି କାରଣ ନାହିଁ । ପରସ୍ପରର ଅଗ୍ରଗତିରେ ସାହାଯ୍ୟ କରି ହିଁ ଆମେ ପରସ୍ପର ପ୍ରତି ଆପଣାର ସର୍ବପ୍ରଧାନ କର୍ତ୍ତବ୍ୟ କରି ପାରିବା ।

 

ତୁମ ଦେହ ଭଲ ରହିଲେ ଝିଅର ଦେହ ମଧ୍ୟ ଭଲ ରହିବ । ପରିସ୍ଥିତି ଏକଦା ତୁମକୁ ଦୋହଲାଇ ଦେଇଥିଲା ସତ, ମାତ୍ର ତାହା ତୁମକୁ କଦାପି ସବୁଦିନ ପାଇଁ କାବୁ କରି ରଖି ପାରିବନାହିଁ । ତୁମେ ତା’ର ଫାଶ ଭିତରୁ ଦିନେ ଅବଶ୍ୟ ମୁକୁଳି ଆସିବ । ଭିତର ସ୍ଥିର ହୋଇ ଆସିବ । ତା'ପରେ ଦେହ ମଧ୍ୟ ସ୍ଥିର ହେବ, ସୁସ୍ଥ ହେବ ।

 

ଭୁବନେଶ୍ୱର, ୨୯।୭।୯୨

 

...ମଣିଷ କେବେ ବୋଲମନା ହୁଏନାହିଁ । ତେଣୁ, ଶିଖାକୁ ବୋଲମନା କରାଇବାର ଜିଦ୍ ଧରିଲେ ନିଜେ ହତାଶ ହେବ । ଜଣେ ବୋଲମନା ନହେଲେ ମଧ୍ୟ ଆମେ ତାକୁ ସ୍ନେହ କରିବା, ବିନା ସର୍ତ୍ତରେ ତାକୁ ଆମର ଅନ୍ତର୍ଗତ ଖୁସୀଟିକୁ ହିଁ ପ୍ରଦାନ କରିବା । ସେ ବର୍ତ୍ତମାନ ତୁମ ବନ୍ଧନରୁ ଫିଟି ବୃହତ୍ତର ସଂସାର ଭିତରକୁ ଯାଉ ଓ ନିଜର ସଂସାରଟିକୁ ତାହାରି ଭିତରେ ଆବିଷ୍କାର କରୁ ।

 

ଶିକ୍ଷାକେନ୍ଦ୍ର ବଢ଼ୁଛି । ଆମ ପିଲାମାନେ ବୟସରେ ଓ ଚେତନାରେ ବଢ଼ୁଛନ୍ତି । ଆମର ମଧ୍ୟ ତଦନୁରୂପ ଅଭିବୃଦ୍ଧି ହେଉଥିବା ଆବଶ୍ୟକ । ଆମେ ନିଜେ ଅଟକିଯାଇ ପିଲାମାନଙ୍କୁ ମଧ୍ୟ ଅଟକାଇ ରଖିବାକୁ ଚେଷ୍ଟା କରୁଛୁ କି ?

 

ଭୁବନେଶ୍ୱର, ୨୮।୧୦।୯୨

 

...ସମସ୍ୟା ଆମର, ତେଣୁ ଆମକୁ ହିଁ ସେଗୁଡ଼ିକର ସମାଧାନ ବାହାର କରିବାକୁ ହେବ-। କେବଳ ବ୍ୟକ୍ତିଗତ ଜୀବନରେ ନୁହେଁ, ସାମୂହିକ ଜୀବନରେ ମଧ୍ୟ ଏହା ହିଁ ସତ୍ୟ-। ପରସ୍ପର ଉପରେ ବିରକ୍ତ ହେଉଥିବା ପର୍ଯ୍ୟନ୍ତ ଆମେ ଭଗବାନ ଆମକୁ ଏକତ୍ର ଗୋଟିଏ କାର୍ଯ୍ୟରେ ଆଣି ମିଳିତ କରାଉଥିବାର ସୁଯୋଗକୁ ହିଁ ହରାଇ ବସିବା । ସ୍ଥାୟୀ ଶିକ୍ଷକ କେଉଁଠି ବ୍ୟାଙ୍କରେ ନାହାନ୍ତି ଯେ, ଚିତ୍ତଭାଇ ବରାଦ କରି ଗୋଟାଏ ଦୁଇଟା ପଠାଇ ଦେଇ ପାରିବେ । ଆମେ ସମସ୍ତେ ଆମ ନିଜ ଦୁଃଖର ଅରଣ୍ୟ ଭିତରେ ଏକୁଟିଆ ଆଶ୍ରମ । କରି ଜର୍ଜର ହୋଇ ରହିଥିବା ପର୍ଯ୍ୟନ୍ତ ପରସ୍ପରକୁ ଲୋଡ଼ିବାର ମାର୍ଗରେ ଖୁବ୍ ଅସୁବିଧା ଭୋଗ କରୁଥିବା ।

 

ଭୁବନେଶ୍ୱର, ୨୬।୧୧।୯୨

 

...ଆମେ ସମସ୍ତେ ପୂର୍ଣ୍ଣାଙ୍ଗ ଶିକ୍ଷାଲାଗି କର୍ମୀ ଖୋଜୁଛି, ମାତ୍ର ନିଜେ ଜଣେ କର୍ମୀ ହୋଇ ପାରୁନାହୁଁ । ଅର୍ଥାତ୍, ଶିକ୍ଷାନୁଷ୍ଠାନଟିଏ ଆରମ୍ଭ କଲାବେଳେ ଆମେ ସମ୍ଭବତଃ କର୍ମୀମାନଙ୍କ ଦ୍ୱାରା ସେଇଟିକୁ ଚଳାଇନେବୁ ବୋଲି ମହା ଉତ୍ସାହରେ ଚିନ୍ତା କରିଥିଲୁ । ନିଜେ ନିଜର ଅଭିବୃଦ୍ଧି ସାଧନ କରି ଆମେ ସବୁ ଆହ୍ୱାନର ସମ୍ମୁଖୀନ ହେବା ବିଷୟରେ ଚିନ୍ତା କରିନଥିଲୁ । ତାହା ହିଁ ବର୍ତ୍ତମାନ ଅସଫଳତା ଏବଂ ନୈରାଶ୍ୟର ମୂଳ କାରଣ । ତୁମେ ଏ ବିଷୟରେ ଚିନ୍ତା କରିବ । ଜଣେ ଆଗ ନିଜେ ବାହାରିଲେ ଆଉ ଚାରିଜଣ ତା’ର ସଙ୍ଗୀରୂପେ ଆସି ପହଞ୍ଚନ୍ତି । ମାତ୍ର ସବାଆଗ ସର୍ବଦା ତାହାରି ଅଭିବୃଦ୍ଧି ହେଉଥିବା ଉଚିତ । ଆମେ ସହିବା ଅଧିକ । ତେବେଯାଇ ଏହି ପୃଥିବୀକୁ ଜିତିବା-। ତେବେ ଯାଇଏହି ପୃଥିବୀ ନିଜର ଘରପରି ଲାଗିବ । ହଁ, ତାକୁ ସମସ୍ତେ ବୁଝନ୍ତୁ, ଏକଥା ମଣିଷ ମାତ୍ରକେ ସମସ୍ତେ ଚାହାନ୍ତି । ଆମେ ମଧ୍ୟ ଅଲବତ ଚାହିଁବା । ମାତ୍ର, କେହି ଯଦି ଆମକୁ ତଥାପି ନବୁଝିଲା, ତେବେ ମନ ଖରାପ କରିବାନାହିଁ । ଆଘାତଗୁଡ଼ିକ କାଳକ୍ରମେ ସବୁ କଟିଯିବ-। ଯିଏ ଆମକୁ ତା’ କାମ କରିବା ଲାଗି ସଂସାରରେ ବାଟ ଚଲାଉଛି, ସେଇ ଆମର ସମସ୍ତ ସନ୍ତାପକୁ ଝାଡ଼ିଝୁଡ଼ି ନେଇଯିବ । ଏପରି ଅନୁଭବ କ'ଣ ତୁମର କେବେ ହୋଇନାହିଁ ? ସେହି ଅନୁଭବଟିକୁ ସ୍ଥାୟୀ କରି ରଖିବ !

 

ଭୁବନେଶ୍ୱର, ୨୭।୭।୯୩

 

ଜଣେ ଚିଠିର ଉତ୍ତର ଦେବାରେ ବିଳମ୍ବ କଲେ ସେ ନିଶ୍ଚୟ କୌଣସି ଭୁଲ୍‍ ଦେଖି ବିରକ୍ତ ହୋଇଥିବ ଓ ତୁମପାଖକୁ ଚିଠି ଦେଇନଥିବ ବୋଲି ଭାବିବାକୁ ତୁମ ଭିତରୁ କେଉଁ ଶଇତାନ ପ୍ରେରଣା ଦିଏ ? ଆମେ ଯେଉଁମାନେ ଶିକ୍ଷକ ହେବାକୁ ଜୀବନର ଧର୍ମ ବୋଲି ବାଛି ନେଇଛୁ, ସେମାନଙ୍କର ଅନେକ ଅଧିକ ସହଜ ହୋଇ ପାରିବା ଉଚିତ । ଆମେ ପରସ୍ପରର ଭୁଲ୍‍ ବିଷୟରେ ଏତେବେଶୀ ସଚେତନ ହୋଇ ରହିଥିଲେ ଆମ ଦେହଟା ଆମ ସହିତ କିପରି ସହଯୋଗ କରିବ ?

 

ଭୁବନେଶ୍ୱର, ୭।୧୧।୯୫

 

....ଭଗବାନଙ୍କ ହାତରେ ନିଜକୁ ଛାଡ଼ିଦେଇଛ ବୋଲି ତୁମେ ବାରବାର ଲେଖୁଛ । ଭଗବାନଙ୍କର ଇଚ୍ଛାକୁ ହିଁ ଅସଲ ଇଚ୍ଛା ବୋଲି ମାନୁଥିଲେ ଜଣେ ମଣିଷ ଅନ୍ୟମାନଙ୍କ ତୁଳନାରେ ଅଧିକ ବଳଶାଳୀ ଓ ଧୈର୍ଯ୍ୟଶାଳୀ ହୁଏ । ଭିତରେ ବାହାରେ ଥିର ରହିଥାଏ । ଏହିସବୁ ଯୋଗ୍ୟତା ସହିତ ପ୍ରତିକୂଳ ସମସ୍ତ ପରିସ୍ଥିତି ସହିତ ଲଢ଼େ । ଏସବୁ ବିଷୟରେ ଶାନ୍ତ ଓ ନୀରବ ହୋଇ ଚିନ୍ତା କରିବ ଓ ନିଜ ଭିତରୁ ଏକ ମାର୍ଗଦର୍ଶନକାରୀ ଉରର ପାଇବାକୁ ଚେଷ୍ଟା କରିବ ।

 

ଦେହଟା ମୂଳରୁ ହିଁ ବହୁ ଅବହେଳା ସହ୍ୟ କରି ଆସିଛି । ତେଣୁ, ଜୀବନର ନିର୍ବାଚିତ କାର୍ଯ୍ୟଗୁଡ଼ିକ ସହିତ ପୂର୍ଣ୍ଣ ସହଯୋଗ କରିବାର ଇଚ୍ଛା ଥିଲେ ମଧ୍ୟ ସିଏ ତାହା କରି ପାରୁନାହିଁ । ତା’ ଦୁଃଖକୁ ତୁମେ ବୁଝିବ । ଅବହେଳା ସହି ଆସିଥିବା କୌଣସି ପିଲାର ଦୁଃଖକୁ ବଡ଼ଅପା ହିସାବରେ ତୁମେ ଯେପରି ବୁଝୁଛ, ଠିକ୍ ସେହିପରି ବୁଝିବାକୁଚେଷ୍ଟା କରିବ । ନିଜର ଦେହକୁ ପ୍ରାୟ ଏକ ଅବହେଳାପୂର୍ଣ୍ଣ ଦୃଷ୍ଟିରେ ଦେଖିବା ଭାରତୀୟ ଅପସଂସ୍କୃତିର ଏକ ବଡ଼ ଦୋଷ । ଆମେ ସେହି ଦୋଷରେ କଦାପି ଦୋଷୀ ହେବାନାହିଁ । ସାମର୍ଥ୍ୟ ଅନୁସାରେ ତାକୁ ଆବଶ୍ୟକ ଯତ୍ନ ଦେଇ ସୁସ୍ଥ ରଖିବା ।

 

ଆମେ ଯେତିକି, ଆମର ଉଦ୍ୟମ ମଧ୍ୟ ସେତିକି ହେବାକୁ ବାଧ୍ୟ ହେବ । କୌଣସି ନୂଆ ଲକ୍ଷ୍ୟଟିଏ ରଖି ଶିକ୍ଷାର ପ୍ରୟୋଗଟିଏ ଆରମ୍ଭ କଲେ ଅଧିକାଂଶ ସମୟରେ ସୁଅର ବିରୁଦ୍ଧରେ ହିଁ ଯିବାକୁ ହୋଇଥାଏ । ବହୁ ବାଧା ଆସି ପହଞ୍ଚି ଥାଏ । ଯୁଗର ବିଧାତା ସତେଅବା ଆମକୁ ପରୀକ୍ଷା କରିବାରେ ଲାଗିଥାନ୍ତି । ସେହି ପରୀକ୍ଷା ହିଁ ବଳ ଦିଏ, ଆତ୍ମବିଶ୍ୱାସ ଦିଏ, ବାଟ ଦେଖାଏ । ପୃଥିବୀରେ ଏବେ ଯେଉଁମାନଙ୍କୁ ଜଣେ ଜଣେ ମହାନ୍ ଶିକ୍ଷାବିତ୍ ବୋଲି ସ୍ମରଣ କରାଯାଉଛି, ସେମାନଙ୍କୁ ସମସ୍ତଙ୍କୁ ଅନେକାନେକ ପ୍ରତିକୂଳତା ମଧ୍ୟ ଦେଇ ଯିବାକୁ ପଡ଼ିଛି । ତେଣୁ, ଚିନ୍ତିତ ହେବାର ଆଦୌ କୌଣସି କାରଣ ନାହିଁ । ଆମେ ନିଜ ତରଫରୁ କୌଣସି ଅବହେଳା ଦେଖାଇନାହୁଁ ତ ? ନିଜେ କୌଣସି ଅସାଧୁତା ଦେଖାଇନାହୁଁ ତ ? ବାରବାର ନିଜକୁ ଏହି ପ୍ରଶ୍ନ ଦୁଇଟି ପଚାରିବାକୁ ପଡ଼ିବ ଓ ଅଗ୍ରସର ହେବାକୁ ପଡ଼ିବ ।

 

ଆମ ସହିତ ସହକର୍ମୀ ହୋଇ ଯେଉଁମାନେ ଆସିବେ, ସେମାନେ ସମସ୍ତେ କାହିଁକି ଆମରି ପରି ହେବେ ? ସେମାନେ ନିଜର ସୁବିଧା ଆଗ ଅବଶ୍ୟ ଦେଖିବେ । ତେଣୁ,ସେମାନଙ୍କଠାରୁ ଆମେ ଯେତିକି ସାହାଯ୍ୟ ସହଯୋଗ ପାଇବା, ସେଥିଲାଗି ସେମାନଙ୍କ ପାଖରେ ଓ ଭଗବାନଙ୍କ ପାଖରେ ଆମକୁ କୃତଜ୍ଞ ରହିବାକୁ ପଡ଼ିବ । ସେପରି ବ୍ୟକ୍ତିମାନେ ଆସୁଥିବେ, ଯାଉଥିବେ । ଆମ ଅନୁଷ୍ଠାନ ଯଦି ସେମାନଙ୍କୁ ସାଧାରଣ କର୍ମସ୍ଥାନଗୁଡ଼ିକଠାରୁ କିଛି ଅଧିକ ଦେଇଥିବେ, ତେବେ ସେମାନେ ତାହାକୁ ଜୀବନଯାକ ମନେ ରଖିବେ । ନ କହିଲେ ମଧ୍ୟ ଅଲବତ ମନେ ରଖିବେ ।

 

ମାତ୍ର, ପ୍ରତ୍ୟେକ ଅନୁଷ୍ଠାନରେ ଜଣେ ଦୁଇଜଣ ଅବଶ୍ୟ ଖୁଣ୍ଟ ପରି ହୋଇ ରହିଥିବେ । ଅଧିକ ସହିବେ, ଅଧିକ କାମ କରିବେ, ଭୁଲ ନକରିଥିଲେ ମଧ୍ୟ ଭୁଲ ମାଗିନେବେ, –କୌଣସି ଅଭିଯୋଗ କରିବେ ନାହିଁ । ସେମାନେ ଭଗବାନଙ୍କୁ ପାଖରେ ମଧ୍ୟ କୌଣସି ଅଭିଯୋଗ କରିବେନାହିଁ ।

 

ଭୁବନେଶ୍ୱର,୨୬।୫।୯୬

 

....କାମ ରହୁ, ମାତ୍ର କାମ ଆମକୁ କେବେହେଲେ ବ୍ୟାପ୍ତ କରି ନପକାଉ । ବ୍ୟସ୍ତ କରିବାର ଅର୍ଥ ହେଉଛି ଯେ, କାମ ଆମ ଉପରେ ବୋଝ ହୋଇ ଲଦା ହୋଇଛି । ଯାହା ଯଥାର୍ଥ କାମ, ତାହା ହାଲୁକା ଲାଗିବ, ହାଲୁକା କରି ଦେଉଥିବ ।

 

.....ଦେହକୁ ହେୟ ମନେ କରିବା, ତାହାର ଅବହେଳା କରିବା, ଅତିରିକ୍ତ ନୀତିବାଦୀ ମଣିଷମାନଙ୍କ ଭିତରେ ଏହି ଆଚାରଟା ରହିଥାଏ । ଦେହ ହେଉଛି ଆମ ଜୀବନର ଯାବତୀୟ ଉପଲବ୍ଧି ନିମନ୍ତେ ଏକ ଅପରିହାର୍ଯ୍ୟ ଭୂମି । ତେଣୁ, ଆମେ ତାକୁ ନିଜର ଅତି ଆପଣାର କରି ରଖିବା, ତାହାର ଆବଶ୍ୟକ ଶୁଶ୍ରୂଷା କରିବା, ତାକୁ ଆମ ଭିତରର ସର୍ବୋଚ୍ଚ ଆସ୍ପୃହାଟା ସହିତ ଖିଅ ଲଗାଇ ରଖିଥିବା । ତୁମେ ଭାବିବ ।

 

......ଖୁସୀ ରହିବାଟା ହେଉଛି ସବୁଠାରୁ ଅଧିକ ଶକ୍ତିଶାଳୀ ଔଷଧ । ଦେହଠାରୁ ଆଧ୍ୟାତ୍ମ ସବୁ ସ୍ତର ଲାଗି । ଯିଏ ଖାଲି କାମ କରିବାକୁ, ବ୍ୟସ୍ତ ରହିବାକୁ ଓ ସର୍ବଦା ଧନ୍ଦି ହୋଇ ରହିବାକୁ ଜୀବନର ଚବିଶିଘଣ୍ଟିଆ କାମରେ ପରିଣତ କରି ରଖିଥାଏ, ତାକୁ ସୃଷ୍ଟିକର୍ତ୍ତା ବି ପାରନ୍ତିନାହିଁ । ଆମେ ତ ଛାର ମଣିଷମାତ୍ର ।

 

ଭୁବନେଶ୍ୱର,୩୦।୧।୯୩

 

.....ଜୀବନରେ ସବୁ ମଣିଷଙ୍କର ସମସ୍ୟା ଆସେ । ସମସ୍ତେ ସେହି ସମସ୍ୟାଗୁଡ଼ିକର ସମ୍ମୁଖୀନ ହୁଅନ୍ତି । ଅନେକେ ସମ୍ମୁଖୀନ ହେବାକୁ ଭୟ କରନ୍ତି । ତେଣୁ ଜୀବନଯାକ କଷ୍ଟ ପାଆନ୍ତି-। ସେହି କଷ୍ଟ ପାଇବାରୁ ହୁଏତ ଏକ ପ୍ରକାରର ଉଶ୍ୱାସ ଅନୁଭବ କରନ୍ତି ଏବଂ ସର୍ବଦା ଉତ୍ତେଜିତ ହୋଇ ରହିଥାନ୍ତି ।

 

ଭୁବନେଶ୍ୱର, ୧୬।୫।୯୬

 

....ସେଠାରେ ଏଥର ମୋ' ନିଜ ଆଚରଣରେ ମୁଁ ବିରକ୍ତ ହେଲି । ଆରବର୍ଷ ପିଲାଙ୍କ ତୁଳନାରେ ଏବର୍ଷ ପିଲାଙ୍କର ପାଠ କଞ୍ଚା ଥିଲେ ମଧ୍ୟ ଏମାନଙ୍କର ଆଗ୍ରହ ଅପେକ୍ଷାକୃତ ଅଧିକ ଥିଲା । ତେଣୁ, ଚାରିଦିନର ଅଧିକାଂଶ ସମୟ ମୁଁ ସେମାନଙ୍କ ପାଇଁ ଦେଇଥାନ୍ତି । ତାହା ହେଲା ନାହିଁ । ମୁଁ ଲେଖିଥିଲି, ସଂଧ୍ୟାରେ ଗୋଟିଏ ଘଣ୍ଟା ଆମେ କିଛି ଏକାଠି ଅଧ୍ୟୟନ ଓ ଆଲୋଚନା କରିବା । ମାତ୍ର, ପ୍ରାୟ ରାତିବେଳାଗୁଡ଼ାକ ସେଇଥିରେ ଗଲା । –ଆସି ପହଞ୍ଚିଲେ, ମୋ ଭିତରର ପଣ୍ଡିତଟା ଏତେ ପୁଲକିତ ହୋଇପଡ଼ିଲା ଯେ, ମୁଁ ମୋ’ର ସର୍ବପ୍ରଥମ କାର୍ଯ୍ୟଟିକୁ ଭୁଲିଗଲି । ପିଲାଙ୍କର ମନରେ ନିଶ୍ଚୟ ଦୁଃଖ ହୋଇଥିବ । ସେମାନେ ମୁହଁ ଫିଟାଇ କିଛି କହିନାହାନ୍ତି ସିନା, ମାତ୍ର ରାତିରେ ମୁଁ ଶୋଇବାକୁ ଗଲାବେଳେ ସେମାନେ ମୋ’ଆଡ଼କୁ କିପରି ବଲବଲ କରି ଅନାଇ ରହୁଥିଲେ; କାହା ପାଇଁ ଆସି କାହା ପାଇଁ ସମୟ ଦେଉଛ ବୋଲି ନୀରବରେ ପ୍ରଶ୍ନ ବି କରୁଥିଲେ । ମୁଁ କାହିଁକି ଏପରି ଭୁଲିଗଲି କେଜାଣି ?

 

ଯିବାଦିନ ସପ୍ତମ ଶ୍ରେଣୀରେ ଗୋଟିଏ କଥା ଦେଖିଥିଲି, ଯାହାକି ମୋତେ ଭାରି ଅଶାନ୍ତ କରିଦେଲା । ପିଲାଙ୍କୁ ପ୍ରଶ୍ନ ପଚରାଯିବା ସଙ୍ଗେ ସଙ୍ଗେ ସେମାନେ ଉଠି ଠିଆ ହେଉଥାନ୍ତି । ପ୍ରଶ୍ନର ଠିକ୍ ଉତ୍ତର ନମିଳିବା ଯାଏ ସମସ୍ତକୁ ଠିଆ ହୋଇ ରହିବାକୁ ପଡ଼ୁଥାଏ । ଖଟ ଉପରେ ଏତେ ଶୁଖିଲାମୁହଁ ମଣିଷ ଅପରାଧୀ ପରି ଛିଡ଼ା ହୋଇ ରହିବାଟା ମୋତେ ବଡ଼ ବିକଟାଳ ଦିଶୁଥାଏ । ପିଲାଏ ପ୍ରଶ୍ନର ଉତ୍ତର ଦେଇ ପାରୁନାହାନ୍ତି, ସେଥିରେ ବଡ଼ଙ୍କର ମଧ୍ୟ ଦାୟିତ୍ୱ ରହିଛି । ହୁଏତ ଅଧିକ ଦାୟିତ୍ଵ ରହିଛି । ପ୍ରଶ୍ନର ଉତ୍ତର ଦେଇ ନପାରିବାଟା ଏକ ଅପରାଧ କି ? ବାହାରେ ବଗିଚାଠାରୁ ଆରମ୍ଭ କରି ଗାଈଙ୍କ ପର୍ଯ୍ୟନ୍ତ ପୂରା ପରିବେଶଟା ଘରଟିଏ ପରି ହସୁଥିବାବେଳେ ଶ୍ରେଣୀଗୃହରେ ଆମେ ପିଲାଙ୍କୁ ସେହି ପୁରୁଣା ଇସ୍କୁଲିଆ ଢଙ୍ଗରେ କାହିଁକି ଉଠବସ କରାଇବୁ, ମୁଁ ତାହା ବୁଝି ପାରିଲି ନାହିଁ । ତୁମକୁ ହିଁ ମୁଁ ଏକଥା କହୁଛି । ଆଉ କାହାକୁ କହିବିନାହିଁ । ଚିତ୍ତଭାଇ ଏପରି ଲେଖୁଛନ୍ତି, ତେଣୁ ଆଉ ଏପରି କରିବା ଏଣିକି ମନା ବୋଲି ଘୋଷଣା କରିବାକୁ ତୁମେ ସଂଗେ ସଂଗେ ଭାଇ ଓ ଅପାମାନଙ୍କର ଗୋଟାଏ ସଭା ଡାକି ପଠାଇବ ନାହିଁ । ଅତି ସାନ ସାନ ବାହ୍ୟ ଆଚାରରୁ ଗୋଟିଏ ବିଦ୍ୟାଳୟର ଅସଲ ହୃଦୟଟିର ମଧ୍ୟ ଆଭାସ ମିଳି ଯାଇପାରେ । ତେଣୁ, ସବାଆଗ ତୁମେ ଏହି ବିଷୟରେ ଭାବିବ । ତା'ପରେ ଅନ୍ତରଙ୍ଗମାନଙ୍କୁ କହିବ । ମୋ’ ନାମ ଉଲ୍ଲେଖ ନକରି କହିବ । ଆମର ପିଲାଙ୍କ ସହିତ ସମ୍ବନ୍ଧ ଯେଉଁ ସ୍ତରରେ ଥାଏ, ପିଲାଏ ଆମେ ପଢ଼ାଉଥିବା ପାଠକୁ କିପରି ଗ୍ରହଣ କରୁଛନ୍ତି, ସେଇଟା ମଧ୍ୟ ଅନେକ ପରିମାଣରେ ତାହାରି ଉପରେ ନିର୍ଭର କରେ ।

 

ଆମେ କେହି ଦୋଷୀ ନୋହୁ । ଆମେ ଯେତିକି, ଆମେ ଅନ୍ୟମାନଙ୍କୁ କେବଳ ସେତିକି ହିଁ ଦେଇପାରିବା । ଅସୁବିଧା ତ ଲାଗି ରହିଥିବ । ପୁରୁଣାଟାଏ ସମାଧାନ ହୋଇଗଲେ ନୂଆ ଆଉ ତିନିଟା ବାହାରି ପଡ଼ିବ । ତେଣୁ, ନିଜର ମାନ ବଢ଼ାଇବା, ନିଜକୁ ଅଧିକ ଯୋଗ୍ୟ କରିବା ସମ୍ଭବତଃ ଏକମାତ୍ର ବାଟ । ନିଜର ଦୋଷ ବିଷୟରେ (ନିଜକୁ) ସଚେତନ କରି ରଖିଥିବା ଯାଏ ଆମେ ନିଜକୁ ଅଧିକ ଯୋଗ୍ୟ କରି ପାରିବା ନାହିଁ । ତଦ୍ଦ୍ୱାରା କେବଳ ଅନ୍ୟମାନଙ୍କର ଦୋଷକୁ ଖୁଣି ବାହାର କରିବାର ଉତ୍ସାହ ବୃଦ୍ଧି ପାଉଥିବ । ବହୁ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିଲେ ମଧ୍ୟ ଆମେ କ୍ରମେ କୂପମଣ୍ଡୁକ ହୋଇ ଯାଉନାହୁଁ ତ ? ଅନ୍ୟମାନଙ୍କ ସହିତ ମିଶିବା, ଶିବିର ସମ୍ମିଳନୀ ପ୍ରଭୃତିକୁ ଯିବାଦ୍ଵାରା ଆମର ଭାବନା ହୁଏତ ଖେଳାଇ ହୋଇଯିବା ପାଇଁ ଅଧିକ ସୁଯୋଗ ପାଆନ୍ତା । ତଦ୍ଦ୍ୱାରା ଆମ ହୃଦୟକୁ ମଧ୍ୟ ଉପକାର ମିଳନ୍ତା । ଆମ ଶିକ୍ଷା ଦେବାର ଏବଂ ଶିକ୍ଷା କରିବାର ମାନ ବି ତଦ୍ଦ୍ୱାରା ବୃଦ୍ଧି ପାଆନ୍ତା ।

 

ଭୁବନେଶ୍ୱର,୪।୮।୯୬

 

ଦେହ ଖରାପକୁ ଆମେ କାରଣ ବୋଲି ଭାବିବାନାହିଁ । ଦେହ ଖରାପ ଏକ ପରିଣାମ ବି ହୋଇପାରେ । ଆମେ ଯାହା କରିବୁ ବୋଲି ନିଜେ ଠିକ୍ କରିଛୁ, ତାହା ନକରି ପାରିଲେ ହୁଏତ ଏକ ଅବସାଦ ଆସେ ଓ ସେହି ଅବସାଦରୁ ଦେହ ଅସୁସ୍ଥ ହୁଏ । ମୋ' କଥାଟିକୁ ପରୀକ୍ଷା କରି ଦେଖିପାର ।

 

ଅସଲ କଥା, ଆମେ ଭିତରେ ଯାହା ପ୍ରକୃତରେ ହେଉ । ଅସଲ କଥା, ଆମେ ନିଜ ଭିତରେ ଯାହାକୁ ଛୁଇଁକରି ରହିଥାଉ । ଅସଲ କଥା, ଆମେ ନିଜକୁ ତଥା ଅନ୍ୟମାନଙ୍କୁ କେଡ଼େ ମହିମାମୟ ଅଥବା କେଡ଼େ ହୀନ ଭାବରେ ଦେଖିଥାଉ । ଅସଲ କଥା, ଆମେ ମୁଖା ପିନ୍ଧିଥାଉ ନା ନିଷ୍କପଟ ଭାବରେ ଆମେ ପ୍ରକୃତରେ ଯାହା, ସର୍ବଦା ସେଇଟିକୁ ହିଁ ଉନ୍ମୋଚିତ କରି ଧରିଥାଉ । ତା'ପରେ ଯାଇ କାମ, କାର୍ଯ୍ୟକ୍ରମ, ଗାଈ, ଗୁହାଳ ଇତ୍ୟାଦି, ଇତ୍ୟାଦି । ନିଜେ ନିଜର ବନ୍ଧୁ ହେଲେ ଯାଇ ଭଗବାନଙ୍କୁ ବନ୍ଧୁରୂପେ ପାଇହୁଏ । ପରସ୍ପରକୁ ବନ୍ଧୁରୂପେ ସ୍ୱୀକାର କରିନେଇ ପାରିଲେ ଯାଇ ଆମେ ପରସ୍ପର ମଧ୍ୟରେ ନିଜକୁ ଅନୁଭବ କରିପାରିବା । ଭାରତବର୍ଷରେ ଏସବୁ କଥା ବହିରେ ଲେଖାଯାଇଛି ସିନା, ଖୁବ୍ କମ୍ । ଦେଖିବାକୁ ମିଳୁଛି ।

 

ଶିକ୍ଷାନୁଷ୍ଠାନରେ ସଂପୃକ୍ତ ସମସ୍ତଙ୍କର ସତତ ଅଭିବୃଦ୍ଧି ହେଉଥିବା ଆବଶ୍ୟକ । ତା'ନହେଲେ ବ୍ୟସ୍ତତା ସହିତ ବିରକ୍ତି ମଧ୍ୟ ବଢ଼ିବ । ତା’ପରେ ଅଧିକ ନିୟମ ଓ ଅଧିକ ଶୃଙ୍ଖଳା ଉପରେ ଜୋର ଦିଆଯିବ । ଅସଲ ଡୋରଟି କଟି କଟି ଯାଉଥିବ । ତେଣୁ, ଯେତେ ଯାହା ବ୍ୟସ୍ତତା ରହୁ ପଛକେ, ଖୁସୀ ହୋଇ ଦି'ପୃଷ୍ଠା ପଢ଼ୁଥିବା ଉଚିତ । ମୁକ୍ତ ହୋଇ ଦୁଇ ମିନିଟ୍ ଭାବି ବା ଅନୁଭବ କରି ପାରୁଥିବା ଉଚିତ ।

 

ଭୁବନେଶ୍ୱର,୨୭।୭।୯୭

 

...ଦୃଷ୍ଟିକୋଣ ଅନୁସାର ମତଭେଦ ରହିବ ହିଁ ରହିବ । ସେଇଥିଲାଗି ତ କମିଟି, ସେଇଥିଲାଗି ତ ଆଲୋଚନା । ମୋ’ କଥାଟିକୁ ଅନ୍ୟମାନେ ବୁଝିବା ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ବୁଝାଇବି । ସେମାନେ ବୁଝିଲେ ନାହିଁ ବୋଲି ମାନ ବା ରୋଷ କରିବି ନାହିଁ । ଏବଂ, ସବୁଠାରୁ ବଡ଼ କଥା ହେଉଛି, ମୁଁ ଯଦି କୌଣସି କଥାକୁ ସର୍ବୋତ୍ତମ ଭାବରେ ବୁଝୁଥିବି, ତେବେ ଅନ୍ୟମାନଙ୍କର ବୁଝି ପାରିବା ଭଳି ସେଇଟିକୁ ସେମାନଙ୍କୁ ଆଗରେ ରଖି ପାରିବି ନାହିଁ କାହିଁକି ? ସେମାନେ ମୋ’ କଥା ବୁଝୁନାହାନ୍ତି ବୋଲି ରାଗ କାହିଁକି କରିବି ? ଯାହା ସତ୍ୟ, ତାହା ସତ୍ୟକୁ ବୁଝିବାର କ୍ଷେତ୍ରରେ ସଂପୃକ୍ତ ସମସ୍ତଙ୍କର ସହଯୋଗ ଦ୍ଵାରା ହିଁ ପ୍ରକଟ ହେବ ।

 

ନିଜ ପ୍ରତି ଅବଚେତନ ସ୍ତରରେ ମଧ୍ୟ ଏକ ଗ୍ଲାନିଭାବ ରହିଥିଲେ ତୁମେ ଜୀବନଯାକ ଖାଲି ନିଜକୁ ପ୍ରହାର କରିବାରେ ଲାଗିଥିବ ଓ କଷ୍ଟ ପାଉଥିବ । ଦେହସ୍ତରରେ ଅସୁସ୍ଥତାର ରୂପ ଧରି ତାହା ହିଁ ତୁମକୁ କାମୁଡ଼ି ଧରିଥିବ । ...ମଣିଷ ଖୁସୀ ହୋଇ, ସମସ୍ତଙ୍କର ସାଥୀ ଭାବରେ ଓ ତଥାପି ସମସ୍ତଙ୍କର ଉର୍ଦ୍ଧ୍ୱରେ ରହି ଯାହା ସହେ, ତାହା ତାକୁ ଅଧିକରୁ ଅଧିକ ଉଜ୍ଜ୍ୱଳ କରି ଦେଇଥାଏ । ମାତ୍ର, ଯାହାକିଛି ବାଧ୍ୟ ହୋଇ ସହେ, କର୍ତ୍ତବ୍ୟର ଅନୁରୋଧରେ ସହେ, ତାହା ତାକୁ ବହୁତ କଷ୍ଟ ଦିଏ ।

 

.....ପୃଥିବୀରେ କୌଣସି ମନୁଷ୍ୟକୁ ମୁଁ ଅସ୍ପୃଶ୍ୟ ପରି ଦେଖେନାହିଁ । ଯେଉଁମାନେ କୌଣସି କାରଣରୁ ନିଜକୁ ହିଁ ଅସ୍ପୃଶ୍ୟ ପରି ଦେଖନ୍ତି, ସେହିମାନେ ହିଁ ତାଟିଆ କାମୁଡ଼ିଲା ପରି ଅନ୍ୟମାନଙ୍କୁ ମଧ୍ୟ ସେହିପରି ଦେଖନ୍ତି । ଆମେ ପରସ୍ପରକୁ ସନ୍ତାନ ପରି ଦେଖିବା, ସଂସାରର ଅର୍ଥରେ ଭାଇଭଉଣୀ ପରି ଦେଖିବା । କୌଣସି ପରିସ୍ଥିତିରେ ମଧ୍ୟ ପରସ୍ପରକୁ ତଳେ ପକାଇ ଦେବାନାହିଁ । ମୋତେ କେହି ଭୟ କରିବ, ଦୂରତା ଜଗି ରହିଥିବ, ମୁଁ ଆଦୌ ସେତେ ହତଭାଗ୍ୟ ନୁହେଁ ।

 

ଆମ ଶିକ୍ଷାକେନ୍ଦ୍ର ଅର୍ଥାତ୍ ଆମ ଚାରିପାଖରେ ବେଢ଼ି ରହିଥିବା ପିଲାମାନେ ହିଁ ଆମ ମୁକ୍ତିର କାରଣ ହୁଅନ୍ତୁ । ପିଲାଙ୍କୁ ସବାଆଗରେ ରଖି ପାରୁଥିଲେ ଆମ ସହିତ ରହିଥିବା ସହକର୍ମୀମାନେ ମଧ୍ୟ ଆମର ଅନେକ ଉନ୍ମୋଚନରେ ସହାୟକ ହୋଇପାରିବେ ।

 

ଭୁବନେଶ୍ୱର, ୨।୯।୯୭

 

....୨୧।୯ ରେ ତୁମେ ସମସ୍ତେ ଏକଜୁଟ ହୁଅ । ତାହା ପରେ ମଧ୍ୟ ଆବଶ୍ୟକ ହେଲେ ଏକାଧିକବାର ଏକାଠି ବସ । କଥା ହୁଅ, କୌଣସି କୃତ୍ରିମତା ନରଖି ପରସ୍ପର ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଚୈତ୍ୟ ସତ୍ତାକୁ ହିଁ ଠାବ କରି ବାହାରିଥିବା ପରି କଥା ହୁଅ । ଦୂରତାମାନ ଦୂର ହୋଇଯାଉ । ପ୍ରଧାନତଃ ଏକ ଅସହଯୋଗକୁ ମୂଳ କରି ଗୋଟିଏ ଜାଗାରୁ ତୁମେମାନେ ଏତେ ଜାଗା ହୋଇଛ । ତାହାର ପୋକମାନେ ହୁଏତ ଏବେ ମଧ୍ୟ ତୁମମାନଙ୍କୁ କାମୁଡ଼ି ଧରିଛନ୍ତି । ଏଗୁଡ଼ାକ ଦୂର ହେଉ । ପାର୍ଥକ୍ୟ ସତ୍ତ୍ୱେ ଆମେ କାହିଁକି ଏକାଠି ପରସ୍ପରର ପରିପୂରକ ଭାବେ କାର୍ଯ୍ୟ କରି ନପାରିବା, ତାହାର ଅନୁସନ୍ଧାନ କରାଯାଉ । ପାର୍ଥକ୍ୟ ସତ୍ତ୍ୱେ ସହଯୋଗିତା, –ଏହାହିଁ ପ୍ରକୃତ ଅଧ୍ୟାତ୍ମକୁ ମନ କରୁଥିବା ଜଣେ ମନୁଷ୍ୟର ଅସଲ ଲକ୍ଷଣ ।

 

ଭୁବନେଶ୍ୱର, ୨୭।୧୧।୯୭

 

...ଗୁଡ଼ାଏ ଖଟିଲେ ନିଜର କୌଣସି ଲାଭ ହୁଏନାହିଁ । ଏହା ପୂର୍ବରୁ ତ –ରେ କେତେ ଖଟିଥିଲା । ସେଠାରେ କେଉଁ ଗଛଟି କଅଁଳି ପାରିଲା ବା କେଉଁ ଫୁଲଟି ଫୁଟି ପାରିଲା ?

 

ଗୋଟିଏ ଗୋଟିଏ ଅନୁଷ୍ଠାନ କେବଳ ଜଣକର ବା ଦି'ଜଣକର ନୁହେଁ ସମସ୍ତଙ୍କର । ସମସ୍ତେ ଯେପରି ଗୋଟିଏ ଅନୁଷ୍ଠାନକୁ ନିଜର ବୋଲି ମନେ କରିବେ ଓ ଦାୟିତ୍ୱଗୁଡ଼ିକୁ ମିଶି କରି ବହନ କରିବେ, ସେପରି ଏକ ପରିବେଶ ଯଦି ସେଠାରେ ଦଶବର୍ଷରେ ସୃଷ୍ଟି ହୋଇପାରିଲା ନାହିଁ, ତେବେ ତାହା ସବୁଦିନେ ଏହିପରି ଦଦରା ହୋଇ ରହିଥିବ । ଏବିଷୟରେ ସେଠାରେ ଏକାଠି ବସି ଆଲୋଚନା ହୋଇପାରନ୍ତା । ମାତ୍ର, ସମସ୍ତେ ଯଦି ନିଜକୁ ଲୁଚାଇ ରଖି କିଏ କେତେ ଖଟି ପାରୁଛି, ତାହାରି ଦୃଷ୍ଟାନ୍ତ ଦେଖାଇ ସନ୍ତୋଷ ଲାଭ କରୁଥିବେ, ତେବେ ତାହା ସମ୍ଭବ ହୋଇ ପାରିବନାହିଁ ।

 

.....ନିଜେ ବାର ପ୍ରକାରର ଦୁଃଖ ଓ ସନ୍ତାପର ଘର ହୋଇ ରହିଥିବା ଯାଏ ଏ ପୃଥିବୀ ପାଇଁ ଆମେ ଆଦୌ କୌଣସି କାମରେ ଲାଗି ପାରିବାନାହିଁ । ଖାଲି ନିଜ ଉପରେ ଲାଗୁଥିବା ଓ ଅନ୍ୟମାନଙ୍କୁ ନଚାଇବାରେ ଲାଗିଥିବା । ଆମେ ନିଜେ ବି ନିଜର ଜନନୀ ହୋଇପାରିବା । ସେଇଠୁ ସବୁ ଆରମ୍ଭ ହେବ ।

 

ଭୁବନେଶ୍ୱର,୧୧।୧୨।୯୭

 

....ଜଣେ ଜଣେ ଗେହ୍ଲା ମଣିଷ ଥାଆନ୍ତି, ଯେଉଁମାନେ ଭଗବାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କେଡ଼େ ଉତ୍ସାହରେ ବାହାରନ୍ତି, ମାତ୍ର ନିଜେ ଏପରି ଅସୁସ୍ଥ ହେବାରେ ଲାଗିଯାଆନ୍ତି ଯେ, ଭଗବାନଙ୍କୁ ସେମାନଙ୍କର ଯତ୍ନ ନେଉ ନେଉ ରାତି ଅନିଦ୍ରା ହେବାକୁ ପଡ଼ିଥାଏ ।

 

....ଯିଏ ପୃଥିବୀକୁ ବଦଳାଇବ ବୋଲି ବାହାରିଛି, ତାକୁ ଅନେକ ସହିବାକୁ ପଡ଼ିବ; ବାଧ୍ୟ ହୋଇ ନୁହେଁ, ଖୁସୀ ହୋଇ ।

 

ଶୃଙ୍ଖଳା ଦ୍ଵାରା ଶାସନ କଲେ ତୁମକୁ ବେଶୀ ଲୋକ ମାନିବେ ନାହିଁ । ଉପରେ ମାନିବେ, ଭିତରେ ଫାଙ୍କି ଦେବେ । ଶିକ୍ଷକମାନେ ଏପରି କଲେ ପିଲାମାନଙ୍କ ଉପରେ ତାହାର ବହୁତ କ୍ଷତିକାରକ ପ୍ରଭାବ ପଡ଼ିବ । ତେଣୁ, ଭଲ ପାଇବା ଦ୍ୱାରା ଏହା ସମ୍ଭବ ହେବ । ଭଲ ପାଇବା ଦେବ, ଭଲ ପାଇବା ପାଇବ । ନିୟମ ଉପରେ ନିର୍ଭର କରୁଥିବା ପର୍ଯ୍ୟନ୍ତ ଏହି ବାଟରେ ମୋଟେ ବେଶୀଦୂର ଯାଇ ପାରିବନାହିଁ । ତୁମେ ବେଶୀ ବୁଝିବ, ବୁଝାଇଦେଇ ପାରୁଥିବ, କେହି ନିୟମ ଭାଙ୍ଗୁଥିଲେ ମଧ୍ୟ ତାକୁ ଫୋପାଡ଼ି ଦେବନାହିଁ । ବରଂ, ତା'ଦୃଷ୍ଟିରୁ ତାକୁ ବୁଝିବ, ଅତ୍ୟନ୍ତ ସହାନୁଭୂତି ସହିତ ବୁଝିବ । ସେଥିରେ ଅପ୍ରତ୍ୟାଶିତ ଅନେକ ଫଳ ପାଇବ । ଅନ୍ୟମାନେ ଅଧିକ ସହଯୋଗ ମଧ୍ୟ କରିବେ । ଅନ୍ୟମାନଙ୍କ ପାଇଁ ନିଜର ସର୍ବୋତ୍ତମକୁ ବାଢ଼ି ଦେଇ ପାରିଲେ ଅନ୍ୟମାନେ ମଧ୍ୟ ସେମାନଙ୍କର ସର୍ବୋତ୍ତମ ସହିତ ଆମ ପାଖକୁ ଆସିବେ ।

 

.....ମୁଁ କେବଳ ଆଉ ଜଣକର କଥା ମାନୁଛି, ଏହି ଭାବନାଟି ଚାଲିଗଲେ ଜଣେ ବ୍ୟକ୍ତି ଅଦ୍ଭୁତପୂର୍ବ ଯୋଗ୍ୟତାର ପରିଚୟ ଦେଇପାରିବ ।

 

ଭୁବନେଶ୍ୱର, ୩।୧।୯୮

 

ଯେଉଁ ସ୍ତରରେ ଆମେ ଦ୍ଵନ୍ଦ୍ୱରେ ପଡ଼ିଛୁ, ଜ୍ୱାଳା ଭୋଗ କରୁଛୁ, ସେହି ସ୍ତରରେ ରହି ସେହି ଦ୍ଵନ୍ଦ୍ଵ ଓ ଜ୍ଜ୍ୱାଳାଗୁଡ଼ିକର ସମାଧାନ ମିଳିବ ନାହିଁ । ବରଂ ଭିତରେ ଓ ବାହାରେ ଏକ ଶକ୍ତିକ୍ଷୟକାରୀ ସମର ଲାଗି ରହିଥିବ । ଅଧିକାଂଶ ମଣିଷ ସେହି ସମରଟିକୁ କରିବାରେ ଜୀବନ ବିତାଇ ଦିଅନ୍ତି । ତଥାପି, ଏପରି ଏକ ଉତ୍ତେଜନା ସେଥିରୁ ସେମାନଙ୍କୁ ମିଳେ, ସେଥିରୁ ବେଶ୍ ଆନନ୍ଦ ବି ପାଆନ୍ତି । ପ୍ରକୃତ ସମାଧାନ ମିଳିବ ଟିକିଏ ଉପରକୁ ଉଠିଯାଇ ପାରିଲେ । ତୁମେ ପାରନ୍ତି । ...ନିଜ ଭିତରେ କେବଳ ନିଜର କ୍ଷତବିକ୍ଷତ ଜୀବନଟାକୁ ନଦେଖୁ ଆଉକିଛି ଅଧିକ ସ୍ଥାୟୀ ସମ୍ପଦକୁ ଦେଖିପାରିଲେ ତୁମେ ପାରନ୍ତ । ସେହି ସ୍ଥାୟୀ ସମ୍ପଦଟିର ଆବିଷ୍କାର ହେଉଛି ଆମ ପ୍ରତ୍ୟେକଙ୍କର ସର୍ବୋତ୍ତମ ଆବିଷ୍କାର । ମାଆ ତାକୁ the inner godhead ବୋଲି କହିଛନ୍ତି-

 

ସମାଜ ଯେ ବହୁତ କଥାକୁ ସମର୍ଥନ ଦେବନାହିଁ, ସେକଥା ଆମେ ଆଗରୁ ଜାଣିଛେ । ଏବଂ, ସେଥିଲାଗି, ସମାଜର ଲୋକେ ମୋତେ କାହିଁକି ଏପରି ଅନୁଚିତ ବ୍ୟବହାର କରୁଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ବା କ୍ରୂଦ୍ଧ ହେବାର କୌଣସି କାରଣ ନାହିଁ । ତେଣୁ, ନିଜ ଭିତରେ ଅଧିକ ଶାନ୍ତ ହୁଅ । ନିଜକୁ ଘୃଣା କରନାହିଁ । ଯଦି କେବେ ଭୁଲ କରି ପକାଇଛି ବୋଲି ଏତେ ଟିକିଏ ବି ଅନୁଭବ କରୁଛ, ତେବେ ନିଜର ଉଦାରତାରେ ସେହି ଅଂଶଟିକୁ କ୍ଷମା ଦିଅ, ତା’ଦେହରୁ ଧୂଳି ଝାଡ଼ି ଦିଅ, କାନ୍ଧକୁ ଉଠାଇ ନିଅ, ସାଥୀ କର । ତୁମେ ଏସବୁ ମଧ୍ୟ ପାରିବ । ନିଜେ ନିଜର ଜନନୀ ହେଲେ ପାରିବ ।

 

ଭୁବନେଶ୍ୱର,୧୧।୨।୯୮

 

......ଅନୁଷ୍ଠାନ ସ୍ଥାୟୀ ହେବାକୁ ହେଲେ ୪/୫ଟା ମଣିଷଖୁଣ୍ଟ ଅତି ମଜବୁତ ହୋଇ ରହିବା ଉଚିତ । ଇଏ ଏକ ଅନ୍ୟ ପ୍ରକାରର କାମ, ଅନ୍ୟ ସ୍ତରର ଉଦ୍ୟମ । ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କ ଭିତରେ ଏପରି ଆକର୍ଷକ ଗୁଣ ଓ ସାମର୍ଥ୍ୟମାନ ରହିଥିବେ, ଏତେ ବେଶୀ ସ୍ନେହ, ବୁଝାମଣା ଓ ଅନ୍ୟମାନଙ୍କୁ ଆଗେଇ ଦେବାର ଶକ୍ତି ରହିଥିବ, ଯାହାଦ୍ୱାରା ସେମାନଙ୍କୁ ଖୁଣ୍ଟଗୁଡ଼ିକ ମିଳିଯାଇ ପାରିବେ; ଆମେ ଅବାଧରେ ସେମାନଙ୍କୁ ଅଧିକରୁ ଅଧିକ ଦାୟିତ୍ୱ ଦେଇ ପାରିବା । ତାହା ସମ୍ଭବତଃ ହେଉନାହିଁ । ଆମେ ପ୍ରତ୍ୟେକେ ନିଜ ନିଜର ଦୁଃଖର ଉପରେ ଭାରି ସନ୍ତପ୍ତ ହୋଇ ରହୁଛୁ । ନିଜ ନିଜର କର୍ତ୍ତବ୍ୟ କରୁଛୁ । ଏତିକି ଆଦୌ ଯଥେଷ୍ଟ ନୁହେଁ । ନିଜକୁ ସମ୍ପୂର୍ଣ୍ଣ ଭାବରେ ଦେଇ ଦେବାକୁ ପଡ଼ିବ । ପୂର୍ଣ୍ଣ ଭାବରେ ବିତରଣ କରିଦେବାକୁ ହେବ । ଏପରି ଲୋକ ଅସୁସ୍ଥ ହେବାକୁ ବେଳ ବି ପାଇବନାହିଁ । ଜୀବନ ବଞ୍ଚିବାର ଖୁସୀଟା ଯେ ଖୁବ୍ ସଂକ୍ରାମକ ହୋଇପାରେ, ଆମେ ସେକଥାଟିକୁ ଆଗ ପ୍ରମାଣିତ କରି ଦେଖାଇଦେବା ଉଚିତ ।

 

ଭୁବନେଶ୍ୱର,୨୮।୫।୯୮

 

...ମାତୃ-ରଚନାବଳୀର ୧୨ଶ ଖଣ୍ଡକୁ ବୁଝିବାକୁ ହେଲେ ଶିକ୍ଷା ବିଷୟରେ ଆଗ କେତେ କେତେ କଥାକୁ ବୁଝି ପାରୁଥିବା ଉଚିତ । ଅନେକ ସମୟରେ ବୁଝି ନପାରି ମଣିଷମାନେ ବୋଲଗୁଡ଼ାକୁ ମାନିଯାଆନ୍ତି ଓ ତାହାକୁ ଭକ୍ତିମାର୍ଗ ବୋଲି କହନ୍ତି । ବାରହଜାର ନିୟମ ଜାରି କରି ଶିକ୍ଷାକେନ୍ଦ୍ରଗୁଡ଼ିକୁ ଏକ ଜନ୍ତୁଶାଳାରେ ପରିଣତ କରିଦିଅନ୍ତି । ତେଣୁ, ଆମେ ଜ୍ଞାନରେ ମଧ୍ୟ ସତତ ଅଧିକରୁ ଅଧିକ ପୋଖତ ହେଉଥିବା ଆବଶ୍ୟକ । ପରସ୍ପର ଭିତରେ ଅଧିକ ଆଲୋଚନା ହେଉଥିବା ଆବଶ୍ୟକ । ତେବେ ଯାଇ ମାତୃବିହାର ମାଆଙ୍କର ଏକ ବିହାର ପରି ଲାଗିବ । ସେଠି ମୋଟେ ଘୋଷାରି ହେବାକୁ ପଡ଼ିବ ନାହିଁ । ଦେହଟା ମଧ୍ୟ ଅଧିକ ସହଯୋଗ କରି ପାରିବ । ଆମ ସହିତ ଯେଉଁମାନେ କାମ କରିବାକୁ ଆସୁଥିବେ,ସେମାନେ ଆମଠାରୁ ମୂଳତଃ ସେହି ନେତୃତ୍ୱ ଲାଭ କରୁଥିବେ । ତେବେ ନିଜକୁ ଆମର ଆଦେଶପାଳନକାରୀ ବୋଲି ନଭାବି ଆମର ପାଖକୁ ପାଖକୁ ଆସୁଥିବେ ।

 

ଭୁବନେଶ୍ୱର, ୮।୧୨।୯୮

 

....ନିଜକୁ ଶ୍ରଦ୍ଧାର ଚକ୍ଷୁରେ ନଦେଖିବା ଯାଏ ପୃଥିବୀକୁ ଶ୍ରଦ୍ଧାର ସହିତ ଆଦୌ ଦେଖି ହୁଏନାହିଁ । ଏବଂ, ଭଗବାନଙ୍କୁ ଶ୍ରଦ୍ଧାର ସହିତ ଦେଖିବା ତ ଆହୁରି ଅଧିକ ଦୂରର କଥା । ପୃଥିବୀରେ ସବୁକିଛି ରହିଥାଏ, ତଥାପି କ'ଣସବୁ କାହିଁକି ରହିଲାନାହିଁ ବୋଲି ଆମେ ଏଡ଼େ ଉତ୍ତେଜିତ ହୋଇଯାଉ ଯେ, ଯାହାସବୁ ଅଛି, ସେଇଟି ମୋଟେ ଆଖିରେ ପଡ଼େନାହିଁ । ଏପରି ଗୋଟିଏ ସ୍ଥିତିରେ ବହୁତ ମଣିଷ ବାବାଜୀ ହୋଇଯାଆନ୍ତି । ଆମର କର୍ମକ୍ଷେତ୍ରରେ ଏହି ବାବାଜିଆ ଖୋଇଟା ଅତିମାତ୍ରାରେ ପଶିଯାଇଛି କି କ’ଣ କେଜାଣି, ବର୍ଷ ପରେ ବର୍ଷ ଏହିଠାରେ କେତେ ନିଷ୍ଠାର ସହିତ କେତେ କ’ଣ କରୁଥିଲେ ମଧ୍ୟ ତଥାପି ଆଖୁକୁ ସତେଅବା କିଛି ଦିଶୁନଥାଏ । ତାହା ଆମ ଭିତରେ ରହିଥିବା କ'ଣ ଗୋଟିଏ ଅସଲ ପଦାର୍ଥର ଅଭାବର ସୂଚନା ଦିଏ ।

 

.....ପୃଥିବୀରେ ଅଧିକାଂଶ ଲୋକ ନିଜ ଗାତଟି ଭିତରେ ପଶି ନିଜର ସୁଖରେ ବ୍ୟସ୍ତ ଥାଆନ୍ତି । ଖୁବ୍‍ ଅଳପ ମଣିଷ ନିଜର ବହୁ ଜଞ୍ଜାଳ ଓ ଗାତ ରହିଥିଲେ ମଧ୍ୟ ତଥାପି ଅନ୍ୟ ପ୍ରକାରେ ହୁଅନ୍ତି, ଅନ୍ୟ ପଥଟିଏ ବାଛନ୍ତି ଏବଂ ବହୁ ପ୍ରତିବନ୍ଧକ ରହିଥିଲେ ମଧ୍ୟ ସେଇଟିକୁ ଆଦରି ନେଇଥାନ୍ତି । ସେହିମାନଙ୍କ ଦ୍ଵାରା ଭଗବାନଙ୍କର ବହୁତ କାର୍ଯ୍ୟ ସମ୍ଭବ ହୁଏ । ତଥାପି, ସେମାନେ ବେଳେବେଳେ ପରସ୍ପରକୁ ସ୍ୱୀକାର କରିନେଇ ପାରନ୍ତିନାହିଁ କାହିଁକି କେଜାଣି ? ଏସବୁ ଦେଖି ପୃଥିବୀ ବିଷୟରେ ଆଗକୁ ଆହୁରି କେତେ ସ୍ଵପ୍ନ ଦେଖୁଥିବା ବିଧାତା ଭାରି କଷ୍ଟ ପାଉଥିବେ ।

 

ନିଜ ଉପରେ ରାଗନାହିଁ, ନିଜକୁ ଶ୍ରଦ୍ଧାର ସହିତ ଦେଖ । ମାଆଟିଏ ହୋଇ ନିଜ ଭିତରେ ଏତେ ପ୍ରତିକୂଳତା ଭିତରେ ତଥାପି ଏତେ ସ୍ଵପ୍ନ ଦେଖି ପାରୁଥିବା ଶିଶୁଟିକୁ ଦେଖ । ନିଜକୁ ଅଧିକ ଯୋଗ୍ୟ କର । ପରସ୍ପରକୁ ଅଧିକ ଯୋଗ୍ୟ ହେବାରେ ସାହାଯ୍ୟ କର। ଯେଉଁଠି ବହୁତ କିଛି ଆମକୁ ଏକାଠି ଏଡ଼େ ଆନ୍ତରିକତା ସହିତ ବାନ୍ଧି ରଖିଛି, ସେହି ସ୍ଥାନଟିକୁ ଜୀବନରେ ଯାବତୀୟ ପ୍ରାପ୍ତି ଲାଗି ଏକ ଏକ ଆସ୍ଥାନ କରି ତିଆରି କର । ବାହାରେ ସମସ୍ତେ ଅଲବତ କେତେ ବାଛିବେ, କେତେ ନିରୁତ୍ସାହିତ କରିବେ । ତଥାପି ସେମାନେ ଆମର ଯେପରି କିଛି ନକରି ପାରିବେ, ସେଥିଲାଗି ଭିତରେ ସେହି ଅନୁସାରେ ହାଲୁକା ହୋଇଯାଅ ।

 

ଭୁବନେଶ୍ୱର,୬।୩।୯୯

 

.....ଆମେ ଯେଉଁ ବାଟଟିକୁ ଗ୍ରହଣ କରିଛୁ, ତାହା ବୈରାଗ୍ୟର ବାଟ ନୁହେଁ । ସ୍ନେହର ସହିତ ପରସ୍ପରକୁ ବୁଝିବାର ବାଟ । ବୈରାଗ୍ୟର ଜୀବାଣୁମାନେ ଆମ ଭିତରେ ଏପରି ଭିତରକୁ ପଶି ଯାଇଛନ୍ତି ଯେ, ଆମ ଜୀବନର ପ୍ରଧାନ ସନ୍ତକ ସତେଅବା ଗୋଟାଏ ପ୍ରକାରର ବିରକ୍ତିର ହିଁ ସୂଚନା ଦେଉଛି । ଓଡ଼ିଶାରେ ଅଧିକାଂଶ ଶିକ୍ଷାକ୍ଷେତ୍ରରେ ମୋତେ ପ୍ରଧାନତଃ ତାହାହିଁ ଦିଶୁଛି । ମୋ’ର ଏହି ଦେଖିବା ଭୁଲ ବୋଲି ପ୍ରମାଣିତ ହେଲେ ମୁଁ ପ୍ରକୃତରେ ଖୁବ୍ ଖୁସୀ ହୁଅନ୍ତି ।

 

ଭୁବନେଶ୍ୱର, ୮।୪।୯୯

 

ଏହି ପୃଥିବୀକୁ ଗୋଟିଏ ଘରରେ ପରିଣତ କରାଇବା ପାଇଁ ଆମ ଭିତରର ଭଗବାନ ଯୁଗ ଯୁଗ ଧରି ଅପେକ୍ଷା କରି ରହିଛନ୍ତି । ଆମେ ସେହି ଲକ୍ଷ୍ୟ ପୂରଣରେ ସହଯୋଗ କରିବା । ସମସ୍ତଙ୍କ ଭିତରେ ସେହି ଅପେକ୍ଷା କରିଥିବା ଭଗବାନ୍ ହେଉଛନ୍ତି ତା'ର ସର୍ବଶ୍ରେଷ୍ଠ ପରିଚୟ । ଆମେ ସେହି ପରିଚୟରେ ପରସ୍ପରକୁ ଚିହ୍ନିବା । ଆଉ ଯାବତୀୟ ପରିଚୟକୁ ବରଂ ଅର୍ଦ୍ଧପରିଚୟ ବୋଲି ଜାଣିବା ।

 

ଭୁବନେଶ୍ୱର, ୫।୯।୯୩

 

.....ଆମେ କାହାକୁ ବଦଳାଇବାକୁ ଚେଷ୍ଟା କରିବାନାହିଁ କିମ୍ବା କାହାକୁ ଆଗକୁ ନେବାକୁ ଚେଷ୍ଟା କରିବାନାହିଁ । ବରଂ ଆମେ ନିଜ ଆଗକୁ ଯାଉଥିବା । ଅନେକ ସମୟରେ ଏପରି ହୁଏ ଯେ, ଆମ ନିଜର ଅଗ୍ରଗତି କୌଣସି କାରଣରୁ ବନ୍ଦ ହୋଇଗଲେ ତା'ପରେ ଆମେ ଅନ୍ୟମାନଙ୍କର ଅଗ୍ରଗତି ଓ ପରିବର୍ତ୍ତନ ପାଇଁ ବ୍ୟସ୍ତ ହେବାକୁ ଆରମ୍ଭ କରୁ । ତଦ୍ଦ୍ୱାରା ଜଗତର ଲାଭ ଅପେକ୍ଷା କ୍ଷତି ଅଧିକ ହୁଏ ।

 

ତା' ପରେ ପିଲା ଦୁହିଁଙ୍କର କଥା । ମୋ’ ରାଣ, ସେମାନେ ଆସୁ ଆସୁ, ବିଦ୍ୟାଳୟରେ ପାଦ ଦେବାକୁ ଆରମ୍ଭ କରୁ କରୁ ତୁମେ ସେମାନଙ୍କୁ ଭଲ କରିବାରେ ଲାଗି ଯାଅନାହିଁ । ସର୍ବପ୍ରଥମେ ସେମାନଙ୍କୁ ବୁଝ । ସହାନୁଭୂତି ସହିତ ବୁଝ । ଆମେ ନିଜେ ନିଜକୁ ଯେତିକି ସମଗ୍ର ଭାବରେ ଓ ସହାନୁଭୂତି ସହିତ ବୁଝିବାକୁ ସମର୍ଥ ହେଉଥିବା, ଅନ୍ୟମାନଙ୍କୁ ଠିକ୍ ସେତିକି ପରିମାଣରେ ବୁଝିପାରିବା । ପିଲା ଦୁହିଁଙ୍କର ସମସ୍ୟା ସମାଧାନ କରିବାରେ ଏତେ ସମୟ ଦିଅନାହିଁ । ସେମାନଙ୍କୁ ସେମାନଙ୍କର ସାଙ୍ଗପିଲାମାନଙ୍କ ସହିତ ଛାଡ଼ିଦିଅ ଓ ଦୂରରୁ ଥାଇ ଶାନ୍ତ ଭାବରେ ସେମାନଙ୍କର ଅଗ୍ରଗତିକୁ ଲକ୍ଷ୍ୟକର । ଅନେକ ସମୟରେ ହୁଏତ ଏପରି ମଧ୍ୟ ହୁଏ ଯେ, ଆମେ ନିଜ ସମସ୍ୟାଗୁଡ଼ିକର ସମାଧାନ କରିବାକୁ । କିମ୍ବା ନିଜ ଆଗରେ ନିଜେ ସିଧା ହୋଇ ଛିଡ଼ା ହେବାକୁ ଇଚ୍ଛା କରୁନଥାଉ ବୋଲି ଅନ୍ୟମାନଙ୍କୁ ବାଟ କିମ୍ବା ବୋଲ ବତାଇ ସେମାନଙ୍କର ସମସ୍ୟାମାନ ସମାଧାନ କରିବାରେ ଅଧିକ ଉତ୍ସାହ ଦେଖାଉ ।

 

ଭୁବନେଶ୍ୱର, ୪।୩।୯୫

 

.....ନିଜ ପ୍ରତି ମୋଟେ ବିରକ୍ତ ହେବନାହିଁ । ନିଜର ଅସୁସ୍ଥତା, ଅଭାବ, ଦୋଷ, ଅସମର୍ଥତା ପ୍ରଭୃତି ଭାବିବା ସମୟରେ ମଧ୍ୟ ଖୁସୀ ହୋଇ ଭାବିବ । ନୈତିକତା ନାଆଁରେ ପିଲା ଦିନରୁ ଆମେ ନିଜର ଖଣ୍ଡିଆଗୁଡ଼ାକ ଦେଖିବାକୁ ଏତେ ଅଭ୍ୟସ୍ତ ହୋଇ ଯାଇଥାଉ ଯେ, ଭିତରେ ପରିପୂର୍ଣ୍ଣ ପରମସଖାଟିଏ ଜନନୀଟିଏ ହୋଇ ଆମକୁ ଚଳାଉଛି ବୋଲି ଆମେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥାଉ ।

 

ଭୁବନେଶ୍ୱର, ୫।୮।୯୫

 

ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ଆମର ମନୋମତ ଓ ଭଗବାନଙ୍କର ଗୋଟିଏ ଗୋଟିଏ ଆଳୟ ପରି ସେତେବେଳେ ହେବ, ଯେତେବେଳେ ଆମେ ଶିକ୍ଷାକେନ୍ଦ୍ରରେ ଗୋଟିଏ ପରିବାର ପରି ହୋଇଯିବା । ପରସ୍ପର ପରସ୍ପର ପାଇଁ ଦାୟୀ ରହିବା । ଏହିପରି ହେଲେ ଆମର ତଥାକଥିତ ସଂସାରଟି ମଧ୍ୟ ଆଶ୍ରମ ପରି ଲାଗିବ । ଏବଂ, ବାବାଜୀମାନଙ୍କର ତଥାକଥିତ ଆଶ୍ରମରୁ ତାହା ଉଚ୍ଚତର କୋଟୀର ହେବ । ଆମର ଅଧିକାଂଶ ଅପା ଓ ଭାଇ ନିଅଣ୍ଟ ଭିତରେ ଥାଆନ୍ତି । ତେଣୁ, ସମସ୍ତଙ୍କର ଭାଗ୍ୟ,ସ୍ଵପ୍ନ ଓ ସାଧନାକୁ ଏକାଠି ମିଶାଇଦେଲେ କାଳେ ଯେତିକି ଅଛି ସେତିକି ବି ଭୁଷୁଡ଼ି ପଡ଼ିବ, ସେହି ଭୟ କରୁଥାନ୍ତି । ...ପରସ୍ପରର ଦୁଃଖରେ ଭାଗୀ ହୋଇ ଆମେ ନିଜ ଦୁଃଖର ଲାଘବ କରିବା, ଏହାହିଁ ଅସଲ ମାର୍ଗ ।

 

ଭୁବନେଶ୍ୱର,୨୬।୯।୯୫

 

......ଚିଠି ଦେବା କେବଳ ଏକ କର୍ତ୍ତବ୍ୟ ନୁହେଁ । ଚିଠିର ମାଧ୍ୟମରେ ଆମେ ପରସ୍ପରକୁ ଖୋଜୁ । ଏହିପରି ପରସ୍ପରକୁ ଖୋଜୁ ନଥିଲେ, ଆମେ ଯେଉଁମାନେ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ଏକ ଆରେକୁ ଭେଟିଛୁ, ସେମାନଙ୍କୁ ଭାରି ଏକୁଟିଆ ଲାଗିବ ।

 

ଭୁବନେଶ୍ୱର,୨୮।୩।୯୧

 

......ଭାବ କମିଗଲେ ମଣିଷ ଭାବପ୍ରବଣ ହୋଇଯାଏ । ନିଜ ଦୁଃଖ, ନିଜ ସୁଖ, ନିଜ ଶାନ୍ତି ଓ ନିଜ ସିଦ୍ଧି ବ୍ୟତୀତ ପ୍ରାୟ ଆଉ କିଛି ନଦିଶିଲେ ମଣିଷ ଭାବପ୍ରବଣ ହୋଇଥାଏ । ଏହି ପୃଥିବୀରେ କୋଟି କୋଟି ମଣିଷ ଆମଠାରୁ ଅଧିକ ଦୁଃଖରେ ଅଛନ୍ତି । ଆମ ଦୁଃଖ ଚଉକଷ ହୋଇ ଦୂର ହୋଇ ସାରିଲେ ଯାଇ କ'ଣ ଆମେ ସେମାନଙ୍କ ସହିତ ଚେତନାଯୁକ୍ତ ହେବା ?

 

ଭୁବନେଶ୍ୱର, ୨୦।୪।୯୧

 

ଯେଉଁମାନେ ନିଜର ମୁକ୍ତି ପାଇଁ ସଂସାର ଛାଡ଼ନ୍ତି, ସେମାନଙ୍କୁ ବାବାଜୀ ବୋଲି କୁହାଯାଏ । ସେହିପରି, ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ସୁଖ ବ୍ୟତୀତ ଆଉ କିଛିର ଚିନ୍ତା କରି ପାରନ୍ତିନାହିଁ । ଏବଂ, ଆହୁରି ଥୋକେ ମନୁଷ୍ୟ ମଧ୍ୟ ଥାଆନ୍ତି, ଯେଉଁମାନଙ୍କର ଦୁଃଖଗୁଡ଼ାକ ସେମାନଙ୍କର ସକଳ ଭାବନାକୁ ସବୁବେଳେ କାମୁଡ଼ି ଧରିଥାଏ । ଏମାନେ ସମସ୍ତେ ନିଜ ନିଜର ବାଡ଼ଟି ଭିତରେ ଗଡ଼ିଆଟିଏ ଖୋଳି ଡୁବି କରି ରହିଥାନ୍ତି । ଏହି ଲୋକମାନଙ୍କୁ ମଧ୍ୟ ଆମେ ବାବାଜୀ ବୋଲି କହିପାରିବା ।

 

ମାଆ ଓ ଶ୍ରୀଅରବିନ୍ଦଙ୍କୁ ଆମେ ଗଭୀର ଭାବରେ ବୁଝିବାକୁ ସମର୍ଥ ହେଲେ ଆମେ ଏ ବାବାଜିଆ ମନୋଭାବରୁ କେତେ ଚଞ୍ଚଳ ବାହାରିଆସି ପାରନ୍ତୁ । ମାତ୍ର, ଆମେ ଯେଉଁମାନେ ତାଙ୍କୁ ସବାଆଗ ପୂଜା କରିବାର ବିଳାସରେ ପଡ଼ିଯାଇଛୁ, ସେମାନେ ହୁଏତ ଜୀବନଯାକ ବାବାଜୀ ହୋଇ ରହିଯିବାକୁ ହିଁ ଭଲ ପାଉଛୁ । ମାଆଙ୍କ ଭାଷାରେ, “ଯେଉଁମାନେ ବଦଳିବାକୁ କୁଣ୍ଠିତ, ସେହିମାନେ ହିଁ ପୂଜା କରନ୍ତି–ଆମେ ଯେଉଁମାନେ ଶିକ୍ଷା କେନ୍ଦ୍ରଗୁଡ଼ିକରେ ସାନ ସାନ ପିଲାଙ୍କୁ ଆବୋରିଧରି ରହିଛୁ, ଭଗବାନ ଆମକୁ ଶୀଘ୍ର ସଦ୍‍ବୁଦ୍ଧି ଦିଅନ୍ତୁ ।

 

ଭୁବନେଶ୍ୱର,୧୬।୮।୯୧

 

......ଭାବୁଛି, ତୁମେ କେତେଦିନ ଯାଏ ଆତ୍ମକେନ୍ଦ୍ରୀ ହୋଇ ଖାଲି ନିଜର ଅଭାବଗୁଡ଼ିକର କଥା ଭାବୁଥିବ ଏବଂ ଉତ୍ତେଜିତ ହୋଇ ରହିଥିବ। ଗତ ତିନି ଚାରିବର୍ଷ ହେଲା ତୁମେ ଯାହାକିଛି ଚାହିଛ, ଜୀବନ ତୁମକୁ ତାହା ଆଣି ଦେଇଛି । ତେଣୁ, ଜୀବନ ପାଖରେ ତୁମର କୃତଜ୍ଞ ହୋଇ ରହିବା ଉଚିତ । ସେହି କୃତଜ୍ଞତା ହିଁ ଜୀବନର ସର୍ବମୂଳ ଦୃଷ୍ଟିକୋଣ ହୋଇ ରହିଥିଲେ ନିଜର ଅନେକ ସମସ୍ୟାର ସମାଧାନ ତୁମେ ନିଜେ କରିଦେଇ ପାରନ୍ତ ଏବଂ ଖୁସୀ ହୋଇ ରହିପାରନ୍ତ ।

 

(ଝିଅର) ଜିଦ୍‌ଖୋର ପ୍ରକୃତିକୁ ତୁମେ ଏତେ ପ୍ରାଞ୍ଜଳ ଭାବରେ ଦେଖିପାରୁଛି । ନିଜର ଜିଦଖୋରିଟାକୁ ମାପି ପାରିଲେ ତାହାଠାରୁ ଅଧିକ ଲାଭ ହୁଅନ୍ତା । ଉତ୍ତେଜିତ ମଣିଷମାନେ ନିଜର ଜିଦଟାକୁ ଦେଖି ପାରନ୍ତିନାହିଁ ବୋଲି ସାନ ପିଲାଙ୍କର ଜିଦ୍‌କୁ ଉପଭୋଗ କରି ପାରନ୍ତିନାହିଁ । ସେଥିଲାଗି ସେମାନଙ୍କ ଉପରକୁ ହାତ ଉଠାନ୍ତି ।

 

ଭୁବନେଶ୍ୱର,୧୨।୩।୯୨

 

.....ତୁମେ ବାରବାର ଭୁଲିଯାଉଛ ଯେ, ତୁମେ ‘ସୁହୃଦଗୋଷ୍ଠୀ’ରେ ଆମ ସମସ୍ତଙ୍କୁ ସହିତ ସାମିଲ ହୋଇ ଯାଇଛି । ଅର୍ଥାତ୍ ସୁହୃତ୍ ହିସାବରେ ଆମେ ଆଉ ନିଜ କଥା ମୋଟେ ଭାବିବାନାହିଁ, –ଏବଂ ଦୁଇଟା କାର୍ଯ୍ୟ ଲାଗି ନିଜକୁ ସତକୁ ସତ ସମର୍ପିତ କରି ରଖିଥିବା : ୧) ଆମେ ନିଜକୁ ସତତ ଅଧିକରୁ ଅଧିକ ଯୋଗ୍ୟ କରୁଥିବା; ଜ୍ଞାନରେ, କର୍ମରେ ଏବଂ ଶ୍ରଦ୍ଧାରେ ନିଜ ଭିତରେ ପ୍ରତ୍ୟହ ଆମ ନିଜର ଅଗ୍ରଗତିକୁ ଅନୁଭବ କରୁଥିବା । ୨) ଏବଂ, ପରସ୍ପରର ଅଗ୍ରଗତିରେ ଯଥାଶକ୍ତି ସହାୟତା କରୁଥିବା,–ଧନୀ ଶେଠଭଳି ନୁହେଁ କିମ୍ବା ଅନୁଗ୍ରହ କରୁଥିବା ଓ ନିଜ -ଠାରୁ ଛଅହାତ ଉଚ୍ଚରେ ଯାଇ ବସିଥବା କୌଣସି ମହାନ୍ ବ୍ୟକ୍ତିଙ୍କ ପରି ନୁହେଁ, ବନ୍ଧୁଭାବରେ ହିଁ ପରସ୍ପରକୁ ସାହାଯ୍ୟ କରୁଥିବା ଓ ପରସ୍ପର ପାଖରେ ଖାଲି ଠୋ’ ଠୋ’ ହସୁଥିବା । ତୁମେ କ’ଣ ଚିତ୍ତଭାଇଙ୍କୁ ସେହିପରି ତୁଳିଉପରେ ବସିଥିବା କୌଣସି ମହାନ୍ ବୋଲି ଭାବିଲ କି ? ଏପରି ଭ୍ରମ ଆଉ କରିବନାହିଁ ।

 

ଆମ ଝିଅ ଖେଳୁଛି, ଦଉଡ଼ୁଛି, କ୍ରିୟାଶୀଳ ରହିଛି, ଖୁସୀ ହୋଇ ଖାଉଛି ଏବଂ ମଣିଷମାନଙ୍କୁ ଆଦରୁଛି ତ ? ତେବେ ଆଉ କିଛି ଚିନ୍ତା କରିବାର ନାହିଁ । ଟିକିଏ ଟିକିଏ ଦେହ ଖରାପ ହେଉଥିଲେ ଦେହ କ୍ରମଶଃ ଟାଣ ହେଉଥିବ । ଏତେ ଔଷଧ ଖାଇଲେ ସୁକୁମାର ହୋଇ ରହିବ ଜୀବନଯାକ । ନିଜ କଥା ଭାବି ଭାବି ଦିନ ଯିବ । ଆଉ କାହାର କାମରେ ଲାଗିବ ଆଉ କେତେବେଳେ ? ଆମେସବୁ ଯେପରି ହୋଇଛୁ ଓ ବାହାଦୁରୀ ଦେଖାଉଛୁ, ଆଧ୍ୟାତ୍ମିକ ପାରସ୍ପରିକତାକୁ ଧାର୍ମିକ କାନ୍ଥଦିଆ ଭାବନାର ଉପୀଡ଼ନ ଦ୍ଵାରା ପ୍ରାୟ ବିକୃତ କରି ରଖୁଛୁ ଓ ଭଗବାନଙ୍କର କାମ କରିବା ନାଆଁରେ ନିଜର ଜମ କାଢ଼ୁଛୁ ଓ ନିଜ ନିଜ ଦ୍ୱୀପରେ ରଜା ହୋଇ ବସୁଛୁ, ଆମ ହେପାଜତରେ ଥିବା ପିଲାମାନେ ମୋଟେ ସେପରି ନ ହୁଅନ୍ତୁ ।

 

ଆମେ ଯେତେବେଳେ ନିଜକୁ କେନ୍ଦ୍ର କରି ରଖୁବାର ଗେହ୍ଲାପଣ ଛାଡ଼ିଦେବା, ତାଙ୍କରି ପୃଥିବୀ ଭିତରେ ସେତେବେଳେ ତାଙ୍କରି ଚରଣପାର୍ଶ୍ୱରେ ଆନନ୍ଦମୟ ସକ୍ରିୟତାର ସ୍ଥାନଟିଏ ଆମକୁ ନିଶ୍ଚୟ ମିଳିବ । ଏତିକି ବିଶ୍ୱାସ ହେଉଛି ସନ୍ତାନ ହୋଇ ପାରିବା ଲାଗି ନିମ୍ନତମ ବିଶ୍ଵାସ । ଏବଂ ସୁହୃତ୍ ହୋଇ ପାରିବାଲାଗି ମଧ୍ୟ ।

 

ଭୁବନେଶ୍ୱର, ୫।୬।୯୬

 

.....ତୁମେ,– ,– ସମସ୍ତେ ଏବେ ମଧ୍ୟ ପ୍ରେରଣାର ଲୋକରେ ସେହି – ର ହୋଇ ରହିଛ-। ଗୋଟିଏ ଜାଗାରୁ ତୁମେମାନେ ତିନୋଟି ଜାଗାକୁ ଆସିଛ । ଏହା ଏକ ଶୁଭ ବରାଦ-। ତିନିଟା ଜାଗାରେ ତୁମେମାନେ ଶକ୍ତି ହୋଇ (ସବୁ) ଚଳାଇବ ଓ ଆହୁରି ଅନେକଙ୍କୁ ଉଦ୍‌ବୁଦ୍ଧ କରିବ-। ତୁମେ ଜାଣ, ମୁଁ ଫୁଲେଇ ହୋଇ କାହାର ପ୍ରଶଂସା କରେନାହିଁ । ଭିତର ଆଡ଼କୁ ଅନାଇ ଯାହା ଆଖିରେ ଦେଖେ, ତାହାହିଁ କହେ । ତେଣୁ, ମୋ’କଥାକୁ ହସରେ ବା ଆତ୍ମଗ୍ଲାନିର ତା’ପରେ ଉଡ଼ାଇ ଦେବନାହିଁ ।

☆☆☆

 

ଶ୍ରୀମତୀ ମୀନାକ୍ଷି ମିଶ୍ର

 

(ଶିକ୍ଷୟିତ୍ରୀ, ଫୁଲବାଣୀ । ଓଡ଼ିଆ ଅଧ୍ୟାପକ ଶ୍ରୀ ରାଧାମୋହନ ମିଶ୍ରଙ୍କର ସହଧର୍ମିଣୀ)

 

ଭୁବନେଶ୍ୱର, ୨।୫।୧୯୯୧

 

....ଆପଣଙ୍କର କଥା ସମ୍ପୂର୍ଣ୍ଣ ଭାବରେ ଠିକ୍ । “ବିଶ୍ଵମାନବିକତା’ର ଭାବନା ଆଜିପରି ଅତୀତରେ ବି ଥିଲା । କେବଳ ଭାବନାରେ ଥିଲା, ମାତ୍ର ସେ ସମୟରେ ବିଶ୍ୱ କେଡ଼େ ଟିକିଏ ଥିଲା, ଉଭୟ ଭୌଗୋଳିକ ଓ ଭାବଗତ ଦୃଷ୍ଟିରୁ । ମାନବିକତାର ବୋଧ ଭିତରେ ଜୀଅନ୍ତା ପ୍ରକୃତ ମଣିଷମାନଙ୍କ ଲାଗି ସେପରି କୌଣସି ସ୍ଥାନ ନଥିଲା । ପୁରାତନ ସାହିତ୍ୟ ବା ସଂସ୍କୃତି ଭିତରେ ଠିକ୍ ଏହି ଦୃଷ୍ଟିରୁ ମାନବୀୟ ମୂଲ୍ୟବୋଧ ଥିଲା, ପୁଣି ନଥିଲା । (ସମ୍ବନ୍ଧଗତ ପ୍ରକୃତ ଜୀବନରେ ମଣିଷମାନେ ପ୍ରଧାନତଃ କର୍ମବାଦୀ’ ଥିଲେ । କର୍ମବାଦୀର ମାନବିକତାବୋଧ, ସିଏ ପୁଣି କିପରି ଦ୍ରବ୍ୟ ?)

 

ବେଦକୁ ଋଷିମାନେ ଲେଖିଥିଲେ । ସେମାନେ ସଂସାର ଛାଡ଼ି ଅରଣ୍ୟରେ ବାସ କରୁଥିଲେ । ସଂସାରବର୍ଜନ କରିଥିଲେ ସଂସାରକୁ ମୁକ୍ତିଲାଭର ଅନ୍ତରାୟ ମନେ କରି । ତେଣୁ, ସେମାନଙ୍କ ମଧ୍ୟରେ ବି ମାନବୀୟ ମୂଲ୍ୟବୋଧ ପ୍ରଚୁର ଥୁଲା । ମାତ୍ର ସେହି ମୂଲ୍ୟବୋଧରି ଚେରମୂଳ ଓ ଭୂଇଁ କେଉଁଠି କିଛି ନଥିଲା । ସର୍ବାଦର୍ଶ ରୂପେ ଯେଉଁ ମୋକ୍ଷକୁ ସାଧନାପଥର ଶୀର୍ଷ ଭାବରେ ଗ୍ରହଣ କରାଯାଇଥିଲା, ତାହା ସଂସାରରୁ ଯଥାଶୀଘ୍ର ବିଦାୟ ନେଇ ଚାଲିଯିବାକୁ ହିଁ ଧ୍ୟେୟ କରି ରଖିଥିଲା । ଆଧୁନିକ ପରିଭାଷାରେ ଏହାକୁ ମଧ୍ୟ ଗୋଟାଏ ପ୍ରକାରର ବୀତଶ୍ରଦ୍ଧତା ବୋଲି କୁହାଯାଏ । ଅସଲ ମାନବୀୟ ମୂଲ୍ୟବୋଧ ଏହି ପୃଥିବୀକୁ ବଦଳାଇ ତାହାକୁ ଯଥାର୍ଥରେ ମାନବଯୋଗ୍ୟ କରିବା ଉପରେ ସବାଆଗ ବିଶ୍ୱାସ ରଖିଥାଏ । ଭଲ ବୋଧଗୁଡ଼ିଏ ରଖିବା ଲାଗି ପୃଥିବୀ ଛାଡ଼ି ଜଙ୍ଗଲକୁ ପଳାଇ ଯାଏନାହିଁ ।

 

ପୁନଶ୍ଚ : କବିତାଟି ଖୁବ୍ ଭଲ ହୋଇଛି । ସୂର୍ଯ୍ୟ, ବିଶେଷ କରି ତୈତ୍ତିରୀୟ ଉପନିଷଦର ସୂର୍ଯ୍ୟ ଏକାକୀ ଅବଶ୍ୟ ଚାଲିଥାଏ । ମାତ୍ର, ସେହି ସୂର୍ଯ୍ୟକୁ ନିଜ ଭିତରେ ପ୍ରତ୍ୟକ୍ଷ କରି ଆମେ ଯେଉଁମାନେ ବାଟ ଚାଲୁଛୁ, ଆମେ କ’ଣ ସେଥିଲାଗି ଏକାକୀ ? ଏବଂ, ଗୋଟିଏ ଡୋରରେ ଆମକୁ ବାନ୍ଧି ରଖିଥିବା ସେହି ସୂର୍ଯ୍ୟକୁ ମଧ୍ୟ କିପରି ତା'ପରେ କାହିଁକି ଏକାକୀ ବୋଲି କୁହାଯିବ ? ବାଟ ଚାଲିବା ମଣିଷ ଆପଣାର ସକଳ ଏକାକିତ୍ୱ ବିଷୟରେ ବିସ୍ତୃତ ହୋଇଯାଏ । କାରଣ, ଆଉ ଏକ ଅଧ୍ୟାତ୍ମବାକ୍ୟ ଅନୁସାରେ, ବାଟ ଚାଲୁଥିବା ମଣିଷ ସହିତ ସ୍ଵୟଂ ଇନ୍ଦ୍ର ମଧ୍ୟ ସାଥୀ ହୋଇ ବାଟ ଚାଲୁଥାନ୍ତି ।

 

ଭୁବନେଶ୍ୱର,୧୧।୬।୯୧

 

....ସୁନ୍ଦରଗଡ଼ ଶିବିରରେ ଆମେ ପ୍ରାୟ ୧୦୫ ଜଣ ଭାଇ ଭଉଣୀ ଏକାଠି ଦଶ ଦିନ ରହିଲୁ । ଅଧ୍ୟାପକ, ଇଞ୍ଜିନିୟର, ଡାକ୍ତର, ସ୍କୁଲ ଶିକ୍ଷକ, କଲେଜଛାତ୍ର–ଏହିପରି ଗୋଟାଏ ସୁମିଶ୍ରିତ ଗୋଷ୍ଠୀ । ପରସ୍ପର ସହିତ ନାନା କାର୍ଯ୍ୟକ୍ରମ ଓ ସମ୍ପର୍କର ମାଧ୍ୟମରେ ଏପରି ମିଶି ଯାଇଥିଲୁ ଯେ, ବାହାର ସଂସାରରେ କିଏ କେତେ ଉପରେ ବା କେତେ ତଳେ ରହିଛି, ତାହା ମୋଟେ ଜାଣି ହେଉନଥିଲା । ପ୍ରତ୍ୟହ ଚାରିଘଣ୍ଟା ଶରୀର-ଶ୍ରମଗୋଡ଼ି, ବାଲି, ସିମେଣ୍ଟ ଗୋଳି ଦଶବଖରା ସ୍କୁଲଘର ପାଇଁ ମୂଳଦୁଆ ତିଆରି ହେଉଥିଲା । ଲମ୍ବା ଧାଡ଼ିରେ ଆମେ ତାହାକୁ ଗୋଳାହେବା ସ୍ଥାନରୁ ପକା ହେଉଥିବା ସ୍ଥାନକୁ ଲୁହା କଡ଼େଇମାନରେ ହାତକୁ ହାତ ବୋହି ଆଣୁଥିଲୁ ।

 

ଦିନକୁ ପାଞ୍ଚଘଣ୍ଟା ସାମୂହିକ ଅଧ୍ୟୟନ । ଏଥର ଆମେ ଶ୍ରୀ ଅରବିନ୍ଦଙ୍କର ‘ମାଆ' ବହିଟିକୁ ଅଧ୍ୟୟନ କଲୁ । ରାତିରେ ବ୍ୟକ୍ତିଗତ ଆଲୋଚନା, –ପ୍ରତ୍ୟେକେ ହୃଦୟ ଖୋଲି ନିଜ ନିଜ ଜୀବନ କଥା କହୁଥିଲେ, –ଅତୀତରେ ଘଟି ଯାଇଥିବା ଘଟଣାବଳୀ, ବର୍ତ୍ତମାନ ଅନୁଭବ କରୁଥିବା ଆହ୍ୱାନ, ନିଜକୁ ନେଇ ଦେଖୁଥିବା ସ୍ୱପ୍ନ, ଇତ୍ୟାଦି, ଇତ୍ୟାଦି ।

 

ଏହିସବୁ ସାମୂହିକ ଅନୁଭୂତିର କୌଣସି ଲିଖିତ ବିବରଣୀ ରଖା ଯାଉଥିଲା । ମଣିଷର ହୃଦୟ ଭିତରେ ଯାହା ଘଟେ, ଯେଉଁସବୁ ଦୁଆର ଖୋଲେ, ତାହା ହିଁ ଯେକୌଣସି ଗୋଷ୍ଠୀଜୀବନର ସର୍ବପ୍ରଧାନ ଘଟଣା ।

 

ଭୁବନେଶ୍ୱର, ୧୭।୮।୯୧

 

....ଧର୍ମ, ଆଧ୍ୟାତ୍ମିକତା ଏସବୁ ମନୁଷ୍ୟଜୀବନର ଅନ୍ତର୍ଯାତ୍ରାର ଅନ୍ତର୍ଗତ, –ଚେତନାରେ ଏବଂ ପାରସ୍ପରିକ ସମ୍ପର୍କର କ୍ଷେତ୍ରରେ । ବିଧିଗୁଡ଼ିକ ଏହି ଅସଲ ଲକ୍ଷ୍ୟଟିରେ ସାହାଯ୍ୟ କରିବା ପାଇଁ ସଚରାଚର ତିଆରି ହୋଇଥିଲେ । ମାତ୍ର, ଅନେକ ସମୟରେ ଅନେକ ମଣିଷ ସେହି ବିଧିମାନଙ୍କର ରଜ୍ଜୁରେ ହିଁ ବାନ୍ଧି ହୋଇ ରହିବାକୁ ଭଲ ପାଆନ୍ତି । ସେଥିରୁ ସାମ୍ପ୍ରଦାୟିକତା, ଦୂରତା ଏବଂ ଅନ୍ତଃସାରଶୂନ୍ୟ ନାନା ବାହ୍ୟ ଅତିରିକ୍ତତାର ସୃଷ୍ଟି ହୁଏ ।

 

‘ସାଧାରଣ’ ମଣିଷ କହିଲେ ଆପଣ କାହାକୁ ବୁଝନ୍ତି ? ଆପଣାକୁ ସାଧାରଣ ବୋଲି ମାନି ନେଉଥିବା ପର୍ଯ୍ୟନ୍ତ ଜଣେ ମଣିଷ ଧାରଣ ହୋଇ ଅଲବତ ରହିବ । ସାଧାରଣ ମଣିଷ ଭିତରେ ଏକ ଅନନ୍ୟ, ଅସାଧାରଣ ସମ୍ଭାବନା ଲୁଚି ରହିଛି ବୋଲି ଏବେ ବିଜ୍ଞାନ ମଧ୍ୟ କହିଲାଣି । ଏବଂ, ଆଧ୍ୟାତ୍ମିକତା ସେହି କଥାକୁ ସବୁକାଳେ କହି ଆସିଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଥିବା ଏହି ଅସାଧାରଣତ୍ୱ ହିଁ ତା’ର ପ୍ରକୃତରେ ନିଜସ୍ୱ, ତା’ର ପ୍ରକୃତ ପୁଞ୍ଜି । ନିଜ ଭିତରେ ସେହି ‘ଅସାଧାରଣ’କୁ ଅନୁଭବ କରୁଥିବା ଜଣେ ବ୍ୟକ୍ତି ମଣିଷମାତ୍ରକେ ପ୍ରତ୍ୟେକଙ୍କ ଭିତରେ ମଧ୍ୟ ତାହାକୁ ଅନୁଭବ କରିବ, ତାହାର ଆବିଷ୍କାର କରିବାକୁ ମନ ବଳାଇବ ।

 

ଫୁଲବାଣୀକୁ ସାତଦିନ ପାଇଁ ଯାଇ ବୁଲି ଆସିବାକୁ ଆପଣ ପ୍ରସ୍ତାବ ଦେଇଛନ୍ତି । ଯଦି ମୁଁ ତାହା କରିପାରନ୍ତି, ତେବେ ତାହା କେଡ଼େବଡ଼ କଥା ହୁଅନ୍ତା । ଆପେ ନିଜ ଉପରକୁ ଟାଣି ନେଇଥିବା କାମଗୁଡ଼ିକ ମୋତେ ଏପରି ଭାବରେ ଆବୋରି ଧରିଥାନ୍ତି ଯେ, ବାହାରେ କୁଆଡ଼କୁ ଯିବାକୁ ଆଉ ଅବକାଶ ମିଳେନାହିଁ । ସେହିସବୁ କାମ ମୋତେ ଆଦୌ ବ୍ୟସ୍ତ ରଖି ନଥାଏ, ତଥାପି ସେଥିରେ ମୁଁ ଏପରି ବାନ୍ଧି ହୋଇ ରହିଥାଏ ଯେ, ଆଦୌ ବାହାରି ହୁଏନାହିଁ । ଆପଣ ଲେଖିଛନ୍ତି, ମୁଁ ସେଠାକୁ ଯିବି, ନିଜର ପଢ଼ାପଢ଼ି ଲେଖାଲେଖି କରିବି ଏବଂ ମୋତେ କେହି distrub କରିବେ ନାହିଁ । ମତେ ଆହୁରି ଭଲ କରି ବୁଝିଲେ ଆପଣ ଜାଣିପାରିବେ ଯେ, ମୋତେ କାହାରିକୁ distrub କରିବାକୁ ପଡ଼େନାହିଁ । ମନୋମତ ମଣିଷଗୁଡ଼ିଏ ପାଇଲେ ମୁଁ ନିଜଆଡ଼ୁ ଏପରି ବାନ୍ଧି ହୋଇଯାଏ ଯେ ଆପେ ସେମାନଙ୍କ ପାଖକୁ ଯାଇ distrubed ହେବାକୁ ଅଳି କରେ । ମୋ’ର ଏହି ସାଂଘାତିକ ଖୋଇଟିକୁ ମୁଁ ଖୁବ୍ ଭଲ କରି ଜାଣିଛି ।

 

ଭୁବନେଶ୍ୱର, ୧୩।୧।୯୨

 

...ହଁ, ଆର୍ଥିକ ସମସ୍ୟା ହେଉଛି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ଏକ ବୃହତ୍‌ ସମସ୍ୟା । ଯଦି ଆମେ ସରକାରଙ୍କଠାରୁ ପୂରା ଆର୍ଥିକ ସାହାଯ୍ୟ ନିଅନ୍ତୁ, ତେବେ ସରକାରୀ ଶିକ୍ଷାବିଭାଗୀୟ ସୁବେଦାରମାନେ ଆମ ଚୁଟି ଧରି ରଖନ୍ତେ । ଆମର ସବୁ ଖୁସୀକୁ କେତେଟା ଶୁଖିଲା ନିୟମ ଓ କୃତ୍ରିମତା ଭିତରେ ମାରା କରିଦିଅନ୍ତେ । ଆଉ ଆର୍ଥିକ ଦାରିଦ୍ର୍ୟମୋଚନର କି ପନ୍ଥା ଏହି ଦେଶରେ ଅଛି, କହନ୍ତୁ! ତେଣୁ, ଅପେକ୍ଷା କରିବା । କଥା ଓ ନିଜର ଯଥାସମ୍ଭବ ସର୍ବୋତ୍ତମକୁ ନିଜେ ବାଛି ନେଇଥିବା କାମଟିରେ ଆଣି ଲଗାଇବା କଥା । ଓଡ଼ିଶାର ଏତେଗୁଡ଼ିଏ ଶିକ୍ଷାଳୟରେ ଆପଣାର ସର୍ବବିଧ ଅପୂର୍ଣ୍ଣତା ସତ୍ତ୍ୱେ ୬।୭ ଶହ ଭଉଣୀ ଓ ଭାଇ ଯେ ଲାଗିଛନ୍ତି ଓ ପରସ୍ପରର ମୁହଁକୁ ଅନାଇ ଖୁସୀ ରହିଛନ୍ତି, ତାହା ଆମ ସମସ୍ତଙ୍କୁ ଅଶେଷ ବଳ ଦେଉଛି ।

 

ମାଆ ଶ୍ରୀଅରବିନ୍ଦଙ୍କର ଭକ୍ତ କିଏ ମୁଁ ଏପର୍ଯ୍ୟନ୍ତ ତାହା ଅଲଗା କରି ଭାବିନାହିଁ । ଜଣେ ଜଣେ ମଣିଷଙ୍କର ମୁହଁକୁ ଅନାଇଲେ, ପାଖରେ ବସିଲେ ଅତି ଆପଣାର ଅନେକ ଦିନର ପରି ଲାଗେ, ଅତ୍ୟନ୍ତ ସ୍ୱାଭାବିକ ଭାବରେ ମଣିଷ ସେଠି ବାନ୍ଧି ହୋଇଯାଏ । ଏମାନେ ହେଉଛନ୍ତି ପରସ୍ପରର ସୁହୃତ୍ । ସୁହୃତର ସୁହୃତ୍ ମଧ୍ୟ ସୁହୃତ୍ । ଆପଣ ଆଉ କେତେଜଣଙ୍କୁ ମଣି ଶିବିରକୁ ଆଣିବେ, ଏଥିରେ ଅନ୍ୟପ୍ରକାର ଭାବିବାର କ'ଣ ଅଛି ? ଆନନ୍ଦର ଏହିଭଳି ସଂକ୍ରମଣ ହେଉଥାଉ-

 

ଭୁବନେଶ୍ୱର,୧୪।୨।୯୨

 

...ଆପଣ ପୂର୍ଣ୍ଣାଙ୍ଗ ଶିକ୍ଷା ଆନ୍ଦୋଳନର ବନ୍ଧୁମାନଙ୍କ ସହିତ ନିଜ ଭିତରେ ଏତେ ସୁହୃଦୟତା ସହିତ କ୍ରମେ ଯୁକ୍ତ ହୋଇ ଆସୁଛନ୍ତି, ଅନୁଭବ କଲାବେଳକୁ ମୋତେ କେତେ ଆନନ୍ଦ ଲାଗୁଛି । ଆଗ ଏହି ସହୃଦୟତା ବଢ଼ୁ, sharing ବଢ଼ୁ,–ସେଥିରୁ ହୁଏତ କେତେ ଅସାଧ୍ୟ ସାଧ୍ୟ ହୋଇ ଆସିବ । ପଇସା ନଥିଲେ ମଧ୍ୟ ପାଖରେ ସଂସାରସାରା ଛିଡ଼ା ହୋଇ ରହିଛି ବୋଲି ଲାଗିବ। ଆମର ଭାବନା ଏବଂ ବ୍ୟାକୁଳତାଗୁଡ଼ିକୁ ନେଇ ଆପଣ ଆଉମାନଙ୍କ ଭିତରେ ସଂଚାରିତ କରି ଦେଉଛନ୍ତି, ତାହା ଅତୀବ ଶୁଭର ସଙ୍କେତ । ସେମାନେ ମଧ୍ୟ ଶିବିରକୁ ଆସନ୍ତୁ । ଆପଣ ଯେମିତି ଟାଣିହୋଇ ଆସିଛନ୍ତି, ଠିକ୍ ସେମିତି । ଦୂରତାଗୁଡ଼ିକୁ ଦୂର କରି ଆଗ କୁନି ଗୋଷ୍ଠୀଟିଏ ଅଗ୍ରସର ହୋଇଶିଖୁ ।

 

ଭୁବନେଶ୍ୱର,୧୬।୪।୯୨

 

....ବେଳେ ବେଳେ କେମିତି କେମିତି ରୁଷିବସିଲା ପରି ଭାବେ, ମୋ’ପାଖରେ । ଗୁଡ଼ାଏ ପଇସା ଥିଲେ ମୋ' ଲେଖା ବହିସବୁ କିଣି ପରିଚିତ ସମସ୍ତଙ୍କ ପାଖରେ ଖଣେ ଖଣେ ନେଇ ପହୁଞ୍ଚାଇ ଦିଅନ୍ତି । ତାହା ହୋଇ ପାରେନାହିଁ । ବହି ଲେଖିବାରୁ ଆୟ କରିବା ଏବେ ମଧ୍ୟ ଓଡ଼ିଶାରେ ସମ୍ଭବ ହୋଇନାହିଁ । ତେଣୁ ଭିତରର ଅଭିଳାଷ ସେହି ଭିତରେ ହିଁ ରହିଯାଏ । ପ୍ରକାଶକ ଯେ ସହାନୁଭୂତି ଦେଖାଇ ବହିଟିଏ ଛାପୁଛନ୍ତି, ସେଇଥିରେ ହିଁ ପ୍ରସନ୍ନତା ଅନୁଭବ କରିବାକୁ ହୁଏ । ସେଇ ଲକ୍ଷେ ଟଙ୍କା ପରି ଲାଗେ ।

 

ଭୁବନେଶ୍ୱର, ୪।୧୨।୯୨

 

ଉପରୁ ଏବେ ଦୟା, ପ୍ରଦର୍ଶନ କରାଯାଇ ତଳ ମଣିଷର ସୁଖବିଧାନ କରିବା ସକାଶେ କୋଟି କୋଟି ଟଙ୍କା ଖରଚ ହେଉଛି । ମଝିରେ ଥାଇ ଭଲ ଲୋକମାନେ ଏହି ଟଙ୍କାର କାରବାର କରୁଛନ୍ତି । ଏହାଦ୍ୱାରା କିଞ୍ଚିତ୍ ସମାଧାନ ହୁଏତ ହେବ, ମାତ୍ର ଦୁର୍ଗତ ମଣିଷର ଦୁର୍ଗତ ଅବସ୍ଥା ଯିବନାହିଁ । ବାହାରେ, ଭିତରେ ଦୁର୍ଗତି ଲାଗି ରହିଥିବ । ଅସଲ କାମ ହେଉଛି, ତଳେ, ମଣିଷମାନଙ୍କ ଭିତରେ ଏକ ଜାଗରଣ ସମ୍ଭବ କରିବା । ମଣିଷ ଯେ ଗୋଡ଼ିମାଟି ନୁହେଁ, ଘୁଷୁରି ନୁହେଁ, ଭାଗ୍ୟର କଷଣ ଭୋଗିବାକୁ ଯେ ସିଏ ସଂସାରକୁ ମୋଟେ ଆସିନାହିଁ, ଗୋଡ଼ିମାଟି ଓ ଘୁଷୁରିର ବ୍ୟବହାର ପାଉଥିବା ମଣିଷ ଭିତରେ ସେହି ବୋଧଟିକୁ ସୃଷ୍ଟି କରିବା ଓ ତା’ ସଙ୍ଗେ ସଙ୍ଗେ ସେମାନଙ୍କ ସହିତ ନିଜର ସମ୍ପର୍କରେ ସେମାନଙ୍କୁ ସମ୍ମାନ ଓ ସ୍ୱୀକୃତି ଦେବା । ଆମେ ଦଳେ ଏତିକି କରିବା । ମଣିଷକୁ ତା’ର ଅନ୍ତର୍ଗତତମ ଅସନ୍ତୋଷଟି ପାଖରେ ନେଇ ହାବୁଡ଼େଇ ଦେବା । ଏହା ଆଦୌ ସହଜ କାମ ନୁହେଁ । ତଥାପି ଆମେ ସେଇଟିକୁ ହିଁ କରିବା । ଲେଖା ମାଧ୍ୟମରେ କରିବା, ସମ୍ପର୍କ ମାଧ୍ୟମରେ କରିବା ଏବଂ ଆମ ନିଜ ଜୀବନକୁ ବଞ୍ଚିବାର ମାଧ୍ୟମରେ କରିବା ।

 

ଆପଣଙ୍କର ଲେଖା କୋଉଯାଏ ଗଲା ? ପ୍ରାଥମିକ ସ୍ତରରେ ପାଠ୍ୟପୁସ୍ତକଗୁଡ଼ିକ ବିଷୟରେ ଆପଣଙ୍କର ଅନୁସନ୍ଧାନ-କାର୍ଯ୍ୟ କେତେଦୂର ଗଲା ? ସତରେ କ'ଣ ଘରସଂସାରର ଜଳ ଆପଣଙ୍କୁ ଏତେ ମାଡ଼ି ବସିଛି ଯେ ଆପଣ ନିଜର ଅସଲ ଧର୍ମଟି ଲାଗି ସମୟ ପାଉନାହାନ୍ତି ? ଆମ ପିଲାଏ କ’ଣ ଆମ ଭିତରେ ରହିଥିବା ସୃଜନାତ୍ମକତା ନାମକ ଗୁଣଟିର କୌଣସି ପରିଚୟ ପାଇବେନାହିଁ ? ତେବେ, ସମ୍ଭବତଃ, ସେମାନଙ୍କର ଭିତରେ ରହିଥିବା ସୃଜନାତ୍ମକତାଟି କ୍ରମେ ପୋତି ହୋଇ ରହିଯିବ, ସେମାନେ ହୁଏତ ବଡ଼ ହୋଇ ଠିକ୍ ଆମରି ପରି ଜଞ୍ଜାଳ ହେବେ । ସୁଖରେ ରହିବେ, ମାତ୍ର ନିଜ ଭିତରେ ରହିଥିବା ନିଆଁଟି ପାଖରୁ କୌଣସି ବାର୍ତ୍ତା ପାଇ ପାରିବେନାହିଁ ।

 

ଭୁବନେଶ୍ୱର, ୧୪।୧।୯୩

 

...ପରିବାର ସମସ୍ତଙ୍କୁ ନେଇ । ପାରିବାରିକ ପୃଥିବୀଟି ପରିବାରସ୍ଥ ସମସ୍ତଙ୍କର ଅଗ୍ରଗତିର ସହାୟକ ହୋଇପାରିବା ଉଚିତ । ଆଗେ ନାରୀ ପୁରୁଷ ପାଇଁ ପରିଚାରିକା ହୋଇ ରହିଥିଲା । ନାରୀକୁ ଜନନୀର ସ୍ୱୀକୃତି ଦେଇ ମଧ୍ୟ ପୁରୁଷ ତଥାପି ତାକୁ ଜଣେ ମନୁଷ୍ୟର ସମ୍ମାନ ଦେଇ ପାରୁନଥିଲା । ତେଣୁ ପରିବାରରେ ଅସଲ ସହଯୋଗ ସମ୍ଭବ ହେଉନଥିଲା । ଏବେ ନୂଆ ଆହ୍ୱାନଗୁଡ଼ିକର ସମ୍ମୁଖରେ ସେହି ସ୍ଥିତି ବଦଳିଯିବା ଉଚିତ । ପରିବାରର କାର୍ଯ୍ୟ ସମସ୍ତଙ୍କର କାର୍ଯ୍ୟ-। ସମସ୍ତଙ୍କର ଏକ ବ୍ୟକ୍ତିଗତ ଜୀବନ ସେଠାରେ ଅବଶ୍ୟ ରହିବ । ତାହାହିଁ ଅସଲ ସଂସ୍କୃତି-। ତେଣୁ ପରିବାରର ଦୈନନ୍ଦିନ ନିର୍ବାହରେ ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କର ମଧ୍ୟ ଭାଗ ରହିବ । ରୋଷେଇ ଘର ଓଳାଇବା, ବଜାର କରିବା, ବାସନ ଧୋଇବା ଏବଂ ଅନ୍ୟ ଯାବତୀୟ କାର୍ଯ୍ୟରେ ସମସ୍ତେ ଅଂଶଗ୍ରହଣ କରିବେ । ତେବେ ଯାଇ ସମସ୍ତଙ୍କୁ ସମୟ ମିଳିବ । ପରିବାରର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ବ୍ୟକ୍ତି ହିସାବରେ ନିଜର ବିକାଶକୁ ଯେତିକି ମହତ୍ୱ ଦେଉଥିବେ, ସେତିକି ସେତିକି ପାରିବାରିକ କାର୍ଯ୍ୟଗୁଡ଼ିକର ଜଟିଳତା ମଧ୍ୟ କମି ଆସିବ ।

 

ଭୁବନେଶ୍ୱର, ୧୫।୧୨।୯୩

 

ଆପଣଙ୍କର ନୂଆ କର୍ମକ୍ଷେତ୍ର ଆପଣଙ୍କୁ ଭଲ ଲାଗୁଛି, ତାହାହିଁ ସବୁଠାରୁ ବଡ଼ କଥା । ଯଦି ଆମ ସମସ୍ତଙ୍କୁ ଆମମାନଙ୍କର କର୍ମକ୍ଷେତ୍ର ଏହିପରି ଭାବରେ ଭଲ ଲାଗୁଥାନ୍ତା, ତେବେ ଏଦେଶର ପିଲାମାନେ କେତେ ଅନ୍ୟ ପ୍ରକାରେ ବିକଶିତ ହୋଇ ପାରିଥାନ୍ତେ । ଆମ ମନ୍ଦିରଗୁଡ଼ାକ ପରି ଆମ ଶିକ୍ଷାମନ୍ଦିରକୁ ମଧ୍ୟ ଉପେକ୍ଷା ଓ ମଳିନତା ଗ୍ରାସ କଲାଣି । ସ୍କୁଲ କହିଲେ ମୁଁ ସବାଆଗ ସ୍କୁଲର ପିଲାଙ୍କୁ ବୁଝେ । ସେମାନଙ୍କୁ ଜଣେ ଜଣେ ବ୍ୟକ୍ତି ହିସାବରେ ଚିହ୍ନି, ସେମାନଙ୍କର ମିତ୍ର ହିସାବରେ ସେମାନଙ୍କୁ ପ୍ରତ୍ୟେକଙ୍କର ନିଜସ୍ୱ ଧାରାରେ ଅଗ୍ରସର କରାଇନେବା, ଜଣେ ଶିକ୍ଷକ ସେଇଥିରୁ ହିଁ ସର୍ବାଧିକ ଆନନ୍ଦ ପାଇବ । ଗୋଟାଏ ଶ୍ରେଣୀ କହିଲେ ମୁଁ ସବାଆଗ ଶ୍ରେଣୀର ପିଲାମାନଙ୍କୁ ବୁଝିଥାଏ । ଗୋଟାଏ ସମୂହ ହିସାବରେ ନୁହେଁ, ବିଚିତ୍ର ବ୍ୟକ୍ତିତ୍ଵ ସମ୍ପନ୍ନ ଜଣ ଜଣ ପ୍ରତ୍ୟେକଙ୍କୁ ବୁଝିଥାଏ ।

 

....ନିଜର ଲେଖା ମାଧ୍ୟମରେ ନିଜକୁ ଅଭିବ୍ୟକ୍ତ କରିହୁଏ । ଏବଂ, ନିଜକୁ ଅଭିବ୍ୟକ୍ତ କରିବା ଦ୍ଵାରା ହିଁ ନିଜକୁ ସବୁଠାରୁ ଅଧିକ ନିର୍ଭୁଲ ଭାବରେ ବୁଝିହୁଏ । ସେହି ଦୃଷ୍ଟିରୁ ଆମ ଲେଖାକୁ ଆମେ ଏକ ବ୍ରତ ବା ଆଧ୍ୟାତ୍ମିକ ଆବଶ୍ୟକତା ବୋଲି ମଧ୍ୟ ଗ୍ରହଣ କରିପାରିବା । ଅବଶ୍ୟ, ଏପରି କେତେକ ଲେଖକ ଅଛନ୍ତି, ଯେଉଁମାନେ ସଉକ ହେଲେ କିଛି ଲେଖନ୍ତି ।

☆☆☆

 

ଶ୍ରୀଯୁକ୍ତ ରାମନାରାୟଣ

 

(ସଂପୂର୍ଣ୍ଣ ନାମ E. ରାମନାରାୟଣ ପାତ୍ର । ଓଡ଼ିଶାର ଏକାଧିକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକ ଭାବରେ କ୍ରିୟାଶୀଳ ରହିଛନ୍ତି । ଦିଲ୍ଲୀ ଶ୍ରୀଅରବିନ୍ଦ ଆଶ୍ରମର ମୀରାମ୍ବିକାରେ ମଧ୍ୟ । ବର୍ତ୍ତମାନ ଅରୋଭିଲ୍ ବିଶ୍ୱନଗରୀର ବାସିନ୍ଦା ।)

 

Sde Boqer ଇସ୍ରାଏଲ, ୨୦।୧।୯୧

 

.....ପାଖରେ ପାଇଥିଲେ ତୁମକୁ କିଞ୍ଚତ୍ ଗାଳି ଦେଇଥାନ୍ତି । ତୁମେ ଶିକ୍ଷାକେନ୍ଦ୍ର ବିଷୟରେ ଏଥର ମୋଟେ କିଛି ଲେଖୁନାହଁ । କେବଳ ବା ପ୍ରଧାନ ନିଜ କଥା ହିଁ ଲେଖିଛ । ସେହି କଥାଗୁଡ଼ିକର ମହତ୍ତ୍ୱ ଅବଶ୍ୟ ବୁଝିଛି । ମାତ୍ର, ନିଜ କଥା କହୁ କହୁ ଯଦି ନିଜ ବ୍ୟତୀତ ଆଉ ଅନ୍ୟ କିଛି ଦେବା ପାସୋର ହୋଇଯାଏ, ତେବେ ତାହା ମୋଟେ ଭଲ ନୁହେଁ । ମଣିଷ ଯେତିକି ଯେତିକି ସତକୁ ସତ ନିଜ ଭିତରକୁ ଯିବ, ସେତିକି ସେତିକିସେ ଚତୁର୍ଦ୍ଦିଗକୁ ମଧ୍ୟ ପ୍ରସାରିତ ହୋଇଯାଉଥିବ । ସଂସାରରେ କାହାର ଏକାନ୍ତ ଭାବରେ ନିଜର ହୋଇଯିବାର ଏକ ଅଲଗା chemistry ରହିଛି । ତୁମେ ତୁମ ବିଷୟରେ ପଢ଼ିଥିବା chemistry ଠାରୁ ତାହା ଏକାବେଳକେ ଅଲଗା ପ୍ରକାରର, ଅଲଗା ଧର୍ମର । ତୁମେ ସେହି ଧର୍ମର ବାହୁ ଭିତରେ ଆପେ ଆପେ କେବେ ଧରା ଦେବ ? ଯଥାର୍ଥ ଶିକ୍ଷକ ହେବାକୁ ହେଲେ ଦିନେ ନା ଦିନେ ତୁମକୁ ମଧ୍ୟ ଏହି ପ୍ରକ୍ରିୟା ମଧ୍ୟରେ ଗତି କରିବାକୁ ହେବ ।

 

ଭୁବନେଶ୍ୱର, ୨।୪।୯୧

 

......ଏ ବର୍ଷର progress report ତୁମେମାନେ ଅଲଗା ପ୍ରକାରର କରୁଛି, ତାହା ଆନନ୍ଦର କଥା । ଆନ୍ତରିକତା ସହିତ ଯାହାକିଛି କରାଯାଏ, ତାହାଦ୍ଵାରା ଭଲ ଉଦ୍ଦେଶ୍ୟ ସାଧିତ ହୁଏ । ଆନ୍ତରିକତା ଗଭୀର ହେଲେ, ଏକ ଗୋଷ୍ଠୀ ହିସାବରେ ଆମର ଯଥାର୍ଥ ବଳ ବଢ଼ୁଥିଲେ ମଝିରେ ମଝିରେ ପୁରୁଣା pattern ଗୁଡ଼ାକରୁ ବି ମନ ଛାଡ଼ିଯାଏ । ତାହା ଆମ ସ୍ୱାସ୍ଥ୍ୟର ଲକ୍ଷଣ-। ତୁମ ସେଠା ଅଭିଭାବକ ସମ୍ମିଳନୀକୁ ମଧ୍ୟ ଏହିପରି ଏକ ଦୃଷ୍ଟିରୁ ବିଚାର କରାଯାଇପାରେ-। ନିରାଶ ହେବାର ଆଦୌ କୌଣସି କାରଣ ନାହିଁ ।

 

ଭୁବନେଶ୍ୱର,୧୭।୪।୯୧

 

ଯଦି ଅଷ୍ଟମ ଶ୍ରେଣୀରେ ଆମ ପିଲାମାନେ ହାଇସ୍କୁଲକୁ ହିଁ ଯିବେ, ତେବେ ସପ୍ତମ ଯାଏ ସେମାନଙ୍କ ଆଗରେ integral ବାଜା ବଜାଇ ବେଶୀ କିଛି ଲାଭ ନାହିଁ । ସବୁଠାରୁ ଭଲ ସମାଧାନ ହୋଇଥାନ୍ତା, ଯଦି ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ଲାଗି ଆମର ଆଞ୍ଚଳିକ ଶିକ୍ଷାକେନ୍ଦ୍ରମାନ ଥାଆନ୍ତା । ପ୍ରାୟ ଦଶବର୍ଷ ତଳେ ମୁଁ ଏକଥା ବାବାଜୀ ମହାରାଜ ଓ ପ୍ରପତ୍ତିଙ୍କୁ କହିଥିଲି । ମାତ୍ର, ସମସ୍ତେ ତ ନିଜ ରାଣୀଟିକୁ ସଜାଇବା ପାଇଁ ବ୍ୟଗ୍ର ହୋଇ ଉଠିଲେ । ଅପେକ୍ଷା କିଏ କରିଥାନ୍ତା ?

 

.......ପ୍ରଥମ standard ପିଲାଙ୍କ ପାଇଁ ସାମାଜିକ ପାଠର କୌଣସି ପାଠ୍ୟପୁସ୍ତକ ରହିବା ତୁମ ନିଜର ମତ ନୁହେଁ ବୋଲି ତୁମେ ଗତ ଚିଠିରେ ଲେଖିଥିଲ । ତଥାପି ତୁମେ ଇତିମଧ୍ୟରେ ବହି ତିଆରି କରି ସାରିଲଣି । ମୁଁ କଦାପି ପାରିନଥାନ୍ତି । Educationକୁ ଯେଉଁମାନେ ମୁଖ୍ୟତଃ ଏକ Engineering ବୋଲି ବିଚାରନ୍ତି, ସେମାନେ ସବୁ ପାରନ୍ତି । ଆମେ ଯଦି Engineeringରେ ବିଶ୍ୱାସ ରଖିଥିବା, ତେବେ ମୋ’ର କିଛି କହିବାର ନାହିଁ । ଏବଂ, ଏ ବହି ମୋତେ ଦେଖାଇବାର କୌଣସି ପ୍ରାସଙ୍ଗିକତା ରହିବ କିପରି ? ଆମ ପିଲାଏ ବହିରେ ଯଦି ଏହିପରି ପୋତି ହୋଇଯିବେ, ତେବେ ଆମେ ଭଲ ସ୍କୁଲ ପରି ଦିଶିବା ବୋଲି ତୁମେ ବି କଣ ଭାବୁଛ ? ପ୍ରଥମ ଶ୍ରେଣୀରୁ ହିଁ ବାପମାଆ ପିଲାଙ୍କ ବହି ଲାଗି କାହିଁକି ଏତେ ଖର୍ଚ୍ଚାନ୍ତ ହେବେ, ତାହାର କୌଣସି କାରଣ ନାହିଁ ।

 

ଭୁବନେଶ୍ୱର, ୪।୯।୯୧

 

....ପଣ୍ଡିଚେରୀରୁ ଫେରିଥିବା ବନ୍ଧୁମାନଙ୍କଠାରୁ ଶୁଣିଲି, ଏଥର ବାର୍ଷିକ ଶିକ୍ଷକ ବୈଠକ ସମ୍ବଲପୁରରେ ହେବ। କାର୍ଯ୍ୟକାରୀ କମିଟିଟିକୁ ଏକାବେଳକେ ନୂଆ କରି ଗଢ଼ିବା ଉଚିତ, ଯେପରିକି ସେଥିରେ କେବଳ ପ୍ରକୃତରେ ସକ୍ରିୟ ବ୍ୟକ୍ତିମାନେ ରହିବେ । ପୂର୍ଣ୍ଣାଙ୍ଗ ଶିକ୍ଷାକୁ ପ୍ରାୟ ଏକ ଅବସର-ସମୟ କାର୍ଯ୍ୟରେ ପରିଣତ କରିଥିବା ଲୋକେ ଯେତେ କମ୍ ରହନ୍ତି, ସେତେ ଭଲ । ମୁଁ ଏହି ବିଷୟରେ ବାବାଜୀ ମହାରାଜଙ୍କ ପାଖକୁ ଆଗ ଚିଠି ଲେଖିବି ଓ ତା’ପରେ ତୁମକୁ ଜଣାଇବି ।

 

ସାମାଜିକ ପାଠ ପାଣ୍ଡୁଲିପିଟି ଦେଖିଲି । ଶିକ୍ଷକଙ୍କର ସହାୟତା ସକାଶେ ଯେଉଁ ପାଠ୍ୟ-ପୁସ୍ତକଟି ସେଥିରେ ଯୋଡ଼ି ଦିଆଯାଇଛି, ଆମ ଶିକ୍ଷକବନ୍ଧୁମାନେ ଅନେକ ସ୍ଥଳରେ ସେଇଟିକୁ ନେଇ ଶ୍ରେଣୀରେ ପଢ଼ିଦେବେ ଏବଂ ତାହାକୁ ପିଲାଙ୍କୁ ଲେଖିନେବାକୁ କହିବେ । ତଦ୍ଦ୍ୱାରା ଗୋଲ୍ ହୋଇଯିବ । ମୋ’ର ମନ ମୋଟେ ମାନୁନାହିଁ । ତେଣୁ, ମୁଁ ସେ ଖାତାରେ ଗାରଟିଏ ନପକାଇ ସେହିପରି ଟ୍ରଷ୍ଟକୁ ଫେରାଇଦେବି । ଯେଉଁମାନେ ସାମାଜିକ ପାଠର ଅଧ୍ୟାପନାରେ ପ୍ରକୃତରେ ଆଗ୍ରହୀ, ସେମାନଙ୍କର କେବେ ୩ ଦିନିଆ ଶିବିରଟିଏ କଲେ ହୁଏତ ଉଚିତ ମାର୍ଗରେ ଅଧିକ ଉପକାର ମିଳିବ । ଏକଥା ଆମେ କଥା ହୋଇଥିଲେ । ସମ୍ବଲପୁର ବୈଠକରେ ତୁମେ ଏହି ପ୍ରସ୍ତାବ ଆଣିପାର ।

 

ବ୍ୟକ୍ତି ବ୍ୟତୀତ ମୁଁ ଅନୁଷ୍ଠାନର କଳ୍ପନା ହିଁ କରି ପାରେନାହିଁ । ଏହି ଦୃଷ୍ଟିରୁ ତୁମକୁ ମୁଁ ... ସ୍ଵତନ୍ତ୍ର ଭାବରେ ଦେଖେ । ଶୁଭେଚ୍ଛା ରଖିଥିବା ମନୁଷ୍ୟ ଅନେକ ଅଛନ୍ତି, ମାତ୍ର ତୁମ ବ୍ୟତୀତ ଆଉ କିଏ ସେଠି ସ୍କୁଲ ଲାଗି ସମର୍ପିତ ହୋଇରହିଛି, ତୁମେ କହିଲ ! ହଁ, କେତେଜଣ ଶିକ୍ଷକ ଅପାଭାଇ ଅଛନ୍ତି । ମାତ୍ର, ସେମାନଙ୍କର ନିଷ୍ଠା ଅଛି ସତ, ପ୍ରାୟ କୌଣସି ଅଭିବୃଦ୍ଧି ନାହିଁ, ତେଣୁ ଶକ୍ତି ନାହିଁ । ଏବଂ, ଆଗ୍ରହର ହାତଗୁଡ଼ାକ ସାତଆଡ଼କୁ ସାତବଙ୍କା ହୋଇ ରହିଛି ।

 

ଭୁବନେଶ୍ୱର, ୬।୩।୯୨

 

.....ଏମିତି ଆମେ ପରସ୍ପରଠାରୁ କିଛି ମାଡ଼ ଖାଉଥିବା ଓ ପରସ୍ପରର ନିକଟବର୍ତ୍ତୀ ହୋଇ ଆସୁଥିବା । ପରସ୍ପରର ନିକଟବର୍ତ୍ତୀ ହେବାର ଏହି ମାଧ୍ୟମରେ ହିଁ ମଣିଷ ଭଗବାନଙ୍କର ନିକଟବର୍ତ୍ତୀ ହୁଏ । ଅନ୍ତତଃ ସୁହୃତ୍‌ମାନେ ଏହି କଥାଟିକୁ ଯଥେଷ୍ଟ ଗୁରୁତ୍ୱ ଦେଇ ବିଚାର କରିବା ଉଚିତ ।

 

ତୁମେ ଯାହା ଥିଲ, ସେହି ଅବସ୍ଥାକୁ କଦାପି ଫେରି ପାରିବନାହିଁ । ଫେରିବାକୁ ମନ କରିବା ଏକ ପ୍ରକାରର ଭୟାଳୁତା, ତେଣୁ ଏକ ପ୍ରକାରର ଅସୁସ୍ଥତା । ଆମକୁ ଆଗକୁ ନେଇଯିବାକୁ ଅର୍ଥାତ୍ ପାହାଚ ଉଠାଇ ନେବାକୁ ହିଁ ସଂକଟମାନ ଆସେ, ଆମ ସୁଖଆସ୍ଥାନ ଗୁଡ଼ିକୁ ଦୋହଲାଇ ଦିଏ । ତଦ୍ଦ୍ୱାରା ଖୁବ୍ ମଙ୍ଗଳ ହୁଏ ଏବଂ ଗୋଟାଏ leap ଦେବାକୁ ବଳ ମଧ୍ୟ ମିଳେ । ତୁମେ ପଛକୁ leap ଦେବାକୁ କାହିଁକି ଇଚ୍ଛା କରୁଛ ?

 

ଭୁବନେଶ୍ୱର,୩୦।୩।୯୨

 

....ପିଲାଙ୍କ ସହିତ ଗୁନ୍ଥି ହୋଇ ରହିବା ବ୍ୟତୀତ ତୁମେ ଅନ୍ୟ କିଛି କାର୍ଯ୍ୟକ୍ରମ ବିଷୟରେ ମୋତେ ପଚାରି ଲେଖିଛ । ସୁହୃଦଗୋଷ୍ଠୀ ଭିତରେ ପଶିବାପରେ ସୁହୃତ୍‍ମାନଙ୍କ ବ୍ୟତୀତ ଅନ୍ୟ କାହାସହିତ କୌଣସି ଆଲୋଚନାକୁ ମନ ହେଉନାହିଁ । ସୁହୃତର ମୋଟାମୋଟି ଅର୍ଥ ହେଉଛି, ନିଜର ବିକାଶ ପାଇଁ ପୂର୍ଣ୍ଣ ଉଦ୍ୟମରେ ପ୍ରଚେଷ୍ଟା ଓ ପରସ୍ପରର ଅଗ୍ରଗତିରେ ସାହାଯ୍ୟ କରି ଅସଲ କାର୍ଯ୍ୟଟି ଲାଗି ଅଧିକରୁ ଅଧିକ ଯୋଗ୍ୟ ଭାବରେ ପ୍ରସ୍ତୁତ ହେବା । ତୁମର ସେଠା ଅପାଭାଇ ଅଥବା କର୍ମକର୍ତ୍ତାଙ୍କ ଭିତରେ ଯଦି ସେପରି କେହି ଥିବେ, ଯଦି ନିଜ ଜୀବନରେ ସତକୁ ସତ କୌଣସି ଅନୁରୂପ ନିଷ୍ପତି ଗ୍ରହଣ କରିଥିବେ, ତେବେ ବିଶେଷ ଭାବରେ କୌଣସି ଖାସ୍ କାର୍ଯ୍ୟକ୍ରମ ନରଖି ମଧ୍ୟ ଅନ୍ତରଙ୍ଗ କଥାବାର୍ତ୍ତା ହୋଇଯିବ । ତେଣୁ, ଗୋଟାଏ formality ର ବୃତ୍ତ ଭିତରେ ଆଲୋଚନା ଯେତେ ଯାହା କଲେ ମଧ୍ୟ ଆମେ ପରସ୍ପରଠାରୁ ଦୂରରେ ରହିଥିବା, ଦୂରରୁ ଥାଇ ପରସ୍ପରକୁ ପରୀକ୍ଷା କରିବାରେ ଲାଗିଥିବା । ତଦ୍ଦ୍ୱାରା କିଛି ଲାଭ ହୁଏନାହିଁ ।

 

ଘରୁ ଗୋଡ଼ ନକାଢ଼ିବା ପର୍ଯ୍ୟନ୍ତ ଭଗବାନଙ୍କ ଘରେ ସଚରାଚର ସ୍ଥାନଟିଏ । ଆବିଷ୍କାର କରି ହୁଏନାହିଁ । ପୁଣି, ଭଗବାନଙ୍କର ପରିପ୍ରେରଣା ଅନୁସାରେ ନିଜ ଘରଟିକୁ ଅନୁରୂପ କରି ରଖିବା, ସିଏ ତ ଆହୁରି କେତେ ପାଦ ଆଗର କଥା ।

 

ଭୁବନେଶ୍ୱର,୧୧।୫।୯୨

 

ଅନ୍ୟ କାହାରି ଉପରେ ଏତେ ନିର୍ଭରଶୀଳ ହେବା ଉଚିତ ନୁହେଁ । ଆମେ । ଯେଉଁଠାକୁ ଯିବା, ଆପଣାର ସର୍ବୋତ୍ତମକୁ ଦେବା, ଅର୍ଥାତ୍ ନିଜର ସର୍ବୋତ୍ତମକୁ ସବାଆଗରେ ଖୋଲି ରଖିବା-। ସେତିକି ଯଥେଷ୍ଟ । ତଦ୍ଦ୍ୱାରା ନିଜେ ମଧ୍ୟ ସର୍ବାଧିକ ଲାଭ ପାଇବା । ଆପଣାକୁ ଆଦୌ କୌଣସି କୃପଣତା ନକରି ଖୋଲି ଧରିଥିଲେ ପୃଥିବୀଯାକ ସମସ୍ତେ ସେମାନଙ୍କର ସର୍ବୋତ୍ତମକୁ ଆଣି ତୁମ କାନିରେ ଅଜାଡ଼ି ଦେବେ । ଭଗବାନଙ୍କର ପୃଥିବୀରେ ମଣିଷର ଆଉ ଅଧିକ କ’ଣ ଲୋଡ଼ା-?

 

......କେବଳ ଗୋଷ୍ଠୀ ଭିତରର ଲୋକଙ୍କ ପାଇଁ ନୁହେଁ, ଗୋଷ୍ଠୀ ବାହାରେ ରହିଥିବା ସମସ୍ତଙ୍କୁ ମଧ୍ୟ (ଆମେ) ସୁହୃତ୍ ପରି ଦେଖୁବା, ନିଜର ଖୁସୀ, କର୍ମଠତା, ଅକପଟତା ଓ ସ୍ୱୀକାରାତ୍ମକତା ବଳରେ ସମସ୍ତଙ୍କ ଭିତରକୁ ସଂକ୍ରମିତ ହୋଇଯିବା । ଏବଂ, ଆମ ଭିତରୁ ଯେଉଁମାନେ ଶିକ୍ଷାକେନ୍ଦ୍ରମାନଙ୍କରେ ରହିଛୁ, ସେମାନେ ପିଲାମାନଙ୍କୁ ପ୍ରଧାନତଃ ବ୍ୟକ୍ତିଗତ ଭୂମିରେ ଭେଟିବା, ଆମ ଭିତରର ଚମକକୁ ସେମାନଙ୍କର । ଚେତନାରେ ନେଇ ଲଗାଇବା, ସେମାନଙ୍କୁ ବନ୍ଧୁ କରିନେବା ଅର୍ଥାତ୍ ସ୍ଵେଚ୍ଛାରେ ସେମାନଙ୍କର ଦାସ ହୋଇଯିବା । ତେବେ, ଆମ ଶିକ୍ଷାକେନ୍ଦ୍ର ଗୁଡ଼ିକରୁ ଅନ୍ତତଃ କେତେ ବାହାରିବେ, ଯେଉଁମାନେ ଅନ୍ୟ ଆଖୁଟିଏ ଲାଭ କରିବେ, ସ୍ରୋତ ବିରୋଧରେ ତଥାପି ବାଟ ଚାଲିବାକୁ ଆବଶ୍ୟକ ବଳ ଅର୍ଜନ କରିବେ, ଅହଂଶୂନ୍ୟ ଭାବରେ ସମସ୍ତଙ୍କର, ଭଗବାନଙ୍କର ହୋଇ ପାରୁଥିବେ ।

 

ଭୁବନେଶ୍ୱର, ୧୪।୯।୯୨

 

....କୌଣସି ବିଷୟକୁ ବୁଝିବାର କ୍ଷେତ୍ରରେ ମଧ୍ୟ ହୃଦୟର ଏକ ଅନୁରୂପ ପ୍ରସ୍ତୁତି ଆବଶ୍ୟକ । ମୋ ନିଜ ସମସ୍ୟାର ମାଡ଼ରେ ଆହତ ହୋଇ ମୁଁ ଯଦି ସମାଧାନ ବା explanationଟିଏ ପାଇବାକୁ କୌଣସି ଗ୍ରନ୍ଥକୁ ପଢ଼ିବାକୁ ଯାଏ, ତେବେ ଗ୍ରନ୍ଥର ବିଷୟକୁ ସଂପୂର୍ଣ୍ଣ ଭାବରେ ଗ୍ରହଣ କରିବା ଅନେକ ସମୟରେ ସମ୍ଭବ ହୁଏନାହିଁ । ...ନିଜ ଭିତରର ନାନା ସନ୍ତାପକୁ ନେଇ ଆମେ କଦାପି ସତ୍ୟକୁ ସମଗ୍ରତା ସହିତ ବୁଝି ପାରିବାନାହିଁ । ଏବଂ, ସନ୍ତାପଗୁଡ଼ିକର ଔଷଧ ନିଜ ଭିତରୁ ପାଇବାକୁ ପଡ଼ିବ । ନିଜ ଭିତରେ ଫୁଲ ଫୁଟାଇବାର ଅଭୀପ୍ସା ପ୍ରବଳ ହେଲେ ଯାଇ ନିଜ ଭିତରର ଗଛଗୁଡ଼ିକ ମୁକ୍ତିଲାଭ କରିବେ ।

 

ନିଜକୁ ଅଧିକରୁ ଅଧିକ ଯୋଗ୍ୟକରିବା, ଜ୍ଞାନଦୀପ୍ତ ହେବା, ସ୍ନେହ ଦେଇ ସଂସାରକୁ ଦେଖିବା, –କେବଳ ଏହିଗୁଡ଼ିକ ଆମ ପଥର ପାଥେୟ ହୋଇ ପାରନ୍ତେ ନାହିଁ ? ତେବେ ସେଥିରୁ କେତେ ନା କେତେ ଶକ୍ତି ସମ୍ଭବ ହୁଅନ୍ତା ଓ ଆମଦ୍ଵାରା ପୃଥିବୀରେ ବହୁତ କିଛି କାମ ହୋଇପାରନ୍ତା । ମାତ୍ର, ନିଜ ଭିତରେ ଏକ ଯଥାର୍ଥ withdrawal ହୋଇ ନପାରୁଥିବା ପର୍ଯ୍ୟନ୍ତ ତାହା କିପରି ସମ୍ଭବ ହେବ ? ଆଗ ଭିତରେ ମୂଳଦୁଆଟିଏ ରହିଥିବା ଉଚିତ, ତେବେଯାଇ ପୃଥିବୀଯାକ ବୁଲିବାଦ୍ଵାରା ଆମେ ସର୍ବାଧିକ ଲାଭବାନ୍ ହୋଇପାରିବ ।

 

ଭୁବନେଶ୍ୱର, ୨।୨।୯୩

 

ଯଥାର୍ଥ ଆନନ୍ଦ ଅନୁଭବ କଲେ ମଧ୍ୟ ମଣିଷ ଚୁପ୍ ହୋଇଯାଏ । ଆମେ, ସୁହୃତ୍‍ମାନେ, ଆଉ କିଛି ଆଖିଦୃଶିଆ ନକରିପାରୁ ପଛକେ, ପରସ୍ପରକୁ ଏହିପରି ଭାବରେ ଅନ୍ତର ଭିତରୁ ଓ ଅନ୍ତର ଭିତରକୁ ଦେଖି ପାରିବାକୁ ସମର୍ଥ ହେବା । ଆମ ତରଫରୁ ଆମେ ଅନ୍ତତଃ ଏତିକି କରିବା । ତା’ପରେ ଆମମାନଙ୍କ ଦ୍ଵାରା ଭଗବାନଙ୍କର ଯାହା କରିବା କଥା, ତାହା ସେ ଅବଶ୍ୟ କରାଇନେବେ ।

 

ଭୁବନେଶ୍ୱର, ୧୭।୩।୯୫

 

.......ଲକ୍ଷ୍ୟ, ଅସଲ ଲକ୍ଷ୍ୟ ହେଉଛି ପୃଥିବୀର ପରିବର୍ତ୍ତନ । ଆମପାଇଁ ଏହି ପୃଥିବୀ ଯାବତୀୟ ଦୃଷ୍ଟିରୁ ସବାଆଗ ଭାରତବର୍ଷକୁ ବୁଝାଉଛି । ଏବଂ, ଆମେ ଦଳେ ଯେଉଁକ୍ଷେତ୍ରଟିକୁ ନିଜର ସମର୍ପଣ ତଥା ଉଦ୍ୟମର କ୍ଷେତ୍ରରୂପେ ଗ୍ରହଣ କରି ନେଇଛୁ, ସେହି ଶିକ୍ଷାର କ୍ଷେତ୍ରଟିକୁ ସବୁଠାରୁ ନିର୍ଦ୍ଦିଷ୍ଟ ଭାବରେ ବୁଝାଉଛି। ସେହି ଉଦ୍ୟମଟିକୁ ଅଧିକରୁ ଅଧିକ ଯଥୋପଯୁକ୍ତ କରି ରଖିବା ନିମିତ୍ତ ଆମର ସବୁ କିଛି ପ୍ରସ୍ତୁତି । ଜଣେ ବ୍ୟକ୍ତି ହିସାବରେ ନିଜର ଯାବତୀୟ ଉନ୍ମୀଳନ ଏବଂ ଅଗ୍ରଗତି, ଏସବୁ ସେହି ପ୍ରସ୍ତୁତିର ହିଁ ଏକ ଅଂଶ । ଚରମ ଲକ୍ଷ୍ୟ ପରିବର୍ତ୍ତନ । ଅର୍ଥାତ୍ Next Futureରେ ସହଯୋଗ । ଏକଥା ଖୁବ୍ ସତ୍ୟ ଯେ, ଆମେ ଯେଉଁଠାକୁ ଗଲେ ମଧ୍ୟ ଜଣେ ଜଣେ ବ୍ୟକ୍ତି ହିସାବରେ ଅଗ୍ରଗତି ଓ ଉନ୍ମୀଳନ ଲାଗି ଆମର ଉଦ୍ୟମ ଲାଗି ରହିଥିବ । ମାତ୍ର, ଆମେ ସତକୁ ସତ କାମରେ ଲାଗି ପାରୁଥିଲେ ଅଭିଳଷିତ ପରିବର୍ତ୍ତନ ସବୁ ଯେତେ ପରିମାଣରେ ନିକଟବର୍ତ୍ତୀ ହୋଇ ଆସନ୍ତା, ଆମକୁ ନାନା ବାଧା ଭିତରେ ଘାଣ୍ଟି ହେବାକୁ ପଡ଼ୁଥିଲେ ସେହି କଥାଟି ମଧ୍ୟ ବାଧାପ୍ରାପ୍ତ ହେଉଥିବ ।ଶିକ୍ଷାର ପ୍ରୟୋଗ ସକାଶେ ଗୋଟିଏ ଆସ୍ଥାନ ଦରକାର । ସେହି ଆସ୍ଥାନ ହେଉଛି ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ । ସେଗୁଡ଼ିକରେ ଗୋଟିଏ ଲେଖାଏଁ ସମ୍ମତ homogeneous group ରହିଲେ ଯାଇ ଶିକ୍ଷାକେନ୍ଦ୍ରଗୁଡ଼ିକ ଏକ ଯଥାର୍ଥ organic whole ସଦୃଶ ବଢ଼ିପାରିବ । ଆମର କୌଣସି ଶିକ୍ଷାକେନ୍ଦ୍ରରେ ସେପରି group ନାହିଁ । ଏବଂ, ଗୋଟିଏ । ଥାନରେ ୧୪ ବର୍ଷ ରହିବା ପରେ ମଧ୍ୟ ଜଣେ ଶିକ୍ଷକ ଯଦି ସେଇଟି ସତକୁ ସତ ତା'ର ଆସ୍ଥାନ ବୋଲି ନିଶ୍ଚିତ ହୋଇ ପାରୁନାହିଁ, ସେହି କ୍ଷେତ୍ରରେ ଆମଦ୍ୱାରା କେଉଁ ଭଗବାନଙ୍କର କି କାର୍ଯ୍ୟ ସାଧିତ ହେବ ? ନିଜ ଚାରିପାଖରେ ଗୋଟିଏ ଗୋଟିଏ ବାଡ଼ ବସାଇ ଆମେ କ୍ରମଶଃ ଗୋଟିଏ ଗୋଟିଏ ଦ୍ୱୀପରେ ପରିଣତ ହେଉଥିବା ଓ ତାହା ହିଁ ଭଗବାନଙ୍କର ଇଚ୍ଛା ବୋଲି ନିଜକୁ ସାନ୍ତ୍ୱନା ଦେବାରେ ଲାଗିଥିବା । This is a very poor thing to live for.

 

The Hour of Godରେ ବ୍ୟକ୍ତି ବା ଗୋଷ୍ଠୀ ଶୋଇ ରହିଥିବା ଓ ତେଣୁ challenge ଗୁଡ଼ିକ unresponded ହୋଇ ଫେରିଯିବା ବିଷୟରେ କଥାଟିଏ ଅଛି । ତୁମେ ବିଚାର କରିବ । ବନ୍ଧୁକୁ ସାନ୍ତ୍ୱନା ଦେବା ଅପେକ୍ଷା ବନ୍ଧୁର ଆଖିରେ ସଂସାରକୁ ଦେଖିବା, –ଏହାକୁ ତୁମେ ମଧ୍ୟ ଅଧିକ ବନ୍ଧୁଜନୋଚିତ କାର୍ଯ୍ୟ ବୋଲି ନିଶ୍ଚୟ କହିବ ।

 

ଭୁବନେଶ୍ୱର, ୩୦।୪।୯୫

 

....ମାତ୍ର, ଏଥର ଅସୁସ୍ଥତାରୁ ଗୋଟାଏ ଲାଭ ଅବଶ୍ୟ ହେଲା । ନିଜ ଶରୀରଟା କାହିଁକି କିପରି ଅବାଗକୁ ଚାଲି ଯାଇଥିଲା, ସେହି ବିଷୟରେ କିଛି ସୂତ୍ର ପାଇଗଲି । ଗତ ଚାରିଦିନ ହେଲା କେତେ ପରିବର୍ତ୍ତନ ଲକ୍ଷ୍ୟ କରି ପାରୁଛି । କ୍ରମେ ସାଙ୍ଗ ଛାଡ଼ି ଯାଇଥିବା ପରି ମନେ ହେଉଥିବା ଦେହଟା ପୁଣି ସାଙ୍ଗକୁ ଆସିଲାଣି ବୋଲି ପ୍ରତ୍ୟୟ ହେଉଛି ।

 

ତୁମ ଚିଠିର ଲିଖିତ ଉତ୍ତର ଦିଆ ହୋଇନାହିଁ । ମାତ୍ର ତୁମ ସହିତ ଦେଖା ହୋଇଯାଇଛି-। ଅନେକ ସମୟରେ ଦେଖା ହେବାଦ୍ୱାରା ମଧ୍ୟ ତଥାପି ଅନେକ କଥା କହି ହୋଇଯାଏ-। କେତେଜଣଙ୍କ ବେଳକୁ ଏହା ଅତ୍ୟନ୍ତ ଦୃଶ୍ୟମାନ୍ ଭାବରେ ହୋଇଥାଏ । ଯଦି ମୁଁ ତୁମ ଦୁହିଁଙ୍କ ଜାଗାରେ ଥାଆନ୍ତି ଓ ଏହିପରି ନିଜେ ବାଛି ଶିକ୍ଷକ ହୋଇଥାନ୍ତି, ତେବେ ମୁଁ ଏହିପରି ଭାବନ୍ତି: ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଆମ ପିଲା ଆମ ପାଖରେ ରହିବ, ଆମ ବିଦ୍ୟାଳୟରେ ପଢ଼ିବ-। ତାକୁ ଆମେ ନିଜର ସମସ୍ତ ସ୍ନେହ, ବିଦ୍ୟା ଓ ବିଶ୍ୱାସ ଦେଇ ମୂଳରୁ ମଜବୁତ କରାଇ ଆଣିବା-। ତା'ପରେ ସେ କୌଣସି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ହିଁ ୧୦ମ ଯାଏ ପଢ଼ିବାକୁ ଯିବ । ଅର୍ଥାତ୍, ହାଇସ୍କୁଲ ପରୀକ୍ଷାରେ ସେ ଖୁବ୍ ଭଲ କରିବ ଓ ଭଲ କଲେଜରେ ନାମ ଲେଖାଇବ । ତା'ନିଜ ଗୋଡ଼, ନିଜ ଅଣ୍ଟା ଏହିପରି ଭାବରେ ମଜବୁତ୍‍ ହୋଇଗଲେ ଆଗକୁ ଆଗକୁ ଯିବାଲାଗି ତା’ସକାଶେ ଅନେକ ବାଟ ଖୋଲିଯିବ । ...ଏବଂ, ହାତରେ ଲକ୍ଷେ ଟଙ୍କା ବାନ୍ଧିଥିଲେ ମଧ୍ୟ ତୁମେ ଯେ ପୁଅର ମୂଳଦୁଆଟିକୁ ବିଦ୍ୟାନୁକୂଳ କରିପାରିବ, ତାହାର ନିଶ୍ଚୟତା ବା କ'ଣ ଅଛି ?

 

ମଣିଷ ନିଜେ ଇଚ୍ଛା କଲେ ବୁଢ଼ା ହୁଏ । ସଂସାର ଭିତରୁ ବୁଢ଼ା ହେବାର ମନ୍ତ୍ର ତାକୁ ସହଜରେ ମିଳିଯାଏ । ମାତ୍ର, ସେ ତରୁଣ ହୋଇ ରହିବ ବୋଲି ଭଗବାନଙ୍କ ପାଖରେ ଜବାବ ଦେଇଥିଲେ ସେହି ସଂସାରରୁ ହିଁ ତାକୁ ତରୁଣ ରହିବାର (ମଧ୍ୟ) ଅବଶ୍ୟ ମିଳି ଯାଉଥାଏ ।

 

ଭୁବନେଶ୍ୱର, ୧୯।୧୦।୯୫

 

......ବୋଝ ଭଳି ନ ଲାଗିବା, ତାହାହିଁ ଖୁସୀ । ସେହି ଖୁସୀରେ ଆମର ଅଧିକରୁ ଅଧିକ ଦାୟିତ୍ୱ ନେବାକୁ ଓ ଅଧିକରୁ ଅଧିକ ସଂପୃକ୍ତ ହେବାକୁ ଇଚ୍ଛା ହୁଅନ୍ତା । ଏକାନ୍ତ ଆତ୍ମସଚେତନ ହେଲେ ମଣିଷ ଦାୟିତ୍ଵ ସଚେତନ ହୋଇପାରେ ନାହିଁ । ଏବଂ, ଆହୁରି ଅଧକ ମହତ୍ଵପୂର୍ଣ୍ଣ କଥା ହେଉଛି, ଆମେ ଯେତିକି ଆୟତ୍ତ କରିଛି, ତା'ଠାରୁ ଆଉ ଅଧିକ ରହିଛି ବୋଲି ଆମର ବନ୍ଧୁରୂପେ କେହି କହିଦେଲେ ସେଥିରେ ଆମେ ଦୁଃଖ ଆଦୌ ପାଆନ୍ତେ ନାହିଁ, ବରଂ ନିଜକୁ ଆହୁରି ସଂପ୍ରସାରିତ ଓ ସମଗ୍ର କରିବାର ସମ୍ଭାବନାଟି ଆମକୁ ମିଳିଲା ବୋଲି ଖୁସୀ ହିଁ ହୁଅନ୍ତେ ।

 

ଅଧ୍ୟକ୍ଷର କାର୍ଯ୍ୟ ଏକ group leadershipର କାମ । ଶିକ୍ଷକମାନେ ଅଛନ୍ତି, ତେଣୁ ଜଣେ ଅଧ୍ୟକ୍ଷ ଅଛନ୍ତି । ଅନେକ ମଣିଷ ଅଧ୍ୟକ୍ଷ କହିଲେ ପଲେ ଗାଈକୁ ଅଡ଼ାଇ ନେଉଥିବା cowherdକୁ ବୁଝନ୍ତି । ମାତ୍ର, ଶିକ୍ଷକମାନେ ଗାଈ ନୁହନ୍ତି । ସେମାନେ ବି ବିଦ୍ୟାଳୟର ଦାୟିତ୍ୱରେ ଜଣେ ଜଣେ ଅଂଶୀଦାର । ସେମାନଙ୍କୁ ଅଂଶୀଦାର ରୂପେ ପ୍ରସ୍ତୁତ କର, –ତେବେ ଅଧକ୍ଷ ହିସାବରେ ନିଜର କାମଟି (ମଧ୍ୟ) ସହଜ ହୋଇଯିବ । ଜଣେ ଅଧ୍ୟକ୍ଷ ଶିକ୍ଷକ ରୂପେ ନିଜର ଅଧିକ ସମ୍ପନ୍ନତାପୂର୍ଣ୍ଣ ପରିଚୟ ଦେଇପାରିଲେ ତାହା ତା'ର ଅଧକ୍ଷ ହିସାବରେ ଦାୟିତ୍ୱଟିକୁ ମଧ୍ୟ ପରିପୁଷ୍ଟ କରିବ ।

 

....ଯାବତୀୟ ଉଦାସୀନତା ପଛରେ ଏକ ଅସଂସଚେତନତା ରହିଥାଏ, ଯାହାକି ଆମକୁ ସର୍ବଦା କଷ୍ଟ ଦେବାରେ ଲାଗିଥାଏ ।

 

ଭୁବନେଶ୍ୱର, ୯।୧।୧୯୯୭

 

.....ହୀନମନ୍ୟତା ଗୋଟାଏ ପଥର ନୁହେଁ ଯେ ତାହା ଜଣେ ମଣିଷ ଉପରେ ଲଦି ହୋଇ ରହିଥାଏ । ଅନେକ ସମୟରେ ନିଜକୁ ଅଳପ ବୋଲି ମନେ କରିବାରୁ ଅଧିକ ବେଗରେ ଏବଂ ଅଧିକ ଉତ୍ସାହରେ ଆଗକୁ ନେଇ ସମସ୍ତଙ୍କର ସମକକ୍ଷ ହେବାଲାଗି (ବରଂ) ଶ୍ରଦ୍ଧା ମଧ୍ୟ ଆସିଥାଏ । ପୁଣି, ହୀନମନ୍ୟତା ପଛରେ ମଧ୍ୟ ଗୋଟିଏ ରହସ୍ୟ ରହିଥାଏ: ବାହାରେ ହୀନମନ୍ୟତାର ଆଚରଣ କରୁଥିବା ବ୍ୟକ୍ତିମାନେ ନିଜ ଭିତରେ କେଉଁଠି ନା କେଉଁଠି ଉଗ୍ରମନ୍ୟ ହୋଇ ରହିଥାଆନ୍ତି ଏବଂ, ଭିତରେ ନିଜକୁ ହୀନ ବୋଲି ଅନୁଭବ କରୁଥିବା ବ୍ୟକ୍ତିମାନେ ହିଁ ବାହାରେ ଆପଣାକୁ ଉଗ୍ରବୋଲି ଦେଖାଇ ହେବାକୁ ଭଲ ପାଆନ୍ତି । ଏଥର କ'ଣ କହିବ କହ ! ତେଣୁ, ଅସଲ ସମାଧାନ ହେଉଛି ବନ୍ଧୁଟିଏ ହୋଇଯିବା, –ନିଜ ସହିତ ଏବଂ ଅନ୍ୟ ସମସ୍ତଙ୍କ ସହିତ । ତେବେ ଯାଇ ଯେତେ ମାଡ଼ ଖାଇଲେ ମଧ୍ୟ ତଥାପି ହଟି ଯିବାନାହିଁ ।

 

ଶିକ୍ଷାକେନ୍ଦ୍ରକୁ ଯିଏ ଆସନ୍ତୁ ନା କାହିଁକି, ଅଧ୍ୟକ୍ଷ ତାଙ୍କୁ ମୂଳତଃ ଜଣେ ସହକର୍ମୀ ଓ ସାଙ୍ଗ ବୋଲି ଦେଖିବେ । ନିଃସଙ୍କୋଚରେ ତାଙ୍କ ପାଖକୁ ଯାଇ ପାରୁଥିବେ ଓ ତାଙ୍କୁ ତାଙ୍କ ଧାରାରେ ଅଧିକ ନିପୁଣ ଭାବରେ ଯୋଗ୍ୟ ହେବାକୁ ସାହାଯ୍ୟ କରୁଥିବେ । ଅମୁକ ତାଙ୍କର ଝିଅ ବା ପୁଅ ବୋଲି ଆଗ ଭାବୁଥିବା ପର୍ଯ୍ୟନ୍ତ ମଝିରେ ପାଚେରୀ ରହି ଯାଉଥିବ । ଆମ ଭିତରର ବନ୍ଧୁତ୍ଵଲାଳସୀ ଭଗବାନଟି ଭାରି ଶଙ୍କା ଭିତରେ ପଡ଼ି ଲୁଚି ରହୁଥିବେ । ଅଧ୍ୟକ୍ଷ ତା'ର ସହକର୍ମୀମାନଙ୍କ ପାଖରେ ବିଶ୍ୱସ୍ତ ହେବ । ସେମାନେ ସର୍ବଦା ସାଙ୍ଗରେ ରହିବେ । ତେବେଯାଇ ଶିକ୍ଷାକେନ୍ଦ୍ରଟିଏ ସୁସ୍ଥ ଭାବରେ ଚାଲିପାରିବ । ତୁମେ ଚିନ୍ତା କରିବ । ଯେତେବେଳେ ହୃଦୟ ମଧ୍ୟ ଆମ ଭାବିବାରେ ସହଯୋଗ କରିବ, ସେତେବେଳେ ଆମର ସକଳ ଭାବନା ଅନ୍ୟମାନଙ୍କୁ ମଧ୍ୟ ଗ୍ରହଣଶୀଳ କରାଇ ଆଣୁଥିବ ।

☆☆☆

 

ଶ୍ରୀଯୁକ୍ତ ଲମ୍ବୋଦର ଦେ

 

(ଉତ୍ତର-ପୂର୍ବ ଓଡ଼ିଶାର ସୀମାଞ୍ଚଳ ଭୋଗରାଇ ଇଲାକାରେ ଲମ୍ବୋଦର ଭାଇଙ୍କ ଗାଆଁ ଖରିଦଚକ । ଗତ ପଚିଶି ବର୍ଷର ଏକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ସେଠାରେ ଏକ ସାହସ ଗୋଷ୍ଠୀ କ୍ରିୟାଶୀଳ କରି ରଖିଛନ୍ତି । ସଂଘର୍ଷ ଚାଲିଛି, ତଥାପି ଶକ୍ତି ମଧ୍ୟ ବଢ଼ୁଛି ।)

 

କଟକ,୧୪।୬।୭୮

 

.....ଭୋଗରାଇଠାରୁ ଯେଉଁ ୧୨।୧୩ ମାଇଲ ବାଟ କଥା ଲେଖିଛନ୍ତି, ପାଗ ଭଲ ଥିଲେ ଓ ରାସ୍ତା ଗମ୍ୟ ରହିଥିଲେ ଆମେ ସାଇକେଲରେ ଯିବା ନଚେତ ପାଦରେ ଚାଲି ଚାଲି ଯିବା-। ଚାଲିକରି ଗଲେ ଅଧିକ ଦେଖି ହେବ, ଅଧିକ ସମ୍ପର୍କ ସ୍ଥାପନ କରି ହେବ । ବୁଲିବାର ଅର୍ଥ ହେଲା ତ ବନ୍ଧୁ ବାନ୍ଧିବା । ତେଣୁ ଆଉ ଅନ୍ୟ କଥା ଲାଗି ଚେଷ୍ଟା କରିବେ ନାହିଁ ।

 

ସ୍କୁଲର ଟଙ୍କା ଅଛି, ତଥାପି କାମ ଆଗେଇ ପାରୁନାହିଁ । ଏଥିଲାଗି ବ୍ୟସ୍ତ ହେବେନାହିଁ । ଆମର ନିଷ୍ଠା ଓ ଉତ୍ସାହ ବଢ଼ି ଏପରି ଏକ ବଳ ଆସିବ, ଯେତେବେଳେ କି ମୂଲିଆ ନମିଳିଲେ ଆମେ ନିଜେ ନିଜେ ମାଟି ଖୋଳି ଘର ତିଆରି କରିବାକୁ ତିଆରି ହୋଇଯିବା । ଏସବୁ ସହରରେ ସିନା ହୋଇ ପାରିବନାହିଁ, ଗାଆଁରେ ଅବଶ୍ୟ ହୋଇପାରିବ ।

 

ଯେକୌଣସି କାର୍ଯ୍ୟରେ ବିଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ମତ ଫରକ ହୋଇପାରେ, କିନ୍ତୁ ଭୁଲ ବୁଝାମଣା କାହିଁକି ହେବ ? ତେଣୁ ଉପାୟ ହେଉଛି, ବିଭିନ୍ନ ମତକୁ ଏକାଠି ବସି ଆଲୋଚନା କରାଯିବ । ତା'ପରେ ସବୁଆଡ଼ୁ ବିଚାର କରି ଏକ ନିଷ୍ପରି ଗ୍ରହଣ କରାଯିବ । ଏବଂ ସେହି ନିଷ୍ପତ୍ତି ଅନୁସାରେ ସମସ୍ତେ କାର୍ଯ୍ୟ କରିବେ ।

 

କଟକ, ୧୮।୯।୭୮

 

ସ୍କୁଲ ବିଷୟରେ ତ କେତେ ନା କେତେ କହିବାର ଅଛି । ମାତ୍ର ଅନେକ ସମୟରେ ମଣିଷ କଥାଟିକୁ ଭୁଲ ବୁଝେ, ଏବଂ ତା’ପରେ ଯେତେ ଯାହା କହିଲେ ମଧ୍ୟ ତାହାର କିଛି ଫଳ ହୁଏନାହିଁ । ମୁଁ ଯାହା ଯେତେବେଳେ କହେ, ସେତେବେଳେ ମୁଁ ପ୍ରକୃତରେ ଭାବୁଥିବା ଅର୍ଥାତ୍ ମୋତେ ଦେଖା ଯାଉଥିବା କଥାଗୁଡ଼ାକ କହେ । ବନାଇ ଚୂନାଇ ଭଲ ଶୁଣାଯିବା ଭଳି ଚେଷ୍ଟା କରି କିଛି କହେନାହିଁ । ଗୋଟିଏ ସ୍କୁଲ କରିବା । ଏକ ସାରା ସମୟ ଦେଇ କଲାଭଳି କାମ । ଅନ୍ତତଃ ଜଣେ ମଣିଷ ସେଥିଲାଗି ତିଆରି । ହୋଇ ବାହାରି ପାରିବା ଉଚିତ । ସ୍କୁଲର କେତୋଟି ନିର୍ଦ୍ଦିଷ୍ଟ ସମସ୍ୟା କଥା ମୋତେ ଏଥର ଲେଖୁଲେ ସେ ବିଷୟରେ ମୁଁ କିଛି କହିପାରିବି । କିନ୍ତୁ ମୋତେ ଭୁଲ ବୁଝିବା ଉଚିତ ନୁହେଁ କିମ୍ବା ମୋ’ କଥାକୁ ବେଦବାକ୍ୟ ପରି ମାନିନେବା ବି ଉଚିତ ନୁହେଁ । ମୁଁ କେବଳ ମୋ’ ମତ ହିଁ କହିବି ।

 

କଟକ, ୨୮।୧୧।୭୮

 

.....ସର୍ବପ୍ରଥମ କଥା ହେଉଛି, ଆମେ ନିଜେ ବି ପଢ଼ିବା, ନିଜେ ବି ଆଗକୁ ଯିବାରେ ଲାଗିଥିବା । ନିଜର ଅଭିବୃଦ୍ଧି ହେଉଥିଲେ ଯାଇ ଆମେ ଅନ୍ୟର ଅଭିବୃଦ୍ଧିରେ ସାହାଯ୍ୟ କରି ପାରିବା । ପ୍ରତ୍ୟେକ ମାସରେ ଅନ୍ତତଃ ଖଣ୍ଡେ ଭଲ ହିନ୍ଦୀ ବହି ଆପଣ ପଢ଼ିବେ, ମୋର ଅନୁରୋଧ ଆପଣ ଏହିପରି ଏକ ବ୍ରତ ଗ୍ରହଣ କରି ନିଅନ୍ତୁ । ମାସକୁ ମାସ ଶ୍ରୀଅରବିନ୍ଦ ଓ ମାଆଙ୍କର କିଛି ନୂତନ ବହି ମଧ୍ୟ ଆମର ପଢ଼ିବା ଉଚିତ । ଏବଂ, ନିଜର ଇଂରାଜୀ ଜ୍ଞାନ ମଧ୍ୟ ବହୁଥିବା ଉଚିତ । ମାଆ ଓ ଶ୍ରୀଅରବିନ୍ଦଙ୍କର ଲେଖାକୁ ମୂଳ ଇଂରାଜୀ ଭାଷାରେ ପଢ଼ିବାକୁ ସମର୍ଥ ହେବା, ଏହା ପ୍ରକୃତରେ କେତେ ବଡ଼ ଭାଗ୍ୟର କଥା ନହେବ !

 

ଦ୍ୱିତୀୟ କଥା ପାଠଚକ୍ର । ସ୍କୁଲକୁ କେନ୍ଦ୍ର କରି ଅଭିଭାବକମାନଙ୍କୁ ସାଙ୍ଗରେ ନେଇ ଏକ ବଳିଷ୍ଠ ପାଠଚକ୍ର ଗଢ଼ିଉଠୁ। ଦେଖିବେ, ଆମ ସମସ୍ତଙ୍କର ଆଖିକୁ ତାହା କେତେ ପରିଷ୍କାର କରିଦେବ, ପରସ୍ପରକୁ ନିକଟ କରି ଆଣିବ ।

 

ସ୍କୁଲ ବିଷୟରେ ଚିନ୍ତା କରିବେ ନାହିଁ । ଯାହା ପଦ୍ଧତି ଗ୍ରହଣ କରିଛନ୍ତି, ବର୍ତ୍ତମାନ ପାଇଁ ତାହା ହିଁ ପ୍ରଶସ୍ତ । କିନ୍ତୁ ଏଣେ ପିଲାଙ୍କୁ ନିଜର କରିନେବେ, ଅଭିଭାବକମାନଙ୍କ ପାଖରେ ଆପଣାର ଲୋକ ହୋଇ ରହିବେ । ପିଲାଏ ଖେଳିବେ, ପାଠ ପଢ଼ିବେ, ଗୀତ ଗାଇବେ, ଛବି ଆଙ୍କିବେ । ପାଠକୁ ମଧ୍ୟ ଖେଳ ପରି ସହଜ ମଣିବେ । ଏବଂ ତା’ ସହିତ ସ୍ୱାଧ୍ୟାୟ ଚାଲିବ । ଆମେ ପ୍ରତିଦିନ ମାଆଙ୍କର ଅଧିକରୁ ଅଧିକ ନିକଟ ହୋଇ ଆସୁଥିବା ପରି ଅନୁଭବ କରୁଥିବା ।

 

କଟକ, ୩୦।୧।୭୯

 

—ପୂର୍ଣ୍ଣ ସମୟ ଦେଇ ସ୍କୁଲରେ ପାଠ ପଢ଼ାଉଛନ୍ତି, ଜାଣି ବଡ଼ ଆନନ୍ଦ ଲାଗିଲା ।ତାହାହିଁ ସର୍ବୋତ୍ତମ ବ୍ୟବସ୍ଥା । ଯେଉଁମାନେ ଆଗ୍ରହ କରି ନୂଆ ସ୍କୁଲଟିଏ ଆରମ୍ଭ କରୁଛନ୍ତି,ସେମାନେ ସମସ୍ତଙ୍କ ଆଗରୁ ହିଁ ଆପେ ଶିକ୍ଷକ ହେବାକୁ ବାହାରି ଆସିଲେ ଆମର ଅନେକ ସମସ୍ୟାର ସମାଧାନ ହୋଇଯାଇ ପାରନ୍ତା ଯଦି ଏହି ଦିଗରେ ଅଗ୍ରଣୀ ହୋଇ ପାରନ୍ତି, ଜଣେ ଶିକ୍ଷକ ରହି ତାହାକୁ ହିଁ ଆପଣାର ସାଧନା ରୂପେ ଗ୍ରହ କରିନେଇ ପାରନ୍ତି, ତେବେ ତଦ୍ଦ୍ୱାରା ସଂପୃକ୍ତ ସମସ୍ତେ ଉପକୃତ ହେବେ । ନିଜେ ନିଜର ଜମିକୁ ଚାଷ କରିବା ଓ ଆଇ କାହାଦ୍ଵାରା ଜମିର ଚାଷ କରାଇବା ଓ ନିଜେ କେବଳ ସୁପରଭାଇଜର୍ ହୋଇ ରହିବା, ଦୁଇଟି ମଧ୍ୟରେ ଆକାଶ ପାତାଳ ଫରକ ରହିଛି ।

 

କଟକ, ୧୬।୫।୭୯

 

...ଚିତ୍ତଭାଇ ଆଗରୁ ଯାହା ଥିଲେ, ବର୍ତ୍ତମାନ ଠିକ୍ ସେହିପରି ଅଛନ୍ତି । ତାଙ୍କୁ ଆପଣ ଭୁଲ ବୁଝିବେନାହିଁ । ତାଙ୍କ ପାଖରେ ଭଦ୍ରତା ଦେଖାଇବେ ନାହିଁ । ତାଙ୍କୁ ଯାହା କହିବାର କଥା ତାକୁ ମୁହଁରେ କହିବେ । ଗାଳି ଦେବାର ହେଲେ ତାଙ୍କ ମୁହଁ ଉପରେ ଗାଳି ଦେବେ । ତେବେ ମୋତେ ଅତି ନିକଟରେ ପାଇପାରିବେ ।

 

କଟକ,୨୨।୧୦।୭୯

 

ଯୋଉମାନେ ଆମ କାର୍ଯ୍ୟରେ ଆମ ସହିତ ଆସି ଜୁଟିଛନ୍ତି, ଆମେ ସେମାନଙ୍କୁ କେବଳ ବେତନଭୋଗୀ ବୋଲି କଦାପି ଭାବିବାନାହିଁ । ଆମେ ତାଙ୍କୁ ଆମ ସାଙ୍ଗରେ ନେଇଯିବା । ସେମାନଙ୍କର ଅଭିବୃଦ୍ଧି ପାଇଁ ଆମେ ବି ଚେଷ୍ଟା କରିବା । ସେମାନଙ୍କର ଆବଶ୍ୟକତା ବି ଆମର ଆବଶ୍ୟକତା ପରି ଅନୁଭୂତ ହେବ । ଆମ ବିଦ୍ୟାଳୟର ଶିକ୍ଷକମାନଙ୍କ ପ୍ରତି ଆମର ଏହି ଦୃଷ୍ଟି ରହିବ । ତାଙ୍କରି ଭିତରୁ ହିଁ ଆମର ସହକର୍ମୀମାନେ ତିଆରି ହେବେ । ସେଇଥିପାଇଁ ପାଠଚକ୍ର ଦରକାର । ଆମେ ଯେ ଗୋଟିଏ ଡାକ ଶୁଣି ଆସିଛୁ, ଏକାଠି କାର୍ଯ୍ୟ କରୁଛୁ ଓ ସେହି କାର୍ଯ୍ୟଲାଗି ଏକାଠି ତିଆରି ହେଉଛୁ, ସେହି ଉପଲବ୍ଧି ଲାଗି ପାଠଚକ୍ର ଦରକାର ।

 

କଟକ, ୩୦।୧୦।୭୯

 

.....ଶିକ୍ଷକମଣ୍ଡଳୀ, ବକ୍ରୟକେନ୍ଦ୍ରରେ ରହୁଥିବା ଭାଇ ଓ ଆପଣମାନେ ଅନ୍ୟାନ୍ୟ ସମସ୍ତେ ଯେଉଁଦିନ ଏକତ୍ର ପାଠଚକ୍ରରେ ବସିବେ ଓ ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା ହୋଇଥିବା ପରି ଆଲୋଚନାମାନ ହେବ, ସେଦିନ ବାଧା ଆସିଲେ ବି ସେଗୁଡ଼ିକ ଆଉ ବାଧା ପରି ଲାଗିବନାହିଁ ।

 

କଟକ,୪।୩।୮୦

 

....ଆମକୁ ଅଧିକ ସକ୍ରିୟ, କର୍ମଠ ଏବଂ ଶ୍ରଦ୍ଧାଯୁକ୍ତ କରାଇବା ଲାଗି ଶିକ୍ଷାର କ୍ଷେତ୍ରରେ ହୁଏତ କେବଳ ଗୋଟିଏ ବାଟ ରହିଛି: ସେହି ବାଟ ହେଉଛି ଆମେ ଅନ୍ୟମାନଙ୍କୁ କିଛି ବୋଲ ବତାଇବା ଆଗରୁ ନିଜେ କର୍ମଠ, ସକ୍ରିୟ ଓ ଶ୍ରଦ୍ଧାଯୁକ୍ତ ହୋଇ ରହିବା । ତା'ପରେ ସାଙ୍ଗରେ ଅନ୍ୟମାନେ ବଳେ ଆସି ମିଶିବେ ଆମର ନୂତନ ସ୍କୁଲ ଆମ ସମସ୍ତଙ୍କୁ ଅଧିକ ଯୋଗ୍ୟ ଓ ଅଧିକ ଶକ୍ତିମାନ ହେବାରେ ସାହାଯ୍ୟ କରିବ, ସେଇଥିଲାଗି ତ ଏହି ସ୍କୁଲଟିକୁ ଆମେ ଆରମ୍ଭ କରିଛେଁ ।

 

ଅସଲ ଶକ୍ତି ନିଜ ଭିତରେ ରହିଛି । ତାହାରି ଉଦ୍‌ବୋଧନ କରାଇବାକୁ ପଡ଼ିବ । ବାହାରୁ ତଥାକଥିତ ବଡ଼ମାନେ ଗଲେ ଯାଇ ଯେ ସବୁ ସହଜ ଓ ସମ୍ଭବ ହୋଇଯିବ, ଏକଥା ଭୁଲ-। ସେହି ବିଚାର ଓ ଧାରଣା ଆମକୁ ଅଧିକ ଦୁର୍ବଳ ହେବାରେ ସାହାଯ୍ୟ ହିଁ କରିବ ।

 

କଟକ, ୧୯।୫।୮୦

 

......ଆମେ ସମସ୍ତେ ଯିଏ ଯେଉଁଠି ଅଛେଁ, ସେମାନେ ସମସ୍ତେ ଜଣକର କାମ କରୁଛେ-। ତେଣୁ ଆମ ଭିତରେ ଆଦୌ କୌଣସି ପ୍ରତିଦ୍ୱନ୍ଦିତା ହେବା ଉଚିତ ନୁହେଁ । ବରଂ, ଆପଣାକୁ ସେହି କାର୍ଯ୍ୟ ଲାଗି ଅଧିକ ଯୋଗ୍ୟ କରିବାର ଅନ୍ତର୍ଗତ ଆନ୍ତରିକ ପ୍ରଚେଷ୍ଟା ହିଁ ସର୍ବଦା ଲାଗି ରହିଥିବା ଉଚିତ ।

 

କଟକ, ୮।୯।୮୦

 

......ଶିକ୍ଷକମାନେ ଆମରିଠାରୁ ହିଁ ପ୍ରେରଣା ପାଇବେ । ତେଣୁ, ସେମାନେ ଯଥାର୍ଥ ଭାବରେ ସେମାନଙ୍କର କାମ କଲେ ନାହିଁ ବୋଲି ଯଦି ଆମର ଉତ୍ସାହ ଓ ଶକ୍ତି ପରାସ୍ତ ହୋଇଗଲା ପରି ମନେ ହୁଏ, ତେବେ ତାହାକୁ ଆମର ଦୁର୍ଭାଗ୍ୟ ବୋଲି କହିବାକୁ ହେବ ।

 

କଟକ, ୨୦।୬।୮୧

 

......ସଂପୃକ୍ତ ସମସ୍ତେ ଆଲୋଚନାରେ ବସିଲେ ଯାଇ ସେଥିରୁ ଏକ ଉଚିତ ସମାଧାନ ବାହାରି ପାରିବ । ତା ନହେବା ପର୍ଯ୍ୟନ୍ତ ସେଥିରେ ରାଜନୀତି ରହିଥିବ ଏବଂ ରାଜନୀତିକ ସମାଧାନ କୌଣସି ହୃଦୟକୁ ଅଧିକ ନିର୍ମଳ ହବାରେ ମୋଟେ ସାହାଯ୍ୟ କରିବ ନାହିଁ ।

 

କଟକ, ୨୬।୮।୮୧

 

.....ସେଦିନ ଟଙ୍କା ମିଳିଥିବ ବୋଲି ଆଶା କରୁଛି । ତୁମେମାନେ ସମସ୍ତେ ଏକାଠି ବସିବ ଓ ତାହାକୁ କିପରି ଖରଚ କରିବ, ତାହାର ବିଚାର କରିବ । ସ୍କୁଲ ପାଇଁ ଆସିଥିବା ଅର୍ଥ ଗଚ୍ଛିତ ହୋଇ ପ୍ରଧାନତଃ ସ୍କୁଲ ପାଇଁ ଖର୍ଚ୍ଚ ହେବା ଉଚିତ । ପ୍ରତ୍ୟେକ ମାସରେ ଅନ୍ତତଃ ନିୟମିତ ଭାବରେ ସର୍ବନିମ୍ନ ଏକ ନିର୍ଦ୍ଦିଷ୍ଟ ପରିମାଣର ବେତନ ଦିଆଯାଇ ପାରିବା ଉଚିତ । ଗୃହ ପ୍ରଭୃତି ତିଆରି କରିବା ତ ସେହି ସ୍କୁଲ ପାଇଁ । ତେଣୁ,-ସ୍କୁଲଟି ମୂଳରୁ ହିଁ ଯଥାସମ୍ଭବ ଅଧିକ ମଜବୁତ୍‍ ଭାବରେ ତିଆରି ହେବା ଉଚିତ ଓ ପୀଠର ସକଳ ସାଧନା ଏବଂ ଉଦ୍ୟମ ବିଦ୍ୟାଳୟକୁ ପ୍ରଧାନ କେନ୍ଦ୍ର କରି ହେବା ଉଚିତ । ସମସ୍ତେ ଏକାଠି ବସି ଖୋଲାଖୋଲି ଆଲୋଚନା କଲେ ଉଚିତ ବାଟଗୁଡ଼ିକ ବଳେ ବଳେ ଦିଶିଯିବ ।

 

ଅକ୍ଟୋବରରେ ଭୁବନେଶ୍ୱରଠାରେ ଯେଉଁ ସମ୍ମିଳନୀ ହେବ, ତାହାର ଅଧିକାଂଶ ଆଲୋଚନା ଇଂରାଜୀରେ ହେବ । ଅବଶ୍ୟ ମୋ’ର ଇଚ୍ଛା ଯେ, ଓଡ଼ିଶାର ଭାଇଭଉଣୀଙ୍କ ଭିତରୁ ଯିଏ ଯେତେବେଳେ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଇଚ୍ଛା କରିବେ, ତାହାକୁ ସେ ଓଡ଼ିଆରେ କହିବେ । ଅନ୍ୟମାନଙ୍କର ସୁବିଧା ଲାଗି ତାହାକୁ ଇଂରାଜୀରେ ଅନୁବାଦ କରି ଦିଆଯିବ-। ଓଡ଼ିଶାର ସ୍କୁଲମାନଙ୍କରେ ଯେଉଁ ବିଶେଷ ସମସ୍ୟାମାନ ରହିଛି, ଅଖିଳ ଭାରତ ସ୍ତରରେ ସେଗୁଡ଼ିକୁ ସମସ୍ତଙ୍କର ଜାଣିବା ଉଚିତ । ମୁଁ ସେଦିନ ଯେପରି କହିଥିଲି, ସେହିପରି ଏକ ମିଳିତ ବ୍ୟବସ୍ଥା କରି ତୁମେମାନେ ସମସ୍ତେ ଆସିବ ଓ ବିଦ୍ୟାଳୟର ପରିଚାଳନା କମିଟି ତା’ଲାଗି ଏକ ସମ୍ଭାବ୍ୟ ବାଟ ବାହାର କରିବ ।

 

ଭୁବନେଶ୍ୱର, ୧୦।୪।୯୧

 

....ଆମର ଆସ୍ପୃହା ଏବଂ ଉଦ୍ୟମରେ କେଉଁଠି କ'ଣ ଅସୁବିଧା ରହିଛି, ଯାହାଫଳରେ ବାରବାର ଆମକୁ ଏସବୁ ଉପଦ୍ରବ ସହିବାକୁ ପଡ଼ୁଛି ? ଆମେ ସମ୍ଭବତଃ ଏପର୍ଯ୍ୟନ୍ତ ମଧ୍ୟ ଆମ ଅନ୍ତର ଭିତରେ ଭଗବାନଙ୍କ ଲାଗି ଯୋଗ୍ୟ ଆସ୍ଥାନଟିଏ ସ୍ଥାପନ କରି ପାରିନାହୁଁ । ଏହି ବିଷୟରେ ସ୍ଥିର ହୋଇ ବିଚାର କରାଯିବା ଉଚିତ । ଭିତରେ କପଟ ନରଖ ପରସ୍ପରକୁ ଆମେ ଏହି ପ୍ରଶ୍ନ ପଚାରି ପାରିବା ଉଚିତ । ତେବେ ହୁଏତ ଏସବୁ ପ୍ରତିବନ୍ଧକରୁ ପାର ହୋଇଯିବାର ବାଟ ମିଳିଯିବ । ଆମର ଅନୁଷ୍ଠାନଟିକୁ (ଆମେ) ଏହି କେତେବର୍ଷ ଭିତରେ ହୁଏତ ନିଜର ଅନୁଷ୍ଠାନ ବୋଲି ଭାବି ପାରିଲେ ନାହିଁ, ଆମେ ହୁଏତ ଉପରୁ କେଉଁଠୁ ଆସି ସେମାନଙ୍କ ଉପରେ ଲଦା ହେଲାପରି ରହିଗଲୁ । ଅନେକ ନିରପେକ୍ଷତା ସହିତ ଆମେ ନିଜ ଭିତରକୁ ଅନାଇବା, ଆମର ବାରବାର କ୍ଷତି କରୁଥିବା ବ୍ୟକ୍ତିମାନଙ୍କ ଭିତରକୁ ଅନାଇବା । ଅନ୍ୟ ଉପାୟ ନାହିଁ ।

 

ଯଦି ତୁମେମାନେ ସେହି ଗାଆଁର ଅଧିବାସୀମାନଙ୍କୁ ଡାକି ଏହି.....କଥାର ଆଲୋଚନା କରିବାକୁ କହନ୍ତ, ତେବେ ତୁମାମାନଙ୍କ କଥାରେ କ'ଣ ୫/୧୦ ଜଣ ମଧ୍ୟ ଆସିବେ ନାହିଁ ? ଅଥବା, ସ୍କୁଲର ଅଭିଭାବକମାନେ ମଧ୍ୟ ଏକାଠି ହୋଇ ଏହି ଘଟଣାଟି ବିଷୟରେ ଆଲୋଚନା କରିପାରନ୍ତି ।

 

ଭୁବନେଶ୍ୱର, ୨।୧୦।୯୫

 

.......ତୁମେମାନେ ଯାହାକିଛି କରିବ, ତାହା ଏକତ୍ର ଆଲୋଚନା କରି କରିବ । ତଦ୍ଦ୍ୱାରା କାର୍ଯ୍ୟ ବିଳମ୍ବିତ ହେଉ ପଛକେ, ତାହାହିଁ ଉପଯୁକ୍ତ ଧାରା । ବିଶେଷ କରି ସାଧନା ଏବଂ ଶିକ୍ଷାକେନ୍ଦ୍ର ଉଭୟ କ୍ଷେତ୍ରରେ ସମ୍ଭବତଃ ଏକମାତ୍ର ସୁସ୍ଥ ଧାରା ।

 

ଭୁବନେଶ୍ୱର, ୨୮।୨।୯୬

 

ପୃଥିବୀରେ ଭଗବାନଙ୍କର ଅନେକ ପ୍ରକାରର କାର୍ଯ୍ୟ ରହିଛି । ତେଣୁ, ସେଥିରୁ କୌଣସି ଗୋଟିଏ ବାଛି ନେବାକୁ ହୁଏ । ନିଜର ସ୍ଵଭାବକୁ ଚିହ୍ନି ସେହି ମୁତାବକ କ୍ଷେତ୍ରଟିଏ ଗ୍ରହଣ କରିନେବାକୁ ପଡ଼େ । ଆମେ ଯେଉଁମାନେ ଶିକ୍ଷାକେନ୍ଦ୍ରକୁ ବାଛି ନେଇଛୁ, ତାହାକୁ ଆମର ପୂରା ସମୟ ଦେଇପାରିଲେ ଯାଇ ମନରେ ଥିରତା ରହିବ ଓ ଦେହ ମଧ୍ୟ ସୁସ୍ଥ ରହିବ । ମାତ୍ର, ନାନା ଆକର୍ଷଣରେ ନାନା କ୍ଷେତ୍ରରେ ମାତିଥିଲେ ହୁଏତ କୌଣସି ଗୋଟିଏ କ୍ଷେତ୍ରରେ ମଧ୍ୟ ନିଜକୁ ସଂପୂର୍ଣ୍ଣ ଆନ୍ତରିକତାର ସହିତ ଦେଇ ହେବନାହିଁ । ଏବଂ, ଯେଉଁମାନେ ଶିକ୍ଷାକେନ୍ଦ୍ରକୁ ନିଜର କ୍ଷେତ୍ର ରୂପେ ଗ୍ରହଣ କରିଛନ୍ତି, ସେମାନେ ନିଜର ତରକ୍କି ପାଇଁ ମଧ୍ୟ ଅଧିକରୁ ଅଧିକ ସମୟ ଦେଇ ପାରୁଥିବା ଉଚିତ । ଆମେ ଯେତିକି ଯୋଗ୍ୟ ହେବା, ଆମ ଶିକ୍ଷାକେନ୍ଦ୍ର ମଧ୍ୟ ଯାବତୀୟ ଅସଲ ଅର୍ଥରେ ଆମକୁ କାମରେ ଲଗାଇ ପାରୁଥିବ ।

 

ଭୁବନେଶ୍ୱର, ୨୫।୭।୯୭

 

....ଶିକ୍ଷାକେନ୍ଦ୍ର କାର୍ଯ୍ୟ ଚାଲିଛି ଓ ସମସ୍ତେ ସେଥିରେ ସହଯୋଗ କରୁଛନ୍ତି, ତାହା ହିଁ ସବୁଠାରୁ ବଡ଼ କଥା । ସବୁ କଥା ସମୟ ଅନୁସାରେ ହୋଇଯିବ, ଆମେ କେବଳ ଚେଇଁ ରହିଥିଲେ ହେଲା । ସେଥିଲାଗି, ଅଭାବ ଥାଇ ମଧ୍ୟ ଅଭାବ ଦ୍ଵାରା ପ୍ରଭାବିତ ନହେବାକୁ ହେଲେ ଗ୍ରନ୍ଥ ଅଧ୍ୟୟନ ଓ ଅଧୀତ ବସ୍ତୁଗୁଡ଼ିକ ଉପରେ ଅନ୍ତରଙ୍ଗ ଆଲୋଚନା ସବୁଠାରୁ ଅଧିକ କାର୍ଯ୍ୟ ଦେବ । ଅଭାବ କେବେ ବି ଯିବ ନାହିଁ, ମାତ୍ରା ଅଧ୍ୟୟନ ଦ୍ଵାରା ଆମେ ଅଧିକ ଶକ୍ତିଶାଳୀ ହେଉଥିବା ।

☆☆☆

 

Unknown

ଶ୍ରୀଯୁକ୍ତ ଲକ୍ଷ୍ମୀଧର ପାଳ

 

(ଶ୍ରୀ ଲକ୍ଷ୍ମୀଧର ଭାଇଙ୍କର ଶିକ୍ଷାକେନ୍ଦ୍ରଟିର ନାମ ମାତୃବିହାର । ଏକ ଅହରହ ଉଦ୍ୟମର ଉତ୍ସାହ ପରିପୂର୍ଣ୍ଣ ପ୍ରିୟ ପ୍ରତୀକଟିଏ । ଆମ ଅନେକଙ୍କ ନିମନ୍ତେ ମଧ୍ୟ ଏକାଧିକ ଅର୍ଥରେ ଘରଟିଏ । ଆବାସିକ ଯେକୌଣସି ବିଦ୍ୟାଳୟ ପରି ସ୍ୱତନ୍ତ୍ର ଜଞ୍ଜାଳଗୁଡ଼ିକ ଅବଶ୍ୟ ରହିଛି । ତଥାପି, ଆଗକୁ ଅନାଇଲେ ବହୁ ଦୂରକୁ ବାଟ ଦିଶିଯାଉଛି ।)

 

ଭୁବନେଶ୍ୱର,୧୬।୬।୮୯

 

.....ସବୁ ମଣିଷ ଉପରେ ନିର୍ଭର କରୁଛି । ସ୍ଵାମୀ ସ୍ତ୍ରୀ ଶିକ୍ଷାକେନ୍ଦ୍ରରେ ରହିଲେ ଖାସ୍ ସେହି କାରଣରୁ କାହିଁକି କୌଣସି କ୍ଷତି ହେବ ? ପ୍ରାଚୀନ କାଳରେ ରଷିମାନେ ଋଷିପତ୍ନୀଙ୍କ ସହିତ ଆଶ୍ରମରେ ରହୁଥିଲେ । ଦୈହିକ ସମ୍ପର୍କ ଭିତରେ କାମନା ରହିପାରେ, ଶୁଦ୍ଧ ପ୍ରେମ ମଧ୍ୟ ରହିପାରେ-। କାମୁକତା ହିଁ ଅନିଷ୍ଟ କରେ। ଏହା ମୋ’ର ବ୍ୟକ୍ତିଗତ ମତ । ବାପା ମାଆ ଘରେ ସ୍ଵାମୀ ସ୍ତ୍ରୀ ହୋଇ ରହି ମଧ୍ୟ ପିଲାମାନଙ୍କ ଲାଗି ଏକ ଉତ୍ସର୍ଗୀକୃତ ଜୀବନ ଯାପନ କରି ପାରୁଛନ୍ତି-। ତେବେ ଏକ ଶିକ୍ଷାକେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ତାହା କରି ନପାରିବେ କାହିଁକି ? ସବୁ ନିର୍ଭର କରୁଛି ଆମ ଜୀବନର ମୂଳ ଦୃଷ୍ଟିକୋଣଗୁଡ଼ିକ ଉପରେ ।

 

Sde Boker ଇସ୍ରାଏଲ, ୧୭।୧୧।୯୦

 

......ମୁଁ ପୃଥିବୀରେ ଯେତେ ଯୁଆଡ଼େ ଯାଉଛି, ଯାହାକିଛି ଦେଖୁଛି ଓ ମନୁଷ୍ୟମାନଙ୍କର ପରିଚୟରେ ଆସି ମୋ’ର ଯାହାକିଛି ଅନୁଭବ ହେଉଛି, ସେଥିରୁ ମୋ’ ଆଗରେ ଏହି କଥାଟି କ୍ରମଶଃ ଅଧିକରୁ ଅଧିକ ସୃଷ୍ଟ ହୋଇଯାଉଛି ଯେ, ଆମେ ଉଚିତ ବାଟଟିକୁ ବାଛିଛୁ । ଏହି ବାଟଦୁଇଟି challenge-ନିଜକୁ ସତତ ଅଧିକରୁ ଅଧିକ ଯୋଗ୍ୟ କରୁଥିବା ଏବଂ ଏହି ପୃଥିବୀର ପରିବର୍ତ୍ତନରେ ଅଧିକରୁ ଅଧିକ କାମରେ ଲାଗିବା । ସବୁବେଳେ ସମ୍ମତ ହୋଇ ରହିଥିବା, କର୍ମଠ ହୋଇ ରହିଥିବା, ଆମ ପରସ୍ପରକୁ ପରସ୍ପରର ସହଯୋତ୍ରୀ ପରି ଗ୍ରହଣ କରିବା ଓ ପରସ୍ପରକୁ ଆହୁରି, ଆହୁରି ଆଗକୁ ଯିବାରେ ଓ ଅଧିକ ଯୋଗ୍ୟ ହେବାରେ ସତତ ସାହାଯ୍ୟ କରିବା । ଏତିକି ସମ୍ଭବ ହୋଇପାରିଲେ ଆମ ଜୀବନରେ ଭଗବାନଙ୍କର ଏକ ଉଚିତ ଭୂମି ମଧ୍ୟ ତିଆରି ହୋଇଯାଇ ପାରିବ ଏବଂ ଆମକୁ ଯନ୍ତ୍ର କରି ସେ ତାଙ୍କର ଏହି ପୃଥିବୀରେ କେତେ କ'ଣ କରିଯାଇ ପାରିବେ ।

 

ବାହ୍ୟ ଦୃଷ୍ଟିରୁ ସିନା ମୁଁ ଏତେ ଦୂରରେ ଏଠି ରହିଛି, ତଥାପି ଶିବିର ସମୟରେ ମୋ’ର ଆଉ ସବୁକିଛି ନିଶ୍ଚୟ ସେଠାରେ ସମସ୍ତଙ୍କର ମେଳରେ ରହିଥିବ । ପ୍ରଫୁଲ୍ଲ ଭାଇ ବହି ପଢ଼ି ବୁଝାଇବେ, କୁମୁଦ ଭାଇ ମୁଣ୍ଡ ଟୁଙ୍ଗାରୁଥିବେ, ରାମନାରାୟଣ ଓ ଅନନ୍ତ ଢୁଳାଉଥିବେ ଓ ତଥାପି ଆଲୋଚନାଗୁଡ଼ିକୁ ଉପଭୋଗ କରୁଥିବେ, କଟକ ରବିଭାଇ ଏଡ଼େ ବଡ଼ ପାଟିରେ କ'ଣସବୁ ଗମ୍ଭୀର କଥାମାନ କହୁଥିବେ, ସମସ୍ତେ ଏକ ମନରେ ଆମକୁ ଏକତ୍ର ବାନ୍ଧି ରଖିଥିବା ଆଶୀର୍ବାଦ-ସୂତାଟିକୁ କପି କରି ଧରିବେ ଏବଂ ମୁଁ ସେଇଠି ଗୋଟିଏ କୋଣରେ ଭୂତମାନଙ୍କ ଭିତରେ ଭୂତ ହୋଇ ଏପରି ବସିଥିବି ଯେ କେହି ତା’ର ସୁଖ ମଧ୍ୟ ପାଇବେନାହିଁ । ଆପଣ, ହାତୀଭାଇ କାମର ତତ୍ତ୍ଵାବଧାନ କରୁଥିବେ । ବନ୍ଧପଡ଼ାରୁ ରାଜେଶ ଆସିଥିଲେ ଗୀତଦ୍ୱାରା ସମସ୍ତଙ୍କୁ ମଜ୍ଜାଇ ରଖିଥିବ-। ଏବଂ, ଆଦୌ କୌଣସି ଅଭାବବୋଧ ନଥାଇ ସବୁ ସୁସମଞ୍ଜସ ଭାବରେ ଚାଲିଥିବ-

 

ଭୁବନେଶ୍ୱର, ୨୮।୩।୯୧

 

....ଗତ ଶିବିର ଏତେ ବଢ଼ିଆ ଭାବରେ ହେଲା, ସମସ୍ତଙ୍କ ତୁଣ୍ଡରେ ସେହି କଥା । ମୋ’ ପାଇଁ ଏହା ଏକ ବିଶେଷ ବିଜୟ। ମୁଁ ଅନୁପସ୍ଥିତ ରହିଲେ ମଧ୍ୟ ଶିବିର ଚାଲିବ । ସୁହୃଦଗୋଷ୍ଠୀ ଲାଗି ମଧ୍ୟ ଏହା ଏକ ବୃହତ୍ ବିଜୟ । ଆପଣ ଅଧିକରୁ ଅଧିକ ପରିମାଣରେ ଏହି ଗୋଷ୍ଠୀ ଭିତରେ ଛନ୍ଦି ହୋଇ ଯାଆନ୍ତୁ । ଏଥିଲାଗି ମୂଳତଃ ଦୁଇଟି କାର୍ଯ୍ୟ; ନିଜକୁ ପ୍ରତ୍ୟେକ ଦିନ କାନ, ଶ୍ରଦ୍ଧା ଓ କର୍ମ କ୍ଷେତ୍ରରେ ଯୋଗ୍ୟ କରିବା ଏବଂ ଅଧିକରୁ ଅଧିକ ଅହଂମୁକ୍ତ ଭାବରେ ନିଜ କର୍ମକ୍ଷେତ୍ରରେ ତାଙ୍କରି କାମ କରିପାରିବା ।

 

ଆମ ଅନୁଷ୍ଠାନଗୁଡ଼ିକର ମାଧ୍ୟମରେ ଆମର ମଧ୍ୟ ବୃଦ୍ଧି ହେଉଥିବା ଉଚିତ, ଶ୍ରୀଅରବିନ୍ଦ ଯାହାକୁ Inner Growth ବୋଲି କହିଛନ୍ତି । ନହେଲେ ସବୁ ଭଣ୍ଡୁର ହୋଇଯିବ ।

 

ଶିକ୍ଷାକେନ୍ଦ୍ର ବଢ଼ୁଛି, ଆହୁରି ବଢ଼ିବ । ବାହାରର ବହୁ ଅଭାବ ମେଣ୍ଟି ଯାଉଥିବ ।ଏହି ଖୁସୀ ଓ ବ୍ୟଗ୍ରତାରେ ଆମ ଭିତରଟା ଯେପରି ଅଭାବଗ୍ରସ୍ତ ହୋଇ ନରହେ । ଏକ ନିର୍ଦ୍ଦିଷ୍ଟ ବିଚାର ଓ ସ୍ଵପ୍ନକୁ ନେଇ ଶିକ୍ଷାକେନ୍ଦ୍ରର ସ୍ଥାପନା ହୋଇଛି । ସେହି ବିଚାର ଏବଂ ସ୍ଵପ୍ନକୁ ଭିତ୍ତି କରି ଆମ ନିଜ ଭିତରେ ମଧ୍ୟ ଯେପରି ସତତ ଅଭିବୃଦ୍ଧି ହେଉଥିବା ଉଚିତ । ଶିକ୍ଷକ ଓ ପରିଚାଳକ ହିସାବରେ ଆମେ ମଧ୍ୟ ଜ୍ଞାନରେ, ବିଦ୍ୟାରେ ଓ ଶ୍ରଦ୍ଧାରେ ଆଗକୁ ଯାଇପାରୁଥିବା । ତେବେ ଯାଇ ଏତେ ପରିଶ୍ରମ ଦେଇ ଗଢ଼ିଥିବା ଆସ୍ଥାନଟିର କୌଣସି ମର୍ଯ୍ୟାଦା ରହିବ । ଆତ୍ମୀୟତା ବଢ଼ୁଥିବ, ଦୂରତା କମି କମି ଯାଉଥିବ ।

 

....ଗୋଟିଏ ଶିକ୍ଷାକେନ୍ଦ୍ର ଏତୋଟି ହେଲାପରେ, ଆମ ଭିତ୍ତିରେ (ଯେ) କେତେ ଶକ୍ତି ଭରପୂର ହୋଇ ରହିଛି, ମୁଁ ସେହିକଥା ଦୂରରୁ ଲକ୍ଷ୍ୟ କରି ଦେଖୁଛି । ସମସ୍ତଙ୍କର ଶକ୍ତି ଏକତ୍ର ହୋଇ ପାରୁଥିଲେ ତାହା କେତେ ଅସମ୍ଭବକୁ ସମ୍ଭବ କରି ପାରନ୍ତା । ମାତ୍ର, ଆମ ଆପଣା ଭିତରେ ଆବଶ୍ୟକ ବୃଦ୍ଧି ହେଉନାହିଁ ବୋଲି ଆମେ ପରସ୍ପର ସହିତ ଏକତ୍ର ହେବା ପରିବର୍ତ୍ତେ ପରସ୍ପର ସହିତ ଧକ୍କା ଖାଇବାରେ ଲାଗିଛୁ । ତାହାକୁ ହିଁ ଦୁର୍ଗଜୟ କରୁଥିବା ପରି ଭାବୁଛୁ ।

 

ଭୁବନେଶ୍ୱର, ୧୨।୮।୯୬

 

ଆପଣ ଗୋଟିଏ ଅନୁଷ୍ଠାନକୁ ଯନ୍ତ୍ର ଭାବରେ ଏଡ଼ୁଟିରୁ ଏଡ଼ୁଟିଏ କରି ଆଣିଲେଣି । ଆପଣଙ୍କର ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଜ୍ଞତା ଓ ଅନୁଭୂତି ହେଉଥିବ । ତଥାପି ଆପଣ କେଡ଼େ ସୁନ୍ଦର ମଉନ ହୋଇ ରହି ଯାଉଛନ୍ତି; ଜଣାପଡ଼ୁଛି, ଏକୁଟିଆ ବାବାଜୀ ହେବାର ଝୁଙ୍କଟାଏ ଆପଣଙ୍କ ଭିତରେ ମଧ୍ୟ କେଉଁଠାରେ ରହିଛି । କର୍ମ ଭିତରେ ବ୍ୟସ୍ତ ରହିଲେ ଅନେକ ସମୟରେ କର୍ମଟା ଯୋଗରୁ ବିଚ୍ଛିନ୍ନ ହୋଇପଡ଼େ । ମାତ୍ର, ଆଉ ଗୋଟାଏ ଏମିତି ରାସ୍ତା ମଧ୍ୟ ଅଛି ଯାହାଦ୍ୱାରା ଆହୁରି ଦଶଗୁଣ ଅଧିକ କାମ ରହିଲେ ମଧ୍ୟ ମୂଳ ଧାରାଟି ଯୋଗର ଧାରା ହୋଇ ରହିଥାଏ । –ରେ ସମସ୍ତଙ୍କ ଅପେକ୍ଷା ଆପଣ ହିଁ ସେହି ଧାରାର ସବାଆଗ ପ୍ରତିନିଧି ହୋଇ ରହିବେ । ସମସ୍ତଙ୍କର ଆଗେ ଆଗେ ବାଟ ଚାଲିବେ । ସବୁ କାମ ଏକା ଏକା କରି ଉଢ଼ୁଆଳରେ ଆଦୌ ରହିଯିବେ ନାହିଁ ।

 

ଆମେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନେ ଏକାଠି ବାଟ ନଚାଲିଲେ କ୍ରମେ ଗୋଟିଏ। ଗୋଟିଏ ମଠରେ ପରିଣତ ହୋଇଯିବା । ମଝିରେ ସମସ୍ତଙ୍କୁ ଏକାଠି ଯୋଡ଼ି ରଖିଥିବା ଖିଅଟି ହାତଛଡ଼ା ହୋଇ ଯାଉଥିବ । ମାତୃବିହାର ତାହାର ବ୍ୟତିକ୍ରମ ହେଉ, ଲକ୍ଷ୍ମୀଧର ଭାଇ ମଧ୍ୟ ବ୍ୟତିକ୍ରମ ହୁଅନ୍ତୁ ଏବଂ ସୁହୃଦଗୋଷ୍ଠୀକୁ ବ୍ୟତିକ୍ରମ ହୋଇ ରହିବାରେ ସେ ଆଗେ ଆଗେ ସାହାଯ୍ୟକାରୀ ହୋଇ ବାଟ ଚାଲନ୍ତୁ । ଆଗ ଆମ ଲକ୍ଷ୍ୟଟି ଠିକ୍ ହୋଇଗଲେ ସମୟ ଅବଶ୍ୟ ମିଳିଯିବ ।

 

ଏଠାରେ–ବୋଧହୁଏ ସେଠାରେ ଆପଣଙ୍କୁ କହିଥିଲି, ପିଲା ସପ୍ତମ ଶ୍ରେଣୀରେ ଯେପରି ହୁଅନ୍ତୁ ବୋଲି ଆମେ ଚାହୁଛୁ, ପଞ୍ଚମରୁ ତାହାର ମୂଳଦୁଆ ପଡ଼ୁ । ପ୍ରତ୍ୟେକ ପିଲାର ବ୍ୟକ୍ତିଗତ ବିଶେଷତ୍ଵ ଓ ଅଭାବକୁ ଭିତ୍ତି କରି ଆବଶ୍ୟକ ସହାୟତାମାନ ଦିଆଯାଉ । ଏବଂ, ସେଥିଲାଗି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଅଧିକ ଖେଳନ୍ତୁ, ଅଧିକ ମୁକ୍ତ ଅନୁଭବ । କରନ୍ତୁ । ସେମାନଙ୍କୁ ଦାୟିତ୍ୱରେ ରହିଥିବା ଅପା ବା ଭାଇମାନେ ସେମାନଙ୍କ ସହିତ ଓତଃପ୍ରୋତ ଭାବରେ ମିଶି ଯାଆନ୍ତୁ, ସେମାନଙ୍କୁ ଅଧିକରୁ ଅଧିକ ଗ୍ରହଣଶୀଳ କରି ରଖାଯାଉ । ଜଣେ ଭାଇ ବା ଅପା ନିଜେ କେତେ ଖୁସୀ ରହିଲେ ସେହି ସାନ କ୍ଲାସର ପିଲାଙ୍କୁ ଏପରି ଏକ ପରିବେଶରେ ରଖିପାରିବେ, ସେକଥାକୁ ଥରେ କଳ୍ପନା କରି ଦେବେ । ଆମେ ଯଦି ଭଗବାନ ନାମକ କୋଉ ଖାମିନ୍ଦକ ଘରେ ଗୋତି ଖଟୁଥିବା ପରି ଦେଖା ଯାଉଥିବା, ତେବେ ଆମ ଠାରୁ ପିଲାମାନେ ଝୁଣ୍ଟିବା ଲାଗି ହିଁ ଅଧିକ ପ୍ରେରଣା ପାଇବେ ।

 

ଭୁବନେଶ୍ୱର, ୯।୨।୯୭

 

ଆମେ ଯେଉଁମାନେ ଭଗବାନଙ୍କୁ ସୂତାଟିଏ କରି ପରସ୍ପର ସହିତ ଯୁକ୍ତ ହୋଇ ରହିଛୁ, ଆମର ମଧ୍ୟ ଜଞ୍ଜାଳ ରହିଛି । ସଂସାର ମଧ୍ୟ ରହିଛି । ମାତ୍ର, ବହୁତ ସଂସାରୀ ଓ ଜଂଜାଳୀମାନଙ୍କୁ ପରି ଆମେ ଯେ ସେଗୁଡ଼ାକ ମଧ୍ୟରେ ଅଣନିଃଶ୍ୱାସୀ ଭାବରେ ଛନ୍ଦି ହୋଇ ପଡ଼ିନାହୁଁ, ତାହା ଆମର ପରମ ସୌଭାଗ୍ୟ । ଆମକୁ ସବୁକିଛି ଏହିପରି ଭାବରେ ସହଜ ଲାଗୁଥାଉ, ସବୁ ସମାଧାନ ତା’ର ସମୟ ଅନୁସାରେ ସହଜ ଲାଗୁଥାଉ, ସବୁ ସମାଧାନ ତା’ର ସମୟ ଅନୁସାରେ ସହଜ ଭାବରେ ହୋଇ ଯାଉଥାଉ ।

 

......–ଅପା ଲେଖୁଛନ୍ତି ଯେ, ମୁଁ ମାତୃବିହାର ଠାରୁ ବହୁତ କିଛି ଆଶା କରୁଛି । ମୁଁ ପୃଥିବୀରେ ସର୍ବଦା ସବୁଠାରେ କେବଳ ଗୋଟିଏ ଆଶା କରିଥାଏ । ମୁଁ ଯେଉଁମାନଙ୍କୁ ଜାଣେ ବା ଚିହ୍ନେ, ସେମାନେ ସମସ୍ତେ ସବୁବେଳେ ମୋତେ ସାଙ୍ଗ ଭଳି ଦିଶନ୍ତୁ, ମୁଁ କେବଳ ଏତିକି ଆଶା ରଖିଥାଏ । ସେଥିଲାଗି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାଏ । ଏହାଠାରୁ ଅଧିକ ଆଶା କରିବାକୁ ମଣିଷର କୌଣସି ଅଧିକାର ନାହିଁ ।

 

ଆମ ମଲା ଅନ୍ତେ ମଧ୍ୟ ଆମଦ୍ୱାରା ଗଢ଼ା ସ୍କୁଲ ନାମକ ଘରଟି ତଥାପି ରହିବ, –ଆମେ ସେହି ଲକ୍ଷ୍ୟରେ ସବୁ କାର୍ଯ୍ୟ କରିବା ବୋଲି ମୁଁ କହିଥିଲି । ଏବଂ, ଯଦି ନକରୁଥିବା,ତେବେ ଆମକୁ ପ୍ରକୃତରେ ବାବାଜୀ ବୋଲି କୁହାଯିବ । ମୋ’ର ଆଶଙ୍କା ଯେ ପୂରା ମିଛ ନୁହେଁ, ଆପଣଙ୍କର ଦ୍ୱିତୀୟ ଚିଠିରେ ଆପଣ ଲେଖିଛନ୍ତି ଯେ ସେଠି କାର୍ଯ୍ୟଟି ମରେ କେତେ ବିରକ୍ତି ଓ ଅସହ୍ୟ ଯନ୍ତ୍ରଣା, ଓ ଆପଣ କେବେଠୁ କୁଆଡ଼େ ପଳାଇ ଯାଆନ୍ତେଣି । କେବଳ ମୋ’ ବନ୍ଧୁତ୍ଵ ଓ ସାନ୍ନିଧ୍ୟ ଛାଡ଼ି କୁଆଡ଼େ ଯାଇ ପାରୁନାହାନ୍ତି । ତେଣୁ, ଆପଣ ଏଇଦିନୁଁ ସେଠି ଏକ ସ୍ଥାୟୀ ଗୋଷ୍ଠୀକୁ ତିଆରି କରାଇବେ, ଯିଏକି ଆପଣ ଓ ମାଳତୀ (ଅପାଙ୍କ) ପଛେ ପଛେ ଚାଲିଥିବ । ଏହା ସମ୍ଭବ ଏବଂ ତାହା ନହେବା ପର୍ଯ୍ୟନ୍ତ ଆପଣ ଦୁଇ ମହାନ୍ ଆତ୍ମା ମଧ୍ୟ ଖାଲି ଘାଣ୍ଟି ହେଉଥିବେ ଏବଂ ବିରକ୍ତିରେ ବି ବେଳେ ବେଳେ ପରସ୍ପର ପ୍ରତି ଖିଙ୍କାରି ହେଉଥିବେ ।

 

ଆମେ ଆର୍ଥିକ ଦୃଷ୍ଟିରୁ ହୁଏତ କେବେହେଲେ ଏପରି ସ୍ଥିତିକୁ ଆସିବା ନାହିଁ, ଯେତେବେଳେ କି ଆମର କୌଣସି ଅର୍ଥକଷ୍ଟ ନଥିବ । ସେଇଟି ଲାଗି ଅନ୍ୟ ସଂହତିଟା ଆମ ପାଇଁ ଏତେ ମୂଲ୍ୟବାନ । ଭିତରେ ଓ ବାହାରେ ସେହି ସଂହତି ନଥିଲେ ତିନିଗୁଣ କାମ ଖଟି ତଥାପି ଆମେ ହନ୍ତସନ୍ତ ହେଉଥିବା ଓ ଆମର ସହକର୍ମୀମାନେ ଆମକୁ ଦେଖି ମଜା ଅନୁଭବ କରୁଥିବେ ସିନା, ସେମାନେ କଦାପି ଆମ ସହିତ ଆସିବେ ନାହିଁ । କଦାପି ସ୍ଥାନଟିକୁ ନିଜର ଘର ବୋଲି ଅନୁଭବ କରିବେନାହିଁ । ସତେଅବା ଆଉ କାହା ଘରକୁ କାମ କରି ଆସିଥିବା ପରି ଭାବୁଥିବେ । ଯାଉଥିବେ, ଆସୁଥିବେ । ସେମାନଙ୍କୁ ଅନ୍ୟ ପ୍ରକାରର ନେତୃତ୍ୱ ଦେଇ ପାରିବାକୁ ହେଲେ ଜ୍ଞାନରେ ମଣ ହେବାକୁ ପଡ଼ିବ, ହୃଦୟରେ ବଡ଼ ହେବାକୁ ପଡ଼ିବ । ଏହା ମୋଟେ ଅସମ୍ଭବ ନୁହେଁ ।... ପରିବେଶ ଏପରି ହେଉ, ଯେପରିକି ମାତୃବିହାର ହିଁ ଅନ୍ୟମାନଙ୍କୁ ଟାଣୁଥିବ । ଆପଣ ଉଭୟଙ୍କୁ ସେମାନେ ଆଗରେ ଚାଲିଥିବା ସଙ୍ଗୀ ପରି ମନେ କରୁଥିବେ ।

 

Union City, U.S.A, ୨୭।୮।୯୮

 

.....ମୁଁ ଭାବୁଥିଲି, ମୁଁ ମଝିରେ ମଝିରେ ଏହିଭଳି ଦୂରକୁ ଚାଲି ଯାଆନ୍ତି ଯଦି, ଆପଣଙ୍କ ଠାରୁ ଲମ୍ବା ଲମ୍ବା ଚିଠି ମିଳନ୍ତା । ଆପଣ ଆଉ ସାନ କାର୍ଡ଼ଟିଏ ଲେଖିଦେଇ ମୋଟେ ପଳାଇଯାଇ ପାରନ୍ତେନାହିଁ । ପରସ୍ପରର ଦୁଃଖସୁଖ ସହିତ ପରିଚିତ ହୋଇ ପରସ୍ପରକୁ ବଳ ଦେବା ଓ ଆମର ଯାବତୀୟ କର୍ମ ପଛରେ ଗୋଟାଏ ସର୍ବସମର୍ଥ ବଳ ରହିଛି ବୋଲି ଅନୁଭବ କରିବା ବ୍ୟତୀତ ଆମର ଆଉ ନିର୍ଭର କରି ପାରିବା ଭଳି କୌଣସି ପୁଞ୍ଜି ନାହିଁ ।

 

.....ଆମ କାମର ସୁଭାବ ଓ ପରିସରଟି ଏପରି ଯେ, ପରସ୍ପର ସହିତ ବାରମ୍ବାର ଏକାଠି ନହେଲେ ଆମେ ଏକୁଟିଆ ବୋଲି ଧନ୍ଦି ହେଉଥିବା ସିନା, ମାତ୍ର ବେଶୀ କିଛି ଆଗେଇ ପାରିବାନାହିଁ । ଆମକୁ ଏକାଠି ବାନ୍ଧି ରଖିଥିବା ଦୃଶ୍ୟ ଡୋରଟି ସକାଶେ ଆମେ ପ୍ରତ୍ୟେକ ଦାୟୀ ହୋଇ ରହିଥିବା । ଆମାମାନଙ୍କୁ ନିମିତ୍ତ କରି ପ୍ରପତ୍ତି ପୁରୋଧା ଥାଇ ଶିକ୍ଷାର ଯେଉଁ ଉଦ୍ୟମଟି ଆରମ୍ଭ ହୋଇଛି, ସେଥିରେ ଯେଉଁମାନେ କ'ଣସବୁ ପାଞ୍ଚ ଅନ୍ୟମାନଙ୍କ ତୁଳନାରେ ଅଧିକ ତୋରା ଦିଶିବେ ବୋଲି ଏକୁଟିଆ ଅଲଗା ବାଟ ଚାଲିବାକୁ ମନ କରୁଛନ୍ତି, ସେମାନେ ବହୁ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମ ପୁରୁଣା ଶିକ୍ଷାକେନ୍ଦ୍ରମାନେ ବର୍ତ୍ତମାନ ସେହି ଭଉଁରୀ ଭିତରେ ପଡ଼ିଛନ୍ତି । ସେମାନେ ମଧ୍ୟ ଦିନେ । ଅନ୍ୟମାନଙ୍କୁ ଅବଶ୍ୟ ଲୋଡ଼ିବେ, ତେବେଯାଇ ରକ୍ଷା ପାଇବେ ।

 

-ର ଚିଠି ପାଇଛି । ସିଏ –ରେ ଏକ ଶିବିରରେ ଯୋଗ ଦେଇଥିଲା ବୋଲି ଲେଖିଛି । ସେମାନେ ଆହୁରି ଅନେକ ଶିବିରରେ ଏକାଠି ହେବାର ଯୋଜନା ବି କରୁଛନ୍ତି । ଖୁବ୍ ଭଲକଥା ହେବ । ଏହାରି ମାଧ୍ୟମରେ ଆମେ ସମସ୍ତେ ସମସ୍ତଙ୍କର ହୋଇଯିବା । ତା’ରିଦ୍ୱାରା ଶକ୍ତି ବଢ଼ିବ, ବାଟ ବାହାରିବ ।

 

ମାତୃବିହାରରେ ଘର, ବାରି ବଗିଚା ସବୁ ତିଆରି ହେବା ସହିତ ମଣିଷମାନେ ବି ତିଆରି ହୁଅନ୍ତୁ । ପିଲାମାନଙ୍କୁ କ୍ଲାସ୍ ପରେ କ୍ଲାସ୍ ଉତ୍ତୀର୍ଣ୍ଣ କରାଇ ନେଉଥିବା ସଙ୍ଗେ ସଙ୍ଗେ ଆମେମାନେ ମଧ୍ୟ ପାହାଚ ଉଠି ଉଠି ଯାଉଥିବା । ତାହାହିଁ ପୂର୍ଣ୍ଣାଙ୍ଗ ଶିକ୍ଷାର ସର୍ବୋତ୍ତମ ରହସ୍ୟ । ଆମେ ଏହି ରହସ୍ୟକୁ ଭେଦି ଭେଦି ଯାଉଥିବା, ତଥାପି ଅନେକ ଅନେକ ରହିଥିବ ଓ ଆମକୁ ଟାଣିବାରେ ଲାଗିଥିବ ।

 

ଭୁବନେଶ୍ୱର, ୨୨।୧୧।୯୩

 

.....ଆମେ ସମସ୍ତେ ମୁଖ୍ୟତଃ ଆମରି କଥା ରହୁ ବୋଲି ଯେପର୍ଯ୍ୟନ୍ତ ଆଗ୍ରହ ରଖିଥିବା, ସେପର୍ଯ୍ୟନ୍ତ ଅନ୍ୟମାନେ ଆମ ସହିତ ପୂରା ସହଯୋଗ କରୁନାହାନ୍ତି ବୋଲି ଭ୍ରମ ହେଉଥିବ । ତାହା ଶିବିରର ପ୍ରସ୍ତୁତିରେ ଆଦୌ ବାଧା ଦେବନାହିଁ । ଯଦିବା କିଛି ବାଧା ଥିବ, ତେବେ ସୁହୃତ୍‍ପଲ ଯାଇ ସେଠି ପହଞ୍ଚିବା ପରେ ସବୁ ଅନ୍ତର୍ହିତ ହୋଇଯିବ । ଆପଣ ବେଫିକର ରହିବେ ।

 

ଭୁବନେଶ୍ୱର, ୧୬।୪।୯୪

 

.....ମଝିରେ ମଝିରେ କୁନି ପ୍ରମାଦ ଆସିବ, କୁନି କୁନି କ୍ଷତି ହେବ । ତଥାପି ଗାଡ଼ି ଚାଲିଥିବ । ଆମର ଅସଲ ଜେନେରେଟର ଆମ ଭିତରେ ରହିଛି, ତାକୁ କେହି ଆମ ଠାରୁ ଚୋରାଇ ନେଇ ପାରିବେନାହିଁ ।

 

–ଭାଇ ଏଠାକୁ ଆସିଥିଲେ । ସେ କହିଲେ ଯେ ଏଥର–ଶ୍ରମଶିବିରରେ ୫୦୦ ଶିବିରାର୍ଥୀ ହେବେ । ମତେ ତଥାପି ଡର ଲାଗିଲାନାହିଁ । ଆପଣ ଏଥର ଆମ ସମସ୍ତଙ୍କର ନେତା ହେବେ, ଆମକୁ ଶୃଙ୍ଖଳା ଭିତରେ ରଖିବେ । ଲାଠି କିମ୍ବା ଗୁଳି ଚଳାଇବେ ନାହିଁ । ତଥାପି ଶୃଙ୍ଖଳା ରହିବ ଓ ସମସ୍ତେ ଖୁସୀରେ ସବୁ କରି ଯାଉଥିବେ । କେହି ଅଲଗା ଅଲଗା ଦ୍ୱୀପଟିଏ ହୋଇ ରହିବାକୁ ଇଚ୍ଛା କରିବେ ନାହିଁ ।

 

ଭୁବନେଶ୍ୱର, ୨୯।୪।୯୪

 

.....ଆମେ ସମସ୍ତେ ଗୋଟିଏ କାମ ପାଇଁ ଏତେ ଏତେ ଆଡ଼ୁ ଆସି ଏକତ୍ର ହୋଇଛି, ଏତିକି ମନେ ରହୁଥିଲେ ଆମ ଭିତରେ ଆଦୌ କୌଣସି ଦୂରତା ରହନ୍ତା ନାହିଁ ବା ଯୁଦ୍ଧ ଲାଗନ୍ତାନାହିଁ । ଯେତିକି ନିର୍ମଳ ହୋଇ ଆମର କର୍ମକ୍ଷେତ୍ରକୁ ଆସିବା କଥା, ଆମେ ସେତିକି ନିର୍ମଳ ହୋଇ ଆସୁ ନଥିବାରୁ ଏପରି ହେଉଛି ଏବଂ ଅସଲ ଅଧ୍ୟାତ୍ମଟି ମାଙ୍କଡ଼ମାନଙ୍କ ହାତରେ ପଡ଼ି ଏକ ଧର୍ମରେ ପରିଣତ ହୋଇଯାଉଛି । ଧର୍ମ ଚିରକାଳ ମାମଲତକାରମାନଙ୍କୁ ଖୁବ୍ ସୁହାଇ ଆସିଛି । ମଝିରେ ମଝିରେ ଆମକୁ ଚେତାଇ ଦେବାପାଇଁ ଯେଉଁ ଘଟଣାମାନ ଘଟୁଛି, ସେତେବେଳେ ଆମର ସ୍ଥିର ହୋଇ ପରସ୍ପର ପାଖରେ ବସି ସେହିକଥା ଭାବିବା ଉଚିତ ।

 

ଭୁବନେଶ୍ୱର, ୨।୧।୯୬

 

.....ଠାକୁରାଣୀ ଛାଡ଼ିବାପରେ ସମସ୍ତେ ଲହୁଣୀ ଦେଇ ଗାଧୋଇ ପଡ଼ନ୍ତି ଓ ନୂଆ ହୋଇଯାନ୍ତି । ମାତୃବିହାରରେ ସେହିପରି ଏକ ପରିବେଶର ସୃଷ୍ଟି ହେଉ । ଆଉ ପଛକୁ ଫେରି କେହି ନଚାହାନ୍ତୁ କି ଭାବପ୍ରବଣ ନହୁଅନ୍ତୁ । ଅଭାବ ଥାଉ, ସମସ୍ୟା ଥାଉ, ଏପରିକି ଅଡ଼ୁଆ ମଧ୍ୟ ଥାଉ ପଛକେ, ତଥାପି ଭିତରେ ଖୁସୀ ପୂର୍ଣ୍ଣ ହୋଇ ରହିଥାଉ, ସମସ୍ତେ ସମସ୍ତଙ୍କୁ ହିମ୍ମତ ଦିଅନ୍ତୁ । ଏହି ନୂତନ କାର୍ଯ୍ୟକ୍ରମଟି ନିମନ୍ତେ ଆପଣ ହିଁ ମୋତେ ସବାଆଗ ଦିଶି ଯାଉଛନ୍ତି । ଆଉ ସମସ୍ତେ ପୁରୁଣାର ହିସାବଗୁଡ଼ାକ ଭିତରେ ଛନ୍ଦି ହୋଇ ରହି ନିର୍ମଳ ଭାବରେ ପରସ୍ପର ଆଡ଼କୁ ଅନାଇ ପାରୁନାହାନ୍ତି ।

 

ଭୁବନେଶ୍ୱର, ୧୮।୧।୯୬

 

....ମାତୃବିହାର ଶୀତଋତୁରେ ଭାରି କଷ୍ଟ ପାଇଲା । ଆଉ ଏପରି କେବେ ନହେଉ । ସେଥିପାଇଁ ଆମେ ଆବଶ୍ୟକ ଶକ୍ତି ସଂଗ୍ରହ କରିବା । ନିଜର ଅଧ୍ୟୟନ ଓ ଅଭିବୃଦ୍ଧି ଆମକୁ ସବଳ କରିବ ଏବଂ ଆମେ ଆଗକୁ ଯାଉଥିବାର ବାସନା ପାଇ ଆମ ଚାରିପାଖର ପିଲାଏ ମଧ୍ୟ ସବଳ ଶକ୍ତିମାନ୍ ହେବେ । ପରସ୍ପରର ଶକ୍ତି ବଢ଼ାଇବା ଦିଗରେ ଆମ ଉଦ୍ୟମଗୁଡ଼ିକ ଭିତରେ ସେପରି କିଛି ହେଉନାହିଁ । ସେଇଥିଲାଗି ଆମେ ସତେଅବା ଉଦ୍ୟମଗୁଡ଼ିକୁ କରି ବଡ଼ କ୍ଲାନ୍ତ ହୋଇପଡ଼ୁଛି ।

 

ଭୁବନେଶ୍ୱର, ୨୮।୬।୯୬

 

ଆମ ପଛକୁ ଆଉ କେତେଜଣ ତିଆରି ହୋଇ ଯାଉଥିବା ଦରକାର । ସେଥିପାଇଁ ଆମେ ପ୍ରଥମ ଉତ୍ସାହୀମାନେ ନିଜକୁ ଅଧିକ ଅନୁକୂଳ କରି ତିଆରି କରିବା । ଅନ୍ୟମାନଙ୍କୁ ଆକର୍ଷଣ କରି ପାରିବା । ଆମ ଭିତରେ ଆମେ ସ୍ପର୍ଶ ପାଇଥିବା ଆଲୋକ ଓ ଆଗ୍ରହର ପରିଚୟ ସେମାନଙ୍କୁ ମଧ୍ୟ ଦେବା । ତେବେ ବହୁତ କିଛି ହୋଇ ପାରିବ । ଆମକୁ ବି ଘରେ ସମସ୍ୟାଟାଏ ପହଞ୍ଚିବା ମାତ୍ରକେ କୋଉଠୁ ମୋଟେ ପଳାଇ ଆସିବାକୁ ପଡ଼ିବ ନାହିଁ ।.....

 

ଭୁବନେଶ୍ୱର, ୩୦।୬।୯୯

 

.....ଏହି ପୃଥିବୀରେ ଭଗବାନଙ୍କର ଏତେ ଏତେ କାମକୁ ଆଦରି ନେଇଥିବା ବ୍ୟକ୍ତିମାନଙ୍କର ଅସୁସ୍ଥ ହେବାର କୌଣସି ଅଧିକାର ନାହିଁ । ମଝିରେ ମଝିରେ ଶନିସପ୍ତା ପଡ଼ିବ । ମାତ୍ର ଆପଣମାନେ ଶଙ୍କି ଯିବେନାହିଁ । ମନେ ରଖିଥିବେ, ମାତୃବିହାର ନାମକ ଉଦ୍ୟମଟି ଯେକୌଣସି ଶନିଠାରୁ ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ ହେବ ।

☆☆☆

 

ଶ୍ରୀଯୁକ୍ତ ସୁରେନ୍ଦ୍ର

 

(ଶ୍ରୀମାନ୍ ସୁରେନ୍ଦ୍ର ଛତିଶଗଡ଼ ରାଜ୍ୟର ସୀମାକୁ ଲାଗିଥିବା ରୁଚିଦାଠାରେ ଅବସ୍ଥିତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକ । ଶିକ୍ଷକର ବାଟଟା ହିଁ ତାଙ୍କର ସ୍ୱଭାବଧର୍ମ ଦ୍ୱାରା ସ୍ଥିରୀକୃତ ହୋଇ ରହିଛି ବୋଲି ବୁଝୁଥିବା ପରି ସେ ଦୀର୍ଘ ଗୁର୍ଦୁ ବର୍ଷରୁ ସେଠାରେ ଶିକ୍ଷକତା କରୁଛନ୍ତି ।)

 

ଭୁବନେଶ୍ୱର,୨୮।୭।୯୫

 

....ଶିକ୍ଷାକେନ୍ଦ୍ରର ପରିଚାଳନା ସମିତିରେ କେବଳ କେଉଁ ଜଣକ ସବୁ କଥା କହନ୍ତି ଓ ଆଉ ସମସ୍ତେ ତାହାକୁ ମାନି ନିଅନ୍ତି, ତୁମେ ଚିଠିରେ ତାଙ୍କର ନାମ ଲେଖିନାହିଁ । ସିଏ ଯିଏ ହୋଇଥାନ୍ତୁ ପଛକେ, ତାହା ଆମ ଦେଶରେ ଗୋଟିଏ ପ୍ରଧାନ ରୋଗ । ମତର ବିନିମୟ ଖୁବ୍ କ୍ଵଚିତ୍ ହୁଏ । ଏଠାରେ ଟ୍ରେନିଂ ବେଳେ ତୁମେ ଦେଖିଥିବ, ଜଣେ କହି ଚାଲିଥାନ୍ତି ଓ ଆଉମାନେ ଖାଲି ଶୁଣିବାରେ ଲାଗିଥାନ୍ତି । କୌଣସି ଆଲୋଚନା ହୁଏନାହିଁ । ତଦ୍ଦ୍ୱାରା ସମସ୍ତଙ୍କର କ୍ଷତି ହୁଏ । ମଣିଷ ମଣିଷ ମଧ୍ୟରେ ଦୂରତା କମି ଆସିଲେ ଆଲୋଚନା ଲାଗି ପଥ ଫିଟି ଯାଆନ୍ତା । ସେଥିପାଇଁ ସବାଆଗ ଆବଶ୍ୟକ ଯେ, ଆମ ଭିତରୁ ଯେଉଁମାନଙ୍କର ବୟସ ବେଶୀ ଓ ଯେଉଁମାନେ ଅଧିକ ବୁଝନ୍ତି, ସେମାନଙ୍କ ଭିତରେ ଅଧିକ ଧୈର୍ଯ୍ୟ ରହନ୍ତା ଓ ସେମାନେ ଅଧିକ ସହ୍ୟ କରି ପାରୁଥାନ୍ତେ ।

 

ଶିକ୍ଷାକେନ୍ଦ୍ର ଗୋଟିଏ, ଲକ୍ଷ୍ୟ ହେଉଛି ପିଲାମାନଙ୍କର ଉନ୍ନତି । ତେଣୁ ଶିକ୍ଷକ ଓ ପରିଚାଳକମାନଙ୍କ ମଝିରେ କୌଣସି ପାଚେରୀ ଛିଡ଼ା ହୋଇ ରହିବାର ଆବଶ୍ୟକତା ନଥାନ୍ତା । ଶିକ୍ଷକମାନଙ୍କ ତରଫରୁ ମୁଁ ସମ୍ଭବତଃ ଏତିକି କହିବି ଯେ, ଆମର ଯୋଗ୍ୟତା ଆଶାନୁରୂପ ଭାବରେ ବୃଦ୍ଧି ପାଉନାହିଁ ବୋଲି ଆମେ ପରିଚାଳକମାନଙ୍କୁ ସବୁକଥା ସେମାନେ ବୁଝିବା ପର୍ଯ୍ୟନ୍ତ ବୁଝାଇ ପାରୁନାହିଁ । ପ୍ରକୃତରେ, ଶିକ୍ଷା ସହିତ ଶିକ୍ଷକମାନେ ହିଁ ଅଧିକ ସଂପୃକ୍ତ । ପରିଚାଳକମାନଙ୍କର ଶୁଭେଚ୍ଛା ଅଛି, ତାହାହିଁ ଯଥେଷ୍ଟ । ତେଣୁ, ସେମାନଙ୍କୁ ବୁଝାଇ ପାରିବାର ବିଦ୍ୟା, ଧୈର୍ଯ୍ୟ ଓ ଶ୍ରଦ୍ଧା ଆମମାନଙ୍କ ପାଖରେ ସର୍ବଦା ରହିବା ଉଚିତ । ପିଲାମାନେ ପାଠରେ ଅବଶ୍ୟ ଭଲ କରିବେ, ମାତ୍ର ସେମାନଙ୍କର ଅନ୍ୟାନ୍ୟ ବିକାଶ ମଧ୍ୟ ଅନୁରୂପ ଭାବରେ ହେଉଥିବ । ସେମାନେ ଖୁସୀ ଓ ନିର୍ଭୟ ହୋଇ ସ୍କୁଲରେ ସବୁକିଛି କରି ପାରୁଥିବେ । ପାଠଚକ୍ର ସମୟରେ ତୁମମାନଙ୍କ ଭିତରେ ଏହିସବୁ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ । ପାଠଚକ୍ରକୁ ତ ଶିକ୍ଷକ ଓ ପରିଚାଳକ ଉଭୟେ ଆସୁଥିବେ ।

 

ଭୁବନେଶ୍ୱର, ୧୭।୨।୯୬

 

...ପୃଥିବୀଟା ଅନ୍ୟପ୍ରକାରେ ହେଉ ବୋଲି ଆଶା କରି ଏବଂ ଆମେ ଏକତ୍ର କାର୍ଯ୍ୟ କଲେ ସେହି ଦିଗରେ ଠିକ୍ ପ୍ରସ୍ତୁତିଟିଏ ଆରମ୍ଭ ହେବ ବୋଲି ବିଶ୍ୱାସ କରି ଆମେ ଆମର ଏହି ଶିକ୍ଷାକେନ୍ଦ୍ରଗୁଡ଼ିକୁ ଆରମ୍ଭ କରିଛୁ । ଆମର ଅସୁବିଧା ଅନେକ, ସମସ୍ୟା ମଧ୍ୟ ଅନେକ । ତଥାପି ଯଦି ଗୋଟିଏ ପରିବାର ପରି ଅଥବା ପରସ୍ପରର ବନ୍ଧୁ ପରି ଆମେ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତେ, ତେବେ ତଦ୍ଦ୍ୱାରା ଆମଦ୍ୱାରା ବହୁତ ଅଗ୍ରଗତି ସମ୍ଭବ ହୋଇପାରନ୍ତା । ମାତ୍ର, ତଥାପି ସେହି ପୁରାତନ ସମାଜ ପରି ଆମ ଭିତରେ ମଧ୍ୟ ଦୂରତା ରହିଯାଉଛି । ତେଣୁ, ସବୁକିଛି ଜଟିଳ ହେଉଛି । ଏହାର ପ୍ରକୃତ ସମାଧାନ ହେବ, ଯେତେବେଳେ ଆମ ଭିତରେ ସହଯୋଗ ବୃଦ୍ଧି ପାଇବ, ଆମେ ପରସ୍ପରର ଦୁଃଖସୁଖରେ ସମଭାଗୀ ହୋଇପାରିବା ।

 

ମଣିଷମାନଙ୍କର କେତେ କେତେ ଦୁର୍ବଳତା ରହିଛି । ମାତ୍ର, ସେହିଗୁଡ଼ିକୁ ସର୍ବଦା ଏଡ଼େ ଏଡ଼େ ଆଖି କରି ଦେଖୁଥିଲେ ଆମେ କ୍ରମେ ନିଜକୁ ହୀନ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିବା । ଏବଂ ତା’ପରେ ଆମର ସକଳ ଅଗ୍ରଗତି ବନ୍ଦ ହୋଇଯିବ । ପରିସ୍ଥିତିର ସର୍ବୋତ୍ତମ ବ୍ୟବହାର କରି ପାରୁଥିଲେ ନିଜ ଉପରେ ବିଶ୍ଵାସ ମଧ୍ୟ ବୃଦ୍ଧି ପାଉଥିବ ଓ ଆତ୍ମବିଶ୍ୱାସ ବଢ଼ିବା ସଙ୍ଗେ ସଙ୍ଗେ ନିଜର ଉଜ୍ଜ୍ଵଳ ପାଖଗୁଡ଼ିକ ଆଗ ଦେଖାଯିବ । ନିଜର ଉଜ୍ଜ୍ଵଳ ପାଖଗୁଡ଼ିକୁ ଆଗ ଦେଖିବା ଅର୍ଥ ହେଉଛି ନିଜ ଭିତରେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରିବା ।

 

ଆମର ସକଳ ଅପୂର୍ଣ୍ଣତା ସତ୍ତ୍ୱେ ଭଗବାନ ଯେ ଆମକୁ ମୋଟେ ଛାଡ଼ିନାହାନ୍ତି ଓ ଜନନୀ ପରି ଆମ ଭିତରେ ଆମକୁ ବଳ ଦେବାକୁ ଉପସ୍ଥିତ ଅଛନ୍ତି,ସେହିପରି ଅନୁଭବ ହେବ । ଥରେ ଏପରି ଅନୁଭବ କରିବାକୁ ଚେଷ୍ଟା କରିବ । ତା'ପରେ ପାଠ ପଢ଼ାଇବାକୁ ଗଲାବେଳେ ଆଉ କଦାପି ହତବଳ ଲାଗିବନାହିଁ ।

☆☆☆

 

କୁମାରୀ ସ୍ଵର୍ଣ୍ଣଲତା ମହାକୁଡ଼

 

(ଇଲି ଅପା ଢେଙ୍କାନାଳ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷୟିତ୍ରୀ । ତାଙ୍କଠାରେ ଏପରି କିଛି ସ୍ୱତନ୍ତ୍ରତା ଏକାନ୍ତ ସ୍ୱାଭାବିକ ଭାବରେ ରହିଥାଏ, ଯାହାକି ସିଏ ଉଢ଼ୁଆଳରେ ରହିଯିବାକୁ ଯେତେ ମନ କରୁଥିଲେ ମଧ୍ୟ ଖୁବ୍ ଧରା ପଡ଼ିଯାଏ । ସିଏ ଲେଖୁଥିବା କବିତାଗୁଡ଼ିକ ମଧ୍ୟ ସିଏ ସ୍ୱତନ୍ତ୍ର ବୋଲି ଖୁବ୍ ଧରା ପକାଇ ଦିଅନ୍ତି ।)

 

ଭୁବନେଶ୍ୱର, ୧୩।୬।୯୭

 

....ପିଲାଦିନେ ମଣିଷ ସ୍ନେହ ଖୋଜେ । ସ୍ନେହ ଦ୍ଵାରା ପାକଳ ହୁଏ। ଏବଂ, ବଡ଼ ହୋଇ ସ୍ନେହ ଦିଏ । ବାପାମାଆଙ୍କର ସ୍ନେହ ଆମକୁ ପରିପକ୍ୱ କରି ଦେଇଥାଏ, ଯାହା ଫଳରେ କି ଆମେ ସାରା ସଂସାରଟା ପାଇଁ ଯୋଗ୍ୟ ହେଉ । ନିଜେ ମଜବୁତ୍‍ ରହି ଅନ୍ୟ ଅନେକଙ୍କୁ ମଜବୁତ୍‍ ହେବାରେ ସାହାଯ୍ୟ କରୁ । ଏହିପରି ଏକ ଜୀବନ ଭିତରେ ପ୍ରବେଶ କରି ପାରିଲେ ପୃଥିବୀଟାଯାକ ଭଲ ଲାଗେ । ଆଦୌ ଏକୁଟିଆ ଲାଗେନାହିଁ ।

 

ଶ୍ରମଶିବିରରେ ତୁମେ ନିଜର ଯୋଜନା ବିଷୟରେ ଯାହା କହିଲ, ମୋତେ ଖୁବ୍ ଭଲ ଲାଗିଲା । ଯେଉଁମାନେ କେବଳ ନିଜ ପାଇଁ ବଞ୍ଚନ୍ତି, ସେମାନଙ୍କ କଥା ଅଲଗା। ମାତ୍ର, ଆମେ ଯେଉଁମାନେ ଭଗବାନଙ୍କର ସଂସାର ପାଇଁ ବଞ୍ଚିବାର କିଞ୍ଚତ୍ ବାସନା ପାଇଛୁ, ଆମେ ପ୍ରକୃତରେ ଭାଗ୍ୟବାନ୍ । ଏଇଥିପାଇଁ ଆମେ ଅଧିକରୁ ଅଧିକ ଯୋଗ୍ୟ ହେବା । ଜ୍ଞାନରେ, କର୍ମରେ, ସବୁଥିରେ । ଏବଂ, ଯେତେବେଳେ ଜଣେ ଶିକ୍ଷକର ରାସ୍ତାଟିକୁ ବାଛି ନେଉଛୁ, ସବାଆଗ ଜ୍ଞାନରେ ଯୋଗ୍ୟ ହେବା ହେଉଛି ଆମର କର୍ତ୍ତବ୍ୟ । ଏହାରିଦ୍ୱାରା ହିଁ ଆମର ମେରୁଦଣ୍ଡ ସିଧା ହେବ, ଅନ୍ତର ଭିତରୁ ଦୃଢ଼ ପ୍ରତ୍ୟୟ ମିଳିବ । ସକଳ ପ୍ରକାରର ଭୟରୁ ମୁକ୍ତି ମିଳିବ । ଅଧିକରୁ ଅଧିକ ଯୋଗ୍ୟ ହେବାର ଏହି ମାର୍ଗଟିରେ ବିଶ୍ୱାସ ଏବଂ ଉଦ୍ୟମର ସହିତ ଅଗ୍ରସର ହେଉ ହେଉ ସମଧର୍ମୀ ସାଥୀମାନଙ୍କ ସହିତ ମଧ୍ୟ ଭେଟ ହୋଇଯିବ । ଉଭୟ ହାତ ଓ ହୃଦୟ ଦଶଗୁଣ ଅଧିକ ମଜବୁତ୍‍ ହୋଇଯିବେ ।

 

....ପୃଥିବୀରେ ଯିଏ ନିଜର ବାଟଟିଏ ଆବିଷ୍କାର କରି ଚାଲିଛି ଏବଂ ନିଜର ଅସଲ ଖୁସୀ ସେଇଥିରୁ ପାଉଛି, ତା’ର ଆଉ ଭାବନା କ’ଣ ?

 

ଭୁବନେଶ୍ୱର, ୭।୭।୯୭

 

ନିଜେ ସହାୟ ଦେଲେ ପୃଥିବୀରେ କେବେହେଲେ ଅସହାୟ ଲାଗେ ନାହିଁ । ସ୍ନେହ ଦେଇ ପାରିଲେ ସ୍ନେହ ପାଇବାର କାଙ୍ଗାଳିଆ ଲାଳସାର ଉତ୍ତେଜନା କ୍ରମେ କମ୍ ହୋଇଯାଏ ଏବଂ ନିଜ ଭିତରୁ ଅନେକ ଶକ୍ତି ମିଳେ । ଆମ ପୃଥିବୀରେ ସ୍ନେହ ଖୋଜୁଥିବା ମଣିଷମାନଙ୍କ ଅପେକ୍ଷା ସ୍ନେହ ଦେଇ ପାରିବାର ମଣିଷ ଯଦି ଅଧିକ ସଂଖ୍ୟାରେ ଥାଆନ୍ତେ, ତେବେ ଏଠି ଭଗବାନଙ୍କର କାର୍ଯ୍ୟ ଖୁବ୍ ସହଜ ହୋଇଯାଆନ୍ତା ।

 

ଆମେ ଆଉ ମୋଟେ ପଛକୁ ଅନାଇବା ନାହିଁ । ଯାହା ଆମ ପାଇଁ ସମ୍ଭାବନା ରୂପେ ଆସୁଛି ଓ ତେଣୁ ଅପେକ୍ଷା କରି ରହିଛି, ତାହା ତୁଳନାରେ ଆମେ ଛାଡ଼ି ଆସିଥିବା ପଛଟା ଆଦୌ କିଛି ନୁହେଁ । ଆମେ ପରସ୍ପରକୁ ଆଗକୁ, ନିରନ୍ତର ଆଗକୁ ଯିବାରେ ହିଁ ସାହାଯ୍ୟ କରୁଥିବା । ନିଜ ଜୀବନରେ ଅସଲ ଫୁଲଟିର ଆଘ୍ରାଣ ଲାଭ କରିଥିବା ଲୋକମାନେ ଅଭିଯୋଗ କରନ୍ତି ନାହିଁ, ଖୁଣ ଦେଖନ୍ତିନାହିଁ ଏବଂ ଯେକୌଣସି ବ୍ୟକ୍ତି ଭିତରେ ମଧ୍ୟ ଜଣେ ସୁହୃତ୍‍ର ଆବିଷ୍କାର କରିପାରନ୍ତି । ସେହି ଖୁସୀ ହିଁ ଆମ ଜୀବନର ସବୁଠାରୁ ବଡ଼ ଖୁସୀ । ଆମେ ତାହାର ଯୋଗ୍ୟ ହେବା ।

 

ଏଥର ଭିତରେ ଆଗ୍ରହର ଅଗ୍ନି ଲାଗିଲାଣି ଯେତେବେଳେ, ଏଥର ତୁମେ ଶଗଡ଼ ଶଗଡ଼ ବହି ପଢ଼ିଯିବ, ଅଥଚ କ୍ଲାନ୍ତ ଲାଗିବନାହିଁ । ତୁମେ ମୋ’ ପାଖକୁ ଦେଉଥିବା ଚିଠିମାନଙ୍କରେ ପଢ଼ିଥିବା ବହିଗୁଡ଼ିକର ଆଲୋଚନା କରିବ । କୋଉ ବହି କାହିଁକି ଭଲ ଲାଗିବା ବା ଲାଗିଲାନାହିଁ, ତୁମଠାରୁ ତାହା ଜାଣି ମୁଁ ମଧ୍ୟ ଉପକୃତ ହୋଇପାରିବି ।

 

‘ମୋ ହୃଦୟ ପିଲାଙ୍କ ପାଇଁ ବହିଟି ପଢ଼ିଲଣି କି ? ଜଣେ ଶିକ୍ଷକ ମନ କଲେ କେତେ କ’ଣ ଯେ ସାଧ୍ୟ କରି ପାରିବ, ତାହାର ଏକ ପରିଚୟ ସେଥିରୁ ମିଳିଯିବ । ଆମେ ସମସ୍ତେ ମନ କଲେ ବହୁତ କିଛି ପାରିବା; ଏକ ଗୋଷ୍ଠୀରେ ସେହି ଚେଷ୍ଟା ଓ ଇଚ୍ଛାଟିକୁ କଲେ ଆମ ଦ୍ଵାରା ବହୁତ ନୂତନ ସୃଜନ ସମ୍ଭବ ହୋଇପାରିବ । ରୁଷିଆର ମହାନ୍ ଲେଖକ ଟଲଷ୍ଟୟ ମଧ୍ୟ ନିଜ ଗାଆଁରେ ଗୋଟିଏ ଅନ୍ୟ ପ୍ରକାରର ସ୍କୁଲ କରିଥିଲେ । ନିଜର ଅନୁଭବଗୁଡ଼ିକୁ ନେଇ ବହିଟିଏ ଲେଖଯାଇଛନ୍ତି। ଏବେ ମୁଁ ସେଇଟିର ଅନୁବାଦ କରୁଛି। ଅଧା ହୋଇ ଆସିଲାଣି ।

 

ଆଗରେ ଅନନ୍ତ ପଥ ପଡ଼ିଛି । କିଛି ନଷ୍ଟ ହୋଇନାହିଁ । ଯେଉଁଠାରୁ ଜଣେ ବ୍ୟକ୍ତି ତା’ ଭିତରୁ ତା’ ଅସଲ ସମ୍ଭାବନାର ପରିଚୟ ପାଏ, ସେହି ବିନ୍ଦୁରୁ ହିଁ ତା’ର ପ୍ରକୃତ ବିଦ୍ୟାର୍ଥୀ ଜୀବନ ଆରମ୍ଭ ହୁଏ । ଯଥାର୍ଥ ବିଦ୍ୟାର୍ଥୀଟିଏ ହିଁ ଜଣେ ଯଥାର୍ଥ ଶିକ୍ଷକ ହୋଇପାରେ ।

☆☆☆

 

ଶ୍ରୀଯୁକ୍ତ କ୍ଷିତିଭୂଷଣ ପ୍ରଧାନ

 

(ଶ୍ରୀ କ୍ଷିତିଭୂଷଣ ଭୂଷଣ ପ୍ରଧାନ ବରଗଡ଼ ଜିଲ୍ଲାର ରୁଚିଦା ଗ୍ରାମର ବାସିନ୍ଦା । ଆମ ଶ୍ରମଶିବିରର ଜଣେ ସ୍ଥାୟୀ ସହଭାଗୀ । ବରଗଡ଼ରୁ ପଶ୍ଚିମଆଡ଼କୁ ମୁହଁ କରି ଗଲେ ଅମ୍ବାଭୋନା ପରେ ରୁଚିଦା । ପୂରା ମଧ୍ୟପ୍ରଦେଶର ସୀମାରେ ।)

 

ଭୁବନେଶ୍ୱର, ୮।୧।୯୨

 

......ସେଦିନ ରାତିରେ କ’ଣ କହିବେ ବୋଲି ଆପଣ ମୋ' କୋଠରୀକୁ ଆସିଥିଲେ । ମୁଁ ତାହା ବେଶ୍ ଘ୍ରାଣ କରି ପାରୁଥିଲି । ଆପଣ କିଛି କାମ ନଥିଲା ବୋଲି କହି ଚାଲିଗଲେ । ପରେ ସବୁ ଜାଣିବାପରେ ମୁଁ ଭାବିଲି, ଆପଣ ନିଜ ଭିତରେ ସୁହୃତ୍ ବୋଲି ଅନୁଭବ କରିଥିଲେ ଏପରି କରିନଥାନ୍ତେ । ମୁଁ ନିଦରେ ଶୋଇ ପଡ଼ିଥିଲେ ମଧ୍ୟ ମୋତେ ଉଠାଇଥାନ୍ତେ ଓ ଯାହା କହିବାର ସବୁ କହିଥାନ୍ତେ । ଭିତରେ ଆପଣଙ୍କର ତଥାପି ଏକ ବାବାଜୀ ରହିଛି, ଯାହାକି ଏବେ ମଧ୍ୟ ବେଶ୍ ଶକ୍ତିଶାଳୀ ହୋଇ ରହିଛି । ଉପରେ ଦାଢ଼ିଟାକୁ କାଟିଦେଇ ଏଥର ମୋତେ କେହି କଦାପି ବାବାଜୀ ବୋଲି ସନ୍ଦେହ କରିବେ ନାହିଁ ବୋଲି ମନେ ମନେ ଭାରି ଦମ୍ଭ ଦେଖାଉଛି ! ସୁହୃତ୍‍ଟା ବିଚରା ପଛରେ ପଡ଼ିଯାଉଛି ।

 

ଆପଣ ସମ୍ଭବତଃ ନିଜ ଭିତରେ ନିଜ ସଭାରେ କୌଣସି ଅଂଶଟିକୁ ଖୁନ୍ କରିବାକୁ ଚାହୁଛନ୍ତି, ମାତ୍ର କରି ପାରୁନାହାନ୍ତି ଓ ସେଥିଲାଗି ବାହାରେ ଆଉ କାହାକୁ ଖୁନ୍ କରି ସେହି ଅସମର୍ଥତାର ପ୍ରତିଶୋଧ ନେବାକୁ ଇଚ୍ଛା କରୁଛନ୍ତି । ସୁହୃତ୍ ହେଲେ କେବେହେଲେ କାହାକୁ ଖୁନ୍ କରିବାକୁ ପଡ଼େନାହିଁ; ଭିତରେ ନୁହେଁ ବା ବାହାରେ ନୁହେଁ । ସାଂସାରିକ ହିସାବରେ ବାପା ବୋଲି ବୋଲାଉଥିବା ଜଣେ ବ୍ୟକ୍ତି ମଧ୍ୟ ନିଜର ପୁଅକୁ ସୁହୃତ୍ ହିସାବରେ ଦେଖିପାରେ । ଆପଣ ଏଣିକି ତାହାହିଁ କରିବେ, ତେବେ ମୋଟେ ଖୁନ୍ କରିବାକୁ ପଡ଼ିବନାହିଁ ।

 

ଶୁଣିଲି, ବୋହୁ ସହିତ ପୁଅର ଆଦୌ କୌଣସି ବିବାଦ ନାହିଁ । ତାହା ସବୁଠାରୁ ବଡ଼ କଥା । ବୋହୂକୁ ସେତୁ ପରି ଅନୁଭବ କରି ଆପଣ ପୁଅର ନିକଟବର୍ତ୍ତୀ ହୁଅନ୍ତୁ, ପୁଅ ମଧ୍ୟ ଆପଣଙ୍କର ନିକଟବର୍ତ୍ତୀ ହେଉଥିବା ପରି ଆପଣ ଅନୁଭବ କରିବେ । ଅର୍ଥାତ୍, ଯାବତୀୟ ନିଷ୍ପତ୍ତିରେ ବୋହୂର କଥା ହିଁ କାର୍ଯ୍ୟକାରୀ ହେଉ ।

 

ଆଶ୍ରମର ନିର୍ଦ୍ଦେଶରେ ମୁଁ ବର୍ତ୍ତମାନ ମାଆଙ୍କର ‘ଧ୍ୟାନ ଓ ପ୍ରାର୍ଥନା’ ପୁସ୍ତକର ଦ୍ୱିତୀୟ ସଂସ୍କରଣଟିକୁ ପ୍ରସ୍ତୁତ କରୁଛି । ଅଳ୍ପ କେତେଜଣ ସୁହୃତ୍ ଅନ୍ତରଙ୍ଗ ଭାବରେ ବସି ସେହି ବହିଟିକୁ ପଢ଼ି ପାରିଲେ ତଦ୍ଦ୍ୱାରା ଆମେ କେତେ ଉପକୃତ ହୁଅନ୍ତେ । ଆପଣ ଏବେ କେତେଦିନ ପର୍ଯ୍ୟନ୍ତ ସେହି ବହିରୁ କିଛି କିଛି ଅଂଶ ପଢ଼ିବେ । ଏକାକୀ ପଢ଼ିବେ, ଅଥବା ବେବୀର ମାଆଙ୍କୁ ପାଖରେ ବସାଇ ପଢ଼ିବେ । ଏହି ସମ୍ବନ୍ଧର ସଂସାରରେ କେତେ ସାହସ ମିଳିବ ।

 

ଭୁବନେଶ୍ୱର, ୧୭।୮।୯୨

 

......ପୂର୍ବରେ କ’ଣ ଘଟିଛି, ସେକଥାଗୁଡ଼ିକୁ ନେଇ ବାନ୍ଧି ହୋଇ ରହିବେ ନାହିଁ । ଆମେ ଯେଉଁମାନେ ଏବାଟକୁ ଆସିଛେଁ, ସେମାନେ ପୂର୍ବଘଟଣାକୁ ନେଇ ଏପରି ସନ୍ତପ୍ତ ହୋଇ ପଡ଼ିବେ କାହିଁକି ? ଆମ ଭିତରେ ସର୍ବୋତ୍ତମ କେନ୍ଦ୍ରଟି ଯାହା, ସମସ୍ତଙ୍କ ଭିତରେ ମଧ୍ୟ ସର୍ବୋତ୍ତମ କେନ୍ଦ୍ରଟି ତାହା । ଆମେ ନିଜ ପୁଅଟିକୁ ସେହି ଅନୁଭବର ତାଲିକାରୁ ବାଦ୍ ଦେବା କାହିଁକି ? ଆପଣ ପୁଅ ଭିତରେ ସେହି ସର୍ବୋତ୍ତମ ଆବିଷ୍କାରଟିକୁ କରିବାକୁ ଚେଷ୍ଟା କରନ୍ତୁ, ତାଙ୍କ ଭିତରେ ସମଧର୍ମୀ ବନ୍ଧୁଟିକୁ ଚିହ୍ନି ବାହାର କରି ଆଣିବାର ବଢ଼ିଆ କାର୍ଯ୍ୟଟିକୁ ଆରମ୍ଭ କରି ଦିଅନ୍ତୁ । ସାଂସାରିକ ଦୃଷ୍ଟିରେ ଯେଉଁମାନେ ବାପପୁଅ, ଆଧ୍ୟାତ୍ମିକ ଉତ୍ତରାଧିକାର ଦୃଷ୍ଟିରୁ ସେମାନେ ବି ପରସ୍ପରର ସହାୟକ, ସଖା, ତେଣୁ, ଶୁଭସ୍ୟ ଶୀଘ୍ରଂ ।

 

ଭୁବନେଶ୍ୱର, ୨୫।୧୧।୯୫

 

.....ରୁଚିଦା ଶ୍ରମଶିବିର ଯହୁଁ ଯହୁଁ ପାଖ ହୋଇ ଆସୁଛି, ମୋ’ର ମନ ତହୁଁ ତହୁଁ ଅଧିକରୁ ଅଧିକ ବ୍ୟଗ୍ରତା ସହିତ ସେହିଠାରେ ଯାଇ ପହଞ୍ଚି ଯାଉଛି । ଏବେ ମୁଁ ନିଜେ ଶିବିରମାନଙ୍କରେ ଯାଇ ପହଞ୍ଚି ପାରୁନାହିଁ ବୋଲି ଶିବିରର ଭାବନା ମୋ’ ଭିତରେ ସେତେ ବେଶୀ ପରିମାଣରେ ଆସି ପ୍ରବେଶ କରୁଛି । ଚିନ୍ତାରେ ନୁହେଁ, ଖୁସୀରେ । ଏହି ସବୁ କିଛି ପୂର୍ବବତ୍ ସମାନ ଉତ୍ସାହରେ ଏବଂ ସମାନ ସକ୍ରିୟତାରେ ଚାଲୁଛି । ଏହାହିଁ ସବୁଠାରୁ ବଡ଼ କାରଣ ମୋ’ ଖୁସୀର । ଅନେକେ, ଏପରିକି ଆମ ବନ୍ଧୁମାନଙ୍କ ଭିତରୁ କେତେଜଣ ଭାବୁଥିଲେ ଯେ ଶିବିରରେ ମୋ’ର ଉପସ୍ଥିତି ଅପରିହାର୍ଯ୍ୟ ଏବଂ ତେଣୁ ମୁଁ ଶରୀରରେ ଶିବିରରେ ଉପସ୍ଥିତ ନରହିଲେ ଶିବିର ଆଉ ଆଗଭଳି କଦାପି ଚାଲି ପାରିବନାହିଁ। ସେମାନଙ୍କର ଆଶଙ୍କା ମିଥ୍ୟାରେ ପରିଣତ ହୋଇଛି । ଏବଂ ସେଥିଲାଗି ଆପଣମାନଙ୍କ ସମସ୍ତଙ୍କଠାରେ ମୁଁ ଅତ୍ୟନ୍ତ କୃତଜ୍ଞ ରହିବି ।

 

ଭୁବନେଶ୍ୱର, ୧୬।୭।୯୪

 

....ଆମର ଶିକ୍ଷାକେନ୍ଦ୍ର ନାମକ ଗଛଟି ଯେଉଁ ମାଟିରେ ଲଗା ହୋଇଛି, ସେହି ମାଟିର ସର୍ବ ପ୍ରଥମ ନାମ ହେଉଛି ଆଶୀର୍ବାଦ । ତେଣୁ ଫଳ ଅବଶ୍ୟ ଫଳିବ । ବେଳେବେଳେ ଆମକୁ ମଧ୍ୟ ବିସ୍ମିତ କରିଦେବ । ଆମ ପିଲାମାନେ ସର୍ବଦା ଆମ ଆଗେ ଆଗେ ରହିବେ ଓ ଆମକୁ ସାଙ୍ଗରେ ଟାଣି ନେଉଥିବେ ।

 

ଭୁବନେଶ୍ୱର, ୨୬।୨।୯୧

 

ଗତ ଶ୍ରମଶିବିରଟି ଅତ୍ୟନ୍ତ ଉତ୍ସାହର ସହିତ ଉଦ୍‍ଯାପିତ ହୋଇଛି ବୋଲି ଚାରିଆଡ଼ ସମ୍ବାଦ ପାଇଛି ଏବଂ ଅତ୍ୟନ୍ତ ଆଶ୍ୱସ୍ତ ହୋଇଛି । ଏଣିକି ପରବର୍ତ୍ତୀ ଶିବିରମାନଙ୍କରେ ମୁଁ କେବଳ ଦେଖଣାହାରି ହୋଇ ରହିବି । ସୁହୃଦଗୋଷ୍ଠୀ ଆମ ସମସ୍ତଙ୍କୁ ଏକତ୍ର ବାନ୍ଧି ଅଗ୍ରସର ହେବ । ଏହାର ଅଗ୍ରଗତି ଓ ପ୍ରେରଣା ଦ୍ଵାରା ଆମେ ପ୍ରତ୍ୟେକେ ଶକ୍ତିମାନ ହେବା । ବରଷଯାକ ନିଜ ନିଜ କ୍ଷେତ୍ରରେ ପୂର୍ଣ୍ଣ ଉଦ୍ୟମ ଓ ପୂର୍ଣ୍ଣ ଉତ୍ସାହ ଭିତରେ ରହିଥିବା ଓ ବରଷକରେ ଦୁଇଥର ପରସ୍ପର ଆଗରେ ନିଜର ଅଗ୍ରଗତି ବିଷୟ କହି ଆସିବା ।

 

ଭୁବନେଶ୍ୱର, ୧୧।୫।୯୨

 

....ଶ୍ରମଶିବିରର ନାମକ୍ରମରେ କ୍ରମେ ରୁଚିଦା ମଧ୍ୟ ଦିନେ ଆସିବ ବୋଲି ଆଶା କରୁଛି-। ଯହୁଁ ଯହୁଁ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୁଡ଼ିକ ସାଧାରଣ ସ୍କୁଲର ଚେହେରା ଧାରଣ କରୁଛନ୍ତି, ତହୁଁ ତହୁଁ ଶିବିରମାନଙ୍କର ଯଥାର୍ଥ ଅନ୍ତରଙ୍ଗତା ବଢ଼ାଇବାର ପ୍ରୟୋଜନ ଅଧିକ ହେଉଛି । ଆପଣ ମଧ୍ୟ ହୃଦୟଙ୍ଗମ କରୁଥିବେ ।

 

ଭୁବନେଶ୍ୱର, ୨୪।୧।୯୫

 

......ଅଧିକାଂଶ ଶିକ୍ଷାକେନ୍ଦ୍ରରେ ନାନାଭଳି ଦ୍ଵନ୍ଦ୍ଵ ଏବେ ମୁଣ୍ଡ ଟେକିଲାଣି । ଅର୍ଥାତ୍, ଯାହାଙ୍କୁ ତାରା ବୋଲି ସମ୍ମୁଖରେ ରଖି ଆମେ ଏହି ଶିକ୍ଷାପ୍ରୟାସଟିକୁ ଆରମ୍ଭ କରୁଛୁ, ତାଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାରେ ସୂତ୍ରଟିକୁ ପାଇ ପାରିନାହିଁ । ତେଣୁ, ଆହୁରି କେତେ କେତେ ଅପସୂତ୍ର ଭିତରେ ଛନ୍ଦି ହୋଇ ପଡ଼ୁଛୁ । ଆମେ ସୁହୃତ୍‌ମାନେ ସେହି ପ୍ରମାଦଭିତରେ ଆଦୌ ପଡ଼ିବାନାହିଁ ।

☆☆☆

 

ପରିଶିଷ୍ଟ

 

(ଶ୍ରୀଯୁକ୍ତ ଦେବେନ୍ଦ୍ରନାଥ ଦାସ ମୋ’ ସାନଭାଇ । ଆମ ପାଞ୍ଚଭାଇଙ୍କ ମଧ୍ୟରେ ସିଏ ହେଉଛି ଚତୁର୍ଥ । ମୁଁ ତୃତୀୟ । ୧୯୪୬ ମସିହା ଗ୍ରୀଷ୍ମଛୁଟୀରେ ଶାନ୍ତିନିକେତନରେ ପାଠ ପଢ଼ୁଥିବା ଆମେ ପାଞ୍ଚଜଣ ବନ୍ଧୁ ଆସାମ ବୁଲି ଯାଇଥିଲୁ । ମୋ’ର ଭ୍ରମଣ-ଅନୁଭୂତିଗୁଡ଼ିକୁ ବର୍ଣ୍ଣନା କରି ମୁଁ ଦେବ ପାଖକୁ ସେତେବେଳେ କେତୋଟି ପୋଷ୍ଟକାର୍ଡ଼ ଚିଠି ଲେଖୁଥିଲି । ସେତେବେଳେ ଭାରତବର୍ଷ ସ୍ଵାଧୀନତା ଲାଭ କରିନଥିଲା । ଦେଶ-ବିଭାଜନ ହୋଇ ନଥିଲା । ଏବେ କାଳକ୍ରମେ କେତେ କଣ ବଦଳି ଯିବଣି । ତେଣୁ, ବର୍ଣ୍ଣନାଗୁଡ଼ିକ ଭାରି ପୁରୁଣା ଲାଗିବ । ତଥାପି ପତ୍ର ହିସାବରେ ଏଗୁଡ଼ିକର ଏକ ମୂଲ୍ୟ ଅବଶ୍ୟ ରହିଛି ବୋଲି ବିଚାରି ଏଗୁଡ଼ିକୁ ଏଠାରେ ସବାଶେଷରେ ଯୋଡ଼ି ଦିଆଯାଇଛି ।)

 

ସିଲେଟ୍‍ ,୨୬।୪।୪୬

 

ସ୍ନେହର ଦେବ,

 

ପ୍ରଥମେ ମୋ’ର ସ୍ନେହ ନେବୁ । ଲଫାପା ଚିଠିରୁ ସବୁକଥା ଜାଣିଥିବୁ । ମୁଁ ପ୍ରାୟ ପ୍ରତ୍ୟେକ ଜାଗାରୁ ତୋ’ ନାଆଁରେ ଚିଠି ଦେଉଥବି । ତୁ ସେଗୁଡ଼ିକୁ ଠିକ୍ ଭାବରେ ରଖିଥିବୁ ।

 

୨୪ ତାରିଖ ସକାଳେ ଶାନ୍ତିନିକେତନରୁ ବାହାରିଲୁ ଆମେ ତିନି ଜଣ,-ଜଣକ ଘର ରାଜପୁତାନା, ଜଣକର ଗୁଜରାଟ ଆଉ ମୁଁ । ରିକ୍ସା ଆସିବାକୁ ଡେରି ହେବାରୁ ସକାଳ ଗାଡ଼ି ଧରି ପାରିଲୁ ନାହିଁ । ଅନ୍ୟଏକ ଗାଡ଼ିରେ ନୂଅଟା ବେଳେ କଲିକତାରେ ପହଞ୍ଚିଲୁ । କଲିକତାରେ କଟି ବା ସମୟତକ ଖାଲି ଟ୍ରାମ ଚଢ଼ି ଚଢ଼ି ଗଲା । ଶାନ୍ତିନିକେତନର ଜଣେ ପୁରାତନ ଛାତ୍ରଙ୍କ ଘରେ ଥିଲୁ । ତା’ ଆରଦିନ ସକାଳେ ସିଆଲଦହ ଷ୍ଟେସନରୁ ସୁରମା ମେଲରେ ବସି ପ୍ରାୟ ୪ଟା୩୦ ବେଳେ ସିରାଜଗଞ୍ଜରେ ପହଞ୍ଚିଲୁ । ବାଟରେ ବଙ୍ଗଦେଶର ପଲ୍ଲୀ ଦୃଶ୍ୟ ବଡ଼ ଚମତ୍କାର । ମାତ୍ର ଲୋକଗୁଡ଼ିକ ରୋଗା, ପିଲାଗୁଡ଼ିକ ପ୍ରାୟ ଅଧିକାଂଶ ମେଲେରିଆ ରୋଗୀ । ଆଖି କୋରଡ଼, ପେଟ ବଡ଼, ମୁହଁ ଉପରେ ଆନନ୍ଦ ଓ ସରସତାର ଚିହ୍ନ ନାହିଁ । ସବୁଠାରୁ ଖରାପ ଲାଗିଲା ଯେ, ଦୂର ଗାଁ ଗଣ୍ଡାର ତୋଟାବଣର ସବୁଜରେଖା ଭେଦ କରି ପ୍ରାୟ ପ୍ରତ୍ୟେକ ଜାଗାରେ ଚାଉଳ କଳ ଓ ଆଉ ଅନ୍ୟ କଳର ଧୂଆଁନଳୀମାନ ଉପରକୁ ଉଠିଯାଇଛି । ଆମ ଦେଶର ଅବସ୍ଥା ସେମିତି, –ଆମେ ପୂରା ସହରି ବା ପୂରା ଗାଉଁଲୀ ନୋହୁ, ଆମ ଦେଶରେ ସହରଜୀବନର ଚଞ୍ଚଳତା ବା ଗ୍ରାମ୍ୟଜୀବନର ପ୍ରଶାନ୍ତତା ନାହିଁ ଆଉ ଏମିତି ଅନେକ ଜାଗାରେ ସହରର କଳକାରଖାନା ଗ୍ରାମଭିତରେ ଭର୍ତ୍ତି କରାଯାଇ ଗାଁର ସ୍ଥିର ବାୟୁମଣ୍ଡଳକୁ ଦଗ୍ଧ କରାଯାଇଛି। ଭାରତର ପ୍ରତ୍ୟେକ ଗାଆଁ ଏମିତି ହେବା ଉଚିତ, ଯେଉଁଠି କି ସହର ପରି ସବୁ ଆବଶ୍ୟକ ସାମଗ୍ରୀ ସୁବିଧାରେ ମିଳିବ, ଅଥଚ ଗାଁ ତା’ର ନିଜ ସୌନ୍ଦର୍ଯ୍ୟ ହରାଇ ବସିବନାହିଁ ।

 

ହଁ, ତା’ପରେ ସିରାଜଗଞ୍ଜଠାରେ ରେଲ୍ ଛାଡ଼ି ଷ୍ଟୀମରରେ ବସିବାକୁ ହେଲା-ବ୍ରହ୍ମପୁତ୍ର ନଈରେ ୧୦ ମାଇଲ୍ ବାଟ ଯିବାକୁ ପ୍ରାୟ ୩ ଘଣ୍ଟା ଲାଗିଲା । ବ୍ରହ୍ମପୁତ୍ର ସହିତ ଏଇ ମୋ’ର ପ୍ରଥମ ଦେଖା । ମାନସରୋବର ପାଖର ପାହାଡ଼–ଜଙ୍ଗଲ-ମୟ ଚଞ୍ଚଳସ୍ରୋତ ବ୍ରହ୍ମପୁତ୍ର ଏଠି କି ସ୍ଥିର, କି ଶାନ୍ତ ! ତା’ପରେ ଜଗନ୍ନାଥଗଞ୍ଜ ଘାଟରେ ଷ୍ଟିମର୍ ଛାଡ଼ି ପୁଣି ରେଲ୍‌ରେ ବସିଲୁ । ହଠାତ୍ ପ୍ଲାଟଫର୍ମରୁ ଓଡ଼ିଆ କଥା ଶୁଣିଲି । ଦୁଇ ତିନିଜଣ ଓଡ଼ିଆ ଭାଇ ଏଠି ଷ୍ଟେଶନରେ ମିଠେଇ ବିକନ୍ତି-। ପେଟପାଇଁ ମଣିଷ କେତେ ଦୂରକୁ ନଯାଏ ! ନିଜ ଦେଶରୁ ଦୂରକୁ ଯିବାକୁ ଅନେକେ ଜୀବନର ସୌଭାଗ୍ୟ ବୋଲି ମନେ କରନ୍ତି । କିନ୍ତୁ, ବିଲାତରୁ ଏଭରେଷ୍ଟ ଆବିଷ୍କାର କରି ଆସିବା ଓ ଓଡ଼ିଶାର ମଫସଲରୁ ଆସାମ ବା ରେଙ୍ଗୁନ୍ ପେଟ ପୋଷି ଆସିବା ଭିତରେ କି ଆକାଶପାତାଳ ଫରକ ରହିଚି ! ବାଟରେ ଗୋଟିଏ ପରିବାର ସହିତ ଦେଖା ହେଲା, ସେମାନେ ପୁରୀତୀର୍ଥରୁ ଧର୍ମ କରି ଫେରୁଥାନ୍ତି । ମାତ୍ର ସେଠି ଥିଲାବେଳେ ଏମାନଙ୍କ ଭିତରୁ ୪ ଜଣ ହଇଜାରେ ମୋକ୍ଷ ପାଇ ଯାଇଛନ୍ତି । ଏହି ସବୁ ସମ୍ମାନହୀନ ଆତ୍ମଦାନ ଓ ଅନ୍ଧ ତୀର୍ଥଯାତ୍ରା ପାଇଁ ବ୍ୟାକୁଳ ହୋଇ ଆମେ ଆସାମ ପହଞ୍ଚି ଯାଇଚୁ । ଦୁଇପାଖରେ ଖାଲି । ବାଉଁଶଗଛର ଗହନ ଜଙ୍ଗଲ । ମଝିରେ ମଝିରେ ଅନେକ ଜାଗାରେ ଚାହାବଗିଚା । ଦେଖବାକୁ ଖୁବ୍ ସୁନ୍ଦର । ୯ଟା ବେଳେ ସିଲେଟ୍ ଷ୍ଟେଶନରେ ପହଞ୍ଚିଲୁ ।

 

ଆମ କ୍ଲାସ୍‌ର ଜଣେ ପିଲା ଷ୍ଟେସନକୁ ଆମକୁ ଆଣିବାକୁ ଯାଇଥିଲା । ସୁରମା ନଈରେ କିଛି ବାଟ ପଟୁଆରେ ଆସିବା ପରେ ତାଙ୍କ ଘରେ ପହଞ୍ଚିଲୁ । ସେ ପିଲାଟିର ବାପା ହେଉଚନ୍ତି ଏଠାକାର ସରକାରୀ କୁଷ୍ଠାଶ୍ରମରେ ଡାକ୍ତର । ତାଙ୍କ ଘରେ ବର୍ତ୍ତମାନ ୨୯ ତାରିଖ ଯାଏ ଅଛୁ-। ...ବାପା ବୋଉଙ୍କୁ ପ୍ରଣାମ ଜଣାଇଦେବୁ ।

 

ସିଲଙ୍ଗ, ୩୦।୪।୪୬

 

ସ୍ନେହର ଦେବ,

 

ଆମର ସବୁ କଳ୍ପନା ବର୍ଷା ବିଗାଡ଼ିଦେଲା । ବର୍ଷା ହେବାରୁ ପ୍ରଥମେ ଚେରାପୁଞ୍ଜି ଯିବା ହୋଇ ପାରିଲାନାହିଁ । ତେଣୁ ଆଜି ସକାଳେ ଆମେ ସିଧା ସିଲଂ ଚାଲିଆସିଲୁ । କାଲି ଉପରବେଳା ମଟରରେ ଚେରାପୁଞ୍ଜି ଯିବୁ । ଆଜି ଏଠାରେ ରାମକୃଷ୍ଣ ମିଶନର ଆଶ୍ରମରେ ରହିବୁ । ଶାନ୍ତିନିକେତନର ଛାତ୍ର ବୋଲି ମାଗଣାରେ ରହିବା ଓ ଖାଇବା ହୋଇଗଲା, ନହେଲେ ସିଲଙ୍ଗ୍ ପରି ମହରଗ ଜାଗାରେ ରହିବା ମୁଷ୍କିଲ ହୋଇଯାଇ ଥା’ନ୍ତା ।

 

ଆଜି ମଟରରେ ସକାଳ ୧୧ ଟା ଠାରୁ ୪ଟା ପର୍ଯ୍ୟନ୍ତ ୫ ଘଣ୍ଟା କାଟିବାକୁ ହେଲା । ସିଲେଟଠାରୁ ସିଙ୍ଗର ଦୂରତା ୮୬ ମାଇଲ । ସିଲଂ ହେଉଚି ଆସାମର ରାଜଧାନୀ । ଏ ଜାଗାର ଉଚ୍ଚତା ପ୍ରାୟ ୫୦୦୦ ଫୁଟ । ତେଣୁ ଖୁବ୍ ଥଣ୍ଡା । ଏଇ ସମୟରେ ଅନେକେ ଏଠାକୁ ଜଳବାୟୁ ପରିବର୍ତ୍ତନ କରିବାକୁ ଆସନ୍ତି । ଏ ସହରର ରାସ୍ତା ଖାଲି ପଡ଼ା ଉଠାରେ ପୂର୍ଣ୍ଣ । କେତୋଟି ଛୋଟ ପର୍ବତର ସମଷ୍ଟି । ଚାରିଆଡ଼େ ପାଇନ୍ ଜଙ୍ଗଲ ଘେରି ରହିଛି ଓ ସବୁ ରାସ୍ତାର କଡ଼ରେ ପାହାଡ଼ି ଝରଣା ବହି ଯାଉଚି । ଭୂମିକମ୍ପ ହୁଏ ବୋଲି ଏଠାରେ ଘରଗୁଡ଼ିକ କାଠରେ ତିଆରି । ଘରର କାନ୍ଥ ଓ ଚଟାଣସବୁ କାଠ। ସହରଟି ଦେଖବାକୁ ଖୁବ୍ ସୁନ୍ଦର । ଖାସିଆମାନେ ହେଉଛନ୍ତି ଏଠାକାର ପ୍ରଧାନ ଅବାସୀ । ଯୁଦ୍ଧ ହେତୁ ମିଲିଟାରୀ ସଂଖ୍ୟା ଅଧିକ । ଏଠାରେ ଅଧିକ ଦିନ ରହିବୁ ବୋଲି ଆମେ ଭାବିବୁ ।

 

ଆଜିକାର ସେଇ ପାଞ୍ଚଘଣ୍ଟାର ମଟରରେ ଆସିବା କେବେହେଲେ ଭୁଲି ହେବନାହିଁ । ସିଲେଟରୁ ୨୫ ମାଇଲ ଆସିବା ପରେ ଜୈନ୍ତିଆ ପର୍ବତଶ୍ରେଣୀ ଆରମ୍ଭ ହେଲା । ଠିକ୍ ତା’ ପୂର୍ବରୁ ଗୋଟିଏ ନଈରେ ଡଙ୍ଗାରେ ବସି ମଟର ଛାଏଁ ପାରି ହେବାକୁ ହେଲା । ନଦୀଟିର ନାମ ସାଇ, –ବର୍ଷାଦିନ ହେତୁ ଦୁଇକୂଳ ଭରି ପାଣି ଚାଲିଛି, ମଝିରେ ସ୍ଥାନୀୟ ବାସିନ୍ଦାଙ୍କର ଚେପ୍ଟା ସାନ ଡଙ୍ଗାଟିମାନ ତୀରବେଗରେ ଛୁଟାଛୁଟି କରୁଛନ୍ତି । ନଈର ଦୁଇପାଖରେ ଜଙ୍ଗଲ । ପର୍ବତଘାଟି ଆରମ୍ଭ ହେବା ପରେ ଘୋର ଜଙ୍ଗଲ । କୋରାପୁଟର ଜଙ୍ଗଲ ଏହା ତୁଳନାରେ କିଛି ନୁହେଁ । ଚାରିଆଡ଼େ ଉଚ୍ଚ ପର୍ବତ ଘେରି ରହିଛି । ତା’ରି ମଧ୍ୟରେ ସୁଡ଼ଙ୍ଗ କାଟି ରାସ୍ତା ଯାଇଚି । କେତେବେଳେ କେଉଁ ଦିଗକୁ ମଟର ଯାଉଚି, ତା’ର ଠିକଣା ନାହିଁ । ଅନେକ ଜାଗାରେ ଦୂରର ଉଚ୍ଚ ପର୍ବତରୁ ଜଳପ୍ରପାତର ଦୃଶ୍ୟ ବଡ଼ ଚମତ୍କାର ଲାଗିଲା । ପର୍ବତର ଶିଖରରୁ ଅପରିମିତ ଜଳରାଶି ଅନବରତ ପଡ଼ି ସୂର୍ଯ୍ୟର କିରଣରେ ଝଲମଲ କରୁଚି । ଏତେ ଦୂରର ଝରଣାରେ ଏତେ ସ୍ପଷ୍ଟ ଓ ଉନ୍ମୁକ୍ତ ରୂପ ମୁଁ କେବେ ଦେଖି ନଥିଲି ।

 

ତା‘ପରେ କିଛି ବାଟ ଗଲା ପରେ ଡାଉକୀ ବୋଲି ଗୋଟାଏ ଜାଗା ପଡ଼ିଲା । ସେଠି ଖୁବ୍ ନିକଟରେ ଗୋଟିଏ ଜଳପ୍ରପାତ ଦେଖବାକୁ ମିଳିଲା । ପ୍ରପାତ ନିକଟରୁ ବାଉଁଶର ପାଇପ୍ ସାହାଯ୍ୟରେ ପାଖ ଗାଆଁମାନଙ୍କୁ ପାଣି ନିଆଯାଉଛି । ଏହି ଜାଗାଟିର ପାଏ ବାଟରେ ଗୋଟାଏ ନଦୀ ଉପରେ ଗୋଟିଏ ଝୁଲା ପୋଲ ରହିଛି । ନଈ ଏତେ ଗଭୀର ଯେ, ରାସ୍ତା ଉପରୁ ଅନାଇଲେ ଆଖ ପାଉନାହିଁ । ସେଠି ଖୁମ୍ବ ପୋତା ହୋଇ ପୋଲ ହୋଇପାରନ୍ତା କୁଆଡ଼ୁ ? ଦୁଇପାଖ ପର୍ବତରୁ ତାର ଦଉଡ଼ି ଲଗା ହୋଇ ନଈ ଉପରେ ଗୋଟିଏ ଝୁଲା ପୋଲ ତିଆରି ହୋଇଚି । ହରଦ୍ୱାର ପାଖ ଲଛମନଖୁଲାର ଝୁଲାପୋଲ ତୁ ଭୂଗୋଳ ବହିରେ ଦେଖିଥିବୁ, –ଏହା ପ୍ରାୟ ଠିକ୍ ସେହିପରି । ପୋଲର ଆରପାଖରେ ବିଶାଳ ବିଶାଳ ପଥରଖଣ୍ଡ ଭିତରେ ଗୁମ୍ଫାମାନ ଦେଖବାକୁ ମିଳିଲା । ସେହି ଗୁମ୍ଫା ଭିତରେ ମଣିଷ ଅଛନ୍ତି । ବୋଧହୁଏ କେହି ସାଧୁସନ୍ନ୍ୟାସୀ । ଜଙ୍ଗଲ ଭିତରେ ପଣସ ଓ କଦଳୀଗଛ ବେଶୀ । ପଣସ ଗଛରେ ଫଳ ଲଦି ହୋଇଛି ।

 

ଏଠାକାର ପାହାଡ଼ୀ ଲୋକଙ୍କର ପୋଷାକ ଅଦ୍ଭୁତ ରକମର । ମରଦମାନେ ପଥର ପରି ଶକ୍ତ । ଦୁଇଟା ବଡ଼ ବଡ଼ ବୋଝ ପିଠିରେ ବୋହି ପାରନ୍ତି । ପ୍ରାକୃତିକ ଅବସ୍ଥା ଅନୁସାରେ ସେମାନେ ସେଇପରି ଆଗରୁ ଗଢ଼ା ହୋଇଚନ୍ତି । ଦେଖିବାକୁ ଗୋରା, ବାଙ୍ଗରା, ଚିଲା ଆଖି,–ଅନେକାଂଶରେ ନେପାଳୀ ଗୁର୍ଗାଙ୍କ ପରି ! ଚାରି ପାଞ୍ଚଖଣ୍ଡ ବତାରେ ଗୋଟିଏ ଛୋଟ ପୋଳୁହପରି କରିଚନ୍ତି; ତା' ଭିତରେ ଯେତେ ବେଶୀ ସମ୍ଭବ ସେତେ ମାଲ ପିଠି ଉପରେ ପକାଇ ସେମାନେ ଏଇ ପର୍ବତ ରାସ୍ତାରେ ଅନାୟାସରେ ଯାଇ ପାରନ୍ତି । କି ଟାଣୁଆ ତାଙ୍କର ଶରୀର !

 

ତା’ପରେ ଜୈନ୍ତିଆ ପର୍ବତ ଶ୍ରେଣୀ ଭିତରେ ଆମ ମଟର ଧୀରେ ଧୀରେ ଉଠିବାକୁ ଲାଗିଲା । ଯେମିତି ହଠାତ୍ ଶୀତଦିନ ଆସିଲା ସେମିତି ମନେ ହେଲା । ଆମେସବୁ ଚାଦର ଘୋରିହୋଇ ବସିଲୁ।ଏଠି ମଧ୍ୟ ଅନେକ ଜାଗାରେ ନିକଟରେ ଓ ଦୂରରେ ଜଳପ୍ରପାତ, ଦେଖିବାକୁ ମିଳିଲା । ମଝିରେ ମଝିରେ ଛୋଟ ଛୋଟ ଖାସି ଗାଆଁ, –କେତୋଟି କାଠଘରର ସମଷ୍ଟି ମାତ୍ର । ପ୍ରତ୍ୟେକ ଘର ଚାରିପାଖରେ ଗୋଟିଏ ଲେଖାଏଁ ଛୋଟ ବଗିଚା । ଗୃହପାଳିତ ପଶୁ ଭିତରେ ଗୋରୁ, ଛେଳି ଓ ଘୋଡ଼ା । ଖାସିଆ ପିଲାଗୁଡ଼ିକ କେଡ଼େ ସ୍ୱାସ୍ଥ୍ୟବାନ୍, ଦେଖିବାକୁ କି ସୁନ୍ଦର ! ପର୍ବତର ଚାରିଆଡ଼େ ଜଙ୍ଗଲ ଭିତରେ ଯେଉଁଠି ଚାଖଣ୍ଡେ ଜାଗା ଅଛି, ସେଠି ସେମାନେ ଚାଷ କରିଚନ୍ତି । କେବଳ ଆଳୁ । ଆଳୁ ବୋଧହୁଏ ସେମାନଙ୍କର ଭାତ ପରି । ବାଟଯାକ ହଜାର ହଜାର ଆଳୁଖେତ ଆମେ ଦେଖି ଆସିଲୁ । ଆମେ ଆହୁରି ଉଚ୍ଚକୁ ଉଠିବାକୁ ଲାଗିଲୁ । କ୍ରମେ କ୍ରମେ ଥଣ୍ଡା ବେଶୀ ହେଲା । ପିନୁରସଲା ବୋଲି ଗୋଟିଏ ଜାଗାରେ ମଟର ପ୍ରାୟ ଦେଢ଼ଘଣ୍ଟା ରହିଲା । ଏଠାରେ ଉଚ୍ଚତା ୪୩୯୬ ଫୁଟ୍ ।

 

ପାଖରେ ଅନେକ ଝରଣା ଅଛି । ଆମେ ଏହି ସମୟ ଭିତରେ ଗୋଟିଏ ଛୋଟ ମୁଣ୍ଡିଆ ଉପରକୁ ଉଠି ଚାରିଆଡ଼ର ଦୃଶ୍ୟ ଦେଖିଲୁ । କି ସୁନ୍ଦର ! ମନ ଯେପରି ସବୁ ଦଉଡ଼ି ଛିଣ୍ଡାଇ କୁଆଡ଼େ ପଳାଇଲା । ଏ ସଂସାରରେ ଯେ ଖାଇବା ଚିନ୍ତା, ପିନ୍ଧିବା ଓ ଘର କରି ରହିବା ଚିନ୍ତା ରହିଚି, ଏସବୁ ସେଇ ସମୟତକ ମନ ଭିତରୁ ଏକାବେଳକେ ପୋଛି ହୋଇଗଲା । ଚାରିଆଡ଼ ତୁଙ୍ଗ ଶିଖରମାନ, ମଝିରେ ମଝିରେ ଉପତ୍ୟକାମାନ, –ସେଇ ଉପତ୍ୟକା ଦେଇ ଅନେକ ତଳେ ଗୋଟିଏ ପାହାଡ଼ିଆ ନଈ ବଙ୍କେଇ ହୋଇ ବହିଯାଇଛି । ଗୋଟାଏ ପାଖରେ ଖରା, ଆର ପାଖରେ ଛାଇ । ସମସ୍ତ ଉପତ୍ୟକାଟି ଯେପରି ହୀରାପରି ଜକଜକ କରୁଛି । ଆମେ ଆହୁରି ଉପରକୁ ଉଠିଲୁ-। କ୍ରମେ ଗଛଲତା ବଦଳିବାକୁ ଲାଗିଲା । କେବଳ ମୁନିଆଁ ପତରବାଲା ଗଛ ଓ ଶିଉଳୀଜାତୀୟ ଗଛ । ତା’ପରେ ଖାଲି ପାଇନଜାତୀୟ ଜଙ୍ଗଲ । ଚାରିଆଡ଼ର ପର୍ବତ ଆବୃତ କରି ମୁନିଆ ହୋଇ ଉପରକୁ ଉଠି ଯାଇଥିଲା । ବୋଧ ହେଲା ଆମେ ଯେପରି କାନାଡ଼ାର ଉତ୍ତରଭାଗ ଦେଇ ଯାଉଛୁ-

 

ଆଜି ଆକାଶଯାକ ମେଘ ! ମାତ୍ର ବର୍ଷା ନାହିଁ । ଆମ ମଟରର ରାସ୍ତା ତଳେ ଛୋଟ ବଡ଼ ମେଘ ଉଡ଼ି ଯାଉଚନ୍ତି । ଅନେକ ଜାଗାରେ ଗୋଟାଏ ପାଖ ମେଘଦ୍ୱାରା ବୁଡ଼ି ରହିଚି ଓ ରାସ୍ତାର ଆଉଗୋଟାଏ ପାଖ ଆଲୁଅରେ ଝଲମଲ କରୁଛି । ମେଘ ଭିତର ଦେଇ ମୁଁ କେବେ ଅତିକ୍ରମ କରି ନଥିଲି । ଏଇଥର ଆସିଲାବେଳେ ଆମର ମଟର ପ୍ରାୟ ଦଶାଧିକ ବାର ଉଡ଼ା ମେଘ ଭିତରେ ଯାଇଚି । ଆଖିକୁ ଦିଶୁଥାଏ, ଆମେ ଯେପରି ଉଡ଼ା ମେଘ ଭିତର ଦେଇ ଯାଉଚୁ। ମେଘ ଭିତର ଦେଇ ଗଲାବେଳେ ଦେହ ଥରି ଉଠୁଥାଏ । ତା’ପରେ ଧୀରେ ଧୀରେ ସିଲଂ ପହଞ୍ଚିଲା। ହଜାରିବାଗଠାରୁ ଆହୁରି ବେଶୀ ଥଣ୍ଡା । ହାତ ଗୋଡ଼ ସବୁ କାଲୁଆ ହୋଇଯାଉଚି ।

 

ଆଶା କରେ ଆମ ଘରେ ସମସ୍ତେ ଭଲ ଅଛନ୍ତି । ପିଲାମାନଙ୍କୁ ମୋ’ର ସ୍ନେହ ଜଣାଇଦେବୁ । ବାପା ଓ ବୋଉକୁ, ଆଉବୋଉ ଏବଂ ମାଉସୀକୁ ନମସ୍କାର ଦେବୁ । ବୋଉକୁ କହିବୁ ବ୍ୟସ୍ତ ହେବନାହିଁ, ମୁଁ ଅତି ଶୀଘ୍ର ଗାଁରେ ପହଞ୍ଚିଯିବି । ...ମୋ’ର ସ୍ଵାସ୍ଥ୍ୟ ଖୁବ୍ ଭଲ ଅଛି । ଆମ ଗାଁ’ରେ ଅସହ୍ୟ ଗରମ ହେଉଥିବ । ମାତ୍ର ଏଠି ହାଡ଼ଭଙ୍ଗା ଶୀତ । କବାଟ ଝରକା ନିବୁଜ କରି କିଳିବାକୁ ହେଉଚି...ମୋ’ ପାଇଁ ଯେପରି ଘରେ ବ୍ୟସ୍ତ ନହୁଅନ୍ତି ।

 

ଚେରାପୁଞ୍ଜି, ୩।୪।୪୬

 

ସ୍ନେହର ଦେବ,

 

ସକାଳୁ ସିଲଂଠାରୁ ବାହାରିଥିଲୁ । ମଟରରେ ଆସି ପ୍ରାୟ ୧୦ଟା୩୦ ବେଳେ ଏଠାରେ ପହଞ୍ଚଲୁ । ରାସ୍ତାରେ ସେଇପରି ଦୃଶ୍ୟ, –ଅଗଣିତ ଜଳପ୍ରପାତ । ଗୋଟାଏ ଜାଗାରେ ଦୁଇଧାଡ଼ି ଉଚ୍ଚ ପର୍ବତ, ମଝିରେ ଉପତ୍ୟକା । ଝାଉଁ ଜଙ୍ଗଲ, ଆଉ ସବୁରି ତଳକୁ ଗୋଟିଏ ଛୋଟ ଝରଣା । ବଙ୍କେଇ ବଙ୍କେଇ ଚାଲି ଯାଇଛି ।;ତେବେଳେ ଖରା ପଡ଼ୁଚି, ଗୋଟାଏ ପାଖ ଚକ୍ ଚକ୍ କରୁଛି, ଆଉ ଗୋଟାଏ ପାଖ ଅନ୍ଧାର । ଆଜି ମଧ୍ୟ ଆମ ମଟର ଦୁଇ ତିନିଟା ଜାଗାରେ ମେଘ ଭିତର ଦେଇ ଅତିକ୍ରମ କଲା । ସେତେବେଳେ କି ଥଣ୍ଡା ! ଚଦରରେ କାନ ଓ ମୁଣ୍ଡ ବନ୍ଦ କରି ବସିବାକୁ ହେଉଥାଏ । ଆଜିକାର ମଟର ରାସ୍ତାଟି ଯେତିକି ସୁନ୍ଦର ସେତିକି ଭୟଙ୍କର । ରାସ୍ତାରୁ ମଟର ଯଦି ଏପାଖ ସେପାଖ ହୋଇଯାନ୍ତା, ତେବେ ଆମର ଦଶା ଯେ କ’ଣ ହୁଅନ୍ତା, ତାହା କଳ୍ପନାତୀତ । ଚେରାପୁଞ୍ଜର ବାର୍ଷିକ ବୃଷ୍ଟି ହେଉଚି ୫୦୦ ଇଞ୍ଚ, ତୁ ତ ଜାଣୁ । ଆକାଶଟା ସବୁବେଳେ ମେଘାଚ୍ଛନ୍ନ-। ମଝିରେ ମଝିରେ ସମସ୍ତ ଆବେଷ୍ଟନୀକୁ ଉଦ୍‌ଭାସିତ କରି ଖରା ପଡ଼ିଯାଉଚି । ଉଡ଼ନ୍ତା ମେଘସବୁ ଅଦୂରରେ ଭାସି ଭାସି ଚାଲିଚି । ଖୁବ୍ ବେଶୀ ହେଲେ ପୁରୁଷେ ଉଚ୍ଚରେ । ଅସରାକୁ ଅସରା ମେଘ ଆସୁଛି । ପୁଣି ଖରା ପଡ଼ୁଚି, ପର୍ବତ, ଗଛ ଓ ପତରର ସଦ୍ୟସ୍ନାତ ଦେହଟି ସୁନେଲୀ ଆଲୋକରେ ଝିଲିମିଲି ହେଉଚି । ଖାଲି ଆଲୋକ ଓ ଛାୟାର ଖେଳ;–କ୍ଷଣକ ପାଇଁ ବିରାଟ ବିଶ୍ଵସୌନ୍ଦର୍ଯ୍ୟର ନୟନଭରା ଆତ୍ମପ୍ରକାଶ, ପୁଣି କ୍ଷଣକ ପାଇଁ ଗଭୀର କୁହେଳି ଓ ରହସ୍ୟ, –ବାଦଲଘେରା ଅନ୍ଧକାର । ଆମ ତେଲଲୁଣର ସଂସାରଟା ଅନେକ ପରିମାଣରେ ଏମିତି ନୁହେଁ କି-?

 

ଏଠା ରାମକୃଷ୍ଣ ମିଶନ୍‌ର ଅଧକ୍ଷ ଜଣେ ମାନ୍ଦ୍ରାଜୀ–ଏଠି ଖାସିମାନଙ୍କ ପାଇଁ କରାଯାଇଥିବା ଗୋଟିଏ ହାଇସ୍କୁଲର ପ୍ରଧାନ ପରିଚାଳକ । ଆମକୁ ଦେଖି ସେ ଅତିଶୟ ଖୁସୀ ହେଲେ, ସଙ୍ଗେ ସଙ୍ଗେ ଚାହା ଓ ପାଉଁରୁଟି ଜଳଖିଆ ହେଲା । ତା’ପରେ ନିକଟରେ ଗୋଟିଏ ଝରଣାକୁ ଗାଧୋଇବାକୁ ଗଲୁ । ପ୍ରାୟ ୨୦୦ ଫୁଟ ତଳକୁ ଯିବାକୁ ହେଲା । ଗହନ ଜଙ୍ଗଲ ଗଛଡାଳରେ ଶିଉଳୀ ପଡ଼ିଯାଇଚି । ପଥର ଉପରେ ସନ୍ତସନ୍ତିଆ ଘାସ ସବୁ ବଢ଼ିଚି । ମଝିରେ ମଝିରେ ବର୍ଷା ଓ ଖରା ହୋଇ ଚାଲିଚି । ଲୁହା ନଳ ବସାହୋଇ ପାଣି ଗୋଟାଏ ଜାଗାରେ ପଡ଼ୁଚି-। ଓହ୍ଲାଉ ଓହ୍ଲାଉ ବାଟରେ ଦେଖିଲି ଦୁଇଟି ଖାସି ସ୍ତ୍ରୀ । ସେଇ ଝରଣା ପାଖରୁ ଦୁଇ ଟିଣ ପାଣି ଆଣୁଚନ୍ତି । ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଆମେ ଯେଉଁଠି ଉଠୁ ଉଠୁ ଧଇଁସଇଁ ହୋଇଯାଉଚୁ, ଦୁଇଟି ସ୍ତ୍ରୀ ଲୋକ ଘଣ୍ଟା ଘଣ୍ଟା ଧରି ସେଠି ଭାର ଭାର ପାଣି ଉଠାଉଚନ୍ତି । ଏଠାକାର ଏଇ ସ୍ତ୍ରୀଲୋକମାନେ ମଣିଷ, ଆଉ ଆମେ ମଧ୍ୟ ମଣିଷ । ଏମାନେ କାମ କରୁଚନ୍ତି, ଖାଉଚନ୍ତି-। ପୃଥିବୀର ବଡ଼ ବଡ଼ କଥା ଏମାନେ ଜାଣନ୍ତି ନାହିଁ । ଗହନ ଜଙ୍ଗଲ ଭିତରେ, ସଭ୍ୟତାର ବହୁ ଦୂରରେ ଥାଇ ମଧ୍ୟ ଏମାନେ ସୁଖରେ ଅଛନ୍ତି; ମାତ୍ର ଆମେ, ରେଡ଼ିଓ, ସିନେମା, ହୋଟେଲ ଓ କଲେଜ ଭିତରେ ଥାଇମଧ୍ୟ ଯଦି ଆମେ ସନ୍ତୋଷ ପାଇ ନପାରିଲୁ, ତେବେ ସେ ପ୍ରାସାଦରେ ଲାଭ କ’ଣ ?

 

(ଆମେ) ଚାରିଦିନ ପରେ ଆନନ୍ଦରେ ଝରଣାଟିରେ ଗାଧୋଇଲୁ । କେତେ ତଳକୁ ଯେ ଝରଣାଟି ଯାଇଚି ତା’ର ପତା ନାହିଁ । ତାପରେ ଗାଧୋଇ ସାରି ସ୍କୁଲପିଲାଙ୍କ ସହିତ ଏକାଠି ବେଞ୍ଚରେ ବସି ଖାଇଲୁ । ଖାସି ପିଲାଗୁଡ଼ିକଙ୍କୁ ଦେଖି ମନେ ହେଲା, ପୃଥିବୀର କେତେ ଲୋକ ଏମିତି ଅବହେଳିତ ହୋଇ ରହିଚନ୍ତି, ସଭ୍ୟତା ଓ ଶିକ୍ଷାର ଅଭିମାନ କରି ଆମେ ଏତେଗୁଡ଼ିଏ ମଣିଷଙ୍କଠାରୁ କେତେ ଦୂରକୁ ଚାଲି ନଯାଇଚୁ ! ସଭ୍ୟ ମଣିଷ ହୁଏତ ମଙ୍ଗଳଗ୍ରହକୁ ଯିବାକୁ ଇଚ୍ଛା କରୁଚି, ଏଭରେଷ୍ଟ ଉପରକୁ ଧାଇଁ ଧାଇଁ ମରୁଚି ତା’ ଭିତରର ରହସ୍ୟ ବୁଝିବା ପାଇଁ । ମାତ୍ର, ଏତେ ପାଖର ମଣିଷକୁ ଯେ ଅବହେଳା କରାଯାଉଚି, ତାକୁ ଚିହ୍ନିବା ପାଇଁ, ତାକୁ ନିଜର କରିବା ପାଇଁ କେହି ଯେ ଚେଷ୍ଟା କରୁନାହିଁ, ସେହି ମଣିଷ ଭିତରେ କ’ଣ କିଛି ରହସ୍ୟ ନାହିଁ ? ତା’ଭିତରେ କ’ଣ ରତ୍ନ ନାହିଁ ? ସଭ୍ୟ ଶିକ୍ଷିତ ମଣିଷ ଟଙ୍କାପଇସା ଖରପ କରି ଆନନ୍ଦର ଉତ୍ସବ କରୁଛି, ସାହିତ୍ୟ । ଓ ସଂସ୍କୃତିର ଦପ୍ତର ଖୋଲି ବସୁଚି, ମାତ୍ର ଏଣେ ଯେ କେତେଗୁଡ଼ିଏ ମଣିଷଙ୍କୁ ସେ ବଞ୍ଚିତ କରି ରଖୁଚି, ଏକଥା ସେ ବୁଝି ପାରୁନାହିଁ କାହିଁକି ? ସବୁ ମଣିଷ ଯଦି ଏକ ହୋଇ ପାରନ୍ତେ, ସମସ୍ତେ ଯଦି ପୂର୍ଣ୍ଣ ବିକାଶର ସୁଯୋଗ ପା’ନ୍ତେ, ତେବେ ଏଇ ଆନନ୍ଦ ଉତ୍ସବ, ଏଇ ମିଳନ କ’ଣ ଆହୁରି ବେଶୀ ସୁମଧୁର ହୋଇ ଉଠନ୍ତା ନାହିଁ ?

 

ସିଲଂ, ୫।୫।୪୬

 

.....ଶେଷକୁ ରାମକୃଷ୍ଣ ମିଶନରୁ ଲବନ୍ ବୋଲି ସହରର ଆଉ ଗୋଟିଏ ଅଞ୍ଚଳକୁ ପ’ରିଦିନଠାରୁ ଆସିଚୁ । ଆମ ଭିତରୁ ଜଣକର ଦେହ ଟିକିଏ ଅସୁସ୍ଥ ହୋଇପଡ଼ିଛି । ପଅରିଦିନ ସହରଠାରୁ ୩ ମାଇଲ ଦୂର ବିଡ଼ନ୍ ନାମକ ଜଳପ୍ରପାତ ଦେଖିବାକୁ ଯାଇଥିଲୁ । ଆମେ ରାସ୍ତା ଜାଣି ନଥିବାରୁ ଦୁଇ ମାଇଲ୍ ଅଧିକା ଘୂରି ପ୍ରପାତର ଓଲଟା ଦିଗରେ ପହଞ୍ଚିଲୁ । ଭୀଷଣ ଜଙ୍ଗଲ, ଖାଲି ଝାଉଁଗଛ । ଛୋଟ ଗୋଟାଏ ଜଙ୍ଗଲି ରାସ୍ତା ଧରି ପ୍ରପାତ ଦିଗକୁ ଚାଲିଲୁ । କିଛି ସମୟ ପରେ ରାସ୍ତା ଦେଖାଗଲା ନାହିଁ । ତଥାପି ପ୍ରପାତର ସ୍ଥାନଟି ସେଠାରୁ ପ୍ରାୟ ୩୦୦ ଗଜ ତଳେ । କିପରି ଓହ୍ଲାଇବୁ ଏଇ ଚିନ୍ତା । ଜୋତାକୁ ଚାଦର ଦେଇ ଅଣ୍ଟାରେ ବାନ୍ଧିଲୁ । ଝାଉଁଗଛର ପଚା ପତର ପଡ଼ି ରାସ୍ତା ଖୁବ୍ ଖସଡ଼ା, ଆମକୁ ପୁଣି ଅବାଟରେ ତଳକୁ ଓହ୍ଲାଇବାକୁ ହେବ । ସାହସ କରି ଝାଉଁଗଛ ଧରି ଧରି ବସି ବସି ତଳକୁ ଖସିଲୁ । ତଥାପି ଗୋଟାଏ ଜାଗାରେ ଗୋଟାଏ ଉଗ୍ର ପଥର ଉପରୁ ଏକାବେଳକେ ତଳକୁ ଡେଇଁବାକୁ ହେଲା । ତା'ପରେ ଠିକ୍ ଝରଣାର ସେଇ ସ୍ଥାନରେ ପହଞ୍ଚିଲୁ ଯେଉଁଠାରେ ପ୍ରପାତ ଆରମ୍ଭ ହୋଇଛି । ସେଠି କିଛି ସମୟପାଣି ଭିତର ପଥର ଉପରେ ବସି ପୁଣି ଆରପାଖ ଉପରକୁ ଉଠିଲୁ । ଖୁବ୍ କଷ୍ଟ ଲାଗିଲା, ଖୁବ୍ ଆନନ୍ଦ ଓ ଅଭିଜ୍ଞତା ମଧ୍ୟ ମିଳିଲା-

 

ଲବନ୍ ରେ ଯାହା ଘରେ ଅଛୁ, ସେ ଜଣେ ହାଇସ୍କୁଲର ମାଷ୍ଟର ଏବଂ ଏଠିକାର ପିଲାମାନଙ୍କର ମଣିମେଳା ଅନୁଷ୍ଠାନର ପରିଚାଳକ । କାଲି ସକାଳ ତମାମ୍ ବର୍ଷା । ମଝିରେ ମଝିରେ ବର୍ଷା ଓ ଖରା ଉଭୟ ଦେଖିବାକୁ ମିଳେ । ଘରର ଚାରିଆଡ଼ର ଟିଣ ଛାତଗୁଡ଼ାକ ଜକ ଜକ କରେ । ଲବନ୍ ବସ୍ତିଟି ଗୋଟିଏ ପାହାଡ଼ ଉପରେ । ସହରର ବୋଧହୁଏ ଉଚ୍ଚତମ ଜାଗା । ତେଣୁ ଖୁବ୍ ଶୀତ ହେଉଛି । ରାତିରେ ଯେଉଁଦିନ ଲବନ୍ ଆସିଲୁ, ବସ୍ତିର ବିଜୁଳି ଆଲୁଅଗୁଡ଼ିକ ଅନ୍ଧାର ଭିତରେ ଶହ ଶହ ତାରା ପରି ମନେହେଲା । ଏତେ ଉଚ୍ଚରେ ଯେ ମଣିଷ ଘରବାରି କରି ରହିପାରେ ମୁଁ ପ୍ରଥମେ କଳ୍ପନା କରି ପାରିଲି ନାହିଁ । ଘରୁ ଥରେ ବଜାର ଆସିଲେ ଯଥେଷ୍ଟ ବ୍ୟାୟମ ହୋଇଯାଏ । କାଲି ଏକାଥରେ ଖାଇ ୨ଟା ବେଳେ ବାହାରିଲୁ ବୁଲିବାକୁ । ଜେଲ୍, ଗଲ୍‌ଫ୍‌ ଖେଳିବାର ପଡ଼ିଆ ଓ ପୋଲୋ ପଡ଼ିଆ ଦେଖିଲୁ ! ଖୁବ୍ ସୁନ୍ଦର,–ପର୍ବତର ପାଦଦେଶରେ ଗାଢ଼ ସବୁଜ ରଙ୍ଗର ନିଖୁଣ ଗାଲିଚା ପରି ଗୋଟିଏ ନୁଆଁଣିଆ ପଡ଼ିଆ । ରାସ୍ତାଗୁଡ଼ିକ ସାପ ପରି ବକେଇ ବଙ୍କେଇ ଉଠିଯାଇଚି । ମଝିରେ ମଝିରେ ରଙ୍ଗ ଟିଣଛାତର ଘର ଚାରିପାଞ୍ଚଟି । ଆସିଲାବେଳେ ଏଠାକାର କେତେଜଣ ମଣିମେଳା ସଦସ୍ୟଙ୍କ ସହିତ ଆଳାପ ହେଲା । ରାତିରେ ଦୁଇଟି ପିଲାଙ୍କ ସହିତ ନାନା ବିଷୟରେ କଥାବାର୍ତ୍ତା ହେଲା । କାଲି ଗୋଟିଏ ଖାସି ଘରକୁ ଯିବାର ସୁଯୋଗ ମିଳିଥିଲା ।

 

ଏମାନେ ଗୋଟାଏ ଅଦ୍ଭୁତ ଜାତି । ଏମାନଙ୍କର ସମାଜ ହେଉଛି ମାତୃପ୍ରଧାନ । ସେମାନଙ୍କ ଘରକୁ ଗଲାକ୍ଷଣି ସେମାନେ ପାନଗୁଆ ଖାଇବାକୁ ଦେଲେ । ସେମାନଙ୍କର ବ୍ୟବହାରଗୁଡ଼ିକ ବଡ଼ ମଧୁର, ଖୁବ୍ ସହଜରେ ସେମାନେ ବିଦେଶୀଙ୍କ ସହିତ ମିଶି ପାରନ୍ତି । ଘରର ପ୍ରତ୍ୟେକ ଜିନିଷଟିକୁ ଆଖି ପକାଇଲେ ସେମାନଙ୍କର ମାର୍ଜିତ ରୁଚିର ପରିଚୟ ମିଳେ । କପ୍ ପିଆଲାଠାରୁ ଆରମ୍ଭ କରି ଲୁଗାପଟା ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷଟି ତା’ର ଉଚିତ ଜାଗାରେ ରଖା ହୋଇଛି । ଆମେ ଖାଲି ବାହାର ବୈଠକଖାନାଟିକୁ ସଜାଉ ସିନା, ମାତ୍ର ଏମାନଙ୍କର ବାହାର ଭିତର ସବୁ ସମାନ । ଏମାନଙ୍କର ଭାଷା ଚୀନ ଭାଷାର ଉଚ୍ଚାରଣ ପରି । ଆଗେ ଏମାନେ ଖୁବ୍ ପଛରେ ପଡ଼ିଥିଲେ । ଏବେ ପ୍ରାୟ ସବୁ ଖାସି ଖ୍ରୀଷ୍ଟିଆନ ହୋଇ ଯାଇଚନ୍ତି ଏବଂ ସେମାନଙ୍କ ଭାଷାରେ ସ୍କୁଲ ବସୁଚି । ସେମାନଙ୍କର ନିଜ ଭାଷାର ଅକ୍ଷର ନାହିଁ, ତେଣୁ ଇଂରେଜୀ ଭାଷାର ଲିପିରେ ସେମାନଙ୍କର ଭାଷା ସେମାନଙ୍କୁ ଶିକ୍ଷା ଦିଆଯାଏ । ଖାସିମାନଙ୍କର ପୋଷାକ ଗୋଟାଏ ବିଚିତ୍ର ରକମର । ଗାଁକୁ ଗଲେ ଭଲ କରି ତୁମମାନଙ୍କୁ ମୋ’ର ଅଭିଜ୍ଞତା କଥା କହିପାରିବି । ପ’ରିଦିନ ଆମେ ଏଠାରୁ ଗୌହାଟୀ ଯିବୁ । ମୁଁ ଘରଠାରୁ କେତେ ଦୂରରେ, କୌଣସି ଖବର ପାଇ ପାରୁନାହିଁ । ଏସବୁ ଭାବିଲାବେଳକୁ କେମିତି କେମିତି ଲାଗୁଚି ।

 

ପିଲାମାନଙ୍କୁ ମୋ’ର ସ୍ନେହ ଜଣାଇଦେବୁ ।

 

ଗୌହାଟି, ....।୫।୪୬

 

ଚେରାପୁଞ୍ଜିରେ ଆମେ ଦୁଇଟି ଦିନ ଖୁବ୍ ଆନନ୍ଦରେ କଟାଇଲୁ । ସେ ଜାଗାଟି ଏତେ ଉଚ୍ଚ ଯେ, ମେଘ ଉଡ଼ି ଉଡ଼ି ଆମ ଘରଭିତର ଦେଇ ଭାସି ଯାଉଥାଏ । ଉପରବେଳା ତମାମ ସେଠା ହାଇସ୍କୁଲର ଖାସି ପିଲାମାନଙ୍କ ସହିତ କ୍ୟାରମ୍ ଖେଳିଲି । ସଂଜବେଳକୁ ଗୋଟିଏ ପିଲାକୁ ସାଙ୍ଗରେ ନେଇ ସେଠାରୁ ତିନିମାଇଲ୍ ଦୂର ଗୋଟିଏ କୋଇଲା: ଖଣି ଦେଖିବାକୁ ଗଲୁ । ବାଟରେ ropeway station ଦେଖୁଲୁ । ପର୍ବତ ଓ ଜଙ୍ଗଲ ଭିତର ଦେଇ ତାର ଉପରେ ଏଠାରେ ଜିନିଷ (ବିଶେଷ କରି କୋଇଲା ଓ ଆଳୁ) ସରବରାହ କରାଯାଏ । ରାତିରେ ପିଲାଙ୍କ ସହିତ ଆଳାପ ଆଲୋଚନା ହେଲା। ଅନେକ ଗୀତ ଶୁଣିଲୁ ଓ ଶୁଣାଇଲୁ ।

 

ତା’ଆରଦିନ ବଡ଼ି ସକାଳୁ ଏଠାରୁ ୫ ମାଇଲ ଦୂର ମୁସ୍‍ମାଇ ଜଳପ୍ରପାତ ଦେଖିଲୁ। ସେଠାରେ ଗୋଟିଏ ବିରାଟ ଗୁମ୍ଫା ମଧ୍ୟ ଅଛି । ମଶାଲ ଦୁଇଟା ଧରି, ଅନେକ ଜାଗାରେ ଆଣ୍ଠେଇ ଆଣ୍ଠେଇ ଭିତରକୁ ଯାଇଥିଲୁ । ପ୍ରାୟ ୪୦ ଫୁଟ ଭିତରକୁ । ଆଉ ଗଲୁନାହିଁ । ତା’ଭିତରେ ପ୍ରାକୃତିକ ଉପାୟରେ ପଥର ଦେହରେ କେତେ ରକମର କାରୁକାର୍ଯ୍ୟ ହେଲାପରି ହୋଇଛି । ଭୂଗୋଳରେ ଏସବୁର ନାମ stalactites ଓ stalagmites-ସେଠାରୁ ଫେରି ସ୍ୱାମୀଜୀଙ୍କ ସହିତ ସେଠା ସ୍କୁଲ ବିଷୟରେ ଅନେକ ଆଳାପ ହେଲା। ତା'ପରେ ପୁଣି ମଟରରେ ପ୍ରାୟ ୫ଟା ବେଳେ ସିଲଂରେ ପହଞ୍ଚିଲୁ । ଆଜି ବଡ଼ି ଭୋରୁ ମଟରରେ ଆସି ବର୍ତ୍ତମାନ ଗୌହାଟୀରେ ପହଞ୍ଚିଲୁ-। ଏହା ସିଲଂଠାରୁ ୬୩ ମାଇଲ୍ ଦୂର । ବାଟରେ ଗହନ ଜଙ୍ଗଲ । ସିଲଂର ଜଳବାୟୁର ସଂପୂର୍ଣ୍ଣ ବିପରୀତ ।

 

ଏଠାରେ ଠିକ୍ ଆମରି ଆଡ଼ ପରି ଗରମ । ସିଲିଂରେ ଆଳୁ ଓ ବନ୍ଧାକୋବି ଛଡ଼ା ସବୁ ମହରଗ । ଆମ ଘର ଭାତରନ୍ଧା ହାଣ୍ଡି ପରି ଗୋଟିଏ ମାଟିହାଣ୍ଡିର ଦାମ୍ ଅତି କମ୍‌ରେ ସାଢ଼େ ତିନି ଟଙ୍କା ହେବ । ଯଦି ଆମକୁ ମାଗଣା ଖାଇବାକୁ ମିଳି ନଥାନ୍ତା, ତେବେ ଆମେ ଯେ କ’ଣ କରିଥାନ୍ତୁ, କିଛି କହି ହେଉନାହିଁ । ଆଜି ଆଉ ଟିକିଏ ଗଲେ ଏଠାରୁ ଦୁଇମାଇଲ୍ ଦୂର କାମାକ୍ଷା ତୀର୍ଥ ଦେଖିବାକୁ ଯିବୁ । ଗୌହାଟୀ ସହରଟି ବ୍ରହ୍ମପୁତ୍ର ନଦୀର ଠିକ୍ ତୀରରେ ।

 

ବାପା ଓ ବୋଉଙ୍କୁ ମୋ’ର ପ୍ରଣାମ ଜଣାଇଦେବୁ । ବୋଉ ଯେପରି କୌଣସିପ୍ରକାରେ ବ୍ୟସ୍ତ ନହୁଏ । ସେମାନଙ୍କର ସ୍ନେହ ଓ ଆଶୀର୍ବାଦ ନେଇ ମୁଁ ନିରାପଦରେ ଘରେ ଯାଇ ପହଞ୍ଚିଯିବି-। କେଉଁଠି ଟିକିଏ ହେଲେ ଅସୁବିଧା ହେବନାହିଁ । ସବୁ ଭାଉଜଉ, ମାଉସୀ ଓ ଆଉ ବୋଉକୁ ମୋ’ର ନମସ୍କାର ଦେବୁ । ....ଆଚ୍ଛା...

 

ତେଜପୁର, ୧୫।୫।୪୬

 

ସ୍ନେହର ଦେବ,

 

ପ୍ରଥମେ ମୋ’ର ସ୍ନେହ ନେବୁ । ନଓଗାଁରେ ୮ ଦିନ ରହିଲା ପରେ କାଲି ରେଲ୍ । ଯୋଗେ ୪୫ ମାଇଲ ଓ ତା’ପରେ ଡଙ୍ଗା କରି ୧୦ ମାଇଲ ବ୍ରହ୍ମପୁତ୍ରରେ ଆଜି ତେଜପୁରରେ ପହଞ୍ଚିଲି । କାଲି ସକାଳ ୮ଟାରେ ଜାହାଜରେ ଗୌହାଟୀ ହୋଇ ଅମିନଗାଁଓ ବୋଲି ଗୋଟାଏ ଜାଗାକୁ ଯିବାକୁ ହେବ । ସେଇଠୁ ରେଲ୍ ଧରି ମୋତେ ଦିନାଜପୁର ଯିବାକୁ ହେବ । ଅମିନ୍‌ ଗାଓଁ ଠାରୁ ଦିନାଜପୁର ୨୭୫ ମାଇଲ୍ । ସେଠାରେ ପହଞ୍ଚିଲା । ସଙ୍ଗେ ସଙ୍ଗେ ତୋ’ପାଖକୁ ଚିଠି ଦେବି-। ଏବଂ, ଯେତେଦୂର ସମ୍ଭବ, ୨୩ ବା ୨୪ ତାରିଖରେ ଗାଁରେ ପହଞ୍ଚିଯିବି ।

 

ତେଜପୁର ସହରଟି ବ୍ରହ୍ମପୁତ୍ର କୂଳରେ । ଗୋଟିଏ ଖୁବ୍ ଛୋଟିଆ ପାହାଡ଼ ଉପରେ । ଏଠିକା ରାସ୍ତାଗୁଡ଼ାକ ଖାଲି ଉଠାଣି। ଏତେ ବୁଲି ବୁଲି ବଡ଼ ଦୁର୍ବଳ ଲାଗିଲାଣି । ଏକବାରେ ଝଡ଼ିଗଲିଣି । ବାପା ଓ ବୋଉକୁ ମୋ’ର ପ୍ରଣାମ ଜଣାଇଦେବୁ । ବୋଉ ନିଶ୍ଚୟ ଖୁବ୍ ବ୍ୟସ୍ତ ହେଉଥିବ । ନିଶ୍ଚୟ ଖୁବ୍ ଅଳ୍ପଦିନ ଭିତରେ ମୁଁ ଘରେ ପହଞ୍ଚିଯିବି ।

 

ଆଚ୍ଛା

ତୋ’ର

ଚିତ୍ତଭାଇ

 

ବାହାନ୍‍, ୧୮।୫।୪୬

 

ସ୍ନେହର ଦେବ,

 

ପ୍ରଥମେ ମୋ’ର ସ୍ନେହ ନେବୁ ଓ ବାପା ଓ ବୋଉଙ୍କୁ ମୋ’ର ପ୍ରଣାମ ଦେଇ ଦେବୁ । କାଲି ସକାଳ ୯ଟାରେ ଆସାମ ମେଲରେ ଆସି ଏଠାରେ ପହଞ୍ଚିଲି । ତେଜପୁରଠାରୁ ଅମିନ୍‌ଗାଓଁ ପର୍ଯ୍ୟନ୍ତ ବ୍ରହ୍ମପୁତ୍ର ନଦୀରେ ଜାହାଜରେ ଆସିବାକୁ ହେଲା । ସମସ୍ତ ଦିନଟି ବ୍ରହ୍ମପୁତ୍ର ନଈ ଭିତରେ କଟିଗଲା । ପୁଣି ଅମିନ୍‌ଗାଓଁ ଠାରୁ ରେଳରେ ୨୭୫ ମାଇଲ୍ ଆସିଲି । ଏହି ଗାଆଁଟିର ଅଧେ ବଙ୍ଗପ୍ରଦେଶରେ ଓ ଅଧେ ବିହାରର ପୂର୍ଣ୍ଣିଆରେ । ଷ୍ଟେସନରୁ ମୋତେ ନେଇ ଆସିବାକୁ ସେ ପିଲାଟି ଯାଇଥିଲା, ତେଣୁ କୌଣସି ଅସୁବିଧା ହେଲାନାହିଁ । କାଲି ଏଠାରେ ପହଞ୍ଚି ଭାଉଜୋଉ, ତୋ’ର ଓ ଗୌରୀ ଭାଇଙ୍କର ଚିଠି ପାଇଲି । କିନ୍ତୁ ସେ’ତ ଅନେକ ଦିନର କଥା–ମୋ’ର ଆସାମର ଚିଠି ପାଇଲାପରେ ତୁ ମୋଟେ ଚିଠି ଦେଲୁନାହିଁ କାହିଁକି ? ଏଠାରେ ଦିନେ ଦୁଇଦିନ ରହିବାର କଥା, ମାତ୍ର ଏମାନେ ୨୫ ତାରିଖ ଯାଏ ରହିବାକୁ କହୁଚନ୍ତି । ମୁଁ ଶୀଘ୍ର ଯିବାକୁ ଜିଦ୍ କରିବାରୁ ଆଜି ଦିନ ଠିକ୍ କରି କହିବେ ବୋଲି କହିଛନ୍ତି ।

 

ଏଇଟା ଏକ ମସ୍ତ ଜମିଦାର ଘର, ଗୋଟାଏ ବଡ଼ ପରିବାର । ପୁରୁଣା ଜମିଦାରିଆ ଢଙ୍ଗ ଅନେକ ଯାଇନାହିଁ । ଏ ଗାଁ’ରେ ଅନେକ ମୁସଲମାନ ମଧ୍ୟ ଅଛନ୍ତି । ଜମିଦାରଙ୍କର ଘର ତରଫରୁ ଗୋଟିଏ ଦାତବ୍ୟ ଚିକିତ୍ସାଳୟ ଓ ଖଣ୍ଡେ ମାଇନର ସ୍କୁଲ ଅଛି । ପୋଷ୍ଟ ଅଫିଟା ଠିକ୍ ଘର ସାମନାରେ । ଠିକ୍ ଦାଣ୍ଡ ପାଖରେ ଗୋଟିଏ ଦୋମହଲା ଛୋଟ କୋଠରୀଟିରେ ମୋ’ର ରହିବାର ବ୍ୟବସ୍ଥା କରିଚନ୍ତି । ମାତ୍ର ଖାଇବାକୁ ଖଞ୍ଜା ଭିତରକୁ ଯିବାକୁ ହେଉଛି ! ସ୍ଥାନଟି ଖୁବ୍ ନିର୍ଜନ,–ବେଶୀ ଲୋକର କାରବାର ନାହିଁ । ଝରକାରେ ଅନେଇଲେ ଅନେକ ଦୂର ପର୍ଯ୍ୟନ୍ତ ଖାଲି ଗହୀର ବିଲ । ମୋ’ରି ଘର ଉପରେ କରି ଦୁଇଟା ବଡ଼ କୃଷ୍ଣଚୂଡ଼ା ଓ ଗୋଟାଏ ବଉଳ ଗଛ । ସବୁ ଗଛ ଫୁଲରେ ଭରି ଯାଇଛି । ତାଙ୍କ ଘରର ଛୋଟ ପିଲାସବୁ ଆସି ମୋ’ ପାଖରେ ଫୁଲ ପତର ନେଇ ଖେଳୁଚନ୍ତି । ଚାରିପଟେ ନାଗର ବୋଲି ଗୋଟିଏ ଛୋଟ ନଈ । କାଲି ଗାଧୋଉ ଗାଧୋଉ ଗୋଡ଼ରେ ଗୋଟାଏ ଭୋକ ଲାଗିଗଲା । ମୁଁ ଜାଣିପାରି ନଥିଲି। ଖାଇଲାବେଳେ ସେ ପିଲାଟିର ଦିଦି ଦେଖି ପାରି ଛଡ଼ାଇଦେଲେ, –ଅନେକ ରକ୍ତ ପିଇ ଯାଇଥିଲା ।

 

ଖିଆପିଆ ଖୁବ୍ ଭଲ ରୂପେ ଚାଲିଚି । କିନ୍ତୁ ଅନେକ ସମୟରେ ଏତେ ବଡ଼ଲୋକୀ ହୋଇଯାଉଚି ଯେ ବଡ଼ ଖରାପ ଲାଗୁଚି । ୟାଙ୍କ କୋଠା ପାଖରେ ଯେଉଁ ଛୋଟ ଚାଳଘର ଅଛି, ସେଇପରି ଗୋଟିଏ ଚାଳଘରେ ହୁଏତ ଚୂଲୀ ଲାଗୁନାହିଁ । ଅଥଚ ଏଠି ରୀତିମତ ୧୫ ପ୍ରକାର ତରକାରୀ ହେଉଚି । ଏଇସବୁ କଥା ମନେ ପଡ଼ିଲେ ଏଠି ଆସି ରାଜାପୁଅ ପରି ରହିବାକୁ ଲାଜ ଲାଗୁଚି । ଅବଶ୍ୟ ସେ ପିଲାଟି ମୋ’ର ମନର ଭାବ ଜାଣେ, କାରଣ ମୁଁ ସବୁବେଳେ ତାକୁ ଜମିଦାରପୁଅ କହି ଚିଡ଼ାଏ । ସେଥିପାଇଁ ସେ ବୋଧହୁଏ ସତର୍କ ରହିଚି ଯେପରି ଅତ୍ୟଧିକ ଜମିଦାରୀ ଚର୍ଚ୍ଚା ନହୁଏ । ଏମାନେ ଖୁବ୍ ଭଦ୍ରଲୋକ, ଅନେକ ସମୟରେ କଂଗ୍ରେସକୁ ପୂର୍ଣ୍ଣ ସମର୍ଥନ କରି ନିଜେ ଉଦୟବାବୁ ମୋତେ ଅନେକ କଥା କହନ୍ତି । ତଥାପି ପିଲା ଦିନରୁ ତ ବଡ଼ଲୋକୀ ଢଙ୍ଗରେ ବଢ଼ି ଆସିଛନ୍ତି, ସେଥିଲାଗି ସାଧାରଣ ଜଗତ ଓ ତା’ର ବିଶାଳ ଜନତାଠାରୁ ଏତେ ଦୂରରେ ରୂକ୍ଷ ଖଜୁରୀଗଛ ପରି ନିଜର ଜମିଦାରିଆ ଜୀବନ ନେଇ ପଡ଼ି ରହିଚନ୍ତି । ମାତ୍ର ଏକାଠି ମିଳିମିଶି ବଞ୍ଚି ରହିବାଟା ଯେ କି ଆନନ୍ଦ, ଏମାନେ ସେ ଆନନ୍ଦରୁ ବଞ୍ଚିତ ହେଉଚନ୍ତି ସିନା !

 

ଗୌରୀଭାଇଙ୍କୁ କହିବୁ, ମୁଁ ଖୁବ୍ ଶୀଘ୍ର ଗାଁ’ରେ ପହଞ୍ଚିବି । ଭଦ୍ରଖରେ ଓହ୍ଲାଇ ଇନ୍ଦ୍ରମଣି ଭାଇଙ୍କ ପାଖକୁ ଯିବାକୁ ହେବ ବୋଧହୁଏ । ଗାଁ’ର ସବୁ ପିଲାଙ୍କୁ ମୋ’ର ସ୍ନେହ ଦେବୁ । ଆଉସବୁ ପରେ ।

 

ତୋ’ର ଶୁଭାକାଙ୍‍କ୍ଷୀ

ଚିତ୍ତଭାଇ

☆☆☆

 

ପୃଷ୍ଠବନ୍ଧୀୟ

–ରବୀନ୍ଦ୍ରନାଥ ପାଢ଼ୀ

 

ଚିଠି ଏକ ସମ୍ପର୍କର ସେତୁ । ମାନବୀୟ ଏ କୂଳକୁ ସେ କୂଳ ସହିତ– ଅର୍ଥାତ୍ ହୃଦୟକୁ ହୃଦୟ ସହିତ ଯୋଡ଼ି ଦେବାରେ ହିଁ ନିହିତ ତା’ର ପ୍ରମୁଖ ଭୂମିକା । ଭାବଗତ ଯୋଗାଯୋଗ କ୍ଷେତ୍ରରେ ଅତ୍ୟାଧୁନିକ ବୈଜ୍ଞାନିକ କାରିଗରୀ କୌଶଳପ୍ରସୂତ ଦୂରସଂଚାରର ବେଗଗାମୀ ସାଧନସକଳ ସତ୍ତ୍ୱେ ଚିଠିର ଉପଯୋଗିତା ତଥାପି ଊଣା ହୋଇନାହିଁ କି ହେବ ନାହିଁ ।

 

ଚିଠିଟିଏ ଡୋରି ଲଗାଏ । ଦୂରକୁ ନିକଟ ଓ ପରକୁ ଆପଣାର କରେ । ପରିଚିତି ଓ ପାରସ୍ପରିକତା ବଢ଼ାଏ । ଆତ୍ମୀୟତାକୁ କ୍ରମଶଃ ନିବିଡ଼ରୁ ନିବିଡ଼ତର କରି ତୋଳେ । ପତ୍ର ମାଧ୍ୟମରେ କେତେ ନା କେତେ ଭାବ ବିନିମୟ ସମ୍ଭବ ହୁଏ । ବ୍ୟବଧାନ ହଟିଯାଏ । ନିଃସଙ୍ଗତା କଟିଯାଏ । ଜୀବନର ବଗିଚାରେ ନୂଆ ନୂଆ ସମ୍ପର୍କର ଫୁଲ ଫୁଟେ ଓ ଚଉଦିଗ ଚହଟି ଉଠେ ତା’ର ମିଠା ମିଠା ବାସ୍ନାରେ ।

 

ପାରସ୍ପରିକତା ମଣିଷର ଏକ ସହଜାତ ବା ସ୍ଵାଭାବଗତ ଆବଶ୍ୟକତା । ଏକ ସାମାଜିକ ପ୍ରାଣୀ ହିସାବରେ ମଣିଷମାତ୍ରେ ସଭିଏଁ ଲୋଡ଼ନ୍ତି ଅପରର ସଖ୍ୟ ଓ ସାନ୍ନିଧ୍ୟ । ସଭିଏଁ ଅନୁଭବ କରନ୍ତି କାହାରି ନା କାହାରି ପାଖରେ ଆପଣାକୁ ବ୍ୟକ୍ତ କରିବାର ବ୍ୟାକୁଳ ବାସନା । କିନ୍ତୁ ଇପ୍ସିତ ମଣିଷଟି ସହିତ ସ୍ଥୂଳ ସାନ୍ନିଧ୍ୟ ବା ସନ୍ନିକଟ ଆଳାପର ସୁଯୋଗ ସବୁବେଳେ ସମ୍ଭବ ହୁଏ ନାହିଁ । ଏପରି ସ୍ଥଳେ ଚିଠିଟିଏ ସେଇ ଅଭାବକୁ ଅନେକାଂଶରେ ପୂରଣ କରିବାକୁ ସମର୍ଥ ହୁଏ ।

 

ଚିଠି ଦେବା କେବଳ ଏକ କର୍ତ୍ତବ୍ୟ ବା ସାମାଜିକ ଔପଚାରିକତା ନୁହେଁ । ଚିଠି ମାଧ୍ୟମରେ ଆମେ ପରସ୍ପରକୁ ଖୋଜୁ । ସାଙ୍ଗସୁଖ ହେଉ । ଦୁଃଖଦୁର୍ଦ୍ଦିନରେ ସହଭାଗୀ ହେଉ । ଚିଠିରେ କିଛି ଜ୍ଞାତବ୍ୟ ତଥ୍ୟ ଥାଇପାରେ, ଜରୁରୀ ଖବର ଥାଇପାରେ, ମାତ୍ର ଏହା କେବଳ ତୁଚ୍ଛା ସୂଚନା ବା ସମ୍ବାଦ ପ୍ରେରଣର ଏକ ଶୁଷ୍କ ମାଧ୍ୟମ ନୁହେଁ । ଯାବତୀୟ ପତ୍ର ପ୍ରକୃତ ଅର୍ଥରେ ଏକ ଲିଖିତ ଆଳାପ, ଏକ ଅନ୍ତରଙ୍ଗ ଆଲୋଚନା, ଯାହା ଆମକୁ ଦେଶକାଳର ଦୂରତା ଡିଆଁଇ ଦିଏ । ଚିଠି ଲେଖିଲାବେଳେ ବା ପଢ଼ିଲା ବେଳେ ଯାହା ପାଖକୁ ଏହା ଲେଖାଯାଉଥାଏ ବା ଯାହା ପାଖରୁ ଏହା ଆସିଥାଏ ତା’ର ଉପସ୍ଥିତିକୁ ଆଘ୍ରାଣ କରିହୁଏ । ସିଏ ଅନ୍ତରକୁ ଛୁଇଁ କରି ବସିଥିଲା ପରି ଲାଗେ । ଏହି କାରଣରୁ ଚିଠିଟିଏ ଆପଣାଛାଏଁ କଥୋପକଥନର ଅକୃତ୍ରିମ ଶୈଳୀକୁ ଅନୁସରଣ କରେ ଓ ତାହାର ଭାଷା ସଚରାଚର ସରଳ ଓ ସାବଲୀଳ ହୋଇଥାଏ । ତହିଁରେ ମସ୍ତିଷ୍କ ଅପେକ୍ଷା ବରଂ ହୃଦୟର ପ୍ରାଧାନ୍ୟ ବାରି ହୋଇପଡ଼େ । ତେଣୁ ଚିଠିଟିଏ ସିବା ଆଗ ହୃଦୟକୁ ସ୍ପର୍ଶ କରିଯାଏ-

 

କିଛି ଆନୁଷ୍ଠାନିକ ଚିଠିପତ୍ରକୁ ବାଦ ଦେଲେ ପତ୍ରାଳାପମାନ ପ୍ରାୟ ବ୍ୟକ୍ତିଗତ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଦର୍ପଣରେ ପ୍ରତିବିମ୍ବ ପରି ଏଥିରେ ଉଭୟ ପତ୍ରଦାତା ଏବଂ ଗ୍ରହୀତାଙ୍କର ବ୍ୟକ୍ତିଗତ ସଂପର୍କ ଓ ଅନୁଭବର ଚିତ୍ରମାନ ଉକୁଟି ଉଠୁଥାଏ । ତଥାପି ବେଳେ ବେଳେ ବ୍ୟକ୍ତିଗତ ସ୍ତରରେ ଆଦାନପ୍ରଦାନ ହେଉଥିବା ପତ୍ରମାନଙ୍କ ବିଷୟବସ୍ତୁ ମଧ୍ୟରେ ତତାତ୍କାଳିକ ପ୍ରସଙ୍ଗ ଭିନ୍ନ ଅନ୍ୟ କିଛି ଉପାଦାନ ବି ରହିଥାଇ ପାରେ ଯାହା କାଳୋତ୍ତୀର୍ଣ୍ଣ ଓ ସାର୍ବଜନୀନ । ନିର୍ଦ୍ଦିଷ୍ଟ ବ୍ୟକ୍ତିଟି ପାଇଁ ଉଦ୍ଦିଷ୍ଟ ହୋଇ ରହିଥିଲେ ବି ତହିଁରେ ପ୍ରକଟିତ ଚିରନ୍ତନ ଉପାଦାନଚୟ ସେହି ବ୍ୟକ୍ତିର ପରିସର ଲଙ୍ଘିଯାଏ ଓ ସେସବୁର ଆବେଦନ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଓ ଉପଯୋଗୀ ହୋଇଉଠେ-! ସେପରି ଚିଠିଗୁଡ଼ିକ ସେତେବେଳେ ଆଉ କାହାର ବ୍ୟକ୍ତିଗତ ପ୍ରାପ୍ତି ହୋଇ ରହେନାହିଁ, ତାହା ସମସ୍ତଙ୍କର ସଂପତ୍ତିରେ ପରିଣତ ହୁଏ । ସେଗୁଡ଼ିକୁ ସବୁ ସମୟ ପାଇଁ ଓ ସବୁ ମଣିଷ ପାଇଁ ସାଇତି ରଖୁବାର ପ୍ରୟୋଜନ ପଡ଼େ ।

 

‘ସୁହୃଦ୍ ଗୋଷ୍ଠୀ’ ଦ୍ଵାରା ସଦ୍ୟ ସଂକଳିତ ‘ପତ୍ରରେ ଆଳାପ’ ପୁସ୍ତକଟି ଏଇମିତି ଏକ ପ୍ରୟୋଜନ ବୋଧରୁ ହିଁ ଜନ୍ମ ନେଇଛି । ପତ୍ରଗୁଡ଼ିକର ପ୍ରେରକ ସବୁରି ସୁପରିଚିତ ଶ୍ରୀଯୁକ୍ତ ଚିତ୍ତରଂଜନ ଦାସ । ସମସ୍ତଙ୍କର ଅତି ଆଦରର ସେଇ ବିରଳ ବ୍ୟକ୍ତିତ୍ୱଙ୍କୁ କିଏ ବା ନ ଜାଣେ? ସାହିତ୍ୟସାଧକ ଭାବରେ ଅତୁଳନୀୟ ସିଦ୍ଧିର ଅଧିକାରୀ ସେ, ବିଶିଷ୍ଟ ମନୋବିଜ୍ଞାନୀ, ମନୀଷୀ ଓ ଶିକ୍ଷାବିତ୍ । ପ୍ରଚଣ୍ଡ ପ୍ରତିଭାଦୀପ୍ତ ଏଇ ମଣିଷଜଣଙ୍କୁ ଜ୍ୟେଷ୍ଠ କନିଷ୍ଠ ସମସ୍ତେ ପରମ ଶ୍ରଦ୍ଧାରେ ‘ଚିତ୍ତଭାଇ’ ବୋଲି ସମ୍ବୋଧନ କରନ୍ତି । ବଡ଼ ଅଦ୍ଭୁତ ଭାବରେ ସ୍ନେହୀ ଓ ସାଦାସିଧା ଏଇ ମଣିଷଟି ବୟସ ନିର୍ବିଶେଷରେ ସମସ୍ତଙ୍କ ସହ ଅନାୟାସରେ ମିଶିଯାଇ ପାରନ୍ତି, ସବୁଠି ବଂଧୁ ବାନ୍ଧି ପାରନ୍ତି-। ସାରା ଜୀବନ ସଂସାରଟାଯାକ ସେ ଖାଲି ସାଙ୍ଗ ଗୋଟାଇବାରେ ଓ ସାଙ୍ଗମାନଙ୍କ ସହ ଏକାଠି ବାଟ ଚାଲିବାରେ ବିଭୋର । ଅନ୍ୟ ଅନେକଙ୍କ ପରି ଆପଣାର ଉତୁଙ୍ଗ ବ୍ୟକ୍ତିତ୍ୱର ଆକର୍ଷଣୀୟ ବେଢ଼ାଟି ଭିତରେ ଅସ୍ପୃଶ୍ୟ ହୋଇ ରହିବାକୁ ସେ କେବେ ବି ଚାହିଁ ନାହାନ୍ତି । ନିଜକୁ ଅସାଧାରଣ ମଣି ସାଧାରଣ ମଣିଷମାନଙ୍କଠୁ ସମ୍ମାନଗତ ଦୂରତା ରଖି ବଂଚି ରହିବାକୁ ସେ ଏକ ଅଭିଶପ୍ତ ଜୀବନ ବୋଲି ବିଚାର କରିଛନ୍ତି । ସମସ୍ତଙ୍କ ସ୍ତରକୁ ସେ ଅବଲୀଳା କ୍ରମେ ଓହ୍ଲାଇ ଆସିଛନ୍ତି, ସମସ୍ତଙ୍କ ସହ ସଂପର୍କର ସୂତ୍ରରେ ଗୁନ୍ଥି ହୋଇଯାଇଛନ୍ତି ଓ ତେଣୁ ସମସ୍ତଙ୍କ ହୃଦୟରେ ସମାସୀନ ହୋଇପାରିଛନ୍ତି । ସଂସାରରୁ ଦୂରଛଡ଼ା ହୋଇ କୌଣସି ଏକକ ମୁକ୍ତିର ସାଧନା ପାଇଁ ସେ କସ୍ମିନ୍ କାଳେ ପ୍ରଲୋଭନ ଅନୁଭବ କରି ନାହାନ୍ତି । ତାଙ୍କର ସାଧନା ତେଣୁ ସବୁରି ସହିତ ଯୁକ୍ତ ହୋଇ ରହିବାର ସାଧନା । ବନ୍ଧୁମାନଙ୍କ ସହିତ, ଭାଇଭଉଣୀମାନଙ୍କ ସହିତ ନିୟମିତ ପତ୍ରରେ ଆଳାପ କରିବା ଓ ସେମାନଙ୍କ ସହ ଆତ୍ମୀୟ ସଂଯୋଗ ସ୍ଥାପନ କରିବା ଯେ ତାଙ୍କ ନିଜସ୍ତ୍ର ସାଧନାରୁ ଏକ ବିଶିଷ୍ଟ ଧାରା, ଏକଥା ତାଙ୍କୁ ଜୀବନଶୈଳୀରୁ ହିଁ ସୁସ୍ପଷ୍ଟ ।

 

ପ୍ରସଙ୍ଗତଃ ମନେ ପଡ଼େ ଶ୍ରୀଅରବିନ୍ଦଙ୍କ ‘ଯୋଗ ପତ୍ରାବଳୀ’ କଥା । ଗୋଟିଏ । ପର୍ଯ୍ୟାୟରେ ଆଶ୍ରମ ତଥା ଦେଶବିଦେଶର ସାଧକ ଶିଷ୍ୟମାନଙ୍କ ପାଇଁ ସେ ପ୍ରତ୍ୟେହ ପ୍ରାୟ ଦଶଘଣ୍ଟା ସମୟ ଦେଇ, ଅନେକ ସମୟରେ ବିନିଦ୍ର ରହି ରାତିଅଧ ଯାଏ ଚିଠି ଲେଖୁଥିଲେ, ସେମାନଙ୍କର ନାନା ପ୍ରଶ୍ନର ଉତ୍ତର ଦେଉଥିଲେ । ଦୁଇହଜାର ପୃଷ୍ଠାବ୍ୟାପୀ ତିନି ଖଣ୍ଡରେ ପ୍ରକାଶିତ ଶ୍ରୀଅରବିନ୍ଦଙ୍କ Letters onYoga ଗ୍ରନ୍ଥ ତାଙ୍କରି ସ୍ଵହସ୍ତ ଲିଖିତ ବିପୁଳ ପତ୍ରାବଳୀର ଏକ ସୁନିର୍ବାଚିତ ସଂକଳନ ମାତ୍ର । ଏପରି ସଂସାର-ଅନୁରାଗୀ ଜଣେ ଯୋଗୀଙ୍କର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ ବା ଅଗାଧ ପ୍ରେମପ୍ରସୂତ ତାଙ୍କର ଏହି ଶ୍ରମ ଓ ସାଧନାର ପଟାନ୍ତର ସତରେ କାହିଁ ? ଉଲ୍ଲାସମୟ ଧାନ ଓ ସମାଧିରେ ବୁଡ଼ି ନ ରହି କି ଗରଜ ପଡ଼ିଥିଲା ତାଙ୍କର ଯେ ସ୍ଵୟଂ ପୂର୍ଣ୍ଣଯୋଗର ପ୍ରବର୍ତ୍ତକ ମହାଯୋଗୀ କେତେ କଷ୍ଟ ସ୍ୱୀକାର କରୁଥିଲେ ଓ ଏତେ ସମୟ ଅତିବାହିତ କରୁଥିଲେ ଚିଠି ଲେଖାରେ ? ଅବିଶ୍ୱସନୀୟ ମନେ ହେଲେ ବି କଥାଟି ସତ୍ୟ ଓ ଏହା ହିଁ ସୂଚିତ କରେ ଯେ ଶ୍ରୀଅରବିନ୍ଦଙ୍କର ସାଧନା ଜୀବନ ଓ ଜଗତରୁ ପଳାୟନ ନୁହେଁ, ମାତ୍ର ପକ୍ଷାନ୍ତରେ ଏହା ଜୀବନ ଓ ଜଗତ ସହିତ ଏକ ପରିପୂର୍ଣ୍ଣ ଗଭୀର ସଂପୃକ୍ତି ।

 

ଚିତ୍ତଭାଇଙ୍କର ପତ୍ରାଳାପଗୁଡ଼ିକୁ ମଧ୍ୟ ଆମେ ତାଙ୍କ ଅନ୍ତରଙ୍ଗ ସାଧନାର ସ୍ୱତନ୍ତ୍ର ଆଲେଖ୍ୟ ବୋଲି ବିଚାର କରି ପାରିବା । ତାଙ୍କ ପାଖକୁ ଅନେକ ଆଡ଼ୁ ଅନେକ ଚିଠି ଆସେ । କଅଁଳ ବୟସର ସ୍କୁଲପଢ଼ନ୍ତା ଶିଶୁ ଓ କିଶୋରମାନଙ୍କଠୁ ଆରମ୍ଭ କରି, କଲେଜ ପଢ଼ୁଆ ଯୁବକଯୁବତୀ ତଥା ପ୍ରବୀଣ ବୁଦ୍ଧିଜୀବୀ, ଅଧ୍ୟାପକ ଓ ସାହିତ୍ୟିକ ଆଦି ସମସ୍ତେ ତାଙ୍କ ପାଖକୁ ଚିଠି ଲେଖନ୍ତି । ପତ୍ରପ୍ରେରକ ବନ୍ଧୁମାନେ କେତେବେଳେ ଖୁସୀ ଓ ଉତ୍ସାହପ୍ରେରିତ ହୋଇ ତାଙ୍କ ପାଖକୁ ଲେଖନ୍ତି ତ କେତେବେଳେ ପୁଣି ସଂଶୟ, ସନ୍ତାପ ଓ ନାନା ସମସ୍ୟା ଜାଲରେ ଛନ୍ଦି ହୋଇ ସେଥିରୁ ମୁକୁଳିବାକୁ ତାଙ୍କ ପରାମର୍ଶ ଓ ଦିଗ୍‌ଦର୍ଶନ ଲୋଡ଼ନ୍ତି । ସେ ସବୁର ଉତ୍ତରରେ ସମସ୍ତଙ୍କ ପାଇଁ ଅକାତରେ ସେ ଲେଖିବସନ୍ତି ପୃଷ୍ଠା ପରେ ପୃଷ୍ଠା, ଅକୁଣ୍ଠିତ ଚିତ୍ତରେ ତହିଁରେ ଝରାଇ ଦିଅନ୍ତି ତାଙ୍କର ସହୃଦୟତା ଓ ସହାନୁଭୂତି, ବାଣ୍ଟି ଦିଅନ୍ତି ଗ୍ରନ୍ଥିମୋଚନକାରୀ ତାଙ୍କର ସସ୍ନେହ ଜ୍ଞାନାଲୋକ-। ତାଙ୍କର ପତ୍ରାବଳୀ ସବୁବେଳେ ଗଭୀର ଆଶାବାଦ, ଅଦମ୍ୟ ସାହସ, ନିବିଡ଼ ସାନ୍ତ୍ୱନା ଓ ପ୍ରେରଣାରେ ପରିପୂର୍ଣ୍ଣ । ତାଙ୍କର ପ୍ରତିଟି ଚିଠିରେ ଥାଏ ଆନ୍ତରିକତା ଓ ଅକପଟତାର ସ୍ପର୍ଶ-। କାରଣ ବନେଇଚୁନେଇ ସେ କେବେ କିଛି ଲେଖନ୍ତି ନାହିଁ । ତେଣୁ ତାଙ୍କ ଚିଠିର ଲେଖା ପାଠକକୁ ବଳ ଦିଏ, ତା’ ଭିତରେ ଆତ୍ମବିଶ୍ୱାସ ଜଗାଏ । ତାଙ୍କର ଅନ୍ୟାନ୍ୟ ରଚନା ପରି ଏହା ଆମର ଭାରାକ୍ରାନ୍ତ ହୃଦୟ ସବୁକୁ ଉଶ୍ୱାସ କରେ, ଭିତରର ରୁଦ୍ଧଦ୍ଵାରମାନକୁ ଉଦ୍‌ଘାଟନ କରେ ଓ ଆମ ଦୃଷ୍ଟିର ଦିଗବଳୟରେ ପ୍ରସାରତା ଆଣିଦିଏ ।

 

ପରିମାଣ ଦୃଷ୍ଟିରୁ ଚିତ୍ତଭାଇଙ୍କ ଲିଖିତ ପତ୍ରର ବିପୁଳତା ଦେଲେ ବିସ୍ମିତ ହେବାକୁ ପଡ଼େ-। ଅଦ୍ୟାବଧି ସଂଗୃହୀତ ତାଙ୍କର ପତ୍ରମାଳାରୁ ମାତ୍ର ଅଳ୍ପ କେତୋଟିର ନିର୍ବାଚିତ ଅଂଶକୁ ନେଇ ଏଇ ସଂକଳନଟି ପ୍ରସ୍ତୁତ ହୋଇଛି । ପରିଶିଷ୍ଟରେ ସ୍ଥାନିତ ଚିଠିଗୁଡ଼ିକୁ ଛାଡ଼ି ଏଠାରେ ଗୁନ୍ଥା ଯାଇଥିବା ଅନ୍ୟସବୁ ଚିଠି ମୁଖ୍ୟତଃ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଶ୍ରୀଅରବିନ୍ଦ ପାଠଚକ୍ର ବା ପୂର୍ଣ୍ଣଯୋଗ ସାଧନାକେନ୍ଦ୍ରମାନଙ୍କ ସହ ସଂପୃକ୍ତ ଭାଇଭଉଣୀଙ୍କ ପାଖକୁ ଲେଖାଯାଇଛି । ଅନେକ ସମୟରେ ଏପରି ହୋଇଛି : ବ୍ୟକ୍ତିଗତ ତଥା ସାମୂହିକ ଜୀବନଯାତ୍ରା କ୍ଷେତ୍ରରେ ପତ୍ରପ୍ରେରକ ବନ୍ଧୁମାନେ ବେଳେ ବେଳେ ସେମାନଙ୍କ ବାଟବଲାର ତିକ୍ତମଧୁର ଅନୁଭୂତି ସକଳକୁ ଜଣେ ସହଚାରୀ ବା ସତୀର୍ଥରୂପେ ଚିତ୍ତଭାଇଙ୍କ ପାଖରେ ପ୍ରକାଶ କରି ଦେଇଛନ୍ତି ଓ ତାଙ୍କଠାରୁ ଆଶା କରିଛନ୍ତି କିଞ୍ଚିତ ପରାମର୍ଶ । ଏବଂ, ପରିଣାମତଃ ଚିତ୍ତଭାଇଙ୍କ ଲେଖନୀ ହୋଇଛି କ୍ରିୟାଶୀଳ । ସମ୍ବେଦନାସିକ୍ତ ତାଙ୍କ ହୃଦୟରୁ ପତ୍ର ମାଧ୍ୟମରେ ଜାଗିଛି ତା’ର ପ୍ରତିସ୍ପନ୍ଦନ ।

 

ଅବଶ୍ୟ କେବଳ ପ୍ରତ୍ୟୁତ୍ତର ଦେବାରେ ତାଙ୍କର ଚିଠି ଲେଖା କାର୍ଯ୍ୟ କଦାପି ସୀମିତ ରହିନାହିଁ । ବନ୍ଧୁ ଭାବରେ ସେ ବି ବହୁଥର ନିଜଆଡ଼ୁ ଚିଠି ଲେଖିଛନ୍ତି, ଆକୁଳ ପ୍ରାଣରେ ଅନ୍ୟର ପତ୍ରକୁ ପ୍ରତୀକ୍ଷା କରିଛନ୍ତି, ସଙ୍ଗୀ ମଣିଷମାନଙ୍କର ଭଲମନ୍ଦ ପଚାରି ବୁଝିଛନ୍ତି, ସର୍ବୋପରି ସେମାନଙ୍କ ସୁଖଦୁଃଖରେ ସହଭାଗୀ ହୋଇଛନ୍ତି ।

 

ଯାବତୀୟ ସଂକଳନ ପଛରେ ସଂକଳକଙ୍କରୁ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ବା ନିଜସ୍ୱ ଚିନ୍ତାଧାରା ରହିଥାଏ ଯାହାକୁ ଆଧା କରି ସେ ବିଷୟ ନିର୍ବାଚନ କରିବା ସଂଗେ ସଂଗେ ସେଗୁଡ଼ିକୁ ସଂଯୋଜିତ ବା ବ୍ୟବସ୍ଥିତ କରି ରଖନ୍ତି । ଏଠାରେ ସଂକଳିତ ଚିତ୍ତଭାଇଙ୍କର ସମଗ୍ର ପତ୍ରାବଳୀକୁ ସେଗୁଡ଼ିକର ମାର୍ମିକ ଆବେଦନ ଦୃଷ୍ଟିରୁ ଆମେ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟଭୁକ୍ତ କରି ପାରିବା । ପ୍ରଥମ ପର୍ଯ୍ୟାୟର ଚିଠିଗୁଡ଼ିକରେ ବ୍ୟକ୍ତିଗତ ବିକାଶ ବା ଉତ୍ତରଣ ପାଇଁ ବଳଶାଳୀ ଆହ୍ୱାନ ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟର ଚିଠିଗୁଡ଼ିକରେ ଅଛି ସାମୂହିକ ଉତ୍ତେଜନା ନିମିର ଉତପ୍ରେରଣାପୂର୍ଣ୍ଣ ଉଦ୍‌ବୋଧନ ! ଆପଣା ମଣିଷମାନଙ୍କର ବିକାଶ ଲାଗି ପତ୍ରପ୍ରେରକ ବନ୍ଧୁଙ୍କର ବ୍ୟାକୁଳ ହୃଦୟର ଅଭିବ୍ୟକ୍ତି ସକଳକୁ ପଢ଼ିଲେ ଆମେ ଅଭିଭୂତ ନ ହୋଇ ରହି ପାରିବା ନାହିଁ । ଜଣେ ସୁହୃତ୍ ହିସାବରେ ଆମର ଦୁଇଟି କାର୍ଯ୍ୟ ବିଷୟରେ ସେ ଆମକୁ ବାରମ୍ବାର ସଚେତନ କରାଇବାର ଅକ୍ଲାନ୍ତ ଚେଷ୍ଟା ଚଳାଇଛନ୍ତି । ବେଶୀ ନୁହେଁ, ଆମମାନଙ୍କ ଠାରୁ ଖୁବ୍ ଅଳପ ତାଙ୍କର ପ୍ରତ୍ୟାଶା। ଉପରଠାଉରିଆ ଭାବରେ ଉପଦେଶ ଦେଲାଭଳି ସେ କେବେ କିଛି କହନ୍ତି ନାହିଁ । ଯେଉଁ ଦୁଇଟି challenge ସେ ଆମ ପ୍ରତ୍ୟେକଙ୍କ ଆଗରେ ଉପସ୍ଥାପିତ କରିଛନ୍ତି ତାହା ତାଙ୍କର ସୁଦୀର୍ଘ ଜୀବନର ବ୍ୟାପକ ଅଭିଜ୍ଞତା ଏବଂ ଅଟଳ ଆତ୍ମପ୍ରତ୍ୟୟ ଉପରେ ଆଧାରିତ ।

 

ପ୍ରଥମତଃ ଜଣେ ବ୍ୟକ୍ତି ଭାବରେ ଆମେ ନିଜକୁ କ୍ରମଶଃ ଅଧିକରୁ ଅଧିକ ଯୋଗ୍ୟ କରିବା । ଆମ ବ୍ୟକ୍ତିତ୍ଵର ଉତ୍ତରୋତ୍ତର ଅଭିବୃଦ୍ଧି ଘଟାଇବା । ଏଦିଗରେ ପହିଲି ପଦକ୍ଷେପଟି ହେଲା ନିଜକୁ ଜଣେ ବ୍ୟକ୍ତି ଭାବେ ଆବିଷ୍କାର କରିବା । ଗଣମଣିଷଙ୍କ ସୁଅ ମୁହଁରେ ଅସହାୟ ପତ୍ରଟିଏ ପରି ଇଆଡ଼େ ସିଆଡ଼େ ଭାସି ବୁଲୁଥିବା ପର୍ଯ୍ୟନ୍ତ, ଅନ୍ୟମାନଙ୍କ ଇଙ୍ଗିତରେ କଣ୍ଢେଇଟିଏ ସାଜି ଥେଇ ଥେଇ ନାଚୁଥିବା ପର୍ଯ୍ୟନ୍ତ ବ୍ୟକ୍ତି ତା’ର ନିଜସ୍ୱ ପରିଚୟକୁ ପାଇପାରିବ ନାହିଁ । ଆଉମାନଙ୍କର ମତାମତ ଓ ପ୍ରଭାବ ଝଡ଼ପରି ଯଦି ଆମର ମୂଳକୁ ଦୋହଲାଇ ଦେଉଥିବ, ନିଜ ଇଚ୍ଛାଟିକୁ ବଳି ଦେଇ ଆମେ ଯଦି ଅପର ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଥିବା, ତେବେ ନିଜର ବ୍ୟକ୍ତିତ୍ୱଟି ବିକଶିତ ହେବା ବଦଳରେ କେବଳ ବିକଳାଙ୍ଗ ହେବାରେ ଲାଗିଥିବ । ତେଣୁ ବାଟ ଚାଲୁଥିଲା ବେଳେ ସଂସାରର ଚୋରାବାଲି ପତି ଆମେ ସତର୍କ ରହିବା, ପିଚ୍ଛିଳ ପଥରେ ପାଦର ଟିପଟିଗୁଡ଼ିକୁ ଟାଣ କରି ପକାଇବା । ଆପଣାର ବ୍ୟକ୍ତିତ୍ୱକୁ ଏକ କ୍ରମବର୍ଦ୍ଧିଷ୍ଣୁ ସୁଗଠିତ ରୂପ ଦେବା-। ଅନ୍ୟମାନଙ୍କର ପ୍ରଭାବକୁ ପ୍ରତିହତ କରି ପାରିବାର ସାମର୍ଥ୍ୟ ଅର୍ଜନ କରିବା, ପଲମଣିଷଙ୍କ ପ୍ରବଳ ଚାପରେ ପେଷି ହୋଇ ନ ଯିବାକୁ ଯଥେଷ୍ଟ ଆତ୍ମବଳ ସଂଚୟ କରିବା ।

 

ଏଥିପାଇଁ ସର୍ବାଦୌ ଆବଶ୍ୟକ ନିଜର ନିରନ୍ତର ଅଗ୍ରଗତି । ଜ୍ଞାନରେ, କର୍ମରେ ଓ ଶ୍ରଦ୍ଧାରେ ଆମେ ଯେ ପାଦ ପାଦ କରି ଆଗକୁ ବଢ଼ୁଛୁ–ପ୍ରତିଦିନ ଏଇମିତି ଏକ ଅନୁଭବର ସୂର୍ଯ୍ୟ ଆମ ଆକାଶରେ ଉଇଁ ଆସୁଥିବ। ଆମ ଜ୍ଞାନର ପରିଧି ବଢ଼ିବ, ଅର୍ଥାତ ଆମେ ଅଧିକରୁ ଅଧିକ ପଢ଼ିବା, ଜାଣିବା ଓ ଶିଖିବାକୁ ପ୍ରଯତ୍ନ କରିବା । “ମୁଁ ସବୁ ଜାଣିସାରିଛି, ତେଣୁ ଆଉ କିଛି ମୋର ଜାଣିବାକୁ ନାହିଁ, ମୁଁ ଯାହାସବୁ କରିବାର କଥା ତାହା ସଂପନ୍ନ କରିସାରିଛି, ମୋର ଆଉ କିଛି କରିବାର ନାହିଁ ବା ମୁଁ ଯାହା ହେବାର କଥା ତାହା ହୋଇସାରିଛି ମୋର ଆଉ କିଛି ହେବାର ନାହିଁ–ଏପରି ମାରାତ୍ମକ ଆତ୍ମସନ୍ତୋଷର ପୋକ ଯେପରି ଆମକୁ କେଉଁଠି କାମୁଡ଼ି ନଧରେ-। ଆମ ଭିତରୁ ତାରୁଣ୍ୟ ଯେପରି ମରି ନଯାଏ । ପ୍ରଗତି ଓ ପରିବର୍ତ୍ତନକୁ ଅସ୍ୱୀକାର କରି ଆମେ ତେଣୁ କଦାପି ବାର୍ଦ୍ଧକ୍ୟଗ୍ରସ୍ତ ହେବାନାହିଁ । ଅଗ୍ରଗତିର ଅନିଚ୍ଛା ବା ଅସଦିଚ୍ଛାକୁ ଆମ ମଧ୍ୟରୁ ଯଥାଶୀଘ୍ର ବହିଷ୍କୃତ କରିବା, ସକଳ ସ୍ଥାଣୁତା ଓ ଜଡ଼ତ୍ୱର ଜାଲକୁ ବିଦୀର୍ଣ୍ଣ କରି ଅସରନ୍ତି ଜ୍ଞାନ ଆହରଣ ପଥରେ ବାହାରିଯିବା ।

 

ଶ୍ରଦ୍ଧାର ଭୂମିରେ ମଧ୍ୟ ଆମେ ଜୀବନର ସତତ ସଂପ୍ରସାରଣ ଘଟିବ । ଆମେ ନିଜକୁ ଶ୍ରଦ୍ଧା କରିବା ଓ ଶ୍ରଦ୍ଧାର ଡୋରରେ ସବୁରି ସହିତ ବାନ୍ଧି ହୋଇଯିବା । ତାହାରି ମାଧ୍ୟମରେ ହିଁ ଏକ ବୃହତ୍ତର ବିଶ୍ଵଜୀବନର ପରିଚୟ ଆମକୁ ମିଳିବ । ଅସଲ ଆନନ୍ଦର ଉପଲବ୍ଧ ସମ୍ଭବ ହେବ । ଆମ ଭିତରୁ ଅନେକ ନିଜକୁ ତୁଚ୍ଛ ବା ହେୟ ମନେ କରନ୍ତି, ନିଜର ଅଭାବ, ଦୋଷ, ଅପାରଗତା ଓ ଏପରିକି ଅସୁସ୍ଥତା ଆଦି ବିଷୟରେ ଭାବି ନିଜ ଉପରେ ଭୀଷଣ ବିରକ୍ତ ହୁଅନ୍ତି, ନାନା ଆତ୍ମପୀଡ଼ନ ମାଧ୍ୟମରେ ନିଜ ଉପରେ ପ୍ରତିଶୋଧ ବି ନିଅନ୍ତି । ଏହି ବିରକ୍ତି କ୍ରମଶଃ ଏପରି ସାଂଘାତିକ ରୂପ ଧାରଣ କରେ ଯେ ସଂସାରର ସବୁ କିଛି ବିଷାଦଯୁକ୍ତ ଓ ଅପ୍ରୀତିକର ଲାଗେ । ଜୀବନ ଓ ଜଗତଟା ଖାଲି ଅଳୀକ ଓ ମାୟାମୟ ମନେ ହୁଏ । ଆତ୍ମନିନ୍ଦାର ଏହି ବ୍ୟାଧିର ଉତ୍ସ ଯେ ଆମ ଭିତରେ ଲୁଚିଥିବା ଅହଂ–ଏକଥା ଆମେ କେବ ବି ଭୁଲିଯିବା ନାହିଁ । ନିଜକୁ ପୃଥିବୀର କେନ୍ଦ୍ର ବୋଲି ବିଚାର କରି ଆମର ଅହଂ ସବୁ କିଛିକୁ ନିଜ ତରାଜୁରେ ହିଁ ମାପେ ! ରାଜସିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଏହା କେତେବେଳେ ନିଶଫୁଲାଇ ନିଜକୁ ବିଜ୍ଞପିତ କରୁଥାଏ ତ କେତେବେଳେ ତାମସିକ ଭାବରେ ଜୁଡ଼ୁବୁଡ଼ୁ ହୋଇ ‘ମୁଁ କିଛି ନୁହେଁ, ମୁଁ ମହାପାପୀ, ମୁଁ ଏ ସଂସାରର ସବୁଠୁ ଦୁଃଖୀ’ ଇତ୍ୟାଦି କହି ନିଜ ଆଡ଼କୁ ହିଁ ସମସ୍ତଙ୍କର ଅନୁକମ୍ପାପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କରୁଥାଏ ।

 

ଅହଂପୀଡ଼ିତ ଆମର ଚେତନାକୁ ନୈରାଶ୍ୟମୟ ଏହି ନିଘନ ଅନ୍ଧକାରରୁ ଆଲୋକ ଅଭିମୁଖେ ତୋଳି ନେବାଲାଗି ସଂକଳିତ ଚିଠିମାନଙ୍କରେ ଭରି ରହିଛି ଅଫୁରନ୍ତ ଆଶା, ଆଶ୍ୱାସନା ଓ ଉତ୍ସାହ । ନିଜ ଭିତରେ ଯେତେ ଅପୂର୍ଣ୍ଣତା ଥିଲେ ବି ଆମେ କଦାପି ନିଜ ଉପରେ ରାଗିବା ନାହିଁ-। ନିଜକୁ ଦୁର୍ଭାଗା ଓ ଦୁଃଖୀଟିଏ ବୋଲି ଭାବିବା ନାହିଁ । ଏ ସଂସାରରେ ଆମଠୁ ବି ଅଧିକ ଦୁଃଖୀ ଅଛନ୍ତି, ଅଧିକ ଅଭାବୀ ଓ ହତଭାଗ୍ୟ ମଣିଷ ଅଛନ୍ତି । ନିଜ ଦୁଃଖରେ ସର୍ବଦା ଘାରି ହୋଇ ଆମେ ସେମାନଙ୍କ ପ୍ରତି ଆଖିବୁଜି ଦେବା ଉଚିତ ହେବ ନାହିଁ । ଦୁଃଖୀ ଲୋକଟିଏ ବୋଲି ନିଜକୁ ଭାବୁଥିଲା ଯାଏଁ ଆମେ ଏ ସଂସାରର କେଉଁ ଦୁଃଖକୁ ଅବା ଲାଘବ କରିପାରିବା ? ନୈତିକତାର ନଜର ନେଇ ଦେଖିଲେ ଆମେ ଖାଲି ନିଜର ଖଣ୍ଡିଆଗୁଡ଼ାକୁ ହିଁ ଦେଖିବା ଓ ଆମ ଭିତରେ ‘ପରିପୂର୍ଣ୍ଣ ପରମ ସଖାଟିଏ ଜନନୀଟିଏ । ହୋଇ ଆମକୁ ଚଳାଉଛି’ ବୋଲି ପାସୋରି ପକାଇବା-। ଏହି ପ୍ରମାଦରୁ ଆମକୁ ମୁକ୍ତ ହେବାକୁ ପଡ଼ିବ । ସକଳ ନୈରାଶ୍ୟକୁ ପ୍ରତ୍ୟାଖ୍ୟାନ କରି ନିଜକୁ ଶ୍ରଦ୍ଧ ଓ ସମ୍ମାନର ଆଖିରେ ଦେଖିବାକୁ ହେବ । ଆମେ ତେଣୁ ନିଜେ ନିଜର ମାଆଟିଏ ହୋଇ ନିଜକୁ ସହିବା, ଅନନ୍ତ ଧୈର୍ଯ୍ୟର ସହ ନିଜ ଭିତରର ଶିଶୁଟିର ଶୁଶ୍ରୂଷା କରିବା, ତାହାର ଧୂଳି ଝାଡ଼ି ଦେଇ ତାକୁ ବାରମ୍ବାର ଆମ ସ୍ନେହର ସ୍ପର୍ଶ ଦେବା । ଅମିତ ସମ୍ଭାବନା ରୂପେ ଆମରି ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ଈଶ୍ଵରଙ୍କ ଉପରେ ବିଶ୍ୱାସ ରଖିବା । ଅତଏବ ନୂଆ ଏକ ବିଶ୍ୱାସର ନେତ୍ର ନେଇ ଆମେ ନିଜ ସମେତ ଏ ସଂସାରର ସମସ୍ତଙ୍କୁ ନିରୀକ୍ଷଣ କରିବା । ଏତେ ଅନ୍ଧକାର ସତ୍ତ୍ୱେ ସବୁଠି କେବଳ ଆଲୋକକୁ ହିଁ ଦେଖିବା ।

 

ବ୍ୟକ୍ତିଟି ଭିତରେ ଯେତିକି ବ୍ୟକ୍ତ ହୋଇଛି, ସେ କେବଳ ସେତିକି ନୁହେଁ, ସେ ଏହାଠୁ ଅଧିକ ଆହୁରି କିଛି । ବ୍ୟକ୍ତ ଓ ଅବ୍ୟକ୍ତ ଉଭୟର ସେ ସମାହାର । ତେଣୁ କୌଣସି ବ୍ୟକ୍ତିକୁ ବିଚାର କଲାବେଳେ ତାହାର ଅତୀତ ବା ବର୍ତ୍ତମାନର ସ୍ଥିତିଟିକୁ ସବୁକିଛି ବୋଲି ଧରି ନ ନେଇ ଉନ୍ମେଷ ଅପେକ୍ଷାରେ ଥିବା ତା ଭିତରର ଭବିଷ୍ୟ ସମ୍ଭାବନାରାଜି ବିଷୟରେ ଆମେ ସର୍ବଦା ସଚେତନ ରହିବା । ଶତ ଦୋଷଦୁର୍ବଳତା ସତ୍ତ୍ୱେ ସାଥୀ ମଣିଷଟିକୁ ଆପଣାର ମଣି ଭଲ ପାଇବା । ତା’ର ଉଦୟ ଓ ଉନ୍ନୟନରେ ସହଯୋଗୀ ହେବା । ଏହି ଭଳି ଭାବରେ ଆମ ଭଲ ପାଇବା ବୃତ୍ତର ବ୍ୟାସାର୍ଦ୍ଧଟିକୁ ଆମେ ପ୍ରତି ନିୟତ ବଢ଼ାଇ ବଢ଼ାଇ ଚାଲିବା, ଯେପରିକି ସମଗ୍ର ବିଶ୍ୱ ଦିନେ ଆସି ଆମ ପ୍ରେମର ବେଢ଼ାଟି ଭିତରେ ଧରାଦେବ ।

 

କର୍ମ କ୍ଷେତ୍ରରେ ବି ‘ଚରୈବେତି’ ଆମର ମୂଳ ମନ୍ତ୍ର ହୋଇ ରହିବ । କର୍ମର ସ୍ୱରୂପ ଯାହା ବି ହେଉନା କାହିଁକି, ସକଳ କର୍ମ ପ୍ରତି ଆମର ଶ୍ରଦ୍ଧା ରହିବ । କୌଣସି କର୍ମ ହେୟ ବା ନଗଣ୍ୟ ମନେ ହେବନାହିଁ । ପରିପୂର୍ଣ୍ଣତାର ଲକ୍ଷ୍ୟ ରଖି ଆମେ ବାଛି ନେଇଥିବା କର୍ମଟିକୁ ଅଧିକରୁ ଅଧିକ ନିଖୁଣ ଓ ସୂଚାରୁ ରୂପେ ସଂପନ୍ନ କରିବା, ଅର୍ଥାତ୍ ଅହଂଶୂନ୍ୟ ହୋଇ କରିବା। ଆଗକୁ ଯାଉଥିବା ସଂଗେ ସଂଗେ ଆମର କାର୍ଯ୍ୟ ବି ବହୁଗୁଣିତ ହୋଇଯାଉଥିବ । ମାତ୍ର ତଦ୍ଦ୍ୱାରା ବ୍ୟସ୍ତତା ଆସୁନଥିବ । କର୍ମ ପରିସର ବୃଦ୍ଧି ସହିତ ସମାନୁପାତିକ ଭାବରେ ଆନନ୍ଦ ମଧ୍ୟ ବହୁଗୁଣିତ ହେବାରେ ଲାଗିଥିବ ।

 

ବ୍ୟକ୍ତି ଭାବରେ କେବଳ ଆପଣାର ବିକାଶ ପ୍ରତି ଧ୍ୟାନ ଦେଲେ ତାହା ଯଥେଷ୍ଟ ହୁଏନାହିଁ । ପୂର୍ବସୂଚିତ ଦ୍ୱିତୀୟ ଶ୍ରେଣୀର ପତ୍ରଗୁଚ୍ଛ ଆମକୁ ଏହି ସତ୍ୟର ସମ୍ୟକ୍ ଅବଧାରଣା ଦିଅନ୍ତି । ବ୍ୟକ୍ତିର ଅଗ୍ରଗତି ସହ ସମଷ୍ଟିର ଅଗ୍ରଗତି ଅପରିହାର୍ଯ୍ୟ । ନିଜେ ବାଟ ଚାଲୁଥିବା ମଣିଷ ସାଥୀ ବାଟୋଇମାନଙ୍କୁ ଅବଜ୍ଞା କରିବ ନାହିଁ, ଅବହେଳା କରିବ ନାହିଁ । ଆମେ ତେଣୁ ପରସ୍ପରର ଅଗ୍ରଗତିରେ ଯଥାଶକ୍ତି ସହାୟତା କରୁଥିବା । ଏହାଦ୍ୱାରା ଆମେ କାହାକୁ ଅନୁଗ୍ରହ କରିବାକୁ ଯିବା ନାହିଁ, କାହାକୁ ଅନୁକମ୍ପାମୂଳକ ବ୍ୟବହାର ଦେଖାଇବା ନାହିଁ । ଜଣେ ବଂଧୁ ଯେପରି ଆଉ ଜଣେ ବଂଧୁର ହାତଧରି ବାଟ ଚାଲୁଥାଏ, ଜଣେ ଝୁଣ୍ଟି ପଡ଼ିଲେ ଆର ଜଣକ ଯେପରି ନଇଁପଡ଼ି ତାକୁ ଧୂଳିରୁ ତୋଳି ଧରେ, ହତବଳ ହୋଇ ଜଣେ ପଛରେ ପଡ଼ିଗଲେ ବା ଜଣକର ପାଦ ଥକିଗଲେ ଆଉ ଜଣେ ଯେପରି ତାକୁ ଅପେକ୍ଷା କରି ରହେ ବା ବଳ ଓ ଉତ୍ସାହ ଦେଇ ଅଗ୍ରସର କରାଇନିଏ, ଆମେମାନେ ସେହିପରି କରିବା । ଏଣିକି ଏକା ଏକା କିଛି ଚଳିବ ନାହିଁ । ଖାସ୍ ବ୍ୟକ୍ତିଗତ ଉଦ୍ୟମରେ ସମାଜ ବଦଳିବ ନାହିଁ, ପୃଥିବୀରେ ଭଗବାନଙ୍କର ସାମ୍ରାଜ୍ୟ ପ୍ରତିଷ୍ଠିତ ହୋଇ ପାରିବ ନାହିଁ । ମାଆ ଗୋଟିଏ ପ୍ରସଙ୍ଗରେ ଏ ବିଷୟରେ ସ୍ପଷ୍ଟ କରି ଦେଇଛନ୍ତି: “ଯେଡ଼େ ବୃହତ୍, ଯେତେ ଅଧିକ ପରିମାଣରେ ଚେତନ ଏବଂ ଶକ୍ତିଧାରୀ ହୋଇଥିଲେ ମଧ୍ୟ କୌଣସି ଗୋଟିଏ ଅବତାର ଏକା ଏକା ଏହି ପୃଥିବୀରେ ଅତିମାନସ ଜୀବନକୁ ସମ୍ଭବ କରି ପାରିବେ ନାହିଁ । ଏହି ଉପଲବ୍ଧି ନିମନ୍ତେ ଏକ ଗୋଷ୍ଠୀ ହିଁ ଅପରିହାର୍ଯ୍ୟ ହୋଇ ରହିବ ।” ଶ୍ରୀଅରବିନ୍ଦ ତାଙ୍କର ମାନବ ଯୁଗଚକ୍ର’ ଗ୍ରନ୍ଥର ଶେଷ ଅଧ୍ୟାୟରେ ଆଧ୍ୟାତ୍ମିକ ଯୁଗର ଆବିର୍ଭାବ ଓ ପରିବେଶ ବିଷୟରେ ଆଲୋଚନା କରିବାକୁ ଯାଇ ଅନୁରୂପ ଗୋଷ୍ଠୀ ଓ ତତସଂପୃକ୍ତ ସଚେତନ ଅଗ୍ରଗାମୀମାନଙ୍କ କଥା ହିଁ ଉଲ୍ଲେଖ କରିଛନ୍ତି । ସଂପ୍ରତ ପୁରାତନର ସକଳ ବିରୋଧ ସତ୍ତ୍ୱେ ଆଧ୍ୟାତ୍ମିକ ଆହ୍ଵାନରେ ଉତ୍ତର ଦେଉଥିବା ସେଇ ଅଗ୍ରଣୀ ମଣିଷମାନେ ଏବେ ପୃଥିବୀରେ ସାନ ସାନ ଗୋଷ୍ଠୀରେ ନିଜକୁ ପ୍ରତିଷ୍ଠିତ କରି ନିଜକୁ ପ୍ରସାରିତ କରିବାରେ ଲାଗିଲେଣି । ପୁରାତନ ଭିତରକୁ ନୂତନ ଜୀବନର ସଂକ୍ରମଣ ଆରମ୍ଭ ହୋଇଗଲାଣି ।

 

ଚିଠିମାନଙ୍କରେ କେତୋଟି ଜାଗାରେ ‘ସୁହୃଦ୍ ଗୋଷ୍ଠୀ’ ସମ୍ପର୍କରେ ଉଲ୍ଲେଖ ରହିଛି । ‘ସୁହୃଦ୍ ଗୋଷ୍ଠୀ’–ଅର୍ଥାତ୍ ନୂଆ ପୃଥିବୀ ଓ ନୂଆ ଜୀବନ ଲାଗି ଅଭୀପ୍‌ସା ପୋଷଣ କରୁଥିବା କିଛି ସମ୍ମତ ବନ୍ଧୁମାନଙ୍କର ଏକ ଗୋଷ୍ଠୀ । ବାହ୍ୟ ବହୁ ପାର୍ଥକ୍ୟ ନିର୍ବିଶେଷରେ ଅନୁରାଗୀ ହୃଦୟମାନଙ୍କର ସମ୍ମେଳନ ଘଟିଛି ଏଇ ଗୋଷ୍ଠୀରେ, ଯେଉଁଠି ଶୃଙ୍ଖଳା ଅଛି, ମାତ୍ର ଆନୁଷ୍ଠାନିକ ଆଇନକାନୁନ୍‌ର ଶୃଙ୍ଖଳ ନାହିଁ । ଏକ ଆତ୍ମିକ ଡୋର ହିଁ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଛି । ଏଥିରେ କେହି ସଭାପତି ନାହାନ୍ତି କି ସମ୍ପାଦକ ନାହାନ୍ତି । ଏଥିପାଇଁ ସରକାରୀ କି ବେସରକାରୀ ସ୍ୱୀକୃତି ମଧ୍ୟ ନାହିଁ । ବନ୍ଧୁମାନଙ୍କର ବୈଠକ ବା ନିଷ୍ପତ୍ତିର ଖାତା ଖତିଆନ୍ ନାହିଁ । ସୁହୃଦ୍ ସତେଅବା ଶ୍ରୀଅରବିନ୍ଦଙ୍କ ‘ମାନବ ଯୁଗଚକ୍ର’ରେ ବର୍ଣ୍ଣିତ ଆଧାତ୍ମିକ ନୈରାଜ୍ୟବାଦ (spiritual anarchism)ର କ୍ଷୁଦ୍ର ଏକ ପ୍ରୟୋଗଶାଳା । ତେଣୁ ପ୍ରଚଳିତ ଅର୍ଥରେ ସୁହୃଦ୍ ଏକ ଅନୁଷ୍ଠାନ ନୁହେଁ, ଅପରପକ୍ଷେ ଏହା ଏକ ଆହ୍ୱାନ, ଏକ ଦାୟିତ୍ୱ । ଆମେ କେହି ଏକା ନୋହୁଁ, ଆମେ ସାଙ୍ଗ ହୋଇ ବାଟ ଚାଲୁଛୁ, ଯିଏ ଆମକୁ ଏ ସଂସାରକୁ ପଠାଇଛନ୍ତି ତାଙ୍କରି କାମରେ, ସିଏ ବି ଆମ ସହିତ ବାଟ ଚାଲୁଛନ୍ତି । ଆମ ପାଦତଳର ଭୂଇଁ ତାଙ୍କର ଅଭୟ କୋଳ ଓ ମଥା ଉପରର ଆକାଶ ତାଙ୍କର ଅନନ୍ତ ଆଶୀର୍ବାଦ ।

 

ଏଇ ବିଶ୍ୱାସ ସହ ଅକୁତୋଭୟ ହୋଇ ସୁହୃତ୍‍ଟିଏ ସଙ୍ଗ ମେଳରେ ଆଗକୁ ଆଗକୁ କଦମ୍ ବଢ଼ାଇବ। ତା’ ଆଗରେ କେବଳ ଦୁଇଟି କର୍ତ୍ତବ୍ୟ : (୧) ଆପଣାର ବିକାଶ ସାଧନ କରିବା ମାଧ୍ୟମରେ ନିଜକୁ ଅଧିକରୁ ଅଧିକ ସଂସାର ଓ ଭଗବାନଙ୍କ ପାଇଁ ଯୋଗ୍ୟ କରିବା-। (୨) ସହଯାତ୍ରୀ ଭାବରେ ପରସ୍ପର ଅଗ୍ରଗତି ବା ଯୋଗ୍ୟତା ବୃଦ୍ଧିରେ ଯଥା ସମ୍ଭବ ସହାୟତା କରିବା ।

 

ଜଣେ ସଚେତନ ସୁହୃତ୍ ଭାବରେ ‘ସୁହୃଦ୍ ଗୋଷ୍ଠୀ’ ଓ ତା’ଦ୍ୱାରା ଆୟୋଜିତ ‘ଶ୍ରମ ଶିବିର’ ଉପରେ ପତ୍ରଲେଖକଙ୍କର ଅନେକ ଆସ୍ଥା ସ୍ପଷ୍ଟତଃ ପ୍ରତିଫଳିତ ହୋଇଛି ଏକାଧିକ ଚିଠିରେ-

 

‘ସୁହୃଦ୍ ଗୋଷ୍ଠୀ’ ଭିନ୍ନ ପତ୍ରାଳାପର ସୂଚନା ଅନୁଯାୟୀ, ଶ୍ରୀଅରବିନ୍ଦ ପାଠଚକ୍ର ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଗୁଡ଼ିକୁ ଆମେ ପୂର୍ବାଲୋଚିତ ଗୋଷ୍ଠୀର ଗୋଟିଏ ଗୋଟିଏ ରୂପାୟନ ବୋଲି ନିର୍ଦ୍ୱନ୍ଦ୍ଵରେ ଗ୍ରହଣ କରି ନେଇପାରିବା ।

 

ଶ୍ରୀଅରବିନ୍ଦ ଓ ମାଆଙ୍କ ପ୍ରବର୍ତ୍ତିତ ପୂଯୋଗ ଆତ୍ମ ପରିପୂତାର ଯୋଗ । ଏହି ଯୋଗମାର୍ଗରେ ଜୀବନ ବିତୃଷ୍ଣା ବା ସଂସାର ବର୍ଜନ ଲାଗି ତିଳେମାତ୍ର ଅବକାଶ ନଥାଏ । ମଣିଷକୁ ନିମିତ୍ତ କରି ଏଇ ଜଗତରେ ମାନସୋତ୍ତର ଏକ ନୂତନ ଚେତନା ଓ ଆଲୋକ ଅଭିବ୍ୟକ୍ତି ହେବ, ବ୍ୟକ୍ତି ତଥା ସମାଜ ଜୀବନ ଦିବ୍ୟଜୀବନରେ ରୂପାନ୍ତରିତ ହେବ, ବିଶ୍ୱ ବିବର୍ତ୍ତନର ଧାରା ଆଉ ଏକ ସୋପାନକୁ ଉନ୍ନୀତ ହେବ ଏବଂ ପରିଣାମତଃ ପୃଥିବୀ ପୃଷ୍ଠରେ ବିଜ୍ଞାନମୟ ଏକ ନୂତନ ମାନବ ଜାତିର ଆବିର୍ଭାବ ଘଟିବ–ଏହା ହିଁ ଶ୍ରୀଅରବିନ୍ଦ ଓ ମାଆଙ୍କର ଆମ ଲାଗି ନିର୍ଭର ପ୍ରତିଶ୍ରୁତି । ମର୍ତ୍ତ୍ୟମାଟିରେ ସ୍ଵର୍ଗର ଅବତରଣ ଓ ପ୍ରତିଷ୍ଠା ଲାଗି ହିଁ ଅଭିପ୍ରେତ ତାଙ୍କର ସକଳ ତପସ୍ୟା ଓ ସାଧନା । ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ସେଇ ପ୍ରତିଶ୍ରୁତ ଆଗାମୀ ଜୀବନର ଗବେଷଣାଗାର । ପାରମ୍ପରିକ ଅର୍ଥରେ ଏହା ଆଦୌ ସଂସାରବିମୁଖ ସନ୍ନ୍ୟାସୀ ବା ବୈରାଗୀମାନଙ୍କର ମଠଟିଏ ନୁହେଁ । ଏହା ଆମ ଜୀବନର ସକଳ ବିଭାବକୁ ପରିପୂର୍ଣ୍ଣ ଓ ଐଶ୍ୱର୍ଯ୍ୟମଣ୍ଡିତ କରିବାର ଶ୍ରଦ୍ଧା ରଖିଥିବା ଓ ସେପାଇଁ ଉଦ୍ୟମ କରୁଥିବା ଏକ ଅଭିନବ ସଂସାର।

 

ଶ୍ରୀଅରବିନ୍ଦଙ୍କ ଜନ୍ମ ଶତବାର୍ଷିକୀର ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଆଶ୍ରମର ଦୁଇ ବିଶିଷ୍ଟ ସାଧକ ଶ୍ରୀରାମକୃଷ୍ଣ ଦାସ (ବାବାଜୀ ମହାରାଜ)ଙ୍କ ଆସ୍ପୃହା ଓ ପ୍ରେରଣା ତଥା ଶ୍ରୀ ପ୍ରପତ୍ତିଙ୍କ ପୂର୍ଣ୍ଣପ୍ରାଣ ପ୍ରୟାସ ବଳରେ ରାଜ୍ୟରେ ଠାଏ ଠାଏ ଶ୍ରୀଅରବିନ୍ଦ ଛାତ୍ରସମାଜ ଓ ପାଠଚକ୍ରମାନ ଗଢ଼ି ଉଠିଥିଲା । ଏହି ଅନୁଷ୍ଠାନଗୁଡ଼ିକ କେତେ ଜଣ ସମଭାବାପନ୍ନ ଅଧାତ୍ମ ଅନୁରାଗୀ ବନ୍ଧୁଙ୍କର ଏକ ମେଳ ଥିଲା, ଯେଉଁଠି ସେମାନେ ଅତ୍ୟନ୍ତ ଉତ୍ସାହରେ ଶ୍ରୀଅରବିନ୍ଦ ଓ ମାଆଙ୍କୁ ଅଧ୍ୟୟନ ଓ ଆଲୋଚନା କରୁଥିଲେ । ତାଙ୍କରି ଦର୍ଶନର ଆଲୋକରେ ଜୀବନ ବଂଚିବାର କଳାଟି ବିଷୟରେ ଅବଗତ ହେଉଥିଲେ । ତାହାକୁ ଆଧାର କରି କେତେ କେତେ ସ୍ଵପ୍ନ ବି ଦେଖୁଥିଲେ, ଯୋଜନାମାନ ତିଆରି କରୁଥିଲେ । ପାଠଚକ୍ରଘରଠୁ ଆରମ୍ଭ କରି ପାଠାଗାର, ବାରିବଗିଚା, ଧୂପ ଓ ମହମବତୀ ତିଆରି, ବ୍ୟବସାୟ ଇତ୍ୟାଦି ନାନା କାର୍ଯ୍ୟକ୍ରମରେ ସେମାନେ କ୍ରିୟାଶୀଳ ହୋଇ ରହୁଥିଲେ । ଏସବୁ କାର୍ଯ୍ୟକ୍ରମ ବ୍ୟତୀତ ମଝିରେ ମଝିରେ ଆଂଚଳିକ ତଥା ରାଜ୍ୟସ୍ତରୀୟ ଶିବିର ଓ ସମ୍ମିଳନୀମାନ ଅନୁଷ୍ଠିତ ହେଉଥିଲା । ଏହାରି ମାଧ୍ୟମରେ ସମସ୍ତେ ପରସ୍ପରର ନିକଟବର୍ତ୍ତୀ ହେବାରେ ଲାଗିଥିଲେ। ଧୀରେ ଧୀରେ ପାଠଚକ୍ର ଗୁଡ଼ିକର ସଂଖ୍ୟା ବଢ଼ୁଥିଲା । ବିଶ୍ଵାସ, ଉତ୍ସାହ ଓ ଶ୍ରଦ୍ଧା ବି ବଢ଼ୁଥିଲା । କାଳକ୍ରମେ ପାଠଚକ୍ରଗୁଡ଼ିକୁ କେନ୍ଦ୍ର କରି ଶ୍ରୀଅରବିନ୍ଦଙ୍କ କର୍ମଧାରା ଏକ ଆନ୍ଦୋଳନର ରୂପ ନେଲା ଓ ୧୯୭୦ ମସିହାବେଳକୁ ଏହି ଆନ୍ଦୋଳନର ଆହୁରି ଏକ ନୂତନ ପ୍ରସ୍ଥ ଖୋଲିଗଲା । ସେହିବର୍ଷ ଭୁବନେଶ୍ୱରରେ ପ୍ରତିଷ୍ଠିତ ହେଲା ଓଡ଼ିଶାର ପ୍ରଥମ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପୃଥିବୀ ପୃଷ୍ଠରେ କ୍ରିୟାରତ ଏକ ନୂତନ ଆଲୋକ ଓ ଚେତନାର ପରିସ୍ଫୁଟନ ପାଇଁ ପୂର୍ଣ୍ଣାଙ୍ଗ ଶିକ୍ଷା ଏକ ପ୍ରସ୍ତୁତିପର୍ବ । ଏହି ଶିକ୍ଷା ମଣିଷର ସକଳାଙ୍ଗକୁ ନୂତନ ଚେତନାର ପରିପ୍ରକାଶ ନିମିତ୍ତ ସମର୍ଥ ଓ ଯୋଗ୍ୟ କରି ଗଢ଼ି ତୋଳେ । ପୂର୍ଣ୍ଣାଙ୍ଗ ଶିକ୍ଷାଦର୍ଶନକୁ ଭିତ୍ତି କରି ସହରାଞ୍ଚଳଠୁ ଆରମ୍ଭ କରି ନିପଟ ପଲ୍ଲୀ ଓ ମଫସଲ ଇଲାକାମାନଙ୍କରେ ମଧ୍ୟ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରମାନ ଥାପନା ହେଲା। କର୍ମ ଧାରାର ପରିସର ପରିବ୍ୟାପ୍ତ ହେଲା, ଏଥି ସହିତ ସଂପୃକ୍ତ ବନ୍ଧୁମାନଙ୍କରସଂଖ୍ୟା ବି ବୃଦ୍ଧି ପାଇଲା ।

 

ପାଠଚକ୍ର ଓ ଶିକ୍ଷାନୁଷ୍ଠାନଗୁଡ଼ିକ ସତେଅବା ଶ୍ରୀଅରବିନ୍ଦ ଓ ମାଆଙ୍କ କଳ୍ପିତ ପରୋଗାମୀ ଗୋଷ୍ଠୀସମୂହର ଭୂମିକା ନିଭାଇବାକୁ ଆଗଭର ହୋଇ ଆସିଥିଲେ । ଆଶା ଥିଲା ଏହି ଗୋଷ୍ଠୀରେ ସାମିଲ ସଦସ୍ୟମାନେ ସକଳ ପାର୍ଥକ୍ୟ ଭୁଲି ଏକତ୍ର ବାଟ ଚାଲିବେ, ଆଉମାନଙ୍କର ପଥପ୍ରଦର୍ଶକ ହେବେ, ବିବର୍ତ୍ତନର ପରବର୍ତ୍ତୀ ସୋପାନଟି ପାଇଁ ସେମାନେ ସର୍ବଦା ଆସ୍ପୃହାବନ୍ତ ହୋଇ ରହିବେ, ମଣିଷର ଦିବ୍ୟ ନିୟତି ଉପରେ ଅଟଳ ବିଶ୍ଵାସ ସ୍ଥାପନ କରିବେ, ଚେତନାରେ ଶୃଙ୍ଗ ପରେ ଶୃଙ୍ଗ ଆରୋହଣ କରିବେ, ଅତୀତର ଗୁଳାଶ୍ରୟୀ ଗତାନୁଗତିକ ଜୀବନଧାରାରେ ସେମାନେ ଗଭୀର ଅସନ୍ତୋଷ ପ୍ରକଟ କରିବେ, ସକଳ ଧାର୍ମିକତା ଓ ସାଂପ୍ରଦାୟିକତାର ସଂକୀର୍ଣ୍ଣ ଗୁହାରୁ ମୁକୁଳି ଆସିବେ ଏବଂ ଆଧ୍ୟାତ୍ମିକତାର ଅନୁଶୀଳନ କରିବେ । ସମଗ୍ର ମାନବଜୀବନକୁ ସେମାନେ ଆବୋରି ନେବେ କୌଣସି କର୍ମ ପ୍ରତି ସେମାନଙ୍କ ମନରେ ବୀତସ୍ପୃହତା ରହିବ ନାହିଁ । ଅଧିକନ୍ତୁ ଏହି ପୁରୋଗାମୀମାନେ କେତେଜଣ ମୁକ୍ତିକାମୀ ଜ୍ୟୋତିର୍ମୟ ଯୋଗୀ ସନ୍ନ୍ୟାସୀଙ୍କ ପାଇଁ ସଂସାରକୁ ଏକ ଅନ୍ଧାରୀ ପୃଷ୍ଠଭୂମି କରି ରଖିବେ ନାହିଁ–ବୈରାଗ୍ୟଯୁକ୍ତ ଆଧାତ୍ମିକତାର କେତୋଟି ବିରଳ ବନ୍ଧା କୁସୁମ ଫୁଟିବ ବୋଲି ସମାଜ ଜୀବନଟାକୁ ବାଡ଼ ପକାଇ ରଖିବେ ନାହିଁ । ଅର୍ଥାତ୍ ସବୁ ମଣିଷଙ୍କର ଆଧ୍ୟାତ୍ମିକ ଉତ୍ତୋଳନ ପାଇଁ ସେମାନେ ଶ୍ରମସ୍ଵୀକାର କରିବେ ।

 

କିନ୍ତୁ ନାନାକାରଣରୁ ଏଇସବୁ ଲକ୍ଷଣ ଆମ ପାଠଚକ୍ର ବା ଶିକ୍ଷାକେନ୍ଦ୍ର ରୂପୀ ଗୋଷ୍ଠୀରେ ଯଥେଷ୍ଟ ପ୍ରକାଶ ପାଇ ପାରୁ ନାହିଁ । ଆମ ଅନୁଷ୍ଠାନଗୁଡ଼ିକ ଆଧ୍ୟାତ୍ମିକ ଆହ୍ୱାନ ସକଳର ଉତ୍ତର ଦେବାରେ ଅସମର୍ଥ ହେଉଛନ୍ତି । ସଂକଳିତ ପତ୍ରଗୁଡ଼ିକରୁ ଏହାର କିଞ୍ଚିତ୍ ଆଭାସ ଆମକୁ ମିଳି ଯାଉଛି । ଗୋଷ୍ଠୀଗତ ଜୀବନ ବଂଚିବା କ୍ଷେତ୍ରରେ ବଂଧୁମାନେ ଯେଉଁସବୁ ବିରୋଧ ବା ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି ସେସବୁର ପରୋକ୍ଷ ସୂଚନା ସେଥିରୁ ପ୍ରାଣ କରି ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ: ସାମୂହିକ ଜୀବନରେ ଯାବତୀୟ ଅସଂଗତି, ବିଶୃଙ୍ଖଳା, ବାଦବିସମ୍ବାଦ ଓ ସଂଘର୍ଷର କାରଣ କ'ଣ ? ଏଥିପାଇଁ ଦାୟୀ କିଏ ? ସଂକଳନରେ ସ୍ଥାନିତ ଚିଠିଗୁଡ଼ିକ ସେଇ କାରଣଗୁଡ଼ିକ ପ୍ରତି ଆମର ଚକ୍ଷୁନ୍ମୋଚନ କରିଛି । ସମୂହଜୀବନସ୍ତରୀୟ ସମସ୍ୟା ନିରାକରଣର ଯଥାର୍ଥ ସୂତ୍ର ଓ ସମାଧାନ ପନ୍ଥା ବି ବତାଇଛି ।

 

ଶ୍ରୀଅରବିନ୍ଦ ଓ ମାଆଙ୍କ ଘୋଷିତ ଆଧ୍ୟାତ୍ମିକ ଗୋଷ୍ଠୀ ବା ଦେବସଂଘ ରୂପେ ଆମର ପାଠଚକ୍ରଗୁଡ଼ିକ ଆମେ ଇଚ୍ଛା କଲା ମାତ୍ରେ ଅଲଗା ପ୍ରକାରର ହୋଇପାରନ୍ତେ । ଆମେ ସମସ୍ତେ ସେଇ ଗୋଟିଏ ଡାକ ଶୁଣି ହିଁ ଆସିଛୁ, ଏକାଠି କାର୍ଯ୍ୟ କରୁଛୁ ଓ ସେହି କାର୍ଯ୍ୟ ଲାଗି ଏକାଠି ତିଆରି ହେଉଛୁ । ପାଠଚକ୍ରଟିଏ ଆମକୁ ଏଇ ଉପଲବ୍ଧି ଆଣି ଦିଅନ୍ତା । ଝଡ଼ଝଂକୃତ ରାତିରେ ତାଙ୍କ ସାଥିରେ ଯିବା ପାଇଁ ଓ ପାହାଡ଼ ଚଢ଼ିବା ପାଇଁ ଯିଏ ଆମକୁ ଆମନ୍ତ୍ରଣ ଜଣାଇଛନ୍ତି ଆମେ ତାଙ୍କୁ ହିଁ ଦିଶାରୀ କରି ଦୁଃସାହସୀ ହୋଇ ଜୀବନର ବନ୍ଧୁର ବାଟ ଚାଲନ୍ତେ । ତାଙ୍କ ପ୍ରତି ଆମର ବିମଳ ଶ୍ରଦ୍ଧା ଏକ ସୁବର୍ଣ୍ଣ ଶିକୁଳି ସାଜି ଆମକୁ ସମସ୍ତ ବାଧାବିପରି ସତ୍ତ୍ୱେ ଏକତ୍ର ବାନ୍ଧି ରଖନ୍ତା । ହିସାବ ଅନୁସାରେ ଆମ ଓଡ଼ିଶା ଭୂଖଣ୍ଡରେ ବହୁ ସହସ୍ର ପାଠଚକ୍ର ବିଦ୍ୟମାନ– ତନ୍ମଧ୍ୟରୁ କେତେକ ସକ୍ରିୟ ତ କେତେକ ନିଷ୍କ୍ରିୟ । ଅନେକ ଜାଗାରେ ଆନ୍ତରିକତା ନଥାଇ କେବଳ ବିଧି ରକ୍ଷା ପାଇଁ ବଡ଼ ଯାନ୍ତ୍ରିକ ଭାବରେ ଯେଉଁ ପାଠଚକ୍ରମାନ ହେଉଛି ସେଗୁଡ଼ିକ କ୍ରମେ ନୀରସ ଓ ନିଷ୍କ୍ରିୟ ହୋଇପଡ଼ିବା ସ୍ଵାଭାବିକ । ନିଷ୍କ୍ରିୟତାର ମୁଖ୍ୟ କାରଣ ହେଉଛି ସଦସ୍ୟମାନଙ୍କର ବ୍ୟକ୍ତିଗତ ଅଗ୍ରଗତିର ଅଭାବ । ଆମର ଆସ୍ପୃହାକୁ ଯାହା ସର୍ବଦା ଉଦ୍ଦୀପ୍ତ ଓ ଉଜ୍ଜୀବିତ କରି ରଖୁଥାନ୍ତା ତାହା ହେଉଛି ମାଆ ଓ ଶ୍ରୀଅରବିନ୍ଦଙ୍କ ରଚନାବଳୀର ସରାଗଯୁକ୍ତ ଅଧ୍ୟୟନ । ମାତ୍ର ତାହା ଆମ ଅନେକଙ୍କ କ୍ଷେତ୍ରରେ ସୁଦୂର ପରାହତ ହୋଇ ରହିଛି । ଅଥଚ ଆମ ଘରେ ମାଆ ଶ୍ରୀଅରବିନ୍ଦଙ୍କର ରାଶି ରାଶି ପୁସ୍ତକ ବର୍ଷ ବର୍ଷ ଧରି କେବଳ ସୁଦୃଶ୍ୟ କାଚ ଆଲମିରା ମଣ୍ଡନ କରୁଛନ୍ତି । ସୁତରାଂ ଆମ ପାଠଚକ୍ରରେ ଆମେ ସାଙ୍ଗ ହୋଇ କେତେ କେତେ ସ୍ଵାଧ୍ୟାୟ କରିପାରନ୍ତେ, ସେସବୁର ଯଥାସମ୍ଭବ ଚଚ୍ଚା ବା ଆଲୋଚନା କରିପାରନ୍ତେ । ଏହାଦ୍ୱାରା ଆମେ ପାଉଥିବା ଭଗବତ୍ ସ୍ପର୍ଶକୁ ଅନ୍ୟମାନଙ୍କ ଭିତରେ ବି ବିତରଣ କରି ଦେଇ ପାରନ୍ତେ । ସମସ୍ତଙ୍କୁ ସାଙ୍ଗରେ ନେଇ ତାହାରି ମାଧ୍ୟମରେ ଜଗତକୁ ବଦଳାଇବା ହିଁ ଯଦି ଶ୍ରୀ ଅରବିନ୍ଦଙ୍କ ସାଧନାର ଏକ ବୈଶିଷ୍ଟ୍ୟ, ତାଙ୍କ ଯୋଗ ଯଦି ଏକ ସମଷ୍ଟିଗତ ଯୋଗ, ତେବେ ଆମ ଜୀବନରେ ତାହା ବାସ୍ତାବାୟିତ ହୁଅନ୍ତା ।

 

ପାଠଚକ୍ର ପରି ଆମର ଶିକ୍ଷାକେନ୍ଦ୍ରମାନେ ମଧ୍ୟ ଆଉ ପ୍ରକାରେ ହୋଇପାରନ୍ତେ । ଯେଉଁ ଶିକ୍ଷାଦର୍ଶନକୁ ଆଖି ଆଗରେ ରଖି ଓଡ଼ିଶାରେ ବିଗତ ୩୪ ବର୍ଷ ଧରି ନୂତନ ଶିକ୍ଷା ପ୍ରୟାସ ଓ ଶିକ୍ଷା ପ୍ରୟୋଗ ଆରମ୍ଭ ହୋଇଛି ଆମ ଅନୁଷ୍ଠାନଗୁଡ଼ିକ ସତକୁ ସତ ତାହାର ଯଥାଯୋଗ୍ୟ ଭୂମିରେ ପରିଣତ ହୋଇପାରନ୍ତେ । ଏଠାରେ ଉଲ୍ଲେଖନୀୟ ଯେ ସଂପ୍ରତି ସାରା ରାଜ୍ୟର କୋଣ ଅନୁକୋଣରେ ପୂର୍ଣ୍ଣାଙ୍ଗ ଶିକ୍ଷା ଆନ୍ଦୋଳନର ଅନୁପ୍ରବେଶ ଘଟିଛି। ଏହି ଶିକ୍ଷା ମୂଳତଃ ଚେତନା ପରିବର୍ତ୍ତନର ଶିକ୍ଷା, ଭାଙ୍ଗିବା ଓ ଗଢ଼ିବାର ଶିକ୍ଷା । ପୃଥିବୀକୁ ଭଗବାନଙ୍କର ପ୍ରକାଶ ନିଳୟ ରୂପେ ଗଢ଼ିବା ନିମିତ୍ତ ବ୍ୟକ୍ତି ତଥା ସମାଜ ଜୀବନର ଯେଉଁ ନାନା ପୁରୁଣା ପ୍ରତିବନ୍ଧକ ସବୁ ରହିଛି ସେସବୁକୁ ହଟାଇବାର ସାହସ ଦିଏ ଯେଉଁ ଶିକ୍ଷା ତାହା ହିଁ ପୂର୍ଣ୍ଣାଙ୍ଗ ଶିକ୍ଷା । ଏହା ଅସଜଡ଼ାକୁ ସଜାଡ଼େ, ଅମେଳକୁ ସମଗ୍ରତା ଭିତରେ ମିଳାଇ ଦିଏ। ଆମ ସଭାର ସମସ୍ତ ବିଭାବକୁ ବିକଶିତ କରାଇଆଣେ ।

 

ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ଅଦ୍ଭୁତପୂର୍ବ ପ୍ରୋତ୍ସାହନ ମିଳିଛି । ଏବେ ଏଠାରେ କାର୍ଯ୍ୟ କରୁଥିବା ଶିକ୍ଷାକେନ୍ଦ୍ରମାନଙ୍କର ସଂଖ୍ୟା ପ୍ରାୟ ତିନି ଶହରୁ ଉର୍ଦ୍ଧ୍ୱ। ଅମିତ ଖୁସୀ, ଉତ୍ସାହ ଓ ଉତ୍ସର୍ଗୀକୃତ ଭାବ–ପୂର୍ଣ୍ଣାଙ୍ଗ ଶିକ୍ଷାର ଏହି ପ୍ରକୃତ ପରିମଳ ଉଣା ଅଧିକେ ପ୍ରାୟ ସବୁଠି ରହିଛି । ପୂର୍ଣ୍ଣାଙ୍ଗ ଶିକ୍ଷାର ବୈଶିଷ୍ଟ୍ୟ ଓ ସାଫଲ୍ୟ ଇତି ମଧ୍ୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛି ଓ ଏଥିପ୍ରତି ସରକାରୀ ସ୍ଵୀକୃତି ମଧ୍ୟ ମିଳି ସାରିଛି । ସ୍ୱୀକୃତି ସହିତ ଆମର ଦାୟିତ୍ଵ ଓ ସଚେତନତା ବଢ଼ିବା କଥା । ମାତ୍ର ତାହା ହୋଇଥିବା ପରି ମନେ ହୁଏ ନାହିଁ । ପୂର୍ଣ୍ଣାଙ୍ଗ ଶିକ୍ଷା ଯେ ସ୍ରୋତର ବିପରୀତମୁଖୀ ଏକ ନୂତନ ଶିକ୍ଷାଧାରାର ପ୍ରୟୋଗ ଏବଂ ପରୀକ୍ଷଣ, ଏକଥାଟି ସତେ ଅବା କେଉଁକାଳୁ ପାସୋରି ହୋଇଯାଇଛି । ପୁରୁଣା ପଙ୍କ ଭିତରେ ଅମର ପାଦ କେଉଁଠି ଲାଖୁ ଯାଇଥିବା ପରି ଲାଗୁଛି । ଅତୀତ ବିରୁଦ୍ଧରେ ଚାଲିଥିବା ଆସନ୍ନ ଭବିତବ୍ୟର ମହାଯୁଦ୍ଧରେ ଅଂଶଗ୍ରହଣ କରିବୁ ବୋଲି ଆମେ ଯେଉଁମାନେ ସଂକଳ୍ପ ଗ୍ରହଣ କରିଥିଲୁ ଏବଂ ଅଣ୍ଟା ଭିଡ଼ିଥିଲୁ ଊଣା ଅଧିକେ ସେମାନଙ୍କ ଉଦ୍ୟମ ଆଜି ବ୍ୟାହତ, ଉତ୍ସାହ ଜାରି ଶିଥିଳ । ଶକ୍ତି କ୍ଷୟକାରୀ ପାରସ୍ପରିକ କଳହରେ ଲିପ୍ତ ହୋଇ ଆମେ ଶେଷରେ କୋର୍ଟ କଚେରୀର ଦ୍ୱାରସ୍ଥ ହେଲୁଣି । ଯାହାଙ୍କୁ ମଥାର ମୁକୁଟ କରି, ଜୀବନର ଧ୍ରୁବତାରା କରି ଆମେ’ ବାଟ ଚାଲୁଥିଲୁ ତାଙ୍କଠୁ ଦୂରେଇ ଯାଇ ଆମେ ଏବେ ଅନେକ ଅପଦସ୍ଥ ହେଲୁଣି । ଏପରି ସତରେ କାହିଁକି ହେଲା ?' ସେ ବିଷୟରେ ଆମେ ମୁଣ୍ଡ ଖେଳାଇଲୁଣି କି ? ଆତ୍ମ ସମୀକ୍ଷା କଲୁଣି କି ? ଶିକ୍ଷାର ଯେକୌଣସି ପ୍ରୟୋଗରେ ପ୍ରମାଦ ଅବଶ୍ୟ ରହିବ । ଯନ୍ତ୍ର ଭାବରେ ଆମେ କେହି ତ୍ରୁଟିଶୂନ୍ୟ ନୋହୁଁ, ପୂର୍ଣ୍ଣାଙ୍ଗ ନୋହୁଁ । ଅନେକ ଅସମର୍ଥତା ଆମ ଭିତରେ । ଅନେକ ଦୋଷ ଦୁର୍ବଳତାରେ ଭରିଛି ଆମର ଆଧାର । ତଥାପି ପୂର୍ଣ୍ଣତା ପଥର ଆମେ ଯାତ୍ରୀ ।

 

ପୂର୍ଣ୍ଣାଙ୍ଗ ଶିକ୍ଷାର ପ୍ରୟୋଗଜନିତ ସମସ୍ୟାର ଆମେ ହିଁ କାରଣ । ସେଇ କାରଣଗୁଡ଼ିକ ସଂପର୍କରେ କିଞ୍ଚିତ ଅନୁଶୀଳନ ପତ୍ରାଳାପ ମଧ୍ୟରୁ ଆମେ ସାଉଁଟି ଆଣି ପାରିବା ।

 

ପତ୍ର ଲେଖକଙ୍କ ମତରେ ପୂର୍ଣ୍ଣାଙ୍ଗ ଶିକ୍ଷାର ସବାବଡ଼ ଯେଉଁ ଦୁଇଟି ଅଭାବ ଆମର ଅଗ୍ରଗତିକୁ ଅଟକାଇ ରଖୁଛି, ତାହା ହେଲା : ପ୍ରଥମତଃ ଶ୍ରୀଅରବିନ୍ଦ ଓ ମାଆଙ୍କର ଲେଖାଗୁଡ଼ିକ ସହିତ ଆମର ଯଥେଷ୍ଟ ପରିଚୟ ହୋଇନାହିଁ ଏବଂ ଦ୍ୱିତୀୟତଃ ଆମେ ପ୍ରାୟ ପ୍ରତ୍ୟେକ ଏହି ରାସ୍ତାରେ ଯଥା ସମ୍ଭବ ଏକା ଏକା ଯିବାକୁ ଇଚ୍ଛା କରୁଛୁ । ଅନେକ ସମୟରେ ଆମ ଶିକ୍ଷାକେନ୍ଦ୍ରର ଅପାଭାଇ (ଶିକ୍ଷକ ଶିକ୍ଷୟିତ୍ରୀ) ମାନେ ଶ୍ରୀଅରବିନ୍ଦ ଓ ମାଆଙ୍କୁ ନିଜ ଆଖିରେ ନ ଦେଖି ଅନ୍ୟମାନଙ୍କର ବିଶେଷତଃ ପରିଚାଳକମାନଙ୍କ ଆଖିରେ-ଦେଖୁଥାନ୍ତି । ସେମାନଙ୍କର ଆଚରଣକୁ ଦେଖି, ସେମାନଙ୍କଠୁ ଆଲୋଚନା ବା ପ୍ରବଚନ ଶୁଣି ମା’ ଓ ଶ୍ରୀଅରବିନ୍ଦଙ୍କୁ ବିଚାର କରୁଥାନ୍ତି । ସେମାନେ ସତେଅବା ନିଜଠାରୁ ନିଜେ ଲୁଚି ରହିବାକୁ, ବା ନିଜ ଭିତରେ ପୁରୁଣାଟାକୁ ଲୁଚାଇବାକୁ ହିଁ ଏପରି କରନ୍ତି, ଅର୍ଥାତ୍ ସେମାନଙ୍କ ଲେଖା ମାଧ୍ୟମରେ ମା’ ଶ୍ରୀଅରବିନ୍ଦଙ୍କ ନିକଟବର୍ତ୍ତୀ ହେବାକୁ ଭୟ କରୁଥାନ୍ତି । ଆମେ କିନ୍ତୁ ଅଧିକରୁ ଅଧିକ ପଢ଼ିବା, ଆବଶ୍ୟକ ସ୍ଥଳେ ଆମ ଇଂରାଜୀ ଜ୍ଞାନକୁ ପକ୍କା କରି ସେମାନଙ୍କ ରଚିତ ମୂଳ ଗ୍ରନ୍ଥଗୁଡ଼ିକୁ ପଢ଼ିବା । ସେ ସବୁକୁ ଆମର ଜୀବନଗ୍ରନ୍ଥରେ ପରିଣତ କରିବା । ଆମ ଅଧ୍ୟୟନ ଏକାକୀ ହେବ । ସାଙ୍ଗମାନଙ୍କ ମେଳରେ ଅର୍ଥାତ୍ ପାଠଚକ୍ରମାନଙ୍କରେ ବି ହେବ । ଆମ ଯୋଗରେ ସଂସାର-ବିରାଗୀର କୌଣସି ସ୍ଥାନ ନାହିଁ । ଆମେ ତେଣୁ ଏକକ ଅଗ୍ରଗତିରେ ସନ୍ତୁଷ୍ଟ ହୋଇଯିବା ନାହିଁ, ଅନ୍ୟମାନଙ୍କୁ ମଧ୍ୟ ଆମ ସାଙ୍ଗରେ ନେବା । ଏବେ ତ ପ୍ରତ୍ୟେକ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗୋଟିଏ ଗୋଟିଏ ଦ୍ୱୀପ ପାଲଟି ଗଲେଣି । ନିଜ ସମସ୍ୟା ନିଜକୁ ବଳି ପଡ଼ୁଛି ବୋଲି କହି ଆତ୍ମକୈନ୍ଦ୍ରିକ ହୋଇଗଲେଣି । ଅନୁନ୍ନତ ଗ୍ରାମାଞ୍ଚଳର ଶିକ୍ଷାକେନ୍ଦ୍ରରେ ଶିକ୍ଷକ ଭାଇଭଉଣୀଏ ଭୋଗୁଥିବା ଦୁର୍ଦ୍ଦଶା କଥା ବା ସାମ୍ନା କରୁଥିବା ସମସ୍ୟା କଥା ସହରାଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀମାନେ ଭାବି ପାରୁନାହାନ୍ତି, ପରସ୍ପର ସୁଖ ଦୁଃଖରେ କେହି ସହଭାଗୀ ହୋଇ ପାରୁନାହାନ୍ତି । ଆମେ ତେବେ ଗୋଟିଏ ନୌକାର ଯାତ୍ରୀ ବୋଲି କେମିତି କହି ପାରିବା ?

 

ପତ୍ରାଳାପରେ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଗୁଡ଼ିକର ଅନ୍ୟାନ୍ୟ ଅଭାବ କଥା ବି ମଝିରେ ମଝିରେ ଉତ୍‌ଥାପିତ ହୋଇଛି। ତନ୍ମଧ୍ୟରୁ ଆମକୁ ସବୁବେଳେ କଣ୍ଟା ପରି ବିଦ୍ଧ କରୁଥିବା ଆର୍ଥିକ ସମସ୍ୟାଟି ସର୍ବତ୍ର ଉତ୍କଟ । ସମାଧାନ ସ୍ୱରୂପ ସରକାରୀ ଅନୁଦାନ କଥା ପ୍ରସଙ୍ଗତଃ ମନକୁ ଆସିଯାଏ । ଏମନ୍ତ କିଞ୍ଚିତ୍ ସାହାଯ୍ୟ ଯେ ନ ମିଳୁଛି, ତାହା ମଧ୍ୟ ନୁହେଁ । କିନ୍ତୁ ସରକାରଙ୍କଠୁ ଆମେ ଯଦି ପୂରା ଆର୍ଥିକ ସାହାଯ୍ୟ ନିଅନ୍ତୁ ତାହା ଆମ ପାଇଁ କାଳ ହୁଅନ୍ତ । ଗୋଟିଏ ଚିଠିରେ ଏହି ଆଶଙ୍କା ମଧ୍ୟ ସ୍ପଷ୍ଟ ଭାଷାରେ ବ୍ୟସ୍ତ ହୋଇଛି । ଏହାଦ୍ୱାରା ସରକାରୀ ଶିକ୍ଷାବିଭାଗୀୟ ସୁବେଦାରମାନେ ଆମ ଚୁଟି ଧରି ରଖନ୍ତେ । ଆମର ସବୁ ଖୁସୀକୁ କେତେଟା ଶୁଖିଲା ନିୟମ ଓ କୃତ୍ରିମତା ଭିତରେ ମାରା କରିଦିଅନ୍ତେ ।’ ଆର୍ଥିକ ଦୁଃସ୍ଥିତିକୁ ଦୂର କରିବାକୁ ଆମେ ହିଁ ମିଳିତ ଭାବରେ ପ୍ରଚେଷ୍ଟା କରିବା । Sharing ବା ସହଭାଗୀତାକୁ ଗୁରୁତ୍ୱ ଦେବା। ତା ସତ୍ତ୍ୱେ ବି ହୁଏତ ଅଭାବ ଯିବ ନାହିଁ, ମାତ୍ର ଅଧ୍ୟୟନ ଦ୍ଵାରା, ପାରସ୍ପରିକ ସଖ୍ୟ ଓ ସହଯୋଗ ଦ୍ଵାରା ଆମେ ଅଧିକ ଶକ୍ତିଶାଳୀ ହେବା, ଅଭାବବୋଧକୁ ଅତିକ୍ରମି ଯିବା । ତା’ପରେ ଆସୁଛି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାନଙ୍କରେ କର୍ମୀ ବା ଶିକ୍ଷକ ଚୟନ ସମସ୍ୟା । ମୂଳ ଉଦ୍ୟୋକ୍ତାମାନେ ବା ପରିଚାଳକବଂଧୁମାନେ ଖୋଜି ଖୋଜି ଉପଯୁକ୍ତ ଉତ୍ସର୍ଗୀକୃତ ଶିକ୍ଷକକର୍ମୀ ପାଇ ପାରୁନାହାନ୍ତି ଓ ସେଇ ଯୋଗୁ ପୂର୍ଣ୍ଣାଙ୍ଗ ଶିକ୍ଷାର ସଫଳ ରୂପାୟନ ସମ୍ଭବ ହୋଇପାରୁନି ବୋଲି ଖେଦ ମଧ୍ୟ ପ୍ରକାଶ କରୁଛନ୍ତି । ସେମାନଙ୍କର ଆଦ୍ୟ ଉତ୍ସାହରେ ଭଟ୍ଟା ପଡ଼ିଯାଉଛି । ମାତ୍ର ନିଜେ ନିଜକୁ ମା’ଙ୍କର କର୍ମୀଟିଏ କରି ନ ଗଢ଼ି, ଆପେ ଯୋଗ୍ୟ ନ ହୋଇ ଅନ୍ୟମାନଙ୍କ ଠାରୁ ତାହା ଦାବି କରି ବସିଲେ ଆମକୁ ନିଶ୍ଚୟ ଏହିପରି ନିରାଶ ହେବାକୁ ପଡ଼ିବ । ନିଜକୁ ଦୂରେଇ ରଖି ବା ଦାୟିତ୍ଵମୁକ୍ତ କରି ଅନ୍ୟମାନଙ୍କ ଦ୍ଵାରା ପୂର୍ଣ୍ଣାଙ୍ଗ ଶିକ୍ଷାର ନୌକାଟିକୁ ଚଳାଇ ନେବାର ନିଶ୍ଚିନ୍ତ ଅଭିଳାଷ ଓ ଅତ୍ୟୁତ୍ସାହ ହିଁ ଆଜି ଆମ ମୋହଭଙ୍ଗର କାରଣ ଆମେ ତେଣୁ ଅନ୍ୟମାନଙ୍କ ଠାରୁ ନୁହେଁ, ନିଜଠାରୁ ହିଁ ବେଶୀ ଦାବି କରିବା । ଆମ ମନ ମୁତାବକ କର୍ମୀ ହୁଏତ କେଉଁଠି ବି ମିଳିବେ ନାହିଁ, ସେମାନେ ଏଇଠି ଆମରି ଦ୍ଵାରା ତିଆରି ହେବେ । ସୁତରାଂ ଆମେ ନିଜେ ତିଆରି ହେଉଥିବା, ଅନ୍ୟମାନଙ୍କୁ ବି ସ୍ନେହ ସହାନୁଭୂତି ଦେଇ ତିଆରି କରୁଥିବା ।

 

ଉପରୋକ୍ତ ସମସ୍ୟାମାନଙ୍କଠୁ ବଳି ଗୁରୁତର ସମସ୍ୟାଗୁଡ଼ିକୁ ସମ୍ଭବତଃ ଶିକ୍ଷାକେନ୍ଦ୍ରର ଶିକ୍ଷକମାନେ ହିଁ ବେଶୀ ସାମ୍ନା କରନ୍ତି । ଏହା ସେମାନଙ୍କ ଚେତନାର ବିକାଶଗତ ସମସ୍ୟା–ଏଣୁ ଯୌଗିକ ସମସ୍ୟା । କାରଣ ସେଇମାନଙ୍କ ବିକାଶ ଉପରେ ନିର୍ଭର କରେ ସେମାନଙ୍କ ହେପାଜତ୍‌ରେ ଥିବା ପିଲାମାନଙ୍କର ବିକାଶ । ଅତଏବ ଜଣେ ଶିକ୍ଷକ ଭାବରେ ଆମର ସର୍ବପ୍ରଧାନ କର୍ତ୍ତବ୍ୟ ହେବ ନିଜର ତଥା ପିଲାମାନଙ୍କର ଭୋକ ବଢ଼ାଇବା । ଏ ଭୋକ ଶିଖିବାର ଭୋକ, ଜାଣିବାର ଭୋକ, ସଂସାରକୁ ଆବିଷ୍କାର କରିବାର ଭୋକ, ହୃଦୟକୁ ହୃଦୟ ସହିତ ମିଶାଇବାର ଭୋକ । ପିଲାମାନଙ୍କୁ ଆମେ ଭଲ ପାଇବା ଓ ସମ୍ମାନ ଦେବା, ସେମାନଙ୍କୁ ବନ୍ଧୁ କରିନେବା, ସେମାନଙ୍କୁ ସର୍ବଦା ବ୍ୟକ୍ତିଗତ ଭୂମିରେ ଓ ସେମାନଙ୍କ ସ୍ତରକୁ ଓହ୍ଲାଇ ଯାଇ ଭେଟିବା । ସର୍ବୋପରି ଆମେ ସେମାନଙ୍କର ଦାସ ହୋଇଯିବା । ସେମାନଙ୍କ ପାଇଁ ନିଜକୁ ଅଧିକରୁ ଅଧିକ ଯୋଗ୍ୟ ଓ ପ୍ରସ୍ତୁତ କରିବା । ଏହା ହିଁ ଜଣେ ଅସଲ ଶିକ୍ଷକ ଲାଗି ସବୁଠୁ ବଡ଼ ଆହ୍ଵାନ । ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମୂହ ପ୍ରକୃତରେ ଏହିପରି ଶିକ୍ଷକମାନଙ୍କୁ ଚାହିଁ ବସିଛି, ଯେଉଁମାନେ ନିଜ ଭିତରର ଚମକ ଆଣି ଖେଳାଇ ଦିଅନ୍ତେ ପିଲାମାନଙ୍କ ଚେତନାରେ । ସେମାନେ ପିଲାମାନଙ୍କ ସହ ବଢ଼ନ୍ତେ, ଯାହା କି ତାଙ୍କୁ ସତତ ତରୁଣ କରି ରଖନ୍ତୁ । ସେମାନେ ବୀର ଓ ସାହସୀ ହୁଅନ୍ତେ । ସେମାନେ ନିଜକୁ କାହା ଦ୍ୱାରା ନିଯୁକ୍ତ ବେତନଭୋଗୀ ଚାକିରିଆ ବା ବୋଲକରା ବୋଲି ନ ଭାବି ସମ୍ମାନର ସହ ବଂଚି ଶିଖନ୍ତେ, ସ୍ଵାଧୀନ ଚେତା ହୁଅନ୍ତେ । ସଂସାରରେ ନୂଆ କିଛି କରିବା ପାଇଁ ପୁରୁଣା ନିୟମକୁ ଭାଙ୍ଗି ଦିଅନ୍ତେ, ଫଳରେ ନାନା ନିର୍ଯାତନା ପାଆନ୍ତେ ସତ, ମାତ୍ର ତାହାକୁ ବେଖାତିର କରି ଆଗକୁ ଚାଲନ୍ତେ । ସେମାନେ ଅଧିକରୁ ଅଧିକ ସହନ୍ତେ ଓ ସହିବା ଦ୍ଵାରା ହିଁ ଏ ପୃଥିବୀକୁ ଜିତନ୍ତେ-। ସେମାନେ ଆଦୌ ଅନିମନୀୟ ହୁଅନ୍ତୁ ନାହିଁ, ନିଜର ମତଟାକୁ ଅନ୍ୟମାନଙ୍କ ଉପରେ ନେଇ ମଡ଼ାଇ ଦିଅନ୍ତେ ନାହିଁ । ସେମାନେ ପରସ୍ପର ପ୍ରତିଦ୍ଵନ୍ଦୀ ନହୋଇ ସାଙ୍ଗ ଓ ସହଯୋଗୀ ହୁଅନ୍ତେ, ଏକାଠି ବସି ବିତର୍କ କରନ୍ତୁ ଓ ସ୍କୁଲର ଉନ୍ନତି ପାଇଁ ମିଳିତ ନିଷ୍ପତ୍ତି ନିଅନ୍ତେ ।

 

ଶିକ୍ଷକମାନଙ୍କ ସମେତ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପରିଚାଳନା ସହ ସଂପୃକ୍ତ ଭାଇଭଉଣୀମାନେ ବି ସଂପୂର୍ଣ୍ଣ ଅନ୍ୟ ପ୍ରକାର ହୁଅନ୍ତୁ ବୋଲି ଚିଠିମାନଙ୍କରେ ଲେଖକଙ୍କର ଅସୀମ ବ୍ୟାକୁଳତା ପ୍ରକାଶ ପାଇଛି । ଆମର ସକଳ ସମସ୍ୟା ପ୍ରକୃତରେ ସଙ୍ଗତି ସଂପର୍କିତ । ଆମେ ଇଚ୍ଛା କଲେ ଏସବୁକୁ ସମସ୍ୟାର ସାତ ସମୁଦ୍ରକୁ ବୀର ଭଳି ଡେଇଁଯାଇ ପାରନ୍ତେ । ଉଦ୍ୟୋକ୍ତା ଭାବରେ, ପରିଚାଳକ ଭାବରେ ଆମେ ନିଜକୁ ଏକ ମହାନ୍ କର୍ମର ନିମିତ୍ତ ବା ଯନ୍ତ୍ରୀ ବୋଲି ଭାବୁଥିଲେ ଆମେ ଆଉ ଏତେ ଅମେଳ ଗୁଡ଼ାକୁ ଆମନ୍ତ୍ରି ଆଣୁ ନଥାନ୍ତେ ।

 

ଗୋଟିଏ ଅନୁଷ୍ଠାନ ପଛରେ ଅବଶ୍ୟ କିଛି ନା କିଛି ଲୋକଙ୍କର ସ୍ୱପ୍ନ ଥାଏ, ସଂକଳ୍ପ ଥାଏ । ଅନୁଷ୍ଠାନଟିଏ କେବଳ ଜଣେ ଦି’ଜଣ ଲୋକଙ୍କର ନୁହେଁ । ଏହା ସମସ୍ତଙ୍କର, ଏଥିରେ ସମସ୍ତଙ୍କର ଅଧିକାର, ତେଣୁ ସମସ୍ତଙ୍କୁ ସାଥିରେ ନେଇ ଯିବାକୁ ହୁଏ । ସମସ୍ତେ ଯେପରି ଅନୁଷ୍ଠାନକୁ ନିଜର ବୋଲି ମନେ କରିପାରିବେ ସେଥିପାଇଁ ଏକ ସ୍ନେହ ଓ ସ୍ୱାଧୀନତାପୂର୍ଣ୍ଣ ପରିବେଶ ସର୍ବାଦୌ ଦରକାର । ଯେଉଁମାନେ ଏହାର ନେତୃତ୍ଵ ଦେବେ, ଆଗେ ଆଗେ ଦାଟ–ଚାରିଦେ ସେମାନଙ୍କ ପକ୍ଷେ ଏହା ଏକ ମସ୍ତବଡ଼ ଦାୟିତ୍ୱ ଓ ଆହ୍ୱାନ । ଯେଉଁମାନେ ପ୍ରଥମେ କିଛି ସ୍ୱପ୍ନ ବା ଆଦର୍ଶକୁ ନେଇ ଜୀବନ ବଂଚିବାକୁ ଚାହୁଁଥିବେ ବା ତଦନୁଯାୟୀ ଅନୁଷ୍ଠାନଟିଏ ଗଢ଼ି ତୋଳିବା ପାଇଁ ଆଗ୍ରହ ରଖିଥିବେ ସିବା ଆଗ ସେମାନେ ହିଁ ନିଜକୁ ଦେବେ, ଅନ୍ୟମାନଙ୍କୁ ଶ୍ରଦ୍ଧାରେ ଆପଣେଇ ନେବେ । ସେମାନେ ଦୋଷ ଦେଖିବେ ନାହିଁ, ଅନ୍ୟମାନଙ୍କର ଖୁଣ ନଦେଖୁ ଗୁଣକୁ ଆଗ ଆଦର କରିବେ, ଅନ୍ୟମାନଙ୍କର ତ୍ରୁଟି ଓ ଅପୂର୍ଣ୍ଣତା ସକଳକୁ ଉଦାର ହୃଦୟରେ ଜନନୀଟିଏ ପରି କ୍ଷମା ଦେବେ । କ୍ଷମା ଦେବା, ସ୍ନେହ ଦେବା, ବ୍ୟକ୍ତିର ଆଲୋକିତ ଦିଗକୁ ସ୍ୱୀକୃତି ଦେବା, ଏହାରି ମାଧ୍ୟମରେ ଆମ ଅନୁଷ୍ଠାନମାନଙ୍କରେ ସଦିଚ୍ଛାପୂର୍ଣ୍ଣ ନିଆରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ, ଯେଉଁଠି ଭଗବାନ ସତକୁ ସତ ଆସି ବିଚରଣ କରିବେ । ଏତିକି ହୋଇପାରିଲେ ସକଳ କଳଙ୍କ ସତ୍ତ୍ୱେ ସାଥୀ ମଣିଷ ଓ ସହଚାରୀମାନେ ପୂର୍ଣ୍ଣିମା ଚାନ୍ଦ ପରି ସୁନ୍ଦର ଓ ଉତ୍କଳ ଦିଶିବେ । ତା’ପରେ ସମସ୍ତେ ମନକୁ ମନ:ଅନୁଷ୍ଠାନର ଦାୟିତ୍ୱଗୁଡ଼ିକୁ ମିଳି ମିଶି ତୁଲାଇବେ । ସୁତରାଂ ଜଣେ କିମ୍ବା ଦୁଇ ଜଣ ଶାସନର ଛାଟ ଉଞ୍ଚାଇ ଆଉ ଦଶ ଜଣଙ୍କ ପଛରେ ଗୋଡ଼ାଇବାର ଆବଶ୍ୟକତା ରହିବ ନାହିଁ । କାହାକୁ ଶୃଙ୍ଖଳାର ଖୁଆଡ଼ ଭିତରେ ଅଡ଼ାଇ ଆଣି ପୂରାଇ ଦେବାର ଉଗ୍ରମନ୍ୟତା ରହିବ ନାହିଁ । ଦୃଷ୍ଟିକୋଣର ଭିନ୍ନତା ଅନୁଯାୟୀ ଅନୁଷ୍ଠାନର ବ୍ୟକ୍ତିମାନଙ୍କ ମଧ୍ୟରେ ବିବିଧତା ରହିବ, ନାନାମତ ମତାନ୍ତର ଅବଶ୍ୟ ରହିବ । ତା’ବୋଲି ବିବାଦ କାହିଁକି ଲାଗିବ ? ପରସ୍ପର ମଧ୍ୟରେ କନ୍ଦଳ କାହିଁକି ସୃଷ୍ଟି ହେବ ? ଶତ ପାର୍ଥକ୍ୟ ସତ୍ତ୍ୱେ ଆମେ ଯେ ପରସ୍ପରର ପରିପୂରକ ଏଇ ବିଶ୍ୱାସ ବଳବତ୍ତର ହେଲେ ନିଜ ନିଜ ଭିତରେ ଆଉ ଝଗଡ଼ା ବା ବଚସା ବି କାହିଁକି ରହିବ ? ନିଜର ମତକୁ ଅନ୍ୟମାନଙ୍କ ଉପରେ ମଡ଼ାଇ ନଦେଇ ବା ଅନ୍ୟମାନେ ମୋତେ ଅବମାନନା କଲେ ବୋଲି ମିଛ ରଷାକୁ ପ୍ରଶ୍ରୟ ନ ଦେଇ ଆମକୁ ଅନ୍ୟର ସ୍ଥାନକୁ ଓହ୍ଲାଇ ଆସିବାକୁ ହେବ, ଅନ୍ୟର ମତଟିକୁ ସମ୍ମାନ ଓ ସ୍ୱୀକୃତି ଦେବାକୁ ହେବ । ଏହା ହିଁ ଯେକୌଣସି ଅନୁଷ୍ଠାନର ସର୍ବମୂଳ ଶୃଙ୍ଖଳା । ତା’ ନ ହେଲେ ଅତ୍ୟନ୍ତ ଅହଂକାରୀ ହୋଇ ଆମେ ନିଜର ତଥା ଅନୁଷ୍ଠାନର ପ୍ରଗତିକୁ ଅବରୁଦ୍ଧ କରି ରଖିଥିବା ।

 

ଅନ୍ୟମାନେ ଆମ ସହିତ ସବୁବେଳେ ଏକମତ ହେବେ– ଏପରି ଭାବିବା ବା ଦାବି କରିବା ଏକ ପ୍ରଚ୍ଛନ୍ନ ଅହଂକାର । ଆମ ଭିତରେ ସ୍ଵଭାବଗତ ଭିନ୍ନତା ରହିବ, ସାମଞ୍ଜସ୍ୟ ମଧ୍ୟ ରହିବ । ଆମେ ପ୍ରଥମେ ସାମଞ୍ଜସ୍ୟଗୁଡ଼ିକୁ ହିଁ ଠାବ କରିବା । ତା’ରି ଉପରେ ଗୁରୁତ୍ୱ ଦେବା, ଫରକଗୁଡ଼ିକ କଥା ଭୁଲି ଯାଇ ଆମ ଭିତରେ ଥିବା ସାଧାରଣ ଉପାଦାନଗୁଡ଼ିକୁ ଆବିଷ୍କାର କରିବା ଓ ପରସ୍ପରର ନିକଟବର୍ତ୍ତୀ ହେବା । ତା’ ହେଲେ ଯାଇ ମେଳଟିଏ ସମ୍ଭବ ହେବ ଅଥବା ଗୋଷ୍ଠୀଟିଏ ତିଷ୍ଠି ରହିବ । ଅନ୍ୟଥା ପାର୍ଥକ୍ୟ ଗୁଡ଼ାକ ପଛରେ ଗୋଡ଼ାଇ ଗୋଡ଼ାଇ ସଂପର୍କର ସୂତ୍ରଟି ହାତଛଡ଼ା ହୋଇଯାଉଥିବ । ଗୋଷ୍ଠୀ ଜୀବନର ମୂଳ କଥା ହେଲା ପରସ୍ପର ଏକାଠି ବସିବା, ପରସ୍ପରକୁ ସ୍ୱୀକାର କରିବା, ସହିବା, କୌଣସି ଅଭିନୟ ବା କପଟ ନ ରଖି ଆଲୋଚନା କରିବା ଓ ଯାହା କିଛି ନିଷ୍ପତ୍ତି ନେବା। ନତୁବା ଗୋଷ୍ଠୀ ଜୀବନ ବାରବାର ବିପନ୍ନ ହେଉଥିବ–କଳହ ଲାଗି ସମଷ୍ଟିଗତ ସଂଗତି ଉଜୁଡ଼ି ଯାଉଥିବ । ତେଣୁ ପରିଚାଳକ ଭାବରେ ଆମେ ଏସବୁ କଥା ପ୍ରତି ସଜାଗ ରହିବା ।

 

ପତ୍ରଗ୍ରହୀତା ବ୍ୟକ୍ତିମାନଙ୍କର ଭିନ୍ନତା ଅନୁସାରେ ପତ୍ରାଳାପର ବିଷୟବସ୍ତୁରେ ସ୍ୱାଭାବିକ ବିବିଧତା ରହିଛି । ବିଶେଷତଃ ଆଳାପର ଶେଷ ଭାଗରେ ସଂଯୋଜିତ ଚିଠିଗୁଡ଼ିକ ଭ୍ରମଣ ବୃତ୍ତାନ୍ତ ସଂପର୍କିତ । ନୈସର୍ଗିକ ସୌନ୍ଦର୍ଯ୍ୟର ନିଟୋଳ ବର୍ଣ୍ଣନାରେ ସେଗୁଡ଼ିକ ଯେ ଅତ୍ୟନ୍ତ ସୁଖପାଠ୍ୟ ଏଥିରେ ସାମାନ୍ୟ ସଂଶୟ ନାହିଁ । ଚିଠି ଭାବରେ ସେଗୁଡ଼ିକର ସ୍ଵତନ୍ତ୍ର ମୂଲ୍ୟ ରହିଛି । ତରୁଣ ବୟସରେ ଲିଖିତ ସେଇ ଚିଠିମାନଙ୍କରେ ଖାଲି ଜଣେ ନିପୁଣ ଶବ୍ଦଶିଳ୍ପୀଙ୍କ ପ୍ରକୃତିପ୍ରାଣତାର ପରିଚୟ ଆମେ ପାଉନା, ଆଧୁନିକ ସଭ୍ୟତାର ସୁଖସ୍ୱାଚ୍ଛଦ୍ୟରୁ ବଂଚିତ ପାହାଡ଼ୀ ମୁଲକର ମଣିଷମାନଙ୍କ ପ୍ରତି ଗଭୀର ସଂବେଦନଶୀଳ ଜଣେ ସାଥୀ ମଣିଷର ହୃଦୟବତ୍ତା ଓ ଆନ୍ତରିକତାର ପରିଚୟ ବି ପାଉ ।

 

ଏକ ଅନନୁକରଣୀୟ ଅନୁପମ ଶୈଳୀ ତଥା ଆଳଙ୍କାରିକତାମୁକ୍ତ ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷାରେ ଲିଖିତ ଏଇ ଅନ୍ତରଙ୍ଗ ପତ୍ରାଳାପଗୁଡ଼ିକୁ ପଢ଼ିବା ଏକ ମହାନ ସୌଭାଗ୍ୟ, ଶ୍ରଦ୍ଧାଶୀଳ ପାଠକଟିଏ ପାଇଁ ଏହା ଆଣିଦିଏ ଉତ୍ତୋଳନକାରୀ ଏକ ମହାର୍ଘ ଅନୁଭୂତି । ନୈରାଶ୍ୟନିପୀଡ଼ିତ ସମସ୍ୟାସଂକୁଳ ଜୀବନର ଅନ୍ଧଗଳିରେ ଏଗୁଡ଼ିକ ଗୋଟିଏ ଗୋଟିଏ ଆଶାର ଦୀପାଳି । ଅଧିକାଂଶ ଚିଠି ଶ୍ରୀଅରବନ୍ଦି ଓ ଶ୍ରୀମାଙ୍କ ଅନୁରାଗୀଙ୍କ ପାଖକୁ ପ୍ରେରିତ । ମାତ୍ର ସେ ଦୁହିଁଙ୍କ ନାଁ କ୍ଵଚିତ କେଉଁଠି ଦେଖିବାକୁ ମିଳେ । ଅଥଚ ସେମାନେ ତାଙ୍କର ପ୍ରେମ ଓ ଆଲୋକ ସହ ଲେଖାମାନଙ୍କରେ ପୂରି ରହିଥିଲା ପରି ଲାଗେ । ଚିଠିମାନଙ୍କରେ ଆଦୌ କୌଣସି ଉପଦେଶ ନାହିଁ, ତହିଁରେ କେବଳ ଭରି ରହିଛି ବଳ ଓ ଉତ୍ସାହ । ସଙ୍ଗୀମାନଙ୍କର ତ୍ରୁଟିବିଚ୍ୟୁତି ପ୍ରତି ପତ୍ରଲେଖକଙ୍କ ଭାଷାରେ କୌଣସି ଅସହିଷ୍ଣୁ ବିଦ୍ରୂପ ନାହିଁ, ବରଂ ତାଙ୍କ ପ୍ରତିଟି ଉକ୍ତି ଏକ ଅପୂର୍ବ ସ୍ନେହ ଓ ସହାନୁଭୂତିରେ ଛଳଛଳ । ଆଶା, ଏହି ପତ୍ରାଳାପଗୁଡ଼ିକୁ ପାଠଚକ୍ର ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହ ସଂପୃକ୍ତ ଭାଇଭଉଣୀଙ୍କ ସମେତ ସବୁ ଶ୍ରେଣୀର ପାଠକ ଆଗ୍ରହରେ ପଢ଼ିବେ ଓ ଅଶେଷ ଉପକୃତ ହେବେ

Image